Blog

ତୁମେ ବଡ଼ ମଣିଷ ହେବ

ପ୍ରକୃତରେ ବିଜୁବାବୁଙ୍କ ସାହସର ପଟାନ୍ତର ନାହିଁ । ଭାରତର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଘନିଷ୍ଠ ବନ୍ଧୁ ତଥା ଡଚ୍ ଶାସନାଧୀନ  ଇଣ୍ଡୋନେସିଆ ରାଜପରିବାରର ସଦସ୍ୟ ବିଦ୍ରୋହୀ ନେତା ସୁକର୍ଣ୍ଣଙ୍କୁ ଡଚ୍ ସୈନ୍ୟମାନଙ୍କ ଆଖିରେ ଧୂଳି ଦେଇ ବାୟୁସେନା ଯୁଦ୍ଧ ବିମାନରେ ସେଠାରୁ ଉଦ୍ଧାର କରିବା ହେଉ  ବା ନୈନୀ ଜେଲ୍‌ରୁ ସମାଜବାଦୀ ନେତାମାନଙ୍କୁ ଉଦ୍ଧାର କରିବା ହେଉ ସବୁଥିରେ ବିଜୁବାବୁଙ୍କ ସାହସ ଥିଲା ଅନନ୍ୟ ।

ଭବାନୀ ଚରଣ ପଟ୍ଟନାୟକ

୧୯୨୬-୨୭ ମସିହା କଥା । ବ୍ରାହ୍ମଣୀ ନଦୀର ପ୍ରଳୟଙ୍କରୀ ବନ୍ୟାରେ କନିକା ଅଞ୍ଚଳ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥାଏ। ବନ୍ୟା ଜଳରେ ବହୁ ଘରଦ୍ୱାର ଭାସି ଯାଇଥାଏ । ଲୋକମାନେ ଘରଦ୍ୱାର ଛାଡ଼ି ଉଚ୍ଚ ସ୍ଥାନକୁ  ଉଠିଯାଇଥାନ୍ତି । ଖାଇବାକୁ ନପାଇ ହାହାକାର କରୁଥାନ୍ତି । ଏତିକି ବେଳେ ପଣ୍ଡିତ ଗୋପବନ୍ଧୁ ଦାସ ବନ୍ୟାପୀଡିତମାନଙ୍କୁ ସାହାଯ୍ୟ କରିବାକୁ ଗୋଟିଏ ଡଙ୍ଗାରେ ବସି ବ୍ରାହ୍ମଣୀ ନଦୀ ପାର ହୋଉଥାନ୍ତି । ସେତେବେଳେ ବ୍ରାହ୍ମଣୀ ନଦୀରେ ବହୁ ସଂଖ୍ୟାରେ କୁମ୍ଭୀର ବାସ କରୁଥାନ୍ତି । ନଦୀ ପାର ହେବା ବେଳେ ହଠାତ୍ ଗୋପବନ୍ଧୁଙ୍କ ଛତାଟି ପବନରେ ଉଡ଼ିଯାଇ ନଦୀ ସ୍ରୋତରେ ପଡ଼ିଗଲା । ସମସ୍ତେ ଭାସିଗଲା ଭାସିଗଲା କହିଲା ବେଳେ  ସେହି ଡଙ୍ଗାରେ ବସିଥିବା ବାର ବର୍ଷର ପିଲାଟାଏ ହଠାତ୍ ପାଣିକୁ ଡେଇଁ ପଡ଼ିଲା । ପହଁରି ପହଁରି ଖଣ୍ଡେ ବାଟରୁ ଛତାଟାକୁ ଧରି ଆଣି ଗୋପବନ୍ଧୁଙ୍କ ହାତରେ ଦେଇଦେଲା । ଏହା ଦେଖି ସମସ୍ତେ ଅବାକ୍ ହୋଇଗଲେ । ଏମିତି ଦୁଃସାହସ  କାହିଁକି କଲୁ ବୋଲି ପିଲାଟା ଉପରେ ବର୍ଷିବାକୁ ଲାଗିଲେ । ପିଲାଟି କିନ୍ତୁ ନିର୍ଭୀକ ଭାବରେ ଉତ୍ତର ଦେଲା – ଯଦି ଛତାଟି ବଦଳରେ ଆମ ଭିତରୁ କିଏ ପଡ଼ିଯାଇଥାନ୍ତା ତେବେ ତାକୁ କିଏ ଉଦ୍ଧାର କରିଥାନ୍ତା ? ପିଲାଟିର ଏହି ଉତ୍ତରରେ ଗୋପବନ୍ଧୁ ନିର୍ବାକ୍ ହୋଇଗଲେ  । ପଚାରିଲେ ତୁ କିଏ ବାପ ? ପିଲାଟି ଉତ୍ତର ଦେଲା – ମୁଁ ଲକ୍ଷ୍ମୀକାନ୍ତ ପଟ୍ଟନାୟଙ୍କ ପୁଅ ବିଜୟାନନ୍ଦ ପଟ୍ଟନାୟକ । ବାପା ମୋତେ ବିଜୁ ବୋଲି ଡାକନ୍ତି । ତତ୍‌କ୍ଷଣାତ୍ ଗୋପବନ୍ଧୁଙ୍କ ଆଶୀର୍ବାଦର ହସ୍ତ ପ୍ରସାରିତ ହୋଇ ଆସିଲା ବାଳକଟିର ମସ୍ତକ ଉପରକୁ ଗୋପବନ୍ଧୁ କହିଲେ ତୁ ଜଣେ ବଡ଼ ମଣିଷ ହେବୁ ଆମ ଜାତିର ନାଁ ରଖିବୁ ।

