Blog

ମୋ ବାପା

ଦୁହିଁଙ୍କ ଉଚ୍ଚତା ଭିତରେ ଥିବା ତାରତମ୍ୟକୁ ଭୁଲି କୋଉ କୋଉ ଜିନିଷ ଆଗେ ହେବା ଦରକାର ସେ ସ୍ଥିର କଲେ । ସେ ମୋ ମାଆଙ୍କୁ ବଲ୍ ଡ୍ୟାନ୍ସ ଓ ବ୍ରିଜ୍ ଖେଳ ଶିଖେଇଥିଲେ ।  ତା’ ପରେ ତାକୁ ସାଇକେଲ୍‌ରେ ଦିନେ ବସେଇ ସେ ନିଜେ ପେଡାଲ୍ ଚଳେଇ ଶିଖିବା ଯାଏ ଠେଲି ଚାଲିଲେ ।

ଗୀତା ମେହେଟ୍ଟା

ମୋ ବାପା ମା’ ନୂଆଦିଲ୍ଲୀରେ ରହୁଥିଲେ, ଯୋଉ ନୂଆଦିଲ୍ଲୀ ରାଜଧାନୀର ଡିଜାଇନ୍ ପ୍ରସ୍ତୁତ କରିଥିଲେ ଲୁଟିନ୍ସ । ସେତେବେଳେ ସେ ଭାବିଥିଲେ ଯେ ବ୍ରିଟିଶ ସାମ୍ରାଜ୍ୟ ଚିରକାଳ ଭାରତ ମାଟିରେ ଚେର ମାଡ଼ି ରହିଥିବ । ମାତ୍ର, ଏ ପ୍ରକାର ଧାରଣା ପୋଷଣ କରିବାର କୋଡ଼ିଏଟା ବର୍ଷ ଯାଇଛି କି ନାହିଁ ବ୍ରିଟିଶ ଶାସନ ଟଳମଟଳ ଅବସ୍ଥାକୁ ଆସିଗଲା । ମୋ ବାପା ମା’ ସେତେବେଳେ ପୁଲିସ ନଜରରୁ ଆତ୍ମଗୋପନ କରିବାକୁ ଚାହୁଁଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ଅଭୟ ଆଶ୍ରୟ ଦେବାରେ ଲାଗି ପଡ଼ିଥାଆନ୍ତି । ଏ କଥା ଜାଣିଥିବା ଜଣେ ବିଦେଶୀ ସ୍ୱାଧୀନତା ସଂଗ୍ରାମୀ ସେଥିପାଇଁ ଆମ ଘରକୁ ‘ଆବସ୍କଣ୍ଡର୍ସ ପାରାଡାଇଜ୍’ ବା ‘ଫେରାରମାନଙ୍କ ଅମରାବତୀ’ ବୋଲି ନାଁ ଦେଇଥିଲେ ।

ଯୋଉଦିନ ସକାଳେ ମୁଁ ଜନ୍ମ ହେଲି, ସେଦିନ ଆମ ଘରେ ଗୋଟେ ପ୍ରକାର ମତୈକ୍ୟ ଗଢ଼ି ଉଠିଥିଲା ଯେ ମୋ ନାଁ ଜୋନ୍ ଅଫ୍ ଆର୍କ ରଖାଯିବ । ମାତ୍ର ଏଇ ନାଁଟି ସହ ଭାରତୀୟ ପରିଚିତିର ସମ୍ବନ୍ଧ ରହୁ ନ ଥିଲା । ତେଣୁ ମୋ ନାଁ ଦିଆଗଲା ଗୀତା, ଅର୍ଥାତ୍ ଗୀତ । ସେ ସମୟ ଥିଲା ସ୍ୱାଧୀନତା ପାଇଁ ଲଢ଼େଇର ସମୟ ଓ ନାଁ ମୁକ୍ତିର ସଂଗୀତ ରଖାଯିବା କଥା ଉଠିଲା ବେଳେ ସ୍ୱାଧୀନତା ଭାରତର ହାତ ପାଆନ୍ତାରେ ବୋଲି ଏକ ବିଶ୍ୱାସ ଗଢ଼ି ଉଠି ସାରିଥିଲା । ମାତ୍ର ଏ ପ୍ରକାର ନାମକରଣରୁ ସେମାନଙ୍କର ଅପରିପକ୍ୱ ଆଶାବାଦର  ସୂଚନା ହିଁ ମିଳୁଥିଲା । କାରଣ ଏ ଘଟଣାର ଠିକ୍ ତିନି ସପ୍ତାହ ପରେ ଛଅଜଣ ସଶସ୍ତ୍ର କନେଷ୍ଟବଳ ଆମ ‘ଫେରାର୍‌ମାନଙ୍କ ଅମରାବତୀ’ ଘରେ ପହଞ୍ଚିଲେ ଓ ମୋ ବାପାଙ୍କୁ ଧରି ଜେଲ୍‌କୁ ନେଇଗଲେ ।

