Blog

ଶେଷ ଦର୍ଶନ

ଭିତରେ କେବଳ ଆଖିର ଗୋଟାଏ ପଲକରେ ଦେଖିଲି ବିଜୁବାବୁଙ୍କର ପ୍ରଶାନ୍ତ ମୁଖମଣ୍ଡଳ । କିଛି ଭାବିବା ପୂର୍ବରୁ ଲୁହ ଜକେଇ ଆସିଥିଲା । କେଡ଼େ ପ୍ରଚଣ୍ଡ ବ୍ୟକ୍ତି ଆଜି ମୂକ ପାଲଟି ଯାଇଛି । ଫୁଲର ପାହାଡ଼ ଭିତରୁ ଦିଶୁଥିବା ତାଙ୍କର ମୁହଁଟି ଦେଖି ମତେ ଲାଗୁଥିଲା, ସେ ଯେପରି କିଛି ସମୟ ଲାଗି ବିଶ୍ରାମ ନେଇଛନ୍ତି । ପୁଣି ନିଦରୁ ଉଠିବେ ଓ ଗଢ଼ିବେ ତାଙ୍କ ସ୍ୱପ୍ନର ଓଡ଼ିଶା ।

ଧୃତିକାମ ମହାନ୍ତି

୧୯୯୭ ମସିହା, ଅପ୍ରେଲ୍ ୧୭, ଗୁରୁବାର । ବିଜୁବାବୁଙ୍କର ଦେହାବସାନର ଖବର ଶୁଣିବା ପରେ ମନ ଭିତରେ କେମିତି ଏକ ଶୂନ୍ୟତା ଭରିଗଲା । ସତେ ଯେମିତି ଅତି ଆପଣାର କିଏ ଜଣେ ଚାଲିଗଲା । ଅବଶ୍ୟ ମୁଁ ତାଙ୍କୁ ଅନେକ ଥର ଖୁବ୍ ନିକଟରୁ ଦେଖିଥିଲି କିନ୍ତୁ ବ୍ୟକ୍ତିଗତ ସଂପର୍କରେ ଆସିବାର ସୌଭାଗ୍ୟ ପାଇ ନଥିଲି । ଦୁଃଖରେ ଅଭିଭୂତ ହୋଇପଡ଼ିଥିଲି, କାରଣ ଆମେ ଯାହାଙ୍କୁ ନେଇ ଗର୍ବ କରୁଥିଲୁ ସେଇଭଳି ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଆଜି ଆମ ଗହଣରୁ ବିଦାୟ ନେଲେ ।

ଶବାଧାର ଦିଲ୍ଲୀରୁ ଆସିବାର ସମୟ ବୋଧହୁଏ ସ୍ଥିର ହୋଇଥିଲା ସକାଳ ୮ଟା । ମୁରବି ଛେଉଣ୍ଡ ଓଡ଼ିଶାବାସୀଙ୍କ ଶେଷ ଦର୍ଶନ ପାଇଁ ବିଜୁବାବୁଙ୍କୁ ଅଣାଯାଉଥିଲା ନବୀନ ନିବାସକୁ । ମୁଁ ଓ ମୋର ଜଣେ ଅଗ୍ରଜ ଠିକ୍ ଆଠଟା ହେଉ ହେଉ ବାହାରି ପଡ଼ିଲୁ ନବୀନ ନିବାସ ଅଭିମୁଖେ । ଗଲାବାଟରେ ମନରେ ଭାବନା ଆସିଲା, ଯେଉଁ ଲୋକ ଆଗରେ ଠିଆହେବାକୁ ଦିନେ ସାହସ ହେଉ ନ ଥିଲା, ଆଜି ସେ ନୀରବ, ନିଥର । କାହାକୁ ଆଖି ଖୋଲି ଚାହିଁବନି କି, କି ପଦଟିଏ କଥା ବି କହିବନି । ବାଟରେ ଥିବା ଫୁଲ ଦୋକାନ ସାମ୍ନାରେ ଅଟକି ଦୁଇଟି ଫୁଲତୋଡ଼ା କିଣିଲୁ । ସେ ଆଜି ଦେଖିପାରିବେନି କିଏ ତାଙ୍କୁ ଫୁଲରେ ସ୍ତବକଟିଏ ଦେଉଛି ବା କିଏ ଫୁଲରେ ପୋତି ପକାଉଛି । ଆଜି ସବୁ ନିରର୍ଥକ । ତଥାପି ଶ୍ରଦ୍ଧା ସୁମନ ଅର୍ପଣ କରିବା  ଆମର ଆତ୍ମସନ୍ତୋଷ ପାଇଁ ।

