Blog

ରାଜନୀତି ଥିଲା ତାଙ୍କ ଲାଗି ଜୀବନଧର୍ମୀ ପେସା

୧୯୪୧ ଠାରୁ ୧୯୫୧ ଏହି ୧୦ ବର୍ଷ ମଧ୍ୟରେ ଯେଉଁମାନେ ରାଜନୀତିରେ ପ୍ରବେଶ କଲେ, ସେମାନେ ରାଜନୀତିକୁ ପେସାଭାବେ ଗ୍ରହଣ କରିନଥିଲେ । କିନ୍ତୁ ବିଜୁବାବୁ ରାଜନୀତିକୁ ପେସାଭାବେ ଗ୍ରହଣ କଲେ । ରାଜନୀତି ତାଙ୍କର ଜୀବନ ଏବଂ ଜୀବିକା ଉଭୟ ହେଲା ।

ପ୍ରଫେସର ହୃଦାନନ୍ଦ ରାୟ

୧୯୫୨/୫୩ ମସିହା କଥା । ମୁଁ ସେତେବେଳେ ବାରାଣସୀ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଥାଏ । ସମଗ୍ର ଓଡ଼ିଆ ଜାତିକୁ ଏକାଠି କରିବାର ପ୍ରଚେଷ୍ଟା ଆମେ କରୁଥାଉ । ସେତେବେଳେ କଳିଙ୍ଗ ଭାରତୀର ଆଦର୍ଶରେ ମୁଁ ଉଦ୍‌ବୁଦ୍ଧ ହୋଇ ମୋର କାର୍ଯ୍ୟ କରିଚାଲିଥାଏ । ସେ ସମୟରେ ଆମେ ଡକ୍ଟର ହରେକୃଷ୍ଣ ମହତାବଙ୍କୁ ଏଠାକୁ ନିମନ୍ତ୍ରଣ କରିଥିଲୁ । ଡକ୍ଟର ମହତାବ ଆମର ଅତିଥି ହୋଇ ଏଠି ଆସି ରହିଲେ । ସେତେବେଳେ ବାରାଣସୀ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଆମେ ସମୁଦାୟ ୮୦ ଜଣ ଓଡ଼ିଆ ଯୁବକ ଥିଲୁ। ଆମର ସଂକଳ୍ପ ଥିଲା ଆମେ ବିଦ୍ୟାଧ୍ୟୟନ କରି ଓଡ଼ିଶା ଫେରିଯିବୁ ଏବଂ ସମ୍ପୂର୍ଣ୍ଣ ଜ୍ଞାନର ଆଲୋକ ଏବଂ କର୍ମର ପ୍ରବାହ ଘେନି ଓଡ଼ିଶାକୁ ଏକ ସଚେତନ ରାଜ୍ୟରୂପେ ଗଢ଼ିତୋଳିବୁ ।

ଡକ୍ଟର ମହତାବ ବାରଣାସୀରେ ରହିବା କାଳୀନ ଦିନେ ଏହି ୮୦ ଜଣ ଓଡ଼ିଆ ଯୁବକଙ୍କ ଉଦ୍ୟମରେ ଗୋଟିଏ ସଭାରେ ଡକ୍ଟର ରାଜନାଥ ଯେ କି ଓଡ଼ିଆ ନୁହଁନ୍ତି, ସଭାପତି ଥିଲେ । ଆମେ ସେତେବେଳେ ଭାବିଥିଲୁ ଓଡ଼ିଶାକୁ ଏବଂ ଓଡ଼ିଆ ଲୋକଙ୍କୁ ଆଉ ସଂକୀର୍ଣ୍ଣତା ମଧ୍ୟରେ ନରଖି ଦରବାରରେ ପରିଚିତ କରାଇପାରିଲେ ଯାଇ ଆମର ଶିକ୍ଷା ବା ତାଲିମ ସାର୍ଥକ ହେବ ।

