Blog

ବିଜୁବାବୁ: ଅଦମନୀୟ ବ୍ୟକ୍ତିତ୍ୱ

ବିଂଶ ଶତାବ୍ଦୀର ମଧ୍ୟ ଭାଗରୁ ଶେଷ ପର୍ଯ୍ୟନ୍ତ ଓଡ଼ିଶା ଏବଂ ଭାରତବର୍ଷର ରାଜନୀତିକୁ ବିଭିନ୍ନ ଭାବରେ ଆଚ୍ଛାଦିତ କରି ରଖିଥିବା ଓଡ଼ିଶାବାସୀଙ୍କ ପ୍ରିୟ ଦେଶବିଦେଶର ବିସ୍ମୟ ବିଜୁବାବୁ ଏକ ଭିନ୍ନ ଓ ନିଆରା ବ୍ୟକ୍ତିତ୍ୱ ।

ଅମର ପ୍ରସାଦ ଶତପଥୀ

ରାଜନୀତି ଘଟଣା ପ୍ରବାହରେ ଅନେକ ରାଜନେତା ତାଙ୍କର ନେତୃତ୍ୱ ଓ ଉପସ୍ଥିତିକୁ ଜାହିର କରିବା ପାଇଁ ଉଦ୍ୟମ ଅବ୍ୟାହତ ରଖିଥା’ନ୍ତି । ପନ୍ଥା ଭିନ୍ନ ଭିନ୍ନ ହେଲେ ବି ଲକ୍ଷ୍ୟ ବା ଉଦ୍ଦେଶ୍ୟ ଥାଏ ନିଜ ନେତୃତ୍ୱକୁ ଜାହିର୍ କରିବା ଓ ଜନାଦୃତ କରିବା । ସଫଳତା, ବିଫଳତା ଲମ୍ବା କାହାଣୀ। ସମସ୍ତଙ୍କ ଜୀବଦ୍ଦଶାରେ ସଂଗଠିତ ହୋଇଥାଏ । ସଫଳତା ଯେତିକି ଉତ୍ସାହ ଦେଇଥାଏ, ବିଫଳତା ସେତିକି ହତାଶା କରିଥାଏ । ଏହି ସଫଳତା ବିଫଳତାକୁ ତରାଜୁରେ ତଉଲିବା ବେଳେ ଅଧିକ ଓଜନ ଥିବା ପାର୍ଶ୍ୱଟି ମୂଲ୍ୟାୟନ କରିବାରେ ନିର୍ଣ୍ଣାୟକ ହୋଇଥାଏ । ବିଂଶ ଶତାବ୍ଦୀର ମଧ୍ୟ ଭାଗରୁ ଶେଷ ପର୍ଯ୍ୟନ୍ତ ଓଡ଼ିଶା ଏବଂ ଭାରତବର୍ଷର ରାଜନୀତିକୁ ବିଭିନ୍ନ ଭାବରେ ଆଚ୍ଛାଦିତ କରି ରଖିଥିବା ଓଡ଼ିଶାବାସୀଙ୍କ ପ୍ରିୟ ଦେଶବିଦେଶର ବିସ୍ମୟ ବିଜୁବାବୁ ଏକ ଭିନ୍ନ ଓ ନିଆରା ବ୍ୟକ୍ତିତ୍ୱ ।