ରାଜମହଲ ଛକ ଟପୁ ଟପୁ ଲକ୍ଷ୍ୟ କଲି ଅଧିକାଂଶ ଦୁଇଚକିଆ ଆଉ ଚାରିଚକିଆ ଯାନ ଛୁଟିଥିଲେ ଗୋଟିଏ ଦିଗକୁ । ସତେ ଯେମିତି ଗୋଟାଏ ସ୍ରୋତରେ ସମସ୍ତେ ଭାସି ଯାଉଥିଲେ । ନବୀନ ନିବାସ ଭୁବନେଶ୍ୱର ଏରୋଡ୍ରମ୍‌କୁ ଲାଗିଛି କହିଲେ ଚଳେ । ବୋଧେ ବିଜୁବାବୁ ଉଡ଼ାଜାହାଜକୁ ଖୁବ୍ ଭଲ ପାଉଥିଲେ ବୋଲି ସେଇଠାରେ ନୀଡ଼ ରଚନା କରିଥିଲେ । ନବୀନ ନିବାସ ପାଖାପାଖି ଅଂଚଳ ଏକ ରକମ ଜନସମୁଦ୍ର । ଆଗକୁ ଟ୍ରାଫିକ୍ ବନ୍ଦ । ଅଗତ୍ୟା ରାସ୍ତାକଡ଼ରେ ଗାଡ଼ି ରଖି ଚାଲିଚାଲି ଆଗେଇଲୁ । ବୟସ ନିର୍ବିଶେଷରେ ହଜାର ହଜାର ନରନାରୀ ଛୁଟିଥାଆନ୍ତି । ପ୍ରକୃତରେ ସେ ଥିଲେ ଓଡ଼ିଆ ଜାତିର ନେତା । ଲୋକମାନଙ୍କର ସ୍ୱତଃସ୍ଫୁର୍ତ୍ତ ସ୍ନେହର ଆଶୟ । ଆମ ଆଗେ ଆଗେ ଯାଉଥିବା ଦୁଇଜଣ ପୋଲିସ କର୍ମଚାରୀ କଥା ହେଉଥିଲେ, “କେମିତିକା ଲୋକ ଥିଲେ, ଯିଏ ମିଶିଥିବ ସେହିଁ ଜାଣି ପାରିବ; ନ ହେଲେ ବାହାରୁ ବାହାରୁ ଦେଖି ବୁଝିହେବନି।” ସଭିଙ୍କ ମୁହଁରେ ତାଙ୍କର ଗୁଣର କଥା । ନବୀନ ନିବାସରେ ପହଞ୍ଚି ଆଖି ଖୋସି ହୋଇଗଲା । ଲୋକଭିଡ଼ ଦେଖି ଶୀଘ୍ର ଶୀଘ୍ର ଶେଷ ଦର୍ଶନ କରି ଫେରି ଆସିବାର ଚିନ୍ତା ମନରୁ ଉଭେଇଗଲା । ଆଜି ବି ସେ ସମ୍ରାଟ । ଶୋଇପଡ଼ିଥିଲେ କ’ଣ ହେବ ତାଙ୍କର ଦର୍ଶନ ପାଇବା ସହଜ କଥା ନୁହେଁ ।

