Blog

ବିଜୁ ପଟ୍ଟନାୟକ ଓ ଆଦିବାସୀ ମହିଳାଙ୍କ ସଶକ୍ତୀକରଣ

ତୁମକୁ ମୁଁ ‘ପୁଲିସ୍ ପାୱାର’ ଦେବି । ତୁମେ ଯାଇକି ଛାଞ୍ଚୁଣିମୁଠା ଧରି ମଦହାଣ୍ଡି ଭାଙ୍ଗି ପାରିବ । ତୁମେ ମଦ ବନ୍ଦ କରିପାରିବ । ତୁମର ହାତର କଥା ତୁମର ହାତେ ହିଁ ଅଛି । ଏହା ତୁମ ନିଜର କଥା ତାହା ତୁମ ନିଜ ପାଖରେ ଅଛି । ତୁମେ ଯାହା କହିଲ ତାହା ହୋଇପାରିବ ।

ସୁମନୀ ଝୋଡ଼ିଆ

ଏହି ଘଟଣାକୁ ୨୦-୨୫ ବର୍ଷ ହୋଇଗଲାଣି । ଏହା ୧୯୯୩ ମସିହାର କଥା । ସେତେବେଳେ ୧୧ଟି ଜିଲ୍ଲାର ମହିଳାମାନେ ମୋଟ ୪୦୦ଜଣ ହୋଇ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରେ ଏକାଠି ହୋଇଥିଲୁ । ୩-୪ଟି ସଂସ୍ଥା ନିଜ ନିଜ ଅଞ୍ଚଳର ମାଁ ମାନଙ୍କୁ ଡ଼ାକି କଳାହାଣ୍ଡି ଜିଲ୍ଲାର ବିଶ୍ୱନାଥପୁର ଠାରେ ମାର୍ଚ୍ଚ ୮, ୯ ଓ ୧୦ ତାରିଖ ଏହିଭଳି ୩ଦିନ ଧରି ମିଟିଂ ଆୟୋଜନ ହୋଇଥିଲା । ଉକ୍ତ ସଭାସ୍ଥଳକୁ ଆସିବା ପାଇଁ ସେବେକାଳର ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କୁ ଦରଖାସ୍ତ ଲେଖିଲୁ । ମୁଖ୍ୟମନ୍ତ୍ରୀ ଆସିଲା ନାହିଁ। ନ ଆସିଲାରୁ ଆମେ ଆଦିବାସୀ ମହିଳାମାନେ ନିଜ ଗୋଡ଼ରେ ଛିଡ଼ା ହେବୁ କହି ୯-୧୦ ଟି ଦାବି ଲେଖି ତା’ ପାଖକୁ  ରେଜେଷ୍ଟ୍ରି କରି ଡାକରେ ପଠେଇଲୁ । ଦାବିପତ୍ର ପଠାଇବାର ୨୦-୨୫ ଦିନପରେ ସେ ଡାକିଲେ ।

ଏହାର କିଛିଦିନ ପରେ ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ଫୁଲବାଣୀ, ଢ଼େଙ୍କାନାଳ, ସୁନ୍ଦରଗଡ଼, ମୟୁରଭଞ୍ଜ ଜିଲ୍ଲାରୁ ଆଦିବାସୀ ମହିଳା ୨୦ ଜଣ ଏବଂ ସେହି ୩-୪ଟି ସଂସ୍ଥାରୁ ୮ଜଣ ଉପଦେଷ୍ଟା ଏମିତି ହୋଇ୨୮ ଜଣ ଭୁବନେଶ୍ୱର ଯାଇ ତାକୁ ଭେଟିଲୁ । ତା’ପରେ ପ୍ରଦୀପ ଆଜ୍ଞାଙ୍କ ମାମୁଁ ଆମକୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ନେଇକି ଭେଟାଇଲେ । ସେଠାରେ ତାଙ୍କ ରୁମ୍ ବାହାରେ ଥିବା ପୁଲିସ ବଡ଼ିଗାର୍ଡ଼ ମାନେ ଆମ୍ଭମାନଙ୍କୁ ଦେଖି ହସିଲେ ଏବଂ କହିଲେ, ‘ଭେଟିବା ପାଇଁ ଆସିଛ? ସେଠି କିଛି ସେ ଶୁଣିବ ନାହିଁ, ଗୋଇଠା ମାରିକି ବାହାର କରିଦେବ ।’ ଯାଆ,  ନଶୁଣିବ ହେଲେ ନାଇଁ ବୋଲି କହି ଆମେ ଭିତରକୁ ଗଲୁ । ଆମକୁ ଡରାଇବା ଭଳି କଥାବାର୍ତ୍ତା କଲା ମୁଖ୍ୟମନ୍ତ୍ରୀ । ଏ କେଉଁ ଗାଁ, ଏମାନେ କେଉଁ ଜିଲ୍ଲାରୁ…ଏଠି କ’ଣ ପାଇଁ ଆସିଛ ବୋଲି ବଡ଼ପାଟିରେ ସେ ପଚାରିଲା । ତ ଆମେ ଆଜ୍ଞା ୧୦ଟା ଦାବି ଆପଣଙ୍କୁ ଦେଇଥିଲୁ ତ ତାହା କ’ଣ ହେଲା ବୋଲି ବୁଝିବାକୁ ଆସିଲୁ ବୋଲି ମୁଁ କହିଲି । ତା’ପରେ ସେ ତା’ ଅଫିସକୁ ଡାକିନେଲା । ତା’ପରେ ସେ ପିଠିରେ ଦୁମ୍ କରି ମାରିଲା ଓ କହିଲା, ‘ଆଲୋ ନାତୁଣୀ, ତୁ କୁଆଡ଼େ ଯାଇଥିଲୁ, ଏତେ ଦିନ ପରେ ଭେଟିବାକୁ ଆସିଛୁ ।’

