Blog

ସେ ଥିଲେ ଝଡ଼ର ଇଗଲ୍ ଓ ମାଟିର ମୂର୍ତ୍ତିକାର

କେତେକ ବ୍ୟକ୍ତିଙ୍କ ତିରୋଧାନରେ ଅନୁପସ୍ଥିତି ବିଶ୍ୱାସ କରିହୁଏନାହିଁ । ବିଜୁବାବୁ ସେମାନଙ୍କ ମଧ୍ୟରେ ଜଣେ ଥିଲେ। ଦୀର୍ଘ ୫୦ ବର୍ଷ ଧରି ଓଡ଼ିଶାର ରାଜନୈତିକ ଦୃଶ୍ୟପଟ ଓ ଜନମାନସକୁ ସେ ପ୍ରଭାବିତ କରିଥିଲେ । ତାଙ୍କର ଦେଶପ୍ରେମ, ଦୁଃସାହସିକତା, ଓଡ଼ିଶା ପ୍ରତି ଗଭୀର ଅନୁରକ୍ତି ତାଙ୍କୁ ଲୋକଙ୍କ ମଧ୍ୟରେ ବାନ୍ଧି ରଖିଥିଲା ।

ଜାନକୀ ବଲ୍ଲଭ ପଟ୍ଟନାୟକ

କେତେକ ବ୍ୟକ୍ତିଙ୍କ ତିରୋଧାନରେ ଅନୁପସ୍ଥିତି ବିଶ୍ୱାସ କରିହୁଏନାହିଁ । ବିଜୁବାବୁ ସେମାନଙ୍କ ମଧ୍ୟରେ ଜଣେ ଥିଲେ। ଦୀର୍ଘ ୫୦ ବର୍ଷ ଧରି ଓଡ଼ିଶାର ରାଜନୈତିକ ଦୃଶ୍ୟପଟ ଓ ଜନମାନସକୁ ସେ ପ୍ରଭାବିତ କରିଥିଲେ । ତାଙ୍କର ଦେଶପ୍ରେମ, ଦୁଃସାହସିକତା, ଓଡ଼ିଶା ପ୍ରତି ଗଭୀର ଅନୁରକ୍ତି ତାଙ୍କୁ ଲୋକଙ୍କ ମଧ୍ୟରେ ବାନ୍ଧି ରଖିଥିଲା । ଓଡ଼ିଆ ସୈନିକମାନଙ୍କୁ ଲକ୍ଷ୍ୟକରି “ଶାଳପ୍ରାଂଶୁ ବୀର ପାଇକ ପ୍ରଧାନ” ବୋଲି କବି ପଦ୍ମଚରଣ ଲେଖିଥିଲେ । ସେ ଥିଲେ ଶାଳପ୍ରାଂଶୁ; ଏକ ଉତ୍ତୁଙ୍ଗ ବ୍ୟକ୍ତିଙ୍କର ଅଧିକାରୀ । ବୀର ଓଡ଼ିଆ ଜାତିର ଏକ ଅପ୍ରତିମ ପ୍ରତୀକ । ମଝିରେ ମଝିରେ ରାଜନୈତିକ କାରଣରୁ ବିରକ୍ତିରେ ଜନଜୀବନରୁ ଅଲଗା ରହିଯିବା ପାଇଁ ସେ ଚେଷ୍ଟା କରିଛନ୍ତି, ମାତ୍ର ରହିପାରି ନାହାନ୍ତି । କାରଣ ଜନସାଧାରଣଙ୍କ ପ୍ରବଳ ଶ୍ରଦ୍ଧା ତାଙ୍କୁ ପୁଣି କର୍ମକ୍ଷେତ୍ରକୁ ଟାଣି ଆଣିଛି । ତାଙ୍କର ରାଜନୈତିକ ଜୀବନର ମୂଳରୁ ତାଙ୍କୁ ମୁଁ ଜାଣିଛି । ଏତେ ଆତ୍ମବିଶ୍ୱାସ ଓ ଆତ୍ମାଭିମାନ ମୁଁ ଖୁବ୍ କମ୍ ଲୋକଙ୍କ ପାଖରେ ଦେଖିଛି । କର୍ମମୁଖର ଜୀବନ ମଧ୍ୟରେ ସେ କେବେ ପରାଜୟ ସ୍ୱୀକାର କରିନାହାନ୍ତି । ସେ ଯାହା ଠିକ୍ ବୋଲି ମନେ କରିଛନ୍ତି, ସାରା ଦୁନିଆକୁ ସାମ୍ନା କଲେ ମଧ୍ୟ ସେ ଲଢ଼ିବା ପାଇଁ ପଛାଇ ନାହାନ୍ତି । ଏତେ ଖଣି ଖାଦାନ, ପ୍ରାକୃତିକ ବିଭବର ମାଲିକ ହୋଇ ଓଡ଼ିଆ ଜାତି ପଛରେ ପଡ଼ିଛି, ଗରିବ ହୋଇ ରହିଛି, ତାହା ତାଙ୍କର ଆତ୍ମାକୁ ସବୁବେଳେ ଆନ୍ଦୋଳିତ କରିଛି ଏବଂ ଓଡ଼ିଶାକୁ ଉଠାଇବା ପାଇଁ ସେ ସବୁବେଳେ ଉଦ୍ୟମ କରିଆସିଛନ୍ତି । ସେ ଥିଲେ ଏକ ବିପୁଳ କର୍ମପ୍ରେରଣାର ସ୍ରୋତ ଏବଂ ସେ ପ୍ରବାହର ସମ୍ପର୍କରେ ଯେ ଆସିଛି, ସେ ନିଜେ ପ୍ରବାହିତ ହୋଇଯାଇଛି ।