ପୂର୍ବ ରାତିରେ ଦୂରଦର୍ଶନରେ ଦେଖିଥିଲି ନବୀନ ନିବାସକୁ । ଜନମାନବ ଶୂନ୍ୟ, ସବୁ ଶୁନ୍‌ଶାନ୍, ଗୋଟାଏ ଖାଁ ଖାଁ ଭାବ । ଗଛପତ୍ରର ଡାଳଟିଏ ବି ହଲୁ ନ ଥିଲା । ଆଜି କିନ୍ତୁ ନବୀନ ନିବାସର ରୂପ ଥିଲା ଭିନ୍ନ । ବିଜୁବାବୁ ଆସିବା ପରେ ସେଠାରେ ଦର୍ଶନାର୍ଥୀଙ୍କ ଭିଡ଼ ଏମିତି ହୋଇଥିଲା ଯେ ସୋରିଷ ପକାଇବାକୁ ଜାଗା ନ ଥିଲା । ହୁଏତ ନବୀନ ନିବାସରେ ଆଗରୁ ଏପରି ଭିଡ଼ ହୋଇ ନ ଥିବ । ଏଇଟା ହିଁ ଶେଷ ଭିଡ଼ । ଶେଷ ଦର୍ଶନ ପାଇଁ ଲମ୍ବିଥାଏ ଏକ ବିରାଟ ଧାଡ଼ି । ଆଖି ପାଉ ନ ଥାଏ । ଘରର ପାଚେରୀ ଉପର ଯାକ ଲୋକ ଭରପୂର । ସମସ୍ତଙ୍କ ଚେଷ୍ଟା କେମିତି ଟିକିଏ ବିଜୁବାବୁଙ୍କୁ ଦେଖନ୍ତେ । ଚାରିଆଡ଼ ଲୋକାର୍ଣ୍ଣବ । ରାସ୍ତା ଉପରେ ଠିଆ ହୋଇ ଅନେକ ପରସ୍ପରକୁ ପଚାରୁ ଥାଆନ୍ତି– କେମିତି ଯିବା? ତଥାକଥିତ ପ୍ରତିଷ୍ଠିତ ଶ୍ରେଣୀର ଲୋକମାନଙ୍କର ଅବସ୍ଥା କିଂକର୍ତ୍ତବ୍ୟବିମୂଢ଼ । କିନ୍ତୁ ଓଡ଼ିଶାର କେଉଁ କୋଣରୁ ଆସିଥିବା ଦରମଇଳା ଧୋତିପଞ୍ଜାବୀ ପିନ୍ଧା ବିଜୁପ୍ରେମୀଙ୍କର ସେଥିପ୍ରତି ଭ୍ରୂକ୍ଷେପ ନ ଥାଏ। ଓଡ଼ିଶାରୁ ପ୍ରାୟ ସବୁ ଅଂଚଳରୁ ଲୋକ ଆସି ଭର୍ତ୍ତି ହୋଇଯାଇଥାଆନ୍ତି । କେମିତି ଟିକିଏ ତା’ ଭିତରକୁ ପଶିବି ବୋଲି ଚିନ୍ତା କରୁଥିବା ବେଳେ ମୋର ଆଖି ଅଟକି ଗଲା ଜଣେ ବୃଦ୍ଧାଙ୍କ ଉପରେ । ତାଙ୍କ ଆଖିରୁ ଧାର ଧାର ହୋଇ ଲୁହ ବୋହୁ ଥିଲା । ମୁଁ ନିଜକୁ ପ୍ରଶ୍ନ ପଚାରୁଥିଲି– ସତରେ କେତେ ଭଲ ପାଆନ୍ତି ସାଧାରଣ ଲୋକେ ବିଜୁବାବୁଙ୍କୁ? ଏମିତି ଭାବୁଛି, ହଠାତ ଜଣେ ଯୁବକ ବ୍ୟାରିକେଡ୍ ଉପରେ ଚଢ଼ିଯାଇ ବାଷ୍ପରୁଦ୍ଧ କଣ୍ଠରେ ଚିତ୍କାର କରି କହିଲେ– ‘ଆଜି ଆମକୁ କେହି ଅଟକାଇ ପାରିବେନି । ଆମେ ବିଜୁବାବୁଙ୍କୁ ଦେଖିବାକୁ ଆସିଛୁ । ଦେଖିବୁ । ଆସ ଭାଇ ଆସ ।’ ତାଙ୍କର ଚିତ୍କାର ଶୁଣି ବହୁଲୋକ ଏକାବେଳକେ ଠେଲି ହୋଇ ଗେଟ୍ ଭିତରକୁ ପଶିଗଲେ । ମୁଁ ମୋର ଆଳସ୍ୟ ଛାଡ଼ି ବ୍ୟାରିକେଡ୍ ଭିତରେ ଗଳିପଡ଼ି ଗେଟ୍ ପାରିହୋଇ ଭିତରକୁ ପଶିଗଲି ।

