Blog

ସ୍ୱର୍ଣ୍ଣଯୁଗର ସ୍ପର୍ଶ

ବିଜୁ ପଟ୍ଟନାୟକ ନିଜ ଜୀବଦ୍ଦଶାରେ ଅନୁଭବ କରି ନ ଥିଲେ ଯେ ସେ ଓଡ଼ିଶାର ଜନମାନସରେ କିପରି ଆସ୍ଥାନ ଜନ୍ମାଇଥିଲେ । ସାଧାରଣ ଲୋକେ ମଧ୍ୟ ଉପଲବ୍ଧି କରି ନ ଥିଲେ ଯେ ବିଜୁଙ୍କ ବିୟୋଗ ପ୍ରତ୍ୟେକଙ୍କୁ, ପ୍ରତ୍ୟେକ ପରିବାରକୁ ଏତେ ସ୍ୱତଃସ୍ଫୂର୍ତ୍ତ ଦୁଃଖ କିମ୍ବା ଶୂନ୍ୟତା ଆଣିଦେବ । ଏହା ଏକ ଅଯାଚିତ ଅଭାବବୋଧ ଓଡ଼ିଶା ପାଇଁ ।

ପ୍ରଦ୍ୟୁମ୍ନ ବଳ

ବିଜୁ ପଟ୍ଟନାୟକ ନିଜ ଜୀବଦ୍ଦଶାରେ ଅନୁଭବ କରି ନ ଥିଲେ ଯେ ସେ ଓଡ଼ିଶାର ଜନମାନସରେ କିପରି ଆସ୍ଥାନ ଜନ୍ମାଇଥିଲେ । ସାଧାରଣ ଲୋକେ ମଧ୍ୟ ଉପଲବ୍ଧି କରି ନ ଥିଲେ ଯେ ବିଜୁଙ୍କ ବିୟୋଗ ପ୍ରତ୍ୟେକଙ୍କୁ, ପ୍ରତ୍ୟେକ ପରିବାରକୁ ଏତେ ସ୍ୱତଃସ୍ଫୂର୍ତ୍ତ ଦୁଃଖ କିମ୍ବା ଶୂନ୍ୟତା ଆଣିଦେବ । ଏହା ଏକ ଅଯାଚିତ ଅଭାବବୋଧ ଓଡ଼ିଶା ପାଇଁ । ଦେଖିବାକୁ ଗଲେ ବିଜୁ ପଟ୍ଟନାୟକ ତାଙ୍କର ୫୫ ବର୍ଷରୁ ଊର୍ଦ୍ଧ୍ୱ ରାଜନୈତିକ ଜୀବନରୁ ମାତ୍ର ୧୦ ବର୍ଷ ପ୍ରତ୍ୟକ୍ଷ କ୍ଷମତାରେ ଥିଲେ । ତାହା ପୁଣି ଖାପଛଡ଼ା ଭାବରେ ୧୯୬୧ରୁ ୧୯୬୩ ଦୁଇ ବର୍ଷ ମୁଖ୍ୟମନ୍ତ୍ରୀ, ୧୯୭୭ରୁ ୧୯୮୦ ଅଢ଼େଇବର୍ଷ କେନ୍ଦ୍ର ମନ୍ତ୍ରୀ ଏବଂ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ୫ ବର୍ଷ ମୁଖ୍ୟମନ୍ତ୍ରୀ ଭାବରେ ବିଜୁ ସମୟର ବଡ଼ ବଡ଼ ଫାଙ୍କାରେ ମାତ୍ର ୩ ଥର କ୍ଷମତାରେ ବସିଥିଲେ । ବାକି ସମୟ ତାଙ୍କର ରାଜନୈତିକ ବନବାସ କିମ୍ବା ନିର୍ବାସନ ଭାବରେ କଟିଛି । କିନ୍ତୁ ଏହି ସମୟ ମଧ୍ୟରେ ସେ କ୍ଷମତାର ଶୀର୍ଷକୁ ଯାଇଛନ୍ତି ଏବଂ ବାରମ୍ବାର ଖସି ପଡ଼ିଛନ୍ତି । କ୍ଷମତା ଲଢ଼େଇରେ ହାରିଛନ୍ତି କିନ୍ତୁ ହାର ମାନି ନାହାନ୍ତି । ପ୍ରତି ରାଜନୈତିକ ପରାଜୟ ତାଙ୍କୁ ଆଣି ଦେଇଛି ଅଧିକ ବ୍ୟକ୍ତିତ୍ୱର ବିପୁଳତା । ଆହୁରି ଲଢ଼ିବାର ସଂକଳ୍ପ । ତାଙ୍କଠାରେ ନେପୋଲିୟନ ବୋନାପାର୍ଟଙ୍କର ଅନେକ ଝଲକ ଥିଲା । ଗୋଟାଏ ବଡ଼ କଥା ସବୁ ଦଳର ଉଚ୍ଚତମ ନେତାମାନେ ସେ ପହଞ୍ଚିବା ବେଳେ ବୁଝି ପାରି ନ ଥିଲେ ଯେ ବିଜୁ ସେମାନଙ୍କୁ କେତେ ପ୍ରଭାବିତ କରିପାରିଥିଲେ । ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ବିଜୁଙ୍କ ଦ୍ୱାଦଶାହ ସଭାରେ ସବୁଠାରୁ ବଡ଼ ସମ୍ମାନ ଦେଇଛନ୍ତି ତାଙ୍କୁ । ଜାନକୀଙ୍କ ନିଜ ଭାଷାରେ “କ୍ଷମତା ବଡ଼ ନୁହେଁ, ବ୍ୟକ୍ତିତ୍ୱ କ୍ଷମତାଠାରୁ ଢେର ବଡ଼ ।” କ୍ଷମତାରେ ଏତେ ଲୋକ ବସୁଛନ୍ତି । ଖସୁଛନ୍ତି ମଧ୍ୟ । କିନ୍ତୁ ବ୍ୟକ୍ତିତ୍ୱ କାହିଁ? କରିସ୍ମା କାହିଁ? ଜାତୀୟ ସ୍ତରର ନେତାମାନେ ବିଜୁଙ୍କର ଜନମାନସର ଭିତ୍ତି ଦେଖି ଅଭିଭୂତ ହୋଇପଡ଼ିଛନ୍ତି । ତାଙ୍କ ଶୂନ୍ୟତାର କିଛି ଅଂଶ ଆହରଣ କରିବାକୁ ତାଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗଦେବା ପାଇଁ ଆସିଛନ୍ତି । ତାଙ୍କ ଦ୍ୱାଦଶାହ ସଭାରେ ଯୋଗ ଦେବାକୁ ଦେଶର ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସବୁ ଦଳ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଧାଇଁ ଆସିଛନ୍ତି ବିଜୁ ପଟ୍ଟନାୟକଙ୍କ ସଭାର କିୟଦଂଶରେ ଭାଗ ନେବାକୁ । କେତେଜଣ ନେତାଙ୍କ ଭାଗ୍ୟରେ ଏହା ଜୁଟିଛି?

