Blog

ବିଜୁବାବୁ ଦେବଅଂଶୀ

ବିଜୁବାବୁଙ୍କ ବ୍ୟକ୍ତିତ୍ୱ ପାଚିଲା ସପୁରୀ ପରି; ଉପରକୁ ବଡ଼ ରୁକ୍ଷ କିନ୍ତୁ ଭିତରଟା ରସରେ ଭରପୂର । ତାଙ୍କର ଦୀର୍ଘକାୟ ଶରୀରକୁ ଗମ୍ଭୀର କଣ୍ଠସ୍ୱର ଲୋକଙ୍କୁ କେତେବେଳେ ଛାନିଆ କରିଦିଏ ସିନା କିନ୍ତୁ ହୃଦୟଟା ଏତେ କୋମଳ ସେକଥା କିଛି ଅନୁଭବୀ ଲୋକ ହିଁ ଜାଣିଥିବେ ।

ପ୍ରଫୁଲ୍ଲ କର

ବିଜୁବାବୁଙ୍କ ବ୍ୟକ୍ତିତ୍ୱ ପାଚିଲା ସପୁରୀ ପରି; ଉପରକୁ ବଡ଼ ରୁକ୍ଷ କିନ୍ତୁ ଭିତରଟା ରସରେ ଭରପୂର । ତାଙ୍କର ଦୀର୍ଘକାୟ ଶରୀରକୁ ଗମ୍ଭୀର କଣ୍ଠସ୍ୱର ଲୋକଙ୍କୁ କେତେବେଳେ ଛାନିଆ କରିଦିଏ ସିନା କିନ୍ତୁ ହୃଦୟଟା ଏତେ କୋମଳ ସେକଥା କିଛି ଅନୁଭବୀ ଲୋକ ହିଁ ଜାଣିଥିବେ । ତାଙ୍କ ସହିତ ମିଶିବାର ସୌଭାଗ୍ୟ ମତେ ଅଳ୍ପେ ବହୁତେ ମିଳିଥିଲା ଏବଂ ସେତିକିରେ ମୁଁ ଉପଲବ୍ଧି କରିପାରିଥିଲି ସେ ସ୍ପଷ୍ଟବାଦିତା ଏବଂ ନିର୍ଭୀକତାକୁ ଖୁବ୍ ପସନ୍ଦ କରୁଥିଲେ। ମୋର ତ ରାଜନୀତି କରିବାର ଅଭିପ୍ରାୟ ନଥିଲା-ତେଣୁ ତାଙ୍କ ସହିତ ମିଳାମିଶା କରିବାର ବିଶେଷ ଅବକାଶ ନଥିଲେ ମଧ୍ୟ ଯେତିକି ସମୟ ମିଶିଛି, ସେତିକିରେ ମୋର ଖୋଲା କଥା ଏବଂ ନିର୍ଭୀକତାକୁ ସେ ଖୁବ୍ ପସନ୍ଦ କରନ୍ତି ବୋଲି ମୁଁ ଅନୁଭବ କରିପାରିଥିଲି । ସେଇ ସାହସରେ ବେଳେବେଳେ କଥା ଛଳରେ ତାଙ୍କୁ ପରିହାସ କରିବାର ମୁଁ ଦୁଃସାହସ ମଧ୍ୟ କରିପାରୁଥିଲି ।

