Blog

ମହାମନା ବିଜୁବାବୁ

ଯେଉଁ କେତେଜଣ ମହାନ୍ ଜନନାୟକ, ଏହି ପବିତ୍ର ଓଡ଼ିଶାମାଟିରେ ଜନ୍ମଗ୍ରହଣ କରିଛନ୍ତି, ସେମାନଙ୍କ ମଧ୍ୟରେ ପ୍ରବାଦ ପୁରୁଷ, ସ୍ୱାଭିମାନର ପ୍ରତୀକ, କଳିଙ୍ଗବୀର ବିଜୁପଟ୍ଟନାୟକ ଅନ୍ୟତମ । ନିଜର ପ୍ରିୟ ମାତୃଭୂମି ଓଡ଼ିଶା ଏବଂ ଭାରତବର୍ଷ ପାଇଁ ତାଙ୍କର ଦେଶପ୍ରେମ, ତ୍ୟାଗପୂତ ସଂଗ୍ରାମ ଓ ଉଚ୍ଚାଙ୍ଗ ବ୍ୟକ୍ତିତ୍ୱ ଜନସାଧାରଣଙ୍କ ମନରେ ଚିରକାଳ ସ୍ମରଣୀୟ ହୋଇ ରହିବ ।

ନରେନ୍ଦ୍ର କୁମାର ମିଶ୍ର

ଯେଉଁ କେତେଜଣ ମହାନ୍ ଜନନାୟକ, ଏହି ପବିତ୍ର ଓଡ଼ିଶାମାଟିରେ ଜନ୍ମଗ୍ରହଣ କରିଛନ୍ତି, ସେମାନଙ୍କ ମଧ୍ୟରେ ପ୍ରବାଦ ପୁରୁଷ, ସ୍ୱାଭିମାନର ପ୍ରତୀକ, କଳିଙ୍ଗବୀର ବିଜୁପଟ୍ଟନାୟକ ଅନ୍ୟତମ । ନିଜର ପ୍ରିୟ ମାତୃଭୂମି ଓଡ଼ିଶା ଏବଂ ଭାରତବର୍ଷ ପାଇଁ ତାଙ୍କର ଦେଶପ୍ରେମ, ତ୍ୟାଗପୂତ ସଂଗ୍ରାମ ଓ ଉଚ୍ଚାଙ୍ଗ ବ୍ୟକ୍ତିତ୍ୱ ଜନସାଧାରଣଙ୍କ ମନରେ ଚିରକାଳ ସ୍ମରଣୀୟ ହୋଇ ରହିବ । ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର କଳିଙ୍ଗ ସମ୍ରାଟ ଆର୍ଯ୍ୟ ମହାମେଘବାହନ ଐର ଖାରବେଳ ବିନା ରକ୍ତପାତରେ ସମଗ୍ର ଭାରତ ଜୟ କରିଥିଲେ । ଏହି ଅଜୟ କଳିଙ୍ଗବୀରଙ୍କ ୧୩ବର୍ଷର ଶାସନକାଳ ୧୭ଟି ଧାଡ଼ିରେ ଭୁବନେଶ୍ୱର ନିକଟସ୍ଥ ଉଦୟଗିରି (କୁମାରୀପର୍ବତ)ର ‘ହାତୀଗୁମ୍ଫା ଶିଳାଲେଖ’ରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି । ସମ୍ରାଟ ଖାରବେଳଙ୍କ ଦାୟାଦ ହିସାବରେ ତାଙ୍କର ଆଦର୍ଶକୁ ପାଥେୟ କରି ନିଜର ପ୍ରିୟ ରାଜ୍ୟ ଓଡ଼ିଶାକୁ ‘କଳିଙ୍ଗ’ ନାମରେ ସମଗ୍ର ଦେଶ ଓ ବିଶ୍ୱରେ ପ୍ରଚାରିତ ଓ ପ୍ରସାରିତ କରିବା ପାଇଁ ସବୁବେଳେ ଯତ୍ନଶୀଳ ଥିଲେ । ଏହି ମହାନ୍ ଉଦ୍ଦେଶ୍ୟରେ ୧୯୫୧ ମସିହାରେ ଜାତିସଂଘର ୟୁନେସ୍କୋ ଜରିଆରେ ‘କଳିଙ୍ଗ ପୁରସ୍କାର’ ପ୍ରବର୍ତ୍ତନ କରି ନିଜର ଜନ୍ମଭୂମିର ସମ୍ମାନ ବୃଦ୍ଧି କରିଛନ୍ତି । ଏଥିପାଇଁ ସେ ଏକ ଲକ୍ଷ ପାଉଣ୍ଡ ସ୍ଥାୟୀ ଜମା ପ୍ରଦାନ କରିଥିଲେ ।

ଏଭଳି ଜଣେ ନିର୍ଭୀକ, ଦୁର୍ଦ୍ଧର୍ଷ ସ୍ୱାଧୀନତା ସଂଗ୍ରାମୀ, ଉଦାରଚେତା ରାଷ୍ଟ୍ରନାୟକଙ୍କୁ ବ୍ୟକ୍ତିଗତ ଭାବରେ ନିକଟରୁ ଜାଣିବାର ସୌଭାଗ୍ୟ ମୋତେ ମିଳିଥିଲା । ୧୯୬୨ ମସିହାରେ ପ୍ରଥମେ ତାଙ୍କୁ ଗଙ୍ଗାଧର ମେହେର ମହାବିଦ୍ୟାଳୟ ଛାତ୍ରପ୍ରତିନିଧିମାନଙ୍କ ସହ ସମ୍ବଲପୁର ସର୍କିଟ ହାଉସ୍‌ରେ ସାକ୍ଷାତ କରିଥିଲୁ ଏବଂ କଲେଜର ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଆମନ୍ତ୍ରଣ ଜଣାଇଥିଲୁ । ସେତେବେଳେ ମୁଁ ଛାତ୍ର ସଂସଦର ସମ୍ପାଦକ ଥିଲି । ତାଙ୍କ ସହିତ ସ୍ୱଳ୍ପ ଆଳାପରୁ ଲାଗିଲା, ସେ ଛାତ୍ର ଓ ଯୁବକମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରେରଣା ଦେଉଥିଲେ ଏବଂ ବିଶାଳ ସ୍ୱପ୍ନ ଦ୍ୱାରା ବିଶାଳ କାର୍ଯ୍ୟ ସାଧିତ ହୋଇପାରିବ ବୋଲି କହିଥିଲେ । ୧୯୬୩ ମସିହା ଏପ୍ରିଲ୍ ମାସରେ ମୁଖ୍ୟମନ୍ତ୍ରୀ ଥାଇ କଲେଜର ବାର୍ଷିକୋତ୍ସବକୁ ମୁଖ୍ୟ ଅତିଥିଭାବେ ଆସିଥିଲେ । ପୁରସ୍କାର ବିତରଣ ଅବସରରେ ବିଭିନ୍ନ ବିଷୟରେ ପ୍ରତିଯୋଗିତା ମାନଙ୍କରେ ବହୁ ପୁରସ୍କାର ପାଉଥିବାରୁ ବିଜୁବାବୁ ଥଟ୍ଟାରେ କହିଥିଲେ, ‘ତୋତେ ଆଉ ପୁରସ୍କାର ଦେବି ନାହିଁ’ । ତାଙ୍କ ସହିତ ହାତ ମିଳାଇବା ଥିଲା ଅନ୍ୟ ଏକ ଅପୂର୍ବ ସୁଯୋଗ। ଜଣେ ଅଭିଜ୍ଞ ପାଇଲଟ୍‌ ଭାବେ ତାଙ୍କର ଡାହାଣହାତ ପାପୁଲି ଥିଲା ଲମ୍ବା, ଶକ୍ତ ଏବଂ ଡାହାଣ ପାର୍ଶ୍ୱରେ ବେଶ୍ ଖାଲୁଆ ।

