Blog

ସାଂସ୍କୃତିକ ଚିନ୍ତନରେ ବିଜୁବାବୁ

ଜଣେ ନିଜ ସୁଗୁଣରେ ବଡ଼ ହୋଇପାରେ । ଉଚ୍ଚ ପଦାସୀନ ହୋଇ ବହୁ ସମ୍ମାନରେ ଅଧିକାରୀ ହୋଇପାରେ । କିନ୍ତୁ ତା’ଠି ପ୍ରୀତି, ପ୍ରେମ, ସଦ୍ଭାବ ଓ ମାନବିକତା ନରହିଲେ ସମାଜ ତାକୁ ସମ୍ମାନ ଦେବନାହିଁ । ସେ ସ୍ମରଣୀୟ ହୋଇ ରହିବା ସମ୍ଭବ ନୁହେଁ, ବିଜୁବାବୁ ଥିଲେ ମାନବ ପ୍ରେମୀ, ଆଉ ଶିକ୍ଷା ସଂସ୍କୃତିର ପ୍ରୀତି-ଶୁଭେଚ୍ଛୁ ସୁପୁରୁଷ । ସଂସ୍କୃତି, ସାହିତ୍ୟ ଓ ଶିକ୍ଷାକୁ ଛାଡ଼ି ସଭ୍ୟ ମଣିଷର ଗତ୍ୟନ୍ତର ନାହିଁ, ଏହା ଅନୁଭବ କରିଥିଲେ ପ୍ରିୟ ନେତା ସଂସ୍କୃତି ପ୍ରେମୀ ବିଜୁବାବୁ । ସେ ଓଡ଼ିଶାର ପ୍ରଗତି ଓ ବିକାଶ ପାଇଁ ବହୁ କାର୍ଯ୍ୟ କରିଛନ୍ତି । ଏହା ସହିତ ତାଙ୍କଠି ଯେଉଁ ସଂସ୍କୃତି ପ୍ରୀତି ରହିଥିଲା, ତାହା ବିଜୁବାବୁଙ୍କୁ ସ୍ମରଣୀୟ କରି ରଖିବ, ଏହା ଅସ୍ୱୀକାର କରାଯାଇନପାରେ ।      

ଅପୂର୍ବ ରଂଜନ ରାୟ

ସେତେବେଳେ ‘କଳିଙ୍ଗ’ ପ୍ରକାଶ ପାଉଥାଏ । ଦୈନିକ ‘କଳିଙ୍ଗ’ ତା ସ୍ୱକୀୟ ଗୁଣରେ ପାଠକ ସମାଜରେ ଆଦୃତ ହେଉଥାଏ । ଏହାର ସମ୍ପାଦକ ଥିଲେ ଖ୍ୟାତନାମା କଥାକାର ସୁରେନ୍ଦ୍ର ମହାନ୍ତି । କବି ଜ୍ଞାନିନ୍ଦ୍ର ବର୍ମା ଏହାର ବାର୍ତ୍ତା ସମ୍ପାଦକ । କବି ଭାନୁଜୀ ରାଓ ସହକାରୀ ସମ୍ପାଦକ ଭାବେ କାର୍ଯ୍ୟ କରୁଥିବାବେଳେ, ଅନ୍ୟତ୍ର ସେ ଚାଲିଗଲେ। ସେହି ସ୍ଥାନରେ ଜଣେ ସହ ସମ୍ପାଦକ ନିଯୁକ୍ତିର ଆବଶ୍ୟକ ପଡ଼ିଲା । ସମ୍ପାଦକ ମହାନ୍ତି ଓ ବାର୍ତ୍ତା ସମ୍ପାଦକ ବର୍ମା, ମୋତେ ସେହି ସ୍ଥାନରେ ନିଯୁକ୍ତି ଦେବାକୁ ସ୍ଥିରକରି ମୋ’ ନାମ ସୁପାରିଶ କଲେ । କଳିଙ୍ଗ ପ୍ରକାଶନୀ ଏହାକୁ ଗ୍ରହଣ କଲା । ମୁଁ ନିଯୁକ୍ତି ପାଇବା ପରେ ମୋତେ ସମ୍ବାଦ ସମ୍ପାଦନା ସହିତ କେତୋଟି ସ୍ୱତନ୍ତ୍ର  ଫିଚର ପୃଷ୍ଠା ସମ୍ପାଦନାର ଦାୟିତ୍ୱ ମଧ୍ୟ ଦିଆଯାଇଥିଲା । ମୋ ସମ୍ପାଦନା,କର୍ତ୍ତୃପକ୍ଷଙ୍କୁ ତୃପ୍ତି ଦେଉଥିବା ସହିତ ପାଠକ ସମାଜରେ ଆଦୃତ ହେଉଥାଏ ।