ବିଜୁ ସଞ୍ଜୀବ ରେଡ୍ଡୀଙ୍କୁ କହିଥିଲେ, “ଆପଣ ତ ପରବର୍ତ୍ତୀ କଂଗ୍ରେସ ସଭାପତି । ମୁଁ ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଛି । କଂଗ୍ରେସ ଓଡ଼ିଶାରେ ସଂଖ୍ୟା ଗରିଷ୍ଠତା ପାଇପାରୁ ନ ଥିଲା । ମୋ ଶାସନରେ ଯଦି ଓଡ଼ିଶା ପାଇଁ ଆଖିଦୃଶିଆ କିଛି ନ କରିପାରିଲି, ତେବେ କଂଗ୍ରେସକୁ ଲୋକେ କାହିଁକି କ୍ଷମତାକୁ ଆଣିଲେ? ବାଲିମେଳା ବନ୍ଧ, ବିଦ୍ୟୁତ୍ କେନ୍ଦ୍ର ଆଦି ଓଡ଼ିଶାରେ ହେଉ । ତେଣିକି ଜଳସେଚନ ପାଇଁ କେତେ ଜଣ ଏବଂ ବିଦ୍ୟୁତ୍ ଉତ୍ପାଦନରୁ କେତେ ଭାଗ ଆନ୍ଧ୍ର ପାଇବ ପରେ ଆପଣ ଯାହା କହିବେ ସେଥିରେ ମୁଁ ରାଜି ହୋଇଯିବି । ଓଡ଼ିଶାରେ କଂଗ୍ରେସ ସରକାରର ମର୍ଯ୍ୟାଦା ବୃଦ୍ଧି କରିବାରେ ଭାବୀ କଂଗ୍ରେସ ସଭାପତି ଭାବରେ ଆପଣଙ୍କର ଏହା ନିର୍ଦ୍ଦିଷ୍ଟ ଅବଦାନ ହେବ ।” ସଞ୍ଜୀବ ରେଡ୍ଡୀ ଏହି ପ୍ରସ୍ତାବରେ ରାଜି ହୋଇଗଲେ । ତେଣୁ ଯେତେବେଳେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନିଜର ଇଞ୍ଜିନିୟର ଓ ଅଫିସରମାନଙ୍କ ସହିତ ଆନୁଷ୍ଠାନିକ ଆଲୋଚନା ବୈଠକକୁ ଆସିଲେ, ବିଜୁ ପଟ୍ଟନାୟକ ପ୍ରଥମେ ଘୋଷଣା କଲେ ଯେ ଆମେ ଦୁଇ ଜଣ ମୁଖ୍ୟମନ୍ତ୍ରୀ ବାଲିମେଳା ବନ୍ଧ ଓ ବିଦ୍ୟୁତ୍ କେନ୍ଦ୍ର ଓଡ଼ିଶାରେ ହେବ ବୋଲି ରାଜି ହୋଇଛୁ । ଜଳ ଓ ବିଦ୍ୟୁତ୍ ବଣ୍ଟନ, ଏହି ଯୋଜନାର ପାଣ୍ଠି କିଏ କେତେ ଦେବେ ଇତ୍ୟାଦି ଟିକିନିଖି ହିସାବ ଅଫିସରମାନେ ପର ପର୍ଯ୍ୟାୟରେ ବସି ଠିକ୍ କରିବେ । ବାଲିମେଳା ଓଡ଼ିଶାରେ ହେବାର ସ୍ଥାନ ନିରୂପଣ ସମସ୍ୟା ବିଜୁ ପଟ୍ଟନାୟକ ଏହିପରି ଉପାୟରେ ସହଜରେ ହାସଲ କରିନେଲେ । ବାଲିମେଳା ଓଡ଼ିଶାରେ ଆରମ୍ଭ ହେଲାପରେ ଓଡ଼ିଶା ନିଜ ସପକ୍ଷରେ ଜଳ ଓ ବିଦ୍ୟୁତ୍ ବଣ୍ଟନ ମଧ୍ୟ ହାସଲ କରିବାକୁ ସମର୍ଥ ହୋଇଛି । ତାଳଚେର ଥର୍ମାଲ କେନ୍ଦ୍ର ସାକାର ହେଲା । ପାରାଦୀପ ପୋର୍ଟ ନିର୍ମାଣ କରିବାରେ ନେହେରୁଙ୍କ ରୁଗ୍ଣାବସ୍ଥା ଏବଂ ମୃତ୍ୟୁ ପରେ କେନ୍ଦ୍ର ସରକାର ସମ୍ମତି ଦେଲେ ନାହିଁ । କାରଣ ବନ୍ଦର ରାଜ୍ୟ ସରକାରଙ୍କ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରେନା । ପରେ କେନ୍ଦ୍ର ସରକାର ବିଜୁ ପଟ୍ଟନାୟକଙ୍କୁ ବିରୋଧ କଲେ । ଏଣୁ କେନ୍ଦ୍ରରୁ ଆର୍ଥିକ ସାହାଯ୍ୟ ମିଳିଲା ନାହିଁ । ବିଜୁ କିନ୍ତୁ ଏଥିରେ ହାରି ନ ଯାଇ ଓଡ଼ିଶା ରାଜ୍ୟର ଏକ ଯୋଜନା ଭାବରେ ରାଜ୍ୟ ରାଜକୋଷରୁ ଅର୍ଥ ନିୟୋଜନ କରି ପାରାଦୀପ ବନ୍ଦର ନିର୍ମାଣ କରିଚାଲିଲେ । ଏଥିରେ ଓଡ଼ିଶା ସରକାରଙ୍କର ସେତେବେଳେ ପ୍ରାୟ ୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ପରେ କେନ୍ଦ୍ର ସରକାର ପାରାଦୀପ ବନ୍ଦର କର୍ତ୍ତୃତ୍ୱ ହାତକୁ ନେଲେ, କିନ୍ତୁ ବୋଧହୁଏ ଆଜି ପର୍ଯ୍ୟନ୍ତ ଏହି ଖର୍ଚ୍ଚ କେନ୍ଦ୍ର ଓଡ଼ିଶାକୁ ଭରଣା କରିନାହିଁ । କାରଣ ୧୯୭୭ ମସିହାରେ  କେନ୍ଦ୍ରରେ ଜନତା ପାର୍ଟିର ସରକାର ଥିଲାବେଳେ ଏହି ଅର୍ଥ ଓଡ଼ିଶାକୁ ଫେରାଇବା ପାଇଁ ଓଡ଼ିଶାର ଜନତା ପାର୍ଟି ସରକାରକୁ କେନ୍ଦ୍ରକୁ ଏକ ପ୍ରସ୍ତାବ ଦେବାକୁ ବିଜୁ ପଟ୍ଟନାୟକ ପରାମର୍ଶ ଦେଇଥିଲେ । ମତେ ଦାୟିତ୍ୱ ଦିଆଯାଇଥିଲା କେନ୍ଦ୍ର ବନ୍ଦର ଓ ପରିବହନ ମନ୍ତ୍ରୀ ଚାନ୍ଦରାମଙ୍କୁ କହି ଏହି ଅର୍ଥ କେନ୍ଦ୍ରରୁ ଓଡ଼ିଶାକୁ ପାରାଦୀପ ବନ୍ଦର ବାବଦରେ ଫେରାଇବାକୁ । ମୁଁ ଚାନ୍ଦରାମଙ୍କୁ କହି ରାଜି କରାଇଥିଲି । କିନ୍ତୁ ଓଡ଼ିଶା ସରକାରଙ୍କଠାରୁ ୬୦ ଦଶକର ପାରାଦୀପ ବନ୍ଦର ବାବଦରେ ଖର୍ଚ୍ଚ ହୋଇଥିବା ଅର୍ଥର ହିସାବ ବାହାର କରି ଏକ ଆନୁଷ୍ଠାନିକ ପ୍ରସ୍ତାବ ପ୍ରସ୍ତୁତ କରି ପଠାଇବାକୁ । ରାଜ୍ୟ ସରକାରଙ୍କ ସ୍ତରରେ ମୁଁ କେତେ ଥର ଏଥିପାଇଁ ତଦବିର କଲେ ମଧ୍ୟ ବହୁଦିନ ପର୍ଯ୍ୟନ୍ତ ତାହା ହୋଇପାରିନଥିଲା ଏବଂ ଜନତାପାର୍ଟି