ଏହି ଗିରଫଦାରୀର କାରଣ ଥିଲା ପିସ୍ତଲ । ଗୋଟିଏ ଦଶନ୍ଧି ଧରି ଚାଲି ଆସିଥିବା ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନ ବ୍ରିଟିଶମାନଙ୍କୁ ଭାରତରୁ ହଟେଇ ପାରି ନ ଥିଲା । ସେଥିପାଇଁ ଉଗ୍ର ଜାତୀୟବାଦୀମାନେ, ଯୋଉମାନେ କି ଯୌବନର ଆଦ୍ୟକାଳରେ ହିଁ ପହଞ୍ଚିଥିଲେ, ସେମାନେ ଭାରତୀୟ ସେନାବାହିନୀର ସହାନୁଭୂତିଶୀଳ ଅଧିକାରୀମାନଙ୍କଠାରୁ ଏସବୁ ଅସ୍ତ୍ରଶସ୍ତ୍ର ହାସଲ କରିଥିଲେ ଓ ଦରକାର ବେଳେ ବ୍ରିଟିଶ ହାତରେ ଧରାପଡ଼ି ସେମାନଙ୍କ ପାଦ ତଳେ ପଡ଼ିବା ଅପେକ୍ଷା ଠିକଣା ନିଷ୍ପତ୍ତି ନେବା ପାଇଁ ନିଜକୁ ପ୍ରସ୍ତୁତ କରି ରଖୁଥିଲେ । ଏହାର କିଛି ବର୍ଷ ଆଗରୁ ମୋ ବାପାଙ୍କର ଜଣେ ସମ୍ପର୍କୀୟ ଭାଇ, ଉଣେଇଶ ବର୍ଷୀୟ ତରୁଣ କବି ଚିଟାଗଙ୍ଗର ବ୍ରିଟିଶ ଅସ୍ତ୍ରାଗାର ଉପରେ ଚଢ଼ଉ କରିଥିଲେ । ମାତ୍ର ବ୍ରିଟିଶ ପୁଲିସ ହାତରେ ଧରାପଡ଼ିବା ଅପେକ୍ଷା ମୃତ୍ୟୁ ହିଁ ଶ୍ରେୟସ୍କର ଭାବି ସେ ଗୁଳିବର୍ଷାର ଶିକାର ହୋଇଥିଲେ । ତାଙ୍କର ଆହତ ସାନଭାଇ ପୁଲିସ ହାତରେ ଧରାପଡ଼ି କଳାପାଣି ଦଣ୍ଡ ଭୋଗ କରିଥିଲେ ।

ମୋ ବାପାଙ୍କ ହାତକଡ଼ା ପଡ଼ିଲା ପରେ ସେ ମାଆଙ୍କ ପାଖକୁ ଯାଇ ବିଦାୟ ନେବା ଭଙ୍ଗୀରେ ଘରେ ଥିବା ପିସ୍ତଲଗୁଡ଼ିକୁ ବାହାରେ ଫିଙ୍ଗି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ତାହା ନ ହେଲେ ବାପାଙ୍କୁ ମଧ୍ୟ କଳାପାଣି ଦଣ୍ଡ ଭୋଗିବାକୁ ପଡ଼ିଥାଆନ୍ତା । କଳାପାଣି ଆଣ୍ଡାମାନ ଦ୍ୱୀପପୁଞ୍ଜ ସେହି ଭୟଙ୍କର କାରାଗାରର ନିର୍ଯାତନା ଅବର୍ଣ୍ଣନୀୟ । ମୁଁ ଶୁଣିଛି ଯେ, ମୋ ମାମୁଙ୍କ ସାଙ୍ଗରେ ଦଣ୍ଡ ଭୋଗୁଥିବା ସେହି ଜେଲ୍‌ରେ ଅଧାଅଧି କଏଦୀ ଏ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା କରିଥିଲେ ।