ସପ୍ତାହରେ ଗୋଟିଏ ଦିନ ସ୍ମରଣୀୟ ପୁରୁଷ ସ୍ତମ୍ଭରେ ଜଣେ ମହାପୁରୁଷଙ୍କ କାହାଣୀ ଲେଖିବାପାଇଁ ମୁଁ ସମ୍ପାଦକଙ୍କ ମତାମତ ଲୋଡ଼ିଲି ।ସେ ଏହାକୁ ଆନନ୍ଦର ସହିତ ଗ୍ରହଣ କରି, ସେହି ସ୍ତମ୍ଭରେ ପ୍ରଥମ ମୋର ଲେଖା ପ୍ରକାଶ ଲାଗି ଅଭିମତ ଦେଲେ । ମୁଁ ସ୍ୱାମୀ ବିବେକାନନ୍ଦଙ୍କ ସମ୍ପର୍କରେ ସେହି ସ୍ତମ୍ଭରେ ଲେଖିଲି । ନିୟମିତ କେତୋଟି ସପ୍ତାହ ଲେଖିବା ପରେ, ବିଭିନ୍ନ ଆଡ଼ୁ ଅନୁକୂଳ ମତାମତ ମିଳିଲା । କଳିଙ୍ଗର ମାଲିକ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୟାନନ୍ଦ ପଟ୍ଟନାୟକ ଦିନେ ମୋତେ ଡକାଇଲେ ବୋଲି ଏହି ପତ୍ରିକାର ସମ୍ବାଦ ସମ୍ପାଦକ ସୁରେନ୍ଦ୍ର ବାବୁ ମୋତେ ଜଣାଇଲେ । ଏପରି ଡାକରା ପାଇ ମୁଁ ଆଶ୍ଚର୍ଯ୍ୟ ହେଲି । ବିଜୁବାବୁ, ପୁଣି ‘କଳିଙ୍ଗ’ ର ମାଲିକ ମୋତେ ଡକାଇଛନ୍ତି । ବଡ଼ ଆଶଙ୍କା ଭିତରେ ରହି, ନାନା କଥା ମନକୁ ଛୁଇଁଲା । ତାଙ୍କୁ ଦିନେ ଭୁବନେଶ୍ୱର ବାସ ଭବନରେ ଦେଖାକଲି । ତାଙ୍କ ସହିତ ସେହି ମୋର ପ୍ରଥମ ସାକ୍ଷାତ । ତାଙ୍କୁ ସାକ୍ଷାତ କରିବା ମାତ୍ରେ, ସେ ଆଗ୍ରହ ଓ ଆନନ୍ଦରେ ମୋତେ ଚେୟାରରେ ବସିବାପାଇଁ କହିଲେ । ବ୍ୟକ୍ତିଗତ କଥା ପଚରା ଉଚରା ପରେ କହିଲେ- ‘ତମେ’ ‘କଳିଙ୍ଗ’ରେ ଯାହା ଲେଖୁଛ, ମୋତେ ଭଲ ଲାଗୁଛି । ବିବେକାନନ୍ଦ ବିଷୟ ଶେଷ କରିବ ତ!’

ମୁଁ ହଁ, ଚେଷ୍ଟା କରୁଛି’ କହିବା କ୍ଷଣି ସେ ମୋ ତୁଣ୍ଡରୁ କଥା ଛଡ଼ାଇ ନେଇ ଗମ୍ଭୀର ସ୍ୱରରେ କହିଲେ ‘କିହୋ’ ତମେ ଯା ଲେଖିବ, ସୁରେନ୍ଦ୍ର ‘କଳିଙ୍ଗ’ ର ସମ୍ପାଦକ କହୁଥିଲା, ତମେ କୁଆଡ଼େ ଲେଖାଲେଖି କର । ପାରିବନି କାହିଁକି! ହାତକୁ କାମଟି ନେଇଛ, ଶେଷ କରିବ । ପଛାଅ ନାହିଁ ।

ତାଙ୍କ ପ୍ରେରଣାରେ ଲାଗି ପଡ଼ିଲି, ନିୟମିତ ଲେଖିଲି । ମାତ୍ର ଶେଷ ନ ହେଉଣୁ ‘କଳିଙ୍ଗ’ ବନ୍ଦ ହୋଇଗଲା । ଏଣେ ସେହି ଲେଖା ଦେଖି ଦୁଇଜଣ ପ୍ରକାଶକ ବହି ଛାପିବା ପାଇଁ ଆଗେଇ ଆସିଲେ । ବହି ପ୍ରକାଶ ଆଶାରେ ଅବଶିଷ୍ଟ ଅଂଶତକ ଲେଖି ଶେଷ କଲି । ବହିଟି ଫ୍ରେଣ୍ଡସ୍ ପବ୍ଲିସର୍ସ, କଟକ ଦ୍ୱାରା ପ୍ରକାଶ ପାଇଲା । ଏବେ ଏହାର ସପ୍ତମ ସଂସ୍କରଣ ଶେଷ ହୋଇଗଲାଣି ।

ବହିଟି ବିଶ୍ୱବରେଣ୍ୟ ସ୍ୱାମୀ ବିବେକାନନ୍ଦଙ୍କ ନାମରେ ପ୍ରକାଶ ପାଇବା ବେଳେ, ‘କଳିଙ୍ଗ’ ଓ ତା’ର ସମ୍ପାଦକଙ୍କୁ କୃତଜ୍ଞତା ଜଣାଇଲି । ବହିଟିଏ ନେଇ ସମ୍ମାନନୀୟ ବିଜୁ ବାବୁଙ୍କୁ ଉପହାର ଦେବାକୁ ଗଲି । ଏତେ ବ୍ୟସ୍ତତା ଓ କାମ ଜଞ୍ଜାଳ ଭିତରେ ସେ ମୋତେ ଚିହ୍ନି ପାରିଲେ । ଆସିବା ଓ ସାକ୍ଷାତ କରିବା ମୋର ସାର୍ଥକ ହୋଇଛି, ଭାବିଲି । ସେ ମୋତେ ସହାନୁଭୂତି ପ୍ରଦର୍ଶନ କରି ପ୍ରଥମେ ପଚାରିଲେ ‘ତମେ କ’ଣ ଏବେ କରୁଛ? ଚଳୁଛ କିପରି? ମୁଁ କିଛି ଉତ୍ତର ନ ଦେଇ ନିରବ ରହିଲି । ସେ ମୋତେ ଚାହିଁବା ମାତ୍ରେ, ସଦ୍ୟ ପ୍ରକାଶିତ ବହିଟି ତାଙ୍କ ହାତକୁ ବଢ଼ାଇଦେଲି । ତାଙ୍କ ‘କଳିଙ୍ଗ’ ରେ ଜୀବିକା ପାଇଁ ଯୋଗ ଦେଇନଥିଲି, ଏହା ବା ସେ ଭାବିବେ କାହିଁକି! “ବାଃ ଚମତ୍କାର ହୋଇଛି । ତମେ ଲେଖିଛ!” ହଁ ସାର୍, ‘କଳିଙ୍ଗ’ରେ ପ୍ରକାଶ ପାଉଥିବା ଲେଖାର ଏହା ପ୍ରକାଶିତ ରୂପ ।’