ଗେଟ୍ ଭିତରର ପରିବେଶ ଥିଲା ଅଲଗା । ପ୍ରଥମ ଗେଟ୍‌ର ଡାହାଣ ପାଖ ଲନ୍‌ରେ ଅନବରତ କୀର୍ତ୍ତନ, ଗୀତାପାଠ ଇତ୍ୟାଦି ଚାଲିଥାଏ । ମାଇକ୍‌ରେ ରାମଧୁନ୍‌ର ସୂର ଲହରୀ ବିଞ୍ଚି ହୋଇଯାଉଥାଏ । ଲୋକମାନଙ୍କର ଶେଷ ଦର୍ଶନର ଆବେଗ । ସବୁ ମିଶିମାଶି ଏକ ପ୍ରକାର ଭାବଗମ୍ଭୀର ପରିବେଶ ସୃଷ୍ଟି ହୋଇଥାଏ । ବିଜୁବାବୁଙ୍କୁ ରଖାଯାଇଥିଲା ପୋର୍ଟିକୋ ମୁହଁରେ । ସମସ୍ତଙ୍କ ଲକ୍ଷ୍ୟ କେମିତି ସେଠାକୁ ଯିବା । ସବୁଠାରୁ ଆଶ୍ଚର୍ଯ୍ୟ କଥା, ଏ ଭିଡ଼ ଭିତରେ ମହିଳା ଓ ଶିଶୁ ବି ସାମିଲ ହୋଇଥିଲେ । ମୁଁ ସ୍ଥିର କଲି ଯେମିତି ହେଲେ ଶେଷ ଦର୍ଶନ କରିବି । ଆଉ ଏଥିପାଇଁ ଭିଡ଼ରେ ଠେଲିପେଲି ଯିବାକୁ ହେବ । ଫୁଲତୋଡ଼ାଟି ଉଠାଇ ଧରି ପଶିଲି ସେଇ ଜନସମୁଦ୍ରକୁ ।

