Blog

ବିଜୁ ପଟ୍ଟନାୟକ ଜଣେ ରାଷ୍ଟ୍ରନୀତିଜ୍ଞ

ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଥିବାବେଳେ ଓଡ଼ିଶାବାସୀଙ୍କର ଜନମାନସରେ ବିଭିନ୍ନ ଆଶା ଆକାଂକ୍ଷା ଓ ଉନ୍ନତି ଜୀବନଧାରଣ ପାଇଁ ଥିବା ମାନସିକତା ପୂରଣ ପାଇଁ ଓଡ଼ିଶାରେ ଉନ୍ନତ ନାଗରିକମାନଙ୍କୁ ଗଢ଼ିତୋଳିବା ପାଇଁ ଚିନ୍ତା ପ୍ରକଟ କରିଥିଲେ । ସେଥିପାଇଁ ଏହି ପ୍ରଗତିଶୀଳ ନାଗରିକଙ୍କ ପରିପ୍ରକାଶ ସକାଶେ ପ୍ରଥମସ୍ତରରେ ଦଶଗୋଟି ଆଦର୍ଶ ନାଗରିକ କାରଖାନା ପ୍ରତିଷ୍ଠାର ସ୍ୱପ୍ନ ଦେଖିଥିଲେ ।

ରାମକୃଷ୍ଣ ପଟ୍ଟନାୟକ

ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଥିବାବେଳେ ଓଡ଼ିଶାବାସୀଙ୍କର ଜନମାନସରେ ବିଭିନ୍ନ ଆଶା ଆକାଂକ୍ଷା ଓ ଉନ୍ନତି ଜୀବନଧାରଣ ପାଇଁ ଥିବା ମାନସିକତା ପୂରଣ ପାଇଁ ଓଡ଼ିଶାରେ ଉନ୍ନତ ନାଗରିକମାନଙ୍କୁ ଗଢ଼ିତୋଳିବା ପାଇଁ ଚିନ୍ତା ପ୍ରକଟ କରିଥିଲେ । ସେଥିପାଇଁ ଏହି ପ୍ରଗତିଶୀଳ ନାଗରିକଙ୍କ ପରିପ୍ରକାଶ ସକାଶେ ପ୍ରଥମସ୍ତରରେ ଦଶଗୋଟି ଆଦର୍ଶ ନାଗରିକ କାରଖାନା ପ୍ରତିଷ୍ଠାର ସ୍ୱପ୍ନ ଦେଖିଥିଲେ ।

ଓଡ଼ିଶାର ଅର୍ଥନୈତିକ ଦୂରାବସ୍ଥା ଓ ଜନସାଧାରଣଙ୍କ ଦାରିଦ୍ର୍ୟକୁ ଆଖିଆଗରେ ରଖି ଲୋକଙ୍କ ଉପରେ ଅଧିକ ଟିକସ ବୋଝ ନ ପକାଇ କିପରି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯାଇ ପାରିବ ସେହି ଉପାୟ ସଂଧାନରେ ଥିଲେ । ତାଙ୍କର ସ୍ୱପ୍ନର ଏହି ଦଶଟି ଶିକ୍ଷାନୁଷ୍ଠାନର ପ୍ରତିଷ୍ଠା ଓ ପରିଚାଳନା ଖର୍ଚ୍ଚ ବାବଦରେ ୧୨୫ କୋଟି ଟଙ୍କାର ବାର୍ଷିକ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଆହ୍ୱାନ କରିଥିଲେ । ସମସ୍ତଙ୍କ ପାଇଁ ବିନା ଟିକସରେ ବାର୍ଷିକ ଏତେ ଟଙ୍କା ଯୋଗାଡ଼ କରିବା ଏକ ସମସ୍ୟା ଥିଲା ଏବଂ ତାର ଉପାୟ ଥିଲା ସବୁଠାରୁ ବଡ଼ ସମସ୍ୟା ।

ବିଜୁବାବୁ ସେତେବେଳେ କଟକ ଓ ଭୁବନେଶ୍ୱର ଠାରେ ପ୍ରତିମାସରେ ଏଭଳି ଏକ ତାତ୍ତ୍ୱିକ ଆଲୋଚନା ପାଇଁ ସେତେବେଳର ଶିକ୍ଷାବିତ୍, ଲେଖକ, ଚିନ୍ତାନାୟକ ଓ ସରକାରୀ କର୍ମଚାରୀ ନିର୍ବିଶେଷରେ ସମସ୍ତଙ୍କୁ ସେହି ଆଲୋଚନାକୁ ନିମନ୍ତ୍ରଣ କରୁଥିଲେ । ସେହି କ୍ରମରେ ମୁଁ ଢ଼େଙ୍କାନାଳଠାରେ Dy. Collector ଥିବା ବେଳେ ଏଥିରେ ଯୋଗଦେବା ପାଇଁ ନିମନ୍ତ୍ରଣ ପାଇଥିଲି । ସମସ୍ତଙ୍କର ଏହି ଆଲୋଚନା ଚକ୍ରରେ ଯୋଗଦେବାର ସୁବିଧା ପାଇଁ ଏହାକୁ ଏକ ଛୁଟିଦିନରେ ଆୟୋଜନ କରାଯାଇଥିଲା । ସେହି ଆଲୋଚନା ଚକ୍ରରେ ତାଙ୍କର ସ୍ୱପ୍ନର ଏହି ଶିକ୍ଷାନୁଷ୍ଠାନ (ନାଗରିକ କାରଖାନା)ର ଆଲୋଚନା ହେଉଥିଲା । ସେଠାରେ ବିଜୁବାବୁଙ୍କ ସହିତ ମୋର ପ୍ରଥମ ଦେଖା ସାକ୍ଷାତ ହୋଇଥିଲା । ସେ ଚାହୁଁଥିଲେ ଗୋଟିଏ ଶିକ୍ଷାନୁଷ୍ଠାନର ପ୍ରାଚୀର ଭିତରେ ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ କରି ସର୍ବୋଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଏବଂ ଗବେଷଣାତ୍ମକ ଜ୍ଞାନ ଆହରଣ ପାଇଁ ଯେଭଳି ପରିବେଶ ସୃଷ୍ଟି ହୋଇପାରିବ । ବିଭିନ୍ନ ଆଲୋଚକମାନେ ସେମାନଙ୍କର ପ୍ରସ୍ତାବ ଉପସ୍ଥାପନ କରିଥିଲେ କିନ୍ତୁ ଲୋକଙ୍କ ଉପରେ ଟିକସ ନ ପକାଇ ଏ ଅର୍ଥ  ଯୋଗାଡ଼ କରିବା ସମ୍ଭବ ନୁହେଁ ବୋଲି ମତ ଦେଇଥିଲେ । ସେହି ଆଲୋଚନା ଚକ୍ରରେ ମୁଁ ଗୋଟିଏ ପ୍ରସ୍ତାବ ଉପସ୍ଥାପନା କରିଥିଲି ଯେ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଦୁଇଟି ସାଧାରଣ ଉଦ୍ୟୋଗ ପ୍ରତିଷ୍ଠା ହେଉ ଏବଂ ଗୋଟିଏ ଏହି ଅନୁଷ୍ଠାନରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନଙ୍କ ପଂଜୀକରଣ ଏବଂ ଅନ୍ୟଟି ଏହି ଅନୁଷ୍ଠାନକୁ ପରିଚାଳନା କରିବାର ଦାୟିତ୍ୱ ନେବ । ଏହି ଶିକ୍ଷା ପଦ୍ଧତି ଭିତରେ ବୈଷୟିକ ଶିକ୍ଷା ବାବଦରେ ଡାକ୍ତରୀ, ଇଂଜିନିୟରିଂ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ବାବଦରେ ଶିକ୍ଷାର ସୁବିଧା ଦିଆଯିବ । ଯେଉଁମାନେ ଏମାନଙ୍କୁ ନିଯୁକ୍ତି ଦେବା ବେଳେ ଏହି ସାଧାରଣ ଉଦ୍ୟୋଗ ଦ୍ୱାରା ଚୟନ କରାଯାଉଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦେବାକୁ ବାଧ୍ୟ ହେବେ । ପ୍ରତ୍ୟେକ କିସମର ବିଶାରଦମାନଙ୍କୁ ପ୍ରକାରଭେଦର ନିଯୁକ୍ତିଦାତାମାନେ ସରକାରଙ୍କ ତରଫରୁ ସେମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ କରାଯାଇଥିବା ଅର୍ଥ ପାଇଁ ନିଧାର୍ଯ୍ୟ ଫିସ୍ ପ୍ରଦାନ କଲେ ସେମାନଙ୍କର ସେବା ଗ୍ରହଣ କରିପାରିବେ । ଏଥିପାଇଁ କାହା ଉପରେ ଅଧିକ ଟିକସ ପକାଇବା ଆବଶ୍ୟକ ନାହିଁ । ମୁଁ ଦେଇଥିବା ପ୍ରସ୍ତାବକୁ ବିଜୁବାବୁ ଗ୍ରହଣ କରିଥିଲେ ଏବଂ ଏହା ଏକ ସାଧୁ ପ୍ରସ୍ତାବ ବୋଲି ମତ ଦେଇଥିଲେ । ସେହିଦିନଠାରୁ ବିଜୁବାବୁ ପ୍ରତ୍ୟେକ ମାସରେ ଆଲୋଚନା ଚକ୍ରକୁ ଆସିବା ପାଇଁ ଏବଂ ତାଙ୍କ ସହିତ ସ୍ୱତନ୍ତ୍ର ଆଲୋଚନା ପାଇଁ ପ୍ରବର୍ତ୍ତାଇଥିଲେ । ତାଙ୍କ ନିର୍ଦ୍ଦେଶ ମୁତାବକ ମୁଁ Dy. collectorର ଇସ୍ତଫା ଦେଇ ରାଜନୀତି କରିବା ପାଇଁ ମନୋନିବେଶ କରିଥିଲି ।