କାର୍ତ୍ତିକମାସ ବୈକୁଣ୍ଠ ଚତୁର୍ଦ୍ଦଶୀରେ “ଶ୍ରୀକ୍ଷେତ୍ର କଳା ପ୍ରକାଶିକା ପୁରୀ” ଦ୍ୱାରା ଆୟୋଜିତ ପ୍ରଖ୍ୟାତ ଭଜନ ସମାରୋହ ଧୀରେ ଧୀରେ ତା’ର କାୟା ଏବଂ ପ୍ରସିଦ୍ଧି ବିସ୍ତାର କରିଥାଏ । ସେହି ଅନୁସାରେ ଖର୍ଚ୍ଚର ଆବଶ୍ୟକତା ମଧ୍ୟ ବଢ଼ି ବଢ଼ି ଚାଲିଥାଏ । ତେଣୁ ପ୍ରତି ବର୍ଷ ବର୍ଦ୍ଧିତ ଖର୍ଚ୍ଚ ମେଣ୍ଟାଇବା ପାଇଁ ଆମ ଅନୁଷ୍ଠାନ ଗୋଟେ ସ୍ଥାୟୀ ଗଚ୍ଛିତ ପାଣ୍ଠି ଗଠନ ପାଇଁ ଏକହଜାର ଟଙ୍କା ସଭ୍ୟଚାନ୍ଦାରେ ଆଜୀବନ ସଭ୍ୟ ସଂଗ୍ରହର ଅଭିଯାନ ଆରମ୍ଭ କଲା । ସେଇ ପରିପ୍ରେକ୍ଷୀରେ ବିଜୁବାବୁଙ୍କୁ ଅନୁଷ୍ଠାନର ଜଣେ ଆଜୀବନ ସଭ୍ୟ କରିବା ପାଇଁ ମୁଁ ଆଉ ଅନୁଷ୍ଠାନର ମୁଖ୍ୟ ଉଦ୍ୟୋକ୍ତା ସ୍ୱର୍ଗତଃ କେଦାର ଗୁରୁ, ଭୁବନେଶ୍ୱରର ଫରେଷ୍ଟ ପାର୍କରେ ଥିବା ଜନତା ପାର୍ଟି ଅଫିସ୍‌କୁ ଆସିଲୁ । ଶୁଣିଲୁ ବିଜୁବାବୁ କୌଣସି ଏକ ନିର୍ବାଚନମଣ୍ଡଳୀରୁ ଫେରି ଅଫିସରେ ବିବ୍ରତ ଅବସ୍ଥାରେ ବସିଛନ୍ତି । ତଥାପି ଆମେ ସାହସ କରି ତାଙ୍କୁ ଭେଟିବାର ଅନୁମତି ପାଇ ଅଫିସ ଭିତରକୁ ଯିବାକୁ ବାହାରିଲୁ । ହଠାତ୍ କେଦାର ଗୁରୁ ଭିତରକୁ ଯିବାକୁ ମନା କଲେ । କାରଣ ସେ ଜଣେ କଂଗ୍ରେସ ଦଳର ମାର୍କାମରା ନେତା । ମୁଁ ଏକା ଗଲି । ବିଜୁବାବୁ ମତେ ଦେଖୁଦେଖୁ, ପଚାରିଲେ, “କିରେ! କୁଆଡ଼େ ଆସିଛୁ?” ମୁଁ ସାଂଗେ ସାଂଗେ ଆମ ଅନୁଷ୍ଠାନର ସଂକ୍ଷିପ୍ତ ପରିଚୟ ଦେଇ ଏକହଜାର ଟଙ୍କା ଦେଇ ଅନୁଷ୍ଠାନର ଆଜୀବନ ପୃଷ୍ଠପୋଷକ ସଭ୍ୟ ହେବାକୁ ଅନୁରୋଧ କଲି । କିନ୍ତୁ ବିଜୁବାବୁ ହଠାତ୍  କ’ଣ ଭାବିଲେ କେଜାଣି ମୁହଁ ଛିଞ୍ଚାଡ଼ିଲା ପରି ମତେ କହିଲେ, “ଯା..ଯା.. ମୁଁ କିଛି ଦେଇପାରିବିନି। ତୁ ଏଠୁ ଯା.. ମତେ ବିରକ୍ତ କରନା ।” ତାଙ୍କର ଏମିତି କଥା ଶୁଣି ମତେ ବଡ଼ ଅପମାନିଆ ଲାଗିଲା । ମୁଁ ସାଂଗେ ସାଂଗେ କହିଲି “ଆଜ୍ଞା ମୁଁ ମୋ ପାଇଁ ଭିକ ମାଗିବାକୁ ଆସିନଥିଲି । ଜଗନ୍ନାଥଙ୍କ ପାଇଁ ମୁଁ ହାତ ପତାଇଥିଲି । ନଦେବେ ନାହିଁ କହିଦେବେ ହେଲେ ଏମିତି ଅପମାନ କାହିଁକି ଦଉଛନ୍ତି । ଏକଥା ସେଇ ଜଗନ୍ନାଥ ନିଶ୍ଚୟ ବୁଝିବେ।” ସାଂଗେ ସାଂଗେ ବିଜୁବାବୁ କହିଲେ, “ତୁ ମତେ ସେ ଜଗନ୍ନାଥ ଭୟ ଦେଖାନା । I am daily talking to that black chap.”