‘ବିଜୁ ପଟ୍ଟନାୟକ ଜିନ୍ଦାବାଦ୍’, ‘ବିଜୁ ପଟ୍ଟନାୟକ ଅମର ରହେ’ ଧ୍ୱନି ମୋ କାନରେ ପଡ଼ିଲା । ଦେଖିଲି ଅପର ଦିଗରୁ ଏକ ବିରାଟ ପଟୁଆର ଧସେଇ ପଶିଲା । ସେମାନଙ୍କର ବେଗ ଏତେ ଅଧିକ ଥିଲା ଯେ ଆମ ପାଖାପାଖି ଠିଆ ହୋଇଥିବା ସମସ୍ତେ ଦଶ ପନ୍ଦର ହାତ ଠେଲି ହୋଇ ପଛକୁ ଚାଲିଗଲୁ । ମନେ ମନେ ଭାବୁଥିଲି, ପ୍ରକୃତରେ ସେମାନେ ବିଜୁବାବୁଙ୍କୁ ଦର୍ଶନ କରିବାକୁ ହକ୍‌ଦାର । ଯେଉଁ ଆବେଗ ନେଇ ସେମାନେ ଭିଡ଼ ଭିତରକୁ ଡେଇଁ ପଡ଼ିଲେ ଆମର ସେତକ ନାହିଁ । ତେଣୁ ଆମେ ପଛରେ ପଡ଼ିଛୁ । ଆମ ସାମ୍ନାରେ ଜଣେ ବୃଦ୍ଧା ଗୋଟିଏ ଛୋଟ ପୁଅକୁ ଧରି ଠିଆ ହୋଇଥାଆନ୍ତି । ଭିଡ଼ ଭିତରୁ ଜଣେ ଯୁବକ ତାଙ୍କୁ କହିଲେ– ‘ମାଉସୀ ତମେ କାହିଁକି ଏ ଭିଡ଼ ଭିତରେ ପଶିଛ? ତମର ତ ଅବସ୍ଥା ଯାହା ହେବ ଛାଡ଼, ଏ ପିଲାଟାର ଅବସ୍ଥା କଥା ଟିକିଏ ଭାବ?’ ବୃଦ୍ଧାଜଣକ ଅତି ନରମ କଣ୍ଠରେ କହିଲେ– ‘କ’ଣ କରିବି ପୁଅ, ବିଜୁକୁ ଟିକିଏ ଦେଖିବାକୁ ଭାରି ଇଚ୍ଛା । ଆଜି ନ ହେଲେ ଆଉ କେବେ ଦେଖି ପାରିବିନି । ଛୁଆଟା ପାଖ ଛାଡ଼ୁନି, କ’ଣ କରିବି?’ ବୃଦ୍ଧାଙ୍କର ଉତ୍ତରରେ ଏତେ ଦରଦ ଥିଲା ଯେ ତାଙ୍କୁ ବୁଝାଉଥିବା ଯୁବକଟି ପିଲାଟିକୁ କାନ୍ଧରେ ବସାଇ ପକାଇଲା । ମୁଣ୍ଡଫଟା ଖରା, ଅସହ୍ୟ ଗରମରେ ସମସ୍ତଙ୍କ ଦେହ ଝାଳରେ ଜୁଡୁବୁଡୁ । କିନ୍ତୁ ସେଥିପ୍ରତି କାହାର ଭ୍ରୂକ୍ଷେପ ନାହିଁ । ସଭିଏଁ ପ୍ରାଣପଣେ ଚେଷ୍ଟା ଚଳାଇ ଥାଆନ୍ତି କେମିତି ଟିକିଏ ବିଜୁବାବୁଙ୍କୁ ଦେଖନ୍ତେ ।