ମୁଖ୍ୟମନ୍ତ୍ରୀ ଅଫିସରେ ପହଂଚି କରି ଆମକୁ ସେ ପଚାରିଲା କ’ଣ କହିବାର ଅଛି କୁହ । ଆମେ କହିଲୁ, ଆଜ୍ଞା ଆଦିବାସୀମାନେ ଗରିବ ଲୋକ, ଖଟିଲେ ଖାଇବେ, ଯେଉଁଦିନ ମଜୁରି ଗଲେ ସେ ଦିନ ଯାହା ମିଳିଲା ସେଥିରେ ଚାଉଳ କି ମାଣ୍ଡିଆ କିମ୍ବା ମକା କି କାଙ୍ଗୁ କି କୋଶଳା ଯେତିକି କିଣିହେବ ସେତିକି ଯୋଗାଡ଼ କରି ଘରେ ଆଣି ରାନ୍ଧି ଖାଉଛୁ । ଆମର ଆଦିବାସୀ ଲୋକ ମଦ ପିଇ ମଜୁରି ଟଙ୍କା ସେଥିରେ ଖର୍ଚ୍ଚ କରି ଦେଉଛନ୍ତି । ପରିବାର ପୋଷୁଛୁ ଆମେ ଆଦିବାସୀ ମହିଳା ମାନେ । ଆଦିବାସୀ ମରଦକୁ ମନାକଲେ ମାରଧର ପିଟାପିଟି କରୁଛି । ବର୍ତ୍ତମାନ ଚାରିଆଡ଼େ ମଦଦୋକାନ ଖୋଲିଛି । ଖୋଲାରେ ଚୋରାରେ ସବୁଆଡ଼େ ମଦ ବିକ୍ରି ହେଉଛି । ଏମିତି ହେଲେ ଆମେ ଆଦିବାସୀମାନେ ଉଠିପାରିବୁ କି ଆଜ୍ଞା? ତୁ କୁହ ଯେ ମଦ ବନ୍ଦ ନହେଲେ ଏଭଳି ଅବସ୍ଥାରେ ଆଦିବାସୀ ମହିଳା ମାନେ ନିଜ ଗୋଡ଼ରେ ଛିଡ଼ା ହୋଇପାରିବେ କି? ଆମେ ତ ୧୧ଟା ଜିଲ୍ଲାର ୪୦୦ ଆଦିବାସୀ ମହିଳା ୩-୪ ଟା ସଂସ୍ଥାର ସାହାଯ୍ୟରେ କଳାହାଣ୍ଡି ଜିଲ୍ଲାର ବିଶ୍ୱନାଥପୁରଠାରେ ମିଟିଂ କରିଥିଲୁ, ଆଉ ତତେ ଖବର ପଠାଇଥିଲୁ ତୁ ଆ ବୋଲି । ତୁଇ କିଛି ଜଣାଇଲୁ ନାଇଁ ତ ଆମେ ଇ ୧୦ଟା ଦାବି ପୂରଣ କରିବୁ ବୋଲି ତୋର୍ ପାଖେ ପଠାଇଲୁ । ସେଟା କ’ଣ ହେଲା ବୋଲି ବୁଝିବାକୁ ଆଇଲୁ । ତୁଇ ତ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛୁ । ତୋର ପାୱାର କେତେ ନା କେତେ । ତୁଇ ଯେଉଁଟା ଚାହିଁବୁ କରିପାରୁବୁ । ସେଥିଲାଗି ତୋର ପାଖେ ଆଇଲୁ । ସେ ୧୦ଟା ଦାବି ଭିତରେ ଆଗ ମଦ ବନ୍ଦ କରାଯାଉ ବୋଲି ଅଛି । ତୁଇ ମଦ ବନ୍ଦ କରିବୁ କି ନାଇଁ? ଏଇକଥା ଶୁଣି ମୁଖ୍ୟମନ୍ତ୍ରୀ ବିଜୁବାବୁ ଟିକିଏ ଚମକି ଗଲା ଆଉ କହିଲା, ‘କଣ କହିଲ, ମୁଁ ଏକୁଟିଆ ମଦ ବନ୍ଦ କରିପାରିବି ନାଇଁ । ତୁମେମାନେ ସମସ୍ତେ ଘରେଘରେ ମନ୍ଦ ରାନ୍ଧି ବ୍ୟବହାର କରୁଛ, ଆଉ ସବୁଆଡ଼େ ମଦ ଚାଲିଛି, ମୁଁ ବନ୍ଦ କର ବୋଲି କହିଲେ ସେମାନେ ଶୁଣିବେ କି? ନାଇଁ ନାଇଁ ମୁଇଁ ପାର୍ବି ନାଇଁ ।’

ଏତିକିରେ ଆମ ସାଂଗରେ ଆସିଥିବା ରାୟଗଡ଼ା ଜିଲ୍ଲା, କାଶୀପୁର ବ୍ଲକ ଟିକିରିସ୍ଥିତ ମଇଲଗୁଡ଼ାର ଅନ୍ଧାରୀ ମାଝୀ ମୁଖ୍ୟମନ୍ତ୍ରୀ ବିଜୁବାବୁକୁ କହିଲା ଯଦି ତୁଇ ପାରିବି ନାଇଁ କହୁଛୁ ତା’ହେଲେ ମୁଇଁ ଆଉ ଗାଁକୁ ଫେରିବି ନାହିଁ । ତୋର ଘରେ ସବୁଦିନ ରହି ଲୁଗା ଓ ବାସନ ସଫା କରିବି । ତା’ପରେ ମୁଖ୍ୟମନ୍ତ୍ରୀ କହିଲା, ‘କଟକ ସହରରେ ୫୦୦ ଲୋକ ମରିଗଲେ ମୁଁ ମଦ ବନ୍ଦ କରିପାରିଲି ନାହିଁ । ମୁଖ୍ୟମନ୍ତ୍ରୀ ହୋଇଛି ବୋଲି ମଦ ବନ୍ଦ କରିବି କି? ସେ ଯେଉଁ ମଦ ବିରୋଧି ଆନ୍ଦୋଳନ ତୁମ ହାତରେ ଅଛି, ତୁମର ସେତିକି ଅଛି ତୁମେ ଯାହା କରିଲେ ହୋଇପାରିବ । ତୁମ ସ୍ୱାମୀମାନେ ପଛବାଟରେ ସେମିତି ମଦ ରୋଷେଇ କରି ଖାଉଛନ୍ତି ଯେମିତି ତୁମେ  ଘରେ ମାଣ୍ଡିଆ ଜାଉ ରୋଷେଇ କରି ଖାଉଛ । ସେଇଟା ମୁଇଁ ମୁଖ୍ୟମନ୍ତ୍ରୀ ବୋଲି ବୁଲି ବୁଲି ମଦ ବନ୍ଦ କରିବି କି? ତୁମକୁ ଯାହା ମୁଁ ‘ଆଡ଼ଭାଇଜର୍’ ରଖିବି । ତୁମକୁ ମୁଁ ‘ପୁଲିସ୍ ପାୱାର’ ଦେବି । ତୁମେ ଯାଇକି ଛାଞ୍ଚୁଣିମୁଠା ଧରି ମଦହାଣ୍ଡି ଭାଙ୍ଗି ପାରିବ । ତୁମେ ମଦ ବନ୍ଦ କରିପାରିବ । ତୁମର ହାତର କଥା ତୁମର ହାତେ ହିଁ ଅଛି । ଏହା ତୁମ ନିଜର କଥା ତାହା ତୁମ ନିଜ ପାଖରେ ଅଛି । ତୁମେ ଯାହା କହିଲ ତାହା ହୋଇପାରିବ ।’

ଆମେ କହିଲୁ, ଆଜ୍ଞା, ଯାହା କହିଲେ ତାହା ହୋଇପାରିବ ଯେ ଆମେ କାହିଁକି ମଦହାଣ୍ଡି ଭାଙ୍ଗିଯିବୁ । ଆରମ କ୍ଷତି ସିନା ହେଉଛି, ଆମକୁ କେହି ମାନିବେ କି? ଲୋକମାନେ କେହି ଆମକୁ ଆଦିବାସୀ ମହିଳା ବୋଲି ମାନୁ ନାହାନ୍ତି… ନା ଅଫିସର ନା ଆଉ କେହି ମାନୁଛନ୍ତି । ଆଉ, ମଦହାଣ୍ଡି ଭାଙ୍ଗିଗଲେ ଆମକୁ କିଏ ମାନିବେ, କେହି ରଖାଇବେ କି । ସେ କହଲା, ‘ଯାଇକି କହିବ ଯେ ତୁମ ତିନିଜଣ-ସୁମନୀ ଝୋଡ଼ିଆ, ଅନ୍ଧାରୀ ମାଝି ଓ ସବାଇ ମାଝୀଙ୍କୁ ଆଡ୍‌ଭାଇଜର୍ ରଖିଛି ବୋଲି ।’

ସବାଇ ମାଝୀ ସର୍ଗିଗୁଡ଼ାର ବାସିନ୍ଦା ଅଟେ, ମଇଲଗୁଡ଼ା ପାଖରେ ଏକା । ‘ମୁଁ ତୁମ ତିନିଜଣଙ୍କୁ ଆଡଭାଇଜର ରଖିଲି…ଯାହା କାମ କରିପାରିବ ତାହା କରିବ ।’ ଏମିତି କହିଲାରୁ ମୁଁ କହିଲି, ନାଇଁ ଆମେ କେମିତି ତିନିଜଣ ରହିବୁ । ଆମେ ତିନିଜଣ ଆଡ଼ଭାଇଜର୍ ରହି ପାରିବୁ ନାହିଁ । ଆମେ ଯାହା ଦାବି ଦେଇଛୁ…ସେ ମଦହାଣ୍ଡି ଭାଙ୍ଗିବା ପାଇଁ ପାୱାର ଦେବାଟା ପଛକୁ ଥାଉ । ଆମେ ଦଶଟା ଦାବି ଦେଇଛୁ ତ ଆମର ୧୦ଟା ଦାବି ପୂରଣ କରି ଦିଆଯାଉ । ସେତେବେଳେ ଯାଇ ଆମ ମୁଖ୍ୟମନ୍ତ୍ରୀ ବୋଲି ମାନିବୁ । ଆପଣଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ବୋଲି ଜାଣିବୁ। ଆଉ ମଦହାଣ୍ଡି ଭଙ୍ଗା କଥାରେ କ’ଣ ମାନିବୁ କି ବୋଲି ତା’ସହ କେତେ ଯୁକ୍ତିତର୍କ କରିଲୁ ।