ପିସ୍ତଲଗୁଡ଼ିକୁ ବାହାରେ ନେଇ ନିରାପଦରେ କୋଉଠି ପକେଇ ଦେଇ ଆସିବା ମୋ ମା’ ପାଇଁ ଗୋଟେ ସମସ୍ୟା ଥିଲା । ଉତ୍ତର ଭାରତର ଆଉ ଅନ୍ୟ ଝିଅଙ୍କ ପରି ସେ ବି ଅସୂର୍ଯ୍ୟଂପଶ୍ୟା ସଂସ୍କୃତିରେ ବଢ଼ିଥିଲା । ନାରୀମାନଙ୍କ ମହଲରେ ଓ ମହିଳା ଶିକ୍ଷକଙ୍କଠାରୁ ତାଲିମ ନେଇ ସେ ତା’ ନିଜ ରାଜ୍ୟ କାଶ୍ମୀର ହ୍ରଦର ଚିତ୍ରଟି ୱାଟରକଲରରେ ଆଙ୍କିବା, ସିତାରରେ କିଛି ରାଗ ରାଗିଣୀ ବଜେଇବା, ଶାସ୍ତ୍ରୀୟ ସଂସ୍କୃତି ଓ ପାର୍ସି କହିବା କାମ ଶିଖିଥିଲା । ମାତ୍ର ଆଧୁନିକ କାଇଦାକାନୁନ ବିଷୟରେ ତା’ର ବେଶି କିଛି ଧାରଣା ନ ଥିଲା ।

ବାହାଘର ପରେ ପରେ ମୋ ବାପା ମୋ ମାଆର ଏଇସବୁ ନ ପାରିଲାପଣକୁ ସଜାଡ଼ିବାକୁ ଲାଗିଗଲେ । ଦୁହିଁଙ୍କ ଉଚ୍ଚତା ଭିତରେ ଥିବା ତାରତମ୍ୟକୁ ଭୁଲି କୋଉ କୋଉ ଜିନିଷ ଆଗେ ହେବା ଦରକାର ସେ ସ୍ଥିର କଲେ । ସେ ମୋ ମାଆଙ୍କୁ ବଲ୍ ଡ୍ୟାନ୍ସ ଓ ବ୍ରିଜ୍ ଖେଳ ଶିଖେଇଥିଲେ ।  ତା’ ପରେ ତାକୁ ସାଇକେଲ୍‌ରେ ଦିନେ ବସେଇ ସେ ନିଜେ ପେଡାଲ୍ ଚଳେଇ ଶିଖିବା ଯାଏ ଠେଲି ଚାଲିଲେ ।

ବାପା ନିଜେ ପାଇଲଟ୍ ଥିବାରୁ ମୋ ମାଆକୁ ଉଡ଼ାଜାହାଜ ଚଳାଇବା ଶିଖେଇବାକୁ ଚାହୁଁଥିଲେ । ମାତ୍ର ମୋ ମା’ ମୂଳରୁ ମୋଟର ଚଳେଇବା ଶିଖି ନ ଥିଲା । ତେଣୁ ବାପା ତାକୁ ଆମର ୪ ସିଟ୍‌ର ସନବିମ୍ ଟାଇବଟ୍ ଚଳେଇବା ଶିଖେଇଥିଲେ ।

ସେ ଯାହା ହେଉନା କାହିଁକି ମୋ ବାପାଙ୍କୁ ପୋଲିସ ବାନ୍ଧି ନେଲା ପରେ ପିସ୍ତଲଗୁଡ଼ିକୁ ଗୋଟେଇ ଗୋଟେଇ ସେଇ ସନ୍‌ବିମ୍ ଟାଇବଟ୍ ଗାଡ଼ିରେ ବସିଲା ଓ ବୁଲିଯିବା ବାହାନାରେ ଅନେକ ଦୂରକୁ ଯାଇ ଗୋଟାଏ ଜାଗାରେ ତକିଆ ଖୋଳ ଭିତରେ ଭର୍ତ୍ତି କରିଥିବା ପିସ୍ତଲଗୁଡ଼ାକୁ ପକେଇ ଦେଇ ପୁଣି ଫେରି ଆସିଲା । ଘରେ ସେତେବେଳେ ମୁଁ ଓ ମୋ ବର୍ଷକର ବଡ଼ଭାଇ ଥାଉ ।