ଆହୁରି ମୋ’ ଆଡ଼କୁ ଚାହିଁଲେ । ଅତ୍ୟନ୍ତ ଆନନ୍ଦରେ କହି ଉଠିଲେ-ମୁଁ ବୋଧେ କେତୋଟି ଚାପ୍ଟର ତମର କଳିଙ୍ଗରୁ ପଢ଼ିଥିଲି ।”

ମୁଁ ଆଉ କିଛି କହିଲି ନାହିଁ । ନୀରବ ରହିବାରୁ ସେ ଆହୁରି ଦରଦ ପ୍ରକାଶ କରି କହିଲେ- ‘କଳିଙ୍ଗ’ ବନ୍ଦ ହେବା ପରେ ତମେମାନେ କ’ଣ କରୁଛ? ହଠାତ୍ ‘କଳିଙ୍ଗ’ ପ୍ରେସ୍ ବନ୍ଦ ହୋଇଯିବ, ମୁଁ ବି ଭାବିନଥିଲି ।”

ଘର ଭିତରକୁ ଚାଲିଯାଇ ଫେରି ଆସି, ମୋ ହାତକୁ ୧ ହଜାର ଟଙ୍କା ବଢ଼ାଇ ଦେଇ କହିଲେ- ‘ମୋ ତରଫରୁ ତମକୁ ଉପହାର ।’

ମୁଁ ତାଙ୍କଠାରୁ ବିଦାୟ ନେଇ ଆସିବା ବେଳେ ସେ ପୁଣି କହିଲେ- ‘ତମ ମାନଙ୍କ ପରି ଟେଲେଣ୍ଟେଡ଼୍ ଭଲ ଭଲ ଯାଗାରେ ରହିବା ଉଚିତ୍ ।”

ସେତେବେଳକୁ ସେ କ୍ଷମତାରେ ନଥାନ୍ତି । ତଥାପି ଏହି ପଦଟି ମୋତେ, ବହୁ ଆନନ୍ଦ ଦେଲା । ୧ ହଜାର ଟଙ୍କା ପାଇଁ ଯେତିକି ତୃପ୍ତ ହୋଇନଥିଲି, ଜଣେ ରାଜନୈତିକ ନେତାଙ୍କଠାରୁ ଏପରି ଭାଷା ଶୁଣି ପରମ ତୃପ୍ତି ଲାଭ କଲି । ବାଲିଆପାଳର କ୍ଷେପଣାସ୍ତ୍ର ଘାଟୀ ସ୍ଥାପନକୁ ସେତେବେଳେ ପ୍ରବଳ ବିରୋଧ ହେଉଥାଏ । କେନ୍ଦ୍ର ସରକାରଙ୍କ ସିଦ୍ଧାନ୍ତ ବିରୋଧରେ ଜନମତ ସୃଷ୍ଟି କରିବା ପାଇଁ ଆନ୍ଦୋଳନ ଚାଲିଥାଏ । ଏହାର ନେତୃତ୍ୱ ନେଇଥାନ୍ତି ବିଜୁ ପଟ୍ଟନାୟକ । ମୁଁ ସେତେବେଳକୁ ବାଲେଶ୍ୱରରୁ ପ୍ରକାଶିତ “ରାଷ୍ଟ୍ରଦୂତ”ର ସମ୍ପାଦକ । ବିଜୁବାବୁ ବାଲିଆପାଳର ଘାଟି ବିରୋଧି ସଭା ପାଇଁ ଆସିବାର କାର୍ଯ୍ୟକ୍ରମ ସ୍ଥିର ହେଲା । ସମ୍ବାଦ ପରିବେଷଣ ପାଇଁ ଆନ୍ଦୋଳନ ସଂଗଠକଙ୍କ ଅନୁରୋଧ କ୍ରମେ ସାମ୍ବାଦିକମାନଙ୍କ ଗହଣରେ ମୁଁ ଯାଇଥିଲି । ବାଟରେ ଗୋଟିଏ ସ୍ଥାନରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇଥିଲା । ଆମେ ସମସ୍ତେ ସେଇଠି ଖାଇଲୁ । ବିଜୁବାବୁ ବିଶ୍ରାମ ନେବା ସମୟରେ ମୁଁ ତାଙ୍କୁ ସାକ୍ଷାତ କଲି, ଭାବିଥିଲି ମୋତେ ଚିହ୍ନି ପାରିବେ ନାହିଁ । ନମସ୍କାର, କରିବା ମାତ୍ରେ ସ୍ନେହବୋଳା ସ୍ୱରରେ ପଚାରିଲେ-ଏବେ ତମେ କ’ଣ କରୁଛ? ଆସିଲ କେମିତି!”

