Blog

ବିଜୁ ପଟ୍ଟନାୟକ: ଏକ ଅନ୍ତରଙ୍ଗ ଅନ୍ୱେଷା

ତୁଳସୀ ଦୁଇପତ୍ରରୁ ବାସିଲା ପରି ଅତି ଛୋଟ ବୟସରୁ ବାରି ହୋଇପଡ଼ୁଥିଲା ବିଜୁଙ୍କର ଅନନ୍ୟ ବ୍ୟକ୍ତିତ୍ୱ । ପିଲାବେଳୁ ତାଙ୍କ ଜୀବନର ପ୍ରତିଟି ଘଟଣା ପ୍ରମାଣିତ କରେ ଯେ ସେ ଜଣେ ସ୍ୱତନ୍ତ୍ର ମଣିଷ । ସାହସ ଓ ଗଭୀର ଆତ୍ମବିଶ୍ୱାସ ହିଁ ଥିଲା ବିଜୁବାବୁଙ୍କ ଜୀବନ ସାଫଲ୍ୟର ଚାବିକାଠି । ଏହା ହିଁ ତାଙ୍କୁ ସହଜ, ସରଳ ଓ ନିଷ୍କପଟ ବ୍ୟକ୍ତିତ୍ୱର ଅଧିକାରୀ କରିତୋଳିଥିଲା ।

ଧୃତିକାମ ମହାନ୍ତି

“ଇଂରାଜୀରେ ଗୋଟିଏ ପ୍ରୋଭର୍ବ ଅଛି, ‘ଗ୍ରେପ୍ସ୍ ଆର୍ ସାୱାର୍ ହ୍ୱେନ୍ ଦେ କ୍ୟାନ୍ ନଟ୍‌ ବି ହାଡ୍ ।’  କିନ୍ତୁ ମୁଁ କହେ, ‘ଗ୍ରେପ୍ସ୍ ଆର୍ ସାୱାର୍ ହ୍ୱେନ୍ ନଟ୍ ରାଇପ୍’ । ସୁତରାଂ ପ୍ରୋଭର୍ବଟି ବଦଳାଇବା ଉଚିତ୍ ।” ୧୯୩୨ ମସିହାରେ  ସାଇକେଲ୍‌ରେ କଟକରୁ ପେସାୱାର୍ ଯାତ୍ରା ସମୟରେ ରାଓଲ୍‌ପିଣ୍ଡିରୁ  ପେସାୱାରକୁ ଯାଇଥିବା  ରାସ୍ତାର  ଦୁଇ ପାର୍ଶ୍ୱରେ  ଫଳିଥିବା ପେନ୍ଥା ପେନ୍ଥା କଞ୍ଚା ଅଙ୍ଗୁର ଚାଖି ସାରିବା ପରେ ଏହା ହିଁ ଥିଲା ରେଭେନ୍ସା କଲେଜ୍‌ର ଛାତ୍ର ବିଜୟାନନ୍ଦଙ୍କ ସହଜ ସରଳ ଉକ୍ତି । ବହୁକାଳରୁ ଲୋକମୁଖରେ ପ୍ରଚଳିତ ଏହି ଇଂରାଜୀ ଢଗଟିକୁ ଗୋଟିଏ ଲହମାରେ ହିଁ କାଟି ପାରିବାର ସାହସ ରଖିଥିବା ବାଳକ ଯେ ଭବିଷ୍ୟତରେ ସାରା ବିଶ୍ୱକୁ ଚମକାଇ ଦେବ, ସେଦିନ ଏହା  ସୂଚିତ ହୋଇଥିଲା ।