ବିଜୁବାବୁ ଲଣ୍ଡନଠାରେ ଅଟୋମୋବାଇଲ୍ ଇଂଜିନିୟରିଂରେ ଗୋଟିଏ ବର୍ଷ ଏବଂ ପରବର୍ଷ ଏରୋନଟିକ୍ସ ଇଂଜିନିୟରିଂରେ ଟ୍ରେନିଂ ଶେଷ କରି ୧୯୩୬ ମସିହାରେ ଇଣ୍ଡିଆନ୍ ନ୍ୟାସନାଲ୍ ଏୟାରୱେଜରେ ପାଇଲଟ୍ ହିସାବରେ ଯୋଗ ଦେଲେ ଏବଂ ୧୯୪୦ ମସିହା ବେଳକୁ ବଡ଼ଲାଟଙ୍କ ପାଇଲଟ୍ ଭାବରେ କାମ କରୁଥିଲେ । ସେହି ସମୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସହାୟତା ପ୍ରଦାନ ପୂର୍ବକ ଇଂରେଜମାନଙ୍କ କୂଟକୌଶଳର ଖବର ଗୁପ୍ତ ଭାବରେ ଯୋଗାଉଥିଲେ । ଏଥିପାଇଁ ପୋଲିସ୍ ତାଙ୍କୁ ୧୯୪୩ ମସିହା ଜାନୁୟାରୀ ୧୩ ତାରିଖରେ ଦିଲ୍ଲୀରେ ଗିରଫ୍ କରି ୨ବର୍ଷ ୮ମାସ ଜେଲଦଣ୍ଡ ସହ ଚାକିରିରୁ ବହିଷ୍କୃତ କରିଥିଲେ ।