ମୁଁ ରାଷ୍ଟ୍ରଦୂତରେ ସମ୍ପାଦକ ଅଛି ଶୁଣିବା ମାତ୍ରେ ସେ ଖୁସି ହୋଇଗଲେ । ଆଉ ତାଙ୍କ ସହିତ ସମ୍ବାଦ ପରିବେଷଣ ପାଇଁ ଯାଉଛି ଶୁଣି ଆହୁରି ଅଧିକ ଆନନ୍ଦିତ ହେଲେ । ମୁଁ ଲେଖାଲେଖି କରେ, ସେ ଯେ ମୋତେ ମନେ ରଖିଛନ୍ତି ଜାଣି ବିସ୍ମିତ ହେଲି!’

ପଚାରିଲେ- ‘କ’ଣ ଏବେ କିଛି ଲେଖୁଛି!’ ସେତେବେଳକୁ ନୂଆ ବହିଟିଏ ଲେଖିବା ଲାଗି ପ୍ରସ୍ତୁତ ହେଉଥାଏ। ଏହା କହିବା ମାତ୍ରେ ଟିକେ ଖୁସିରେ ହସିଦେଲେ । ଘାଟୀ ପ୍ରସଙ୍ଗରେ ପରାମର୍ଶ ଦେଇ କହିଲେ – ‘ତମେମାନେ ଚାହିଁଲେ ଏହା ଉପରେ ଅନେକ ଲେଖିପାରିବ । ଲେଖ, ଲୋକମାନେ ପଢ଼ନ୍ତୁ । କେନ୍ଦ୍ର ସରକାର କିପରି ଆମ ଇଚ୍ଛା ବିରୁଦ୍ଧରେ ବାଲିଆପାଳରେ ଘାଟୀ କରୁଛି, ଏହା ଲୋକମାନଙ୍କୁ ଜଣାଅ । ତମ ହାତରେ କଲମ ଅଛି ଯା ଭୟ କର ନାହିଁ । କେନ୍ଦ୍ର ସରକାର ଶିକ୍ଷା ପାଉ । ଓଡ଼ିଶା ଅନ୍ୟାୟର ପ୍ରତିବାଦ କରିପାରେ ସାରା ଦେଶ ଜାଣୁ ।’

ଭାରତୀୟ ରାଜନୀତିରେ ତାଙ୍କ ନାମ ଲିପିବଦ୍ଧ ହୋଇଛି । ତାଙ୍କ ତୁଣ୍ଡରୁ ଏପରି କଥା ଶୁଣି କିଏ ବା ଖୁସି ନହେ । ଜଳେଶ୍ୱରର କବି ବନ୍ଧୁ ବନମାଳି ସେନାପତିଙ୍କ ଉପରେ ଲେଖାଟିଏ ପ୍ରସ୍ତୁତ କଲାବେଳେ ତାଙ୍କ ରଚିତ ଘାଟୀ ବିରୋଧି ଲେଖା ପଢ଼ିଲା ମାତ୍ରେ ବିଜୁବାବୁଙ୍କ ମୋ’ ପ୍ରତି ପରାମର୍ଶ ପ୍ରସଙ୍ଗ ମନେ ପଡୁଥିଲା ।

ସେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଥାଆନ୍ତି । ସେତେବେଳର ଏକ ଘଟଣା । ଗୀତିନାଟ୍ୟକାର ଜଗନ୍ନାଥ ପାଣିଙ୍କ ଗ୍ରନ୍ଥାବଳୀର ତୃତୀୟ ଭାଗ ପ୍ରକାଶନ ପ୍ରସଙ୍ଗ ମନେ ପଡ଼ୁଛି । ଶ୍ରୀ ଯୁଗଳ କିଶୋର ପଟ୍ଟନାୟକ ସଂସ୍କୃତି ମନ୍ତ୍ରୀ ଥିବାବେଳେ ଏହାଙ୍କ ଗ୍ରନ୍ଥାବଳୀର ଦୁଇଟି ଭାଗ ପ୍ରକାଶ ପାଇଥିଲା । ଆହୁରି କିଛି ଲେଖା ରହିଯାଇଥାଏ । ବିଧାୟକ ଯୁଗଳ ବାବୁ ସେତେବେଳେ କ୍ଷମତାରେ ନଥାନ୍ତି । ଦିନେ ବିଜୁବାବୁଙ୍କୁ ଜଗନ୍ନାଥ ପାଣିଙ୍କ ତୃତୀୟ ଭାଗ ପ୍ରକାଶ କରିବା ପାଇଁ ସେ ଅନୁରୋଧ କଲେ । ସେ କାହିଁକି ଜଗନ୍ନାଥ ପାଣିଙ୍କୁ ଜାଣନ୍ତେ । କେବଳ ଏତିକି ପଚାରିଲେ- ‘ଲେଖା କାହିଁ?’ ଯୁଗଳ ବାବୁ ପଣ୍ଡିତ ନୀଳମଣି ମିଶ୍ରଙ୍କ ଦ୍ୱାରା ଲେଖା ସଂଗ୍ରହ କରିଥିଲେ । ତାହା ସଂସ୍କୃତି ବିଭାଗରେ ରହିଥାଏ । ସଂଗେ ସଂଗେ ମନକୁ କଥାଟା ପାଇଥିଲା । ସେ ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କଲେ । ତାଙ୍କର ତୁରନ୍ତ ପଦକ୍ଷେପ ଯୋଗୁଁ ଜଗନ୍ନାଥ ପାଣିଙ୍କ ତୃତୀୟ ଭାଗ ଗ୍ରନ୍ଥାବଳୀ ସଂସ୍କୃତି ବିଭାଗ ପକ୍ଷରୁ ପ୍ରକାଶ ପାଇଲା । ଯୁଗଳ ବାବୁ ସେତେବେଳେ କଂଗ୍ରେସ ଦଳର ସଦସ୍ୟ, କର୍ମୀ ଓ ନେତା । ବିଜୁବାବୁ ଅନ୍ୟ ଏକ ଦଳର ତୁଙ୍ଗନେତା ଅଥଚ ଯୁଗଳ ବାବୁଙ୍କ ସେତେବେଳେ ବିରୋଧି ଦଳର ବ୍ୟକ୍ତି ବୋଲି ନ ଭାବି, ତାଙ୍କ ସଂସ୍କୃତି ପ୍ରିୟତାର ପ୍ରମାଣ ଦେଲେ । ଏହି କାର୍ଯ୍ୟରେ ବିଜୁବାବୁଙ୍କ ଉଦାରତା ଦେଖି ତାଙ୍କ ଦଳୀୟ ନେତା ତଥା ବିରୋଧି ଦଳର ନେତା ଓ କର୍ମୀମାନେ ଆଶ୍ଚର୍ଯ୍ୟ ହେଲେ । ଏହି ଘଟଣାଟି ମୁଁ ମୋର ଅଗ୍ରଜ ପ୍ରତିମ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ମୁହଁରୁ ଶୁଣିଥିଲି ।

