Blog

ବିଜୁବାବୁଙ୍କ ବୈଶିଷ୍ଟ୍ୟ

 ମୋର ଯାହା ତାଙ୍କ ନିକଟରୁ ଦେଖିବାର ଓ ବୁଝିବାର ସୁଯୋଗ ମିଳିଛି ସେଥିରେ ମୋର ସୁସ୍ପଷ୍ଟ ଅନୁଭବ ଯେ, କୌଣସି ବିଷୟ ଥରେ ବୁଝିଗଲେ କେହି ତାଙ୍କୁ ସେଥିରୁ ବିଚ୍ୟୁତ କରିପାରିବେ ନାହିଁ । ଏହା ହିଁ ତାଙ୍କର ଅନ୍ୟତମ ବଳିଷ୍ଠତମ ବୈଶିଷ୍ଟ୍ୟ ।

ଅଜେୟ ରାଉତ

ଓଡ଼ିଶାର ଜନପ୍ରିୟ ନେତା ବିଜୁ ପଟ୍ଟନାୟକଙ୍କର ଜୀବନ ଓ କାର୍ଯ୍ୟକଳାପର ଅନେକ ଦିଗ ରହିଛି । ପ୍ରତ୍ୟେକ ମନୁଷ୍ୟର ଜୀବନର ଦୁଇଟି ପ୍ରମୁଖ ଚରିତ୍ର ଗୋଟିଏ ଆଦର୍ଶ ସ୍ଥାନୀୟ ଓ ଅନ୍ୟଟି ନିନ୍ଦନୀୟ ପରି, ବିଜୁ ପଟ୍ଟନାୟକଙ୍କର ଜୀବନରେ ସେହି ଦୁଇଟି ଦିଗ ଅତି ସୁସ୍ପଷ୍ଟ ହୋଇଥାଏ ।

୧୯୫୦ ଦଶକର ଦୁଃସାହସୀ ବିଜୁ ପଟ୍ଟନାୟକ, ୧୯୬୦ ଦଶକରେ ଏପରି ଜନମାନସରେ ନିନ୍ଦନୀୟ ହୋଇ ଉଠିଥିଲେ ଯେ, ୧୯୬୪ ମସିହାର ଛାତ୍ର ଆନ୍ଦୋଳନ ଏକ ଇତିହାସ ସୃଷ୍ଟିକାରୀ ଆନ୍ଦୋଳନ ହୋଇରହିଛି । କୌଣସି ଛାତ୍ର ଆନ୍ଦୋଳନ, ଛାତ୍ରମାନଙ୍କର କୌଣସି ନିର୍ଦ୍ଦିଷ୍ଟ ଦାବି ନ ଥାଇ ଏତେ ବଳିଷ୍ଠ ହୋଇପାରିବ ତାହା କଳ୍ପନା କରାଯାଇପାରେନା । ସେହି ଛାତ୍ର ଆନ୍ଦୋଳନ ସହ ସମଗ୍ର ଓଡ଼ିଶାର, ବିଶେଷତଃ ଉପକୂଳ ଓଡ଼ିଶା ଓ ମଧ୍ୟ ଓଡ଼ିଶାରେ ଏକ ବଳିଷ୍ଠ ଜନଆନ୍ଦୋଳନରେ ପରିଣତ ହୋଇଥିଲା ଏବଂ ସେହି ଆନ୍ଦୋଳନ ଯୋଗୁଁ ଏକ ବିରାଟ ରାଜନୈତିକ ପରିବର୍ତ୍ତନ ଘଟିଥିଲା । ସେତେବେଳେ ଏହି ଲେଖକ ଅନ୍ୟମାନଙ୍କ ସେହି ଆନ୍ଦୋଳନର ଆଗଧାଡ଼ିରେ ଛିଡ଼ା ହୋଇଥିଲା ।

