Blog

ମୋ ଦୃଷ୍ଟିରେ ବିଜୁବାବୁ

ଓଡ଼ିଶାରେ ବିଜୁବାବୁଙ୍କ ଦୃଷ୍ଟିଭଙ୍ଗୀ, ଚିନ୍ତାଧାରା ଓ ବ୍ୟକ୍ତିତ୍ୱ ଦିଗରେ କିଏ ବା ସମକକ୍ଷ ଅଛନ୍ତି, ଯେ ସେ ତାଙ୍କ ସହ ଘନିଷ୍ଠ କରିବା ଲାଗି ଆଗେଇ ଆସିବେ? ଦୁଃଖର କଥା ଯେ, ବିଜୁବାବୁ ଓଡ଼ିଶା ଭଳି ଏକ କ୍ଷୁଦ୍ର ରାଜ୍ୟରେ ଜନ୍ମଗ୍ରହଣ କଲେ । ସେ ଯଦି ବଙ୍ଗଳା, ବମ୍ବେ, ଉତ୍ତରପ୍ରଦେଶ ବା ପଞ୍ଜାବରେ ଜନ୍ମ ହୋଇଥା’ନ୍ତେ, ତେବେ ଆଜି ଭାରତରେ ଅନେକ ଉଚ୍ଚପଦର ଅଧିକାର କରି ବସିଥାଆନ୍ତେ।

ପ୍ରଶାନ୍ତ ପଟ୍ଟନାୟକ

ଏକଦା ଜନୈକ ରାଜନୀତିଜ୍ଞଙ୍କ ସହ ଆଲୋଚନା ସମୟରେ ସେ ମନ୍ତବ୍ୟ କରିଥିଲେ, “ଓଡ଼ିଶାରେ ବିଜୁ ବାବୁଙ୍କର କେହି ବନ୍ଧୁ ନାହାନ୍ତି । କେବଳ ଅଛନ୍ତି ସ୍ତାବକ ଅଥବା ଶତ୍ରୁ”।