ଆମ ତିନିଜଣଙ୍କୁ ଆଡ଼ଭାଇଜର ରଖିବି ବୋଲି କହିଲାରୁ ଆମେ ଅଚ୍ୟୁତ ଦାସ, ବିଦ୍ୟା ଦାସ ଓ ମୁଁ ଏକାଠି ବସିକରି ଗୋଟେ ମିଟିଂ କଲୁ । ଆମେ ଏହା କହିଲୁ, ନାଇଁ, ବଡ଼ଆଜ୍ଞା, ବଡ଼ମାଁ, ଆମ ତିନିଜଣଙ୍କୁ ଆଡ଼ଭାଇଜର ରଖିବି ବୋଲି କହିଲା ଯେ ଆମେ ତିନିଜଣ ୧୧ଟି ଜିଲ୍ଲାରେ ବୁଲି ବୁଲି କାମ କରିହେବ କି? ଆମେ ଏ କାମ କାରିପାରିବୁ ନାହିଁ । ଆମେ ଆହୁରି ମୁଖ୍ୟମନ୍ତ୍ରୀକୁ ଲେଖିକରି ଦେବା । ଆମେ କାଶୀପୁର ବ୍ଲକ, ରାୟଗଡ଼ା ଜିଲ୍ଲାର ତିନିଜଣ ରହିବୁ । ଏଥିରେ ଆମେ କଳାହାଣ୍ଡିର ମିଲି ମାଝୀକୁ ମିଶାଇବୁ । ଢ଼େଙ୍କାନାଳର ସବାଶୁଣି ଡାକୁଆ, କନ୍ଧମାଳର ସୂରୁଯ ନାଏକ, ସୁନ୍ଦରଗଡ଼ର କୁମୁଦିନୀ କେର୍କେଟା ସହ ମୋଟ ଆଠଜଣ ଏତିକି ଲୋକଙ୍କୁ ମିଶାଇବୁ । ଏତିକି ଲୋକଙ୍କୁ ଆଡ଼ଭାଇଜର ରଖିଲେ ତ ଆମେ ଆଡ଼ଭାଇଜର ରହିବୁ । ଆଉ ଯଦି ଏମାନଙ୍କୁ ନ ରଖାଇଲେ ଆମେ ମଧ୍ୟ ରହିବୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଗୋଟେ ଲେଖିକି ଦେଲୁ ।

ଲେଖିକି ଦେଲାରୁ ‘ହଁ’ ବୋଲି ସେ ମାନିଗଲା । ସେ କହିଲା, ହଁ ମୁଁ ମାନିଲି । ମୁଁ ଏହି ୮ ଜଣଙ୍କୁ ଆଡ଼ଭାଇଜର୍ ରଖିବି ବୋଲି କହିଲା । ୮ଜଣଙ୍କୁ ଆଡ୍‌ଭାଇଜର୍ ରଖିଲା । ମୁଖ୍ୟମନ୍ତ୍ରୀ କହିଲା, ମୁଁ ଯାହା ଖବର ଦେଲେ ତୁମେ ଆଇବ, ତୁମେ ଯାହା ଖବର ଦେଲେ ମୁଇଁ ଆଇବି’ । ସେମିତି କଥାବାର୍ତ୍ତା ଚାଲିଲା । ଆଉ ଗୋଟେ ଦିନ ୩୦ଟା ଜିଲ୍ଲାର ଜିଲ୍ଲାପାଳ, ଏସ୍ପିମାନଙ୍କୁ ଏବଂ ପୁଲିସ୍ ବିଭାଗର ନିର୍ଦ୍ଦେଶକ ଅଧିକାରୀ (ଡିଜି)ଙ୍କୁ ସେ ଡାକଲା । ସେତେବେଳେ ଡିଜି ଥିଲେ ରବିନାରାୟଣ ମହାପାତ୍ର । ମୁଖ୍ୟମନ୍ତ୍ରୀଙ୍କ ସେକ୍ରେଟାରୀ ଥିଲେ ପ୍ୟାରୀମୋହନ ମହାପାତ୍ର । ଏ ସମସ୍ତଙ୍କୁ ଡାକି ଏମାନେ ମୋର ଆଡ଼ଭାଇଜର୍ ବୋଲି ସେମାନଙ୍କ ସାମ୍ନାରେ ଘୋଷଣା କଲା, । ଯେଉଁଲୋକ ମୋର ଆଡ଼ଭାଇଜର୍‌ଙ୍କ କଥା ମାନିବେ ତ ଠିକ୍ ନହେଲେ ଯିଏ ନମାନିବ ତାକୁ ବାହାର କରିଦେବି । ଆଜି ଦିନଠୁ ଶୁଣିଥାଅ’ ବୋଲି ସମସ୍ତଙ୍କୁ ଜଣାଇବାକୁ ସେଇ ମିଟିଂ ସେ ଡାକିଥିଲା ।

