Blog

ସ୍ମୃତି ଓ ଅନୁଭୂତିରେ ମୋ ବିଜୁବାବୁ

ଓଡ଼ିଆ ଜାତି ପ୍ରାଣରେ ଚେତନା ଜାଗ୍ରତକରି ଓଡ଼ିଶାକୁ ତାହାର ହୃତ ଗୌରବ ଫେରାଇ ଆଣିବା ଲାଗି ବିଜୁବାବୁଙ୍କ ସଂଘର୍ଷମୟ ଜୀବନର ଇତିହାସ ଏ ଜାତି ବଞ୍ଚିଥିବା ପର୍ଯ୍ୟନ୍ତ ଦିଗବାରେଣୀ ହୋଇ ରହିଥିବ। ଏଭଳି ବିଶାଳ ବ୍ୟକ୍ତିତ୍ୱଙ୍କର ଖୁବ୍ ନିକଟ ବଳୟରେ ପ୍ରାୟ ଚାରି ଦଶନ୍ଧି ଧରି ନିରବଚ୍ଛିନ୍ନ ଭାବେ କାମ କରିବାର ଅପୂର୍ବ ସୁଯୋଗ ମୋ ଜୀବନକୁ ଧନ୍ୟ କରିଛି ସତ, କିନ୍ତୁ କେବେହେଲେ ସେ ବ୍ୟକ୍ତିତ୍ୱର ବିଶାଳତା କିମ୍ବା ଗଭୀରତା ମାପିବାର ସାମାନ୍ୟ ଚେଷ୍ଟା ମୁଁ କରିନାହିଁ ।

ସୁରେନ୍ଦ୍ର ନାଥ ନାଏକ

ଉତ୍କଳ ଜନନୀର ବରପୁତ୍ର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ହୋଇପାରନ୍ତି ଭାରତୀୟ ରାଜନୀତିରେ ଝଡ଼ର ଇଗଲ୍ କିମ୍ବା ଇଣ୍ଡୋନେସିଆର ଭୂମିପୁତ୍ର । କିନ୍ତୁ ମୋ ପାଇଁ ସେ ଖାଲି ମୋ ମନର ବିଜୁବାବୁ । ପାରାଦୀପ ବନ୍ଦରଠାରୁ ଆରମ୍ଭକରି ନାଲ୍‌କୋ, ମିଗ୍ ବିମାନ କାରଖାନା, ସୈନିକ ସ୍କୁଲ, ଚୌଦ୍ୱାରର ଓଟିଏମ୍, ବଡ଼ବିଲର କଳିଙ୍ଗ ଆଇରନ୍ ୱାର୍କସ୍, ରାଉରକେଲାର ଇସ୍ପାତ କାରଖାନା ଭଳି ଓଡ଼ିଶାର ବିକାଶ ମାନଚିତ୍ରରେ ତାଙ୍କର ଅମଳିନ ସନ୍ତକ ରହିଯାଇଛି ଅଭୁଲାସ୍ମୃତି ହୋଇ । ଓଡ଼ିଆ ଜାତି ପ୍ରାଣରେ ଚେତନା ଜାଗ୍ରତକରି ଓଡ଼ିଶାକୁ ତାହାର ହୃତ ଗୌରବ ଫେରାଇ ଆଣିବା ଲାଗି ବିଜୁବାବୁଙ୍କ ସଂଘର୍ଷମୟ ଜୀବନର ଇତିହାସ ଏ ଜାତି ବଞ୍ଚିଥିବା ପର୍ଯ୍ୟନ୍ତ ଦିଗବାରେଣୀ ହୋଇ ରହିଥିବ। ଏଭଳି ବିଶାଳ ବ୍ୟକ୍ତିତ୍ୱଙ୍କର ଖୁବ୍ ନିକଟ ବଳୟରେ ପ୍ରାୟ ଚାରି ଦଶନ୍ଧି ଧରି ନିରବଚ୍ଛିନ୍ନ ଭାବେ କାମ କରିବାର ଅପୂର୍ବ ସୁଯୋଗ ମୋ ଜୀବନକୁ ଧନ୍ୟ କରିଛି ସତ, କିନ୍ତୁ କେବେହେଲେ ସେ ବ୍ୟକ୍ତିତ୍ୱର ବିଶାଳତା କିମ୍ବା ଗଭୀରତା ମାପିବାର ସାମାନ୍ୟ ଚେଷ୍ଟା ମୁଁ କରିନାହିଁ ।

