Blog

ପଡ଼ୋଶୀଙ୍କ ପ୍ରତି

ପ୍ରବାଦ ପୁରୁଷ ବିଜୁବାବୁ ଜଣେ ପରମ ସୁହୃଦ୍ ପଡ଼ୋଶୀ ଥିଲେ । ପଡ଼ୋଶୀମାନଙ୍କ ସୁଖଦୁଃଖରେ ସେ ଭାଗୀଦାର ଥିଲେ । ତାଙ୍କ ପାଖରେ ସବୁ ଖବର ପହଞ୍ଚେ ଓ ସେ ମନେ ରଖନ୍ତି ।

ପର୍ଶୁରାମ ଦ୍ୱିବେଦୀ

ପ୍ରବାଦ ପୁରୁଷ ବିଜୁବାବୁ ଜଣେ ପରମ ସୁହୃଦ୍ ପଡ଼ୋଶୀ ଥିଲେ । ପଡ଼ୋଶୀମାନଙ୍କ ସୁଖଦୁଃଖରେ ସେ ଭାଗୀଦାର ଥିଲେ । ତାଙ୍କ ପାଖରେ ସବୁ ଖବର ପହଞ୍ଚେ ଓ ସେ ମନେ ରଖନ୍ତି । ୧୯୭୨ ମସିହାରୁ ଆମର ୟେ ବିମାନଘାଟୀ ଅଂଚଳରେ ନ୍ୟାୟମୂର୍ତ୍ତି ବି.ସି. ଦାସ, ଶଂକର ପ୍ରଧାନ, ଅଦ୍ୱୈତ ଚମ୍ପତିବାବୁ, ଅଲିବାବୁ ଇତ୍ୟାଦି ବସି ଆମ ଅଂଚଳର କିପରି ବିକାଶ ହେବ ସେ ବିଷୟରେ ଆଲୋଚନା କରୁଥିଲେ ଓ ପ୍ରତି ଘର ପିଛା ବର୍ଷକୁ ପାଞ୍ଚୋଟି ଟଙ୍କା ଚାନ୍ଦା ଆଦାୟ କରୁଥିଲେ । ସେ ତାଲିକାରେ ପ୍ରଥମ ନାମ ଥିଲା ବିଜୁବାବୁଙ୍କର ଓ ଆଜିଯାଏ ସେ ତାଲିକା ଗଡ଼ି ଚାଲିଛି । ଯେଉଁଥିରେ ନବୀନବାବୁଙ୍କ ନାମ ଦରଜ ଅଛି । ଅବଶ୍ୟ ଏବେ ମାସିକ ୧୬୦ ଟଙ୍କା ଆଦାୟ ହେଉଛି । ଆଦାୟ କରେ ଏ ଲେଖକ । ବର୍ଷକର କଥା । ଭୋଟ ଚାଲିଥାଏ । ଆମେ ସବୁ ଯାଇ ଦେଖିଲୁ ଆମର କାହାରି ନାଁ ନାହିଁ । ବିଜୁବାବୁଙ୍କୁ ଫେରାଦ ହେବାରୁ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ୟାରୀବାବୁଙ୍କୁ ଫୋନ୍ କରି ବୁଝିଲେ, ଏବେ ଆଉ କିଛି କରି ହେବନି । ସେଇଦିନ ସେ କହିଲେ ଆମ ସାଇର କଲ୍ୟାଣ ସମିତିକୁ ଦୃଢ଼ କରି ନିଜ ଭିତରୁ ନେତା ନିର୍ବାଚନ କରି ଏ ଦିଗରେ ଦୃଢ଼ କାର୍ଯ୍ୟମାନ କରନ୍ତୁ । ତାଙ୍କ କଥାକୁ ବେଦ କରି ଏ ଲେଖକ ନିଉ ବାପୁଜୀନଗର କଲ୍ୟାଣ ସମିତି ଉପବିଧି ପଞ୍ଜିକୃତ କରି କାମଚଳାଇଲୁ । ଏ ଅଂଚଳଟି ତାଙ୍କ ହସ୍ତମୁଦି ମାହାଲ ଥିଲା । ଭୋଟ ପାଇଁ ସେ ଏଠି ସଭା କରି ଭାଷଣ ଦିଅନ୍ତିନି । କେବଳ ଥରଟିଏ ସାଇରେ ପାଦରେ ବୁଲନ୍ତି । ବିଦ୍ୟାଳୟ ପାଇଁ ଅର୍ଥାଭାବ ହେବାରୁ ଛାତ ପାଇଁ ଟଙ୍କା ଦେବାକୁ କହିଲେ ଯଦି ଆମେ କାନ୍ଥ କାମ ଶେଷ କରୁଁ । ଦିନେ ଭୋର ସମୟରୁ ବୁଲି ଆସି ଛାତ କାମ ସରିଥିବାରୁ ଡାକିକରି ତିନି ହଜାର ପାଞ୍ଚଶହ ଟଙ୍କାର ଚେକ୍ ମୋତେ ଦେଇଥିଲେ ।