ମୁଁ ଆଉ କିଛି ନ କହି ଚୁପ୍ ହୋଇ ଫେରିଆସିଲି । କେଦାର ଗୁରୁଙ୍କ ସବୁକଥା କହି, ମୁହଁ ଶୁଖାଇ ଯିଏ ଯାହା ଘରକୁ ଫେରିଗଲୁ । ସେହି ଦିନ ସଂଧ୍ୟାରେ ହଠାତ୍ ଦାଢ଼ି ରଖିଥିବା ମଧ୍ୟବୟସ୍କ ଜଣେ ବ୍ୟକ୍ତି କଟକରେ ମୋ ଘର ଖୋଜି ଖୋଜି ଆସି ପହଂଚି ମତେ ହଜାରେ ଟଙ୍କା ଦେଇ କହିଲେ, ବିଜୁବାବୁ ଏ ଟଙ୍କା ଆପଣଙ୍କ ପାଖକୁ ପଠାଇଛନ୍ତି । ପରେ ଜାଣିଲି ତାଙ୍କ ନାଆଁ ଶାରଦା ବାବୁ। ବିଜୁବାବୁଙ୍କର ଜଣେ ବିଶ୍ୱସ୍ତ ବ୍ୟକ୍ତି, ଯେ କି ପରବର୍ତ୍ତୀ କାଳରେ ରାଜ୍ୟସଭା ସଭ୍ୟ ରୂପେ ବିଜୁବାବୁଙ୍କ ଦ୍ୱାରା ମନୋନୀତ ହୋଇଥିଲେ । ମୁଁ ସେଦିନ ଜାଣିଲି ବିଜୁବାବୁଙ୍କୁ ଜାଣିବା ବଡ଼ କଷ୍ଟ କଥା, ଯାହାର ମୁହଁଟା ଇସ୍ପାତ ପରି ଟାଣ ଏବଂ ହୃଦୟଟା ଫୁଲ ଠାରୁ ବି ନରମ ।