ସ୍ୱାଧୀନତା ଆନ୍ଦୋଳନ ସମୟ ଠାରୁ ପ୍ରାୟ ୬୦ ବର୍ଷ ଧରି ବିଜୁବାବୁ ସକ୍ରିୟ ରାଜନୀତିରେ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ରହିଥିଲେ । ରାଜନୀତି ଥିଲା ତାଙ୍କ ପାଇଁ ସେବା, ସଂଗ୍ରାମ ଓ ବିକାଶର ଏକ ମାଧ୍ୟମ । ଦଳୀୟ ରାଜନୀତିର ସଂକୀର୍ଣ୍ଣ ଗଣ୍ଡିରୁ ବାହାରି ସାଧାରଣ ଲୋକଙ୍କ ଆର୍ଥିକ ଓ ସାମାଜିକ ବିକାଶର ଚିନ୍ତାରେ ସେ ନିଜକୁ ଜଡ଼ିତ କରି ରଖୁଥିଲେ । ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମସ୍ତଙ୍କୁ ଆପଣାର କରିନେବାର ଏକ ଈଶ୍ୱରୀୟ କଳା ତାଙ୍କଠାରେ ରହିଥିଲା । ଆଉ ତାକୁ ପାଥେୟକରି ସେ ଯେଉଁ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ନିରବଚ୍ଛିନ୍ନ ଉଦ୍ୟମ ଚଳାଇଥିଲେ ତାହାର ପ୍ରତିଛବି ଆଜି ଚାରିଆଡ଼େ ଉଦ୍ଭାସିତ । ତେବେ ଏ କ୍ଷେତ୍ରରେ ଅନେକ ସମ୍ଭାବନା ଥିବା ବେଳେ ଆଉ ଅନେକ କାମ ବାକି ରହିଛି ।

ବିଜୁବାବୁଙ୍କ ସହ ମୋର ସମ୍ପର୍କ କ୍ଷୀର-ନୀର ଭଳି । ଷାଠିଏ ଦଶକରୁ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ରାଜନୈତିକ କ୍ଷେତ୍ରରେ ଆସିବା ପରଠାରୁ ୧୯୯୭ରେ ତାଙ୍କର ମହାପ୍ରୟାଣ ପର୍ଯ୍ୟନ୍ତ ସୁଖ-ଦୁଃଖ, ବିପଦ-ଆପଦର ଯେତେ ମହାବାତ୍ୟା ବହିଲେ ବି ତାଙ୍କଠାରୁ ମୁଁ କେବେ ଅଲଗା ହୋଇନାହିଁ । ଡିଗ୍ରୀ ପାଇଁ ଉଚ୍ଚଶିକ୍ଷାର ବାରଣ୍ଡା ମାଡ଼ିନଥିବା ମୋ ଭଳି ଏକ ସାଧାରଣ ପରିବାରରୁ ଆସିଥିବା ଜଣେ ସାମାନ୍ୟ କର୍ମୀଙ୍କୁ ସେ ଯେଭଳି ଆପଣେଇ ନେଇଥିଲେ ତାହାର ସ୍ମୃତି ଅନେକ । ଦୀର୍ଘ ବର୍ଷର ଏହି ସମ୍ପର୍କ ମଧ୍ୟରେ ସେ ପୁତ୍ରବତ୍ ସ୍ନେହାସିକ୍ତ ଶାସନ ଡୋରିରେ ମୋ ଭଳି ଅନେକଙ୍କୁ ବାନ୍ଧି ରଖୁଥିଲେ । ଆମ ତ୍ରୁଟିବିଚ୍ୟୁତିକୁ ସୁଧାରିବା ପାଇଁ ସେ ଯେମିତି ସାମୟିକ ବିରକ୍ତ ହେଉଥିଲେ ସେହିପରି ଭଲ କାମ କଲେ ଆମକୁ ପ୍ରୋତ୍ସାହନ ସହ ସୁରକ୍ଷା ମଧ୍ୟ ଦେଉଥିଲେ । ବାସ୍ତବରେ ମୋର ରାଜନୈତିକ ଜୀବନରେ ବିଜୁବାବୁ ଥିଲେ ପ୍ରେରଣାର ଅଫୁରନ୍ତ ଉତ୍ସ । ତାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଅନେକ ତିକ୍ତ ମଧୁର ସ୍ମୃତି ଏବେ ବି ମୋତେ ରୋମାଞ୍ଚିତ କରୁଛି । ସେଥିରୁ ଅଳ୍ପ କେତୋଟିକୁ ନେଇ ଏ ଆଲେଖ୍ୟ ।

୧୯୮୪ ମସିହାର ଏକ ଘଟଣା । ଲୋକସଭା ନିର୍ବାଚନରେ କିଏ କେଉଁଠି ପ୍ରାର୍ଥୀ ହେବ ସେଥିଘେନି ଭୁବନେଶ୍ୱର ଫରେଷ୍ଟ ପାର୍କ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଆଲୋଚନା ଚାଲିଥାଏ । ରବି ରାୟ, ନୀଳମଣି ରାଉତରାୟ, ପ୍ରତାପ ମହାନ୍ତି ପ୍ରଭୃତି ଏହି ବୈଠକରେ ଉପସ୍ଥିତ ଥାନ୍ତି । ପୁରୀରୁ ପୂର୍ବତନ ସାଂସଦ ତଥା ଜଣାଶୁଣା ସ୍ୱାଧୀନତା ସଂଗ୍ରାମୀ ପଦ୍ମଚରଣ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରିବା ଲାଗି ମୁଁ ପ୍ରସ୍ତାବ ରଖିଲି । ହଠାତ୍ ବିଜୁବାବୁ ବିରକ୍ତ ହୋଇ କହିଲେ, “ଯାହାଙ୍କର ପାଞ୍ଚ-ଦଶ ହଜାର ଟଙ୍କା ଖର୍ଚ୍ଚ କରିବାର ସାମର୍ଥ୍ୟ ନାହିଁ ତାଙ୍କ ନାମ ତୁମେ କାହିଁକି କହୁଛ? ଦଳର ଆର୍ଥିକ ଅବସ୍ଥା ବୁଝିବାକୁ ତୁମେ କେହି ପ୍ରସ୍ତୁତ ନୁହଁ । ମୁଁ ତ ସବୁ ବିକି ଭାଙ୍ଗି ଦଳ ପାଇଁ ଶେଷରେ ଦିଲ୍ଲୀ ଘର ବିକ୍ରି କଲି । ତଥାପି ତୁମେମାନେ ବୁଝୁନାହଁ ।”

ଏ ପ୍ରସଙ୍ଗରେ ତାଙ୍କ ସହ ମୋର ଟିକେ ଯୁକ୍ତିତର୍କ ହେବାରୁ ବିଜୁବାବୁ ବିରକ୍ତ ହୋଇ କହିଲେ, “ତୁମେ ଆଉ ବକ୍ ବକ୍ କରନାହିଁ । ତୁମକୁ ଦଳରୁ ବହିଷ୍କାର କରିବି ।” ଏ କଥା ମୋତେ ଆଘାତ ଦେଲା । ମୁଁ ବୈଠକ ଛାଡ଼ି କଟକ ଚାଲିଗଲି । ସେ ମୋତେ ଖୋଜିଲେ । ପରେ ମୋର ବନ୍ଧୁ ଅଶୋକ ଦାସ ଉପରବେଳା ମୋତେ ନବୀନ ନିବାସ ନେଇଗଲେ । ଦେଖୁ ଦେଖୁ ନବୀନ ନିବାସର ଖାନ୍‌ସାମା ଖୈରାତି କହିଲା, “ସାର୍ ବିରକ୍ତ ହୋଇ ଆଜି ଖାଇନାହାନ୍ତି ।” ଏହା ଶୁଣି ମୁଁ ବିବ୍ରତ ହୋଇପଡ଼ିଲି । ଦେଖାହେବା ମାତ୍ରେ ବିଜୁବାବୁ କହିଲେ, “ମୁଁ କ’ଣ କହିଦେଲି ବୋଲି ତୁମେ ବୈଠକ ଛାଡ଼ି ପଳାଇଲ ।” ମୁଁ କହିଲି, “ଆପଣ ବହିଷ୍କାର କଥା କହିବାରୁ ମୋତେ ଅପମାନ ଲାଗିଲା। ମୁଁ ବୈଠକ ଛାଡ଼ି ପଳାଇଲି । ମୋତେ କ୍ଷମା ଦେବେ ।” ତା’ପରେ ବିଜୁବାବୁ କହିଲେ, “ହଉ, ଯାହା ହେଲା ହେଲା, ଆସ ଏବେ ଖାଇବା ।” ଏହା ହେଉଛି ତାଙ୍କ ସହ ମୋର ସମ୍ପର୍କ ।