୧୯୭୧ ମସିହାରେ ବିଜୁବାବୁଙ୍କ ନେତୃତ୍ୱରେ ଗଠିତ ଉତ୍କଳ କଂଗ୍ରେସ ତରଫରୁ ମୁଁ କୋଦଳା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିଥିଲି ଏବଂ ବିଧାନସଭାକୁ ନିର୍ବାଚିତ ହୋଇଥିଲି । ସେତେବେଳେ ବହୁ ପୁରାତନ ନେତା ଓ ବନମାଳୀ ମହାରଣାଙ୍କ ଭଳି ପ୍ରତିଷ୍ଠିତ ସମାଜସେବୀମାନେ ଲଢ଼େଇ କରିଥିଲେ । ନିର୍ବାଚନ ପରେ ଗଠିତ ମିଳିତ ମନ୍ତ୍ରିମଣ୍ଡଳରେ ଉତ୍କଳ କଂଗ୍ରେସ ତରଫରୁ ବିଜୁବାବୁଙ୍କ ନିର୍ଦ୍ଦେଶରେ ମନ୍ତ୍ରିମଣ୍ଡଳର ସର୍ବକନିଷ୍ଠ ସଭ୍ୟ ହିସାବରେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଯୋଗ ଦେଇଥିଲି । ଆମ ବେଳର ପ୍ରତିଷ୍ଠିତ ଯୁବନେତା, ମୋର ଅଗ୍ରଜ ଶ୍ରୀଯୁକ୍ତ ଶରତ କୁମାର କର ମଧ୍ୟ ମନ୍ତ୍ରିମଣ୍ଡଳରେ ଯୋଗ ଦେଇଥିଲେ ।

