Blog

ସହଯୋଗୀଙ୍କ କଥାକୁ ଗୁରୁତ୍ୱ ଦେଉଥିଲେ

ବିଜୁବାବୁଙ୍କର ଗଣତନ୍ତ୍ର ଉପରେ ଅଗାଧ ବିଶ୍ୱାସ ଥିଲା ଏବଂ ତାଙ୍କର ସହଯୋଗୀମାନଙ୍କ ସହିତ ଆଲୋଚନା କରି ସେ ନିଷ୍ପତ୍ତି ନେଉଥିଲେ । ଅନେକ ସମୟରେ ତାଙ୍କର ବ୍ୟକ୍ତିଗତ ମତକୁ ଉପେକ୍ଷା କରି ସହଯୋଗୀଙ୍କ ମତକୁ ପ୍ରାଧାନ୍ୟ ଦେଉଥିଲେ ।

ନରସିଂହ ମିଶ୍ର

ବିଜୁବାବୁଙ୍କର ଗଣତନ୍ତ୍ର ଉପରେ ଅଗାଧ ବିଶ୍ୱାସ ଥିଲା ଏବଂ ତାଙ୍କର ସହଯୋଗୀମାନଙ୍କ ସହିତ ଆଲୋଚନା କରି ସେ ନିଷ୍ପତ୍ତି ନେଉଥିଲେ । ଅନେକ ସମୟରେ ତାଙ୍କର ବ୍ୟକ୍ତିଗତ ମତକୁ ଉପେକ୍ଷା କରି ସହଯୋଗୀଙ୍କ ମତକୁ ପ୍ରାଧାନ୍ୟ ଦେଉଥିଲେ । ଉଦାହରଣ ସ୍ୱରୂପ-୧୯୯୦ରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇ ବିଜୁବାବୁଙ୍କର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲି ଓ ଆଇନ୍ ବିଭାଗର ଦାୟିତ୍ୱ ମୋତେ ଦିଆଯାଇଥିଲା । କ୍ୟାବିନେଟ୍‌ର ପ୍ରଥମ, ଦ୍ୱିତୀୟ ବୈଠକ ମନେପଡ଼ୁନଥିଲେ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଗଲା, ଭିଜିଲାନ୍ସ ବିଭାଗର ତତ୍କାଳୀନ ଆଇନ ପରାମର୍ଶଦାତାଙ୍କୁ ପରିବର୍ତ୍ତନ କରାଯିବ । କିନ୍ତୁ କ୍ୟାବିନେଟ୍‌ର ପରବର୍ତ୍ତୀ ବୈଠକ ପର୍ଯ୍ୟନ୍ତ ସେହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇନଥିଲା । ସେହି ସମୟରେ କ୍ୟାବିନେଟ୍ ବୈଠକରେ ଉପସ୍ଥିତ ଥିବା ଭିଜିଲାନ୍ସ ଆଇ.ଜିଙ୍କୁ ମୁଁ ପ୍ରଶ୍ନ କରିଥିଲି ଓ କଠୋର ଭାଷାରେ ପଚାରିଥିଲି, କ୍ୟାବିନେଟ୍ ନିଷ୍ପତ୍ତି କାର୍ଯ୍ୟକାରୀ ନ ହେବା ପାଇଁ ସେ ନିଜେ ଦାୟୀ ଓ ଭିଜିଲାନ୍ସ ଆଇ.ଜିଙ୍କୁ ଦୋଷ ଦେବା ଅନୁଚିତ୍ । ଉତ୍ତରରେ ମୁଁ କହିଥିଲି, ସମ୍ବିଧାନର ବ୍ୟବସ୍ଥା ଅନୁସାରେ କ୍ୟାବିନେଟ୍ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ମଧ୍ୟ ମାନିବା ପାଇଁ ବାଧ୍ୟ । ବିଜୁବାବୁଙ୍କ ସହିତ କିଛି ଯୁକ୍ତିତର୍କ ହେଇଥିଲା । ଏବଂ ଯେତେବେଳେ ବିଜୁବାବୁ କହିଲେ, ବ୍ୟକ୍ତିଗତ କାରଣରୁ ଆଉନ୍ ପରାମର୍ଶଦାତାଙ୍କୁ ବଦଳାଇବା ପାଇଁ ମୁଁ ଚାହୁଁଛି, ସେହି ସମୟରେ ମୁଁ ଦେଇଥିବା କାଗଜ ପ୍ରମାଣ ଥୋଇଦେଇ ତାଙ୍କୁ ପଢ଼ିବା ପାଇଁ ଅନୁରୋଧ କରିଥିଲି । ବିଜୁବାବୁଙ୍କ ଏହି ମନ୍ତବ୍ୟ ପାଇଁ ମୁଁ ଘୋର୍ ଅସନ୍ତୋଷ ଓ ବିରକ୍ତି ପ୍ରକାଶ କରିଥିଲି । ବିଜୁବାବୁଙ୍କ ଭିଜିଲାନ୍ସ ଆଇ.ଜିଙ୍କୁ ତତ୍‌କାଳ ନିର୍ଦ୍ଦେଶ ଦେଲେ ଆଇନ ପରାମର୍ଶଦାତାଙ୍କୁ ତୁରନ୍ତ ପରିବର୍ତ୍ତନ କର । ଏଭଳି ନିର୍ଦ୍ଦେଶ ସତ୍ତ୍ୱେ ମୋର ମାନସିକ ଅବସ୍ଥା ସ୍ୱାଭାବିକ ନ ହେବାରୁ ବିଜୁବାବୁ କହିଥିଲେ   My law minister is against corruption. ମୁଁ ସେତେବେଳେ ଉତ୍ତର ଦେଇଥିଲି,  But my chief minister is promoting corruption. ବିଜୁବାବୁ ସେତେବେଳେ କହିଥିଲେ Cool Down. ତା’ପରେ ସ୍ୱାଭାବିକ ଅବସ୍ଥା ଫେରିଥିଲା । ଏଥିରୁ ପ୍ରମାଣିତ ହେଉଛି, ବିଜୁବାବୁ ତାଙ୍କର ସହଯୋଗୀମାନଙ୍କ କଥାକୁ ଗୁରୁତ୍ୱ ଦେଉଥିଲେ ଓ ସମ୍ମାନର ସହ ଗ୍ରହଣ କରୁଥିଲେ ।

ଅନ୍ୟ ଏକ ଅଭିଜ୍ଞତା ହେଲା, ବିଜୁବାବୁଙ୍କ ଅଫିସ୍ ପ୍ରକୋଷ୍ଠରେ ଆମେ ଦୁହେଁ ବସିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ତତ୍କାକାଳୀନ ସଚିବ ବିଜୁବାବୁଙ୍କୁ କହିଥିଲେ, ଆଇନ୍ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଏକ ଭୁଲ ଆଦେଶ ନେଇଛନ୍ତି । ସେ ସୂଚାଇଥିଲେ, ଆଇନ୍ ବିଭାଗରେ କୌଣସି O.A.S officerଙ୍କୁ  ନିଯୁକ୍ତି ଦିଆଯାଇପାରିବ ନାହିଁ। କେବଳ ବିଚାର ବିଭାଗୀୟ ଅଫିସର ଓ I.A.S officersଙ୍କୁ ନିଯୁକ୍ତି ଦିଆଯାଇପାରିବ । ମୁଁ ଏହାର ପ୍ରତିବାଦ କରିଥିଲି । ବିଜୁବାବୁ ତାଙ୍କର ସଚିବଙ୍କୁ ନିର୍ଦ୍ଦେଶ ଦେଲେ, ଭୁଲ୍ ଆଦେଶ ଦିଆଯାଇଥିଲା, ଫାଇଲ୍ ଓ କେଉଁ ନିୟମର ବିରୁଦ୍ଧାଚରଣ କରି ଆଦେଶ ଦିଆଗଲା, ତାହା ଉପସ୍ଥାପିତ କରିବା ପାଇଁ କିଛି ସମୟ ପରେ ଉକ୍ତ ଫାଇଲ୍ ଓ ଆଇନ୍ ବିଭାଗରେ ନିଯୁକ୍ତି ସମ୍ପର୍କିତ ସରକାରୀ ନିର୍ଦ୍ଦେଶନାମା ନେଇ ମୁଖ୍ୟମନ୍ତ୍ରୀଙ୍କ ସଚିବ ଉପସ୍ଥିତ ହେଲେ ଓ ଫାଇଲ୍ ଦେଖାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ କହିଲେ ନାହିଁ ସାର୍, ଆଇନ୍ ମନ୍ତ୍ରୀ ନେଇଥିବା ଆଦେଶ ଠିକ୍ ଥିଲା । ବିଜୁବାବୁ କହିଥିଲେ, My law minister can never commit mistake. ଏହି ବକ୍ତବ୍ୟ ଶୁଣି ମୁଁ ଅପାର ଆନନ୍ଦ ଅନୁଭବ କରିଥିଲି । ବିଜୁବାବୁଙ୍କ ସହିତ ୫ ବର୍ଷ କାମ କରିବାର ସୁଯୋଗ ପାଇ ମୁଁ ଯେଉଁ ଆତ୍ମସନ୍ତୋଷ ଓ ଆନନ୍ଦ ଅନୁଭବ କରିଛି, ତାହା ଜୀବନସାରା ଭୁଲିହେବ ନାହିଁ ।