ସମୟର ପରିବର୍ତ୍ତନ ସାଂଗକୁ ରାଜନୈତିକ ପରିବର୍ତ୍ତନର ପ୍ରେକ୍ଷାପଟରେ ଭାରତର ଜାତୀୟ ଇତିହାସରେ ଏକ କଳା ରାତି ରୂପେ ଜରୁରୀକାଳୀନ ପରିସ୍ଥିତିରେ ସମସ୍ତ ଗଣତନ୍ତ୍ରପ୍ରେମୀ ଲୋକ ଗୋଟିଏ ମଂଚରେ ଏକତ୍ରିତ ହେବା ଅବସ୍ଥାରେ ବିଜୁବାବୁଙ୍କ ସହ ଏକତ୍ରିତ ହେବାକୁ ପଡ଼ିଥିଲା । ୧୯୬୪ ଛାତ୍ର ଆନ୍ଦୋଳନର ପ୍ରାୟତଃ ଅଧିକାଂଶ ଛାତ୍ରନେତା ୧୯୭୭ରେ ଏକ ରାଜନୈତିକ ସମୀକରଣରେ ଗୋଟିଏ ମଂଚରେ ବିଜୁବାବୁଙ୍କ ନେତୃତ୍ୱରେ ଏକଜୁଟ ହୋଇଥିଲେ । ସେହି ରାଜନୈତିକ ଗଠବନ୍ଧନ ଉତ୍‌ଥାନ ପତନ ଦେଇ ଦୀର୍ଘଦିନ ଧରି ତିଷ୍ଠି ରହିଥିଲା ଏବଂ ୧୯୯୦ରେ ପୁନର୍ବାର ତାହା ଆବଶ୍ୟକ ଦୃଷ୍ଟେ ଅତି ସୁଦୃଢ଼ ହେବା ଅବକାଶରେ ନିର୍ବାଚନ ପୂର୍ବରୁ ଜନତା ଦଳ, ସିପିଆଇ ଓ ସିପିଆଇଏମ୍ ଦଳ ଗୋଟିଏ ଆନୁଷ୍ଠାନିକ ଫ୍ରଣ୍ଟ (ଯଦିଓ ନାମ ଘୋଷଣା ହୋଇ ନ ଥିଲା) ଗଠନ କରି ନିର୍ବାଚନରେ କଂଗ୍ରେସ ଦଳ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସାଧାରଣ ଲୋକଙ୍କ ଲାଗି ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଗ୍ରହଣ ଓ ଘୋଷଣା ଲାଗି କମ୍ୟୁନିଷ୍ଟମାନଙ୍କର ଜିଦ୍ ଫଳରେ ଏକ କାର୍ଯ୍ୟକ୍ରମ ସର୍ବସମ୍ମତି କ୍ରମେ ଗ୍ରହଣ ହୋଇଥିଲା ଏବଂ ବାରବାଟୀ ଷ୍ଟାଡ଼ିୟମରେ ଏକ ବିରାଟ କନ୍‌ଭେନ୍‌ସନରେ ତାହା ଗୃହୀତ ହୋଇଥିଲା । ସେହି ଚିଠା ପ୍ରସ୍ତାବର ରୂପରେଖ ଦେବାକୁ ମୁଁ (ସିପିଆଇଏମ୍‌ର ପ୍ରତିନିଧି), ଯୁଧିଷ୍ଠିର ଦାସ, କୃଷ୍ଣଚନ୍ଦ୍ର ପାତ୍ର ଓ ବିଜୟ ମହାପାତ୍ର (ଜନତା ଦଳ) ଏବଂ ଆଉ ଦୁଇ ଜଣ (ନାମ ମନେ ପଡୁନି) ଦୀର୍ଘ ସମୟ ଉଦ୍ୟମ କରି ଗୋଟିଏ ସର୍ବସମ୍ମତ ୨୦ ଦଫାର ଦାବିପତ୍ର / ପ୍ରତିଶ୍ରୁତି ପ୍ରସ୍ତୁତ କରିଥିଲୁ । ଜନତା ଦଳ ଅଫିସ୍‌ରେ ବସିଥିବା ବୈଠକରେ ବିଜୁବାବୁ ଏହି ଚିଠା ଘୋଷଣାପତ୍ର ଉପରେ ଆଖି ପକାଇ ଦେଇ ମୋତେ ଲକ୍ଷ୍ୟ କରି କହିଥିଲେ- ତୋର ତ ଖାଲି ଶ୍ରମିକ କଥା । ତାଙ୍କ କଥା ନ ରହିଲେ ତୋର ଚଳିବ ନାହିଁ । ମୁଁ ତାଙ୍କୁ କହିଥିଲି- ତମେ ୱାର୍କିଂକ୍ଲାସ୍ ପାଇଁ କିଛି ନ କହିଲେ ଆମେ ସେମାନଙ୍କୁ ତମ ସପକ୍ଷରେ ନିର୍ବାଚନରେ ନେଇ ପାରିବୁ ନାହିଁ । ୧୯୭୦ ଓ ୧୯୮୦ ଦଶକରେ ଶ୍ରମିକ କର୍ମଚାରୀଙ୍କ ଆନ୍ଦୋଳନ ଓଡ଼ିଶାରେ ସର୍ବୋଚ୍ଚ ସ୍ତରକୁ ଯାଇଥାଏ । ପ୍ରତ୍ୟେକଟି ସହର ଓ ଶିଳ୍ପ କେନ୍ଦ୍ରରେ ମିଳିତ ଶ୍ରମିକ କର୍ମଚାରୀ ଆନ୍ଦୋଳନ ଏକ ନୂତନ ବାତାବରଣ ସୃଷ୍ଟି କରିଥାଏ । ଜୀବନଜୀବିକାର ବିଭିନ୍ନ ଦାବିଗୁଡ଼ିକ ଉପରେ ଶ୍ରମିକ କର୍ମଚାରୀଙ୍କ ଆନ୍ଦୋଳନ ଉଚ୍ଚତମ ପର୍ଯ୍ୟାୟକୁ ଯାଇଥାଏ । ପୁରୁଣା ଧାରା ଭାଙ୍ଗି ଐକ୍ୟବଦ୍ଧ ସଂଗ୍ରାମ ପ୍ରତି ଶ୍ରମିକ-କର୍ମଚାରୀମାନେ ସର୍ବାଧିକ ଆକୃଷ୍ଟ ହୋଇଥାନ୍ତି । ସେହି ୨୦ ଦଫା ଦାବି ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା ।