ବିଜୁବାବୁ ଭୁବନେଶ୍ୱରରେ ରହି ରାଜନୀତି କରିବାକୁ ପସନ୍ଦ କରୁନଥିଲେ । ସଂଗଠନ ଓ ଲୋକଙ୍କ ସହ ସିଧା ସମ୍ପର୍କ ରକ୍ଷାକରି ସେମାନଙ୍କ ସମସ୍ୟା ଅନୁଧ୍ୟାନ କରିବା ସହ ଯୋଗାଯୋଗକୁ ନିବିଡ଼ କରିବା ମାନସିକତାରେ ଥିଲେ । ସମସ୍ତ ରାଜନୀତିକ ଓ କୂଟନୈତିକ କାର୍ଯ୍ୟକ୍ରମରେ ଅର୍ନ୍ତଭୁକ୍ତ କରିବା ପାଇଁ ସେ ବିଭିନ୍ନ ଗସ୍ତ କାର୍ଯ୍ୟକ୍ରମରେ ମୋତେ ନେବା ପାଇଁ ସୁଯୋଗ ଦେଉଥିଲେ । ମନ୍ତ୍ରିମଣ୍ଡଳରେ ବିଜୁବାବୁ ବିଧାୟକ ନ ଥିଲେ ଓ ସ୍ୱର୍ଗତଃ ବିଶ୍ୱନାଥ ଦାଶଙ୍କୁ ଆଣି ମୁଖ୍ୟମନ୍ତ୍ରୀ ହିସାବରେ ବସାଇଥିଲେ । ସେଇ ମନ୍ତ୍ରିମଣ୍ଡଳରେ ଉତ୍କଳ କଂଗ୍ରେସର ବିଧାୟକ ଦଳର ନେତା ଓ ଗଣତନ୍ତ୍ର ପରିଷଦର ବିଧାୟକ ଦଳ ନେତା ଯଥାକ୍ରମେ ସ୍ୱର୍ଗତଃ ନୀଳମଣି ରାଉତରାୟ ଓ ସ୍ୱର୍ଗତଃ ରାଜେନ୍ଦ୍ର ନାରାୟଣ ସିଂହଦେଓ ଉପମୁଖ୍ୟମନ୍ତ୍ରୀ ଥିଲେ ।

ବିଜୁବାବୁ ଥିଲେ ଏକ ବାସ୍ତବବାଦୀ, ଲୋକାଭିମୁଖୀ ଓ ଦରିଦ୍ରବତ୍ସଳ ନେତାଥିଲେ । ସେ ଯେଉଁଠି ରାଜ୍ୟର ବିକାଶ ଏବଂ ଶ୍ରମଜୀବୀ ଓ ଖଟିଖିଆଙ୍କ ସ୍ୱାର୍ଥ ନିହିତ ତାକୁ ଆଗ୍ରାଧିକାର ଦେବା ପାଇଁ ସବୁବେଳେ ଉଦ୍ୟମ କରୁଥିଲେ । ସେହିଦିନଠାରୁ ରାଜ୍ୟର ଅଧିକତର ପ୍ରଗତି ପାଇଁ ବିଜୁବାବୁଙ୍କ ନେତୃତ୍ୱରେ ସରକାର ଗଠନ କଲେ, ସେ ତାକୁ ସମର୍ଥନ କରିବେ ବୋଲି ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ନାରୟଣ ସିଂହଦେଓ ମତପ୍ରକାଶ କରିଥିଲେ । ରାଜନଗରରେ ସଂଗଠିତ ହୋଇଥିବା ଉପନିର୍ବାଚନରେ ବିଜୁବାବୁ ପ୍ରତିନ୍ଦ୍ୱନ୍ଦିତା କରିଥିଲେ ଏବଂ ଯୋଗାଯୋଗ ବିହୀନ ଏହି ନିର୍ବାଚନ ମଣ୍ଡଳୀକୁ ପାଦରେ ଚାଲିଚାଲି ସମସ୍ତ ଗାଁରେ ପ୍ରଚାର କରିଥିଲେ । ସେ ରାଜନଗରରୁ ବିପୁଳ ସଂଖ୍ୟକ ଭୋଟ ପାଇ ଜୟଯୁକ୍ତ ହୋଇଥିଲେ । ସେ ମିଥ୍ୟା ପ୍ରତିଶ୍ରୁତି ଦେବାରେ ବୀତସ୍ପୃହ ଥିଲେ, ଏବଂ ଯେତେବେଳେ ଯାହା ଦେଖୁଥିଲେ ତା’ ଉପରେ ନିଷ୍ପତ୍ତି ଘୋଷଣା କରୁଥିଲେ । ସେ ‘ଯଦି’ ଓ ‘କିନ୍ତୁ’ ରେ ବିଶ୍ୱାସ କରୁନଥିଲେ  ।