ପରଦିନ ମୋ ମା’ ଜାଣିପାରିଲା ଯେ ସେ ଅନ୍ଧାରରେ ଯୋଉଟିକୁ ନିଭୃତ ସ୍ଥାନ ଭାବି ପିସ୍ତଲଗୁଡ଼ାକ ପକେଇ ଦେଇ ଆସିଥିଲା ତାହା ଥିଲା ପ୍ରକୃତରେ ଚିଫ୍ ଇନ୍ସ୍‌ପେକ୍ଟର ଅଫ୍ ପୋଲିସ ଦପ୍ତରର ପାଚିରୀକଡ଼ । ସୌଭାଗ୍ୟ ବଶତଃ, ସେପରି ଏକ ନାଟକୀୟ ପରିସ୍ଥିତିରେ ସୁଦ୍ଧା ମୋ ମା’ ତା’ର ଗୃହିଣୀ ସୁଲଭ କୃପଣ ପଣିଆ ଯୋଗୁ ଭଲ ତକିଆ ଖୋଳ (ଯୋଉ ଖୋଳମାନଙ୍କରେ ସେ ମନୋଗ୍ରାମ୍ ବୁଣିଥାଏ) ବ୍ୟବହାର କରି ନ ଥିଲା । ସେଥିପାଇଁ ଆମ ଘର ସହ ପିସ୍ତଲଗୁଡ଼ାକର ସମ୍ବନ୍ଧ ସ୍ଥାପିତ ହୋଇପାରିଲା ନାହିଁ ।

ଏ ଘଟଣାର ମାତ୍ର କେଇଟା ଦିନ ଆଗରୁ ମୋ ବାପାଙ୍କୁ ବ୍ରିଟିଶ ସରକାର ସମ୍ମାନିତ କରିଥିଲେ । ଭାଇସରାୟଙ୍କ ପତ୍ନୀ ନିଜେ ତାଙ୍କୁ ମେଡ଼ାଲ ପିନ୍ଧେଇ ଦେଇଥିଲେ । କାରଣ ମୋ ବାପା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନୀମାନଙ୍କ ଦ୍ୱାରା ବନ୍ଦୀ ବ୍ରିଟିଶ ପରିବାରଗୁଡ଼ିକୁ ମୁକୁଳେଇ ଆଣିଥିଲେ । ତାଙ୍କର ସେହି ଦୁଃସାହସିକ କାର୍ଯ୍ୟକୁ ପରବର୍ତ୍ତୀ ସମୟରେ ଅବଶ୍ୟ ନାୟକତ୍ୱରେ ଅଭିଷିକ୍ତ କରାଯାଇଛି, ମାତ୍ର ସେତେବେଳେ ସେସବୁ ସେ ସ୍ୱାଭାବିକ ଭାବେ କରିଥିଲେ ।

କିନ୍ତୁ ସ୍ୱାଧୀନତା ସଂଗ୍ରାମ ସମୟରେ ଭାବପ୍ରବଣତାର ସ୍ଥାନ ନାହିଁ । ବ୍ରିଟିଶ ପରିବାରଗୁଡ଼ିକୁ ସୁରକ୍ଷା ଦେଇଥିବା ମୋ ବାପା ଯେମିତି ସେ ସରକାର ବିରୁଦ୍ଧରେ ପିସ୍ତଲ ରଖିବାକୁ ବିରୋଧାଭାସ ମଣୁ ନ ଥିଲେ, ସାହସ ପାଇଁ କୃତଜ୍ଞତା ଜଣେଇଥିବା ବ୍ରିଟିଶ ପ୍ରଶାସନ ମଧ୍ୟ ସେଇ ଏକ ଲୋକଙ୍କୁ ଗିରଫ କରିବା ବେଳେ କୌଣସି ବିରୋଧାଭାସ ଦେଖି ନ ଥିଲେ ।

ଏ ପ୍ରକାର ନିଷ୍ଠୁରତାକୁ ନେଇ ଜୀବନ ଜୀଇଁବାର ଗୁରୁଦାୟିତ୍ୱ ମୋ ମା’ ଉପରେ ପଡ଼ିଥିଲା । ପ୍ରାୟ ଚାରିବର୍ଷ ପର୍ଯ୍ୟନ୍ତ ସେ ଦିଇଟି ସାନ ସାନ ପିଲାଙ୍କୁ କୋଳରେ ଧରି ଏ ଜେଲ୍‌ରୁ ସେ ଜେଲ୍ ପର୍ଯ୍ୟନ୍ତ ଧାଇଁଥିଲା ଓ ମୋ ବାପାଙ୍କ ପାଖେ ଗୁପ୍ତ ଚିଠି ସବୁ ପହଞ୍ଚେଇ ଦେଉଥିଲା । ବେଳେ ବେଳେ ସେ ଏ ଚିଠିଗୁଡ଼ିକ ମୋ ଭାଇର ଜୋତା ଭିତରେ ଭର୍ତ୍ତି କରି ନେଉଥିଲା ।