ସେହି ସମୟର କଥା । ହିଂସ୍ର ଶ୍ୱାପଦ ସଂକୁଳ ଘଞ୍ଚ ଅରଣ୍ୟାନୀ ମଧ୍ୟ ଦେଇ ପେସାୱାର୍‌କୁ ଲମ୍ବିଥିବା ରାସ୍ତାକୁ ଅଧିକ ବିପଦପୂର୍ଣ୍ଣ କରିଥିଲା ‘ଆଫ୍ରିଦି’ ଦସ୍ୟୁମାନଙ୍କର ଲୁଣ୍ଠନ । ପୁଣି ଲୁଣ୍ଠନ ପରେ ସେମାନେ ଯାତ୍ରୀଙ୍କୁ ହତ୍ୟା କରିବାକୁ ତିଳେ ମାତ୍ର କୁଣ୍ଠାବୋଧ କରୁ ନ ଥିଲେ । ତେଣୁ ଏଇ ବିପଦ ସଂକୁଳ ରାସ୍ତାରେ ବିଶେଷ କରି ରାତିରେ ଯିବା ପାଇଁ ସ୍ଥାନୀୟ ଲୋକେ ମଧ୍ୟ ସାହାସ କରୁ ନ ଥିଲେ । ବାଳକ ବିଜୟାନନ୍ଦଙ୍କର ସେଇ ରାସ୍ତାରେ ଯିବାର ଥାଏ। ବିଜୟାନନ୍ଦଙ୍କଠାରୁ ଏହା ଶୁଣିସାରି, ତାଙ୍କୁ ସେଠାକାର ଜଣେ ଇଂରେଜ୍ ସାହେବ ସତର୍କ କରାଇ କହିଥିଲେ- ‘ଦେ ୱିଲ୍ ସୁଟ୍ ୟୁ, ଇଫ୍ ଦେ କ୍ୟାନ୍ ଗେଟ୍ ଓନ୍ଲି ଏ ପ୍ରାଇସ୍ ଅଫ୍ କାଟ୍ରିଜ୍ ।’  ଅର୍ଥାତ୍ ତୁମ ପାଖରୁ ଯଦି ସେମାନେ ଗୋଟିଏ ଗୁଳିର ମୂଲ୍ୟ ବି ପାଆନ୍ତି, ତେବେ ସେମାନେ ତୁମକୁ ବିନା ଦ୍ୱିଧାରେ ହତ୍ୟା କରିପାରନ୍ତି । ଏହି ଭୟାନକ ସତର୍କବାଣୀ ସତ୍ତ୍ୱେ ବିଜୁ ତାଙ୍କର  ବନ୍ଧୁ ସହଯାତ୍ରୀଙ୍କୁ ଧରି ଗଭୀର ରାତ୍ରିରେ ସେହି ପଥ ଅତିକ୍ରମ କରିଥିଲେ ।

ତୁଳସୀ ଦୁଇପତ୍ରରୁ ବାସିଲା ପରି ଅତି ଛୋଟ ବୟସରୁ ବାରି ହୋଇପଡ଼ୁଥିଲା ବିଜୁଙ୍କର ଅନନ୍ୟ ବ୍ୟକ୍ତିତ୍ୱ । ପିଲାବେଳୁ ତାଙ୍କ ଜୀବନର ପ୍ରତିଟି ଘଟଣା ପ୍ରମାଣିତ କରେ ଯେ ସେ ଜଣେ ସ୍ୱତନ୍ତ୍ର ମଣିଷ । ସାହସ ଓ ଗଭୀର ଆତ୍ମବିଶ୍ୱାସ ହିଁ ଥିଲା ବିଜୁବାବୁଙ୍କ ଜୀବନ ସାଫଲ୍ୟର ଚାବିକାଠି । ଏହା ହିଁ ତାଙ୍କୁ ସହଜ, ସରଳ ଓ ନିଷ୍କପଟ ବ୍ୟକ୍ତିତ୍ୱର ଅଧିକାରୀ କରିତୋଳିଥିଲା । ଆଉ ଏହି ପ୍ରକାର ଚରିତ୍ର ସମ୍ପନ୍ନ ବ୍ୟକ୍ତିମାନେ ହିଁ ସ୍ୱଭାବତଃ ପ୍ରୀତି ମୁଖର। ସେମାନେ ସ୍ୱତଃପ୍ରବୃତ ଭାବେ ମଣିଷକୁ ଭଲ ପାଆନ୍ତି । ସେମାନଙ୍କର ବାହ୍ୟିକ କଠୋରତାର ଅନ୍ତରାଳରେ  ସ୍ନେହଶ୍ରଦ୍ଧାର ଫଲ୍‌ଗୁ ଧାରା ଅନ୍ତଃପ୍ରବହମାନ ।