ମୋର ମନେଅଛି ଆମେ ଥରେ କୋରାପୁଟରୁ ଗସ୍ତକ୍ରମ ସାରି କଳାହାଣ୍ଡି ଅଭିମୁଖେ ଯାତ୍ରା କରୁଥିଲୁ । ବର୍ଷାଦିନ । ସେତେବେଳେ ଧାନ ରୁଆ ଓ ବେଉଷଣ କାର୍ଯ୍ୟ ଚାଲୁଥିଲା । ସେ ଗାଡ଼ି ଅଟକାଇ ଓହ୍ଲାଇ ଥିଲେ ଏବଂ ତାଙ୍କୁ ଦେଖି ରୁଆ ବେଉଷଣରେ ବ୍ୟସ୍ତଥିବା ଚାଷୀ ଓ ଶ୍ରମଜୀବୀ ପୁରୁଷ, ମହିଳାମାନେ ତାଙ୍କ ପାଖକୁ ଦୌଡ଼ି ଆସିଥିଲେ । ସେମାନଙ୍କୁ ତାଙ୍କ ସମସ୍ୟା ବାବଦରେ ପଚାରିଥିଲେ ଓ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ମଜୁରି ବୃଦ୍ଧି କରିବା ପାଇଁ ଦାବି କରିଥିଲେ । ସେଠାରୁ ଫେରି ତା’ ପରଦିନ ବିଧାନସଭା ଅଧିବେସନରେ ସେ କାହାସହିତ ପରାମର୍ଶ ନକରି ସର୍ବନିମ୍ନ ମଜୁରିକୁ ପରିବର୍ତ୍ତନ କରିଥିଲେ । ଅନ୍ୟ ଏକ ଦିନରେ ଆଦିବାସୀ ନାରୀମାନଙ୍କର ଏକ ସମ୍ମିଳନୀରେ ଯୋଗଦେଇ ସେମାନଙ୍କ ଦାବି କ୍ରମେ ମଦ ବନ୍ଦ କରିବା ପାଇଁ ଆପତ୍ତି ଶୁଣିଥିଲେ ଏବଂ ତା’ ପରଦିନ ବିଧାନସଭାରେ ଉଠି ରାଜ୍ୟରେ ସମ୍ପୂର୍ଣ୍ଣ ନିଶା ନିବାରଣ ଘୋଷଣା କରିଥିଲେ । ଖାରବେଳଙ୍କ ଦାୟାଦ ଏଇ ଜାତି ତା’ର କର୍ମ ନିପୁଣତା ପାଇଁ ପ୍ରଶଂସିତ ନ ହୋଇ ନିଯୁକ୍ତି ବିନା ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବାରୁ ଓଡ଼ିଶାକୁ ଏକ କୁଲି ଜାତିର ରାଜ୍ୟ ବୋଲି କହୁଥିବା ସମାଲୋଚକ ତାଙ୍କ ଭୀଷଣ ଆଘାତ ଦେଇଥିଲା । ସେ ଯେତେବେଳେ ଆଲୋଚନା କରୁଥିଲେ କିଭଳି ଓଡ଼ିଆ ଜାତିକୁ ଏକ ଉନ୍ନତ ରାଜ୍ୟ କରିବାକୁ ହେବ ଏବଂ କୁଲିଜାତି ରାଜ୍ୟ ବୋଲି ଯେଉଁ ଆଭାଷ ହେଉଛି ତା’କୁ କିପରି ଲୋପ କରିବାକୁ ସେଥିପାଇଁ ବ୍ୟାକୁଳ ହେଉଥିଲେ । ଏହି ଦାବି ନେଇ କେନ୍ଦ୍ର ସରକାରଙ୍କ ନିକଟରେ ୨୦ଟି ଖଣି ଓ ୧୫ଟି ପାହାଡ଼ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କଲେ । ସେ ଏ ରାଜ୍ୟକୁ ମହାରାଷ୍ଟ୍ର, ପଂଜାବ ଭଳି ପ୍ରଗତିଶୀଳ ରାଜ୍ୟଠାରୁ ଅଧିକ ଉନ୍ନତ କରିବା ପାଇଁ ସଂକଳ୍ପବଦ୍ଧ ବୋଲି ପ୍ରକାଶ କରିଥିଲେ । ଓଡ଼ିଶାର କୌଣସି ବ୍ୟକ୍ତି ଅନାହାର, ବେକାରୀ କିମ୍ବା ଅଶିକ୍ଷିତ ହୋଇ ରହିବା ତାଙ୍କ ପାଇଁ ଦୁଃଖଦାୟକ ଥିଲା । ଏ ଥିଲା ତାଙ୍କ ହୃଦୟର ଚିନ୍ତାଧାରା । ସେ ଶିଳ୍ପପତି ହେବାକୁ ମନ କରିଥିଲେ ଭାରତର ସର୍ବଶ୍ରେଷ୍ଠ ଧନୀ ଶିଳ୍ପପତି ହିସାବରେ ପ୍ରତିଷ୍ଠିତ କରିପାରିଥାନ୍ତେ । କିନ୍ତୁ ନିଜର ସମ୍ପତ୍ତି, ସ୍ୱଅର୍ଜିତ ଧନ ଦୌଲତ, କଳକାରଖାନା ବିକ୍ରି କରି ଜନସଂଗ୍ରାମ ଜରିଆରେ ଗରିବ ଓଡ଼ିଶାବାସୀଙ୍କୁ ଉନ୍ନତ କରିବା ପାଇଁ ସବୁବେଳେ ଉଦ୍‌ବିଘ୍ନ ଥିଲେ । ଇଣ୍ଡୋନେସିଆର ଭୂମିପୁତ୍ର ହିସାବରେ ପାଇଥିବା ସମସ୍ତ ଧନସମ୍ପତ୍ତିକୁ ସେ ଦେଶର ଦରିଦ୍ର ଜନସାଧାରଣଙ୍କ ପାଇଁ ବିନିଯୋଗ କରିବା ପାଇଁ ସେ ସରକାରଙ୍କୁ ଫେରାଇ ଦେଇଥିଲେ । ଶୟନେ, ସପନେ କିବା ଜାଗରଣେ ସବୁବେଳେ ଏ ଜାତିକୁ ଉନ୍ନତ, ସ୍ୱାବଲମ୍ବୀ କରିବା ପାଇଁ ସଂକଳ୍ପବଦ୍ଧ ଥିଲେ ।

ଆସନ୍ତୁ ଆମେ ସମସ୍ତେ ସେହି କିମ୍ବଦନ୍ତୀ ପୁରୁଷଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସଂକଳ୍ପ ନେବା, ଏହା ହିଁ ହେବ ତାଙ୍କ ଜନ୍ମ ଶତବାର୍ଷିକୀ ପାଳନର ଯଥାର୍ଥତା ।

(ଲେଖକ ଜଣେ ବରିଷ୍ଠ ରାଜନୀତିଜ୍ଞ ତଥା ସ୍ତମ୍ଭକାର)

ନୟାପଲ୍ଲୀ, ଭୁବନେଶ୍ୱର

 

Leave a Reply

*