Blog

ଥରୁଟିଏ ଦେଖା ଅନେକ ଅଭୁଲା କଥା

 ତାଙ୍କ କଥାକୁ ଶିରୋଧାର୍ଯ୍ୟ କରି ପାଦେ ପାଦେ ଆଗେଇବାକୁ ଚେଷ୍ଟା କରିଛି । ଅନେକ ଉତ୍‌ଥାନ ପତନ ଦେଇ ଆଜିର ପରିଣତ ବୟସରେ ମନେମନେ ତାଙ୍କର ସ୍ମୃତିଚାରଣ କରୁଛି । ତାଙ୍କର ଶୁଭ ଜନ୍ମ ଶତବାର୍ଷିକୀ ଦିବସରେ ତାଙ୍କର ଆଶୀର୍ବାଦ ହିଁ କାମନା କରୁଛି ।

ଡାକ୍ତର ଦାମୋଦର ରାଉତ

ଅହେତୁକ ଭାବରେ ସ୍ୱର୍ଗତ ବିଜୁ ପଟ୍ଟନାୟକ ମୋତେ ସରକାରୀ ଚାକିରୀରୁ ଆଣି ସକ୍ରିୟ ରାଜନୀତିରେ ପ୍ରବେଶ କରାଇଲେ ଏବଂ ୧୯୭୪ ମସିହାରେ ସାଧାରଣ ନିର୍ବାଚନରେ ମୁଁ ତାଙ୍କର ଉତ୍କଳ କଂଗ୍ରେସ ଦଳରୁ ଏରସମା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେଲି । କଂଗ୍ରେସ ଦଳ ପ୍ରାର୍ଥୀ ଦେଲାନାହିଁ ଏବଂ ସ୍ୱର୍ଗତ ଲୋକନାଥ ଚୌଧୁରୀ ହେଲେ କଂଗ୍ରେସ ଓ ସିପିଆଇ ଦଳର ମିଳିତ ପ୍ରାର୍ଥୀ । ରାଜନୀତିରେ ମୁଁ ସମ୍ପୂର୍ଣ୍ଣ ନୂତନ । ଏରସମା ବ୍ଲକକୁ ଛାଡ଼ିଦେଲେ କୁଜଙ୍ଗ ବ୍ଲକ୍ ଓ ପାରାଦୀପ ବନ୍ଦରରେ ମୋର କୌଣସି ଦଳୀୟ କର୍ମୀ ପରିଚିତ ନଥାନ୍ତି । ଯାହାହେଉ ବିଜୁଙ୍କ ପାଇଁ ନିର୍ବାଚନ ଲଢ଼ିଲି ଏବଂ ୨୭ ହଜାର ଭୋଟ ପାଇ ହାରିଗଲି । ଶ୍ରୀଲୋକନାଥ ଚୌଧୁରୀ କଂଗ୍ରେସ ଓ ସିପିଆଇର ମିଳିତ ପ୍ରାର୍ଥୀ ଭାବେ ଜୟଯୁକ୍ତ ହେଲେ । ତେବେ ମାତ୍ର ୨୪ ଦିନ ନିର୍ବାଚନ ପ୍ରଚାର କରି ମୁଁ ପାଇଲି ୨୭ ହଜାର ଭୋଟ । ନିର୍ବାଚନ ଫଳାଫଳ ଘୋଷଣା ହେବା ଦିନ ମୁଁ ଏରସମାରେ ଥିଲି । ୨୭ ହଜାର ଭୋଟ ପାଇଥିବା ଜାଣିଲା ପରେ ମନ ବିଷାଦ ହେବା ପରିବର୍ତ୍ତେ ଆଶାବାଦୀ ହୋଇପଡ଼ିଲା । ତେଣୁ ବିଶେଷ ବିଷାଦିତ ହେଲି ନାହିଁ । କିଛି ଘଣ୍ଟା ପରେ ଗାଁକୁ ଯିବାପାଇଁ ବାପା ଖବର ଦେଲେ ଏବଂ ମୁଁ ଗାଁକୁ ଗଲି । ମାତ୍ର ଘର ଭିତରକୁ ଯିବାପାଇଁ ଘର ପାହାଚ ଉପରକୁ ଗୋଡ଼ ନେବା କ୍ଷଣି କିଭଳି ଏକ ଅସ୍ୱାଭାବିକ ଭାବନା ହଠାତ୍ ମନକୁ ଆଚ୍ଛାଦିତ କରିଦେଲା । ଚରମ ହତାଶାବୋଧ ନେଇ ମନ ଭିତରଟା