ସେଦିନ ସଭାରେ ଡଃ ହରେକୃଷ୍ଣ ମହତାବ ସକ୍ରିୟ ଅଂଶଗ୍ରହଣ କରି ନିଜର ଭାଷଣ ପ୍ରଦାନ କରିଥିଲେ । ତାଙ୍କର ଭାଷଣ ଶେଷରେ ସେଠାରେ ଉପସ୍ଥିତ ୮୦ ଜଣ ଓଡ଼ିଆ ଯୁବକଙ୍କୁ ସେ ଗୋଟିଏ ପ୍ରଶ୍ନ ପଚାରିଥିଲେ, ମୋର ମନେଅଛି । ସେ ପଚାରିଥିଲେ-କହିପାରିବ,ବର୍ତ୍ତମାନ ଓଡ଼ିଶାରେ ସର୍ବଶ୍ରେଷ୍ଠ ଯୁବକ ଜଣକ କିଏ? ଡକ୍ଟର ମହତାବଙ୍କ ଏହି ପ୍ରଶ୍ନରେ ସେଠି ଉପସ୍ଥିତ ଓଡ଼ିଆ ଯୁବକମାନେ ପରସ୍ପର ମୁହଁ ଚାହାଁଚାହିଁ ହେଲେ । ମୁଁ ସେତେବେଳେ ଉତ୍କଳ ଭାରତୀୟ ସମ୍ପାଦକ ଥାଏ । ମୁଁ କହିଲି-ଆମେ ପ୍ରତ୍ୟେକ ଭାବୁଛୁ ଆମେ ଶ୍ରେଷ୍ଠ । କାରଣ ଆମ ଭିତରେ କୌଣସି କ୍ଷେତ୍ରରେ ପ୍ରତିଯୋଗିତା ନାହିଁ । ହଁ ଏମିତି ହୋଇପାରେ ପରୀକ୍ଷାରେ କିଏ ହୁଏତ ଉଣେଇଶ୍ ବିଶ୍ ଫଳ କରିପାରେ, କିନ୍ତୁ ଆମେ ନିଜ ନିଜ ଗୁଣରେ ଶ୍ରେଷ୍ଠ । ଡଃ ମହତାବ ହସିଲେ, କହିଲେ-ନାଇଁ ନାଇଁ, ମୁଁ ପଚାରିଚି ଓଡ଼ିଶାରେ ବର୍ତ୍ତମାନ ଶ୍ରେଷ୍ଠ ଯୁବକ କିଏ?

ମୁଁ କହିଲି-ଆମେ ଯାହା କହିଲୁ ଆପଣଙ୍କ ମନକୁ ପାଇଲା ନାହିଁ । ତେଣୁ ଆପଣ କୁହନ୍ତୁ କିଏ ଶ୍ରେଷ୍ଠ । ଡଃ ମହତାବ କହିଲେ-ବର୍ତ୍ତମାନ ଓଡ଼ିଶାରେ ଶ୍ରେଷ୍ଠ ଯୁବକ ହେଲେ ବିଜୟାନନ୍ଦ ପଟ୍ଟନାୟକ । ଏହି ନାଁ ଟି ଶୁଣିବା ମାତ୍ରେ ଆମେ ସମସ୍ତେ ସ୍ତମ୍ଭିଭୂତ ହୋଇପଡ଼ିଲୁ । ମୁଁ କହିଲି-ଆଜ୍ଞା ଆପଣ ଏମିତି ନାଁଟିଏ କାହିଁକି କହିଲେ, ଯାହାଦ୍ୱାରା ଅନ୍ୟମାନଙ୍କ ମୁହଁ ମଉଳି ଗଲା? ଡଃ ମହତାବ କହିଲେ, – ହୃଦାନନ୍ଦ, ତମେ ବିଜୟାନନ୍ଦଙ୍କୁ ଜାଣିନାହଁ? ମୁଁ କହିଲି ନା । ଡଃ ମହତାବ କହିଲେ ଯଦି ଜାଣିନାହଁ ତାହେଲେ ଖୁବ୍ ଶୀଘ୍ର ତାଙ୍କୁ ଜାଣିପାରିବ ।

ଓଡ଼ିଶାରେ ଏତେ ମେଧାବୀ ଛାତ୍ର ଥାଉଁ ଥାଉଁ ଡଃ ମହତାବ କାହିଁକି ଯେ ବିଜୟାନନ୍ଦ ପଟ୍ଟନାୟକଙ୍କୁ ସର୍ବଶ୍ରେଷ୍ଠ ଯୁବକ ବୋଲି କହିଲେ, ତାହା ଜାଣିବା ପାଇଁ ମୁଁ ସେଇଦିନଠାରୁ କୌତୂହଳୀ ହୋଇ ରହିଲି ଏବଂ ଓଡ଼ିଶା ଆସିବାପରେ ମୋର ମୁଖ୍ୟ କାମ ହେଲା ଏହି ବିଜୟାନନ୍ଦ ପଟ୍ଟନାୟକ ବା ବିଜୁବାବୁଙ୍କ ସମ୍ପର୍କରେ ଜାଣିବା ।