ପ୍ରତିକୂଳ ବା ଅନୁକୂଳ, ସବୁ ପରିସ୍ଥିତିରେ ନିଜର ଉପସ୍ଥିତିକୁ ଜାହିର କରିବା ଉଦ୍ୟମ ସେ ଅବ୍ୟାହତ ରଖିଥିଲେ । ଏପରିକି ଛାତ୍ର ଜୀବନର ଦୁଃସାହସିକ କାର୍ଯ୍ୟ କରିବା ପାଇଁ ପଣ କରିଥିବା ବିଜୁପଟ୍ଟନାୟକ, ଜୀବନର ଶେଷ ପର୍ଯ୍ୟନ୍ତ ଏହି ଧାରାରୁ ବିଚ୍ୟୁତ ହୋଇ ନଥିଲେ । ସାଇକେଲ ଚଢ଼ି କଟକରୁ ସୁଦୂର ପେସାୱାର ଯାତ୍ରା ହେଉ ଅଥବା ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମରେ ମହମ୍ମଦ ସାହାରିଆର ପ୍ରମୁଖ ସଂଗ୍ରାମୀମାନଙ୍କୁ ଡାକୋଟା ବିମାନଯୋଗେ ବିପଦସଂକୁଳ ଅବସ୍ଥାରୁ ଉଦ୍ଧାର କରିବା, ନାଜି ସେନାବାହିନୀର ମୁକାବିଲା କରିବାପାଇଁ ଋଷର ନୌବାହିନୀକୁ ଶକ୍ତି ଓ ସାମର୍ଥ୍ୟ ଯୋଗାଇବା ଏକ ସମୟରେ ପାଞ୍ଚ ପାଞ୍ଚଟି ନିର୍ବାଚନ ମଣ୍ଡଳୀରେ ପରାଜିତ ହେବା ତାଙ୍କ ଦୁଃସାହସିକ ଘଟଣାବଳୀର ଝଲକ ମାତ୍ର । ବ୍ରିଟିଶ ସରକାରରେ ବୈମାନିକ ଥାଇ ମଧ୍ୟ ଭାରତବର୍ଷ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ବିମାନ ଯୋଗେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ନେବା ମଧ୍ୟ ତାଙ୍କ ଦୁଃସାହସିକତାର ଆଉ ଏକ ଅଧ୍ୟାୟ ।

୧୯୭୪-୭୫ ମସିହାରେ ଛାତ୍ରାବାସ୍ଥାରେ ମୁଁ ଏଭଳି ଜଣେ ବହୁଚର୍ଚ୍ଚିତ ବ୍ୟକ୍ତିଙ୍କ ସମ୍ପର୍କରେ ଆସିବାର ସୁଯୋଗ ପାଇଲି, ମୁଁ ଥାଏ ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର ଛାତ୍ରସଂସଦ ସମ୍ପାଦକ । ପରବର୍ତ୍ତୀ କାଳରେ ସେ ସମୟରେ ରାଜ୍ୟସ୍ତରୀୟ ଚାରୋଟି ବିଶ୍ୱବିଦ୍ୟାଳୟର ସଭାପତି ଓ ସମ୍ପାଦକଙ୍କ ସମ୍ମିଳନୀର ଗଠିତ ଯୁବଛାତ୍ର ସଂଘର୍ଷ ସମିତିର ଅଧ୍ୟକ୍ଷ ହେବାର ଦାୟିତ୍ୱ ମିଳିଥିଲା । ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରେ ଗଠିତ ଜନସଂଘର୍ଷ ସମିତିରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜନେତାମାନଙ୍କ ମଧ୍ୟରେ ଏକ ବ୍ୟତିକ୍ରମ ଋଷିପ୍ରତିମ ନବକୃଷ୍ଣ ଚୌଧୁରୀ ଅଧ୍ୟକ୍ଷ ଥିବା ବେଳେ ଏହି ସଂଘଠନର ଆଗୁଆ ବାହିନୀ ଯୁବ ଛାତ୍ର ସଂଘର୍ଷ ସମିତିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋ‌ଇ କାମ କରିବାର ମୁଁ ସୁଯୋଗ ପାଇଥିଲି। ଏହି କାରଣରୁ ମତେ ବିଜୁବାବୁଙ୍କ ନିକଟତର ହେବାର ସୁଯୋଗ ମିଳିଥିଲା । ଦୀର୍ଘକାୟ, ଚଉଡ଼ା ଛାତି ଓ ସ୍ୱପ୍ନର ସୌଦାଗର । ଦ୍ରୁତଭାବେ ଆଗକୁ ଯାଉଥିବା ବ୍ୟକ୍ତିତ୍ୱ ଥିଲେ ବିଜୁବାବୁ। ତାଙ୍କ ସହ ମୋର ୧୯୭୪ରୁ ୧୯୯୭ ପର୍ଯ୍ୟନ୍ତ ପାଖାପାଖି ତିନିଦଶନ୍ଧିର ନିରବଚ୍ଛିନ୍ନ ସମ୍ପର୍କ । ମୋ’ ଛାତ୍ର ରାଜନୀତିରେ ତାଙ୍କର ଅନେକ ସହଯୋଗ ଥିଲା ।