୧୯୬୫ ମସିହାରେ ଭାରତ-ପାକିସ୍ଥାନ ଯୁଦ୍ଧ । ସେତେବେଳେ ଦେଶର ମରୁଡ଼ିଜନିତ ଖାଦ୍ୟାଭାବ ମଧ୍ୟ ଦେଖାଦେଇଥିଲା । ତେଣୁ ଦେଶର ସୈନିକ ଏବଂ କୃଷକମାନଙ୍କ ମନୋବଳ ଦୃଢ଼ କରିବାକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୁର ଶାସ୍ତ୍ରୀ ‘ଜୟ ଯବାନ୍, ଜୟ କିଷାନ୍’ ନାରା ଦେଇ ଯୁଦ୍ଧ ଜିଣିଥିଲେ । ଉତ୍ତରପୂର୍ବ ଦିଗରେ, ଭାରତୀୟ ସେନାଙ୍କ ଲାହୋର ସୀମା ପର୍ଯ୍ୟନ୍ତ ମାଡ଼ି ଯାଇଥିଲେ । ପଶ୍ଚିମରେ ପାକିସ୍ଥାନୀମାନେ ମଧ୍ୟ ଭାରତର ଅନେକ ଅଞ୍ଚଳ ଅକ୍ତିଆର କରିଥିଲେ । ଏଭଳି ଘଡ଼ିସନ୍ଧି ସମୟରେ ଶାସ୍ତ୍ରୀଜୀ, ଓଡ଼ିଶା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ବିଜୁବାବୁଙ୍କୁ ମୁସଲମାନ ବହୁଳ ଇଣ୍ଡୋନେସିଆକୁ ସେଠିକାର ସରକାରଙ୍କ ସମର୍ଥନ ପାଇଁ ବିଶେଷ ଦୂତଭାବେ ପଠାଇଲେ । କାରଣ, ବିଜୁବାବୁ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମ ବେଳେ ୧୯୪୨ ମସିହା ଜୁଲାଇ ମାସ ୨୨ତାରିଖ ଦିନ ନିଜ ଡାକୋଟା ବିମାନରେ ପତ୍ନୀ ଜ୍ଞାନ ପଟ୍ଟନାୟକଙ୍କ ସାଙ୍ଗରେ ଭୀଷଣ ପ୍ରତିକୂଳ ପରିସ୍ଥିତିରେ ହଲାଣ୍ଡର ଡଚ୍ ସୈନିକମାନଙ୍କ ଗୋଳିଗୁଳାକୁ ଭୃକ୍ଷେପ ନକରି ଜାକର୍ତ୍ତାର ବାଟାଭିଆ ବିମାନ ବନ୍ଦରରେ ଓହ୍ଲାଇ ସୁକର୍ଣ୍ଣଙ୍କୁ ସାକ୍ଷାତ କରିଥିଲେ । ତାଙ୍କର ପରାମର୍ଶ କ୍ରମେ ପ୍ରଧାନମନ୍ତ୍ରୀ ଡକ୍ଟର ସାହାରିୟାର୍ ଓ  ଅନ୍ୟାନ୍ୟ ନେତାଙ୍କୁ ସେହି ବିମାନରେ ରାତି ଅଧରେ ପୂର୍ବଦିଗକୁ ଆସି ସିଙ୍ଗାପୁରରେ ପହଂଚିଥିଲେ । ଏହି ଖବର ପ୍ରକାଶିତ ହେଲାପରେ ସମସ୍ତେ ବିଜୁବାବୁଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ଏହାର କିଛିଦିନ ପରେ ସୁମାତ୍ରାରୁ ଇଣ୍ଡୋନେସିଆର ଉପରାଷ୍ଟ୍ରପତି ଡକ୍ଟର ହଟ୍ଟାଙ୍କୁ କୌଶଳରେ ଦିଲ୍ଲୀ ଆଣି ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ସହିତ ସାକ୍ଷାତ କରାଇଥିଲେ । ୧୯୫୦ ମସିହାରେ ଇଣ୍ଡୋନେସିଆ ସ୍ୱାଧୀନ ହେଲା । ଯେତେବେଳେ ଦେଶର ବିପତ୍ତି ଦେଖାଦେଇଛି, ବିଜୁବାବୁ ଆଗ୍ରାଧିକାର ଭାବରେ ଖୋଜା ପଡ଼ିଥାନ୍ତି । ୧୯୪୮ ମସିହାରେ ପାକିସ୍ଥାନ ଅଧିକୃତ କାଶ୍ମୀରରେ ଭାରତୀୟ ସୈନ୍ୟମାନଙ୍କୁ ଓହ୍ଲାଇଥିଲେ । ସେହିଭଳି ୧୯୫୦ ମସିହାରେ ବିଜୁବାବୁ ନେପାଳର ରାଜାଙ୍କୁ ଭାରତପକ୍ଷରୁ ସହାୟତା ଯୋଗାଇ ପାରିଥିଲେ । ୧୯୬୨ ମସିହାରେ ଚୀନ୍ , ଭାରତ ଉପରେ ଆକ୍ରମଣ କଲା ଏବଂ ଆମର ବହୁ ଅଞ୍ଚଳକୁ ଅକ୍ତିଆର କରିନେଲା । ସେତେବେଳେ ପାଇଲଟ୍ ବିଜୁବାବୁ ଭାରତୀୟ ଯବାନମାନଙ୍କୁ ଯୁଦ୍ଧ କ୍ଷେତ୍ରରେ ଖାଦ୍ୟପୁଡ଼ିଆ ପହଂଚାଉଥିଲେ । ପଣ୍ଡିତ ନେହେରୁ ତାଙ୍କୁ ସ୍ୱତନ୍ତ୍ର ଭାବେ ବୈଦେଶିକ ବିଭାଗର ଅତିରିକ୍ତ ଦାୟିତ୍ୱ ଦେଇ ଆମେରିକା ପଠାଇଥିଲେ । ବିଜୁବାବୁ ଆମେରିକା ରାଷ୍ଟ୍ରପତି କେନେଡ଼ିଙ୍କୁ ସାକ୍ଷାତକରି ସବୁ ବିଷୟ ବୁଝାଇ ଆମେରିକାର ସାହାଯ୍ୟ ପ୍ରାପ୍ତ କରାଇପାରିଥିଲେ । ସେତେବେଳେ ବିଜୁବାବୁ କୃଷ୍ଣମେନନ୍‌ଙ୍କ ସ୍ଥାନରେ ପ୍ରତିରକ୍ଷା ମନ୍ତ୍ରୀ ହେବେ ବୋଲି ମଧ୍ୟ ସମସ୍ତେ ଭାବିଥିଲେ । ବିଜୁବାବୁ ବିମାନରେ ଆକାଶମାର୍ଗରେ ବିହଙ୍ଗପକ୍ଷୀ ଭଳି ଉଡ଼ିବାକୁ ସଉକ ରଖୁଥିଲେ । ସେଥିପାଇଁ ସେ ପାଇଲଟ୍ ହିସାବରେ କାମ କରିବାକୁ ପସନ୍ଦ କରିଥିଲେ । ଗୋଟିଏ ପୁରୁଣା ଏକ ଇଂଜିନ୍ ବିଶିଷ୍ଟ ଡାକୋଟାବିମାନ ନିଜେ କିଣି, ଆବଶ୍ୟକୀୟ ଯନ୍ତ୍ରାଂଶ ଲଗାଇ ତାକୁ ଉଡ଼ାଣକ୍ଷମ କରିଥିଲେ । ଏହି ଐତିହାସିକ ବିମାନକୁ ରାଜ୍ୟ ସରକାର ବିମାନ ବନ୍ଦରରେ ସାଇତି ରଖିଛନ୍ତି । ଏହାକୁ ଭୁବନେଶ୍ୱର ରାଜ୍ୟ ସଂଗ୍ରହାଳୟ ପରିସରକୁ ସ୍ଥାନାନ୍ତରିତ କଲେ, ବିଜୁପ୍ରେମୀ ଜନସାଧାରଣ ଏହା ସୁବିଧାରେ ଦେଖିପାରନ୍ତେ, ତାଙ୍କର ଶତବାର୍ଷିକୀରେ ସରକାର ଏ ବିଷୟରେ ଚିନ୍ତା କରିପାରନ୍ତି ।