୧୯୬୨ ମସିହାରେ ଅର୍ଥାତ୍ ମୋର ନିଜ ଭିତରେ କୌତୂହଳ ସେତେବେଳକୁ ୧୦ ବର୍ଷର ପୁରୁଣା, ହଠାତ୍ ଏମିତି ପରିସ୍ଥିତି ଆସି ଉପୁଜିଲା, ପ୍ରାୟ ଏକ ବର୍ଷ କାଳ ବିଜୁବାବୁଙ୍କ ପାଖାପାଖି ଦେଖିବାର ଏବଂ ତାଙ୍କ ସହ କଥାବାର୍ତ୍ତା କରିବାର ସୁଯୋଗ ମତେ ମିଳିଲା । କାରଣ ସେତେବେଳେ ଓଡ଼ିଶାରେ ଯେକୌଣସି ସଭାରେ ମୁଖ୍ୟତଃ ଦୁଇଜଣଙ୍କୁ ଲୋକେ ଦେଖିବାକୁ ପାଉଥିଲେ । ପ୍ରାୟ ପ୍ରତ୍ୟେକ ସଭାରେ ବିଜୁବାବୁ ସଭାପତି ଆଉ ମୁଁ ମୁଖ୍ୟବକ୍ତା । ଓଡ଼ିଶା ଭଳି ରାଜ୍ୟରେ ଜଣେ ହୁଏତ ଶ୍ରେଷ୍ଠ ନେତା, ଶ୍ରେଷ୍ଠ ଧର୍ମପରାୟଣ ବ୍ୟକ୍ତି ବା ଧନୀ ହୋଇପାରେ କିନ୍ତୁ ଶ୍ରେଷ୍ଠ ଯୁବକ ହେବ କେମିତି? ଏହି ପ୍ରଶ୍ନଟି ବିଜୁବାବୁଙ୍କୁ ଦେଖିବା ମାତ୍ରେ ମୋ ମନକୁ ବାରମ୍ବାର ଆନ୍ଦୋଳିତ କରୁଥାଏ ।