ମିଟିଂଟା ବିଧାନସଭା ଘରେ ରଖାଯାଇଥିଲା । ବଡ଼ଆଜ୍ଞା (ଅଚ୍ୟୁତ ଦାସ), ବଡ଼ମାଁ (ବିଦ୍ୟାଜୀ) ସାଂଗରେ ଆମେ ଯାଇ ସେଠାରେ ପହଂଚିଲୁ । ସେଠାରେ ଆମ୍ଭମାନଙ୍କୁ ଭିତରକୁ ଛାଡ଼ିଲେ । କିନ୍ତୁ, ଆମର ବଡ଼ଆଜ୍ଞା ଓ ବଡ଼ମାଁଙ୍କୁ ଭିତରକୁ ଯିବାକୁ ଅନୁମତି ଦେଲେ ନାହିଁ । ଆମେ ଆସେମ୍ବ୍ଲିରେ ଯାଇ ବସିଥିଲୁ । ଆସେମ୍ବ୍ଲିରେ ମୁଖ୍ୟମନ୍ତ୍ରୀ ପାଇଁ ଆଗରେ ସିଟ୍ ପଡ଼ିଛି । ସାମାନାରେ ୩୦ଟି ଜିଲ୍ଲାର ଜିଲ୍ଲାପାଳ ଓ ୩୦ଟି ଏସ୍ପି ମାନଙ୍କ ପାଇଁ ସିଟ୍ ପଡ଼ିଛି । ସମସ୍ତେ ଆସି ବସିଥିଲେ । ଆମେ ତ ଅବୁଝା, ଅଶିକ୍ଷିତ ଲୋକ, ଆଗଧାଡ଼ିରେ ଯାଇ ଆମେ ବସିଲୁ । ଠିକ୍ ସେତେବେଳେ କେଉଠିରୁ ସେ କଲେକ୍ଟର ଗୋଟେ ଆସି କହିଲା କି, ‘କ’ଣ ମ ଆଦିବାସୀ ମହିଳା ବୋଇଲେ ଆଦିବାସୀ ମହିଳା କିଛି ବୁଝିବେ ନାହିଁ କିଛି ଜାଣିବେ ନାହିଁ । ମୁଖ୍ୟମନ୍ତ୍ରୀ ଆସିଯିବେଣି…ଓଡ଼ିଶାର ମୁଖ୍ୟମନ୍ତ୍ରୀ, କ’ଣ ପାଇଁ ଆଗରେ ବସିଛ…ଯାଅ, ପଛରେ ଯାଇ ବସ’ ।

ଆମେ ପଳେଇଲୁ ପଛକୁ । ମୁଖ୍ୟମନ୍ତ୍ରୀ ଆସିଲା, ସେ ଭୀମକାୟ ମୂର୍ତ୍ତି ଭଳିଆ ତ ଥିଲା । ଆସିକରି ଏପଟସେପଟ ଅନେଇଲା । କହିଲା, ‘ଏରେ, ମୋର ଆଡ଼ଭାଇଜର୍ ମାନେ ଗଲେ କୁଆଡ଼େ?’ ମୁଇଁ କହିଲି, ‘ନାଇଁ ଆଜ୍ଞା, ହେଲେ କୋଉ ଆଜ୍ଞା ଗୋଟିଏ କ’ଣ ମ’ ଗୋଟେ ଆଦିବାସୀ ମହିଳା ବୋଇଲେ ଆଦିବାସୀ ମହିଳା… ଆଦିବାସୀ କିଛି ବୁଝିବେ ନାଇଁ । ପଛକୁ ପଳାଇ ଯାଆନ୍ତୁ ବୋଲି କହିଲା । ସେଥିପାଇଁ ପଛକୁ ଆସିଛୁ । ଏକଥା ଶୁଣି ସିଏ ଗର୍ଜିଲା ତ ସମସ୍ତଙ୍କ ସାମାନାରେ, ‘କିଏ କହିଲା ତା’ର ନାଁ ଏବେ କହିବେ, ଏବେ ସାଂଗେ ସାଂଗେ ଜିଲ୍ଲାପାଳରୁ ତାକୁ କାଟିଦେବି । ସେ ଭିକ୍ଷାମାଗି ଖାଇବ । ନାଁ ନ କହିଲେ ଟିକିଏ ଆଙ୍ଗୁଠି ହେଲେ ଦେଖାଇ ଦେ, ନା କାହିଁକି କହିବୁ, ନହିଲେ ଏବେ ଦେଖାଇ ଦେ ।’ ମୁଁ ଭାବିଲି, କାହାର ନାମ କହିବି? ପେଟ ପୋଷ ନାହିଁ ଦୋଷ । ତାଙ୍କୁ ଗୁରୁତର ଅପମାନ କରିବି ନାହିଁ । କହିଲି, ଆଜ୍ଞା ନୂଆରେ ଆସିଲା ଲୋକ, ମୁଇଁ କେଣେ ଜାଣିଛି ଯେ କହିବି? ସେ କିଏ ମୁଁ ଜାଣିନାହିଁ । କାହାର ନାଁ କହିପାରିବି ନାହିଁ । ଆଉ, ମିଟିଂ ସରିବା ପରେ ମୁଖ୍ୟମନ୍ତ୍ରୀ କୁଆଡ଼େ ପଳାଇଲେ । ସେତିକିବେଳେ ମୁଁ ପାଖକୁ ଯାଇ କହିଲି, ‘ଆଜ୍ଞାମାନେ ଆମକୁ ଏମିତି କହିଥିଲ, ଦେଖିଲ, ମୁଖ୍ୟମନ୍ତ୍ରୀ କିସ କହିଲା । ଆଗରେ ଡାକି କରି ଆଗରେ ବସାଇଲା କି ନାଇଁ? ଆଗ ସିଟ୍‌ରେ । କିସ୍ କହିଲା., ଏମାନେ ମୋର ଆଡ଼ଭାଇଜର୍ ବୋଲି କହିଲା । ଏମାନେ ଆଗୁଆ ନହେଲେ ତୁମେ ହେବ କି? ତୁମେ ପାଠ ପଢ଼ିଛ, ଟାଉଟରିଆ ହେଇଛ? ଏମାନେ ପାଠଶାଠ ପଢି ନାହାନ୍ତି । ଏମାନେ ସାଧାରଣ ମାଁ ମାନେ । ସେମାନଙ୍କୁ ମୁଁ ଆଡ଼ଭାଇଜର ରଖିଛି । ସେମାନେ ଟିପ ଦେବେ । ଦସ୍ତଖତ ବି ଜାଣି ନାହାନ୍ତି । ସେଇ ଭଳିଆ ଲୋକଙ୍କୁ ମୁଁ ଆଡ଼ଭାଇଜର୍ ରଖିଛି’ ବୋଲି କହିଲାରୁ ସେମାନେ ଜଡ଼ ପରି ହୋଇଗଲେ ।