ଦୁଇବର୍ଷ ପରେ ମା’ ଆମକୁ ଗୋଟେ କନଭେଣ୍ଟରେ ଛାଡ଼ିଲା ଓ ଜେଲ୍ ଡେଇଁ ଖସି ଆସିବା ପାଇଁ ବାପାଙ୍କର ଦୁଃସାହସିକ ଯୋଜନାଗୁଡ଼ିକୁ କେମିତି ହାସଲ କରାଯାଇପାରିବ ସେ ଦିଗରେ ଧ୍ୟାନ ଦେଲା । କିଛି ଦିନ ପରେ ସେହି ଶୁଭ ମୁହୂର୍ତ୍ତ ଆସିଲା ସେତେବେଳେ କି ବାପା ଏମିତି ଗୋଟେ ଉଦ୍ୟମ କରି ସଫଳ ହେଲେ; ମାତ୍ର ତାଙ୍କ ହାତଟାକୁ ଭାଙ୍ଗି ବସିଲେ । ସେତେବେଳେ ବାପାଙ୍କ ହାତ ଠିକ୍ କରିବା ପାଇଁ ମା’ ଜଣେ ବିପ୍ଳବୀ ଚିକିତ୍ସକଙ୍କୁ ଅନୁରୋଧ କରିଥିଲେ । ମାସ ମାସ ଧରି ବାପାଙ୍କୁ ଯାନବାହନ ନିୟନ୍ତ୍ରଣ କରୁଥିବା ଟ୍ରାଫିକ୍ ପୋଲିସ ପରି ହାତ ଟେକି ରହିବାକୁ ପଡ଼ିଥିଲା । କାରଣ ମା’ ସବୁବେଳେ ଭୟ କରୁଥିଲା ଯେ ତା’ ସ୍ୱାମୀର ଉଚ୍ଚତା ଯୋଗୁଁ ସେ ସହଜରେ ଧରାପଡ଼ିଯିବେ ଓ ଧରାପଡ଼ିଲେ ଜେଲ୍‌ରୁ ଖସି ପଳେଇ ଆସିଥିବା ଅପରାଧରେ ଦେଶାନ୍ତର ଦଣ୍ଡ ଭୋଗ କରିବେ ।

ଜେଲ୍‌ରେ ଥିବାବେଳେ ମୋ ବାପା ତାଙ୍କର ରୋଷେଇ କଳା ଓ ଚେସ୍ ଖେଳର ଦକ୍ଷତା ବଢ଼େଇବାରେ ଲାଗିଥିଲେ । ତା’ ସଙ୍ଗେ ସଙ୍ଗେ କୋଉ ଉପାୟରେ ବ୍ରିଟିଶ ସାମ୍ରାଜ୍ୟକୁ ଟଳେଇ ଦେଇହେବ ସେ ଚିନ୍ତା ମଧ୍ୟ ସେ କରୁଥିଲେ । ଏହି ଉପାୟ ଚିନ୍ତା କରୁ କରୁ ସେ ଟେକ୍ସଟାଇଲ୍ ଫ୍ୟାକ୍ଟ୍ରିଗୁଡ଼ିକ ସେଇ ରଙ୍ଗ ଓ ରାସାୟନିକ ଦ୍ରବ୍ୟ ଆବଶ୍ୟକ କରନ୍ତି ଯାହା ନୋଟ୍ ତିଆରି ପାଇଁ ମଧ୍ୟ ଆବଶ୍ୟକ ହୋଇଥାଏ । ବାପା ଯେମିତି ସ୍ଥିର ନିଶ୍ଚିତ ହୋଇଯାଇଥିଲେ ଯେ ସେ ଜେଲ୍‌ରୁ ଖସିବାର ଛଅମାସ ଭିତରେ ପ୍ରଚୁର ଜାଲ୍ ନୋଟ୍ ଛାପି ଉପମହାଦେଶ ସାରା ବିଛେଇ ଦେବେ ଯାହା ଫଳରେ କି ବ୍ରିଟିଶରାଜର ପତନ ଅବଶ୍ୟମ୍ଭାବୀ ହୋଇପଡ଼ିବ… ।

(ସୌଜନ୍ୟ: ସମ୍ବାଦରେ ପ୍ରକାଶିତ ଲେଖିକାଙ୍କ ଇଂରାଜୀ ପୁସ୍ତକ ‘ସ୍ନେକ୍ ଆଣ୍ଡ ଲାଡର୍ସ’ର ମର୍ମାନୁବାଦ)

 

Leave a Reply

*