ବିଳାପ କରି ଉଠିଲା । ମୁଁ ଶୋଇବା କୋଠରୀକୁ ଯାଇ ତକିଆରେ ମୁହଁ ମାଡ଼ି କାନ୍ଦିବା ଆରମ୍ଭ କଲି । ଯେତେ ଚେଷ୍ଟା କଲେ ମଧ୍ୟ କୋହ ସମ୍ଭାଳି ପାରିଲି ନାହିଁ । ବୋଉ ଆସି ଯେତେ ବୁଝାଇଲା, ଛେନା ଓ କ୍ଷୀର ଗ୍ଲାସ୍ ଧରି ଖାଇବା ପାଇଁ ଯେତେ ବାଧ୍ୟକଲା, ଖାଇପାରିଲି ନାହିଁ, କୋହରେ ଭାଙ୍ଗି ପଡ଼ିଲି । କିଛି ସମୟ ପରେ ଆଖିକୁ ଛାଇ ନିଦ ଆସିଗଲା । ହଠାତ୍ ଅନୁଭବ କଲି, ମୋ ମୁଣ୍ଡ ଉପରେ କାହାର ହାତସ୍ପର୍ଶ । ମୁହଁ ଉଠାଇ ଚାହିଁଲାବେଳକୁ ବାପା ବସିଛନ୍ତି । ତାଙ୍କୁ ଦେଖିଲା କ୍ଷଣି ପୁଣି କାନ୍ଦ ଲାଗିଲା । ମୁଁ କାନ୍ଦିବାକୁ ଆରମ୍ଭ କଲି । ମତେ ସାନ୍ତ୍ୱନା ଦେଇ ବାପା କହିଲେ, ‘ ତୁ କାନ୍ଦୁଛୁ କାହିଁକି? କ’ଣ ହୋଇଛି? ନିର୍ବାଚନରେ ହାରିଯାଇଛୁ । ଏଥିରେ ବ୍ୟସ୍ତ ହେବାର କ’ଣ ଅଛି । ମୁଁ ମୂର୍ଖ ଲୋକ । ହାଡ଼ଭଙ୍ଗା ପରିଶ୍ରମ କରି ସମ୍ପତ୍ତି କମାଇଛି । ଚାଷ କରି ଚାରିଭାଇଙ୍କୁ ପାଠ ପଢ଼ାଉଛି । ଭଉଣୀକୁ ବାହାଦେଇଛି । ତୁ ପାଠ ପଢ଼ୁଥିଲୁ, ପଇସା ପଠେଇଛି । ତୁ କି ପାଠ ପଢ଼ୁଥିଲୁ ଜାଣେନା । ପଢ଼ି ସାରି ଚାକିରି କଲୁ । କି ଚାକିରି କଲୁ ଜାଣେନା । ତୁ କିନ୍ତୁ ମୋତେ ଦରମା ପଇସା ଦେବୁନାହିଁ । କେତେ ଲୋକ ଜାଣିଥିଲେ ତୁ ମୋ ପୁଅ ବୋଲି? ବିଜୁବାବୁ ସାମନ୍ତ ମହାଶୟଙ୍କୁ ଟିକେଟ୍ ନଦେଇ ତତେ ଟିକେଟ ଦେଲେ । ତୁ ନିର୍ବାଚନ ଲଢ଼ିଲୁ । ଅଳ୍ପ ଭୋଟରେ ହାରିଲୁ । କିନ୍ତୁ ଆଜି ଲକ୍ଷ ଲକ୍ଷ ଲୋକ ଜାଣିଲେ ତୁ ମୋ ପୁଅ । ମୋ ପାଇଁ ସେଇଆ ଯଥେଷ୍ଟ । ତୁ ବ୍ୟସ୍ତ ହଅନା । ତୁ ନିର୍ବାଚନ ଲଢ଼ିବୁ ଓ ପ୍ରତିଥର ଗୋଟିଏ ଧାନଗଦା ବିକି ତତେ ମୁଁ ପଇସା ଦେବି । ଆସନ୍ତା ନିର୍ବାଚନରେ ତୁ ନିଶ୍ଚୟ ଜିତିବୁ । ତେବେ ମୋର ଗୋଟିଏ କଥା ମନେ ରଖିବୁ । ଦୁର୍ନୀତି କରିବୁନି । ବିଜୁବାବୁଙ୍କୁ ଛାଡ଼ିବୁନି । ତୁ ଯାଇ ବିଜୁବାବୁଙ୍କୁ ଦେଖା କର । ସେ ତତେ ସାହାଯ୍ୟ କରିବେ । ବାଟ ଦେଖାଇବେ ।