ଯେଉଁ ରାଜନୀତିଜ୍ଞ ଏହି ମତବ୍ୟକ୍ତ କରିଥିଲେ, ସେ ନିଜେ ହେଉଛନ୍ତି ବିଜୁବାବୁଙ୍କର ଜଣେ କଟୁ ସମାଲୋଚକ । ନିଜ ଉକ୍ତିର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ ସେ କହିଥିଲେ, ‘ବିଜୁବାବୁ ଭଳି ଜଣେ ଲୋକ ଯାହାଙ୍କ ସହ ବନ୍ଧୁତା କରିବା ଲାଗି ଓଡ଼ିଶାର କୌଣସି ରାଜନୀତିଜ୍ଞ ଆଗେଇ ଆସନ୍ତି ନାହିଁ । କାରଣ ସେ ଖୁବ୍ ରୋକ୍‌ଠୋକ୍‌ ଭାବରେ ମୁହେଁ ମୁହେଁ ଅନେକ ଅପ୍ରିୟ ସତ୍ୟ କହିପକାନ୍ତି ଓ ବେଳେବେଳେ କଠୋର ବ୍ୟବହାର ପ୍ରଦର୍ଶନ କରନ୍ତି । ବନ୍ଧୁ ଭାବରେ କେହି ତାଙ୍କୁ ପରାମର୍ଶ ଦେଲେ ସେ ପ୍ରାୟ ଗ୍ରହଣ କରନ୍ତି ନାହିଁ । କେବଳ ଶତ୍ରୁ ଓ ସ୍ତାବକଙ୍କୁ ନେଇ ବିଜୁବାବୁ ରାଜନୀତି ଦୁନିଆରେ ବଂଚି ରହିଛନ୍ତି । ତାଙ୍କର ମନ୍ତବ୍ୟ ଶୁଣି ସେଠାରେ ଉପସ୍ଥିତ ଥିବା ଜନୈକ ଅଣଓଡ଼ିଆ ସାମ୍ବାଦିକ ବନ୍ଧୁ କହିଥିଲେ, “ହଁ…ମୁଁ ଓଡ଼ିଶାକୁ ଆସିବା ଦିନୁ ତାହା ହିଁ ଦେଖୁଛି । ବିଜୁବାବୁଙ୍କ ଗୁଣମୁଗ୍ଧ ଅନେକ ସ୍ତାବକ ରହିଛନ୍ତି ଓ ଅନେକ ଅସହିଷ୍ଣୁ ଶତ୍ରୁ ମଧ୍ୟ ଅଛନ୍ତି । ବନ୍ଧୁ ହୁଏତ କମ୍ । ପ୍ରକୃତ ବନ୍ଧୁ କିଏ ମୁଁ ଅଛନ୍ତି କି ନା ଜାଣେନା । କାରଣ ବନ୍ଧୁତା କେବଳ ସମାସ୍କନ୍ଧ ବ୍ୟକ୍ତି ସହ କରାଯାଇଥାଏ । ଓଡ଼ିଶାରେ ବିଜୁବାବୁଙ୍କ ଦୃଷ୍ଟିଭଙ୍ଗୀ, ଚିନ୍ତାଧାରା ଓ ବ୍ୟକ୍ତିତ୍ୱ ଦିଗରେ କିଏ ବା ସମକକ୍ଷ ଅଛନ୍ତି, ଯେ ସେ ତାଙ୍କ ସହ ଘନିଷ୍ଠ କରିବା ଲାଗି ଆଗେଇ ଆସିବେ? ଦୁଃଖର କଥା ଯେ, ବିଜୁବାବୁ ଓଡ଼ିଶା ଭଳି ଏକ କ୍ଷୁଦ୍ର ରାଜ୍ୟରେ ଜନ୍ମଗ୍ରହଣ କଲେ । ସେ ଯଦି ବଙ୍ଗଳା, ବମ୍ବେ, ଉତ୍ତରପ୍ରଦେଶ ବା ପଞ୍ଜାବରେ ଜନ୍ମ ହୋଇଥା’ନ୍ତେ, ତେବେ ଆଜି ଭାରତରେ ଅନେକ ଉଚ୍ଚପଦର ଅଧିକାର କରି ବସିଥାଆନ୍ତେ।”

ସାମ୍ବାଦିକ ବନ୍ଧୁଙ୍କର ଏହି ଉକ୍ତି ଶୁଣି, ରାଜନୈତିକ ବ୍ୟକ୍ତିଜଣକ କଥାର ମୋଡ଼ ବଦଳାଇଥିଲେ । ଏଇ କେଇ ବର୍ଷ ତଳର କଥା । ବୋଧହୁଏ ୧୯୭୩ ବା ୭୪ ମସିହାର କଥା।