ପ୍ରକୃତରେ ବିଜୁବାବୁଙ୍କ ସାହସର ପଟାନ୍ତର ନାହିଁ । ଭାରତର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଘନିଷ୍ଠ ବନ୍ଧୁ ତଥା ଡଚ୍ ଶାସନାଧୀନ  ଇଣ୍ଡୋନେସିଆ ରାଜପରିବାରର ସଦସ୍ୟ ବିଦ୍ରୋହୀ ନେତା ସୁକର୍ଣ୍ଣଙ୍କୁ ଡଚ୍ ସୈନ୍ୟମାନଙ୍କ ଆଖିରେ ଧୂଳି ଦେଇ ବାୟୁସେନା ଯୁଦ୍ଧ ବିମାନରେ ସେଠାରୁ ଉଦ୍ଧାର କରିବା ହେଉ  ବା ନୈନୀ ଜେଲ୍‌ରୁ ସମାଜବାଦୀ ନେତାମାନଙ୍କୁ ଉଦ୍ଧାର କରିବା ହେଉ ସବୁଥିରେ ବିଜୁବାବୁଙ୍କ ସାହସ ଥିଲା ଅନନ୍ୟ ।

୧୯୪୫ ମସିହା ଜୁନ୍ ମାସରେ ମୁଁ  ରାଜନୈତିକ ବନ୍ଦୀ ଭାବରେ ପୁରୀ ଜେଲରୁ କଟକ ଜେଲକୁ ସ୍ଥାନାନ୍ତର ହୋଇଥାଏ । ପ୍ରାୟ ଅଗଷ୍ଟ ମାସ ବେଳକୁ ବିଜୁବାବୁ କଟକ ଜେଲ୍‌କୁ ଆସିଗଲେ । ତାଙ୍କ ବୀରତ୍ୱର ଗାଥା ଆମେ ନବବାବୁଙ୍କ ପାଖରୁ ଶୁଣିଥିଲୁ   । ଏବେ ତାଙ୍କୁ ଦେଖିବାର ସୁଯୋଗ ପାଇଲୁ । ଖୁବ୍ କମ୍ ସମୟ ଭିତରେ ସେ ଆମ ସହିତ ମିଶିଗଲେ । ପ୍ରତିଦିନ ଆମେ ଜେଲ ପରିସରରେ ପଦ୍ମଚରଣ ସାମନ୍ତ ସିଂହାର, ଗୌରୀଶ୍ୟାମ ନାୟକ, ନିଶାମଣି ଖୁଣ୍ଟିଆ, ମନମୋହନ ଚୌଧୂରୀ, ନବକୃଷ୍ଣ ଚୌଧୂରୀ, ବିଜୁବାବୁ ଓ ମୁଁ ସାଙ୍ଗହୋଇ ଭଲି ଖେଳୁଥିଲୁ ।  ବିଜୁବାବୁ ସବୁବେଳେ ଆମକୁ ଖେଳ ପାଇଁ ଉତ୍ସାହ ପ୍ରଦାନ କରୁଥିଲେ ।  ୧୯୪୫ ଶେଷ ଆଡ଼କୁ ବିଜୁବାବୁ ଜେଲ୍‌ରୁ ମୁକ୍ତ ହୋଇ ଓଡ଼ିଶାକୁ ଏକ ଶିଳ୍ପସମୃଦ୍ଧ ରାଜ୍ୟ ଭାବେ ଗଢ଼ିତୋଳିବାକୁ ସ୍ୱପ୍ନ ଦେଖିବା ଆରମ୍ଭ କଲେ । ଯୁବ ସ୍ୱାଧୀନତା ସଂଗ୍ରାମୀମାନେ ବିଶେଷଭାବେ ଯେଉଁମାନେ ସ୍କୁଲ, କଲେଜ ଛାଡ଼ି ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ, ସେମାନଙ୍କୁ କିପରି ଶିଳ୍ପାୟନ ମାଧ୍ୟମରେ ଥଇଥାନ କରାଯାଇପାରିବ, ଓଡ଼ିଶାରେ ଭିତ୍ତିଭୂମିର ବିକାଶ ହେଲେ କିପରି ଗରିବ ଲୋକମାନେ ଏହାର ଲାଭ ଉଠାଇ ପାରିବେ ଏହା ଥିଲା ତାଙ୍କର ପରିକଳ୍ପନା । ଅନ୍ୟ ରାଜନୈତିକ ନେତାମାନେ ନିଜର ରାଜନୈତିକ ସ୍ଥିତି ବିଷୟରେ ଭାବୁଥିବା ସମୟରେ ବିଜୁବାବୁ ଥିଲେ ଜଣେ ମାତ୍ର ବ୍ୟକ୍ତି ଯିଏ କି, କେବଳ ଏକ ସମୃଦ୍ଧ ଓଡ଼ିଶାର ସ୍ୱପ୍ନ ଦେଖୁଥିଲେ । ଓଡ଼ିଶା ଟେକ୍ସ୍‌ଟାଇଲ୍‍ ମିଲ, କଳିଙ୍ଗ ଟ୍ୟୁବ୍ସ, କଳିଙ୍ଗ ଏୟାରଲାଇନ୍ସ, ପାରାଦ୍ୱୀପ ବନ୍ଦର ଏମିତି ବହୁତ ଶିଳ୍ପାନୁଷ୍ଠାନ ଓ ଭିତ୍ତିଭୂମିର ବିକାଶ ଥିଲା ବିଜୁବାବୁଙ୍କ ଅଧ୍ୟବସାୟର ଫଳ ।