ସରକାର କେନ୍ଦ୍ରରେ ୧୯୭୯ ମସିହାରେ ଭାଙ୍ଗିଗଲା ଏବଂ କିଛି ମାସ ପରେ ଓଡ଼ିଶାର ଜନତାପାର୍ଟି ସରକାର ମଧ୍ୟ ଭାଙ୍ଗିଲା । ଅଦ୍ୟାବଧି ଏହି ଅର୍ଥ ରାଜ୍ୟର କେନ୍ଦ୍ର ଉପରେ ରହିଛି ବୋଲି ମୋର ଧାରଣା । ଟିକରପଡ଼ା ଏବଂ ପରେ ମଣିଭଦ୍ରା ଯୋଜନା ଆରମ୍ଭ କରାଯାଇପାରିଲା ନାହିଁ । ଓଡ଼ିଶାରେ ନଦୀବନ୍ଧ ଯୋଜନାରେ ଜଳମଗ୍ନ ଅଞ୍ଚଳର ବାସଚ୍ୟୁତଙ୍କ ଉପଯୁକ୍ତ ଥଇଥାନ ହୋଇପାରେ ନାହିଁ । ହୀରାକୁଦର ବାସ୍ତୁହରା ଲୋକେ ଅଧିକାଂଶ ସେମାନଙ୍କର ଉପଯୁକ୍ତ ବ୍ୟବସ୍ଥା କରିପାରିଲେ ନାହିଁ । ତେଣୁ ଟିକରପଡ଼ା ଓ ମଣିଭଦ୍ରା ଆଦି ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ ସେ ଅଞ୍ଚଳର ଲୋକଙ୍କ ବିରୋଧ ପାଇଁ ବାଲିମେଳା କିପରି ଓଡ଼ିଶାରେ ହେଲା କୌଣସି ଯୋଜନାଟିକୁ ସାକାର କରିବା ପାଇଁ ବିଜୁ କେଉଁ ବାଟରେ ତାହା ହାସଲ କରାଇ ଆଣୁଥିଲେ, ତାହାର ଗୋଟିଏ ମାତ୍ର ନମୁନା ଝଲକ ଏଥିରୁ ଜାଣିବାକୁ ମିଳିବ । ପରବର୍ତ୍ତୀ ସମୟରେ ଯେଉଁସବୁ ନଦୀବନ୍ଧ ବହୁମୁଖୀ ଯୋଜନା ସବୁ କାର୍ଯ୍ୟକାରୀ ହୋଇଛି ତାହାର ପ୍ରଥମ ରୂପରେଖ (ବ୍ଲୁ ପ୍ରିଣ୍ଟ) ବିଜୁ ପଟ୍ଟନାୟକଙ୍କ ସମୟରେ ଆରମ୍ଭ ହୋଇଥିଲା । ଯଥା- ଅପର କୋଲାବ, ରେଙ୍ଗାଲି , ଇନ୍ଦ୍ରାବତୀ), ଇବ୍ ଉପତ୍ୟକା ଯୋଜନା ଇତ୍ୟାଦି । ବିଜୁ ହୀରାକୁଦରେ ଚିଫ୍ ଇଞ୍ଜିନିୟର ଭାବରେ ନାମ କରିଥିବା ଅଯୋଧ୍ୟାନାଥ ଖୋସଲାଙ୍କୁ ଏଥିପାଇଁ ନେହେରୁଙ୍କ ପ୍ରବର୍ତ୍ତାଇ ଓଡ଼ିଶାକୁ ଅଯୋଧ୍ୟାନାଥ ଖୋସଲାଙ୍କୁ ଏଥିପାଇଁ ନେହେରୁଙ୍କୁ ପ୍ରବର୍ତ୍ତାଇ ଓଡ଼ିଶାକୁ ରାଜ୍ୟପାଳ କରାଇ ଆଣିଥିଲେ । ଖୋସଲା ‘ଦଶକର ଗନ୍ତବ୍ୟ’ ଶୀର୍ଷକ ଏକ ଛୋଟ ପୁସ୍ତିକାରେ ଓଡ଼ିଶା ପାଇଁ ଏହିସବୁ ପ୍ରସ୍ତାବିତ ଯୋଜନାର ରୂପରେଖ ଟାଣିଥିଲେ । ୧୯୬୧ରେ ବିଜୁ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବାବେଳେ ଏବଂ ନେହେରୁ ୧୯୬୪ ମସିହା ମେ’ ମାସ ପର୍ଯ୍ୟନ୍ତ ଯାହା ଚାହିଁଛନ୍ତି, କେନ୍ଦ୍ରରୁ ମଂଜୁର କରାଇ ଆଣିପାରିଛନ୍ତି । ଏହି ସମୟରେ ବିଜୁ ଏବଂ ନେହେରୁଙ୍କ ମଧ୍ୟରେ ଏକ କଥୋପକଥନର ଏକ ଝଲକ ଦେବା ଏଠାରେ ପ୍ରାସଙ୍ଗିକ । ବିଜୁ ନେହେରୁଙ୍କ ସହିତ ତାଙ୍କର ଘନିଷ୍ଠତା ଓ ସାନ୍ନିଧ୍ୟ ଫଳରେ ଯେତେବେଳେ ଯାଇ ଗୋଟାଏ ପଛକୁ ଆଉ ଗୋଟାଏ ପ୍ରକଳ୍ପ ପ୍ରସ୍ତାବ ଦେଲେ, ଦିନେ ନେହେରୁ କହିଲେ, କ’ଣ ସବୁ ଓଡ଼ିଶାରେ ହେବ? ବିଜୁ ଉତ୍ତର ଦେଇଥିଲେ, ଓଡ଼ିଶା ଅନଗ୍ରସର ରାଜ୍ୟ । ଗୋଟିଏ ନେହେରୁ ଭାରତର ପ୍ରଧାନମନ୍ତ୍ରୀ ହୋଇଛନ୍ତି । କ’ଣ ଆଉ କେହି ନେହେରୁ ଆସିବେ ଯିଏ ଅନୁନ୍ନତ ଓଡ଼ିଶାର ଦୁର୍ଦ୍ଦଶା ବୁଝିପାରିବ? ନେହେରୁ ଆଉ କୌଣସି ଉତ୍ତର ନ ଦେଇ ହସି ଦେଇଥିଲେ ।

ରେଫ୍ରିଜରେଟର କାରଖାନା ବିଜୁ ପ୍ରତିଷ୍ଠା କରିଥିଲେ । ଏପରି ଏକ ଟେକ୍ନୋଲୋଜିରେ ବିଦ୍ୟୁତ୍ ଚାଳିତ ରେଫ୍ରିଜରେଟର ତିଆରି ସହିତ କିରାସିନି ଡିବିରିରେ ମଧ୍ୟ ଚାଲୁଥିବା ରେଫ୍ରିଜରେଟର ନିର୍ମିତ ହେଉଥିଲା । ଯେଉଁଠାରେ ବିଜୁଳି ଶକ୍ତି ନାହିଁ, ସେଠାରେ ଏହି ରେଫ୍ରିଜରେଟର ର ବ୍ୟବହାର ହୋଇପାରୁଥିଲା । ଆଜି ଏହି ପ୍ରକାର ଟେକ୍ନୋଲୋଜିର ଆବଶ୍ୟକତା ଯଥେଷ୍ଟ ବେଶୀ । ଚେକୋସ୍ଲୋଭାକିଆର ଏକ କମ୍ପାନୀ ସହାୟତାରେ କଳିଙ୍ଗ ଇଲେକ୍ଟ୍ରୋନିକ୍ସ ରେଫି୍ରଜେଟର କାରଖାନା ପ୍ରତିଷ୍ଠା ହୋଇଥିଲା । ସେତେବେଳେ ଡିବିରିରେ ଚାଲୁଥିବା ରେଫ୍ରିଜରେଟର ମୁଁ ଅନେକ ସ୍ଥାନରେ ଦେଖିଛି । କ୍ଷୀପ୍ର ଗୃହ ନିର୍ମାଣ ପାଇଁ ଲୁହା ଟ୍ରସ୍ ଉତ୍ପାଦନ ଓ ଅନ୍ୟାନ୍ୟ ସରଞ୍ଜାମ ତିଆରି ପାଇଁ ବିଜୁ କେଉଁଝରର ବଡ଼ବିଲଠାରେ କଳିଙ୍ଗ ଆଇରନ୍ ୱାର୍କ୍ସ ପ୍ରତିଷ୍ଠା ସେ ନିଜ ଚେଷ୍ଟାରେ ଆରମ୍ଭ କରିଥିଲେ । ଏହି କାରଖାନାଟିକୁ ସେ ପରେ କୋଟିଏ ଟଙ୍କାରେ ଆଇ.ଡି.ସି.କୁ ବିକ୍ରି କରିଦେଇଥିଲେ । କୌଣସି ଅସୁବିଧା ନ ଥାଇ ରାଜ୍ୟର ଏକ ଉଦ୍ୟୋଗ ନିଗମ ଏହି କାରଖାନାଟିକୁ ପାଇବା ସତ୍ତ୍ୱେ ପରବର୍ତ୍ତୀ ସମୟରେ ଏଥିପାଇଁ ସେ ଦୁର୍ନୀତି ଅଭିଯୋଗର ସମ୍ମୁଖୀନ ହୋଇଥିଲେ ।