୧୯୩୬ ମସିହା ଘଟଣା । ଦିନେ ରାତିରେ ପ୍ରବଳ ଝଡ଼ ବତାସ ସାଂଗକୁ ମୂଷଳ ଧାରାରେ ବର୍ଷା ହେଲା । ସକାଳକୁ ଝଡ଼ ଥମିଯାଇଥାଏ । କିନ୍ତୁ ବର୍ଷା ଝିପିଝିପି ଚାଲିଥାଏ । ବିଜୁଙ୍କ ମନ ଥୟ ଧରିଲାନି । ତାଙ୍କର ଦୁଇ ବନ୍ଧୁ ବାମାଚରଣ ଓ ପ୍ରାଣବନ୍ଧୁଙ୍କୁ ଧରି ସାଇକେଲରେ କଟକ ସହର ପରିକ୍ରମାରେ ବାହାରିଗଲେ । ତିନିଜଣ ଯାକ ବୁଲି ବୁଲି ପ୍ରକୃତିର ତାଣ୍ଡବଲୀଳା ଦେଖୁଥାଆନ୍ତି । ଗୋଟାଏ ଗଳିରେ ବିଜୁ ଅଟକି ଗଲେ ଅଧାଭଙ୍ଗା ଚାଳଘର ସାମନାରେ । ଭଙ୍ଗାଘରଟିର ଦାଣ୍ଡବାରଣ୍ଡାରେ ଓଦାଲୁଗା ପିନ୍ଧି ଥୁରୁଥୁରୁ ହେଉଥିଲା ବୁଢ଼ାଟିଏ । ଭିକାରୀଟିଏ ହେବ ବୋଧେ । ବିଜୁ ତାଙ୍କ ପକେଟରେ ହାତ ପୁରାଇ ଟଙ୍କାଟିଏ ବାହାର କରି ବୁଢ଼ାକୁ ବଢ଼ାଇଦେଲେ ଏବଂ ସେଇଠାରୁ ତାଙ୍କ ମନର ସରସତା ଲିଭିଯାଇଥିଲା । ପ୍ରକୃତରେ କେତେ ଦରଦ ଥିଲା ତାଙ୍କ ହୃଦୟରେ! ମଣିଷର ଦୁଃଖ ଦେଖିଲେ ସେ ସହିପାରୁ ନ ଥିଲେ । ତା’ ଦୁଃଖରେ ସମଦୁଃଖୀ ହୋଇ ପଡ଼ୁଥିଲେ । ଅନେକ ଅଭାବଗ୍ରସ୍ତ ପିଲାଙ୍କୁ ସବୁ ପ୍ରକାର ସାହାଯ୍ୟ ଦେଇ ସେ ସମାଜରେ ମଣିଷ କରି ଛିଡ଼ା କରାଇଛନ୍ତି ।  ଏହି ମାନବୀୟ ଶ୍ରଦ୍ଧା ଓ ସ୍ପର୍ଶକାତରତା ବିଜୁବାବୁଙ୍କ ସାମଗ୍ରିକ ଜନକଲ୍ୟାଣ କର୍ମଧାରାକୁ ପ୍ରଣୋଦିତ କରି ଆସୁଛି । ଦୀର୍ଘ ୮୧ ବର୍ଷର ପରିପକ୍ୱ ଜୀବନର ସ୍ୱାଭାବିକ ଅବସାନ ସତ୍ତ୍ୱେ ଲକ୍ଷ ଲକ୍ଷ ମଣିଷର ସ୍ୱତଃ ନିର୍ଗତ ଅଶ୍ରୁ ନିରାଜନା ଏହି ମାନବ ପ୍ରେମର ଏକ ସାବଲୀଳ ଉଚ୍ଛ୍ୱାସ ।