ଭିଡ଼ ଭିତରେ ଯିଏ ଠେଲିପେଲି ଯାଇପାରିଲା ସେ ପହଞ୍ଚିପାରିଲା ତା’ର ଲକ୍ଷ୍ୟରେ । ମୁଁ ଦେଖିଲି କିଛି ସମୟ ଆଗରୁ ମୋ ପାଖରେ ଛିଡ଼ା ହୋଇଥିବା ବୃଦ୍ଧା ଶବାଧାର ପାଖାପାଖି ହୋଇପାରିଥିଲେ । ସତରେ ତାଙ୍କର ବ୍ୟାକୁଳତା ତାଙ୍କୁ ଏତେ ବାଟ ପହଞ୍ଚାଇ ପାରିଲା । ଏମିତି ଭାବୁଛି ହଠାତ୍ ଆଉ ଗୋଟିଏ ଠେଲାରେ ଭିଡ଼ ବାହାରକୁ ଚାଲି ଆସିଲି । ନିଜର ଅପରାଗତା ଯୋଗୁଁ ନିଜକୁ ମନେ ମନେ ଗାଳି ଦେଉଥାଏ । କାନରେ ପଡ଼ିଲା କେତେଜଣ ରାଜନୈତିକ କର୍ମୀଙ୍କ ଆକ୍ଷେପ, ପୁଲିସ୍ ଚାହିଁଥିଲେ ଲୋକେ ଠିକ୍ ଲାଇନ୍‌ରେ ଆସି ଦର୍ଶନ କରିପାରିଥାଆନ୍ତେ । କିନ୍ତୁ ପୋଲିସ ପୂରା ନିଷ୍କ୍ରିୟ । ପୁଲିସର ଜଣେ ଉଚ୍ଚ କର୍ମକର୍ତ୍ତା ବୁଝାଇ କହୁଥିଲେ– ‘ଆମେ ବି ମଣିଷ । ଲୋକମାନେ ବିଜୁବାବୁଙ୍କୁ ଦେଖିବାକୁ ବି ବ୍ୟାକୁଳ । ଏପରି ପରିସ୍ଥିତିରେ ଆମେ ଯଦି ଠେଲାପେଲା କରୁ ବା ବଳପ୍ରୟୋଗ କରୁ ତେବେ ତାହା ଶୋଭା ପାଇବନି ।’ ମୁଁ ଦେଖିଲି ଭିଡ଼ ଧସେଇ ପଶୁଥିବା ଲୋକମାନଙ୍କୁ ପୁଲିସ ସେପରି ନ କରିବାକୁ ଅନୁରୋଧ କରୁଥିଲା ।

ଆଠଟା ତିରିଶରେ ଆସିଥିଲି, ଘଣ୍ଟା ଦେଖିଲି ବାରଟା ହେଲାଣି । ମୁଁ ଦେଖୁଥିଲି ବହୁ ଲୋକ ଭିଡ଼ରେ  ପଶି ଶେଷ ଦର୍ଶନ କରି ଫେରିଆସୁ ଥାଆନ୍ତି । ମୋର ମନ ବ୍ୟାକୁଳ ହୋଇଉଠିଲା– ମୁଁ କ’ଣ ତାଙ୍କୁ ଶେଷ ଥର ପାଇଁ ଦେଖିପାରିବିନି । ମନକୁ ଟାଣ କରି ଭିଡ଼ ଭିତରେ ପଶିଲି । ପ୍ରାୟ କୋଡ଼ିଏ ପଚିଶ ମିନିଟ୍‌ର ଧକମ୍‌ଧକା ଓ ଠେଲାପେଲା ପରେ ମୁଁ ଶେଷରେ ପହଞ୍ଚିଲି ବିଜୁଙ୍କ ଶେଷଶଯ୍ୟା ପାଖରେ । କୌଣସି ମତେ ଫୁଲଟି ରଖିଲି ତା’ରି ଉପରେ । ପଛପଟୁ ଧକ୍କା, ପୋଲିସ ସ୍ୱେଚ୍ଛାସେବୀମାନଙ୍କର ତାଗିଦ୍ । ଭିତରେ କେବଳ ଆଖିର ଗୋଟାଏ ପଲକରେ ଦେଖିଲି ବିଜୁବାବୁଙ୍କର ପ୍ରଶାନ୍ତ ମୁଖମଣ୍ଡଳ । କିଛି ଭାବିବା ପୂର୍ବରୁ ଲୁହ ଜକେଇ ଆସିଥିଲା । କେଡ଼େ ପ୍ରଚଣ୍ଡ ବ୍ୟକ୍ତି ଆଜି ମୂକ ପାଲଟି ଯାଇଛି । ଫୁଲର ପାହାଡ଼ ଭିତରୁ ଦିଶୁଥିବା ତାଙ୍କର ମୁହଁଟି ଦେଖି ମତେ ଲାଗୁଥିଲା, ସେ ଯେପରି କିଛି ସମୟ ଲାଗି ବିଶ୍ରାମ ନେଇଛନ୍ତି । ପୁଣି ନିଦରୁ ଉଠିବେ ଓ ଗଢ଼ିବେ ତାଙ୍କ ସ୍ୱପ୍ନର ଓଡ଼ିଶା ।