ବିଜୁପଟ୍ଟନାୟକ, ଶାସ୍ତ୍ରୀଜୀଙ୍କ ସ୍ୱତନ୍ତ୍ର ଦୂତ ଭାବେ ସଫଳ ହୋଇ ଇଣ୍ଡୋନେସିଆରୁ ଫେରିଆସିଲା ପରେ ଦିଲ୍ଲୀରୁ ମୋ ପାଖକୁ ଖବର ଆସିଲା, ତହିଁଆର ଦିନ ସକାଳ ୮ ଘଣ୍ଟା ସମୟରେ ତାଙ୍କୁ ତାଙ୍କର ୪ ନମ୍ବର ୟୁନିଟ୍‌ରେ ଥିବା ଏମ୍.ଏଲ୍.ଏ. କଲୋନୀରେ ସାକ୍ଷାତ କରିବା ପାଇଁ । ସେତେବେଳେ ମୁଁ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରସଂସଦର ସଭାପତି ଥିଲି । ଏ ବିଷୟ ଛାତ୍ରସଂସଦର ଉପଦେଷ୍ଟା ପ୍ରଫେସର୍ ଡଃ ସୂର୍ଯ୍ୟକାନ୍ତ ଦାସ ଏବଂ ରାଜନୀତି ବିଜ୍ଞାନମୁଖ୍ୟ ପ୍ରଫେସର ଡ଼ଃ ଶ୍ରୀରାମଚନ୍ଦ୍ର ଦାଶଙ୍କୁ ଜଣାଇ ବିଜୁବାବୁଙ୍କୁ ନିର୍ଦ୍ଦିଷ୍ଟ ସମୟରେ ଦେଖାକଲି । ସେତେବେଳେ ସେ ନିଜ ବିଛଣାରେ ବେଡ଼ରୁମ୍‌ରେ ବସିଥାନ୍ତି । ମୋତେ ତାଙ୍କ ପାଖରେ ବସାଇ କମଳାରସ ପିଇବାକୁ ଦେଲେ । ତାଙ୍କର ଇଣ୍ଡୋନେସିଆ ଗସ୍ତ ଏବଂ ଯୁଦ୍ଧ ପରବର୍ତ୍ତୀ ସମସ୍ୟାବଳୀ ଉପରେ ଆଲୋକପାତ କଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ହଷ୍ଟେଲମାନଙ୍କର ଭୋଜନାଳୟଗୁଡ଼ିକରେ ଖାଦ୍ୟର ଯେପରି ଅପଚୟ ନହୁଏ, ସେ ବିଷୟରେ ପୋଷ୍ଟରମାନ ମାରିବା ପାଇଁ ପରାମର୍ଶ ଦେଲେ । ଶେଷରେ ସେ ନିଜେ ଆସି ବାଣୀବିହାର ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେବା ପାଇଁ ଇଚ୍ଛାବ୍ୟକ୍ତ କଲେ । ତାଙ୍କ ବାସବଭନରୁ ଫେରିଲା ବେଳେ ଦେଖିଲି ତତ୍କାଳୀନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀ, ମନ୍ତ୍ରୀ ନୀଳମଣି ରାଉତରାୟ ପ୍ରମୁଖ ବିଶିଷ୍ଟ ନେତାମାନେ ତାଙ୍କୁ ସାକ୍ଷାତ ପାଇଁ ଅପେକ୍ଷା କରିଥାନ୍ତି । ୧୯୬୪-୬୫ ମସିହାରେ ଓଡ଼ିଶାରେ ଏକ ଅଭୂତପୂର୍ବ ଛାତ୍ରଆନ୍ଦୋଳନ ହୋଇଥିଲା । ଯେଉଁଥିପାଇଁ ସେତେବେଳର ମୁଖ୍ୟମନ୍ତ୍ରୀ ବୀରେନ୍ ମିତ୍ରଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ଏହି ଘଟଣା ଜନସାଧାରଣ ତଥା ଛାତ୍ରମାନଙ୍କ ମନରୁ ଲିଭିନଥିଲା । ତେଣୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ତାଙ୍କୁ ଡାକିବାରେ ଅକ୍ଷମତା ପ୍ରକାଶ କଲେ । ଡଃ ଶ୍ରୀରାମ ଦାଶ ଏ ବିଷୟରେ ଅବଗତ ହେବାରୁ ମୋତେ ପରାମର୍ଶ ଦେବାପୂର୍ବକ ଏକ ଚିଠି ବିଜୁବାବୁଙ୍କ ଉଦ୍ଦେଶ୍ୟରେ ପଠାଇଲେ ଏବଂ ତାଙ୍କୁ ରାଜନୀତି ବିଜ୍ଞାନ ବିଭାଗର ସେମିନାର୍‌କୁ ଆସି ଭାଷଣ ଦେବାପାଇଁ ନିମନ୍ତ୍ରଣ କଲେ । ମୁଁ ଏହି ସେମିନାର୍‌ର ସଂପାଦକ ମଧ୍ୟ ଥିଲି ଏବଂ ବର୍ତ୍ତମାନର ବିଶିଷ୍ଟ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଡଃ କୁମ୍‌କୁମ୍‌ ଦାସ ଯୁଗ୍ମ ସମ୍ପାଦିକା ଥିଲେ । ନିମନ୍ତ୍ରଣ ରକ୍ଷାକରି ବିଜୁବାବୁ ଆସିଲେ ଏବଂ ‘War and politics’ (ଯୁଦ୍ଧ ଏବଂ ରାଜନୀତି) ବିଷୟରେ ଇଂରାଜୀରେ ଏକ ପାଣ୍ଡିତ୍ୟପୂର୍ଣ୍ଣ ଅଭିଭାଷଣ ପ୍ରଦାନ କରିଥିଲେ ଯାହାକି ବହୁ ସଂଖ୍ୟାରେ ଉପସ୍ଥିତ ଶିକ୍ଷକମଣ୍ଡଳୀ, ଛାତ୍ରଛାତ୍ରୀଙ୍କ ଦ୍ୱାରା ବହୁ ଭାବରେ ପ୍ରଶଂସିତ ହୋଇଥିଲେ । ସେ ଜଣେ ପଠନପ୍ରିୟ ମଣିଷ ଏବଂ ତାଙ୍କର ଯାତ୍ରା ସମୟରେ ପାଖରେ ଗୋଟିଏ ଇଂରାଜୀ ବହି ପ୍ରାୟ ଥିବାର ଦେଖିବାକୁ ମିଳେ ।