ଥରେ ବିଜୁବାବୁ ଗୋଟିଏ ସଭାରେ କହିଲେ-ହଇଓ, ଏହି ଯେଉଁ ଧଉଳି ଶାନ୍ତିସ୍ତୁପ ହୋଇଛି, ତାହା ତମରି ମାନଙ୍କ ଭଳି ଧର୍ମପ୍ରାଣ ବ୍ୟକ୍ତିମାନଙ୍କ ଯୋଗୁଁ ସମ୍ଭବ ହୋଇଛି । ମୁଁ କହିଲି- ଆପଣଙ୍କ ଭଳି ଲୋକ ହୋଇଥିଲେ ସେଠି କ’ଣ କରିଥା’ନ୍ତେ? ସେ କହିଲେ ମୁଁ ସେଠି ଗୋଟିଏ ଜିମ୍ନାସିଅମ କରିଦେଇଥାନ୍ତି । ଓଡ଼ିଆ ଲୋକେ ସେଠି ଏତେବେଳକୁ ଗଦା ବୁଲାଉଥା’ନ୍ତେ କିମ୍ବା କୁସ୍ତି କରୁଥା’ନ୍ତେ । ମୁଁ କହିଲି – କାଇଁ ଆପଣ ଏମିତି ଗୋଟେ ଅନୁଷ୍ଠାନ କରୁନାହାନ୍ତି ଯେଉଁଠି ମଣିଷ ଗଦା ବୁଲେଇ ବୁଲେଇ କ୍ଲାନ୍ତ ହୋଇପଡ଼ିଲେ ଚୁପ୍‌ଚାପ୍ ବସି ଧ୍ୟାନ କରିବ ଆଉ ଧ୍ୟାନ କରି କରି କ୍ଲାନ୍ତ ହୋଇପଡ଼ିଲେ ଗଦାବୁଲେଇବ । ମୋର କହିବାର ଅର୍ଥ କର୍ମ ଆଉ ଆତ୍ମିକ ସ୍ଥିରତା କ’ଣ ଗୋଟିଏ ଜାଗାରେ ସମ୍ଭବ ନୁହେଁ? ଏଣୁ ଆପଣ ଆଚାର୍ଯ୍ୟ ଫୁଜିଙ୍କ ଶାନ୍ତି ନିଳୟକୁ ଲଗେଇ ଗୋଟେ ଜିମ୍ନାସିଅମ୍ କରନ୍ତୁ, ଆମ ଭଳି ଯୋଗୀ ବା ସନ୍ଥମାନେ ଯାଇ ସେଠି ଯୋଗ କରିବେ ଏବଂ ଯୋଗ କରିକରି କ୍ଲାନ୍ତ ହୋଇପଡ଼ିଲେ ଜିମ୍ନାସିଅମ୍‌କୁ ଯାଇ ଗଦା ବୁଲେଇବେ, କୁସ୍ତି କସରତ କରିବେ । ବିଜୁବାବୁ ମୋ କଥା ଶୁଣି ହସିଲେ ସିନା କୌଣସି ଉତ୍ତର ଦେଇନଥିଲେ । ମୁଁ ସେଇଦିନ ତାଙ୍କ ହସରୁ ଏବଂ ନିରୁତ୍ତର ରହିବା ଭଙ୍ଗୀରୁ ଜାଣିପାରିଥିଲୁ ଯେ ସତରେ ବିଜୁବାବୁ ପ୍ରତ୍ୟେକ କଥାକୁ ଖୁବ୍ ଗମ୍ଭୀରତାର ସହିତ ଗ୍ରହଣ କରୁଛନ୍ତି ଏବଂ ଓଡ଼ିଶାର ପ୍ରଗତି ପାଇଁ ସେ ଯେ ଧଉଳି ଶାନ୍ତି ସ୍ତୁପ ନିକଟରେ ଗୋଟିଏ କାଳ୍ପନିକ ଜିମ୍ନାସିଅମ୍ କଳ୍ପନା କରିପାରୁଛନ୍ତି ଏହାହିଁ ଥିଲା ତାଙ୍କ ଶ୍ରେଷ୍ଠତ୍ୱର ନିଦର୍ଶନ । ଥରେ ତାଙ୍କୁ ପଚରା ଯାଇଥିଲା-କଳିଙ୍ଗ ବୋଇଲେ ଆପଣ କ’ଣ ବୁଝନ୍ତି? ସେ କହିଲେ-କଳିଙ୍ଗ କହିଲେ ସାହସୀ ଲୋକମାନଙ୍କୁ ବୁଝାଏ । ସାହସିକତାର ସହିତ ସବୁକିଛି କରିବାକୁ ପଡ଼ିବ । ସମୁଦ୍ରକୁ ଏବଂ ତା’ର ଢ଼େଉକୁ ଦେଖି ଭାବପ୍ରବଣ ହେଲେ ଚଳିବ ନାହିଁ, ତାକୁ ଅତିକ୍ରମ କରିବାକୁ ପଡ଼ିବ । ପ୍ରୟୋଜନ ପଡ଼ିଲେ ତା ମଧ୍ୟକୁ ଲମ୍ପ ଦେବାକୁ ହେବ ଏବଂ ଅନନ୍ତ ଗଭୀରତାକୁ ଯାଇ ରତ୍ନର ସନ୍ଧାନ ମଧ୍ୟ କରିବାକୁ ପଡ଼ିବ । ଏହାହିଁ ବିଜୟାନନ୍ଦ ପଟ୍ଟନାୟକଙ୍କ ଅସଲ ପରିଚୟ । ସେ ଯେ ଚିରକାଳ ପ୍ରଗତିବାଦୀ ଚିନ୍ତାରେ ମୋହଗ୍ରସ୍ତ ଏକଥା କେହି ଅସ୍ୱୀକାର କରିପାରିବେ ନାହିଁ । ମୋର ମନେଅଛି ଖୁବ୍ ପିଲାବେଳେ ଥରେ କାଠଯୋଡ଼ି ନଈର ବନ୍ୟାଞ୍ଚଳ ଦେଖିବାକୁ ଯାଇ ଗୋଟିଏ ଛୋଟ ପିଲାଟିଏ ପଡ଼ିଗଲା । ପଣ୍ଡିତ ଗୋପବନ୍ଧୁ ଦାସ ସେଠି ଉପସ୍ଥିତ ଥାନ୍ତି । ପିଲାଟି ପଡ଼ିଯିବା ପରେ ଦେଖାଗଲା ଆଉ ଗୋଟିଏ ପିଲା ମଧ୍ୟ ପାଣିକୁ ଡେଇଁପଡ଼ିଲା । ବନ୍ଧ ଉପରେ ଲୋକଙ୍କର ହାହାକାର ଚିତ୍କାର-ଭାସିଗଲେ, ଭାସିଗଲେ। ଏହି ହା-ହା କାର ଚିତ୍କାର ମଧ୍ୟରେ ଦ୍ୱିତୀୟ ପିଲାଟି ପ୍ରଥମ ପିଲାଟିକୁ କଳେବଳେ କୌଶଳେ ପାଣି ଭିତରୁ କୂଳକୁ ନେଇଆସିଲା । ଉପସ୍ଥିତ ସମସ୍ତେ ସେ ପିଲାଟିକୁ ସାବାସୀ ଦେଲେ । ପଣ୍ଡିତ ଗୋପବନ୍ଧୁ ପିଲାଟିକୁ ନିଜ କୋଳକୁ ଆଉଜାଇ ନେଇ ଆଶୀର୍ବାଦ କରି କହିଥିଲେ-ତୁ ନିଶ୍ଚୟ ଜୀବନରେ ବଡ଼ ହେବୁ । ମୁଁ ସେତେବେଳେ ଛୋଟ ଥିଲି ଏଣୁ ପିଲାଟିର ଜୀବନର ଏଇ ଦିଗଟିକୁ ଭଲଭାବରେ ବିଶ୍ଳେଷଣ କରିପାରିନଥିଲି । କିନ୍ତୁ ପରେ ଜାଣିଲି ଉକ୍ତ ଦୁଇଟି ପିଲାଙ୍କ ମାନସିକତାରେ ଆକାଶ ପାତାଳ ପାର୍ଥକ୍ୟ ଥିଲା ।