ଆଉ ଗୋଟିଏ ଘଟଣା । ଉତ୍କଳ ପାଠକ ସଂସଦ ଓଡ଼ିଶାର ଏକ ଅଗ୍ରଣୀ ସାଂସ୍କୃତିକ ସଂଗଠନ । ଏହାର ବାର୍ଷିକ ଉତ୍ସବ କଟକର ଶ୍ରୀରାମ ଚନ୍ଦ୍ର ଭବନରେ ଅନୁଷ୍ଠିତ ହୁଏ । ସଂଗଠନର ସଭାପତି ରୂପେ ପ୍ରଫେସର ଡ଼ଃ ସଦାଶିବ ମିଶ୍ର ଓ ସମ୍ପାଦକ ଭାବେ ଡଃ ବ୍ରଜମୋହନ ମହାନ୍ତି ଅନେକ ବର୍ଷ ଧରି ରହିଥିଲେ । ସଂଗଠନ ପକ୍ଷରୁ ପ୍ରତିବର୍ଷ ଗୋଟିଏ ଉଚ୍ଚମାନର ସଂକଳନ ପ୍ରକାଶ ପାଏ, ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସଂଗେ ସଂଗେ ଆଲୋଚନା ଚକ୍ର, କବିତା ପାଠୋତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ହୁଏ । ବ୍ୟୟ ବହୁଳ ଏହି କାର୍ଯ୍ୟକ୍ରମକୁ ଡଃ.ବ୍ରଜମୋହନ ମହାନ୍ତି ସମ୍ପନ୍ନ କରନ୍ତି । ତାଙ୍କୁ ପ୍ରକାଶନ କ୍ଷେତ୍ରରେ ଓଡ଼ିଶା ବୁକ୍ ଷ୍ଟୋରର ସ୍ୱତ୍ତ୍ୱାଧିକାରୀ ଗୋବିନ୍ଦ ଚନ୍ଦ୍ର ପାତ୍ର ସହଯୋଗ କରିଥାଆନ୍ତି । ବିଜୁବାବୁଙ୍କୁ ଥରେ ମୁଖ୍ୟ ଅତିଥି କରିବା ପାଇଁ ବ୍ରଜବାବୁ ଭୁବନେଶ୍ୱର ଗଲେ । ତାଙ୍କୁ ନିମନ୍ତ୍ରଣ କରିବାକୁ ଗଲାବେଳେ ପୂର୍ବ ବର୍ଷମାନଙ୍କରେ ପ୍ରକାଶିତ କେତୋଟି ମୂଲ୍ୟବାନ ସଂକଳନ ମଧ୍ୟ ନେଇଥିଲେ । ବିଜୁବାବୁ ଏସବୁ ଦେଖି ଖୁସି ହେଲେ । ସଂଗଠନ ବିଷୟରେ ପଚାରି ବୁଝିଲେ । ଉତ୍ତର ମିଳିଲା- “ମୁଁ ଉତ୍ସବକୁ ଯାଇପାରେ କି ନପାରେ, ତାହା ପାଇଁ ଚିନ୍ତା କର ନାହିଁ । କେତେ ଟଙ୍କା  ଓ କି ପ୍ରକାର ସାହାଯ୍ୟ ଆସି ପହଂଚିଥିଲା । ଏହି ସଂଗଠନ ସହିତ ମୂଳରୁ ମୁଁ ସମ୍ପୃକ୍ତ, ବିଭିନ୍ନ ସଂକଳନରେ ମଧ୍ୟ ମୋର ଲେଖା ପ୍ରକାଶ ପାଇଛି । ତାଙ୍କ କଟକ ବାସ ଭବନରେ ବସି ଆଳାପ ଆଲୋଚନା ବେଳେ, ମୋର ଅଗ୍ରଜ ପ୍ରତିମ ସାହିତ୍ୟିକ ବ୍ରଜମୋହନ ବାବୁ ନିଜେ ମୋତେ ଏହି କଥା କହିଥିଲେ । ସେତେବେଳେ ବ୍ରଜବାବୁ ଥିଲେ କଟକ ଆକାଶ ବାଣୀର ଜଣେ ବରିଷ୍ଠ ପ୍ରଯୋଜପ । ପରେ ବି ସେ କାର୍ଯ୍ୟକ୍ରମ ସମ୍ପାଦକ ପଦରେ ଅଭିସିକ୍ତ ହୋଇଥିଲେ । ଜଣେ ସୁପରିଚିତ ଲେଖକ ଭାବେ ଅନେକ ଗ୍ରନ୍ଥର ସେ ସ୍ରଷ୍ଟାଭାବେ ସ୍ମରଣୀୟ ।

ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଲେଖକ ସମ୍ମେଳନର ଭଦ୍ରକର ସହିଦ ସ୍ମୃତି ଭବନରେ ୩ ଦିନ କାଳ ଅନୁଷ୍ଠିତ ହୋଇଥିଲା । ଶେଷ ଦିନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଧାୟକ ହୃଦାନନ୍ଦ ମଲ୍ଲିକ ସେତେବେଳେ ରାଜ୍ୟ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ଥାଆନ୍ତି । ସେ ଆମକୁ ଏ ଦିଗରେ ସହାୟତା କରିଥିଲେ । ପୂର୍ବତନ ଅଧ୍ୟକ୍ଷ ବଳରାମ ସାହୁ, ଗାଳ୍ପିକ ବିଶ୍ୱନାଥ ବଳ ପ୍ରମୁଖ ଆମ ସହିତ ମଧ୍ୟ ସହଯୋଗୀ ଭାବେ ରହିଥିଲେ । ମୁଖ୍ୟମନ୍ତ୍ରୀ ନୀଳମଣି ବାବୁ ସାହାଯ୍ୟ କରିବା ପାଇଁ ବିଦାୟ ନେବାବେଳେ ପ୍ରତିଶ୍ରୁତି ଦେଇଗଲେ । ଉତ୍ସବ ପରେ ଭୁବନେଶ୍ୱରରେ ମୁଁ ସାକ୍ଷାତ କଲି ।

ଉତ୍ସବର ପ୍ରତିନିଧି ଭାବେ ଭଦ୍ରକରୁ ମୋତେ ପଠା ଯାଇଥାଏ । ସେ ଆମ ଉତ୍ସବ ପାଇଁ ଅର୍ଥ ମଞ୍ଜୁର କଲେ । ଖୁସି ହୋଇ ଫେରିବା ବେଳେ ଶୁଣିବାକୁ ପାଇଲି ବିଜୁବାବୁ ନୂଆଦିଲ୍ଲୀରୁ ଆସିଛନ୍ତି । ତାଙ୍କୁ ସାକ୍ଷାତ କରିବା ପାଇଁ ଇଚ୍ଛା ହେଲା । ଉଦ୍ୟୋକ୍ତା ମାନେ ମୋତେ ଏ ବିଷୟରେ ମତାମତ ଦେଇ ନାହାନ୍ତି । ମୁଁ ମନକୁ ମନ ତାଙ୍କୁ ସାକ୍ଷାତ କରିବାକୁ ପସନ୍ଦ କଲି ନାହିଁ । ସେଠାରୁ ବଳରାମ ବାବୁଙ୍କ ଫୋନ୍ କଲି । ସେ ପରାମର୍ଶ ଦେଲେ- ‘ଭଲ ପ୍ରସ୍ତାବ । ତେବେ ଚେଷ୍ଟା କର, ଯଦି ତାଙ୍କ ଠାରୁ କିଛି ସାହାଯ୍ୟ ମିଳିଯାଏ ତେବେ କାମରେ ଲାଗନ୍ତା ।’

ସେତେବେଳେ ଭୁବନେଶ୍ୱରରେ ମୁଁ ଲେଖକ ସମ୍ମେଳନ ପକ୍ଷରୁ ଜଣେ ପ୍ରତିନିଧି । ଏକୁଟିଆ ଯାଇ ତାଙ୍କୁ ସାକ୍ଷାତ କରିବାକୁ ଭଲ ମନେ କଲି ନାହିଁ । ଆଉ ଜଣେ ଭଦ୍ରକ ବାସିନ୍ଦା ଲେଖକଙ୍କୁ ସାଥୀରେ ନେବାପାଇଁ ଭାବିଲି । ହଠାତ୍ ପାଇଲି ନାହିଁ । କାଳେ ବିଜୁବାବୁ ଅନ୍ୟ କେଉଁଠାକୁ ପଳାଇବେ, ଏହି ଆଶଙ୍କାରେ ଶୀଘ୍ର ଏକା ଯିବାକୁ ବାହାରିଲି, ସ୍ମରଣିକା ପୂର୍ଣ୍ଣାଙ୍ଗ ହୋଇନାହିଁ । ଅସମ୍ପୂର୍ଣ୍ଣ ଭାବରେ ଉନ୍ମୋଚିତ ହୋଇଥିଲା । ପାଖରେ ଥିବା ସମ୍ମେଳନ ପ୍ୟାଡ଼ରେ ତାଙ୍କ ଠାରୁ ବାର୍ତ୍ତାଟିଏ ଆଣିବା ପାଇଁ ମୁଁ ସମ୍ପାଦକ ଭାବେ ଅନୁରୋଧ ପତ୍ର ଲେଖିଲି । ହଠାତ୍ ଯାଇ ସାହାଯ୍ୟ ପ୍ରସଙ୍ଗ ଉଠାଇବା ଉଚିତ୍ ମନେ କଲି ନାହିଁ । ତାଙ୍କ ବାସଭବନରେ ପହଂଚିଲି । ମୋତେ ସେ ଚିହ୍ନି ଆଦର କଲେ । ତୁ କୁଆଡ଼େ ଆସିଲୁ, କାମ କ’ଣ କହ? କହିବା ମାତ୍ରେ, ସମ୍ମେଳନ ବିଷୟରେ ସୂଚନା ଦେଇ, ମ୍ୟାସେଜ୍ ପାଇଁ ଆସିଛି କହିଲି । ସେ କେବେ ହେଉଛି?’ ପଚାରିବାରୁ ମୁଁ ତାଙ୍କୁ ସମ୍ମେଳନ କଥା ସବୁ କହିଲି । ସ୍ମରଣିକା ଛାପା ସରିନାହିଁ, ମଧ୍ୟ ସୂଚନା ଦେଲି । ସେ ଉତ୍ତରରେ କହିଲେ-ତେବେ ନୀଳମଣି ଯାଇଥିଲା । ଭଲ ହେଲା । ସେ କଲଚର ପ୍ରତି ଇଣ୍ଟେରେଷ୍ଟେଡ଼୍ ।’