ଓଡ଼ିଶାରେ ସ୍ୱର୍ଣ୍ଣଯୁଗର ଅଭ୍ୟୂଦୟ ହୋଇଛି ତାଙ୍କର ନେତୃତ୍ୱରେ । ୧୯୬୧ରୁ ୧୯୬୩ର ଅର୍ଦ୍ଧେକ ସମୟ ସେ ଥିଲେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ । କିନ୍ତୁ ୧୯୬୭ରେ କଂଗ୍ରେସ ଦଳର ବିପର୍ଯ୍ୟୟ ପର୍ଯ୍ୟନ୍ତ ସେ କ୍ଷମତାରେ ନ ଥାଇ ମଧ୍ୟ ଓଡ଼ିଶା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବରେ ରାଜ୍ୟର ରାଜନୀତି, ବିକାଶ ଓ ପ୍ରଶାସନରେ ତାଙ୍କର ଅବଦାନ ଥିଲା ଅନନ୍ୟ । ଏହି ସମୟକୁ ମୁଁ ବାରମ୍ବାର ସ୍ୱର୍ଣ୍ଣଯୁଗ ଆଖ୍ୟା ଦେବାରେ ଯଥେଷ୍ଟ ପ୍ରମାଣ ରହିଛି । ତାଙ୍କର ହସ୍ତାଙ୍କନରେ ଓଡ଼ିଶାରେ ଗଢ଼ି ଉଠିଛି ଜଳସେଚନର ଧାରା, ବିଦ୍ୟୁତ୍ ଉତ୍ପାଦନର ପ୍ରକଳ୍ପ, ଶିଳ୍ପ ବିକାଶର ଶୋଭାଯାତ୍ରା । ଓଡ଼ିଆ ଜାତିକୁ କଳିଙ୍ଗର ମହାନୁଭବତା ପ୍ରାପ୍ତ କରିବାର ଅଦମନୀୟ ସଂକଳ୍ପ । ତାଲିକାର ଶେଷ ନାହିଁ । ସ୍ୱାଧୀନତା ପରେ ଏହି ସୀମିତ କାଳରେ (୧୯୬୧-୬୭) ବିଜୁ ପଟ୍ଟନାୟକଙ୍କ କୀର୍ତ୍ତିମୟ ଅବଦାନର ଏକ ଲମ୍ବାଧାଡ଼ି ଓଡ଼ିଶାରେ ସବୁଦିନ ପାଇଁ ଠିଆ ହୋଇ ରହିବ । ସେ ସମୟରେ ନିଜର ଦୂରଦୃଷ୍ଟି, ବ୍ୟକ୍ତିଗତ ପ୍ରଚେଷ୍ଟା ଓ ପ୍ରଭାବ ବଳରେ ଜାତୀୟ ସ୍ତରରେ ନିଜର ଦୂରଦୃଷ୍ଟି, ବ୍ୟକ୍ତିଗତ ପ୍ରଚେଷ୍ଟା ଓ ପ୍ରଭାବ ବଳରେ ଜାତୀୟ ସତରରେ ବହୁଗୁଡ଼ିଏ ଅନୁଷ୍ଠାନ, ପ୍ରତିଷ୍ଠାନ ଓ ପ୍ରକଳ୍ପ କରିବାକୁ ସେ ସଫଳ ହୋଇଥିଲେ । ଜଳସେଚନ ଓ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ବାଜିମେଳା ଯୋଜନାରେ ସାକାର ରୂପ ସେ ସ୍ଥାପନ କରିଥିଲେ । କେବଳ ଗୋଟିଏ ଦିନ (୫।୧।