Blog

ସେନାପତିର ବିଶ୍ରାମ

ହାରିବା ଜିତିବା ତାଙ୍କ ନିକଟରେ ସମାନ ଥିଲା । ଜିତିଲେ ମହାଭୋଗ ଏବଂ ହାରିଲେ ସ୍ୱର୍ଗପ୍ରାପ୍ତି । ଏହି ମନ୍ତ୍ରକୁ ଜୀବନରେ ସାକାର କରିଯାଇଛନ୍ତି । ସେଥିପାଇଁ ସବୁ ସଂଗ୍ରାମରେ ତାଙ୍କୁ ସେନାପତି ଭାବେ ବରଣ କରାଯାଇଛି । ସେନାପତିର ବିଶ୍ରାମ ନଥାଏ । ରଣକ୍ଷେତ୍ରରେ ଉପସ୍ଥିତ ନଥିଲା ବେଳେ ମଧ୍ୟ ରଣ କୌଶଳ ସେ ଚିନ୍ତା କରୁଥାଏ । ମୃତ୍ୟୁ ସହିତ ମଧ୍ୟ ସେହିଭଳି ଅଦମ୍ୟ ବୀରତ୍ୱ ସହକାରେ ଲଢ଼ିଥିଲେ ବିଜୁବାବୁ । ପରାସ୍ତ ହେଲେ ସତ; କିନ୍ତୁ ସ୍ୱର୍ଗପ୍ରାପ୍ତି ହିଁ ହେଲା ।

ନନ୍ଦିନୀ ଶତପଥୀ

ବିଜୁବାବୁ ଲଢ଼ୁଥିଲେ ଜୀବନଯାକ ଏବଂ ଅନ୍ୟମାନଙ୍କୁ ମଧ୍ୟ ଲଢ଼ିବା ପାଇଁ ପ୍ରେରଣା ଦେଉଥିଲେ । ତାଙ୍କ ନିକଟରେ ଶ୍ରୀକୃଷ୍ଣଙ୍କର ଗୀତାର ସେହି ବାଣୀ “ଯୁଦ୍ଧାୟ କୃତ-ନିଶ୍ଚୟଃ” କଥାଟି ଅକ୍ଷରେ ଅକ୍ଷରେ ସତ୍ୟ ହୋଇଯାଇଥିଲା । ହାରିବା ଜିତିବା ତାଙ୍କ ନିକଟରେ ସମାନ ଥିଲା । ଜିତିଲେ ମହାଭୋଗ ଏବଂ ହାରିଲେ ସ୍ୱର୍ଗପ୍ରାପ୍ତି । ଏହି ମନ୍ତ୍ରକୁ ଜୀବନରେ ସାକାର କରିଯାଇଛନ୍ତି । ସେଥିପାଇଁ ସବୁ ସଂଗ୍ରାମରେ ତାଙ୍କୁ ସେନାପତି ଭାବେ ବରଣ କରାଯାଇଛି । ସେନାପତିର ବିଶ୍ରାମ ନଥାଏ । ରଣକ୍ଷେତ୍ରରେ ଉପସ୍ଥିତ ନଥିଲା ବେଳେ ମଧ୍ୟ ରଣ କୌଶଳ ସେ ଚିନ୍ତା କରୁଥାଏ । ମୃତ୍ୟୁ ସହିତ ମଧ୍ୟ ସେହିଭଳି ଅଦମ୍ୟ ବୀରତ୍ୱ ସହକାରେ ଲଢ଼ିଥିଲେ ବିଜୁବାବୁ । ପରାସ୍ତ ହେଲେ ସତ; କିନ୍ତୁ ସ୍ୱର୍ଗପ୍ରାପ୍ତି ହିଁ ହେଲା । ସେଦିନ ଭୁବନେଶ୍ୱର ଏବଂ ପୁରୀର ବିଶାଳ ଜନ ସମୁଦ୍ର ଦେଖି ଯେ କେହି ଏହାହିଁ ଉପଲବ୍ଧି କରିଥିବେ ।