ସେ ଥିଲେ ସ୍ୱତଃସିଦ୍ଧ ବଡ଼ ମଣିଷ । ଉଦାରତା ହିଁ ଥିଲା ତାଙ୍କ ବଡ଼ପଣିଆର ଆଧାରଶୀଳା । ଇର୍ଷା, ପରଶ୍ରୀକାତରତା ଆଦି ସଂକୀର୍ଣ୍ଣ ମାନସିକତାର ପ୍ରଭାବରୁ ବିଜୁବାବୁ ଅନେକାଂଶରେ ମୁକ୍ତ ଥିଲେ । କଲେଜ୍‌ରେ ପଢ଼ିବା ସମୟରେ ସେ ଥିଲେ କ୍ରୀଡ଼ା କ୍ଷେତ୍ରରେ ଅଗ୍ରଣୀ । ବିଶେଷ ଭାବରେ ଏକାଦିକ୍ରମେ ୩ ବର୍ଷର ପୋଲ୍‌ଭୋଲ୍ଟ ଚମ୍ପିୟାନ୍ । ବିଜୁଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ରେକର୍ଡ଼କୁ ତାଙ୍କ ତଳ ଶ୍ରେଣୀର ଛାତ୍ର ନନ୍ଦକିଶୋର ଦାସ ଭାଙ୍ଗିଦେବ ବୋଲି ଶହେ ଟଙ୍କା ବାଜି ଲଗାଇଲା । ସତକୁ ସତ ନନ୍ଦକିଶୋର ଏହି ରେକର୍ଡ଼କୁ ଭାଙ୍ଗିଦେଲା । ଏହି ଘଟଣାରେ ବିଜୁ ଅତ୍ୟନ୍ତ ଆନନ୍ଦିତ ହୋଇ ନନ୍ଦକିଶୋରକୁ କୁଣ୍ଢାଇ ପକାଇ ତାକୁ ୧୦୦ଟଙ୍କା ଧରାଇ ଦେଇଥିଲେ । ତା’ ପ୍ରତି ତାଙ୍କ ମନରେ ତିଳେ ମାତ୍ର ଆକ୍ରୋଶ ନଥିଲା, ବରଂ ଥିଲା ଅଜସ୍ର ଶ୍ରଦ୍ଧା ।

ସମ୍ଭ୍ରାନ୍ତ ତଥା ଜାତିପ୍ରାଣ ସୁଯୋଗ୍ୟ ପିତାଙ୍କର ଉଦଗ୍ର ଜାତୀୟ ଚେତନା ବିଜୁଙ୍କ ଜୀବନର ଗତିପଥକୁ ପ୍ରଭାବିତ କରିଥିଲା । ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଥରେ ତାଙ୍କୁ କହିଥିଲେ- ‘ଭାରତରୁ ଗୋରା ଶାସନ ହଟାଇବାକୁ ଚେଷ୍ଟା ଚାଲିଛି । ଲୁଚିଛପି ଟେକାପଥର ଫିଙ୍ଗିଲେ କ’ଣ ସେମାନେ ଛାଡ଼ି ପଳାଇବେ? ତାଙ୍କୁ  ବନ୍ଧୁକ ଧରି ସାମନା କରି ଲଢ଼ିବାକୁ ପଡ଼ିବ । ସେଥିପାଇଁ ତୋର ପ୍ରସ୍ତୁତି ଆବଶ୍ୟକ । ମୋର ଆଶା ତୁ ସେ କାମ କରିପାରିବୁ?’ ପରବର୍ତୀ ଜୀବନରେ ବିଜୁବାବୁ ଯେଭଳି ନିର୍ଭୀକ ଭାବେ ଦେଶ ଲାଗି ନିଜକୁ ସମର୍ପିତ କଲେ ତାହାର ପ୍ରେକ୍ଷାପଟ୍ଟରେ ଥିଲା ଲକ୍ଷ୍ମୀନାରାୟଣବାବୁଙ୍କର  ସନ୍ତାନସନ୍ତତିଙ୍କୁ ଉନ୍ନତ କରି ଗଢ଼ିତୋଳିବାର ଆପ୍ରାଣତା ।