୬୪)ରେ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ହାତରେ ତାଳଚେର ଥର୍ମାଲ, ଟିକରପଡ଼ା, ନଦୀବନ୍ଧ (ମହାନଦୀରେ) ଏବଂ ପାରାଦୀପ ବନ୍ଦରର ଶିଳାନ୍ୟାସ କରାଇଥିଲେ । ତହିଁ ପରଦିନ (୬।୧।୬୪) ନେହେରୁଙ୍କ ହାତରେ ବାଲିମେଳା ଯୋଜନାର ଶିଳାନ୍ୟାସ କରାଯାଇଥାଆନ୍ତା । ନେହେରୁ ଉପରୋକ୍ତ ତିନୋଟି ପ୍ରସ୍ତାବକୁ ହେଲିକାପ୍ଟରରେ ବିଜୁ ପଟ୍ଟନାୟକଙ୍କ ସହିତ ଯାଇ ଶିଳାନ୍ୟାସ କରିଥିଲେ । ଦୁର୍ଭାଗ୍ୟବଶତଃ ୫ ତାରିଖ ରାତିରେ ନେହେରୁ ପକ୍ଷାଘାତ ରୋଗରେ ହଠାତ୍ ଆକ୍ରାନ୍ତ ହେଲେ । ସେତେବେଳେ ହଠାତ୍ ଭୁବନେଶ୍ୱରରେ ଭାରତୀୟ ଜାତୀୟ କଂଗ୍ରେସ ସାଧାରଣ ଅଧିବେଶନ (Plenary Session) ହେଉଥିଲା । ନେହେରୁଙ୍କ ଏହି ସ୍ୱାସ୍ଥ୍ୟାବସ୍ଥା ଚପାଇ ରଖିବାକୁ କଂଗ୍ରେସ ନେତାମାନେ ପ୍ରଗାଢ଼ ଉଦ୍ୟମ କରିଥିଲେ । ତଥାପି କଂଗ୍ରେସ ଅଧିବେଶନ ମଂଚରେ ନେହେରୁଙ୍କୁ ୬ ତାରିଖ ଦିନ ଦେଖିବାକୁ ମିଳି ନ ଥିଲା । ସମ୍ବାଦ ବାହାରକୁ ଫିଟିପଡ଼ିଲା ଯେ ନେହେରୁ ରାଜଭବନରେ ଅସୁସ୍ଥ ହୋଇ ପଡ଼ିଛନ୍ତି ଏବଂ ବିଶ୍ରାମ ନେଉଛନ୍ତି । ଫଳରେ ବାଲିମେଳା ଯୋଜନାର ଆନୁଷ୍ଠାନିକ ଶିଳାନ୍ୟାସ ନେହେରୁ କରିପାରିଲେ ନାହିଁ । କିନ୍ତୁ ବିଜୁ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବାଲିମେଳାର ପାହାଡ଼ ଉପରେ ହେଲିକପ୍ଟର ଓହ୍ଲାଇବାକୁ ପାହାଡ଼ର ଶୀର୍ଷସ୍ଥଳ କଟାଯାଇ, ସମତଳ କରାଯାଇ ହେଲିପ୍ୟାଡ୍ ପ୍ରସ୍ତୁତ କରାଯାଇଥିଲା ଯେଉଁ ସ୍ଥାନରେ ଆଜି ସୁଦ୍ଧା ନେହେରୁଙ୍କ ପାଇଁ ଉଦ୍ଦିଷ୍ଟ ଶିଳାନ୍ୟାସର ଫଳ ବିଦ୍ୟମାନ ଅଛି ।

(ଲେଖକ ଥିଲେ ଦୈନିକ ପ୍ରଗତିବାଦୀର ସଂପାଦକ ତଥା ପ୍ରାକ୍ତନ ସାଂସଦ, ଏହି ଲେଖାଟି ତା୪।୫।୧୯୯୭ ‘ପ୍ରଗତିବାଦୀ’ ସୌଜନ୍ୟରୁ ପ୍ରକାଶିତ)

 

One thought on “[ସ୍ୱର୍ଣ୍ଣଯୁଗର ସ୍ପର୍ଶ]”

Leave a Reply

*