ଜରୁରୀ ପରିସ୍ଥିତି ପରେ ୧୯୭୭ ମସିହା ଲୋକସଭା ନିର୍ବାଚନରେ ଜନତା ପାର୍ଟିର ବିପୁଳ ବିଜୟ ପରେ ବିଜୁବାବୁ କେନ୍ଦ୍ରରେ ମନ୍ତ୍ରୀ ହେଲେ । ବିଧାନସଭା ନିର୍ବାଚନରେ ଓଡ଼ିଶାରେ ଜନତା ପାର୍ଟି ଗଢ଼ିବା ପରେ ମୋତେ ବିଧାନସଭାର ଉପବାଚସ୍ପତି ଦାୟିତ୍ୱ ଦେବା କ୍ଷେତ୍ରରେ ବିଜୁବାବୁଙ୍କର ପ୍ରଚ୍ଛନ୍ନ ହାତ ରହିଥିଲା । ୧୯୯୦ ନିର୍ବାଚନରେ ତାଙ୍କ ନେତୃତ୍ୱରେ ଓଡ଼ିଶା ବିଧାନସଭାରେ ଜନତା ଦଳ ସଂଖ୍ୟାଧିକ ଆସନ ଜିଣି ସରକାର ଗଢ଼ିଲା । ସେ ମୁଖ୍ୟମନ୍ତ୍ରୀ ହେଲେ । ମୋତେ ତାଙ୍କ ମନ୍ତ୍ରିମଣ୍ଡଳର ରାଜସ୍ୱ ଓ ଅବକାରୀ ବିଭାଗର ମନ୍ତ୍ରୀ କଲେ । ମୋର ଉଚ୍ଚଶିକ୍ଷା ନଥିବାରୁ କେତେକ ଦଳୀୟ ସହକର୍ମୀ ବିଜୁବାବୁଙ୍କ ଏହି ନିଷ୍ପତ୍ତିକୁ ନାପସନ୍ଦ କରିଥିଲେ ମଧ୍ୟ ବିଜୁବାବୁ ଏ କ୍ଷେତ୍ରରେ ଅବିଚଳିତ ଥିଲେ । ଆଉ ତାଙ୍କର ଏ ନିଷ୍ପତ୍ତିକୁ ମୁଁ ଆହ୍ୱାନ ଭାବେ ଗ୍ରହଣ କରିନେଇଥିଲି ।

ସେତେବେଳେ ମଦ ଦୋକାନୀମାନଙ୍କ ସହ ଆପୋଷ ବୁଝାମଣା କରାଯାଇ ସରକାର ନାମମାତ୍ର ଦରରେ ମଦ ଦୋକାନ ଲାଇସେନ୍ସ ଦେଉଥିଲେ । ମନ୍ତ୍ରୀ ପରିଷଦର କେତେଜଣ ସଦସ୍ୟ ମଦ ଦୋକାନ ସଂଖ୍ୟା ବଢ଼ାଇ ଅବକାରୀ ରାଜସ୍ୱ ବୃଦ୍ଧି ଲାଗି ମତ ଦେଉଥାନ୍ତି । କିନ୍ତୁ ମୁଁ ଏଥିରେ ଏକମତ ହେଉନଥାଏ । ମଦ ଦୋକାନ ସଂଖ୍ୟା ନ ବଢ଼ାଇ ଟେଣ୍ଡର ପ୍ରକ୍ରିୟାରେ ଖୋଲା ନିଲାମ ପଦ୍ଧତି ପ୍ରଚଳନ ପାଇଁ ମୁଁ ଅଡ଼ି ବସିଲି । ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଏହା ବିରୁଦ୍ଧରେ ଯେତେ ଚକ୍ରାନ୍ତ କଲେ ବି ବିଜୁବାବୁ ମୋ ପ୍ରସ୍ତାବରେ ରାଜି ହେଲେ । ଏହାଫଳରେ ମୁଷ୍ଟିମେୟ ମଦ ମାଫିଆଙ୍କ ଏକଚାଟିଆ ବ୍ୟବସାୟର ଅନ୍ତ ଘଟିଲା ଏବଂ ମଦ ଦୋକାନ ସଂଖ୍ୟା ନ ବଢ଼ାଇ ଅବକାରୀ ରାଜସ୍ୱ ବି ଢେର୍ ବଢ଼ିଲା ।

ବିଜୁବାବୁଙ୍କ ସରକାରରେ ରାଜସ୍ୱ ମନ୍ତ୍ରୀ ଭାବେ ଜିଲ୍ଲା ପୁନର୍ଗଠନ କାମ ହାତକୁ ନେବା ବେଳେ ବହୁ ବାଧାବିଘ୍ନ ଆସିଥିଲା । କିନ୍ତୁ ବିଜୁବାବୁଙ୍କ ବଳିଷ୍ଠ ନେତୃତ୍ୱ ଓ ଦୃଢ଼ ନିଷ୍ପତ୍ତି ଯୋଗୁଁ ସେ ସମୟରେ ରାଜ୍ୟର ଜିଲ୍ଲା ସଂଖ୍ୟା ୧୩ରୁ ବଢ଼ି ୩୦ ହୋଇପାରିଥିଲା । ଏହାର ସୁଫଳ ଆଜି ରାଜ୍ୟବାସୀ ଭୋଗୁଛନ୍ତି । ଏ ଶ୍ରେୟ ହେଉଛି ମୋ ନେତା ତଥା ମାର୍ଗଦର୍ଶକ ବିଜୁ ପଟ୍ଟନାୟକଙ୍କର ।