ବିଜୁବାବୁ ଓଡ଼ିଶା ରାଜନୀତିରେ ଜଣେ ବିବଦମାନ ବ୍ୟକ୍ତି ଭାବରେ ପ୍ରାୟ ତିନି ଦଶକରୁ ଉର୍ଦ୍ଧ୍ୱ କାଳ ଧରି ଆଲୋକିତ ଓ ସମାଲୋଚିତ ହୋଇ ଆସିଛନ୍ତି । ଅନେକ ତାଙ୍କୁ ଓଡ଼ିଶାର ଗର୍ବ ଓ ଗୌରବ ବୋଲି କହି ପ୍ରାକ୍ ସ୍ୱାଧୀନତା କାଳରେ ସେ ଇଂରେଜ ସରକାରଙ୍କ ଅଧୀନରେ ବୈମାନିକ ଥାଇ କିଭଳି ସ୍ୱାଧୀନତା ଆନ୍ଦୋଳନକାରୀମାନଙ୍କୁ ସାହାଯ୍ୟ କରୁଥିଲେ ଓ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେବାଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଇ ପ୍ରଚାର ପତ୍ରମାନ ଦୁର୍ଗମ ଅଞ୍ଚଳ ସବୁରେ ଆକାଶମାର୍ଗରୁ ପକାଇବା ସଂଗେ ସଂଗେ ବ୍ରିଟିଶ୍ ପୋଲିସ୍ ଆଖିରେ ଧୂଳିଦେଇ ବଣ ଜଙ୍ଗଲରେ ଲୁଚି ରହିଥିବା ବହୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କୁ ସାହାଯ୍ୟ କରୁଥିଲେ ତାହା ଉଲ୍ଲେଖ କରି ପ୍ରଶଂସାରେ ଶତମୁଖ ହୋଇ ଉଡ଼ିଥାଆନ୍ତି । ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ସଂଗ୍ରାମୀମାନଙ୍କୁ ସାହାଯ୍ୟ କରିବା ଅଭିଯୋଗରେ ବିଜୁବାବୁ ଗିରଫ ହୋଇ କାଶ୍ମୀର ଜେଲରେ ଥିବା ସମୟରେ ତାଙ୍କୁ ବରଫ ଉପରେ ଶୁଆଇ କିଭଳି ଅତ୍ୟାଚାର କରାଯାଇଥିଲା, ତାହାର ବର୍ଣ୍ଣନା ମୁଁ ‘ପ୍ୟାଟ୍ରିୟଟ୍’ ସମ୍ବାଦପତ୍ରର ପୂର୍ବତନ ସମ୍ପାଦକ ଶ୍ରୀ ପି. ବିଶ୍ୱନାଥଙ୍କ ଠାରୁ ଶୁଣିଛି । ଶ୍ରୀ ବିଶ୍ୱନାଥ କାଶ୍ମୀର ଜେଲରେ ବିଜୁଙ୍କ ସହ ବନ୍ଦୀ ହୋଇଥିଲେ ।

ବିଜୁବାବୁଙ୍କ ଦୁଃସାହସିକ କାର୍ଯ୍ୟକଳାପ ସମ୍ପର୍କରେ ଶ୍ରୀମତୀ ଅରୁଣା ଆସଫ୍ ଅଲ୍ଲୀଙ୍କ ଠାରୁ ବହୁ ରୋମାଞ୍ଚକର କାହାଣୀ ମଧ୍ୟ ଶୁଣିଛି । ଦିଲ୍ଲୀର ଓଲ୍ଡ଼୍ ଥିଏଟର ରୋଡ଼ରୁ ପ୍ରକାଶିତ ‘ଲିଙ୍କ’ ସମ୍ବାଦ ସାପ୍ତାହିକ ପତ୍ରିକା ବାହାଦୂର ଶାହାଜାଫର ମାର୍ଗରେ ନିଜସ୍ୱ କୋଠା ନିର୍ମାଣ କରିବା ଲାଗି ଯେତେବେଳେ ପ୍ରସ୍ତାବ ହୋଇଥିଲା, ଡଃ ବାଲିଗା, ଅରୁଣାଜୀ, ଏଡ଼ାଟାଟା ନାରାୟଣ, ଭିକେ କ୍ରିଷ୍ଣମେନନ୍, ପି. ବିଶ୍ୱନାଥ ଓ ବିଜୁବାବୁ ପ୍ରମୁଖ ବସି ଆଲୋଚନା କରିବା ସମୟରେ ସମ୍ମୁଖରେ ପ୍ରସ୍ତାବିତ ‘ଲିଙ୍କ ହାଉସ୍’ର ନକ୍ସା ଉପସ୍ଥାପନା କରାଯାଇଥିଲା । ମାତ୍ର ତାହା ଦେଖିବା ମାତ୍ରେ ବିଜୁବାବୁ ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ, ‘ସମ୍ବାଦପତ୍ର ଅଫିସ ନା ଗୋଦାମ ଘରର ନକ୍ସା? ‘ଲିଙ୍କ ହାଉସ୍’ ର ନକ୍ସା ବଦଳାଇବାକୁ ହେବ । ଅନ୍ୟୁନ ଏକ ଛଅମହଲା ବିଶିଷ୍ଟ ଘର କରିବାକୁ ପଡ଼ିବ’ ।