ବିଜୁବାବୁ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଶବାସୀ ସ୍ୱୀକାର କରିଛନ୍ତି । ସର୍ବଭାରତୀୟ ସ୍ତରରେ ତାଙ୍କର ସୁନାମ ଥିଲା । ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ବୈଠକକୁ ମୋତେ ସାଂଗରେ ନେଇ ଯାଉଥିଲେ ଏବଂ ମୁଁ ନିଜେ ଦେଖିଛି, ଅନ୍ୟ ଦଳର ସର୍ବଭାରତୀୟ ନେତୃବୃନ୍ଦ କିଭଳି ଭାବେ ତାଙ୍କୁ ସମ୍ମାନ ଦେଉଥିଲେ । ସର୍ବମାନ୍ୟତା ଏବଂ ଦେଶ ବାହାରେ ସମ୍ମାନିତ ହୋଇଥିବା ଜଣେ ଜନନାୟକଙ୍କୁ ଛୋଟ କରି ଦିଆଗଲା ଏବଂ ଏକ ରାଜ୍ୟ ଦଳ ଭିତରେ ସୀମିତ କରିଦିଆଗଲା; ଯେତେବେଳେ ବିଜୁ ଜନତା ଦଳ ଗଠନ କରାଗଲା ।

ବିଜୁବାବୁ କହୁଥିଲେ, ପୁଲିସ୍ ହାତରେ ବନ୍ଧୁକ, ମୋ ପକେଟରେ ଗୁଳି, ମୁଖ୍ୟମନ୍ତ୍ରୀଙ୍କ ବିନା ନିର୍ଦ୍ଦେଶରେ ପୁଲିସ ଗୁଳି ଚାଳନା କରିପାରିବ ନାହିଁ । ଏପରିକି ବିଜୁବାବୁ ତାଙ୍କ ଗସ୍ତ ସମୟରେ ପୁଲିସ ପୋଷାକଧାରୀ ଲୋକ ଦେଖିଲେ ଗାଳି କରିବା ସହିତ ବିରକ୍ତି ପ୍ରକାଶ କରୁଥିଲେ ।