ପ୍ରାୟ ୧୫ ଦିନ ଗଲାପରେ ଭୁବନେଶ୍ୱର ଆସିଲି । ଫରେଷ୍ଟ ପାର୍କସ୍ଥିତ ଦଳ କାର୍ଯ୍ୟାଳୟରେ ଯାଇ ବିଜୁବାବୁଙ୍କୁ ସାକ୍ଷାତ କଲି । ମନ ଭିତରେ ଅନେକ ଭାବନା ଏବଂ ହତାଶାବୋଧ । ସରକାରୀ ଚାକିରୀର ନିରାପଦ ଜୀବନ ଛାଡ଼ି ନିର୍ବାଚନ ଲଢ଼ି ହାରିଗଲି । ଚଳିବି କେମିତି? ବଡ଼ ଝିଅକୁ ୫ବର୍ଷ । ସାନପୁଅକୁ ୪ମାସ । ତା’ଭିତରେ ପୁଣି ଜାଆାଁଳା ହୋଇ ଜନ୍ମ ହୋଇଥିବା ପୁଅଟିଏ  ଝିଅଟିଏ । ଆଜି ବାପା ବୋଉ ଅଛନ୍ତି । ଚଳିଯିବି । ମାତ୍ର ସେମାନଙ୍କ ପରେ କଅଣ ହେବ । ଆମେ ଚାରିଭାଇ । ଚଳିବୁ କେମିତି? କରିବି କ’ଣ? ପିଲା ପାଠ ପଢ଼ି ମଣିଷ ହେବେ କେମିତି? ଏହି କଥା ଭାବି ଭାବି ମନ ଭିତରେ ଚରମ ହତାଶବୋଧ ଲହଡ଼ି ମାରୁଥାଏ । ତଥାପି ବିଜୁବାବୁ କିଛି ପରିମାଣରେ ସହାୟ ହେବେ ବୋଲି ବିଷାଦ ଭିତରେ ଆଶା ମଧ୍ୟ କଅଁଳୁଥାଏ । ପରଦା ଆଡ଼େଇ ଚାହିଁଲି । ବିଜୁବାବୁ ଧ୍ୟାନସ୍ଥ ହୋଇ ଏକା ବସିଥାନ୍ତି । ମୁଣ୍ଡ ଟେକି ଚାହିଁଲେ । ମୁଁ ନମସ୍କାର କଲି । ସେ କିଛି କହିଲେ ନାହିଁ । ପୁଣି ମୁଣ୍ଡ ପୋତି ଭାବାଚ୍ଛନ୍ନରେ ରହିଲେ । ମୁଁ ସନ୍ତର୍ପଣରେ ତାଙ୍କ ସାମ୍ନାରେ ଚେୟାରରେ ନ ବସି ତୃତୀୟ ଧାରେ ବସିଲି । କିଛି ସମୟ ପରେ ବିଜୁବାବୁ ମୁଣ୍ଡ ଟେକି ଚାହିଁଲେ, କହିଲେ ମୁହଁ କ’ଣ ପାଇଁ ଶୁଖେଇଛୁ? କ’ଣ ହାରିଗଲୁ ବୋଲି । ଚାକିରି କରି ଟଙ୍କା ପାଉଥିଲୁ । ତାହା ହବନି ବୋଲି । ମୁଁ ଚୁପ୍ ଚାପ୍ ବସିଥାଏ । କିଛି ସମୟ ପରେ ସ୍ୱଗତୋକ୍ତି କଲାଭଳି କହିଲେ ମୋର ମଧ୍ୟ ଏକ ଶିଳ୍ପ ସାମ୍ରାଜ୍ୟ ଥିଲା । ଓଟିଏମ୍. କଳିଙ୍ଗ ଟ୍ୟୁବ୍ସ, ଓଡ଼ିଶା ଇଣ୍ଡଷ୍ଟ୍ରିଜ୍, କଳିଙ୍ଗ ଆଇରନ୍ ୱାର୍କସ, କଳିଙ୍ଗ ଏୟାରଲାଇନ୍ସ । ହଜାର ହଜାର କୋଟି ମୁଁ କାରବାର କରିଛି । ଏମିତି ଦିନ ଆସିଲା, ମନରେ ଏକ ପ୍ରଶ୍ନ ଉଠିଲା । ମୁଁ ନିଜକୁ ନିଜେ ପଚାରିଲି କ’ଣ ଏ କୋଟିପତିରୁ ମିଳିବ? ମୁଁ କୋଟି କୋଟି ଟଙ୍କା ରୋଜଗାର କରିବି । ଉଡ଼ାଜାହାଜରେ ବୁଲିବି । ଷ୍ଟାର ହୋଟେଲ୍‌ରେ ରହିବି । ମଉଜ ମଜଲିସ କରିବି । କିନ୍ତୁ ମୁଁ ଯେଉଁ ମାଟିରେ ଜନ୍ମ ହୋଇଛି, ସେହି ଜନ୍ମମାଟିରେ ଦଶମାସ ଦଶଦିନ ଗର୍ଭ ଧରି ମା ପିଲା ଜନ୍ମ କରୁଛନ୍ତି । ଦାରିଦ୍ର୍ୟ ସହିନପାରି ବାପା ମା’ ସେ କୋଳର ପିଲାକୁ ବିକ୍ରି କରି ଦେଉଛନ୍ତି । ଅନାହାରରେ ଶହ ଶହ ଲୋକ ମରୁଛନ୍ତି । ଦାରିଦ୍ର୍ୟ ନିପୀଡ଼ିତ ହୋଇ ଅସ୍ଥିକଙ୍କାଳସାର ମଣିଷ ଆତଯାତ ହେଉଛନ୍ତି । ରୋଗ ଚିକିତ୍ସା କରିବାକୁ ଡାକ୍ତରଖାନା ନାହିଁ । ପାଠ ପଢ଼ିବାକୁ ସ୍କୁଲ ନାହିଁ । ଚାଲିବାକୁ ରାସ୍ତା ନାହିଁ । ନଈରେ ପାଣି ଭର୍ତ୍ତି ହୋଇ ରହିଛି । ଚାଷ ଜମିରେ ମରୁଡ଼ି । ଚାରିଆଡ଼େ ହାହାକାର । ତେବେ ମୋ ଜନ୍ମମାଟିର ଅବସ୍ଥା ଯଦି ଏହିପରି ତେବେ ମୁଁ କୋଟିପତି ହୋଇ ଅୟସ କଲେ କ’ଣ ହେବ । ଭାବିଲି ଖାଇପିଇ ଭଲରେ ରହିବି । ମୋ ମାଟି ମା କୋଳରେ ଯେଉଁ କୋଟି କୋଟି ଲୋକ ଆତଯାତ ହେଉଛନ୍ତି ବ୍ୟାଧି, କ୍ଷୁଧା ଓ ନିରକ୍ଷରତା ଚାରିଆଡ଼େ ଭରି ରହିଛି, ତାକୁ ଅନ୍ତତଃ ଦୂର କରିବା ପାଇଁ ଚେଷ୍ଟା କରିବି । ମନରେ ଏହି ସିଦ୍ଧାନ୍ତକୁ ନେଇ ସବୁ ଛାଡ଼ିଦେଲି । କିନ୍ତୁ ମୋର ଗଭୀର ଆତ୍ମସନ୍ତୋଷ ମୁଁ ଓଡ଼ିଶା ପାଇଁ ଓଡ଼ିଆଙ୍କ ପାଇଁ ଦିନରାତି ଚିନ୍ତା କରୁଛି ଏବଂ ମୋର ସାମର୍ଥ୍ୟ ଭିତରେ କାର୍ଯ୍ୟ କରୁଛି। କ’ଣ କରୁଛି ତାହା ଜାଣେ ନାହିଁ । ସେହିପରି ତୁ ଚାକିରି କରିଥିଲୁ । ମାସ ଶେଷରେ ଦରମା ପାଉଥିଲୁ । ତୁ ନିଜ ପରିବାରକୁ ଚଳାଉଥିଲୁ । ଏବେ ସାଧାରଣ ଜୀବନକୁ ଆସିଲୁ । ହାରି ଯାଇଛୁ । ଭାଙ୍ଗି ପଡ଼ୁଛୁ କାହିଁକି?