ମାର୍ଚ୍ଚ ୫ ତାରିଖରେ ବିଜୁବାବୁଙ୍କ ନେତୃତ୍ୱରେ ନୂଆ ସରକାର ଶପଥ ଗ୍ରହଣ କରିଥିଲା । ମାର୍ଚ୍ଚ ୬ ତାରିଖ ଦିନ ବିଜୁବାବୁ ସେକ୍ରେଟେରିଏଟ୍‌କୁ ଯିବା ବେଳକୁ ସିପିଆଇଏମ୍ ତରଫରୁ ମୁଁ, କ୍ଷିତିଶ ବିଶ୍ୱାଳ ଓ ଆଉ ଜଣେ ସାଥି (ନାମ ମନେ ନାହିଁ) ଯାଇ ସୌଜନ୍ୟତାମୂଳକ ଭେଟିଥିଲୁ । ସେ ତରତର ହୋଇଯିବାକୁ ବାହାରିଥାନ୍ତି । ଟେବୁଲ ଉପରୁ ଗୋଟିଏ ଫାଇଲ୍ ଉଠାଇ ନେଇ ମୋ ହାତକୁ ବଢ଼େଇ କହିଲେ ‘ପଢ଼’ । ମୁଁ ଆଖି ପକାଇ ଦେଲି । ସରକାରର କ’ଣ କ’ଣ ପ୍ରାୟରିଟିଜ୍ ତାହା ନୋଟ୍ ହୋଇଯାଇଥାଏ । ପ୍ରଥମେ ଥାଏ ଓଡ଼ିଶାରେ ଦ୍ୱିତୀୟ ଇସ୍ପାତ କାରଖାନା କଥା । ଶ୍ରମିକମାନଙ୍କ କଥା ମଧ୍ୟ ଥାଏ । ମୋତେ ପୁଣି ଥଟ୍ଟା କରିବା ଭଳି କହିଲେ ତୋ କଥା ତ ସବୁ ରହିଛି- ଆଉ କ’ଣ ବାକି ଅଛି? ମୁଁ କହିଥିଲି- ନା । କ’ଣ ଗୋଟିଏ ଇସ୍ପାତ କାରଖାନା ସମ୍ପର୍କରେ କହିଥିଲି ଓ ସେ ଉତ୍ତର ଦେଇଥିଲେ ଯେ ତାହା ବୁଝା ଯାଉଛି । ତା’ପରେ ସେ ସେକ୍ରେଟାରିଏଟ୍ ଚାଲିଗଲେ । ଆମ୍ଭେମାନେ ଫେରି ଆସିଲୁ ।