କିନ୍ତୁ, ଏଇ ମିଟିଂକୁ ଆମ ବଡ଼ ଆଜ୍ଞା, ବଡ଼ମାଁଙ୍କୁ ସେମାନେ ଭିତରକୁ ଛାଡ଼ିଲେ ନାଇଁ । ବାହାରେ ଥିଲେ ସେମାନେ । ମିଟିଂରେ ସେଇ ଆଡ଼ଭାଇଜର୍ ସୁମନୀ ମାଁ ଜଣକୁ ମୁଁ ଗୋଟେ ଗାଡ଼ି ଦେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଲା । ମୁଁ କହିଲି, ‘ତତେ ଲଜ୍ଜା ଟିକେ ନାହିଁ । ଚାରିଆଡ଼େ ଘୁରି ବୁଲିବୁ, ଚୌକିରେ ବସି ଦାଦାଗିରି ହେଉଛୁ କି? ମତେ ଗାଡ଼ି ଦେବା ପାଇଁ କହୁଛୁ । ମତେ ଦରମା ଦେଇ ଆଡ଼ଭାଇଜର ତୁ ରଖୁନାହୁଁ । ମୁଁ ଆସିଲି ବିଧାନସଭାକୁ, କଥା ଦୁଇପଦ ଅଧିକା ହେଲାରୁ ମତେ ଆଡ଼ଭାଇଜର୍ ରଖିଛୁ । ଗାଡ଼ିଦେବୁ ମତେ? ମୁଁ ଡ୍ରାଇଭର କୁଆଡ଼ୁ ଆଣିବି? ଦରମା ଦେବି କୁଆଡ଼ୁ? କୁଆଡ଼ୁ ଆଣି ଡିଜେଲ ଭର୍ତ୍ତି କରିବି? ମୋର ଘରେ ସକାଳେ ଚାରୁପାଣି କଲେ ସନ୍ଧ୍ୟାରେ ଚାରୁପାଣି କରିବାକୁ ଲୁଣ ମିଳିବ ନାଇଁ ସେଭଳିଆ ଘରେ ମୁଁ ଅଛି । ସେଭଳିଆ ଲୋକଙ୍କୁ ତୁ ଗାଡ଼ି ଦେବୁ? ଦେବୁ ଯଦି ଗାଡ଼ି ଦେବୁ ହେଲେ ମୁଁ ଯାହା କହିବି ତାହା କଥା ମାନିବୁ ତାହା କାମ କରିବୁ କି? କାଶୀପୁର ବ୍ଲକରେ ଆଜ୍ଞା କି ଭଳିଆ ମେଡ଼ିକାଲ ଅଛି? ଚାରିଆଡ଼େ ଚାଷ ଜମି ମଝିରେ ଖଳା । ବ୍ଲକ ଅଛି ମଝିରେ, ବ୍ଲକ୍‌କୁ ଆମେ ଖଳା ବୋଲି ଭାବୁଛୁ । ଚାରିଆଡ଼େ ଗାଁଗଣ୍ଡା ।