ମୋ ହାତକୁ ଚିଠିଟି ନେଇ ଘର ଭିତରକୁ ଚାଲିଗଲେ । ତିନିହଜାର ଟଙ୍କା ଚଢ଼ାଇ ଦେଇ କହିଲେ-ଏତେ ବଡ଼ କାମ କରିଛ! ରଖି ଥାଅ ।’ ମୁଁ କୃତଜ୍ଞତା ଜଣାଇ ମ୍ୟାସେଜ୍ ପାଇଁ କହିବା ମାତ୍ରେ ତା’ଉପରେ ବିଶେଷ ଗୁରୁତ୍ୱ ଆଉ ଦେଲେ ନାହିଁ । ସାହିତ୍ୟ ସମ୍ମେଳନ ଉଦ୍ୟୋକ୍ତାଙ୍କ ମନ କଥା, ଦୁଃଖ, ଅବଶୋଷ ଆଉ ଅଭାବ ବିଜୁବାବୁ ଅନୁଭବ କରିପାରିଥିବା ଆମ ପାଇଁ ଥିଲା ସାନ୍ତ୍ୱନା ଓ ଆଶ୍ୱାସନା । ଆସିଲା ବେଳେ ହୃଦାନନ୍ଦ ମଲ୍ଲିକଙ୍କୁ ତାଙ୍କ କ୍ୱାର୍ଟରରେ ସାକ୍ଷାତ କରି ଏହି ବିଷୟ ଶୁଣାଇଲି । ମୁଁ ଭୁବନେଶ୍ୱର ଆସି ଦୁଇ ନେତାଙ୍କ ଠାରୁ କାର୍ଯ୍ୟ ହାସଲ କରିଛି । ଉଦ୍ୟୋକ୍ତାମାନେ ଶୁଣି ଖୁସି ହେଲେ । କିଛି ଦିନ ପରେ, ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ସହାୟତାର ଅର୍ଥରାଶି ଭଦ୍ରକ ପ୍ରଶାସନ ପାଖକୁ ଆସିଗଲା । ଅଭାବ ମେଣ୍ଟିଗଲା । କବିତା ଲେଖିନଥିବା ବିଜୁବାବୁ, କବିଙ୍କୁ ଶ୍ରଦ୍ଧା କରନ୍ତି । କବିତା ଅଧ୍ୟୟନ ପାଇଁ ତାଙ୍କଠାରେ ହୁଏତ ସମୟ ନଥାଇପାରେ । ତେବେ କବିତା ପରି ସୂକ୍ଷ୍ମ କଳା ସୃଷ୍ଟି କରୁଥିବା ସ୍ରଷ୍ଟାଙ୍କୁ ଅସମ୍ମାନ କରନ୍ତେ କାହିଁକି? ଖ୍ୟାତନାମା କବି ରାଧାମୋହନ ଗଡ଼ନାୟକଙ୍କ ସହିତ ମୋର ଥିଲା ଘନିଷ୍ଠ ସମ୍ପର୍କ । ‘ମାତୃଭୂମି ରେ ସହକାରୀ ସମ୍ପାଦକ ଓ ‘ସହକାରୀ’ ରେ ପରିଚାଳନା ସମ୍ପାଦକ ଥିବାବେଳେ ଦିନେ କବି ଗଡ଼ନାୟକ କାର୍ଯ୍ୟାଳୟରେ ପହଂଚିଲେ । ତାଙ୍କୁ ‘ସହକାର’ ପାଇଁ କବିତାଟି ଲାଗି କହିଥିଲୁ । ସେ ଅନ୍ୟ କେଉଁ କାମରେ କଟକ ଆସିଥିବା ଅବସରରେ ତାହା ଦେବା ପାଇଁ ଆସିଥିଲେ । କଥା ପ୍ରସଙ୍ଗରେ ସେ ସେଦିନ ମୋତେ କହିଲେ- “ମୁଁ ଅନ୍ୟ କେଉଁ ନେତାଙ୍କ ସାହିତ୍ୟ ପ୍ରୀତି ରଖିନାହିଁ ।” କିନ୍ତୁ ବିଜୁ ପଟ୍ଟନାୟକଙ୍କ ମୋ’ ପ୍ରତି ସମ୍ମାନ ଓ ଶ୍ରଦ୍ଧା ଭୁଲିପାରିବି ନାହିଁ । ଏକଦା ମୁଁ ତାଙ୍କୁ ସାକ୍ଷାତ କରି ସଦ୍ୟ ପ୍ରକାଶିତ ମୋର କେତୋଟି କବିତା ବହି ତାଙ୍କୁ ଉପହାର ଦେଲି । ସେତେବେଳକୁ ସେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହୋଇଥାଆନ୍ତି । ସେ ନମ୍ର ସ୍ୱରରେ କହିଲେ- “ଆପଣଙ୍କ କବିତା ପଢ଼େ ନାହିଁ, ଆଉ କୌଣସି କବିର କବିତା ପଢ଼ିବା ପାଇଁ ବି ମୋର ବେଳ ନାହିଁ । କିନ୍ତୁ କବିତା ଓ କବିକୁ ମୁଁ ସମ୍ମାନ କଲେ।”