ମୋର ପ୍ରକୃତି- ମୁଁ ସର୍ବଦା କ୍ଷମତାଠାରୁ ଓ କ୍ଷମତାର ଅଳିନ୍ଦରୁ ଦୂରେଇ ରହିବାକୁ ପସନ୍ଦ କରିଥାଏ । ବୋଧହୁଏ ଆଉ ଥରେ ବା ଦୁଇଥର ମାତ୍ର ଜନତା ଦଳ ଅଫିସ୍‌ରେ ତାଙ୍କ ସହ ଭେଟ ହୋଇଥାଏ ।

ମାର୍ଚ୍ଚ ମାସ ୧୯ ତାରିଖ ଦିନ ମୁଁ ସିଆଇଟିୟୁ ଅଫିସ୍‌ରେ ଖରାବେଳେ ବସି ଚେୟାର ଉପରେ ଢୋଳେଇ ପଡ଼ିଥାଏ । ହଠାତ୍ ସିଆଇଟିୟୁ ନେତା ରାଧାରମଣ ଷଡ଼ଙ୍ଗୀ ମୋ ରୁମ୍‌କୁ ପଶିଆସି ବଡ଼ ପାଟିରେ କହିଲେ ବିଜୁ ପଟ୍ଟନାୟକ ମିନିମମ୍ ୱେଜ୍ ୨୫ ଟଙ୍କା ବିଧାନସଭାରେ ଘୋଷଣା କରିଦେଲେ । ମୁଁ ପ୍ରଥମେ ଅବିଶ୍ୱାସ କରି କହିଲି ଏହା କିପରି ହେବ? ସେ ମୋତେ ଇନ୍ସିସ୍ଟ୍‍ କରି କହିଲେ ମୁଁ ନିଜେ ଟିଭିରେ ଶୁଣିଛି ତଥାପି ମୁଁ କହିଥିଲି ଏହା ତ ସମ୍ଭବ ନୁହେଁ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏହା କାର୍ଯ୍ୟକାରୀ ହେଲା ବୋଲି କିପରି କହିପାରିବେ? ଏହାର ଗୋଟିଏ ପଦ୍ଧତି ଅଛି । ଯାହା ହେଉ, ମୁଁ ଅନ୍ୟ ସୂତ୍ରରୁ ଖୋଜ ନେଇ ଜାଣିଲି ଏହା ସତ୍ୟ । ମୁଁ ସନ୍ଧ୍ୟାରେ ଟେଲିଫୋନ୍ ଦ୍ୱାରା ବିଜୁବାବୁଙ୍କୁ ଅଶେଷ ଧନ୍ୟବାଦ ଦେଇଥିଲି । ମୋତେ ପୁଣି ସେ କହିଥିଲେ- ତୋ କଥା ତ ରହିଲା, ଆଉ ଗଣ୍ଡଗୋଳ କରିବୁ ନାହିଁ । ମୁଁ ଚୁପ୍ ରହିଥିଲି ।