ସେ ସମୟରେ ଘଟିଥିବା ବହୁ ଘଟଣା ଭିତରେ ଆଉ ଗୋଟିଏ ଏବେ ବି ମୋ ମନକୁ ଆନ୍ଦୋଳିତ କରେ । ଜଣେ ଭୂମିହୀନ ବ୍ୟକ୍ତି ବାରମ୍ବାର ସମ୍ବଲପୁର ଜିଲ୍ଲା ପ୍ରଶାସନକୁ ଆପତ୍ତି କରି କିଛି ଫଳ ନପାଇବା ପରେ ଜିଲ୍ଲାପାଳଙ୍କ ସମ୍ମୁଖରେ ଆତ୍ମାହୂତି ଦେବାକୁ ଘୋଷଣା କରିଥିଲେ । ଏଥିରେ ବି ସେତେବେଳର ସମ୍ବଲପୁର ଜିଲ୍ଲାପାଳ କିଛି ପଦକ୍ଷେପ ନ ନେବାରୁ ଗୁହାରି ଜଣାଇବାକୁ ଆସିଥିବା ଭୂମିହୀନ ବ୍ୟକ୍ତି ଜଣକ ନିଜ କଥା ମୁତାବକ ଜିଲ୍ଲାପାଳଙ୍କ ସମ୍ମୁଖରେ ଆତ୍ମାହୂତି ଦେଇ ପ୍ରାଣ ବିସର୍ଜନ କରିଥିଲେ । ୧୯୮୮ ମସିହାର ଏହି ଦୁଃଖଦ ଘଟଣାର ତଦନ୍ତ ଲାଗି ତତ୍କାଳୀନ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ରାଜସ୍ୱ ପରିଷଦ ସଦସ୍ୟ ଏହାର ତଦନ୍ତ କରି ଜିଲ୍ଲାପାଳଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି ଯେଉଁ ସୁପାରିଶ କରିଥିଲେ ସେହି ନଥିଟି ମୋ ନଜରକୁ ଆସିଲା ୧୯୯୨ ମସିହାରେ । ଏହା ମୁଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିଲି ଏବଂ ମୋ ସୁପାରିଶ ଅନୁଯାୟୀ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଆଇଏଏସ୍ ଅଫିସରଙ୍କୁ ନିଲମ୍ବନ କଲେ । ଏଥିଘେନି ବିଧାନସଭା ଭିତରେ ଓ ବାହାରେ ବେଶ୍ ଚର୍ଚ୍ଚା ହେଲା । କେହି କେହି ଅସହିଷ୍ଣୁ ସହକର୍ମୀ ଆଇଏଏସ୍‌ଙ୍କୁ ନିଲମ୍ବନ କରାଯିବା ମୋର ଏକ ଅପରାଧ ବୋଲି କହି ବୁଲିଲେ । ବିଧାନସଭାରେ ବିଜୁବାବୁ କହିଲେ, “ମୋ ରାଜସ୍ୱ ମନ୍ତ୍ରୀ ଯଥାର୍ଥ ଭାବେ ଦାୟିତ୍ୱ ସମ୍ପାଦନ କରିଛନ୍ତି । ଜଣେ ଜିଲ୍ଲାପାଳ ସାଧାରଣ ଲୋକଙ୍କ ବାପ, ମା’ ଭଳି । ସେ ଜଣେ ଆପତ୍ତିକାରୀର ଆତ୍ମାହୂତି ଉପଭୋଗ କରିବା ଚରମ ଅପରାଧ । ଏହି ନିଲମ୍ବନ ଆଦେଶ ମୋ ରାଜସ୍ୱ ମନ୍ତ୍ରୀଙ୍କ ସୁପାରିଶ କ୍ରମେ ମୁଁ ପ୍ରଦାନ କରିଛି ।” ଏହା ବିଜୁବାବୁଙ୍କ ଦୃଢ଼ ଇଚ୍ଛା ଶକ୍ତି ଓ ସମ୍ବେଦନଶୀଳତାର ପରିଚାୟକ ।