୧୯୯୦ ମସିହାରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଲା ପରେ ବିଜୁବାବୁ, ତାଙ୍କ ନିର୍ବାଚନମଣ୍ଡଳୀ ଭୁବନେଶ୍ୱର ପାଇଁ ଜଣେ ଉପଯୁକ୍ତ ଏ.ଡି.ଏମ୍. (ଅତିରିକ୍ତ ଜିଲ୍ଲାପାଳ) ଖୋଜିବା ପାଇଁ ତତ୍କାଳୀନ ମୁଖ୍ୟ ସଚିବ ଶ୍ରୀ ରମାକାନ୍ତ ରଥଙ୍କୁ କହିଲେ । ତାଙ୍କ ସୁପାରିଶ କ୍ରମେ ମୋତେ ଏହି ଦାୟିତ୍ୱ ନେବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା । ସେତେବେଳେ ମୁଁ ଓଡ଼ିଶା ଚଳଚ୍ଚିତ୍ର ନିଗମର ପରିଚାଳନା ନିର୍ଦ୍ଦେଶକ ଥିଲି । ବହୁ ଚଳଚ୍ଚିତ୍ର ଶିଳ୍ପୀ ଏଥିରେ ଅସନ୍ତୋଷ ବ୍ୟକ୍ତ କରି ଆଦେଶ ରଦ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ । କାରଣ, ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ‘ଜାତୀୟ ଚଳଚ୍ଚିତ୍ର ଉତ୍ସବ’ ଅନୁଷ୍ଠିତ ହୋଇଥିଲା ଏବଂ କ୍ଷତିରେ ଚାଲୁଥିବା ‘କଳିଙ୍ଗ ଷ୍ଟୁଡ଼ିଓ’ ଆର୍ଥିକ ଲାଭ ହାସଲ କରିଥିଲା । କିନ୍ତୁ ସରକାରଙ୍କ ଆଦେଶ ଅନୁଯାୟୀ ମୁଁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲି । ଭୁବନେଶ୍ୱର ସାମଗ୍ରିକ ବିକାଶ, ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ଖାଦ୍ୟ ସାମଗ୍ରୀର ସୁଷମ ବଣ୍ଟନ ଓ ଅନ୍ୟାନ୍ୟ ବିଷୟମାନଙ୍କରେ ମଝିରେ ମଝିରେ ସେ ବିହିତ ସୁପରାମର୍ଶ ପ୍ରଦାନ କରୁଥିଲେ ।