ଏହାପରେ ଓଡ଼ିଶା ତମାମ ପ୍ରତିବାଦର ସ୍ୱର ଉଠିଲା । କୃଷକ ସଂଗଠନ, କୃଷକ ନେତା ଅଧିକାଂଶ ଏମ୍.ଏଲ୍.ଏ.- କେହି ବିବୃତି ଆକାରରେ ତ କେହି ଖୋଲାରେ ତ କେହି ଘରୋଇ ଭାବରେ ଏହାକୁ ବିରୋଧ କରିଥିଲେ । କହିବାକୁ କୁଣ୍ଠିତ ନୁହେଁ ଯେ ଅନେକ କମ୍ୟୁନିଷ୍ଟ ନେତା ମଧ୍ୟ ଏହାକୁ ବିରୋଧ କରିଥିଲେ । ତେଣୁ ବାଧ୍ୟ ହୋଇ ମୁଁ ମଇ ମାସ ୧୫ ଦିନ ଏକ କ୍ଷୁଦ୍ର ପୁସ୍ତିକା “ଓଡ଼ିଶା ସରକାରଙ୍କ ପଚିଶ ଟଙ୍କା ସର୍ବନିମ୍ନ ମଜୁରି ଘୋଷଣା: ଏକ ବଳିଷ୍ଠ ପଦକ୍ଷେପ” ଶୀର୍ଷକରେ ପ୍ରକାଶ କରିଥିଲି । ସେତେବେଳକୁ ଦୈନିକ ମଜୁରି ମାତ୍ର ୧୧ ଟଙ୍କା ଥାଏ । ଏହି ସ୍ୱଳ୍ପ ମଜୁରି ମଧ୍ୟ ସବୁ କ୍ଷେତ୍ରରେ ମଧ୍ୟ ମିଳୁ ନ ଥାଏ । ତାହା ହାସଲ କରିବା ଲାଗି ଏପରିକି ଅନେକ ରକ୍ତକ୍ଷୟୀ ସଂଗ୍ରାମ ମଧ୍ୟ ହୋଇଛି । ଏକା ଥରରେ ଦୁଇଗୁଣରୁ ଅଧିକ ମଜୁରି ବୃଦ୍ଧିକୁ ଭିତରେ କୌଣସି ଦଳର ନେତାମାନେ ସର୍ବାନ୍ତକରଣରେ ସମର୍ଥନ କରୁ ନଥାନ୍ତି । ଏପରିକି ଏହି ପ୍ରଚାର ପୁସ୍ତିକା ମାତ୍ର ୫୦୦୦ କପି ଛପା ଯାଇଥିଲେ ବି ତାହା ଅନେକ ସ୍ଥାନରେ ସେମିତି ପଡ଼ି ରହିଲା, ବିକ୍ରି ହୋଇପାରିଲା ନାହିଁ କିମ୍ବା ବଣ୍ଟା ବି ହୋଇପାରିଲା ନାହିଁ ।

ଅନ୍ୟମାନଙ୍କ କଥା ଦୂରେ ଥାଉ ଏପରିକି ଶ୍ରମିକ କର୍ମଚାରୀମାନେ ମଧ୍ୟ ଏହାକୁ ଅନେକ କ୍ଷେତ୍ରରେ ସମର୍ଥନ କରି ନ ଥିଲେ । ଶ୍ରମିକ ଶ୍ରେଣୀ ପଛୁଆ ଚିନ୍ତା ଓ ଅନ୍ୟ ଉଚ୍ଚ ମଜୁରୀ ପାଉଥିବା କର୍ମଚାରୀଙ୍କ ବ୍ୟକ୍ତିଗତ ସ୍ୱାର୍ଥ ଦୃଷ୍ଟିରୁ ଏ ମଜୁରୀ ଲାଗୁ ହେଲେ ଗାଁ ଗହଳରେ ଚାଷ କରିହେବ ନାହିଁ, ସହର ବଜାରରେ ଦିନେ ଓଳିଏ ବି କାମ କରାଇ ହେବ ନାହିଁ । ବାଧ୍ୟ ହେଉଛି କହିବାକୁ, କେତେକ କ୍ଷେତ୍ରରେ ମୋତେ ଅତି କଠୋରତମ ଭାଷାରେ କହିବାକୁ ପଡ଼ିଛି ଯେ ମୋର ବାଟି ଜମି ଅଛି, ଚାଷ ନ ହୋଇପାରିବାର ଚିନ୍ତା ପଡ଼ିଛି, ଅଥଚ ୧୦/୧୧ ଟଙ୍କାରେ ଆସି ସହରରେ କାରଖାନାରେ ମୂଲ ଲାଗୁଛ । ବୁଝି ପାରୁ ନାହିଁ ଯେ ବର୍ଷକରେ ୨୦/୨୫ଟି ମୂଲ ଲଗାଇ ତମେ ଅଧିକ ପଇସା ହେଉଥିବା ବେଳେ ତମେ ବର୍ଷକ ୩୬୫ ଦିନ ମୂଲରେ ଅଧିକ ୧୪ ଟଙ୍କା ଅଧିକ ପାଇଲଣି । ତମର ଲାଭ ନା କ୍ଷତି? ତଥାପି ବହୁ ଶ୍ରମିକ କର୍ମଚାରୀ ବେଶ୍ କିଛି ଦିନ ୨୫ ଟଙ୍କା ମଜୁରି ବୃଦ୍ଧିକୁ ବିରୋଧ କରିଥିଲେ ।