୧୯୩୪ ମସିହା ମେ ମାସ ୧୧ ତାରିଖର ଉତ୍ତପ୍ତ ମଧ୍ୟାହ୍ନରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ପ୍ରଥମ ଥର ପାଇଁ ପରିଦର୍ଶନ କଲାବେଳେ ସ୍ୱତଃସ୍ଫୁର୍ତ ଭାବରେ ସେ କହିଥିଲେ, ‘ଭିତରେ ପଶି ଯାହା ଦେଖିଲୁ, ସେଥିରୁ ଆମ ମନରେ ଆନନ୍ଦ ଓ କଷ୍ଟ ଏକାଠି ଜାତ ହେଲା । ଏତେ ବଡ଼ ବିରାଟ ବ୍ୟାପାର ଦେଖି ଯେପରି ଆନନ୍ଦ ଅନୁଭବ କଲୁ,  ଆମ ଦେଶର (ଓଡ଼ିଶାର) ହୀନାବସ୍ଥା କଥା ମନେ କରି ସେହିପରି କଷ୍ଟଜାତ ହେଲା ।’ ବିଜୁବାବୁଙ୍କର ଆଦ୍ୟ ଯୌବନର ଏହି ବ୍ୟଥା କିପରି ଏକ ପ୍ରଚଣ୍ଡ ସଂକଳ୍ପର ମହୀରୁହରେ ବିବର୍ତ୍ତିତ ହୋଇ ଫଳପ୍ରସୁ ହୋଇ ଉଠିଲା, ତା’ର ଦୃଷ୍ଟାନ୍ତ ହେଲା– ନୂତନ ପରିସର ବାଣୀବିହାରକୁ  ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ଥାନାନ୍ତରୀକରଣ, କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ବ୍ରହ୍ମପୁର ଓ ସମ୍ବଲପୁରଠାରେ ଦୁଇଟି ନୂତନ ବିଶ୍ୱବିଦ୍ୟାଳୟର ସଂସ୍ଥାପନ । ପ୍ରସଙ୍ଗକ୍ରମେ ଯୁଗପୁରୁଷୋତ୍ତମ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ନିମ୍ନୋକ୍ତ ବାଣୀଟି ବିଜୁବାବୁଙ୍କ ଜୀବନ ପ୍ରତି ଅତ୍ୟନ୍ତ ପ୍ରଯୁଜ୍ୟ ମନେହୁଏ– “ପ୍ରାଣର ବ୍ୟାକୁଳତା, କଠୋର ସଂକଳ୍ପ ଓ ତୀବ୍ର ସଂବେଗ ସହକାରେ ଲାଗିଯାଅ । ଦେଖିବ, ତୁମ ତପସ୍ୟାର ମହିମାରେ ଅସମ୍ଭବ ସମ୍ଭବ ହୋଇଉଠିବ ।”