କିଏ ଶହେ କିଲୋମିଟର ତ କିଏ ଦୁଇଶହ କିଲୋମିଟର ଦୂରରେ । ସେ ଗାଁ ମାନଙ୍କରେ ବେମାର ପଡ଼ିଗଲେ ଡଲାରେ ସଜାଡ଼ି ବୋହି କରି ଆଣୁଛନ୍ତି । ମରିଗଲେ ବାଟରେ ପକାଇ କରି ଯାଉଛନ୍ତି । ବଂଚିଥିଲେ ମେଡ଼ିକାଲରେ ଗୋଟେ ଘର ଅଛି, ଚାରିଟା ଖଟ ଅଛି । ଆଜ୍ଞା ଗୋଟେ ଦିନେ ୧୦ଟା ରୋଗୀ ଆସିବେ । ୪ଟା ରୋଗୀ ୪ଟା ଖଟରେ ଶୋଇଲେ ବାହାରେ କେତେ ଥିବେ ଆଜ୍ଞା? ହିସାବ କରୁନୁ ମୁଇଁ ପାଠ ପଢ଼ିଛି କି ଯେ ଜାଣିବି କେତେଟା ଥିବେ । ଗୋଟେ ଗଛ ଅଛି, ଚମ୍ପାଗଛ ମୂଳ । ସେଇଠି ଲୋକମାନେ ରୋଷେଇ କରି ଖାଉଛନ୍ତି । ବର୍ଷାରେ କେତେ ହଇରାଣ ହେଉଛନ୍ତି । କାଶୀପୁର ବ୍ଲକରେ ୨୦ଟା ପଂଚାୟତରେ ଗୋଟିଏ ଟିଡ଼ିପି ବୋଲି ସଂସ୍ଥା ଆସିଛି । କାଶୀପୁର ବ୍ଲକ୍‌ରେ ଟଙ୍କା ଭାସି ଯାଉଛି । ସେ ଟଙ୍କାରୁ ମେଡ଼ିକାଲ ଘର ବାନ୍ଧିଲେ କ’ଣ ହେଲା?

ହାଇସ୍କୁଲ ଗୋଟେ ଅଛି ଛୋଟିଆଟା, ହାଇସ୍କୁଲ ଗୋଟେ ବାନ୍ଧିଲେ କ’ଣ ହେବ? ଆଉ ମତେ ଗାଡ଼ି ଦେଉଛି, ଲାଜ ଟିକେ ଲାଗୁନାହିଁ? ଓଡ଼ିଶା ସରକାରଙ୍କ ଟଙ୍କା ନ ଥିଲେ ଭାରତ ସରକାରକୁ ଲେଖ । ସେ ଟଙ୍କା ପଠାଇବ ଓଡ଼ିଶାକୁ। ଆଉ ମତେ କ’ଣ ଗାଡ଼ି ଦେଉଛୁ । ମୁଖ୍ୟମନ୍ତ୍ରୀ କହିଲା, ଗାଡ଼ି ପାଇଁ ରାଜି ନାଇଁ ତ? ନାଇଁ ମତେ ଗାଡ଼ି ରାଜି ନାହିଁ । ହ୍ୟାଲିକପ୍ଟରରେ ଆସିଲେ ରାୟଗଡ଼ାରେ ଓହ୍ଲାଅ । କାର୍‌ରେ କି ଜିପ୍‌ରେ ଆସ । ରାସ୍ତାକ’ ମୋର ଗାଁ । ମୁଁ ରାସ୍ତାରେ ଛିଡ଼ା ହୋଇଥିବି । କାଶୀପୁର ମେଡ଼ିକାଲ ଦେଖିଯିବା । ଆଉ ତୁ ଗାଡ଼ି ଦେଏ ବା ନ ଦେଏ । ଲୋକେ ମରିଲେ ମରନ୍ତୁ ବଂଚିଲେ ବଂଚନ୍ତୁ । ଯଦି ଲୋକ ବଂଚି ଯାଆନ୍ତୁ । ମୋ ଅର୍ଡ଼ରରେ ଗାଡ଼ି ଦେବୁ । ମୁଖ୍ୟମନ୍ତ୍ରୀ ଦେଲା ବୋଲି କହିବେ ନହେଲେ ନାଇଁ । ଆଉ ମତେ ଗାଡ଼ି ଦେବୁ ତୁଇ? ସେ କହିଲା, ‘ହଁ, ଗାଡି ନଦେଲେ ପୋଲିସ୍ ପାୱାର ଦେବି କି ନାଇଁ ।  ପୋଲିସ୍ ପାୱାର ବି ମତେ ଦରକାର ନାଇଁ । କ’ଣ ଜିଲ୍ଲାରେ ଜିଲ୍ଲାପାଳ ନାହିଁ, ଏସ୍‌ପି ନାହିଁ କି, ବ୍ଲକ୍‌ରେ ବିଡ଼ିଓ ନାହିଁ ଥାନାରେ ଥାନାବାବୁ ନାହିଁ କି? କୋର୍ଟରେ ଜଜ୍ ଅଛି, ସେମାନେ କ’ଣ ମଦହାଣ୍ଡି ଭାଙ୍ଗି ପାରିବେ ନାହିଁ । ଆମେ ମଦହାଣ୍ଡି ଭାଙ୍ଗିଯିବୁ । ଆମେ ଆଦିବାସୀ ମହିଳା । କୁଲି ଖଟିକରି ଖାଇବା ଲୋକ । ସକାଳେ କୁଲି ଯିବୁ ସନ୍ଧ୍ୟାରେ ନିଆ ଜାଳିବୁ । ଯେଉଁଦିନ କୁଲି ଯିବୁ ନାଇଁ ସେଇଦିନ ଘରେ ନିଆଁ ଜଳିବ ନାଇଁ । ସେଭଳିଆ ଲୋକୁ ମତେ ମଦହାଣ୍ଡି ଭାଙ୍ଗିବା ପାଇଁ ଦେଉଛୁ କି? ଗୋଟେ ଶୁଣ୍ଢି, ଗୋଟେ ଡମ୍ବ, ଗୋଟେ ଆଦିବାସୀ ଲୋକ ମଦ ରାନ୍ଧୁ ନାଇଁ । ସମସ୍ତେ ଭିନ୍ନ ଭିନ୍ନ ପ୍ରକାରର ଲୋକ ମଦ ରାନ୍ଧୁଛନ୍ତି । ସେ ଲୋକମାନଙ୍କ ମଦହାଣ୍ଡି ଭାଙ୍ଗିବାକୁ ଯିବୁ କି? ଠେଙ୍ଗାରେ କି ବାଡ଼ିରେ ଯଦି କିଏ ଜୀବନରେ ମାରିଦେଲେ କିଏ ବୁଝିବ? ମୁଖ୍ୟମନ୍ତ୍ରୀ ଥିବ ବିଧାନସଭାରେ, ଓଡ଼ିଶାର ଭୁବନେଶ୍ୱରରେ । ଆମ ଗାଁ ବାପା ସ୍ୱାମୀ ପିଲାଝିଲାଙ୍କୁ ମୋ’ ଭଳିଆ ମଣିଷଟିଏ ଆଣିଦେଇ ପାରିବୁ କି? ଡିଜି କିହିଲା, ‘ସୁମନୀ ମାଁ ତୁମକୁ ସେମାନଙ୍କ ଭିତରେ ଯଦି କିଏ ମାରିଦେବ ହେଲେ ତୁ ମାଣ୍ଡିଆକୁ ଯେମିତି ଘୁରୁଛୁ ନାଇଁ କି ସେଭଳିଆ କରି ସେଇ ଲୋକକୁ ମୁଁ ଘୁରିଦେବି ।’ ମୁଁ କହିଲି ଆଜ୍ଞା ଆପଣ ଡିଜି। ହାଇକୋର୍ଟ ଥିବ କଟକରେ । ଆଉ କେତେବେଳେ ତୁଇ ଆମ ଗାଁ ଗହଳିରେ କାହାକୁ ମାଣ୍ଡିଆ ଘୁରିଲା ଭଳି ଘୁରୁଦେବୁ? ଆମ ପ୍ରାଣ ଗଲାପରେ କି? ଆମେ ପଡ଼ିଥିଲା ପରେ ତ? ଡିଜି ଆସିବ କି ମୁଖ୍ୟମନ୍ତ୍ରୀ ଆସିବ? ଆମ ଭଳିଆ ଲୋକଟିଏ ଆମ ପୁଅଝିଅମାନଙ୍କ ପାଇଁ ମାଁ ଟିଏ ଦେଇପାରିବୁ କି? ନାଇଁ, ମୁଁ ମାନିବି ନାଇଁ ବୋଲି ମୁଁ କହିଲି ।