ଷାଠିଏ ଦଶକରେ ବିଜୁବାବୁ ବଲାଙ୍ଗୀର ରାଜେନ୍ଦ୍ର ପାର୍କରେ ସାଧାରଣ ସଭା କରୁଥିଲେ । ସଭା ଆୟୋଜିତ ହୋଇଥିଲା କଂଗ୍ରେସ ଦଳ ପକ୍ଷରୁ ଏବଂ ସେହି ସଭାରେ ତାଙ୍କ ଉପରେ ବିରୋଧିଙ୍କ ପକ୍ଷରୁ ରକ୍ତାକ୍ତ ଆକ୍ରମଣ ହୋଇଥିଲା । ମୁଁ ସେହି ସଭାରେ ଉପସ୍ଥିତ ଥିଲି ଜଣେ ଦର୍ଶକ ହିସାବରେ । ବିଜୁବାବୁ ନିର୍ଭୀକ ଭାବରେ ଠିଆ ହୋଇଥାନ୍ତି, ଟିକେ ବି ହଲ୍‌ଚଲ୍‌ ନାହିଁ । ସାମ୍ନା କରୁଥାନ୍ତି ତାଙ୍କର ପ୍ରତିପକ୍ଷକୁ । ପୁଲିସର ନା ଗନ୍ଧ ନାହିଁ । ଏପରିକି ମୋର ବଡ଼ବାପା ସ୍ୱର୍ଗତ ସତ୍ୟାନନ୍ଦ ମିଶ୍ର ଯିଏ ସେତେବେଳେ ଜିଲ୍ଲା କଂଗ୍ରେସ ସଭାପତି ଥିଲେ, ଯେତେବେଳେ ବିଜୁବାବୁଙ୍କୁ ସୁରକ୍ଷା ଦେବା ପାଇଁ ତାଙ୍କ ସାମ୍ନାରେ ଠିଆହେଲେ, ବିଜୁବାବୁ ତାଙ୍କୁ ଠେଲି ଦେଇଥିଲେ ଏବଂ ତାଙ୍କ ସାମ୍ନାରୁ ବାହାରି ଯିବା ପାଇଁ କହିଥିଲେ । କାହାରି ବିରୋଧରେ ମଧ୍ୟ କେସ୍ ରୁଜୁ ହୋଇନଥିଲା । ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହେବାପରେ ବିଜୁବାବୁ କଳାହାଣ୍ଡି ଗସ୍ତ କରିଥିଲେ, ସେତେବେଳେ ଟେକା ମାରି ତାଙ୍କ ନାକ ଫଟାଇ ଦିଆଯାଇଥିଲା । ବିଜୁବାବୁ ପୁଲିସ୍‌‍କୁ ଡାକି ନିର୍ଦ୍ଦେଶ ଦେଲେ, କାହା ବିରୋଧରେ କେସ୍ କରିବ ନାହିଁ ।

୧୯୯୧ ମସିହାରେ ବଲାଙ୍ଗୀର ସାନ୍ଧ୍ୟ କଲେଜ ସରକାର ହାତକୁ ନେବା ପରେ ଉଦ୍‌ଘାଟନ କରିବା ପାଇଁ ଯାଇଥିବା ସମୟରେ କିଛି ଯୁବକ ତାଙ୍କୁ କଳାପତାକା ପ୍ରଦର୍ଶନ କଲେ । ମୁଁ ସାଂଗରେ ଯାଇଥିଲି । ଡ୍ରାଇଭର୍‌କୁ ଗାଡ଼ି ରଖିବା ପାଇଁ କହିଲେ । ଗାଡ଼ିରୁ ଓହ୍ଲାଇ ଯୁବକମାନଙ୍କ ପାଖକୁ ଗଲେ ଓ ପଚାରିଲେ କ’ଣ ତୁମ ଦାବି? ମାତ୍ର କୌଣସି ଅଘଟଣ ଘଟି ନଥିଲା ।

(ଲେଖକ ଜଣେ ବରିଷ୍ଠ ରାଜନୀତିଜ୍ଞ, ଓଡ଼ିଶା ବିଧାନସଭାରେ ବିରୋଧୀଦଳ ନେତା)

 

Leave a Reply

*