ପଚାଶ ଦଶକରେ କଳିଙ୍ଗ ଟ୍ରଷ୍ଟ ଫାଉଣ୍ଡେସନ୍ ଗଠନ କରି ଓଡ଼ିଶା ସମେତ ଭାରତର ବହୁ ଗରିବ ଓ ମେଧାବୀ ଛାତ୍ରଙ୍କ ଉଚ୍ଚଶିକ୍ଷା ପାଇଁ ସାହାଯ୍ୟ କରୁଥିଲେ, ସେ ବହୁଚର୍ଚ୍ଚିତ ବ୍ୟକ୍ତିତ୍ୱ । ଆନ୍ତର୍ଜାତିକ ସ୍ତରରେ ବିଜ୍ଞାନ ପାଇଁ କଳିଙ୍ଗ ପୁରସ୍କାର ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀମାନଙ୍କୁ ସହାୟତା ଦେବାପାଇଁ, ତାଙ୍କର ବଦାନ୍ୟତା ପାଇଁ ସେ ବେଶ୍ ଚର୍ଚ୍ଚିତ ଥିଲେ । ସେ ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ଭଲ ପାଉଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ପକ୍ଷରୁ ଅପ୍ରେଲ ପହିଲା ୧୯୭୫ ମସିହାରେ ଜୟପ୍ରକାଶ ନାରାୟଣଙ୍କ ସମେତ ବହୁ ନେତୃସ୍ଥାନୀୟ ବ୍ୟକ୍ତିଙ୍କୁ ଡକାଯାଇଥିଲା ।