ତାଙ୍କ କଥା ଶୁଣି ଅରୁଣାଜୀ କହିଥିଲେ, ‘ବିଜୁ! ତୁମେ ଯେଭଳି ଡେଙ୍ଗାଲୋକ, ତୁମ ଚିନ୍ତାଧାରା ମଧ୍ୟ ଠିକ୍ ସେହିଭଳି। ଏକ ବଡ଼ କୋଠା ଲାଗି ଏତେ ଟଙ୍କା ଆସିବ କୁଆଡ଼ୁ?’ବିଜୁବାବୁ ସେତେବେଳେ କହିଥିଲେ, ‘ତାର ବ୍ୟବସ୍ଥା ଡଃ. ବାଲିଗା ଓ ମୁଁ କରିବୁ, ଆମେ ବ୍ୟାଙ୍କରୁ ଋଣ ନେବା, ଲିଙ୍କ୍‍ର ସେୟାର ବିକିବା । ଟଙ୍କା ସମସ୍ୟା ରହିବ ନାହିଁ ।’

ପ୍ରକୃତରେ ଟଙ୍କା ‘ଲିଙ୍କ ହାଉସ୍’ ନିର୍ମାଣ ଲାଗି ଅନ୍ତରାୟ ସୃଷ୍ଟି କରିନଥିଲା । ଅରୁଣାଜୀ ଯେବେ ବି ଏକଥା କହିବା ବେଳେ ଭାବପ୍ରବଣ ହୋଇ ଉଠନ୍ତି ଓ ତାଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇ ଉଠେ ।

ବିଜୁବାବୁଙ୍କ ସମ୍ପର୍କରେ ବହୁ ନିନ୍ଦା ପ୍ରଶଂସା ଶୁଣିଛି ତାଙ୍କ ରାଜନୈତିକ ଓ ଅର୍ଥନୈତିକ ଉତ୍‌ଥାନ ପତନ ମଧ୍ୟ ଦେଖିଛି। ସେ ହୁଏତ ଓଡ଼ିଶାର ଏକମାତ୍ର ରାଜନୀତିଜ୍ଞ ଯିଏ କି ରାଜନୀତି ଯୋଗୁ ନିଜର ସମସ୍ତ ବ୍ୟବସାୟ ଓ ଶିଳ୍ପକୁ ଜଳାଞ୍ଜଳି ଦେଇଛନ୍ତି । ଅନ୍ୟମାନେ ରାଜନୀତି କରି ପ୍ରକୃତ ସମ୍ପତ୍ତିର ମାଲିକ ହୋଇଥିବା ସ୍ଥଳେ ବିଜୁବାବୁଙ୍କ କ୍ଷେତ୍ରରେ ତାହାର ବୈପରୀତ୍ୟ ଦେଖାଦେଇଛି ।

ଛାତ୍ର ଜୀବନରେ ୧୯୬୪ ମସିହାରେ ବିଜୁବାବୁଙ୍କ ବିରୁଦ୍ଧରେ ପ୍ରତ୍ୟକ୍ଷ ଆନ୍ଦୋଳନରେ ଯୋଗଦେଇ ଚନ୍ଦନ ପଡ଼ିଆଠାରେ ତାଙ୍କ ଉପରେ ଶାରିରୀକ ଆକ୍ରମଣ କରିବାରେ ମଧ୍ୟ ମୁଁ ଭୂମିକା ଗ୍ରହଣ କରିଛି ।

