Blog

ସେ ପ୍ରଧାନମନ୍ତ୍ରୀ ହେବା ଯୋଗ୍ୟ ଥିଲେ

ପ୍ରତ୍ୟେକ ଓଡ଼ିଆଙ୍କୁ ସିଏ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ପୁରାତନ କଳିଙ୍ଗ ସାମ୍ରାଜ୍ୟର ବୀର ନାଗରିକ ଓ ନିଜକୁ ବିଶ୍ୱବିଖ୍ୟାତ ସମ୍ରାଟ ଖାରବେଳଙ୍କର ଉତ୍ତରଦାୟାଦ ବୋଲି ମନେ କରୁଥିଲେ । ବିଜୁବାବୁ ଅନେକ ଗୁଣର ଅଧିକାରୀ ଥିଲେ, ଯାହାକି ଅନ୍ୟ ନେତାଙ୍କ ନିକଟରେ କ୍ୱଚିତ ଦେଖାଯାଏ । ସେଥିଲାଗି ସେ ବିଭିନ୍ନ କ୍ଷେତ୍ରରୁ ବିରୋଧର ମଧ୍ୟ ସମ୍ମୁଖୀନ ହେଉଥିଲେ । ମାତ୍ର ନିଜର ସ୍ୱଭାବସୁଲଭ ବେପରୁଆ ଢଙ୍ଗରେ ସେ ସମସ୍ତ ପ୍ରତିରୋଧ ଓ ସମାଲୋଚନାକୁ ସହଜରେ ହଜମ କରିଥିଲେ । ଅଦମ୍ୟ ସାହସିକତା, ଦେଶପ୍ରେମ, କର୍ତ୍ତବ୍ୟନିଷ୍ଠା ଆଦି ଗୁଣ ଲାଗି ତାଙ୍କୁ ପଣ୍ଡିତ ନେହେରୁ ଅତି ଶ୍ରଦ୍ଧା କରୁଥିଲେ ।

ନୀଳମଣି ରାଉତରାୟ

ବିଜୁ ପଟ୍ଟନାୟକ ଆଉ ୧୫ ଦିନ ସୁସ୍ଥ ରହିଥିଲେ, ନିଶ୍ଚିତ ଭାବରେ ଭାରତର ଦ୍ୱାଦଶ ପ୍ରଧାନମନ୍ତ୍ରୀ ହୋଇଥାଆନ୍ତେ। କାରଣ ମିଳିତ ସାମ୍ମୁଖ୍ୟ ଭିତରେ ଯେଭଳି ସଂକଟ ଦେଖା ଦେଇଥିଲା, ବିଜୁ ହିଁ କେବଳ ତା’ର ଉପଯୁକ୍ତ ସମାଧାନ କରିପାରିଥାଆନ୍ତେ । ଅନ୍ୟ ପକ୍ଷରେ ମିଳିତ ସାମ୍ମୁଖ୍ୟ ମଧ୍ୟ ତାଙ୍କୁ ସୁନିଶ୍ଚିତ ଭାବେ ପ୍ରଧାନମନ୍ତ୍ରୀ ରୂପେ ମନୋନୀତ କରିଥାଆନ୍ତା । କିନ୍ତୁ ସନ୍ଧିକ୍ଷଣରେ ବିଜୁଙ୍କ ଦେହାନ୍ତ ଘଟାଇ ଭଗବାନ ଓଡ଼ିଶା ତଥା ଓଡ଼ିଶାବାସୀଙ୍କ ପ୍ରତି ଘୋର ଅବିଚାର କରିଛନ୍ତି ।