ସେତେବେଳେ କବି ଗଡ଼ନାୟକଙ୍କ “ଶାମୁକାର ସ୍ୱପ୍ନ” କବିତା ବହି ପ୍ରକାଶ ପାଇଥିଲା । ସେଥିରେ ଦଳିତ ଜାତି ବିଶେଷତଃ ଆଦିବାସୀ ସମ୍ପ୍ରଦାୟର ନୈତିକ ବିକାଶ ଲକ୍ଷ୍ୟରେ କିଛି ତଥ୍ୟ ରହିଥାଏ । ବହିଟି ରାଜ୍ୟ ସରକାର କ୍ରୟକରି ଏହାକୁ ପ୍ରଚାର ଓ ପ୍ରସାର କରିବା ଲାଗି କବି ଗଡ଼ନାୟକ ଚାହୁଁଥାଆନ୍ତି । ଏହା ଜାଣିବା ମାତ୍ରେ, ସଂଗେ ସଂଗେ ତାଙ୍କ ପ୍ରାଇଭେଟ୍ ସେକ୍ରେଟାରୀଙ୍କୁ ଡକାଇ “ଶାମୁକାର ସ୍ୱପ୍ନ” ବହିଟିକୁ ରାଜ୍ୟ ସରକାରଙ୍କ ଆଦିବାସୀ ଓ ଗ୍ରାମ ମଙ୍ଗଳ ବିଭାଗ କ୍ରୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସଂପୃକ୍ତ ବିଭାଗ ପକ୍ଷରୁ ବହିରୁ ଦୁଇ ହଜାର କପି କିଣାଯାଇ, ଆଦିବାସୀ ସମ୍ପ୍ରଦାୟ ଭିତରେ ବିତରଣ କରାଯାଇଥିଲା । ଏହି ସଂସ୍କୃତି ପ୍ରୀତି ପ୍ରସଙ୍ଗ କବି ଗଡ଼ନାୟକ କହୁଥିବା ବେଳେ ଆଖି ବୁଲି ଆସୁଥାଏ, ରାଜ୍ୟର ନେତାମାନଙ୍କ ଆଡ଼େ ।

ଜଣେ ନିଜ ସୁଗୁଣରେ ବଡ଼ ହୋଇପାରେ । ଉଚ୍ଚ ପଦାସୀନ ହୋଇ ବହୁ ସମ୍ମାନରେ ଅଧିକାରୀ ହୋଇପାରେ । କିନ୍ତୁ ତା’ଠି ପ୍ରୀତି, ପ୍ରେମ, ସଦ୍ଭାବ ଓ ମାନବିକତା ନରହିଲେ ସମାଜ ତାକୁ ସମ୍ମାନ ଦେବନାହିଁ । ସେ ସ୍ମରଣୀୟ ହୋଇ ରହିବା ସମ୍ଭବ ନୁହେଁ, ବିଜୁବାବୁ ଥିଲେ ମାନବ ପ୍ରେମୀ, ଆଉ ଶିକ୍ଷା ସଂସ୍କୃତିର ପ୍ରୀତି-ଶୁଭେଚ୍ଛୁ ସୁପୁରୁଷ । ସଂସ୍କୃତି, ସାହିତ୍ୟ ଓ ଶିକ୍ଷାକୁ ଛାଡ଼ି ସଭ୍ୟ ମଣିଷର ଗତ୍ୟନ୍ତର ନାହିଁ, ଏହା ଅନୁଭବ କରିଥିଲେ ପ୍ରିୟ ନେତା ସଂସ୍କୃତି ପ୍ରେମୀ ବିଜୁବାବୁ । ସେ ଓଡ଼ିଶାର ପ୍ରଗତି ଓ ବିକାଶ ପାଇଁ ବହୁ କାର୍ଯ୍ୟ କରିଛନ୍ତି । ଏହା ସହିତ ତାଙ୍କଠି ଯେଉଁ ସଂସ୍କୃତି ପ୍ରୀତି ରହିଥିଲା, ତାହା ବିଜୁବାବୁଙ୍କୁ ସ୍ମରଣୀୟ କରି ରଖିବ, ଏହା ଅସ୍ୱୀକାର କରାଯାଇନପାରେ ।

 

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ, ଫକୀର ମୋହନ ବିଶ୍ୱବିଦ୍ୟାଳୟର ସିନେଟ୍ ସଦସ୍ୟ,)

ମଠସାହି, ଭଦ୍ରକ

 

Leave a Reply

*