ସେହିପରି ସେ ଘରକୁ ଦୋତାଲା କରିବାକୁ ଏବଂ ମାଟିତଳ ନର୍ଦ୍ଦମା ନାଳ କରିବାକୁ ଏସ୍.ଆର୍. ବୋମାଇଙ୍କ ଆଂଚଳିକ ଉନ୍ନୟନ ପାଣ୍ଠିରୁ ୩୫ ଲକ୍ଷ ଟଙ୍କା ବ୍ୟବସ୍ଥା କରିଦେଲେ ନିଜଆଡୁ ଡକାଇ । ପହଞ୍ଚିବାକୁ ବିଳମ୍ବ ହେବାରୁ ଫୋନ୍ ପରେ ଲୋକ ପଠାଇ ଦେଇଥିଲେ । ବିଦ୍ୟାଳୟର ବାର୍ଷିକ ଉତ୍ସବରେ କେତେ ବର୍ଷ ଧରି ସେ ଥିଲେ ମୁଖ୍ୟ ଅତିଥି । ଧାର୍ଯ୍ୟ ସମୟର ଆଗରୁ ନିଜେ ଆସି ଆସନ ଗ୍ରହଣ କରନ୍ତି । ଆମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ଶୁଭେଚ୍ଛୁ ରାଜକିଶୋର ନାୟକ ଓ ରାମକୃଷ୍ଣ ଆଶ୍ରମର ସନ୍ନ୍ୟାସୀ ସ୍ୱାମୀ ବୈରାଗ୍ୟନନ୍ଦଙ୍କ ସହ ତାଙ୍କର ଫଟୋଚିତ୍ର ଦେଖିଲେ ମନେ ହୁଏ ପଡ଼ୋଶୀଙ୍କ ପାଇଁ ସେ କିପରି ଦରଦୀ ହୋଇ ଗୋଟିଏ ସାମାନ୍ୟ ମାଧ୍ୟମିକ ବିଦ୍ୟାଳୟର ପ୍ରତିଟି କାର୍ଯ୍ୟକ୍ରମରେ ଅନାବିଳ ଭାବେ ଯୋଗ ଦେଉ ନ ଥିଲେ; ସମ୍ପୂର୍ଣ୍ଣ ସହଯୋଗ କରୁଥିଲେ । ଥରେ ସାଇକେଲ୍‌ରେ ଦୂରଯାତ୍ରାର ଉନ୍ମୋଚନ ପାଇଁ ବିମାନ ପଡ଼ିଆରେ ସେ ପ୍ରଥମେ ପହଞ୍ଚି ଉଦ୍ୟୋକ୍ତାଙ୍କୁ ଖୋଜି ବ୍ୟତିବ୍ୟସ୍ତ କରି ପକାଇଥିଲେ । ମାଇକ୍ ନ ଥିବାରୁ ନିଜ ଚୌକି ଉଠାଇ ପିଲାଙ୍କ ପାଖକୁ ଯାଇ ଭାଷଣ ଦେଇଥିଲେ । ପଡ଼ୋଶୀଙ୍କ ପାଇଁ ଯାହା ଯେତେବେଳେ ଦରକାର ସେଥିପାଇଁ ସେ କ୍ଷମତାରେ ଥାଆନ୍ତୁ କି ନ ଥାଆନ୍ତୁ ସାହାଯ୍ୟର ହାତ ବଢ଼ାଇ ଦେଉଥିଲେ । ତାଙ୍କର ପଡ଼ୋଶୀ ହୋଇ ଆମ ଗର୍ବିତ, ଆହ୍ଲାଦିତ ଓ ଚିର କୃତଜ୍ଞ ତାଙ୍କ ସ୍ନେହ, ଶ୍ରଦ୍ଧା ଏବଂ ସହାନୁଭୂତି ପାଇଁ ।ତାଙ୍କ କୋଠରୀ ବାହାର ବାରଣ୍ଡାରେ ବସି ଡାକମାରି ଆଦେଶ ନୁହେଁ ପରାମର୍ଶ ଦିଅନ୍ତି । ଶଙ୍କର ପ୍ରଧାନ ତାଙ୍କ ଡବାରୁ ବିସ୍କୁଟ ନେଇ ନିଃସଙ୍କୋଚରେ ଖାଇବା ବେଳେ ସେ ଡବାଟି ବଢ଼ାଇ ଅନ୍ୟମାନଙ୍କୁ ଯାଚନ୍ତି ।