ମୁଁ ପରା ପାଞ୍ଚ ପାଞ୍ଚଟା ଜାଗାରୁ ୧୯୭୧ ମସିହା ନିର୍ବାଚନରେ ହାରି ଯାଇଥିଲି । ମୁଁ କ’ଣ ପଳେଇଯାଇଛି। ତୁ ପଳାୟନପନ୍ଥୀ ହେବାକୁ ଭାବୁଛୁ କାହିଁକି । ମତେ ସୁକର୍ଣ୍ଣ କହିଛି ‘ନିର୍ବାଚନ ରାଜନୀତିରେ ଜୟ ପରାଜୟର ଅର୍ଥ କିଛି ନାହିଁ । ଏହା ଏକ ପ୍ରକ୍ରିୟା ମାତ୍ର । ତୁ ଲୋକଙ୍କ ସାଂଗରେ ରହ । ଲୋକଙ୍କ ସମସ୍ୟାରେ ସାମିଲ ହୁଅ । ଲୋକେ ତୋର ଯତ୍ନ ନେବେ । ପାରଦ୍ୱୀପ ବନ୍ଦର ଶୁଭ ଦେବା ବେଳେ ମୁଁ ଅନେକ ସ୍ୱପ୍ନ ଦେଖିଥିଲି । କିନ୍ତୁ ଆଜି ହେଉଛି କ’ଣ? ସଂକୀର୍ଣ୍ଣମନା ରାଜନୀତିର ନେତାମାନେ ଅପବାଦ ରଚନା କଲେ । ଅଠରବାଙ୍କି ପୋଲ ଫାଟି ଗଲାଣି । ପାରାଦୀପ ବନ୍ଦର ଶୁଭ ଦେବା ବେଳେ ମୁଁ ଅନେକ ସ୍ୱପ୍ନ ଦେଖିଥିଲି । କିନ୍ତୁ ଆଜି ହେଉଛି କ’ଣ? ସଂକୀର୍ଣ୍ଣମନା ରାଜନୀତିର ନେତାମାନେ ଅପବାଦ ରଚନା କଲେ । ଅଠରବାଙ୍କି ରାଜନୀତିରେ ନେତାମାନେ ଅପବାଦ ରଚନା କଲେ । ଅଠରବାଙ୍କି ପୋଲ ଫାଟି ଗଲାଣି । ପାରାଦୀପରୁ ପଥର ଭାସି ଯାଇ ହଳଦିଆରେ ଲାଗିଲାଣି । ବିଜୁ ପଟ୍ଟନାୟକ କୋଟି କୋଟି ଖାଇଗଲେଣି । ତିନି ତୁଣ୍ଡରେ ଛେଳି କୁକୁର ଭଳି ଲୋକ ବି ବିଶ୍ୱାସ କଲେ । ସେହି କାରଣରୁ ବିଗତ ଦଶବର୍ଷ ମୁଁ ଓଡ଼ିଶା ରାଜନୀତିରୁ ଅଲଗା ଥିଲି । ଏବେ ଇଣ୍ଡୋନେସିଆ ମୋତେ ସେ ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଛି । ସେତେବେଳେ ପାରାଦୀପରେ ମୋତେ ଏକ ନାଗରିକ ସମ୍ବର୍ନ୍ଧନା ଦେବାପାଇଁ କିଛି ଯୁବକ ଆୟୋଜନ କଲେ । ମତେ ଯିବା ପାଇଁ ଆମନ୍ତ୍ରଣ କଲେ । ମୁଁ ସ୍ତ୍ରୀଙ୍କ ସହିତ ଯାଇଥିଲି । ଏବେ ବି ପାରାଦୀପ ଏକ ଛୋଟିଆ ଜାଗା । ଲୋକ ସଂଖ୍ୟା ୭ରୁ ୮ ହଜାର ହେବ । କିନ୍ତୁ ମୋ ସଭାରେ ଥିଲେ ୨୦ରୁ ୨୫ହଜାର ଲୋକ । ସେ ଲୋକ କେଉଁଠୁ ଆସିଲେ? ଆଖପାଖ ଅଞ୍ଚଳରୁ ହଜାର ହଜାର ଲୋକ ମତେ ଦେଖିବା ପାଇଁ, ଶୁଣିବା ପାଇଁ ପହଂଚିଲେ । ମୁଁ ଅନୁଭବ କଲି ଲୋକେ ମୋତେ ଭଲ ପାଆନ୍ତି । ଏହି ସଂକୀର୍ଣ୍ଣମନା ରାଜନେତାମାନେ ନିଜର ସ୍ୱାର୍ଥ ହାସଲ ପାଇଁ ମୋର କୁତ୍ସାରଟନା କରୁଛନ୍ତି । ଶ୍ରମିକ ଅଶାନ୍ତି ନାଁରେ ପାରଦୀପ ବନ୍ଦରର ପଣ୍ୟ କାରବାର ମାସରେ ୧୮ରୁ ୨୨ ଦିନ ବନ୍ଦ ହୋଇଯାଇଛି । ତୁ ଏବେ ପାରଦୀପର ଯତ୍ନ ନେ ।