୧୯୮୦ ଦଶକରେ ଅବିଭକ୍ତ କଳାହାଣ୍ଡିରେ ସୃଷ୍ଟି ହୋଇଥିବା ଅଭୂତପୂର୍ବ ମରୁଡ଼ି ଦୁର୍ଭିକ୍ଷ ଭଳି ଅବସ୍ଥା ସୃଷ୍ଟି କରିବାରେ ଅନାହାର ମୃତ୍ୟୁ, ଶିଶୁ ଓ ଝିଅ ବିକ୍ରି ଭଳି ବହୁ ଅଘଟଣ ଘଟିଥିଲା । ସେତେବେଳେ ଏକ ଜନସ୍ୱାର୍ଥ ମାମଲାର ବିଚାରକରି ଓଡ଼ିଶା ହାଇକୋର୍ଟ ଅନାହାର ମୃତ୍ୟୁ ଘଟିଥିବା ସତ୍ୟ ବୋଲି ଉଲ୍ଲେଖ କରିବା ସହିତ ହାଇକୋର୍ଟଙ୍କ ଦ୍ୱାରା ବସାଯାଇଥିବା କମିଶନଙ୍କ ରିପୋର୍ଟ ଆଧାରରେ ଅନାହାର ମୃତ୍ୟୁବରଣ କରିଥିବା କେତୋଟି ପରିବାରଙ୍କୁ ସରକାର ୨୫ହଜାର ଟଙ୍କା କରି ଅନୁକମ୍ପା ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ଏହି ରାୟ ବିରୁଦ୍ଧରେ ସୁପ୍ରିମ୍‌କୋର୍ଟରେ ଅପିଲ୍ କରିବା ପାଇଁ ଆସିଥିବା ପ୍ରସ୍ତାବକୁ ରାଜସ୍ୱ ମନ୍ତ୍ରୀ ଭାବେ ମୁଁ ରୋକ୍‌ଠୋକ୍‌ ପ୍ରତ୍ୟାଖ୍ୟାନ କରିଥିଲି । ତେବେ ଅମଲାତନ୍ତ୍ରର କିଛି ଅଧିକାରୀ କାର୍‌ସାଦି କରି ଭିନ୍ନ ବାଟରେ ମୁଖ୍ୟମନ୍ତ୍ରୀଙ୍କଠାରୁ ମଞ୍ଜୁରୀ ଆଣିବା ଘଟଣା ମୋତେ କ୍ଷୁବ୍ଧ କରିଥିଲା । ଏହା ଯେତେବେଳେ ତାଙ୍କ ନଜରକୁ ଆଣିଲି ସେ ତୁରନ୍ତ ନିଜ ନିଷ୍ପତ୍ତି ବଦଳାଇ ହାଇକୋର୍ଟଙ୍କ ରାୟ କେବଳ କାର୍ଯ୍ୟକାରୀ କରିବାକୁ କହିଲେ ନାହିଁ, ବରଂ ପ୍ରତି ପରିବାରକୁ ସରକାର ୨୫ ହଜାର ଟଙ୍କାର ସରକାରୀ ଅନୁକମ୍ପା ରାଶି ଦେବା ସହିତ ମାଗଣା ବାସଗୃହ ଓ ସେ ନିଜେ ବ୍ୟକ୍ତିଗତ ଭାବେ ଆଉ ୨୫ ହଜାର ଟଙ୍କା କରି ଦେବେ ବୋଲି ଘୋଷଣା କଲେ । ଏଥିରୁ ସାଧାରଣ ଲୋକଙ୍କ ପାଇଁ ତାଙ୍କ ଦରଦ ସହଜରେ ଅନୁମେୟ ।

ସେତେବେଳେ ଗଞ୍ଜାମ ଜିଲ୍ଲାରେ ସୃଷ୍ଟି ହୋଇଥିବା ଅଭୂତପୂର୍ବ ବନ୍ୟା ପରିସ୍ଥିତି ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ସହିତ ମୁଁ ଓ ମୁଖ୍ୟ ଶାସନ ସଚିବ ଯାଇଥିଲୁ । ସେଠି ଗାଁ ଗାଁ ବୁଲିବା ବେଳେ ଗୋଡ଼ ଖସିଯିବାରୁ ବିଜୁବାବୁ ଆଘାତପ୍ରାପ୍ତ ହେଲେ । ଏଣେ ରାତି ହୋଇଗଲେ ହେଲିକାପ୍ଟର ଉଡ଼ିପାରିବ ନାହିଁ, ତେଣେ ଲୋକଙ୍କ ଜିଗର୍ ଅଧିକରୁ ଅଧିକ ଗାଁକୁ ଯିବାପାଇଁ । ଏ ପରିପ୍ରେକ୍ଷୀରେ କିଛି ଲୋକ ଆମକୁ ଟଣାଓଟରା କରିବାକୁ ବି ପଛାଇଲେ ନାହିଁ । ତେବେ ବିଜୁବାବୁ ଭିଡ଼ ଭିତରୁ ମୋତେ ଟାଣି ଆଣି ହେଲିକାପ୍ଟରରେ ଭୁବନେଶ୍ୱର ଆଣିଲେ ଏବଂ ତତ୍‌କ୍ଷଣାତ ବିପନ୍ନ ଲୋକଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କଲେ ।