କାରଣ ଜଣେ ପାଣିକୁ ଦେଖୁ ଦେଖୁ ଅଚେତନ ଭାବରେ ପଡ଼ିଯାଇଥିଲା, କିନ୍ତୁ ଅନ୍ୟ ଜଣେ ପାଣିକୁ ସେ ପିଲାଟିକୁ ସଚେତନ ଭାବରେ ଦେଖି ସଚେତନ ଭାବରେ ପାଣିକୁ ଡ଼େଇପଡ଼ିବାର ସାହସ କରିଥିଲା । ଆଉ ଏଇ ସାହସୀ ପିଲାଟି ଥିଲେ ବିଜୁ ପଟ୍ଟନାୟକ । ବିଜୁବାବୁଙ୍କର ମହନୀୟତା ଏଇଠି । ସେ ସଚେତନ ଭାବରେ ତା’ର ସାମ୍ନା ମଧ୍ୟ କରନ୍ତି ଏବଂ ଏ ପ୍ରକାର ସାହସିକତା ମୁଁ ତାଙ୍କଠାରେ ସବୁବେଳେ ଲକ୍ଷ୍ୟ କରିଛି ।

ଭାରତବର୍ଷରେ ବହୁ ରାଜ୍ୟ ନୌବାଣିଜ୍ୟ କରୁଥିଲେ । ଆନ୍ଧ୍ରପ୍ରଦେଶ କରୁଥିଲା, ତାମିଳନାଡୁ କରୁଥିଲା, ବଙ୍ଗଳା ମଧ୍ୟ କରୁଥିଲା । କିନ୍ତୁ କେହି ତ କହିନାହାନ୍ତି କଳିଙ୍ଗ ସାହସିକା ପରି ଅମୁକ ସାହସିକା । ତେଣୁ ନୌବାଣିଜ୍ୟ କରିବା କଥା ବଡ଼ ନୁହେଁ, ବରଂ କଥା ହେଲା ପରିସୀମାକୁ ଘୁଞ୍ଚାଇବା,ଦରକାର ପଡ଼ିଲେ ତା ଆରପଟକୁ ଡ଼େଇଁପଡ଼ିବା । ଏହାହିଁ ବୋଧେ ବିଜୁବାବୁଙ୍କ ଶ୍ରେଷ୍ଠତ୍ୱର ନିଦର୍ଶନ ଏବଂ ତାଙ୍କର ଏ ପ୍ରକାର ମହନୀୟତା ଯୋଗୁଁ ତାଙ୍କର ଗୁଣଗାନ କରିବାର ମୋରତ ତିଳେ ମାତ୍ର କୁଣ୍ଠାବୋଧ ନାହିଁ ।