ବିଜୁବାବୁଙ୍କ ବ୍ୟଗ୍ରତା ଯୋଗୁଁ ଶ୍ରମଦପ୍ତର ୨୫ ଟଙ୍କା ମଜୁରି ନୋଟିଫିକେସନ୍ କରିଦେବା ପରେ ଏହା ବେଆଇନ୍ ବୋଲି ହାଇକୋର୍ଟରେ କେସ ହେଲା ଏବଂ ହାଇକୋର୍ଟ ସେହି ନୋଟିଫିକେସନ୍‌କୁ ରଦ୍ଦ କରିଦେଇଥିଲେ। ସର୍ବନିମ୍ନ ମଜୁରି ନିର୍ଦ୍ଧାରଣ ଲାଗି ସରକାର ଏକ ପ୍ରସ୍ତାବ ରଖିବେ ଏବଂ ବିଭିନ୍ନ ସ୍ୱାର୍ଥ ପ୍ରତିନିଧିତ୍ୱ କରୁଥିବା ସଂସ୍ଥାକୁ ତାହା ପଠାଯିବ । ସମସ୍ତ ଅବଜେକ୍ସନ୍ ଆସିବା ପରେ ମିନିମମ୍ ୱେଜ୍ ବୋର୍ଡରେ ତାହା ଆଲୋଚନାରେ ଗୃହୀତ ହେବା ପରେ ନୋଟିଫିକେସନ୍ ହେବା କଥା । କୋର୍ଟ ଏହାକୁ ରଦ୍ଦ କରିଦେବାରୁ ବିଜୁ ରାଗି ଖପ୍ପା ଏବଂ ଶ୍ରମ ବିଭାଗ ତୁରନ୍ତ ଏସବୁ ପଦ୍ଧତିକୁ ଶେଷ କରୁ ବୋଲି ତାଙ୍କ ଜିଦ୍‌ରେ ଶ୍ରମ ବିଭାଗରେ ସହିଲା ନାହିଁ । ମୋ ପାଖରେ ସେତେବେଳେ ଖବର ନ ଥିଲା ଯେ କାହିଁକି ଶ୍ରମଦପ୍ତର ପ୍ରଥମରୁ ଏହି ପଦ୍ଧତିକୁ ଅନୁସରଣ କଲେ ନାହିଁ ଏବଂ ଏପରିକି ବିଜୁବାବୁଙ୍କ ବ୍ୟଗ୍ରତା ସତ୍ତ୍ୱେ ଆଇନଗତ ବ୍ୟବସ୍ଥା କଥା କାହିଁକି କହିଲେ ନାହିଁ । ଏହା ଇଚ୍ଛାକୃତ କିମ୍ବା ଅନିଚ୍ଛାକୃତ ତାହା ମୁଁ ଅନୁସନ୍ଧାନ କରି ନାହିଁ । ଏବେ ବି କହିପାରିବି ନାହିଁ ।

ଏହି ଅବସ୍ଥାରେ ସହକାରୀ ଶ୍ରମ କମିଶନର ମୋର ବନ୍ଧୁ ପ୍ରଫୁଲ୍ଲ ଚନ୍ଦ୍ର ଦାସ ମୋତେ ଫୋନ୍ କରି କହିଲେ ଯେ ସିଏମ୍ ଖପ୍ପା, ତୁରନ୍ତ ନୋଟିଫିକେସନ୍ କର । ମୋ ହାତରେ ଆଦୌ ସମୟ ନାହିଁ । ମୋତେ ଆପଣ ଦେଇଥିବା ବହି ଖଣ୍ଡକ କିଏ ଜଣେ ନେଇଯାଇଛନ୍ତି । ମୁଁ ଲୋକ ପଠାଉଛି, ଆଉ ଖଣ୍ଡେ ବହି ମୋତେ ଦିଅନ୍ତୁ । ମୁଁ ସେଇଥିରୁ ନୋଟ୍ ପ୍ରିପେୟାର କରିଦେବି । ମୁଁ ପୁଣି ଖଣ୍ଡେ ବହି ପଠାଇଦେଲି । କହିରଖେ, ସେହି କ୍ଷୁଦ୍ର ପୁସ୍ତିକାରେ ମଜୁରି ସଂକ୍ରାନ୍ତୀୟ ସମସ୍ତ ଜ୍ଞାତବ୍ୟ ତଥ୍ୟ, ମଜୁରି ପ୍ରଦାନ କ୍ଷେତ୍ରରେ ଥିବା ଅରାଜକତା, ଓଡ଼ିଶାର ଦୟନୀୟ ଅବସ୍ଥା, ପଞ୍ଚଦଶ ଶ୍ରମ ସମ୍ମିଳନୀର ସିଦ୍ଧାନ୍ତ ଏବଂ ୧୯୮୯ ମସିହା ସେପ୍ଟେମ୍ବର ମାସରେ ମଜୁରି କେତେ ହେବ ତା’ର ହିସାବ ଥାଇ ଏହା ମାସିକ ଟ. ୧୫୬୮.୫୫ ପଇସା ହେବ ବୋଲି କୁହାଯାଇଥାଏ ।