ଆଉ ଗୋଟାଏ ଘଟଣାରୁ ମୁଁ ଜାଣିପାରିଥିଲି, ବିଜୁବାବୁ ଜଣେ ଦେବଅଂଶୀ ବ୍ୟକ୍ତି । ଥରେ ସତ୍ୟନଗରରେ ଗୋଟିଏ ମହିଳା ସଂଗଠନ ଗଠନକରି, ମୁଁ ରଜ ଉତ୍ସବ ପାଳନ କରିବାକୁ ଆୟୋଜନ କଲି । ସେତେବେଳେ ବିଜୁବାବୁ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ମଣ୍ଡନ କରିଥାଆନ୍ତି । ଦିନେ ସକାଳୁ ସକାଳୁ ସତ୍ୟନଗରର କିଛି ମହିଳାଙ୍କୁ ନେଇ ବିଜୁବାବୁଙ୍କୁ ରଜ ଉତ୍ସବରେ ମୁଖ୍ୟ ଅତିଥି ହେବା ପାଇଁ ନିମନ୍ତ୍ରଣ କରିବାକୁ ନବୀନ ନିବାସ ଘରକୁ ଗଲୁ । ସେତେବେଳେ ନିତିଦିନ ପରି ତାଙ୍କ ଦୋମହଲା ଦାଣ୍ଡପଟ ବାରଣ୍ଡାରେ ବସିଥାଆନ୍ତି । ବୋଧେ ମୁଁ ତାଙ୍କ ଗେଟ୍‌ରେ ପଶିବାର ସେ ଦେଖିପାରିଲେ, ମତେ ସାଂଗେ ସାଂଗେ ଉପରକୁ ଯିବା ପାଇଁ ଡକେଇ ପଠେଇଲେ । ମୋ ସହିତ ଯାଇଥିବା ମହିଳାମାନଙ୍କୁ ନେଇ ବିଜୁବାବୁଙ୍କ ପାଖରେ ପହଂଚି ସତ୍ୟନଗରରେ ହେବାକୁ ଯାଉଥିବା ରଜଉତ୍ସବରେ ମୁଖ୍ୟ ଅତିଥି ହେବାକୁ ଅନୁରୋଧ ଜଣାଇଲି । ସାଂଗେ ସାଂଗେ ବିଜୁବାବୁ ପଚାରିଲେ କୋଉ ଜାଗାରେ ଏ କାର୍ଯ୍ୟକ୍ରମ ହେବ? ମୁଁ କହିଲି ରବୀନ୍ଦ୍ର ମଣ୍ଡପରେ । ବିଜୁବାବୁ ସାଂଗେ ସାଂଗେ ଠୋସ୍ କରି ମନାକରି କହିଦେଲେ, “ମୁଁ ଯିବିନି ।” ମୁଁ କହିଲି, “କାହିଁକି ଆଜ୍ଞା?” ବିଜୁବାବୁ କହିଲେ, “ସତ୍ୟନଗରର ରଜଉତ୍ସବ, ସତ୍ୟନଗରରେ ନକରି କାହିଁକି ରବୀନ୍ଦ୍ରମଣ୍ଡପରେ କରିବୁ?” ମୁଁ କହିଲି, “ରଜ ସମୟରେ ବର୍ଷାର ସମ୍ଭାବନା ଥାଏ । ତେଣୁ ବର୍ଷାରୁ ରକ୍ଷା ପାଇବା ପାଇଁ ସତ୍ୟନଗରରେ କୌଣସି ପ୍ରେକ୍ଷାଳୟ ନାହିଁ କି ପାର୍କ ପଡ଼ିଆରେ ତମ୍ବୁ ବାନ୍ଧିବା ଏବଂ ଷ୍ଟେଜ୍ ବାନ୍ଧିବାକୁ ଆମ ପାଖରେ ପଇସା ନାହିଁ ।” ସାଂଗେ ସାଂଗେ ବିଜୁବାକୁ କହିଲେ, “ତୁ ଯା ସତ୍ୟନଗରରେ ଖୋଲା ପଡ଼ିଆରେ ପ୍ରୋଗ୍ରାମ ହବ । ମୁଁ ଏବେ ଇନ୍ଦ୍ରଙ୍କୁ କହିଦେବି, ସେଦିନ ବର୍ଷା ବନ୍ଦ ରହିବ ।” ଏକଥା ଶୁଣି ଆମେ ସମସ୍ତେ ମନେ ମନେ ହସିଲୁ ସିନା, ସତକୁ ତାଙ୍କ କଥା ସତ ହେଲା । ସତ୍ୟନଗର ଝିଅବୋହୂଙ୍କୁ ନେଇ ନାଚଗୀତ, ନାଟକଠାରୁ ପଂଜାବୀ କଲୋନୀର ଝିଅମାନଙ୍କ ପଂଜାବୀ ନାଚ ଦେଖି ସେଦିନ ପ୍ରୋଗ୍ରାମ୍ ଶେଷ ପର୍ଯ୍ୟନ୍ତ ପ୍ରାୟ ତିନିଘଣ୍ଟା ମୁଖ୍ୟମନ୍ତ୍ରୀ ବିଜୁବାବୁ ଖୋଲା ପଡ଼ିଆରେ ବସି ସେ କାର୍ଯ୍ୟକ୍ରମକୁ ଆକଣ୍ଠ ଉପଭୋଗ କରିଥିଲେ ଏବଂ ତାଙ୍କ ଆଦେଶ ମାନି ଇନ୍ଦ୍ର ଦେବତା ସେଦିନ ଗୋଟାଏ ବିନ୍ଦୁ ମଧ୍ୟ ବର୍ଷା ଝରାଇନଥିଲେ । ତେଣୁ ମୋର ହୃଦବୋଧ ହେଲା ଯେ ସେ ଦେବକଳାରେ ଜନ୍ମ ଏବଂ ତାଙ୍କ ତୁଣ୍ଡ ଶ୍ରୀତୁଣ୍ଡ ।

(ଲେଖକ ଜଣେ ପରିଚିତ ସଂଗୀତଜ୍ଞ ଏବଂ ସ୍ତମ୍ଭକାର)

ସହିଦ୍‌ ନଗର, ଭୁବନେଶ୍ୱର

 

Leave a Reply

*