Blog

“…ଲଢ଼ରେ ଲଢ଼, ମୋ’ ମାଟିର ରକ୍ତ କଢ଼”

ସେ ଯେତିକି ଉଚ୍ଚ ଥିଲେ, ତାଙ୍କ ମନ ବି ସେତିକି ଉଚ୍ଚ ଥିଲା । ତାଙ୍କ ଶାରୀରିକ ଉଚ୍ଚତାକୁ ହୁଏତ ଆମେ ମାପିପାରି ଥିଲୁ, ହେଲେ ତାଙ୍କ ମନର ଉଚ୍ଚତା ଥିଲା ଅସୀମ, ଅମାପ । ତାଙ୍କର କେତେ ଧୈର୍ଯ୍ୟ, କେତେ ସାହସ, କେତେ ଦୃଢ଼ତା । ଏସବୁ ଗୁଣର ସେଥିଲେ ବିରଳ ବ୍ୟକ୍ତିତ୍ୱ । ସାଇକେଲ୍ ଚଢ଼ି କଟକରୁ ପେସାୱାର ଯିବା ହେଉ କି ଡାକୋଟା ବିମାନରେ ଇଣ୍ଡୋନେସିଆରୁ ସାହାରିୟାର, ସୁକର୍ଣ୍ଣ ପ୍ରମୁଖଙ୍କୁ ଉଡ଼ାଇ ଆଣି ଭାରତରେ ନିରାପଦରେ ପହଞ୍ଚାଇବା ହେଉ ତାଙ୍କ ଦୁଃସାହସିକତାର ବିରଳ ନମୁନା ।