ମୁଁ ନୀରବରେ ବସି ସବୁ ଶୁଣୁଥାଏ । କେଇ ମିନିଟ୍ ଛାଡ଼ି ସେ ମୋତେ ପ୍ରଶ୍ନ କଲେ ଆରେ କୋଣାର୍କ ମନ୍ଦିର କିଏ କରିଥିଲା? ମୁଁ ଡ଼ରି  ଡରି ଉତ୍ତର ଦଲେି ଲାଙ୍ଗୁଳା ନରସିଂହ ଦେବ । ପୁଣି ପଚାରିଲେ ତାଙ୍କ ମନ୍ତ୍ରୀ କିଏ ଥିଲେ? ମୁଁ ଉତ୍ତର ଦେଲି ଶିବେଇ ସାନ୍ତରା । କେତେ ଟଙ୍କା ଖର୍ଚ୍ଚ ହୋଇଥିଲା, ପୁଣି ଥିଲା ପ୍ରଶ୍ନ । ମୁଁ କହିଲି ସାର ମୁଁ ଜାଣେ ନାହିଁ । କିନ୍ତୁ ତୃତୀୟ ଶ୍ରେଣୀ ବହିରେ ପଢ଼ିଥିଲି ୧୨ ବର୍ଷର ରାଜସ୍ୱ ଖର୍ଚ୍ଚ ହୋଇଥିଲା । ସେ କହିଲେ ହଁ ୧ କୋଟିରୁ ୨ କୋଟି ହୋଇଥିବ । ସେ ପୁଣି ପଚାରିଲେ ଲୋକେ କହିନଥିବେ ଶିବେଇ ସାନ୍ତରା ପଇସା ଖାଇଗଲା? ମୁଁ ନୀରବ ରହିଲି । କହିଲେ ଆରେ ସେତେବେଳେ ରାଜତନ୍ତ୍ର ଥିଲା । ଲୋକେ ଘର ଭିତରେ କଥା ହୋଇଥିବେ । ଏବେ ଜନତନ୍ତ୍ର । ଲୋକେ ରାସ୍ତାରେ କଥା ହେଉଛନ୍ତି । ପାରାଦୀପ ଅଛି ନା ନାହିଁ? ମୁଁ କହିଲି ଅଛି । ପାରାଦୀପ ବଢ଼ୁଛି ନା ନାହିଁ? ମୁଁ କହିଲି ବଢ଼ୁଛି । ମୁଁ ବାରକୋଟି ଟଙ୍କା ଋଣ କରି ବନ୍ଦର ତିଆରି କଲି, ଋଣ ଶୁଝି ନପାରିଲେ କିଏ ବନ୍ଦରକୁ ତାଡ଼ିକି ନେଇଯିବ? ମନେ ରଖ ତୋର ବିବେକ ଯଦି ସିଦ୍ଧ ଏବଂ ସ୍ୱଚ୍ଛ, କୁତ୍ସା ବା ସମାଲୋଚନାକୁ କେବେ ଖାତିର କରିବୁ  ନାହିଁ ।