ସୁଅ ମୁହଁରେ ପତରଟିଏ ଭଳି କୌଣସି ମତେ ଠେଲି ହୋଇ ବାହାରକୁ ବାହାରକୁ ଚାଲିଆସିଲି, ଖୋଲାଜାଗା ଦେଖି ଠିଆ ହୋଇ ଲକ୍ଷ୍ୟ କଲି ସମସ୍ତଙ୍କୁ । ପ୍ରକୃତରେ ଆଜି ଏଠି ସମସ୍ତେ ସମାନ– ରିକ୍ସାବାଲା ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ । ବୋଧହୁଏ ବିଜୁବାବୁଙ୍କ ଆଖିରେ ସଭିଏଁ ସମାନ ଥିଲେ । ସମୟ ବଢ଼ିବା ସଂଗେ ସଂଗେ ନବୀନ ନିବାସ ପରିସରରେ ଭିଡ଼ ବଢ଼ୁଥିଲା । ଲୋକେ କଥା ହେଉଥିଲେ– ‘ଭାଇ ଶେଷଥର ପାଇଁ ଦେଖିଲୁ କିନ୍ତୁ ଭଲକି ଆଖି ପୂରାଇ ଦେଖି ପାରିଲୁନି ।’

ସତରେ କି ଆକର୍ଷଣ ଥିଲା କେଜାଣି ସେଇ ଲୋକଟି ପାଖରେ । ମାଇକ୍‌ରେ ବାରମ୍ବାର ଘୋଷଣା ହେଉଥିଲା ଯେଉଁମାନେ ଶେଷ ଦର୍ଶନ କରିସାରିଲେଣି ଦୟାକରି ନବୀନ ନିବାସ ବାହାରକୁ ଚାଲି ଯାଆନ୍ତୁ । ଅନ୍ୟମାନଙ୍କୁ ସୁଯୋଗ ଦିଅନ୍ତୁ । ମୋର ସେଇଠାରେ ଆଉ ଘଡ଼ିଏ ଛିଡ଼ା ହେବାର ଇଚ୍ଛା ଥିଲେ ମଧ୍ୟ କର୍ତ୍ତବ୍ୟ ଦୃଷ୍ଟିରୁ ବାହାରକୁ ଚାଲି ଆସିଲି । ବାହାରେ ପ୍ରବଳ ଖରାରେ ନବୀନ ନିବାସର ମୁଖ୍ୟ ଫାଟକ ଠାରୁ ଏକ ବିରାଟ ଧାଡ଼ି ଲମ୍ବିଧିଲା ଅନେକ ବାଟ ପର୍ଯ୍ୟନ୍ତ । ଆଖି ପାଉ ନଥିଲା । ଆବାଳ ବୃଦ୍ଧବନିତା ଅଶ୍ରୁଭରା ନୟନରେ ବ୍ୟାକୁଳ ହୋଇ ପ୍ରତୀକ୍ଷା କରିଥିଲେ ସେଇ ମହାନ ଆତ୍ମାର ଶେଷ ଦର୍ଶନ ପାଇଁ ।

(ଲେଖକ ଜଣେ ଯୁବ ସାମ୍ବାଦିକ, ’ସିନେ ସମ୍ବାଦ”ର ସଂପାଦକ)

 ‘ସ୍ୱସ୍ତିପ୍ରଭା’, ଶାସନ ପଡ଼ିଆ, ପୁରୁଣା ଭୁବନେଶ୍ୱର,

 ଦୂରଭାଷ: ୯୮୬୧୦୮୬୭୨୦

 

Leave a Reply

*