ସେଇ ପିଣ୍ଡାରେ ବସି ଆମଠାରୁ ଦୋଳରେ ଅବିର ଗ୍ରହଣ କରନ୍ତି । ଦରକାର ଥିଲେ ଅମୃତଭଣ୍ଡା ମାଗନ୍ତି । ସେଇଠି ବସି ଛୋଟ ଝିଅ ପିଲାଏ ଚାଲି ଚାଲି ବିଦ୍ୟାଳୟକୁ ଯାଉଥିବାର ଦେଖି ସାଇକେଲ୍ କିଣି ପିଲାଙ୍କୁ ଡାକି ବାଣ୍ଟି ଦିଅନ୍ତି । କେବେ କୌଣସି ଯାଚଞ୍ଜାକାରୀ ତାଙ୍କ ଦରଜାରୁ ଖାଲି ହାତରେ ଫେରିବାର ଦେଖାଯାଇ ନାହିଁ । ସେ କ୍ଷମତାରେ ଥାଆନ୍ତୁ ଅବା ଦିଲ୍ଲୀ ଜମି ବିକି ନିର୍ବାଚନ ଲଢ଼ୁଥାଆନ୍ତୁ ।

କଳିଙ୍ଗ ରଥରେ ଗଲାବେଳେ ଥରେ କାକତିଆରେ ତାଙ୍କ ଗାଡ଼ି ଅଟକି ଥିଲା, ହଠାତ୍ ସମସ୍ତେ ଆଶ୍ଚର୍ଯ୍ୟ । ଧନିଆର ଛୋଟ ଚା’ ଦୋକାନର ପଟାବାଡ଼ିଆ ବେଞ୍ଚରେ ବିଜୁବାବୁ ବସି ଚା’ ଖାଇବା ବେଳକୁ ୫୦ ଲୋକ ଜମିଗଲେଣି । ଭଲ ଚା’ କରିଛୁ କହି ଶହେ ଟଙ୍କିଆ ନୋଟ୍ ଖଣ୍ଡେ ବଢ଼ାଇ ଦେବାରେ ଧନିଆ ଆଶ୍ଚର୍ଯ୍ୟଚକିତ । ସେତେବେଳେ ଚା କପ୍‌ର ମୂଲ୍ୟ ୨୫ ପଇସା । ବାକି ୯୯ ଟଙ୍କା ୭୫ ପଇସା ସକାଳଟାରୁ ସିଏ କିପରି ଫେରାଇବ ଭାବିଲା ବେଳକୁ ବିଜୁବାବୁଙ୍କ କଳିଙ୍ଗ ରଥ ଗଡ଼ି ଯାଇଥିଲା । ମୋର ଗୁରୁ ରାଜକିଶୋର ବାବୁଙ୍କର କ୍ୟାନ୍‌ସର ଅପରେସନ୍ ଦିଲ୍ଲୀରେ ସେ ନିଜ ଖର୍ଚ୍ଚରେ କରେଇଥିଲେ । ମାସାଧିକ କାଳ ସେ ଓ ତାଙ୍କ ସହଧର୍ମିଣୀ ନିୟମିତ ଡାକ୍ତରଖାନା ଜଗିବସି ରୋଗୀ ସେବା କରିଥିଲେ । ତାଙ୍କୁ ଦ୍ୱିତୀୟ ଥର ଖଦିବୋର୍ଡ ସଭାପତି କରିବାକୁ ଖୋଜି ଖୋଜି ନାଁ ନ ପାଇ ବିଦେଶୀକୁ ପଠାଇ ଲେଖକଙ୍କଠାରୁ ସଂଗ୍ରହ କରି ତାଙ୍କୁ ସେ ପଦବୀ ଦେଇଥିଲେ । ତାଙ୍କର ଦୃଢ଼ ବିଶ୍ୱାସ ରାଜୁବାବୁ ସାଧୁ, ସଚ୍ଚୋଟ, ନିଷ୍ଠାପର । ଆଉ ମୋ ନିଜ କଥା କ’ଣ କହିବି? ଯେତେବେଳେ ଦାନ କରାଯାଉଥିବା ଭଙ୍ଗା ଆଟାଚିଟି ଯାହା ସକଳ ସନ୍ଦେହର ମୂଳ ପେଟିକା ଥିଲା ତା ଏ ଲେଖକକୁ ବଦନାମ କରାଇଥିଲା ତାହା ତାଙ୍କ ଆଡ଼କୁ ବଢ଼ାଇ ଦେଇ ଏଇଥିରେ ସୁନା ଇଟା ଓ ଗଣ୍ଡା ଗଣ୍ଡା କୋଠା ଓ ଗାଡ଼ି ଅଛି ବୋଲି କହି ମ୍ରିୟମାଣ ହୋଇଗଲି । ସେ ବ୍ୟଥିତ ହୋଇ ୪୫ ଦିନ ମଧ୍ୟରେ ତଦନ୍ତ ଶେଷକରି ରିପୋର୍ଟ ମଗାଇ ଏ ଲେଖକର କଳଙ୍କ କାଳିମାକୁ ଦୂର କରିଥିଲେ । ବିଜୁବାବୁ ଯେପରି ଦୁଃସାହସୀ ସେହିପରି ସତ୍ୟନିଷ୍ଠ ଓ ପ୍ରିୟ ମିତ୍ର ଥିଲେ । ତାଙ୍କ ପାଖରେ ବହୁ ଦୁର୍ଦ୍ଦାନ୍ତ ମଧ୍ୟ ଶାନ୍ତ ପଡ଼ିଯାଆନ୍ତି ତାଙ୍କର ପ୍ରଚଣ୍ଡ ପ୍ରତିଭା ନିକଟରେ । ସେ ଥିଲେ ଜଣେ ଭାଇପରି ସଚ୍ଚୋଟ ପଡ଼ୋଶୀ ଓ ନିର୍ଭୀକତାର ଦୀପସ୍ତମ୍ଭ ପରି । ଶତବାର୍ଷିକ ଉପଲକ୍ଷେ ତାଙ୍କର ସ୍ମୃତି ସ୍ୱତଃ ହୃଦୟରେ ଚଳଚ୍ଚିତ୍ର ପରି ପରିଦୃଶ୍ୟ ହୁଏ; ହେଲେ ତାହା ଆଉ ଥରେ ବାସ୍ତବ ରୂପ ନେବାର ଆଶା ନିରର୍ଥକ ।

(ଲେଖକ ଜଣେ ଅବସରପ୍ରାପ୍ତ ପ୍ରଶାସକ ତଥା ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳର ସମ୍ପାଦକ)

ବିମାନଘାଟୀ ଅଂଚଳ, ଭୁବନେଶ୍ୱର

 

Leave a Reply

*