୧୯୯୩ ମସିହାରେ ଇଷ୍ଟେଟ୍ (ମାହାଲ୍) ନିର୍ଦ୍ଦେଶକ ଭାବେ ସାଧାରଣ ପ୍ରଶାସନ ବିଭାଗକୁ ମୋର ବଦଳି ହେଲା । ଏହି ବିଭାଗର ମନ୍ତ୍ରୀ, ଖୋଦ୍ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ଓ କଟକରେ ଗୃହ ବଣ୍ଟନ ଓ ଭୁବନେଶ୍ୱର କ୍ୟାପିଟାଲ୍ ଅଞ୍ଚଳରେ ଜମିଜମା ବ୍ୟବସ୍ଥା ବୁଝିବା ଏହି ପଦବୀର ମୁଖ୍ୟ କାର୍ଯ୍ୟ ଥିଲା । ମୁଖ୍ୟମନ୍ତ୍ରୀ ନିଜେ ବହୁ ବ୍ୟକ୍ତିବିଶେଷଙ୍କ ଦରଖାସ୍ତଗୁଡ଼ିକୁ ମୁଖ୍ୟ ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଆଦେଶ ପାଇଁ ପଠଉଥିଲୁ, ଯାହାକୁ ମୁଖ୍ୟମନ୍ତ୍ରୀ ସଦୟେ ଗ୍ରହଣ କରୁଥିଲେ । କ୍ୱଚିତ୍, ଆମ ପ୍ରସ୍ତାବରେ ସେ ଦ୍ୱିମତ ପ୍ରକାଶ କରୁଥିଲେ । ତାଙ୍କ ପାଖରେ ପ୍ରାୟ ତିନିବର୍ଷ ୧୯୯୫ ମସିହା ପର୍ଯ୍ୟନ୍ତ କାମ କରିବାର ସୁଯୋଗ ମିଳିଥିଲା । ସେହି ସମୟରେ ମୁଁ ଓଡ଼ିଶା ପ୍ରଶାସନିକ ସେବା ସଂଘର ସଭାପତି ଥାଏ । ଏହି ବର୍ଗର ଅଧିକାରୀମାନଙ୍କ ସମସ୍ୟାଗୁଡ଼ିକ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ସମୟରେ ଦେଖା କରୁ । ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଓ.ଏ.ଏସ୍. ଅଫିସରମାନଙ୍କୁ ଜିଲ୍ଲାପାଳ ଭାବରେ ୪ଟି ଜିଲ୍ଲାର ଦାୟିତ୍ୱ ନେବା ପାଇଁ ଆଦେଶ ଦେଇଥିଲେ, ଯାହାକି ସମଗ୍ର ଦେଶରେ ଏହା ଥିଲା ଏକ ଯୁଗାନ୍ତକାରୀ, ଅନନ୍ୟ ପଦକ୍ଷେପ । ସେ ଥିଲେ ଜଣେ ବିଶାଳ ହୃଦୟର ଅଧିକାରୀ, କିନ୍ତୁ କ୍ଷଣକୋପୀ । ଖୁବ୍ ଶୀଘ୍ର ରାଗି ଯାଆନ୍ତି, କିନ୍ତୁ ପର ମୁହୂର୍ତ୍ତରେ ଶାନ୍ତ ମୂର୍ତ୍ତି ଧାରଣ କରନ୍ତି । ଥରେ ବାଣୀବିହାର ପାଖରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ଆଦେଶ ନେଇ ଗୋଟିଏ ଜବରଦଖଲରେ ଥିବା ଅସ୍ଥାୟୀ ବସ୍ତିକୁ ଉଚ୍ଛେଦ ପାଇଁ ଯାଇଥିଲୁ । ଏହା ବିରୁଦ୍ଧରେ ବସ୍ତିବାସିନ୍ଦାମାନେ ବିଜୁବାବୁଙ୍କ ପାଖରେ ଫେରାଦ ହେଲେ । ମୁଖ୍ୟଶାସନ ସଚିବ ଖବର ଦେଲେ, ବିଜୁବାବୁ ରାଗି ପାଟିତୁଣ୍ଡ କରୁଛନ୍ତି, ତାଙ୍କୁ ଯାଇ ଦେଖାକର । ମୋତେ ଦେଖିଲା ମାତ୍ରେ ରାଗିଗଲେ ଏବଂ ସବୁକଥା ଜାଣିଲା ପରେ ଶାନ୍ତ ହୋଇ ପରାମର୍ଶ ଦେଲେ, ଆଜି ଆଉ ସେ ବସ୍ତି ଉଚ୍ଛେଦ କର ନାହିଁ । ମଝିରେ ମଝିରେ ମୁଖ୍ୟମନ୍ତ୍ରୀଙ୍କ ମୁଡ୍ ବିଗିଡ଼ି ଯାଏ । ଏଭଳି ଅବସ୍ଥାରେ ତାଙ୍କର ବ୍ୟକ୍ତିଗତ ସଚିବ ଶ୍ରୀ ବେଣୁଧର ମିଶ୍ରଙ୍କଠାରୁ ଖବର ପାଇ ମୁଁ ତାଙ୍କ ପାଖକୁ ଯାଏ ଏବଂ କଥା ପ୍ରସଙ୍ଗରେ ତାଙ୍କୁ କହେ, “ଆପଣ ଦେଶର ରାଜନୀତି ରଙ୍ଗ ମଞ୍ଚରେ କିଙ୍ଗ୍ ମେକର ହେଲେ, କିନ୍ତୁ ରାଜା ହୋଇପାରିଲେ ନାହିଁ, ଆପଣ ପ୍ରଧାନମନ୍ତ୍ରୀ ହୋଇଥିଲେ, ଓଡ଼ିଶାର ଭାଗ୍ୟ ପରିବର୍ତ୍ତନ ହୋଇଥାଆନ୍ତା।” ଏହା ଶୁଣି ତାଙ୍କର ରାଗ କମିଯାଏ ଏବଂ ସେ ଟିକିଏ ହସିଦିଅନ୍ତି ।