ବିଜୁବାବୁ ଏହି ସମ୍ମିଳନୀ ପାଇଁ ଛାତ୍ର ପ୍ରତିନିଧିମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ, ସହଯୋଗ କରିଥିଲେ । କେତେକ ଅସାମାଜିକ ତତ୍ତ୍ୱ ଆତଙ୍କରାଜ ଚଳାଇ ସଭାକୁ ଭଣ୍ଡୁର କରିବା ଯେଉଁ ଯୋଜନା କରିଥିଲେ କେବଳ ବିଜୁବାବୁଙ୍କ ପାଇଁ ତାହା ବିଫଳ ହୋଇଥିଲା । ବିଜୁବାବୁ ସାହସର ସହ ସେ ପରିସ୍ଥିତିର ସମ୍ମୁଖୀନ ହେବା ସହ ନିରସ୍ତ୍ର ଛାତ୍ରଛାତ୍ରୀଙ୍କ ଶକ୍ତି ଓ ସାହସ ହୋଇଥିଲେ । ମୋ’ ପାଇଁ ଏହା ଏକ ମୋର ଅଭୁଲା ଘଟଣା । ମୋର ସୌଭାଗ୍ୟ ଯେ ଜୟପ୍ରକାଶଙ୍କ ଠୁ ଆରମ୍ଭ କରି ବିଜୁବାବୁଙ୍କ ପର୍ଯ୍ୟନ୍ତ ମତେ କାମ କରିବାର ସୁଯୋଗ ମିଳିଥିଲା । ମୁଁ ୭୭/୭୮ ମସିହାରେ ଯୁବ ଜନତାର ସଭାପତି ଥିଲି । ୧୯୮୩ ମସିହାର କଥା । ଓଡ଼ିଶାରେ ଖଣ୍ଡବିଖଣ୍ଡିତ ତତ୍କାଳୀନ ଜନତା ପାର୍ଟିର ଏକୀକରଣ ପ୍ରକ୍ରିୟାରେ ବିଜୁବାବୁ ଥିଲେ ସୂତ୍ରଧର । ପରବର୍ତ୍ତୀ ଅବସ୍ଥାରେ ସର୍ବଭାରତୀୟ ସ୍ତରରେ ଅଣକଂଗ୍ରେସ ଶକ୍ତିଙ୍କୁ ଏକାଠି କରିବାରେ ସେ ପ୍ରମୁଖ ଭୂମିକା ନେଇଥିଲେ। କୁହାଯାଉଥିଲା, ନୂଆଦିଲ୍ଲୀସ୍ଥିତ ତାଙ୍କ ୩, ଆଉରଙ୍ଗଜେବ ରୋଡ଼ ବାସଭବନଟି ଥିଲା ଅଣକଂଗ୍ରେସ ଶକ୍ତିର କେନ୍ଦ୍ରସ୍ଥଳୀ । ଦଳମତ ନିର୍ବିଶେଷରେ ସମସ୍ତେ ତାଙ୍କୁ ଆଦରରେ ବିଜୁଦା’ ବୋଲି ସମ୍ବୋଧନ କରୁଥିଲେ। ଏହି ପ୍ରକ୍ରିୟାର ସୁଫଳ ମିଳିଥିଲା ଭି.ପି.ସିଂହ ଏବଂ ଏଚ୍‌.ଡି. ଦେବଗୌଡାଙ୍କୁ, ଯେଉଁମାନେ କି ଅଣ-କଂଗ୍ରେସ୍‌ ସରକାରର ପ୍ରଧାନମନ୍ତ୍ରୀ ହୋ‌ଇଥିଲେ। ନବେ ଦଶକରେ ବିଜୁବାବୁଙ୍କ ଆଶୀର୍ବାଦରେ ମୁଁ ପ୍ରଥମଥର ପାଇଁ ବଡ଼ଚଣାରୁ ବିଧାନସଭାକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲି । ପରେ ପରେ ୯୦ରୁ ୯୫, ୯୫ରୁ ୨୦୦୦ ବିଜୁବାବୁଙ୍କ ଆଶୀର୍ବାଦରେ କ୍ରମାଗତଭାବେ ମତେ ବିଧାୟକ ହେବାର ସୁଯୋଗ ପାଇଥିଲି । ତେବେ ବିଜୁବାବୁଙ୍କ କାର୍ଯ୍ୟଧାରାକୁ ମୋ’ ସମେତ କେତେକ ସହଯୋଗୀ ଆମେ ଭିନ୍ନ ମତ ପୋଷଣ କରୁଥିଲୁ । ସେ ବିରୋଧର ଧାରା ଏପରି ଥିଲା ଯେ ଆମ ଯୁକ୍ତିର ଯଥାର୍ଥତାକୁ ହୃଦୟଙ୍ଗମ କରି ସେ ପରବର୍ତ୍ତୀ ସମୟରେ ସେ ସବୁର ପରିବର୍ତ୍ତନ କରୁଥିଲେ। ୧୯୯୧ -୯୨ ମସିହାର କଥା । ସେ ସମୟର ଆର୍ଥିକ ଦୁଃସ୍ଥିତିକୁ ଲକ୍ଷ୍ୟରଖି ସେ ସରକାରୀ କର୍ମଚାରୀମାନଙ୍କ ଛୁଟିପ୍ରତ୍ୟାର୍ପଣ ଓ ଏଲ୍‌ଟିସି ଉଠାଇଦେବା ଭଳି ଅତି ଅପ୍ରିୟ ଓ କଠିନ ନିଷ୍ପତି ନେଇଥିଲେ। କିନ୍ତୁ ପ୍ରଥମରୁ ହିଁ ଏ ନିଷ୍ପତ୍ତିକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା । ଫଳସ୍ୱରୂପ ସେ କର୍ମଚାରୀମାନଙ୍କ କ୍ରୋଧର ଶିକାର ହୋ‌ଇଥିଲେ ଏବଂ ରାଜ୍ୟ ସଚିବାଳୟରେ ଏକ ଅପ୍ରୀତିକର ପରିସ୍ଥତିର ସମ୍ମୁଖୀନ ହୋଇଥିଲେ । ସେଦିନ ସନ୍ଧ୍ୟାରେ ତତ୍କାଳୀନ ଜନତା ଦଳ କାର୍ଯ୍ୟାଳୟରେ ରାଜ୍ୟ ମନ୍ତ୍ରିପରିଷଦ ଓ ବହୁ ବିଧାୟକ ଏକାଠି ହୋଇ ବିଜୁବାବୁ ଏ ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ ବୋଲି ସ୍ଥିର କଲେ । ଆମେ ସେଠୁ ଏକାଠି ନବୀନ ନିବାସ ଗଲୁ । ଏଭଳି ଏକ ଗୁରୁତର ଘଟଣା ପରେ ବି ସେ ଅବିଚଳିତ ଥିଲେ, ଭାଙ୍ଗି ପଡ଼ିନଥିଲେ, ଏହା ହିଁ ତାଙ୍କ ବ୍ୟକ୍ତିତ୍ୱର ବିଶେଷତ୍ୱ । ସମସ୍ତଙ୍କୁ ଏକାଠି ଦେଖି ତାଙ୍କ ସ୍ୱଭାବ ସୁଲଭ ଭଂଗୀରେ କହିଲେ, କୁଆଡ଼େ ସବୁ ଏତେ ରାତିରେ ଆସିଲ? ବିଜୁବାବୁଙ୍କ ମିଞ୍ଜାସ୍ ଦେଖି ପୁନର୍ବାର ସମସ୍ତେ ତାଙ୍କ ସ୍ୱରରେ ସ୍ୱର ମିଶାଇଥିଲେ, ମୁଁ କିନ୍ତୁ ଦୃଢଭାବେ ଭିନ୍ନ ମତ ରଖିଥିଲି । ଏମାନେ ସମସ୍ତେ ପାର୍ଟି ଅଫିସରେ ଗୋଟେ କଥା କହୁଥିଲେ, ଏଠି ଅଲଗା କଥା କହୁଛନ୍ତି ବୋଲି କହିଲି । ସେ ମୋ ଯୁକ୍ତି ଶୁଣିଲେ । ସରକାରଙ୍କ ଉଚ୍ଚ ପଦାଧିକାରୀ ସେ ଏଲଟିସି ସୁବିଧା ପାଉଛନ୍ତି, ଅଥଚ କିରାଣୀ ଚପରାସୀ ନ ପାଇବା ଏକ ବିରୋଧାତ୍ମକ ନିଷ୍ପତ୍ତିକୁ ସେ ତୁରନ୍ତ ବଦଳାଇବା ସହ ଆଉ ଏକ ପାଦ ଆଗକୁ ଯାଇ ସରକାରୀ କର୍ମଚାରୀଙ୍କୁ ରାଜ୍ୟ ବାହାରକୁ ଯିବାର ସୁଯୋଗ ଦେଇଥିଲେ । ଏହି ନିଷ୍ପତ୍ତିକୁ ସମସ୍ତ କର୍ମଚାରୀ ସ୍ୱାଗତ କରିଥିଲେ । ବିଜୁବାବୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ । ଏହା ଥିଲା ସେ ସମୟରେ ସର୍ବଭାରତୀୟ ସ୍ତରରେ ଚର୍ଚ୍ଚାର ବିଷୟ । ଷାଠିଏ ଦଶକରେ ସେ ଓଡ଼ିଶା ପାଇଁ ଆଙ୍କିଥିଲେ ବିକାଶର ମାନଚିତ୍ର । ବିଧିର ବିଡ଼ମ୍ବନା Decade of destiny ର ନକ୍ସା ଟାଣିଥିବା ଏହି ବ୍ୟକ୍ତି ଜଣକ “କାମରାଜ ଯୋଜନା” ଚକ୍ରାନ୍ତର ଶିକାର ହୋ‌ଇ ସେ କ୍ଷମତାଠୁ ଦୂରରେ ରହିଲେ। ଫଳରେ ବିକାଶ ବାଧାପ୍ରାପ୍ତ ହୋଇଥିଲା । ଓଡ଼ିଶାର ସମୃଦ୍ଧିରେ ଅନ୍ଧକାରର ବାଦଲ ଛାଇଗଲା ।

ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ସେ ପୁଣିଥରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ, ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ କରିବାପାଇଁ ସେ ତତ୍ପର ହୋଇପଡ଼ିଥିଲେ । ଓଡ଼ିଶାରେ ବୃହତ୍ ଶିଳ୍ପ ସ୍ଥାପନ କରିବା, ସାମୁଦ୍ରିକ ନୌଯାତ୍ରା ପ୍ରୋତ୍ସାହିତ କରିବା, ଅର୍ଥନୈତିକ ବିକାଶ ପାଇଁ ଶକ୍ତି ଭିତ୍ତିଭୂମି ପ୍ରତିଷ୍ଠା କରିବା, ସର୍ବୋପରି କଳିଙ୍ଗ ବାଲିଯାତ୍ରା ସ୍ମୃତିପାଇଁ ପ୍ରତିନିଧି ଦଳ ପ୍ରେରଣ ଆଦି ବ୍ୟାପକ କାର୍ଯ୍ୟକ୍ରମ ସେ ହାତକୁ ନେଇଥିଲେ । ସେ ସମୟରେ  Fiscal Autonomy ବା ଅର୍ଥନୈତିକ ସ୍ୱାଧିନତାର ସେ ଥିଲେ ମୁଖ୍ୟ ପ୍ରବକ୍ତା। କହୁଥିଲେ ମୋର ଖଣି ଅଛି, ମାଟିତଳେ ସମ୍ପଦ ଅଛି ତଥାପି ଅର୍ଥନୈତିକ ସ୍ୱାଧୀନତା ନଥିବାରୁ ଓଡ଼ିଶାର ବିକାଶ ସୁଦୂର ପରାହତ ହୋ‌ଇଛି। ତାଙ୍କର ଏହି ମନ୍ତବ୍ୟ ପାଇଁ ସେ ସାରା ଭାରତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲେ । ସଂଘୀୟ ବ୍ୟବସ୍ଥାର କଟକଣା ଉଠାଇବା ସହ କ୍ଷମତାର ବିକେନ୍ଦ୍ରୀକରଣ ପାଇଁ ସେ ଦୃଢମତ ପୋଷଣ କରୁଥିଲେ। ନାଲିଫିତା କାର୍ଯ୍ୟର ଧିମା ଗତିକୁ ସେ ପସନ୍ଦ କରୁନଥିଲେ । ତାଙ୍କର ଦୂରଦୃଷ୍ଟିତା ଓ ଦୃଢ ନେତୃତ୍ୱ ପାଇଁ ତେର ଜିଲ୍ଲା ତିରିଶ ହୋଇଥିଲା । ମହିଳାମାନେ ତ୍ରିସ୍ତରୀୟ ପଂଚାୟତ ବ୍ୟବସ୍ଥାରେ ପ୍ରତିନିଧିତ୍ୱ ପାଇଲେ । ଆଦିବାସୀ ମହିଳାମାନେ ବି ପ୍ରଶାସନରେ ସାମିଲ ହେଲେ । ସେ ସୁରକ୍ଷା ବଳୟ, ପୋଲିସ୍ କର୍ଡ଼ନକୁ ପସନ୍ଦ କରୁନଥିଲେ । ଖୁବ୍ ସାହସୀ ଥିଲେ । ଦୃଢ଼ମନା ବି ଥିଲେ । କୌଣସି ସ୍ଥାନରେ ପୁଲିସ୍ ଗୁଳିଚାଳନା ପାଇଁ ରାଜ୍ୟ ସରକାରଙ୍କ ଅନୁମତିକୁ ସେ ବାଧ୍ୟତାମୂଳକ କରିଥିଲେ । ସେ କହୁଥିଲେ, Everybody is a son of mother.. ଏହାଥିଲା ତାଙ୍କ ମମତ୍ୱବୋଧ ଓ ମାନବିକତା । ରାଜ୍ୟ ସଚିବାଳୟରେ ଆଦିବାସୀ ମହିଳାଙ୍କୁ ଆଡ଼ଭାଇଜର୍ ଭାବେ ଅବସ୍ଥାପିତ କରିବା, ପ୍ରଶାସନିକ ଦୃଢ଼ ନିଷ୍ପତ୍ତି ନେବା, ଯୁବକମାନଙ୍କୁ ନିଯୁକ୍ତି ନେଇ ବୃହତ୍ ଶିଳ୍ପ କରିବା, ଉଦାରୀକରଣ ପ୍ରବକ୍ତା ହେବା, Money convertibilityର ସପକ୍ଷ ନେବା, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବଦଳରେ ମିଳିତ ଉଦ୍ୟୋଗ କରିବା ତାଙ୍କର ବହୁ ନିଷ୍ପତ୍ତିର କିଛି ଉଦାହରଣ ।

