Blog

ମୋ ମନ ତରାଜୁ: ବିଜୟାନନ୍ଦରୁ ବିଜୁ

ସ୍କୁଲର ପ୍ରତ୍ୟେକ ବିଭାଗର ପୁରସ୍କାର ମଧ୍ୟରୁ ମୋର ନିଶ୍ଚେ ଗୋଟେ ପୁରସ୍କାର ଥାଏ । ଏହା ଦେଖି ମୋତେ ୮/୧୦ଟି ପୁରସ୍କାର ଦେଇ ଓ ନାଟକରେ ମୋର ଅଭିନୟ ଦେଖି ସେ ମୋ ଉପରେ ଏତେ ଖୁସି ହେଲେ ଯେ, ଶେଷରେ ତାଙ୍କର ପଞ୍ଜାବୀ ପକେଟରୁ ଗୋଟେ ୧୦ ଟଙ୍କିଆ ନୋଟ୍ ବାହାର କରି ମୋତେ ସେଇଟି ଦେଇଥିଲେ ଏବଂ କୁଣ୍ଢେଇ ପକାଇଥିଲେ । ଆମର ପ୍ରଧାନଶିକ୍ଷକଙ୍କ ଇଙ୍ଗିତରେ ମୁଁ ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲି ।

ନାରାୟଣ ବ୍ରହ୍ମା

୧୯୫୦ ମସିହା କଥା । ଭାରତକୁ ସ୍ୱାଧୀନତା ଦେବା ପାଇଁ ଇଂରେଜ ସରକାର ସ୍ଥିର କରି ୧୯୪୬ ମସିହାରେ ନିର୍ବାଚନ କରାଇଲେ । ସେତେବେଳକୁ ମୁଁ କଟକ ଜିଲ୍ଲାର ଉରାଳୀ ମଧ୍ୟ ଇଂରାଜୀ ବିଦ୍ୟାଳୟର ଛାତ୍ର । ବିଜୟାନନ୍ଦ ପଟ୍ଟନାୟକ କଟକର ଏମ୍.ଏଲ୍.ଏ. । ସ୍କୁଲର ପୁରସ୍କାର ବିତରଣ ସଭାରେ ସେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥାନ୍ତି । ସେତେବେଳେ ଗୋପାଳପୁର ପାଖରେ କାଠଯୋଡ଼ି ନଦୀ ଉପରେ ପୋଲ ନିର୍ମାଣ ଚାଲିଥାଏ । ଲୋକେ ଖାନନଗର ପାଖ ରେଳ ପୋଲ ଉପରେ ଚାଲି ଚାଲି କିମ୍ବା ସାଇକେଲ୍ ଗଡ଼େଇ ଗଡ଼େଇ ଏପଟ ସେପଟ ଯାଆନ୍ତି । ବିଜୟାନନ୍ଦ ବାବୁ ମଧ୍ୟ ସାଇକେଲ୍‌ରେ ଏହିପରି ଆସିଲେ । ପୋଲ ଉପରୁ ଆମର ଜଣେ ଶିକ୍ଷକ ତାଙ୍କୁ ପାଛୋଟି ନେଇ ୨ କି.ମି. ଦୂର ଉରାଳୀ ଏମ୍.ଇ. ସ୍କୁଲକୁ ନେଲେ ।

ସ୍କୁଲର ପ୍ରତ୍ୟେକ ବିଭାଗର ପୁରସ୍କାର ମଧ୍ୟରୁ ମୋର ନିଶ୍ଚେ ଗୋଟେ ପୁରସ୍କାର ଥାଏ । ଏହା ଦେଖି ମୋତେ ୮/୧୦ଟି ପୁରସ୍କାର ଦେଇ ଓ ନାଟକରେ ମୋର ଅଭିନୟ ଦେଖି ସେ ମୋ ଉପରେ ଏତେ ଖୁସି ହେଲେ ଯେ, ଶେଷରେ ତାଙ୍କର ପଞ୍ଜାବୀ ପକେଟରୁ ଗୋଟେ ୧୦ ଟଙ୍କିଆ ନୋଟ୍ ବାହାର କରି ମୋତେ ସେଇଟି ଦେଇଥିଲେ ଏବଂ କୁଣ୍ଢେଇ ପକାଇଥିଲେ । ଆମର ପ୍ରଧାନଶିକ୍ଷକଙ୍କ ଇଙ୍ଗିତରେ ମୁଁ ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲି ।