୧୯୯୪ରେ ସେ ଭବାନୀପାଟଣା ଗସ୍ତରେ ଯିବା ବେଳେ ଜଣେ ଉଦ୍ଭ୍ରାନ୍ତ ଯୁବକର ଟେକା ମାଡ଼ରେ ଆହତ ହେଲେ‍। ମୋର ସହଯୋଗୀ ମନ୍ତ୍ରୀ ନଳିନୀକାନ୍ତ ମହାନ୍ତି ଓ ମୁଁ ତୁରନ୍ତ ତାଙ୍କ ପାଖକୁ ଯିବା ପାଇଁ ବାହାରିଲୁ । ତେବେ ସେ ଭଲ ଅଛନ୍ତି ଓ ଆମମାନଙ୍କର ସେଠାକୁ ଯିବା ଦରକାର ନାହିଁ ବୋଲି ରୋକ୍‌ଠୋକ୍‌ ଭାବେ କହିଲେ । ଟେକା ଫିଙ୍ଗିଥିବା ଲୋକଟିକୁ ପୋଲିସ ଧରିଥିଲା । ତାକୁ ବିଜୁବାବୁ ପଚାରିଲେ, “ମୁଁ ତୋର କ’ଣ କ୍ଷତି କରିଥିଲି ଯେ ତୁ ପଥର ମାରି ମୋତେ ରକ୍ତାକ୍ତ କଲୁ ।” ଲୋକଟି କହିଲା, “ବଡ଼ ନେତାମାନଙ୍କ ଗସ୍ତ ବେଳେ ଅନ୍ୟମାନଙ୍କ ପ୍ରରୋଚନାରେ ଆମେ ଏହି କାମ କରିଥାଉ । ଆପଣଙ୍କର ବ୍ୟକ୍ତିଗତ ଭାବେ କ୍ଷତି କରିବା ମୋର ଉଦ୍ଦେଶ୍ୟ ନଥିଲା ।” ଆଉ ଏପରି କରିବୁ ନାହିଁ ବୋଲି ତାଗିଦ୍ କରି ତାକୁ ଛାଡ଼ିଦେବାକୁ ମୁଖ୍ୟମନ୍ତ୍ରୀ ପୋଲିସକୁ ନିର୍ଦ୍ଦେଶ ଦେଲେ । ଏ ହେଉଛନ୍ତି ଅନନ୍ୟ ବିଜୁ ପଟ୍ଟନାୟକ ।