ଯେ ସମ୍ମାନ ଦେଇ ଜାଣେ ତାକୁ ଛାଏଁ ଛାଏଁ ସମ୍ମାନ ମିଳିଯାଏ । ବାହାରୁ ବିଜୁବାବୁଙ୍କ ବ୍ୟବହାର ଦେଖି ତାଙ୍କୁ ଯେଉଁମାନେ ବିଚାର କରନ୍ତି ସେମାନେ ଭୁଲ୍ କରନ୍ତି । ଏଇଥର ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟର କଥା । ସୁନ୍ଦରଗଡ଼ରେ କୁତ୍ରାରେ ଗୋଟିଏ ଘଟଣା ଘଟିଥାଏ । ତାଙ୍କ ମନ୍ତ୍ରିମଣ୍ଡଳର ଜରେ ବରିଷ୍ଠ ସଭ୍ୟ ଡଃ ଦାମୋଦର ରାଉତଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥାଏ ଯେ ସେ ତାଙ୍କ କୁତ୍ରା ଗସ୍ତ କାଳରେ ସେଠାରେ ମହିଳା ପଞ୍ଚାୟତ ସମିତି ଚେୟାରମ୍ୟାନଙ୍କ ସହିତ ଅଶାଳୀନ ବ୍ୟବହାର କରିଛନ୍ତି । ଏ କଥାର ଉପଯୁକ୍ତ ତଦନ୍ତ ହେଉ ବୋଲି ବିଭିନ୍ନ ଆଡ଼ୁ ଦାବି ହେଉଥାଏ । ସେତେବେଳର କେନ୍ଦ୍ରମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନିକଟରେ ଏହି ଦାବି ଉପସ୍ଥାପନ କରିଥିଲେ । ଏ ସବୁକଥା ଆମେ ଖବରକାଗଜରେ ପଢ଼ୁଥାଉ ।

ମୋ ନାତି ସୁପର୍ଣ୍ଣୋର ଛୋଟ ରେଷ୍ଟୁରାଣ୍ଟରେ ହଠାତ୍ ଟେଲିଫୋନ୍ ବାଜିଲା । ସେ ଟେଲିଫୋନ୍ ଧରିଲାକ୍ଷଣି ସେପଟୁ ଶୁଭିଲା ନନ୍ଦିନୀ ଅଛି? ସେ ପଚାରିଲା, କିଏ କହୁଛନ୍ତି? ଉତ୍ତର-ବିଜୁ ପଟ୍ଟନାୟକ । ସେ ତ ଘରେ ଥିବ । ତା’ର ଟେଲିଫୋନ୍ ନାହିଁ । ତା’ର ପରିଚୟ ପଚାରି କହିଲେ ଯା ତୋ ଗ୍ରାଣ୍ଡମଦରକୁ ଡାକିଆଣିବୁ । ଠିକ୍ ପନ୍ଦର ମିନିଟ ପରେ ଟେଲିଫୋନ୍ କରି କହିଲେ, ତୁମକୁ ଗୋଟାଏ କାମ କରିବାକୁ ହେବ । କି କାମ ବୋଲି ପଚାରିବାରୁ-ଦାମବାବୁଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ସମ୍ପର୍କରେ ତଦନ୍ତ କରିବା ପାଇଁ କହିଲେ ଏବଂ ତା’ ସହିତ ଏକଥା ମଧ୍ୟ କହିଲେ ଯେ, ଏ କାର୍ଯ୍ୟପାଇଁ ତୁ ଏକମାତ୍ର ଫିଟେଷ୍ଟ ଲୋକ । ତା’ପର ଯେତେଗୁଡ଼ିଏ ବିଶେଷଣ ମୋ ସହିତ ଯୋଡ଼ିଲେ ତାହା ଏଠାରେ ଉଲ୍ଲେଖ କରିବା ଅନାବଶ୍ୟକ । ମୁଁ ଅନ୍ୟ ଦଳର, କଂଗ୍ରେସ ଲୋକ ବିରୋଧ କରିବେ, ଇତ୍ୟାଦି ନାନା କଥା କହି ପ୍ରତିବାଦ କରିବା ପରେ ସେ ଗୋଟିଏ କଥା କହିଲେ, ତୁ କେବେଠାରୁ ଡରିଲୁଣି? ଲଢ଼ିବାଟା ତ ତୋର କାମ ।