ଆଜି ଭାବୁଛି, ସେତେବେଳର ଦଶ ଟଙ୍କାଟା ଆଜି ଦଶ ହଜାର ଟଙ୍କା ।

୧୯୫୭ ମସିହାରେ ସଚିବାଳୟର ତୃତୀୟ ଶ୍ରେଣୀ କର୍ମଚାରୀ ନିଯୁକ୍ତି ପାଇଁ ଗ୍ରାଜୁଏସନ୍ ଯୋଗ୍ୟତା ଥାଇ ଏକ ନିୟମ ପ୍ରଣୟନ କରାଯାଇଥିଲା । ମାତ୍ର ୧୯୫୧ ପରେ ପ୍ରଶାସନିକ ସ୍ତରରେ ଅଧିକ ଗେଜେଟେଡ୍ ଅଫିସର ଆବଶ୍ୟକ ହେବାରୁ, ସଚିବାଳୟ ପାଇଁ କର୍ମଚାରୀ ମିଳିଲେ ନାହିଁ । ତେଣୁ ୧୯୫୪ ମସିହାରେ ସାମୟିକ ଭାବରେ ଏହି ଯୋଗ୍ୟତାକୁ ଆଇ.ଏ.କୁ କମେଇ ଦେବାରୁ ଅନେକ ଯୁବକ ନୂଆ ନିଯୁକ୍ତି ପାଇଲେ । ବମ୍ବେର ରାଜ୍ୟପାଳ ପଦବୀ ଛାଡ଼ି ହରେକୃଷ୍ଣ ମହତାବ ତା୧୯.୧୦.୧୯୫୬ରୁ ୨୫.୦୨.୧୯୬୧ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ ବି କଂଗ୍ରେସ ଦଳର କ୍ରମ ଅବନତି ଘଟିଲା । ତେଣୁ ବିଜୟାନନ୍ଦ ପଟ୍ଟନାୟକ କଂଗ୍ରେସର ମଙ୍ଗ ଧରି ତା୨୩.୦୬.୧୯୬୧ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ଅତି ଅନ୍ତରଙ୍ଗ ବୀରେନ୍ ମିତ୍ର ଉପମୁଖ୍ୟମନ୍ତ୍ରୀ ହେଲେ। ସେତେବେଳେ ତାଙ୍କ ଅଫିସ୍ ଫଳକରେ ବିଜୟାନନ୍ଦ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ବୋଲି ଲେଖା ହୋଇଥିଲା । ସେ କଂଗ୍ରେସର ନେତୃତ୍ୱ ନେବା ପାଇଁ କାମରାଜ ଯୋଜନାରେ ତା୦୨.୧୦.୧୯୬୩ରେ ମୁଖ୍ୟମନ୍ତ୍ରୀ ପଦ ତ୍ୟାଗ କଲେ । ବୀରେନ୍ ମିତ୍ର ମୁଖ୍ୟମନ୍ତ୍ରୀ ହେଲେ ।

ଏହି ସମୟରେ ୧୯୬୨ ମସିହାରେ ଆମେ କେତେ ଜଣ ସଚିବାଳୟ କର୍ମଚାରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କଟକ ରେଭେନ୍ସା ଏବଂ ଭୁବନେଶ୍ୱର ବି.ଜେ.ବି. କଲେଜରେ ସନ୍ଧ୍ୟା କଲେଜ ଖୋଲି, ଆମ୍ଭମାନଙ୍କୁ ସନ୍ଧ୍ୟା ୫.୩୦ରୁ ୩ରୁ ୪ଟି କ୍ଲାସ୍ କଲେ । ଆମେ ପାଠପଢ଼ି ଗ୍ରାଜୁଏଟ୍ ହେବା ସହ ସରକାର ମଧ୍ୟ ଉପକୃତ ହେବେ ବୋଲି ଅନୁରୋଧ କଲୁ । ସେ ଏହାକୁ ସାଦରେ ଗ୍ରହଣ କଲେ ।