ଏକଦା ଉତ୍କଳମଣି ଗୋପବନ୍ଧୁ ଖେଦୋକ୍ତି ପ୍ରକାଶ କରି କହିଥିଲେ- ‘ଜୀବନରେ ମୋର କବିଟିଏ ହେବାର ବାସନା ଥିଲା କିନ୍ତୁ ବିଭିନ୍ନ ଜଞ୍ଜାଳ ଭିତରେ ପଡ଼ି (ଜାତୀୟ ଜୀବନ ସମ୍ପର୍କିତ) ମୁଁ ତାହା ହୋଇପାରିଲି ନାହିଁ ।’ ଆମର ମନେହୁଏ, ବିଜୁବାବୁଙ୍କର ସାର୍ବଜନୀନ କର୍ମଧାରାରେ ବିଶେଷ ଭାବେ ସଂଶ୍ଳିଷ୍ଟ ହୋଇ ନ ଥିଲେ ସେ ହୁଏତ ଜଣେ ସୁପ୍ରତିଷ୍ଠିତ ଲେଖକ ହୋଇପାରିଥାନ୍ତେ! ତାଙ୍କର କୈଶୋର ଜୀବନର ଯେଉଁ ଦୁଇଜଣ ସହପାଠୀ ବିଜୁଙ୍କର ଘନିଷ୍ଠ ବନ୍ଧୁଥିଲେ, ସେଇ ଦୁଇଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଓଡ଼ିଆ ଗଳ୍ପ ସାହିତ୍ୟର ଲବ୍ଧ ପ୍ରତିଷ୍ଠିତ କଳାକାର ସ୍ୱର୍ଗତଃ ବାମାଚରଣ ମିତ୍ର ଏବଂ ଅନ୍ୟଜଣକ ସ୍ୱନାମଧନ୍ୟ ନାଟ୍ୟକାର ଅଧ୍ୟାପକ ପ୍ରାଣବନ୍ଧୁ କର । ମାତ୍ର ୧୮ ବର୍ଷ ବୟସରେ ବିଜୁବାବୁ ଲେଖିଥିବା ଭ୍ରମଣ କାହାଣୀ ‘ବୁଲାନିଶା’, ଯାହା ୧୯୩୪ ମସିହାର ‘ଉତ୍କଳ ସାହିତ୍ୟ’ର ୩୮ ଭାଗ ତୃତୀୟ ଓ ଚତୁର୍ଥ ସଂଖ୍ୟାରେ ପ୍ରକାଶିତ ହୋଇଥିଲା, ତାକୁ ବିଚାରକୁ ନେଲେ ବିଜୁବାବୁଙ୍କର ଶିଳ୍ପୀ ପ୍ରାଣର ସହଜ ଉଚ୍ଛ୍ୱାସ ବେଶ୍ ବାରିହୁଏ ।

ଉତ୍କୃଷ୍ଟ କଳାର ଭୂମି-ଉତ୍କଳ । ଉତ୍କଳର କୃତୀ ସନ୍ତାନ ବିଜୁଙ୍କ ହୃଦୟରେ କଳାପ୍ରତି ଶ୍ରଦ୍ଧାଶୀଳତା ରହିବା ସ୍ୱାଭାବିକ। କଥା ଅପେକ୍ଷା କର୍ମରେ ବିଶ୍ୱାସୀ ବିଜୁବାବୁଙ୍କର ଏ ଦିଗରେ ଅବଦାନ ଚିରସ୍ମରଣୀୟ । ଏକଦା ଓଡ଼ିଶାର ରଂଗମଂଚର ଭବିଷ୍ୟତ ପ୍ରଶ୍ନବାଚୀ ଭିତର ଦେଇ ଗତିକରୁଥିବା ବେଳେ ଜନତା ରଂଗମଂଚକୁ ବିଜୁବାବୁଙ୍କର ଅକୁଣ୍ଠ ଆର୍ଥିକ ଓ ଆତ୍ମିକ ସହଯୋଗ ତାଙ୍କ ବ୍ୟକ୍ତିତ୍ୱର ଏକ ନୂତନ ଦିଗନ୍ତ ଉନ୍ମୋଚିତ କରେ । ୧୯୬୨ ମସିହାରେ ଭୁବନେଶ୍ୱରଠାରେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ସଂସ୍ଥାପନ ତାଙ୍କ କଳାପ୍ରାଣତାର ଅନ୍ୟ ଏକ ନିଦର୍ଶନ । ଏହା ଥିଲା ଓଡ଼ିଶାର ନୃତ୍ୟ, ସଂଗୀତ ଓ ଅଭିନୟ କଳାର ଉନ୍ନତିକଳ୍ପେ କାର୍ଯ୍ୟ  କରୁଥିବା  ଏକମାତ୍ର ସରକାରୀ ଶିକ୍ଷାନୁଷ୍ଠାନ । ଜଣେ ବରିଷ୍ଠ ରାଷ୍ଟ୍ରନୀତିଜ୍ଞ ତଥା  ନିର୍ଭୀକ ବ୍ୟକ୍ତିଭାବେ ପ୍ରଖ୍ୟାତ ବିଜୁବାବୁଙ୍କ ବ୍ୟକ୍ତିତ୍ୱର ଏହିଭଳି ଅନେକ ସୂକ୍ଷ୍ମ ଦିଗ ଆଜି ମଧ୍ୟ ଅନାଲୋଚିତ ହୋଇ ରହିଛି ।