ତାଙ୍କ ସହ ଶେଷ ଦେଖା ୧୯୯୭ ମାର୍ଚ୍ଚ ୩୧ ତାରିଖରେ । ସେତେବେଳକୁ ସେ ଲୋକସଭା ସଦସ୍ୟ ଥାନ୍ତି । ସବୁଦିନ ପରି ସେଦିନ ବି ବିଜୁବାବୁ ସକାଳ ୯ଟା ବେଳକୁ ଦଳୀୟ କାର୍ଯ୍ୟାଳୟକୁ ଆସିଥାନ୍ତି । ଆଉ କେହି ନଥାନ୍ତି । ମୁଁ ତାଙ୍କ ପାଖରେ ବସିଲି । ସେ କହିଲେ “ତୁମେମାନେ କାହିଁକି ଏପରି ହେଉଛ?” ମୁଁ ବିବ୍ରତ ହୋଇ କହିଲି “ଆପଣ କାହିଁକି ଏପରି କହିଲେ । ଆପଣଙ୍କ ସାନ୍ନିଧ୍ୟ ଓ ସହାନୁଭୂତିରେ ତ ମୁଁ କାମ କରୁଛି ।” ସେ କହିଲେ- “ତୁମର ନୁହେଁ, ତୁମ ବନ୍ଧୁମାନଙ୍କ ଆଚରଣ କ’ଣ?” ପରେ ୧୦ଟା ବେଳକୁ ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ ଠାରେ ଅନୁଷ୍ଠିତ ଏକ ଯୁବ ସମ୍ମିଳନୀକୁ ତାଙ୍କ ସହ ମୁଁ ଗଲି । ସେଠାରେ ଓଡ଼ିଶାର ଯୁବକମାନଙ୍କୁ ଆବେଗର ସହ ସମ୍ବୋଧନ କରି ବିଜୁବାବୁ ବହୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ସହ କହିଥିଲେ, “ଓଡ଼ିଶାର ଯୁବକମାନଙ୍କଠାରୁ ମୁଁ ବହୁତ କିଛି ଆଶା କରେ, ନିରାଶ କରିବ ନାହିଁ ।” ଏହି ଶେଷ ସଭା ପରେ ସେ ଦିଲ୍ଲୀ ଗଲେ ଓ ଅସୁସ୍ଥତା ଯୋଗୁଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା । ଖବର ପାଇ ତାଙ୍କୁ ଦେଖିବା ପାଇଁ ଆମେ ବି ଦିଲ୍ଲୀ ଦୌଡ଼ିଲୁ । ଏ ଜାତିକୁ ଉଠାଇବା ପାଇଁ ଯେ ବଜ୍ର ନିର୍ଘୋଷ କରୁଥିଲେ ସେ ସେଠି ନିସ୍ତବ୍ଧ ହୋଇ ଡାକ୍ତରଖାନା ଶଯ୍ୟାରେ ଶୋଇବାର ଦେଖି କଲିଜା ଛିଣ୍ଡିଯିବା ଭଳି ଲାଗୁଥିଲା । ୧୭ ଦିନର ଚିକିତ୍ସା ପରେ ସତକୁ ସତ ବିଜୁବାବୁ ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲେ । କେବଳ ମୁଁ ନୁହେଁ ଏହା ସାରା ଓଡ଼ିଶାବାସୀଙ୍କୁ ନିରାଶ କଲା ହେଲେ ତାଙ୍କ ଶେଷଇଚ୍ଛା ମୁତାବକ ତାଙ୍କୁ ତାଙ୍କ ପ୍ରିୟ ଓଡ଼ିଶାବାସୀ ନିରାଶ କରିବେ କି ନାହିଁ ତାହା ଇତିହାସ କହିବ ।

ଓଡ଼ିଶାର ବିକାଶ ପୁରୁଷଙ୍କ ବିୟୋଗରେ ଏକ ଯୁଗର ଅବସାନ ଘଟିଲା । ଦିଲ୍ଲୀରୁ ତାଙ୍କ ପାର୍ଥିବ ଶରୀର ନବୀନ ନିବାସକୁ ଆସିଲା ଓ ସେଠାରୁ ପୁରୀର ସ୍ୱର୍ଗଦ୍ୱାର ନିଆଯାଇ ଅନ୍ତିମ ସତ୍କାର କରାଗଲା । ନବୀନ ନିବାସରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଶେଷ ଯାତ୍ରାରେ ଜନସମୁଦ୍ର ମଧ୍ୟରେ ମୁଁ କେଉଁଠି ହଜି ଯାଉଥିଲି । ଏହି ପ୍ରବାଦ ପୁରୁଷଙ୍କୁ ପ୍ରଣିପାତ କରିବା ପାଇଁ ସେତେବେଳର ପ୍ରଧାନମନ୍ତ୍ରୀଙ୍କ ସହିତ ବହୁ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ନେତା ସ୍ୱର୍ଗଦ୍ୱାରରେ ସମବେତ ହୋଇ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଲେ । ତାଙ୍କ ପାର୍ଥିବ ଶରୀର ଲେଲିହାନ ଶିଖାରେ ବିଲୀନ ହୋଇଗଲା, ଆଉ ମୋତେ ଲାଗିଲା ଯେମିତି ସବୁକିଛି ସରିଗଲା । ବିଜୁବାବୁ ଆଜି ସଶରୀରରେ ନାହାନ୍ତି ସତ, ହେଲେ ତାଙ୍କ ସହ ମୋର ପ୍ରାୟ ଚାରିଦଶନ୍ଧିର ଅନ୍ତରଙ୍ଗ ସମ୍ପର୍କରୁ ସୃଷ୍ଟ ଶହ ଶହ ସ୍ମୃତି ଏବେ ବି ସତେ ଯେମିତି ମୋତେ ତାଙ୍କ ଉପସ୍ଥିତିକୁ ଚେତାଇ ଦେଉଛି!

(ଲେଖକ ଜଣେ ବରିଷ୍ଠ ରାଜନୀତିଜ୍ଞ ତଥା ପୂର୍ବତନ ମନ୍ତ୍ରୀ)

 

Leave a Reply

*