ସରକାରୀ ଅନୁମୋଦନ ମିଳିଲା ସିନା, ମାତ୍ର ଉତ୍କଳ ବିଶ୍ୱବିଦ୍ୟାଳୟ ଏହାକୁ ସ୍ୱୀକୃତି ଦେଲେନି । ପୁଣି, ଆମେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କଲୁ । ସେ ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍‌ସେଲରଙ୍କୁ ଡାକିଲେ । ଆଲୋଚନା କଲେ, ଭାଇସ୍ ଚାନ୍‌ସେଲର୍ କହିଲେ, ଉତ୍କଳ ୟୁନିଭରସିଟିରେ ଗ୍ରାଜୁଏଟ୍ ପଦବୀ ଏକ ଛୋଟିଆ କଥା ନୁହେଁ । ସରକାରୀ ଚାକିରି କରି ୪.୩୦ରେ ଛୁଟି ହୋଇ ୩-୪ଟି କ୍ଲାସ୍ ନେଇ ଏ ପିଲାଏ କି ପାଠ ପଢ଼ିବେ ଯେ, ତାଙ୍କୁ ଆମେ ଗ୍ରାଜୁଏଟ୍ ବୋଲି କହିବା ।

ମୁଖ୍ୟମନ୍ତ୍ରୀ ଚୁପ୍ ରହିବା ଦେଖି ଆମେ ମୁହଁ ଖୋଲିଲୁ- ସାର୍, ବିଶ୍ୱବିଦ୍ୟାଳୟ ଆମ ପାଇଁ ନୂଆ ସିଲାବସ୍ ବା ପରୀକ୍ଷା ପ୍ରଶ୍ନ କରିବନି । ଅନ୍ୟ ରେଗୁଲାର୍ ପିଲା ଯେଉଁ ବହି ପଢ଼ନ୍ତି, ଆମେ ତାକୁ ହିଁ ପଢ଼ିବୁ । ତାଙ୍କ ପ୍ରଶ୍ନପତ୍ର ଆମ ପାଇଁ ପ୍ରଯୁଜ୍ୟ । ଖାତା ଏକା ଅଧ୍ୟାପକ ଦେଖିବେ । ଆମ ପାଇଁ ଦୟା ଦେଖାଇବାର ଆବଶ୍ୟକତା ପଡ଼ିବ ନାହିଁ । ଆମେ ମନଦେଇ ପଢ଼ିଲେ, ଲେଖିଲେ, ପରିଶ୍ରମ କଲେ ପାସ୍ କରିବୁ । ନଚେତ୍ ଅନ୍ୟ ରେଗୁଲାର୍ ପିଲାଙ୍କ ଭଳି ଫେଲ୍ ହେବୁ । ବିଶ୍ୱବିଦ୍ୟାଳୟର ସୁନାମରେ ଆଞ୍ଚ ଆସିବ ନାହିଁ ।

ମୁଖ୍ୟମନ୍ତ୍ରୀ ଟେବୁଲ୍ ବାଡ଼େଇ ଦେଇ କହିଲେ- ସତେ ତ! ଏ ପିଲା ଠିକ୍ କହୁଛି । ମୁଁ କିଛି ଶୁଣିବି ନାହିଁ । ତିନିଦିନ ଭିତରେ ଅନୁମୋଦନ ଦିଅ । ବିଶ୍ୱବିଦ୍ୟାଳୟର ଅନୁମୋଦନ ପରେ ଆମ ତା ୧୬.୦୮.୧୯୬୨ରେ ବି.ଜେ.ବି. ଓ ରେଭେନ୍‌ସା କଲେଜରେ ନାମ ଲେଖାଇଲୁ ।

ତା ୦୫.୦୩.୧୯୯୦ରେ ସେ ମୁଖ୍ୟମନ୍ତ୍ରୀ ହେଲା ବେଳେ ନାମ ଫଳକରେ ବିଜୁ ପଟ୍ଟନାୟକ ବୋଲି ଲେଖା ହେଲା । ତାଙ୍କ ଅବଦାନରୁ ହଜାର ହଜାର ସ୍ୱଳ୍ପ ଶିକ୍ଷିତ ଯୁବକ ଗ୍ରାଜୁଏଟ୍ ହେଲେ ।

 

(ଲେଖକ ଜଣେ ଅବସରପ୍ରାପ୍ତ ଅତିରିକ୍ତ ଶାସନ ସଚିବ ତଥା ସାହିତ୍ୟିକ)

୨୪୦/୨୫, ଲେନ୍ ନଂ.୯, ଏରୋଡ୍ରମ୍ ଏରିଆ, ଭୁବନେଶ୍ୱର

ମୋ: ୯୪୩୭୪୭୯୧୯୩

 

Leave a Reply

*