ଯାହାହେଉ, ତେଣିକି ସବୁ ସୁରୁଖୁରୁରେ ହୋଇଗଲା ଏବଂ ଓଡ଼ିଶାରେ ୨୫ ଟଙ୍କା ମଜୁରି ୧୯୯୦ ମସିହାରୁ ଲାଗୁ ହେଲା । ଏହା ନିଶ୍ଚିତ ରୂପେ ଏକ ବୈପ୍ଳବିକ ପଦକ୍ଷେପ ଥିଲା । ମୁଁ ଚିନ୍ତା କରିପାରୁନି, ଶ୍ରମିକ-କର୍ମଚାରୀମାନେ କେତେ ବର୍ଷରେ ଓ କେତେ କଠିନ ସଂଘର୍ଷ କରି ଏହି ମଜୁରି ସ୍ତରରେ ପହଞ୍ଚି ପାରିଥାନ୍ତେ । ଏକା ଥରକେ ୧୧ ଟଙ୍କା ମଜୁରୀରୁ ୨୫ ଟଙ୍କା ମଜୁରୀ ବଢ଼ି ପାରିବାର ମାନସିକତା ଏବଂ ଦକ୍ଷତା ଏକା ବିଜୁ ବାବୁଙ୍କର ହିଁ ଥିଲା । ଅବଶ୍ୟ କହି ରଖିବାର କଥା ସେହି ନିର୍ବାଚନ ପୂର୍ବରୁ ଶ୍ରମିକ ଶ୍ରେଣୀର ଐକ୍ୟବଦ୍ଧ ସଂଗ୍ରାମର ପ୍ରଭାବ ପଡ଼ିଥିଲା । ତେବେ, ଏହା ବିଜୁବାବୁଙ୍କ ବ୍ୟତୀତ ଅନ୍ୟ କେହି ସେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲେ ତାହା ହୋଇପାରି ନ ଥାନ୍ତା । ମୋର ଯାହା ତାଙ୍କ ନିକଟରୁ ଦେଖିବାର ଓ ବୁଝିବାର ସୁଯୋଗ ମିଳିଛି ସେଥିରେ ମୋର ସୁସ୍ପଷ୍ଟ ଅନୁଭବ ଯେ, କୌଣସି ବିଷୟ ଥରେ ବୁଝିଗଲେ କେହି ତାଙ୍କୁ ସେଥିରୁ ବିଚ୍ୟୁତ କରିପାରିବେ ନାହିଁ । ଏହା ହିଁ ତାଙ୍କର ଅନ୍ୟତମ ବଳିଷ୍ଠତମ ବୈଶିଷ୍ଟ୍ୟ ।

ବିଜୁବାବୁଙ୍କର ଅନେକ ଦୋଷ ଦୁର୍ବଳତା ସତ୍ତ୍ୱେ ଓଡ଼ିଶାକୁ ଗଢ଼ିବା ଓ ଆଗେଇ ନେବାର ତାଙ୍କ ସ୍ୱପ୍ନ ସର୍ବାଧିକ । ଦୁର୍ଭାଗ୍ୟ, ତାଙ୍କ ପାଖରେ ସେଭଳି କେହି ନିଃସ୍ୱାର୍ଥପର ପରାମର୍ଶଦାତା ଠୁଳ ହୋଇପାରିଲେ ନାହିଁ ।

(ଲେଖକ ଜଣେ ବରିଷ୍ଠ ଶ୍ରମିକ ନେତା ତଥା ସ୍ତମ୍ଭକାର)

ଖାରବେଳ ନଗର, ଭୁବନେଶ୍ୱର

 

One thought on “[ବିଜୁବାବୁଙ୍କ ବୈଶିଷ୍ଟ୍ୟ]”

Leave a Reply

*