ଡକ୍ଟର ପ୍ରସନ୍ନକୁମାର ପାଟଶାଣୀ

ବିଜୁବାବୁ ଚିର ତାରୁଣ୍ୟର ଉତ୍ସ । ସେ ଜନନାୟକ, ଦେଶ ନାୟକ, ବିଶ୍ୱନାୟକ । ତାଙ୍କୁ ଯିଏ ବି ଦେଖିଛି, ଉଦ୍‌ବୁଦ୍ଧ ହେଇଛି, ସେ ସମସ୍ତଙ୍କୁ ଭଲ ପାଉଥିଲେ, ପ୍ରେରଣା ଦେଉଥିଲେ । ଅନ୍ୟର ଦୁଃଖ ଦେଖି ତରଳି ଯାଉଥିଲା । ତାଙ୍କ ହୃଦୟ । ମୋ’ର ସୌଭାଗ୍ୟ ମୁଁ ଅନେକ ସକାଳ, ଅନେକ ସଞ୍ଜ, ଅନେକ ରାତି, ଅନେକ ପାହାନ୍ତି ଏଭଳି ଜଣେ ମହାନ୍ ପୁରୁଷଙ୍କ ପାଖେ ପାଖେ ରହି ସଚ୍ଚା ସଂଗ୍ରାମୀ ସାଥୀଟିଏ ଭଳି କାମ କରିଛି । ଖାଲି ରାଜନୈତିକ ଜୀବନରେ ନୁହେଁ, ସାଂସ୍କୃତିକ ଜୀବନରେ ବି ସେ ସମସ୍ତଙ୍କ ପ୍ରିୟ ମଣିଷ ଥିଲେ । ଦେଶ ବିଦେଶ କେତେ ବୁଲିଚି । କେତେ ଭାଷଣ ଦେଇଚି । ହେଲେ ତାଙ୍କ ଭଳି ଜଣେ ନିଆରା ମଣିଷ କାହିଁ କେଉଁଠି ଦେଖିନାହିଁ । ସେ ଯେତିକି ଉଚ୍ଚ ଥିଲେ, ତାଙ୍କ ମନ ବି ସେତିକି ଉଚ୍ଚ ଥିଲା । ତାଙ୍କ ଶାରୀରିକ ଉଚ୍ଚତାକୁ ହୁଏତ ଆମେ ମାପି ପାରିଥିଲୁ, ହେଲେ ତାଙ୍କ ମନର ଉଚ୍ଚତା ଥିଲା ଅସୀମ, ଅମାପ । ତାଙ୍କର କେତେ ଧୈର୍ଯ୍ୟ, କେତେ ସାହସ, କେତେ ଦୃଢ଼ତା । ଏସବୁ ଗୁଣର ସେ ଥିଲେ ବିରଳ ବ୍ୟକ୍ତିତ୍ୱ । ସାଇକେଲ୍ ଚଢ଼ି କଟକରୁ ପେସାୱାର ଯିବା ହେଉ କି ଡାକୋଟା ବିମାନରେ ଇଣ୍ଡୋନେସିଆରୁ ସାହାରିୟାର, ସୁକର୍ଣ୍ଣ ପ୍ରମୁଖଙ୍କୁ ଉଡ଼ାଇ ଆଣି ଭାରତରେ ନିରାପଦରେ ପହଞ୍ଚାଇବା ହେଉ ତାଙ୍କ ଦୁଃସାହସିକତାର ବିରଳ ନମୁନା । ସେ ଯେମିତି ଥିଲେ ଦୀର୍ଘକାୟ, ତାଙ୍କ ଛାତି ଯେମିତି ଥିଲା ଚଉଡ଼ା ସେମିତି ତାଙ୍କ ଦୁଃସାହସ ଓ ଦୂରଦୃଷ୍ଟିର ପଟ୍ଟାନ୍ତର ନାହିଁ । ସେ ବିଶାଳ, ଉଚ୍ଚ, ଦୀର୍ଘ ଓ ଦୁଃସାହସୀ । ଆମ ରାଜ୍ୟରେ ଯେ କୌଣସି ନୂଆକଥା, ନୂଆ କାମ ହେଇଚି ବୋଲି ଆମେ ଜାଣୁ ସେ ସବୁଥିରେ ତାଙ୍କ ଉଦ୍ୟମ ଓ ଅବଦାନ ପ୍ରତ୍ୟକ୍ଷ, ପରୋକ୍ଷ ଭାବେ ଥିଲା । ସେ ଥିଲେ ରାଷ୍ଟ୍ରନୀତିଜ୍ଞ । ‘କଳିଙ୍ଗ’ ଶବ୍ଦ ତାଙ୍କୁ ଉନ୍ମାଦିତ କରୁଥିଲା । ଉଦ୍‌ବେଳିତ କରୁଥିଲା । ସେ କଳିଙ୍ଗବୀର, କଳିଙ୍ଗପୁତ୍ର, କଳିଙ୍ଗ ସମ୍ରାଟ୍ ଖାରବେଳଙ୍କୁ ନିଜ ଆଦର୍ଶ ଭାବୁଥିଲେ । ମୁଁ ତ ଭାବେ ବିଜୁବାବୁ ଆମର ଦ୍ୱିତୀୟ ଖାରବେଳ । ମୁଁ ଖାରବେଳଙ୍କୁ ଦେଖିନି । ହେଲେ ଯେବେ ବି ଖାରବେଳଙ୍କ କଳ୍ପନା କରେ ମନ ଭିତରେ ବିଜୁବାବୁ ଆସନ୍ତି । ଲାଗେ ବିଜୁବାବୁ, ଖାରବେଳ । କି ଦୃଢ଼ମନା, କି ଦୂରଦୃଷ୍ଟି । ମୁଁ ଭାବିପାରେନି, ଏଭଳି ଜଣେ ବ୍ୟକ୍ତି କିଭଳି ତା’ ଜୀବଦ୍ଦଶାରେ ଏତେ ବିଶାଳତା, ଏତେ ବ୍ୟାପକତା, ଏତେ ପ୍ରଶସ୍ତତା ଦେଖାଇପାରିଛି । ବିଜୁବାବୁଙ୍କ ବିକଳ୍ପ ନାହିଁ । ତାଙ୍କୁ କୌଣସି ଭୂଷଣ କି ବିଶେଷଣରେ ବାନ୍ଧିହେବ ନାହିଁ । ଇଣ୍ଡୋନେସିଆର ଭୂମିପୁତ୍ର ବିଜୁବାବୁଙ୍କୁ ଖାଲି ଇଣ୍ଡୋନେସିଆବାସୀ ନୁହନ୍ତି, ତାଙ୍କ ତୁଙ୍ଗ ନେତୃତ୍ୱ ସୁକର୍ଣ୍ଣୋଙ୍କ ଠାରୁ ମହିଳା ପ୍ରଧାନମନ୍ତ୍ରୀ ମେଘାବତୀଙ୍କ ପର୍ଯ୍ୟନ୍ତ ସମସ୍ତେ ଭଲପାଉଥିଲେ । ମୁଁ ଶୁଣିଛି ମେଘାବତୀ ନାମଟି ବିଜୁବାବୁ ଦେଇଥିଲେ । ମୋ’ର ସୌଭାଗ୍ୟ ତାଙ୍କ ଆଶୀର୍ବାଦରୁ ମୁଁ ଇଣ୍ଡୋନେସିଆ ଯାଇଥିଲି । ସେଠି ଦେଖିଚି ମତ୍ତଗଜ ବିଶ୍ୱବିଦ୍ୟାଳୟ, ଉଦୟନ ବିଶ୍ୱବିଦ୍ୟାଳୟ । ଏ ସବୁ ଆମ ନାଁ, ଆମ ଶବ୍ଦ । ଏଥିରୁ ଅନୁଭବ ହୁଏ, ଜାଭା-ସୁମାତ୍ରା-ବାଲି-ବୋର୍ଣ୍ଣିଓକୁ ଆମ ସାଧବପୁଅମାନେ ବେପାର ବଣିଜ ପାଇଁ ଯାଉଥିଲେ । ଆମ ଦରିଆ ପରି ସମ୍ପର୍କ ଥିଲା ସୁଦୃଢ଼ । ସେହି ସମ୍ପର୍କକୁ ପୁନର୍ଜୀବିତ କରିବା ପାଇଁ ଆମ ଓଡ଼ିଆପୁଅ, ବିଜୁବାବୁ ବାଲିଯାତ୍ରାର ଆୟୋଜନ କରିଥିଲେ । କି ମହାନତା, କି ଉଚ୍ଚ ଚିନ୍ତାଧାରା । କଳ୍ପନା କରିହୁଏନି । ମୁଁ ତ ଏବେ ବି ଭାବି ପାରୁନି ଯେ ଜଣେ ବ୍ୟକ୍ତିର ତିରୋଧାନରେ ତିନି ତିନିଟା ରାଷ୍ଟ୍ରର ଜାତୀୟ ପତାକା ଅର୍ଦ୍ଧନମିତ ହୋଇଥିଲା । ସେହି ବିଶାଳ ବ୍ୟକ୍ତିଙ୍କ ଶବ ଉପରେ ତିନି ତିନିଟା ରାଷ୍ଟ୍ରର ଜାତୀୟ ପତାକା ଘୋଡ଼ାଇ ଦିଆଯାଇଥିଲା । ଏ ସମ୍ମାନ ଆମର ସମ୍ମାନ । ଆମ ଜାତିର ସମ୍ମାନ । ଓଡ଼ିଆ ମାଟିର ସମ୍ମାନ । ଓଡ଼ିଆ ପୁଅର ସମ୍ମାନ । ବିଜୁବାବୁଙ୍କ ସହ ବହୁବାର ତାଙ୍କ କଳିଙ୍ଗ ରଥରେ ଯିବାର ସୌଭାଗ୍ୟ ପାଇଛି । ଥରେ ଆମେ କେନ୍ଦ୍ରାପଡ଼ା ଯାଉଥାଉ । ସେ ଆଗରେ ବସିଥା’ନ୍ତି, ତାଙ୍କ ଡ୍ରାଇଭର ପ୍ରଫୁଲ୍ଲ ଗାଡ଼ି ଚଳାଉଥାଏ । ହଠାତ୍ ସେ ପାଟିକଲେ, ଏତେ ଧୀରେ ଧୀରେ କ’ଣ ଗାଡ଼ି ଯାଏ ବୋଲି ପଚାରି ପ୍ରଫୁଲ୍ଲକୁ ଗାଡ଼ି ଅଟକାଇବାକୁ କହିଲେ । ଗାଡ଼ି ଅଟକିଲା । ସେ ନିଜେ ଚଳାଇଲେ । ଏତେ ଜୋରରେ ଚଳାଇଲେ ଯେ ମୁଁ ହଠାତ୍ କହି ପକାଇଲି ଆପଣ ଆକାଶରେ ବିମାନ ଚଳାଇବା ଭଳି ଏ ମାଟିରେ ଏମିତି ଏତେ ଜୋର୍‌‌ରେ ଗାଡ଼ି ଚଳାଉଛନ୍ତି? ସେ ଚିଡ଼ିଗଲେ। ପରେ ବୁଝେଇଲେ । କହିଲେ, ଡର ନାହିଁ । ଡରିଗଲେ ମରିଯିବ । ତାଙ୍କର ସେଦିନର ସେଇ ଘଟଣା ପରଠୁ ମୁଁ କେବେ ଆଉ ଡରି ନାହିଁ । ଆଉ ଦିନକର ଘଟଣା । ନବୀନ ନିବାସରୁ ଆମେ କଳିଙ୍ଗ ରଥରେ ଗଞ୍ଜାମ ଯିବାର ଥିଲା । ଦୁଇଜଣ ପୁରୁଖା ନେତା ବି ଥା’ନ୍ତି । କ’ଣ ହେଲା କେଜାଣି । ବିଜୁବାବୁଙ୍କ ସହ ସେମାନଙ୍କର ଯୁକ୍ତିତର୍କ ହେଲା । ବିଜୁବାବୁ ରାଗିଯାଇ ଖଣ୍ଡଗିରି ପାଖରେ ସେଇ ଦୁଇଜଣଙ୍କୁ ଗାଡ଼ିରୁ ଓହ୍ଲାଇ ଦେଲେ । ଗାଡ଼ି ଆଗକୁ ଚାଲିଲା । ଖୋର୍ଦ୍ଧା ପାଖାପାଖି ବିଜୁବାବୁ ପଚାରିଲେ, କ’ଣ ଆଜି ଯୋଗଫୋଗ କରିନ କି? ଏମିତି ଚୁପ୍‌ଚାପ୍ ବସିଛ? ମୁଁ କହିଲି ଆପଣ ତ ମୋ’ଠୁ ବୟସରେ ବଡ଼, ଦୁଇ ନେତାଙ୍କୁ ଗାଡ଼ିରୁ ଓହ୍ଲାଇ ଦେଲେ । ମୋ ପାଖରେ ତ ପଇସା ଫଇସା ନାହିଁ । ଓହ୍ଲାଇ ଦେଲେ କୁଆଡ଼େ ଯିବି, ଘରକୁ କେମିତି ଫେରିବି? ସେ ଠୋ ଠୋ  ହସିଲେ । ଛୋଟ ପିଲାଭଳି । ସେ ହସରେ ନ ଥିଲା କୁଟିଳତା କି କୃତ୍ରିମତା । ଏତେ ବଡ଼ ଲୋକ କେମିତି କୁନି ପିଲାଟେ ଭଳି ହସୁଛନ୍ତି ମତେ ବିଭୋର କରିଥିଲା । ମୁଁ ବିସ୍ମିତ ଓ ଆମୋଦିତ ହୋଇଥିଲି । ବିଜୁବାବୁ ନେତା ନ ଥିଲେ । ସେ ଥିଲେ ଆମ ମୁରବୀ । ଆମକୁ ତାଗିଦ୍ କରୁଥିଲେ । ଆକଟ କରୁଥିଲେ । ଶିକ୍ଷା ଦଉଥିଲେ । ବୁଝାଉଥିଲେ । ଆମ ସୁଖଦୁଃଖରେ ସାମିଲ୍ ହେଉଥିଲେ । ଦେଶମାତୃକା ପାଇଁ ତାଙ୍କର ଚିନ୍ତା, ତାଙ୍କର ଦୃଢ଼ ନେତୃତ୍ୱ ଓ ଦୃଢ଼ମନା ବ୍ୟକ୍ତିତ୍ୱ ବାସ୍ତବିକ ଗପ ଲାଗୁଥିଲେ ବି ଶହେରୁ ଶହେ ସତ । ସେ ଥିଲେ ଚିର ତରୁଣ । ତାଙ୍କୁ ବାର୍ଦ୍ଧକ୍ୟ କେବେ ଛୁଇଁନଥିଲା । ସେ ହଠାତ୍ ରାଗି ଯାଉଥିଲେ । ହଠାତ୍ ବି ଶାନ୍ତ ପଡୁଥିଲେ । ତାଙ୍କ ଉଦ୍ଦେଶ୍ୟରେ ଥରେ ମୁଁ ଲେଖିଥିଲି କବିତା ପଦେ