‘ଜଗାର ମୋର ଅଲଗା ସମ୍ପର୍କ । ଜଗା ମୋତେ କହିଛି, ଓଡ଼ିଶାର ଉନ୍ନତି ପାଇଁ ଯାହା କରିବା କଥା ତୁ କରିଯା, ମୁଁ ତୋ ପଛରେ ଅଛି ।’ ଏଭଳି ଦମ୍ଭୋକ୍ତି କେବଳ ସେ ହିଁ କରିପାରେ, ଯିଏ ଜଗନ୍ନାଥଙ୍କୁ ଅନ୍ତର ଦେଇ ଭଲପାଏ । ବିଜୁବାବୁଙ୍କର ଅନ୍ତିମ ଇଚ୍ଛା ଥିଲା, ତାଙ୍କର ଜୁଈ ଯେପରି ସ୍ୱର୍ଗଦ୍ୱାରରେ ହିଁ ଜଳେ । ସେ ଚାହିଁଥିଲେ ସେହି ଜଗାର ପାଦଧୂଳି ହୋଇ ରହିବାକୁ । ୧୯୯୦ ମସିହା ଜୁନ୍, ୧୪ ଓ ୧୯୯୨ ଅଗଷ୍ଟ ୧୩ ତାରିଖରେ ଶ୍ରୀମନ୍ଦିରରୁ ୫ ଟନ୍ ଓ ୩ ଟନ୍ ଆକାରର ପଥରଖଣ୍ଡ ଖସିବା ଫଳରେ ସାରା ରାଜ୍ୟରେ ଆତଙ୍କ ଖେଳିଯାଇଥିଲା । ଜନମାନସରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା, ଶ୍ରୀମନ୍ଦିର କ’ଣ ଭାଙ୍ଗିପଡ଼ିବ! ତତ୍‌କ୍ଷଣାତ୍ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ଆରମ୍ଭ କରିବାର ଆବଶ୍ୟକତା ଦେଖାଦେଲା । ଏହି ମହାନ୍ କାର୍ଯ୍ୟ ଲାଗି ଅର୍ଥାଭାବର ଆଶଙ୍କାକୁ ଲକ୍ଷ୍ୟ କରି ସେଦିନର ମୁଖ୍ୟମନ୍ତ୍ରୀ ବିଜୁ  ପଟ୍ଟନାୟକ କହିଥିଲେ, ‘ଦରକାର ପଡ଼ିଲେ ମୁଁ ସ୍ୱାମୀ ବିଜୟାନନ୍ଦ ହୋଇ ମନ୍ଦିର ମରାମତି ପାଇଁ ଘର ଘର ବୁଲି ଟଙ୍କା ସଂଗ୍ରହ କରିବି ।’ ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମନ୍ଦିର ମରାମତି କାର୍ଯ୍ୟ ନିର୍ଦିଷ୍ଟ ସମୟ ମଧ୍ୟରେ ଶେଷ ହେଲା ଏବଂ ଦେଶବ୍ୟାପି ଘୋଟି ଯାଇଥିବା ଆଶଙ୍କାର କଳାବାଦଲ୍ ଅପସରି ଯାଇଥିଲା । ତାଙ୍କର ଏହି କୀର୍ତ୍ତି ଓଡ଼ିଶା ଇତିହାସରେ ଚିରଦିନ ପାଇଁ ଜାଜୁଲ୍ୟମାନ ହୋଇ ରହିଥିବ । ବିଜୁ ପଟ୍ଟନାୟକରୁ ସ୍ୱାମୀ ବିଜୟାନନ୍ଦ ପାଲଟିଯିବାର ଆସ୍ପର୍ଦ୍ଧା ରଖିଥିବା ମଣିଷଟି ଆଜି ନାହିଁ ସତ, କିନ୍ତୁ ଅନ୍ତଃସଲ୍ଲିଳା ଫଲଗୁ ଭଳି ତାଙ୍କ ହୃଦୟରେ ପ୍ରବାହିତ ଆଧ୍ୟାତ୍ମିକ ଚେତନାକୁ ଅନୁଭବ କରିହୁଏ ।