ଦେଶର ଗୁରୁତର ପରିସ୍ଥିତିକୁ ବିଜୁ ଅତି ସାହସର ସହିତ ପ୍ରଥମେ ସାମ୍ନା କରୁଥିଲେ । ପାକିସ୍ଥାନ ଆକ୍ରମଣ ସମୟରେ ବିଜୁ ପଟ୍ଟନାୟକ ହିଁ ପ୍ରଥମେ କାଶ୍ମୀର ଭୂମିରେ ଭାରତୀୟ ବିମାନ ଅବତରଣ କରାଇଥିଲେ । ଚୀନ ଆକ୍ରମଣ ବେଳେ ପ୍ରଥମ ଭାରତୀୟ ହିସାବରେ ସେ ନେଫା, ଅରୁଣାଞ୍ଚଳ ଆଦି ସୀମାନ୍ତ ଅଞ୍ଚଳରେ ପହଞ୍ଚିଥିଲେ । ସେହିପରି ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମୀମାନେ ବିପଦଗ୍ରସ୍ତ ହୋଇଥିବା ବେଳେ, ବିଜୁ ହିଁ ତାଙ୍କର କଳିଙ୍ଗ ଏୟାରଲାଇନ୍ସ ବିମାନ ଯୋଗେ ସେମାନଙ୍କୁ ଉଦ୍ଧାର କରି ଭାରତ ଘେନି ଆସିଥିଲେ । ଏଥିଲାଗି ବିଜୁଙ୍କୁ ବ୍ୟବସାୟୀର ଭୂମିକା ଗ୍ରହଣ କରିବାକୁ ପଡ଼ିଥିଲା । ବିମାନ ଯୋଗେ ଇଣ୍ଡୋନେସିଆରେ ପହଞ୍ଚିବା ପରେ ସେ ବ୍ୟବସାୟ କରିବା ଲାଗି ଆସିଛନ୍ତି ବୋଲି ଡଚ୍ ଶାସକଙ୍କ ମନରେ ଧାରଣା ସୃଷ୍ଟି କରିଥିଲେ । ସେଠାରେ ଅବସ୍ଥାନ କାଳରେ ବିଜୁ ଡଚ୍ ସୈନିକମାନଙ୍କ ଗତିବିଧି ନିରୀକ୍ଷଣ କରିବା ସହିତ ଗୋପନରେ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମୀମାନଙ୍କ ସହ ଯୋଗସୂତ୍ର ସ୍ଥାପନ କରିଥିଲେ । ସେଠିକାର ଜଳବାୟୁ ଡଚ୍ ସୈନ୍ୟମାନଙ୍କ ପାଇଁ ଅସହ୍ୟ ଥିଲା । ତେଣୁ ଖରାବେଳେ ପାଣିରେ ପଶି ଗାଧୋଇବା ପାଇଁ ଡଚ୍ ସୈନିକମାନେ ପାଗଳ ହୋଇଉଠୁଥିଲେ । ଏହାର ସୁଯୋଗ ନେଇ ବିଜୁବାବୁ ହଠାତ୍ ଖରାବେଳେ ବିମାନ ଟେକ୍ଅଫ୍ କରି ଇଣ୍ଡୋନେସିଆ ସଂଗ୍ରାମୀମାନଙ୍କୁ ଉଡ଼ାଇ ଆଣିଥିଲେ ।

ଓଡ଼ିଶାରେ ବୃହତ୍ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ବିଜୁଙ୍କର ଅବଦାନ ଥିଲା ଉଲ୍ଲେଖନୀୟ । ତାଙ୍କର ବ୍ୟବସାୟିକ ଜ୍ଞାନ ଓ ବ୍ୟକ୍ତିଗତ ପ୍ରଚେଷ୍ଟା ଯୋଗୁଁ ରାଜ୍ୟରେ ‘ନାଲ୍‌କୋ’ ଓ ‘ମିଗ୍’ ଆଦି କାରଖାନା ସ୍ଥାପିତ ହୋଇପାରିଥିଲା । ସେତେବେଳେ ରାଷ୍ଟ୍ରପତି ସଞ୍ଜୀବ ରେଡ୍ଡୀ ଆନ୍ଧ୍ରର ଗୋଦାବରୀ ଜିଲ୍ଲାରେ ‘ନାଲ୍‌କୋ’ ପ୍ରତିଷ୍ଠା ପାଇଁ ସମସ୍ତ ପ୍ରକାରର ଚାପ ପ୍ରୟୋଗ କରିଥିଲେ । କିନ୍ତୁ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ ହିସାବରେ ବିଜୁ ତା’ର ଦୃଢ଼ ପ୍ରତିରୋଧ କରିବା ସାଂଗକୁ କୋରାପୁଟ ହିଁ ସେଥିନିମନ୍ତେ ଉପଯୁକ୍ତ ସ୍ଥାନ ବୋଲି ବଳିଷ୍ଠ ଯୁକ୍ତି ବାଢ଼ିଥିଲେ । ତାଙ୍କରି ପ୍ରଚେଷ୍ଟା ଯୋଗୁଁ ଓଡ଼ିଶାରେ ‘ନାଲ୍‌କୋ’ କମ୍ପାନୀ ପ୍ରତିଷ୍ଠା ସମ୍ଭବ ହୋଇପାରିଲା । ସେହିପରି ସେତେବେଳର ପ୍ରତିରକ୍ଷା ମନ୍ତ୍ରୀ ୱାଇ.ବି. ଚଭନ ନିଜ ରାଜ୍ୟ ମହାରାଷ୍ଟ୍ରର ନାସିକଠାରେ ମିଗ୍ କାରଖାନା ବସାଇବା ଲାଗି ଚାହୁଁଲେ । କିନ୍ତୁ ସେଥିପାଇଁ ବିଜୁ ଜିଦ୍ ଧରି ବସିଥିଲେ । ଶେଷରେ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ପଡ଼ିଥିଲା । ଫଳରେ ବିଜୁଙ୍କ ଜିଦ୍ ଯୋଗୁଁ ମିଗ୍‌ର ଇଞ୍ଜିନ୍ ସୁନାବେଡ଼ାଠାରେ ଏବଂ ଅବଶିଷ୍ଟ ଭାଗ ନାସିକରେ ତିଆରି ହେବା ଲାଗି ସିଦ୍ଧାନ୍ତ ହେଲା ।