ମୋର ମନେପଡ଼ୁଛି ରେଭେନ୍ସା କଲେଜରେ ଥରେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଜୁବାବୁ ଯାଇଥିଲେ ସେଠିକି । ସେ ତ ଡେଙ୍ଗାଲୋକ ।  ସେଠି ପହଂଚିବା ମାତ୍ରେ ଛାତ୍ରମାନେ ତାଙ୍କୁ ବେଢ଼ିଗଲେ । ବିଜୁବାବୁଙ୍କୁ ସେମାନେ କହୁଥାନ୍ତି ଆପଣ ଏମିତି କରନ୍ତୁ ନାହିଁ । ବିଜୁବାବୁ କହିଲେ- କିରେ, ମତେ ଘେରାଉ କରିବା ପାଇଁ ତମର ଯଦି ସାହସ ଅଛି ତାହେଲେ ଘେର ଭିତରେ ରହିବାକୁ ମୋର ସାହସ ଅଛି । କାରଣ ଶତ୍ରୁତା କଲେ ମଧ୍ୟ ତମେ ଆଉ ମୁଁ ଏକା ଜାତିର, ଏକା ଜାଗାର ଲୋକ । ଏଣୁ ଭୟ କରିବାର କ’ଣ ଅଛି । ମୋର ମନେ ଅଛି ହୃଦୟ ଛୁଆଁ କଥା କହି ସେ ସମସ୍ୟାର ସମାଧାନ କରିଥିଲେ ଏବଂ ଛାତ୍ରମାନଙ୍କର ହୃଦୟ ଜୟ କରିଥିଲେ । ବିଜୁବାବୁ ଯଦି ରାଜନୀତି କରିନଥାନ୍ତେ ତାହେଲେ ସେ ଉତ୍କଳର ସର୍ବଶ୍ରେଷ୍ଠ ପୁତ୍ର ବୋଲାଉଥା’ନ୍ତେ । କିନ୍ତୁ ରାଜନୀତି କରିବା ଫଳରେ ତାଙ୍କର ବ୍ୟକ୍ତିତ୍ୱରେ ସାମାନ୍ୟ ଆଞ୍ଚ ଆଣିଲା ଭଳି ମନେହୁଏ । ଅର୍ଥାତ୍ ରାଜନୀତି ତାଙ୍କ ବ୍ୟକ୍ତିତ୍ୱର ରୂପକ ଚନ୍ଦ୍ରମାରେ ମେଘ ସଦୃଶ ଘୋଡ଼େଇ ହୋଇଗଲା । ତଥାପି ମୋର ମନେହୁଏ ସେହି ମେଘ ବାହାରେ ମଧ୍ୟ ତାଙ୍କ ବ୍ୟକ୍ତିତ୍ୱର କିରଣ ଏବେ ବି ସ୍ପଷ୍ଟ ହୋଇଉଠୁଛି । ବିଜୁବାବୁ ସବୁବେଳେ ଏମିତି ଏକ ରାଜନୈତିକ ଦ୍ୱନ୍ଦ୍ୱ ଭିତରେ ରହି ନିଜର ଭାସ୍ୱର ପ୍ରତିଭାକୁ ଜାହିର କରିପାରିଛନ୍ତି । କାରଣ ମୁଁ ଜାଣେ ସତ ସବୁବେଳେ କହନ୍ତି ଏବ ଏହି ନିର୍ଦ୍ଦିଷ୍ଟ ବ୍ୟକ୍ତିଜଣକ ସତ କହିବା ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ । ବିଜୁବାବୁ ସେହି ନିର୍ଦ୍ଦିଷ୍ଟ ସତ କହୁଥିବା ଲୋକ । ଓଡ଼ିଶାର ଭବିଷ୍ୟତ ପାଇଁ ଚିନ୍ତା କରିଥିବା ବା କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ସେ ଅନ୍ୟତମ ।