“ମତେ ଯଦି ଭଲପାଅ, ମୋ’ପରି ଯଦି ଚାହଁ ହେବାକୁ ବଡ଼

ଲଢ଼ରେ ଲଢ଼, ମୋ’ ମାଟିର ଯେତେସବୁ ରକ୍ତ କଢ଼

ଲଢ଼ରେ ଲଢ଼ ମୋ’ମାଟିର ରକ୍ତ କଢ଼”…

ସେ ଖୁସି ହେଇଯାଉଥିଲେ । କହୁଥିଲେ ଆହୁରି ପଢ଼ । ଆଜି ମହାନାୟକ ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀରେ ଏମିତି କେତେ କଥା, କେତେ ଘଟଣା ସବୁ ମନେପଡ଼ିଯାଉଛି । ତାଙ୍କ ପ୍ରତି ଜଣାଉଚି ମୋ’ ହୃଦୟର ଶ୍ରଦ୍ଧା ଓ ସମ୍ମାନ ।

(ଡକ୍ଟର ପାଟ୍ଟଶାଣୀ, ବିଜୁ ଜନ୍ମଶତବାର୍ଷିକୀ ଅବସରରେ ‘ଓଡ଼ିଶା ଲାଇଭ୍’କୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରର ସମ୍ପାଦିତ ଅଂଶ)

ସାଂସଦ, ଲୋକସଭା, ଭୁବନେଶ୍ୱର

 

Leave a Reply

*