ବିଜୁବାବୁଙ୍କ ବ୍ୟକ୍ତିତ୍ୱକୁ ତାଙ୍କର ଶିଳ୍ପପ୍ରତିଷ୍ଠା ଓ ରାଜନୀତିର ସୀମା ମଧ୍ୟରେ ସୀମିତ ରଖି ସମସ୍ତେ ମୂଲ୍ୟାଙ୍କନ କରୁଥିବା ସମୟରେ ମୁଁ କେବଳ ଦେଖିଛି ତାଙ୍କର ସବୁଠାରୁ କୋମଳତମ ଦିଗଟିକୁ । ତାହା ହିଁ ତାଙ୍କର ମାନବିକତା। କଳିଙ୍ଗ ଫାଉଣ୍ଡେସନ ତରଫରୁ ହଜାର ହଜାର ଗରିବ ଛାତ୍ରଛାତ୍ରୀଙ୍କ ବୃତ୍ତି ଓ ସାହାଯ୍ୟ ପ୍ରଦାନ ପାଇଁ ନୁହେଁ, ଅଥବା ଅନେକ ଅସହାୟ ରୋଗୀଙ୍କ ଆର୍ଥିକ ସାହାଯ୍ୟ ଦାନ କିମ୍ବା ଆନ୍ତର୍ଜାତୀୟ ଖ୍ୟାତି ଲାଭ ପାଇଁ କଳିଙ୍ଗ ପୁରସ୍କାର ଘୋଷଣା କରିଥିବା ଯୋଗୁଁ ନୁହେଁ, ମୁଁ ବିଜୁବାବୁଙ୍କୁ ସମ୍ମାନ ଓ ଶ୍ରଦ୍ଧା କରିବାର ଏକମାତ୍ର କାରଣ ହେଉଛି ତାଙ୍କର ମାନସିକତା ।

ସୁଦୀର୍ଘ ସାମ୍ବାଦିକ ଜୀବନରେ ବହୁ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ସମ୍ପର୍କରେ ଆସିଛି ଓ ସେମାନଙ୍କ ସହ ଏକତ୍ର ଗସ୍ତ କରିଛି । ଅନ୍ୟ ରାଜନୀତିଜ୍ଞମାନେ ଗସ୍ତ ସମୟରେ ବିଭିନ୍ନ ଆୟୋଜିତ ଭୋଜି ଅଥବା ଲଞ୍ଚ୍‍ ଓ ଡିନର୍‍ ଖାଇ ଆରାମରେ ବିଶ୍ରାମ କରିଥାଆନ୍ତି । ଏକମାତ୍ର ବିଜୁବାବୁ ହୁଏତ ଏକମାତ୍ର ବ୍ୟକ୍ତି ଯେ କି ନିଜେ ଖାଇବା ପୂର୍ବରୁ ତାଙ୍କ ସହ ଯାଇଥିବା ପ୍ରତ୍ୟେକଙ୍କର ଖାଇବା କଥା ବୁଝନ୍ତି । ସେ ଖାଇବା ଆଗରୁ ଡ୍ରାଇଭର ଓ ଅନ୍ୟମାନେ ଖାଇବା ଲାଗି ବ୍ୟବସ୍ଥା କରନ୍ତି ପରେ ଖାଆନ୍ତି ଅଥବା ଏକତ୍ର ଖାଆନ୍ତି ।