ବିଜୁବାବୁ ଥିଲେ ବୈଶିଷ୍ଟ୍ୟବାନ୍ ମଣିଷ । ଜୀବନର ପ୍ରତିଟି କ୍ଷେତ୍ରରେ ସେ ଥିଲେ ସ୍ୱତନ୍ତ୍ର, ସ୍ୱକୀୟ । ଯେଉଁଟା ସତ୍ୟ ବା ଉପଯୁକ୍ତ ବୋଲି ବିବେଚନା କରୁଥିଲେ, ତାହାକୁ ସଂଗେ ସଂଗେ କାର୍ଯ୍ୟରେ ରୂପାନ୍ତରିତ କରି ଦେଉଥିଲେ । ବ୍ୟାସକୃତ ମହାଭାରତରେ ଓଡ଼ିଆ ଜାତି ସମ୍ପର୍କରେ ବିଘୋଷିତ ‘କଳିଙ୍ଗାଃ ସାହାସିକାଃ’ ଶ୍ଳୋକାଂଶଟି ଯେତେଦୂର ମନେହୁଏ ବିଜୁବାବୁଙ୍କର ଅବଚେତନକୁ ଉଲ୍ଲସିତ କରି ତୋଳିଥିଲା । ପ୍ରାଚୀନ କଳିଙ୍ଗର ଉତ୍ତରଦାୟଦ ସୁପ୍ତ ଓଡ଼ିଶାବାସୀଙ୍କୁ ସେମାନଙ୍କର ଲୁପ୍ତ ଗୌରବ ଗାଥାକୁ ସ୍ମରଣ ପୂର୍ବକ ଜାଗ୍ରତ କରାଇବାର ଏକମାତ୍ର ଉଦ୍ଗାତା ଥିଲେ ସେଇ ବିଜୁବାବୁ । କଳିଙ୍ଗ ବାଲିଯାତ୍ରା’ର ଆୟୋଜନ ଏହାର ଏକ ଜ୍ୱଳନ୍ତ ନିଦର୍ଶନ । ଏକ ବିଭବଶାଳୀ ଆଧୁନିକ ଓଡ଼ିଶା ଗଢ଼ି ତୋଳିବା ଥିଲା ତାଙ୍କର ଏକମାତ୍ର ଅଭୀପ୍ସା ।

ଜାତୀୟ ଜୀବନର ଅଭ୍ୟୁଦୟ ଲାଗି ତାଙ୍କର ଆପ୍ରାଣ ବ୍ୟାକୁଳତା, କଠୋର ସଂକଳ୍ପ ଏବଂ ତଡିତ୍ କର୍ମ ପ୍ରେରଣା, ସର୍ବୋପରି ମଣିଷ ପାଇଁ ହୃଦୟଭରା ଦରଦ ତାଙ୍କୁ ଅଗଣିତ ମଣିଷର ଅନ୍ତର ଭିତରେ ସମାସୀନ କରିପାରିଛି । ବିଜୁ ଆଜି କୋଟି କୋଟି ଅନ୍ତରରେ ଅମର ।

(ଲେଖକ ଜଣେ ଯୁବ ସାମ୍ବାଦିକ ଓ ସ୍ତମ୍ଭକାର)

‘ସ୍ୱସ୍ତିପ୍ରଭା’, ଶାସନ ପଡ଼ିଆ, ପୁରୁଣା ଭୁବନେଶ୍ୱର,

ଦୂରଭାଷ: ୯୮୬୧୦୮୬୭୨୦

 

Leave a Reply

*