ମୋର ମନେ ଅଛି, ଦଇତାରୀରୁ ପାରାଦ୍ୱୀପ ପର୍ଯ୍ୟନ୍ତ ଆଜି ଯେଉଁ ଏକ୍ସପ୍ରେସ୍ ହାଇୱେ ଅଜଗର ପରି ଲମ୍ବିଯାଇଛି,ତାକୁ ତିଆରି କରିବା ଏବଂ ନେହେରୁଙ୍କୁ ଓଡ଼ିଶାର ପ୍ରଗତି ସମ୍ପର୍କରେ ଅବଗତ କରାଇବା ପାଇଁ ସେ ତାଙ୍କ ଜୀବନର ବହୁମୂଲ୍ୟବାନ ସମୟ ନଷ୍ଟ କରିଛନ୍ତି । ମୁଁ ଥରେ କହିଥିଲି-ବିଜୁବାବୁ ଆପଣ ଯଦି ରାଜନୀତି କରିନଥାନ୍ତେ ତାହେଲେ ଆପଣ ବୃହତ୍ତର ବିଜୁବାବୁ ହୋଇପାରିଥାନ୍ତେ । ସେ କହିଲେ, କାହିଁକି ଯେ କୌଣସି କାର୍ଯ୍ୟ କଲେ ମଧ୍ୟ ବ୍ୟକ୍ତିତ୍ୱରେ ଆଞ୍ଚ ଆସେନା । ମୁଁ କହିଲି ଆପଣ ଯଦି ରାଜନୀତି କରିନଥା’ନ୍ତେ ତାହେଲେ ଆପଣଙ୍କୁ ଲୋକେ ଜାତୀୟ ଗୁରୁ ବୋଲି ମାନିନେଇଥା’ନ୍ତେ । ଆପଣ ଆପଣଙ୍କ ପରି ଆଉ ପାଂଚଟା ସୃଷ୍ଟି କରିପାରିଥାନ୍ତେ । କିନ୍ତୁ ଆପଣ ରାଜନୀତି କରି ପାଇଲେ କ’ଣ? ଆପଣଙ୍କ ଶିଳ୍ପ କ୍ଷେତ୍ରରେ ଥିବା ସମସ୍ତ କଳା-କୌଶଳକୁ ଆପଣ ରାଜନୀତିରେ ବିନିଯୋଗ କଲେ । ଏ କ୍ଷେତ୍ରରେ କ’ଣ ଆପଣ ଆପଣଙ୍କ ପରି ଆଉ ପାଂଚଟା ବିଜୁବାବୁ ଗଢ଼ିପାରିଛନ୍ତି? ଏଣୁ ଆପଣଙ୍କୁ ଏ ଜାତିର ଗୁରୁ ବୋଲି କେହି କହିବେନି ବରଂ ଏ ଜାତିରେ ଖେଳୁଆଡ଼ ବୋଲି କହିବେ । ଅବଶ୍ୟ ଏକଥା କହିବା ପରେ ମୁଁ ମନସ୍ତାପ କରିଥିଲି କାରଣ ମୁଁ ଜାଣେ ବିଜୁବାବୁ କେଉଁ ପରିସ୍ଥିତିରେ ରାଜନୀତି କଲେ । ଆଉ ବାଟ ନଥିଲା । ଯେତେବେଳେ ସେ ଜାଣିଲେ ଯେ ରାଜ୍ୟ ରାଜନୀତିର ମୁଖ୍ୟ କାରପଟଦାରମାନେ ତାଙ୍କର ସର୍ବନାଶ କରିବାକୁ ବସିଛନ୍ତି, ସେତେବେଳେ ସେ ବାଧ୍ୟ ହୋଇ ରାଜୀନୀତିରେ ପ୍ରବେଶ କଲେ । କାରଣ ଏମିତି ପରିସ୍ଥିତି ଉପୁଜିଲା କୌଣସି ରାଜନୈତିକ ଦଳ ତାଙ୍କୁ ସାହାଯ୍ୟ କରିପାରିବେନି ବୋଲି ମନା କରିଦେଲେ । କିନ୍ତୁ ବିଜୁବାବୁ ସେଥିରେ ବିଚଳିତ ନହୋଇ ଘୋଷଣା କଲେ ଯେ ଯେଉଁ ଅସ୍ତ୍ର ଧରି ଆପଣମାନେ ଭୀଷ୍ମ ହୋଇଛନ୍ତି ସେହି ଅସ୍ତ୍ର ଧରି ଅର୍ଜୁନ ନହୋଇ ପାରିଲେ ମଧ୍ୟ ଅଭିମନ୍ୟୁ ହୋଇ ମୁଁ ଲଢ଼ିବି । ସତରେ ଅଭିମନ୍ୟୁ ହଉ ହଉ ଜୀବନରେ ବିଜୁବାବୁ ଅନେକ କିଛି ହରାଇଛନ୍ତି । ଆକାଶରେ ଯେତେବେଳେ ବାଣ ଫୁଟେ ସେତେବେଳେ ଆକାଶ ଉଜ୍ଜଳ ଦିଶେ କିନ୍ତୁ ବାଣ ଭିତରେ ଯେ ବାରୁଦ ଜଳୁଛି ତାହା କେହି ଦେଖିପାରନ୍ତି ନାହିଁ । ଠିକ୍ ସେମିତି ବିଜୁବାବୁ ବାଣ ଭଳି ଫୁଟିଲେ, ତା’ ସହିତ ତାଙ୍କର ଅର୍ଥ, ସମ୍ପତ୍ତି, ବ୍ୟକ୍ତିତ୍ୱ ସବୁ ଜଳିବାକୁ ଲାଗିଲା । ତଥାପି ବିଜୁବାବୁ ହସି ହସି ତାକୁ ଆହ୍ୱାନ କଲେ । ବିଜୁବାବୁ ଏ ପ୍ରକାର ଚରିତ୍ର ପ୍ରତି କାହାରି ନହେଲେ ମଧ୍ୟ ମୋର ଶ୍ରଦ୍ଧା ଥିଲା ।