ଭିଆଇପିମାନଙ୍କ ନିମନ୍ତେ ଖାଇବାର ବ୍ୟବସ୍ଥା ସମୟରେ ସେମାନେ ଯେ, ଭିଆଇପି ଏହା ପ୍ରତିପାଦନ ଲାଗି ଓଡ଼ିଶାର ଅଧିକାଂଶ ଭିଆଇପିଙ୍କ ନିମନ୍ତେ ସ୍ୱତନ୍ତ୍ର ଖାଦ୍ୟର ବ୍ୟବସ୍ଥା ହୋଇଥାଏ । ଏପରିକି ମୁଁ ଅନେକ ଭିଆଇପିଙ୍କୁ ଦେଖିଛି ସେମାନେ ପଂକ୍ତି ଭୋଜନରେ କେତେକ ସ୍ୱତନ୍ତ୍ର ଖାଦ୍ୟ ଖାଉଥିବା ସମୟରେ ଅନ୍ୟମାନଙ୍କ ପାଇଁ ଭିନ୍ନ ଖାଦ୍ୟ ପରିବେଷଣ କରାଯାଇଥାଏ ଓ ସେମାନେ ଏହି ସ୍ୱତନ୍ତ୍ର ଖାଦ୍ୟ ପାଇଁ ଗର୍ବ ଅନୁଭବ କରିଥାଆନ୍ତି । ମାତ୍ର ବିଜୁବାବୁ ହେଉଛନ୍ତି ସେମାନଙ୍କଠାରୁ ଏକ ବ୍ୟତିକ୍ରମ । ପଂକ୍ତିଭୋଜନ ସମୟରେ ଖାଇବା ଲାଗି ଯେଉଁ ବ୍ୟବସ୍ଥା ହୋଇଥାଏ, ସେଥିରେ ତାଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟର ବ୍ୟବସ୍ଥା ହୋଇଥିଲେ ସେ ଉତ୍‌କ୍ଷିପ୍ତ ହୋଇଉଠନ୍ତି ଓ ତାହା ବର୍ଜନ କରୁଥିବା ବହୁ ଦୃଷ୍ଟାନ୍ତ ମୁଁ ଦେଖିଛି ।

୧୯୬୯ ମସିହା ଶେଷ ଭାଗରେ ଓଡ଼ିଶାର ସ୍ୱତନ୍ତ୍ର ଜନକଂଗ୍ରେସ ସରକାର ବିରୁଦ୍ଧରେ ‘ଓଡ଼ିଶା ବଂଚାଅ’ ଆନ୍ଦୋଳନ ଆୟୋଜନ ଲାଗି ବିଜୁବାବୁ ଜନମତ ସୃଷ୍ଟି କରିବା ନିମନ୍ତେ ଓଡ଼ିଶା ସାରା ଗସ୍ତ କରୁଥାଆନ୍ତି । ସେତେବେଳେ ‘କଳିଙ୍ଗ’ର ପ୍ରତିନିଧି ଭାବରେ ମତେ ଅନେକ ସମୟରେ ତାଙ୍କ ସହ ଗସ୍ତ କରିବାକୁ ପଡ଼ୁଥାଏ । ପୁରୀ ଜିଲ୍ଲା ଜରିପଡ଼ାରେ ପୂର୍ବତନ ବିଧାୟକ ଶ୍ରୀ ରଘୁନାଥ ରାୟ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିଥାଅନ୍ତି । ବିଜୁ ବାବୁ ଚିଙ୍ଗୁଡ଼ି ଖାଇବା ଲାଗି ଭଲ ପାଉଥିବାରୁ କିଛି ବଡ଼ ଚିଙ୍ଗୁଡ଼ି ଭାଜି ଥାଆନ୍ତି । ଖାଇବା ପରଷା ଯିବା ସମୟରେ ବିଜୁବାବୁ ଖାଇବା ଆଗରୁ ସମସ୍ତଙ୍କ ପତ୍ରକୁ ଚାହିଁଥିଲେ ଓ ଜାଣିପାରିଥିଲେ ଚିଙ୍ଗୁଡ଼ି ଭଜା କେବଳ ସ୍ୱତନ୍ତ୍ର ଭାବରେ ତାଙ୍କରି ପାଇଁ ହୋଇଛି । ସେ ତାହା ନଖାଇ ସଂଗେ ସଂଗେ ରଘୁବାବୁଙ୍କୁ ଡାକି ସେହି ଚିଙ୍ଗୁଡ଼ିକୁ ସମସ୍ତଙ୍କ ମଧ୍ୟରେ ବାଣ୍ଟି ଦେବାଲାଗି ପରାମର୍ଶ ଦେଇଥିଲେ । ମାତ୍ର ଅଳ୍ପ ଚିଙ୍ଗୁଡ଼ି ଥିବାରୁ ଶ୍ରୀ ରାୟ କୁଣ୍ଠିତ ହେବାରୁ ସେଗୁଡ଼ିକ କାହାକୁ ନ ଦେବାଲାଗି ବିଜୁବାବୁ ପରାମର୍ଶ ଦେଇଥିଲେ । ଫଳରେ ଶ୍ରୀ ରାୟ ବାଧ୍ୟହୋଇ ସମସ୍ତଙ୍କ ମଧ୍ୟରେ ଚିଙ୍ଗୁଡ଼ି ବାଣ୍ଟିଥିଲେ।