ଶିଳ୍ପପତି, ମାତ୍ର ଶିଳ୍ପର ଲାଭାଂଶରେ କଳିଙ୍ଗ ପ୍ରାଇଜର ପ୍ରତଷ୍ଠାତା, ବୈମାନିକ, ମାତ୍ର ଏକ ସନ୍ଧିକ୍ଷଣରେ ବିଦ୍ରୋହୀ ଇଣ୍ଡୋନେସିଆର ତତ୍କାଳୀନ ପ୍ରଧାନମନ୍ତ୍ରୀ ଓ ଉପସଭାପତିଙ୍କୁ ଭାରତକୁ ଆଣିବାରେ ଏକ ଦୁଃସାହସିକ ଦକ୍ଷତା, ରାଜନୈତିକ ନେତା, ମାତ୍ର ଅନ୍ୟର ଅନୁଗାମୀ ନ ହୋଇ କ୍ଷମତା ଓ ଶକ୍ତିର ଏକ ସ୍ୱତନ୍ତ୍ର ଅଧିକାରୀ ହୋଇ ରହିବା, ସ୍ୱପ୍ନଦ୍ରଷ୍ଟା, ମାତ୍ର ସ୍ୱପ୍ନକୁ କାର୍ଯ୍ୟକାରୀ କରିବା ପାଇଁ ଏକ ସମୟରେ ଅସମ୍ଭବ ମନେ ହେଉଥିବା ନିର୍ମାଣ, ସୁନାବେଡ଼ାରେ ମିଗ୍ କାରଖାନାର ପ୍ରତିଷ୍ଠା, ସ୍ୱପ୍ନର ଯେପରି ଅନ୍ତ ନାହିଁ, ଏକ ଅସୀମ ନୀଳାକାଶର ସ୍ୱପ୍ନ । ସେହିପରି ଧରାପୃଷ୍ଠରେ ଦୃଢ଼ ଭାବରେ ରହି ନିଜର କାର୍ଯ୍ୟକ୍ରମ ପାଇଁ ଲଢ଼ିବାର ଶେଷ ନାହିଁ ଏହା ହିଁ ଥିଲେ ବିଜୁ ପଟ୍ଟନାୟକ । ‘ଝଡ଼ର ଇଗଲ ଓ ଧରଣୀର କୃଷ୍ଣସାର’ ବୋଲି ଜଣେ ଗାଳ୍ପିକ ଏକ ଗଳ୍ପର ଶିରୋନାମାରେ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଭାବରେ ନୁହେଁ, ଜଣେ ଓଡ଼ିଆ ଭାବରେ ଓଡ଼ିଶାର ଏହି ବୀରସନ୍ତାନଙ୍କ ପ୍ରତି ଏହା ହିଁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ।

(ଲେଖକ ଥିଲେ ଜଣେ ବରିଷ୍ଠ ରାଜନୀତିଜ୍ଞ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆସାମର ପୂର୍ବତନ ରାଜ୍ୟପାଳ)

 

Leave a Reply

*