ବିଜୁ ଜଣେ ଅତ୍ୟନ୍ତ ବଦଖର୍ଚ୍ଚି ମଣିଷ ଥିଲେ । ଟଙ୍କା ପଇସାର ସୀମା ସରହଦ ଭିତରେ ଆବଦ୍ଧ ହୋଇ ରହିବାକୁ ସେ ଆଦୌ ପସନ୍ଦ କରୁ ନ ଥିଲେ । ଟାଟା, ବିର୍ଲା କମ୍ପାନୀ ଭଳି ନିଜ ବ୍ୟବସାୟରୁ ସେ ଅଜସ୍ର ଅର୍ଥ ଉପାର୍ଜନ କରିଥିଲେ। କିନ୍ତୁ ସେହି ଅର୍ଥକୁ ନିଜ ପରିବାର ପାଇଁ ନୁହେଁ ବରଂ ସଂଗଠନ, ନିର୍ବାଚନ ଓ ଗରିବ ଲୋକଙ୍କୁ ଦାନ କରିବାରେ ସେ ଅକୁଣ୍ଠିତ ଭାବେ ବିନିଯୋଗ କରୁଥିଲେ । ଅର୍ଥ ପାଇଁ ଜୀବଦ୍ଦଶାରେ ତାଙ୍କର କାହା ସହିତ ମନୋମାଳିନ୍ୟ ଘଟି ନ ଥିଲା । ଅଜସ୍ର ଧନର ଅଧିକାରୀ ହୋଇ ସୁଦ୍ଧା ସେ କେବେ ଅର୍ଥ କିମ୍ବା ତା’ର ହିସାବ ବ୍ୟକ୍ତିଗତ ଭାବେ ରଖୁ ନ ଥିଲେ । ତାଙ୍କର ହୃଦୟ ଯେଭଳି ଖୋଲା ଥିଲା, ନବୀନ ନିବାସ ମଧ୍ୟ ସେହିପରି ଉନ୍ମୁକ୍ତ ଥିଲା । କାରଣ ନବୀନ ନିବାସର ଝରକାଗୁଡ଼ିକରେ ଗ୍ରିଲ ଲାଗିବାର କୌଣସି ବ୍ୟବସ୍ଥା ନାହିଁ । ଆଜିକାଲି ଟଙ୍କା ପଇସା ରଖିବା ପାଇଁ ଯେଭଳି ସୁରକ୍ଷିତ ଅଟ୍ଟାଳିକାମାନ ତିଆରି ହେଉଛି, ସେହି ଦୃଷ୍ଟିରୁ ବିଜୁଙ୍କର ନବୀନ ନିବାସ ତା’ର ଏକ ବ୍ୟତିକ୍ରମ । କଳିଙ୍ଗ ବାଲିଯାତ୍ରା ଉପରେ ଓଡ଼ିଶା ଆସିଥିବା ଇଣ୍ଡୋନେସିଆ ପ୍ରତିନିଧି ଦଳଙ୍କ ଗସ୍ତ ଖର୍ଚ୍ଚ ୧୨ ଲକ୍ଷ ଟଙ୍କା ସେ ନିଜେ ବହନ କରିଥିଲେ । ତାଙ୍କ ଦିଲ୍ଲୀ ବାସଭବନ ବିକ୍ରିଲବ୍ଧ ଧନରୁ ସେ ତାହା ପଇଠ କରିଥିଲେ । ମାତ୍ର ଏଥିପାଇଁ ତାଙ୍କୁ ନାନା ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏପରିକି ଏଥିନେଇ ବିଜୁବାବୁଙ୍କୁ ଭିଜିଲାନ୍ସ ଘେର ଭିତରକୁ ଠେଲି ଦେବା ପାଇଁ ପ୍ରଗାଢ଼ ଉଦ୍ୟମ ହୋଇଥିଲା ।