କେବଳ ଗୋଟିଏ କ୍ଷେତ୍ରରେ ନୁହେଁ, ବହୁ କ୍ଷେତ୍ରରେ ମୁଁ ବିଜୁବାବୁଙ୍କର ଏଇ ମାନବିକତାର ପ୍ରମାଣ ପାଇଛି ।

ଅନ୍ୟାନ୍ୟ ରାଜନୀତିଜ୍ଞଙ୍କ କ୍ଷେତ୍ରରେ ନୁହେଁ, ବହୁ କ୍ଷେତ୍ରରେ ମୁଁ ବିଜୁବାବୁଙ୍କର ଏଇ ମାନବିକତାର ପ୍ରମାଣ ପାଇଛି ।

ଅନ୍ୟାନ୍ୟ ରାଜନୀତିଜ୍ଞଙ୍କ ସମ୍ପର୍କରେ ସମ୍ବାଦପତ୍ରରେ କଟୂ ମନ୍ତବ୍ୟ ପ୍ରକାଶ ପାଇଲେ ପ୍ରାୟ ସମସ୍ତେ କ୍ଷୁବ୍ଧ ହୋଇଥାଆନ୍ତି । କ୍ଷମତାସୀନ ରାଜନୀତିଜ୍ଞମାନଙ୍କ ଦୋଷ ଦୁର୍ବଳତା ସମ୍ବାଦପତ୍ରରେ ପ୍ରକାଶ କଲେ ଅନେକ ସମୟରେ ସେମାନେ ପ୍ରତିଶୋଧ ପରାୟଣ ହୋଇ ଉଠିଥିବାର ଦେଖାଯାଇଥାଏ । ମାତ୍ର ବିଜୁବାବୁ ତାହାର ଏକ ବ୍ୟତିକ୍ରମ । ତାଙ୍କ ବିରୁଦ୍ଧରେ କଟୂ ମନ୍ତବ୍ୟ ପ୍ରକାଶ କଲେ ସେ ହସି ହସି କହନ୍ତି, ‘ଯାହା ହେଉ ତୁମେ ମାତେ ଭୁଲି ନଯାଇ ମନେ ରଖିଛ ବୋଲି ତ ମୋ ବିରୁଦ୍ଧରେ ଲେଖୁଛ । ସେଇଥିପାଇଁ ମୁଁ ଖୁସି’ । ସମ୍ବାଦପତ୍ର ପ୍ରତି ଏଭଳି ସହନଶୀଳତା ଓଡ଼ିଶାର ରାଜନୀତିଜ୍ଞମାନଙ୍କ ନିକଟରେ ହୁଏତ ବିରଳ ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ, ଦୈନିକ ସଂଚାରର ସଂପାଦକ)

ସୂର୍ଯ୍ୟନଗର, ଭୁବନେଶ୍ୱର

 

Leave a Reply

*