ଏହାର ପରବର୍ତ୍ତୀ ଘଟଣାରେ ବିଜୁବାବୁଙ୍କ ଚରିତ୍ରରେ ଅନ୍ୟ ଗୋଟିଏ ଦିଗ ମୁଁ ପୁଣି ଦେଖିଲି । ପ୍ରଥମଥର ତଦନ୍ତ ସାରି ଫେରିଆସିଛି । ପ୍ଲେନ୍‌ରେ ପଠାଇବାରୁ ଆରମ୍ଭ କରି ଷ୍ଟେନୋ, ଟାଇପିଷ୍ଟ, ଟେପରେକର୍ଡ଼ର, ଫଟୋଗ୍ରାଫର ଇତ୍ୟାଦି ସବୁ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ ନିଜ ତତ୍ତ୍ୱାବଧାନରେ କରାଇଥିଲେ ।

ପ୍ରଥମ ଥର ତଦନ୍ତ ସରିବାର ପନ୍ଦର କୋଡ଼ିଏ ଦିନ ଯାଏ ମୁଁ ବିଜୁବାବୁଙ୍କ ସେ ସମ୍ପର୍କରେ କିଛି କହିନଥିଲି । କାରଣ ଏହା ଭିତରେ ଭୁବନେଶ୍ୱରର ରାଜ୍ୟ କଂଗ୍ରେସ ମହିଳା ବିଭାଗର ସଭାନେତ୍ରୀଙ୍କ ଠାରୁ ଆରମ୍ଭ କରି ବହୁ ମହିଳା ମୋ ଘରକୁ ଆସି ଏପରି ତଦନ୍ତ ନକରିବା ପାଇଁ ମୋତେ ଏକ ପ୍ରକାର ଧମକାଇ ଦେଇ ଯାଇଥିଲେ । କୁତ୍ରାରେ ପହଂଚିବା ପରେ ମଧ୍ୟ କଂଗ୍ରେସର କେତେକ ସ୍ଥାନୀୟ ନେତା କିଛି ମହିଳାଙ୍କୁ ଧରି ପ୍ଲାକାର୍ଡ଼ ଏବଂ କଳା ବ୍ୟାଚ ପିନ୍ଧି ବ୍ଲକ୍ ଅଫିସ୍ ସାମ୍ନାରେ ମୋ ବିରୁଦ୍ଧରେ ସ୍ଲୋଗାନ ଦେଇ ବିକ୍ଷୋଭ କରୁଥିଲେ । ତଦନ୍ତ କାର୍ଯ୍ୟକୁ ଅଧା ରଖି ମୁଁ ସେମାନଙ୍କ ସହିତ ରାସ୍ତାରେ ବସି ସେମାନଙ୍କ କଥାରେ ଉତ୍ତର ଦେଇଥିଲି । ସେମାନେ ମୋର ଜିନ୍ଦାବାଦ୍ କରି ଫେରି ଯାଇଥିଲେ । ତଦନ୍ତ ସମ୍ପୂର୍ଣ୍ଣ ହେଲାନାହିଁ ବୋଲି ମୋର ହୃଦ୍‌ବୋଧ ହେଲା । ଆଉଥରେ ତଦନ୍ତ କରିବାକୁ ଆସିବି ବୋଲି ମୁଁ ଠିକ୍ କଲି ।