୧୯୯୭ ମସିହା ଏପ୍ରିଲ ୧୭ ତାରିଖରେ ଏହି ମହାନାୟକଙ୍କ ମହାପ୍ରୟାଣ ହେଲା ଦିଲ୍ଲୀରେ । ୧୯ ତାରିଖ ଦିନ ତାଙ୍କ ଶବ ଶୋଭାଯାତ୍ରାରେ ଲକ୍ଷାଧିକ ଲୋକ ଯୋଗଦେଇ ତାଙ୍କର ପ୍ରିୟ ନେତାଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ଦେବଗୌଡ଼ାଙ୍କ ସହିତ ଦେଶର ପ୍ରାୟ ଅଧିକାଂଶ ମୁଖ୍ୟମନ୍ତ୍ରୀ ଓ ସର୍ବଦଳୀୟ ନେତୃବୃନ୍ଦ ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗ ଦେଇଥିଲେ । ସେତେବେଳେ ମୁଁ ସମ୍ବଲପୁରରେ ଜିଲ୍ଲାପାଳ ଥିଲି । ସେଦିନ ସମ୍ବଲପୁରରୁ ପୁରୀ ଆସି ‘ଝଡ଼ର ଇଗଲ୍ ଓ ମାଟିର ମୂର୍ତ୍ତିକାର’ଙ୍କୁ ଶେଷ ଦର୍ଶନ ପୂର୍ବକ ଅମର ଆତ୍ମାପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲି ।

(ଲେଖକ ଜଣେ ଅବସରପ୍ରାପ୍ତ ଆଇ.ଏ.ଏସ୍ ତଥା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି)

ଆଇଆର୍‌ସି ଭିଲେଜ୍‍, ନୟାପଲ୍ଲୀ, ଭୁବନେଶ୍ୱର

ମୋ-୯୪୩୭୦୨୦୦୩୩

 

One thought on “[ମହାମନା ବିଜୁବାବୁ]”

Leave a Reply

*