ଏହାପରେ ମୁଖ୍ୟମନ୍ତ୍ରୀ ବିଜୁବାବୁ କହିଲା, ‘ପୁଲିସ୍ ପାୱାର ଦେବି ଆଉ ମେଡ଼ିକାଲକୁ ଗାଡ଼ି ଦେବି’ । ମୁଁ କହିଲି ମେଡ଼ିକାଲକୁ କେବେ ଦେବୁ ଗାଡ଼ି? ସେ କହିଲା, ‘ତିନିମାସ ପରେ ଦେବି’ । ତିନିମାସ ହୋଇ ନଥିଲା ମେଡ଼ିକାଲକୁ ଆମ୍ବୁଲାନ୍ସ ଦେଲା । ସେତେବେଳକୁ ସାହୁ ଡାକ୍ତର ବୋଲି ଜଣେ ଥିଲା । ସେ କହିଲା, ‘ସୁମନୀ ତତେ ଧନ୍ୟବାଦ । ଗାଡ଼ି ଗୋଟେ ଆଣିଲୁ ।’ ତା’ପରେ ମେଡ଼ିକାଲର ଗୋଟେ ଘର ହେଲା । ଏବେ ଯେଉଁ ମେଡ଼ିକାଲ ହୋଇଛି ତାହା ମୋ ଅର୍ଡ଼ରରେ ସେ ଘର ହେଇଛି । ଆଉ କଲେକ୍ଟର ନାହିଁ କି କିଏ ନାହିଁ । ଘର ଉଦ୍‌ଘାଟନ କଲା ଦିନ କିନ୍ତୁ ସେ ସାହୁ ଡାକ୍ତର ମତେ ଟିକେ ଡାକିଲା ନାହିଁ । ମତେ ବହୁତ ଖରାପ ଲାଗିଲା ।

 

(ଲେଖିକା ବିଜୁ ପଟ୍ଟନାୟକଙ୍କ ଏକ ପରାମର୍ଶଦାତ୍ରୀ ଭାବେ କାର୍ଯ୍ୟ କରିଥିଲେ, ଏହି ଲେଖାଟି ଦୈନିକ ସର୍ବସାଧାରଣ ସୌଜନ୍ୟରୁ ପ୍ରକାଶିତ)

ଗ୍ରାମ: ଶିରିଗୁଡ଼ା

ବ୍ଲକ୍-କାଶୀପୁର, ଜିଲ୍ଲା-ରାୟଗଡ଼ା

ମୋ-୦୮୭୬୩୮୮୧୮୪୩

 

Leave a Reply

*