ହଠାତ୍ ସକାଳ ଛ’ଟାବେଳେ ବିଜୁବାବୁ ଆସି ଘରେ ପହଂଚିଗଲେ, ଘରେ କେହି ଉଠିନାହାନ୍ତି, ମୁଁ ବାଥରୁମ୍‌ରେ । ମୋତେ ଲେଖାଲେଖିରେ ସାହାଯ୍ୟ କରୁଥିବା ପିଲାଟି ପଛଆଡ଼ ତା’ ରହିବା ଜାଗାକୁ ଫେରିଯାଉଛି । ସେତିକିବେଳେ ହଠାତ୍ ବିନା ପୋଲିସ୍ ବିନା ସାଇରନ୍‌ରେ ନାଲିବତୀବାଲା ଗାଡ଼ି ଦୁଆର ମୁହଁରେ ପହଂଚିବା ଦେଖି ସେ ଫେରିଆସିଲା । ଦେଖିଲା ମୁଖ୍ୟମନ୍ତ୍ରୀ ଆସିଛନ୍ତି । ଘରେ କାମ କରୁଥିବା ପିଲାଟିକୁ ଡାକ ପକାଇଲା ଓ ସେ କବାଟ ଖୋଲିଦେଲା । ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକ ଆରାମରେ ଯାଇ ଡ୍ରଇଁ ରୁମ୍‌ର ସୋଫାରେ ବସିଯାଇଛନ୍ତି । ତାଙ୍କୁ କେହି ପାଛୋଟି ନେଇନାହାନ୍ତି । ଜାଣିଲା କ୍ଷଣି ମୁଁ ଦୌଡ଼ିଆସି ଏମିତି ହଠାତ୍ ଆସିବାର କାରଣ ପଚାରିବାରୁ ସେ କହିଲେ ତୋ ରିପୋର୍ଟ କ’ଣ ହେଲା? ଜବାବରେ କହିଥିଲି ଏତିକି ତଦନ୍ତରେ ମୁଁ ସନ୍ତୁଷ୍ଟ ନୁହଁ । ଆହୁରି ଅନେକ କଥା ବର୍ଣ୍ଣନା କରିଥିଲି । ସେତିକିବେଳେ କଫି କରିବାକୁ କହିଦେଇ ପଚାରିଲି କ’ଣ ଖାଇବେ । ଯାହା ଅଛି ଦେ । ଯାହା ଥିଲା ତାଙ୍କୁ ମୁଁ ଦେଲି ଏବଂ ତାଙ୍କ ଡ଼୍ରାଇଭର ଓ ପିଅନଙ୍କ ପାଇଁ ମଧ୍ୟ ଖାଇବାର ପଠାଇଦେଲି । ବିଜୁବାବୁ ଯିବାକୁ ବାହାରିଲେ । ଦୁଆର ମୁହଁକୁ ତାଙ୍କୁ ବାଟେଇ ଦବାକୁ ଆସିଲାବେଳେ ହସିହସି କହିଲେ, ତୋର ଏଇ ତଦନ୍ତ ପାଇଁ ଗୋଟେ ଗାଥା କ୍ରିଷ୍ଟ ଦରକାର ବୋଧହୁଏ । ସେ ଫେରିଯିବା ପରେ ମୋ ସହକାରୀ କହିଲା ଆଜ୍ଞା, ମୁଖ୍ୟମନ୍ତ୍ରୀଙ୍କ ଡ୍ରାଇଭର କହୁଥିଲା ବାବୁ କ’ଣ କିଛି ଖାଇଲେ? ଘରୁ ଆସିଲାବେଳେ ତାଙ୍କ ଖାନ୍ସମା ତାଙ୍କୁ ଜଳଖିଆ ଖାଇବାକୁ କହିବାରୁ ସେ କହି ଆସିଥିଲେ ନା, ମୁଁ ନନ୍ଦିନୀ ଘରେ ଖାଇଦେବି ।

ଆହାରେ! ମୁଁ ତ ଜାଣିନଥିଲି ସେ ଏଠି ଜଳଖିଆ ଖାଇବା ପାଇଁ ମନକରି ଆସିଥିଲେ । ଭାରି ଦୁଃଖ ଲାଗିଲା । ରାଗ ବି ହେଲା ଘରେ ଥିବା ଲୋକଙ୍କ ଉପରେ । ଏତେ ବଡ଼ଲୋକ କ’ଣ ଏପରି ସ୍ନେହଶୀଳ ହୋଇପାରନ୍ତି???

(ଲେଖିକା ଥିଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ, ତାଙ୍କର ଏହି ଲେଖାଟି ତା ୨୬।୪।୧୮୮୭, ‘ଧରିତ୍ରୀ’ ସୌଜନ୍ୟରୁ ପ୍ରକାଶିତ)

 

Leave a Reply

*