ତା’ପରେ ମତେ କହିଥିଲେ ୧. ସମ୍ପତ୍ତି ଆହରଣ କରିବା ସାଧାରଣ ମଣିଷର ପ୍ରବୃତ୍ତି । ସେ ପ୍ରବୃତ୍ତିରୁ ଯେ ନିଜକୁ ବଂଚାଇ ରଖିବ ସେ ହେବ ଲୋକପ୍ରତିନିଧି ।

୨.ପ୍ରୀତିରେ ହୁଏ ରାଜନୀତି, ପଇସା ବଢ଼ାଏ ସମ୍ପତ୍ତି । ପଇସା ହେଲେ ହେବ ଦୁର୍ନୀତି । ଦୁର୍ନୀତି । ଶେଷରେ ଆରମ୍ଭ।

୩. In developmental administration you are bound to commit certain amount of irregularities. If the irregularities committed for public purposes, nobody will touch you. But slightest irregularities committed for personal gain, nobody will spare you.

୪. ଓଡ଼ିଆ ଜାତିର ସ୍ୱାଭିମାନ, ଓଡ଼ିଶାର ସ୍ୱାର୍ଥ । ଓଡ଼ିଶାର ପାଇଁ ତତେ ଜୀବ କରି ସଂଗ୍ରାମ କରିବାକୁ ପଡ଼ିବ । ଆଜି ଓଡ଼ିଶା ଧନୀ ରାଜ୍ୟ ମାତ୍ର ଓଡ଼ିଶାର ଲୋକ ଗରିବ । ଗରିବ ହୋଇ ଜନ୍ମ ହେବା ଅପରାଧ ନୁହେଁ ମାତ୍ର ଗରିବ ହୋଇ ବଂଚିବା ଏକ ଅପରାଧ ।

ତୁ ଜାଣିଛୁ ଏବେ ମୋ କଥା କେହି ଶୁଣୁ ନାହାନ୍ତି । କିନ୍ତୁ ମଲା ପରେ ଜୀବନରେ ଲୋକେ ଅନୁତାପ କରିବେ । ମତେ ମନେ ପକାଇବେ ।

ତାଙ୍କର ଏହି କଥାକୁ ନେଇ ଗତ ୪୦ ବର୍ଷ ହେଲା, ମୁଁ ସାଧାରଣ ଜୀବନରେ ରହି ଆସିଛି । ତାଙ୍କ କଥାକୁ ଶିରୋଧାର୍ଯ୍ୟ କରି ପାଦେ ପାଦେ ଆଗେଇବାକୁ ଚେଷ୍ଟା କରିଛି । ଅନେକ ଉତ୍‌ଥାନ ପତନ ଦେଇ ଆଜିର ପରିଣତ ବୟସରେ ମନେମନେ ତାଙ୍କର ସ୍ମୃତିଚାରଣ କରୁଛି । ତାଙ୍କର ଶୁଭ ଜନ୍ମ ଶତବାର୍ଷିକୀ ଦିବସରେ ତାଙ୍କର ଆଶୀର୍ବାଦ ହିଁ କାମନା କରୁଛି ।

(ଲେଖକ ଜଣେ ବରିଷ୍ଠ ରାଜନୀତିଜ୍ଞ, ବର୍ତ୍ତମାନ ଓଡିଶା ସରକାରଙ୍କ ସମବାୟ ଓ ଅବକାରୀ ମନ୍ତ୍ରୀ)

ଫରେଷ୍ଟ ପାର୍କ, ଭୁବନେଶ୍ୱର

 

Leave a Reply

*