ମୁଁ ବିଜୁବାବୁଙ୍କୁ ଥରେ କହିଥିଲି-ବିଜୁବାବୁ ଆପଣ ଜୀବନରେ ଯଦି ଦୁଇଟି କାମ କରିଥା’ନ୍ତେ ତା’ହେଲେ ଭଲ ହୋଇଥା’ନ୍ତା । ସେ ପଚାରିଲେ କ’ଣ? ମୁଁ କହିଲି-ଆପଣଙ୍କର ସାଧୁସଂଗ କରିବାର ଥିଲା । ସେ କହିଲେ-ମାନେ? ମୁଁ କ’ଣ ଅସାଧୁ ସଂଗ କରିଛି? ମୁଁ କହିଲି-ମୁଁ ସେକଥା କହିନି । ଅସାଧୁ ସାଧୁ ମଧ୍ୟରେ ଗୋଟିଏ ଗୋଷ୍ଠୀର ଲୋକ ଥାଆନ୍ତି । ଆପଣ ସେହିମାନଙ୍କ ସହ ବନ୍ଧୁତା ସ୍ଥାପନ କରିଛନ୍ତି । କିନ୍ତୁ ଆପଣଙ୍କୁ ଏମାନଙ୍କଠାରୁ ଉର୍ଦ୍ଧ୍ୱରେ ଥିବା ଲୋକମାନଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ପଡ଼ିବ । ସେ କହିଲେ ମତେ ସାଧୁ ମିଳିବେ କୋଉଠି?

ମୁଁ କହିଲି-କ’ଣ ଆପଣ ଏତେ ଆଡ଼େ ବୁଲୁଛନ୍ତି ଆପଣଙ୍କୁ ସାଧୁ ମିଳୁନାହାନ୍ତି? ସେ କହିଲେ-ନା । ମୁଁ କହିଲି-ତା’ହେଲେ ଆପଣ ମୋ ପରି ସାଧୁମାନଙ୍କ ସହ ସମ୍ପର୍କ ସ୍ଥାପନ କରନ୍ତୁ ଏବଂ ଭଗବାନଙ୍କୁ ଆପଣଙ୍କର ସମଗ୍ର ଜୀବନ ଉତ୍ସର୍ଗ କରନ୍ତୁ । ଭାବନ୍ତୁ ଯେ ମୁଁ ବିଜୁ ପଟ୍ଟନାୟକ ଏ ପୃଥିବୀରେ କିଛି କରିନାହିଁ । ୧୯୪୧ ଠାରୁ ୧୯୫୧ ଏହି ୧୦ ବର୍ଷ ମଧ୍ୟରେ ଯେଉଁମାନେ ରାଜନୀତିରେ ପ୍ରବେଶ କଲେ, ସେମାନେ ରାଜନୀତିକୁ ପେସାଭାବେ ଗ୍ରହଣ କରିନଥିଲେ । କିନ୍ତୁ ବିଜୁବାବୁ ରାଜନୀତିକୁ ପେସାଭାବେ ଗ୍ରହଣ କଲେ । ରାଜନୀତି ତାଙ୍କର ଜୀବନ ଏବଂ ଜୀବିକା ଉଭୟ ହେଲା ।

ଡଃ ମହତାବଙ୍କ ‘ଝଙ୍କାର’ ହେଉ ବା ‘ପ୍ରଜାତନ୍ତ୍ର’ ହେଉ ସେହି ଅନୁଷ୍ଠାନ ତଥା ମହତାବଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେତେବେଳରୁ ନେତାମାନେ ରାଜନୀତିକୁ ଜୀବନଧର୍ମୀ ପେସାଭାବେ ଗ୍ରହଣ କରିଥିଲେ ଏବଂ ଡଃ ମହତାବଙ୍କ ଆଦର୍ଶର ମହାସ୍ରୋତରେ ଏମାନେ ଆମରଣ ଭାସିବା ପାଇଁ ସଂକଳ୍ପବଦ୍ଧ ଥିଲେ । ଯେଉଁ ଆତ୍ମିକ ମୂଲ୍ୟବୋଧର ଧାରା ଏମାନଙ୍କ ମଧ୍ୟରେ ପ୍ରବାହିତ ହେଉଥିଲା ବିଜୁବାବୁ ସେହି ଆତ୍ମିକ ଧାରାର ଏକ ଉପଧାରା ଥିଲେ ।

(ଲେଖକ ଥିଲେ ଜଣେ ବାଗ୍ମୀ ତଥା ଦର୍ଶନ ବିଭାଗର ଅବସରପ୍ରାପ୍ତ ପ୍ରଫେସର୍‍)

 

Leave a Reply

*