ଓଡ଼ିଶା ଶିଳ୍ପ ଉନ୍ନୟନ ନିଗମ ଅଧିନରେ ଥିବା ଚାର୍ଜକ୍ରୋମ କାରଖାନାକୁ  ଘରୋ‌ଇକରଣ କରିବା ଓ ଟିଟିଲାଗଡ଼ କାଗଜକଳକୁ ବି ମିଳିତ ଉଦ୍ୟୋଗ କରିବା ପାଇଁ ସେ ସମାଲୋଚନାର ଶିକାର ହୋଇଥିଲେ। ବାବୁ ବ୍ୟବସ୍ଥାରୁ ଉପରକୁ ଯାଇ ସେ ଲୋକଙ୍କ ପାଇଁ ଯାହା ଉଚିତ୍‍ ତାହା କାର୍ଯ୍ୟ କରିବା ପାଇଁ ଦୃଢମନା ଥିଲେ। ସମାଲୋଚନାକୁ ସେ ଖାତିର କରୁନଥିଲେ। ୧୯୯୩ରେ ତତ୍‌କାଳୀନ ଲୋକସଭା ବାଚସ୍ପତି ଶିବରାଜ ପାଟିଲଙ୍କ ଉପସ୍ଥିତିରେ, ଓଡ଼ିଶା ବିଧାନସଭାରେ ସମସ୍ତ ରାଜ୍ୟର ବାଚସ୍ପତିମାନଙ୍କର ସର୍ବଭାରତୀୟ ସମ୍ମିଳନୀରେ ସେ ଯେଉଁ ବକ୍ତବ୍ୟ ରଖିଥିଲେ, ତାହା ଦୃଷ୍ଟାନ୍ତମୂଳକ ଥିଲା। ୧୯୩୫ ମସିହାର ଆଇନ୍‌ର ନବସଂସ୍କରଣରେ ଚାଲିଥିବା ପ୍ରଶାସନିକ ବ୍ୟବସ୍ଥାର ସେ ଦୃଢ ବିରୋଧ କରିଥିଲେ। “କଳିଙ୍ଗା ସାହସିକାଃ” ଏହି କଥା ଖାଲି ସେ କହୁନଥିଲେ, ନିଜ ଜୀବନକୁ ଏହି ବିଚାରରେ ଆଗେଇ ନେଇଥିଲେ। କୁଳବୃଦ୍ଧ ମଧୁସୂଦନ ଓଡ଼ିଆ ସ୍ୱାଭିମାନର ପ୍ରତୀକ ଥିଲେ, ବିଜୁବାବୁ ସେହି ଧାରାରେ ଓଡ଼ିଆ ଅସ୍ମିତାର ପ୍ରବକ୍ତା ଥିଲେ, ସେ ଯେଉଁ ତ୍ରିସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାର ବୀଜବପନ କରିଥିଲେ ତାହା ଏବେ ମହାଦ୍ରୁମରେ ପରିଣତ ହୋ‌ଇଛି। ସେ ଥିଲେ ଦୂରଦ୍ରଷ୍ଟା ରାଷ୍ଟ୍ରନୀତିଜ୍ଞ । ଏହିଭଳି ଜଣେ ବିରଳ ବିସ୍ମୟ, ଦରଦୀ ଅଦମନୀୟ ବ୍ୟକ୍ତିତ୍ୱ ଖାଲି ଶାରୀରିକ ଭାବେ ଉଚ୍ଚ ନଥିଲେ, ତାଙ୍କ ବିଚାରଧାରା ମଧ୍ୟ ଥିଲା ଉଚ୍ଚକୋ‌ଟିର । ବେଗ ହିଁ ଥିଲା ସବୁକ୍ଷେତ୍ରରେ ତାଙ୍କ ଜୀବନର ମନ୍ତ୍ର। ସଫଳତା, ବିଫଳତା ଯଦିଓ ଇତିହାସ ମୂଲ୍ୟାୟନ କରିବ ତଥାପି ତାଙ୍କ ଭଳି ଜଣେ ବ୍ୟକ୍ତିଙ୍କ ଛାପ ମନରୁ ଲିଭିବ ନାହିଁ । ଇତିହାସର ସନ୍ଧିକ୍ଷଣରେ ଜନ୍ମିଥିବା ଏହି ଯୋଗଜନ୍ମା ଶହେ ବର୍ଷ ବଂଚିନଥିଲେ ସତ, କିନ୍ତୁ ତାଙ୍କ କାର୍ଯ୍ୟାବଳୀ ଶତାବ୍ଦୀ ନୁହେଁ ସହସ୍ରବର୍ଷର । He was thinking first, moving first and acting first. ତାଙ୍କ ଅବର୍ତ୍ତମାନରେ ଓଡ଼ିଶାର ବିକାଶ ଓ ସମୃଦ୍ଧି ପାଇଁ ତାଙ୍କ ସ୍ୱପ୍ନକୁ ସାକାର କରିବାର ସଂକଳ୍ପ ନେବା ହିଁ ତାଙ୍କ ଜନ୍ମଶତବାର୍ଷିକୀରେ ଆମର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

(ଲେଖକ ଜଣେ ବରିଷ୍ଠ ରାଜନୀତିଜ୍ଞ ତଥା ସ୍ତମ୍ଭକାର)

ବିଧାୟକ, ବଡଚଣା, ଯାଜପୁର

 

Leave a Reply

*