ବିଜୁଙ୍କର କଳିଙ୍ଗ ପ୍ରୀତି ଅନନ୍ୟ ସାଧାରଣ ଥିଲା । ତାଙ୍କରି ଉଦ୍ୟମ କ୍ରମେ କଳିଙ୍ଗର ନାମ ବିଶ୍ୱ ଦରବାରରେ ପହଞ୍ଚି ପାରିଥିଲା । ଏଥିନିମନ୍ତେ ସେ କଳିଙ୍ଗ ଏୟାରଲାଇନ୍ସ, କଳିଙ୍ଗ ଟ୍ୟୁବ୍ସ, ଆଇରନ୍ ୱାର୍କସ, କଳିଙ୍ଗ ଫାଉଣ୍ଡେସନ୍ ଟ୍ରଷ୍ଟ ପ୍ରଭୃତି ପ୍ରତିଷ୍ଠା କରିଥିଲେ । ଏତଦ୍ ଭିନ୍ନ ଆନ୍ତର୍ଜାତିକ କ୍ଷେତ୍ରରେ ମଧ୍ୟ ସେ କଳିଙ୍ଗ ପୁରସ୍କାର ପ୍ରବର୍ତ୍ତନ କରିଥିଲେ । ଓଡ଼ିଆ ସ୍ୱାଭିମାନ ବଜାୟ ରଖିବା ତାଙ୍କର ଜୀବନର ମୂଳ ଲକ୍ଷ୍ୟ ଥିଲା ।

ପ୍ରତ୍ୟେକ ଓଡ଼ିଆଙ୍କୁ ସିଏ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ପୁରାତନ କଳିଙ୍ଗ ସାମ୍ରାଜ୍ୟର ବୀର ନାଗରିକ ଓ ନିଜକୁ ବିଶ୍ୱବିଖ୍ୟାତ ସମ୍ରାଟ ଖାରବେଳଙ୍କର ଉତ୍ତରଦାୟାଦ ବୋଲି ମନେ କରୁଥିଲେ । ବିଜୁବାବୁ ଅନେକ ଗୁଣର ଅଧିକାରୀ ଥିଲେ, ଯାହାକି ଅନ୍ୟ ନେତାଙ୍କ ନିକଟରେ କ୍ୱଚିତ ଦେଖାଯାଏ । ସେଥିଲାଗି ସେ ବିଭିନ୍ନ କ୍ଷେତ୍ରରୁ ବିରୋଧର ମଧ୍ୟ ସମ୍ମୁଖୀନ ହେଉଥିଲେ । ମାତ୍ର ନିଜର ସ୍ୱଭାବସୁଲଭ ବେପରୁଆ ଢଙ୍ଗରେ ସେ ସମସ୍ତ ପ୍ରତିରୋଧ ଓ ସମାଲୋଚନାକୁ ସହଜରେ ହଜମ କରିଥିଲେ । ଅଦମ୍ୟ ସାହସିକତା, ଦେଶପ୍ରେମ, କର୍ତ୍ତବ୍ୟନିଷ୍ଠା ଆଦି ଗୁଣ ଲାଗି ତାଙ୍କୁ ପଣ୍ଡିତ ନେହେରୁ ଅତି ଶ୍ରଦ୍ଧା କରୁଥିଲେ । ତେଣୁ ନେହେରୁ ଯଥାର୍ଥରେ ତାଙ୍କ ଉଦ୍ଦେଶ୍ୟରେ କହିଥିଲେ, “Biju is remarkable dynamic young man, who is utmost daring-dashing and pushing. But sometimes you don’t know where he will land” ନେହେରୁଙ୍କ ଠାରୁ ଏତାଦୃଶ ମନ୍ତବ୍ୟ ଶୁଣିବା ପରେ ପଶ୍ଚିମବଂଗର ତଦାନୀନ୍ତନ ମୁଖ୍ୟମନ୍ତ୍ରୀ ବିଧାନ ରାୟ ବିଜୁଙ୍କୁ ଦେଖିବା ଲାଗି ଓ ତାଙ୍କ ଚାଲିଚଳନ ଆଦି ସମ୍ପର୍କରେ ଜାଣିବା ଲାଗି ଅଧିକ ଆଗ୍ରହ ପ୍ରକାଶ କରିଥିଲେ । ଓଡ଼ିଶାରେ ଜନ୍ମ ହୋଇ ନ ଥିଲେ ବିଜୁ ପଟ୍ଟନାୟକ ନିଶ୍ଚୟ ଭାରତର ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଥାଆନ୍ତେ ଏଥିରେ ସନ୍ଦେହର କୌଣସି ଅବକାଶ ନାହିଁ ।

 

(ଲେଖକ ଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ତାଙ୍କର ଏହି ଲେଖାଟି ତା୨୬।୪।୧୯୯୭, ‘ଧରିତ୍ରୀ’ ସୌଜନ୍ୟରୁ ପ୍ରକାଶିତ)

 

Leave a Reply

*