ରାଜନୈତିକ ପୃଷ୍ଠଭୂମିରେ ବହୁ ବର୍ଷ ଧରି ଆମେ ଏକାଠି କାର୍ଯ୍ୟ କରିଛୁ । ସେହି ସମୟରେ ତାଙ୍କର ପ୍ରବଳ ଇଚ୍ଛାଶକ୍ତି, ଅତୀବ ସାହସ ଓ ନିଷ୍କପଟ ହୃଦୟ ତଥା ଏକ ଖୋଲାମନର ପରିଚୟ ମୁଁ ପାଇଛି । ରାଜନୈତିକ ପରିସରଠାରୁ ଦୂରରେ ମଧ୍ୟ ସେ ମୋ ସହିତ ବହୁ ଅନ୍ତରଙ୍ଗ ମୂହୁର୍ତ୍ତ କଟାଇଛନ୍ତି ଏବଂ ମୋ ସହିତ ପରାମର୍ଶ କରିଛନ୍ତି ।  ବାସ୍ତବିକତାରେ ଆମେ ଦୁଇଜଣ ଥିଲୁ ପରସ୍ପରର ଅନ୍ତରଙ୍ଗ ବନ୍ଧୁ ଓ ପ୍ରଶଂସକ  । ୧୯୬୧ ମସିହା ଶେଷ ଭାଗରେ ବିଜୁବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ  ଥିବାବେଳେ ନିଜର ଗୋଟିଏ ନ୍ୟୁରୋ ଅପରେସନ୍ କରାଇବା ପାଇଁ ସେ ଚାହିଁଲେ ।  ତାମିଲ୍‌ନାଡୁର ମାଡ୍ରାସ ସହରର ଏକ ହସ୍ପିଟାଲରେ ତାଙ୍କର ଅପରେସନ୍ ହେବା ପାଇଁ ଯୋଜନା ପ୍ରସ୍ତୁତି ହେଲା । ବିଜୁବାବୁ ସଙ୍ଗେ ସଙ୍ଗେ  ମୋତେ ଡାକି ହସ୍ପିଟାଲ  ଯିବା ପାଇଁ  ଯୋଜନା କରିବାକୁ କହିଲେ । ବିଜୁବାବୁ,  ତାଙ୍କ ଧର୍ମପତ୍ନୀ ଜ୍ଞାନଦେବୀ ଓ ମୁଁ  ଆମେ ତିନିଜଣ ମିଶି ମାଡ୍ରାସ ଯାତ୍ରା ଆରମ୍ଭ କଲୁ । ବିଜୁବାବୁ ସମସ୍ତଙ୍କୁ କହିଲେ ଆମେ ରାମ (ବିଜୁବାବୁ) ଲକ୍ଷ୍ମଣ (ମୁଁ) ଓ ସୀତା (ଜ୍ଞାନଦେବୀ) ବନବାସ ଯାଉଛୁ ।  ମାଡ୍ରାସରେ ଅସ୍ତ୍ରୋପଚାର ହେଲା । ମୁଁ ଓ ଜ୍ଞାନଦେବୀ ହସ୍ପିଟାଲରେ ପ୍ରାୟ ୧୨ ଦିନ କାଳ ତାଙ୍କ ପାଖେ ପାଖେ ରହି ତାଙ୍କର ସେବା କଲୁ  । ସେତେବେଳେ କାମରାଜଜୀ ତାମିଲ୍‌ନାଡୁର ମୁଖ୍ୟମନ୍ତ୍ରୀ ଥାନ୍ତି । ସେ ବାରମ୍ବାର ଆସି ବିଜୁବାବୁଙ୍କୁ ହସ୍ପିଟାଲରେ ସାକ୍ଷାତ କରୁଥାନ୍ତି ଓ ଭଲମନ୍ଦ ବୁଝି ଯାଉଥାନ୍ତି । ଅପରେସନ୍ ପରେ କିଛି ଦିନ ବିଶ୍ରାମ କରିବା ପାଇଁ ଯୋଜନା ହେଲା। କାଶ୍ମୀର ଯାଇ ସେଠାରେ ବିଶ୍ରାମ ନେବାକୁ ବିଜୁବାବୁ ଚାହିଁଲେ । ମୋତେ ସାଙ୍ଗରେ ଧରି ବିଜୁବାବୁ କାଶ୍ମୀର ଯାତ୍ରା ଆରମ୍ଭ କଲେ । ସେତେବେଳେ କାଶ୍ମୀରର ମୁଖ୍ୟମନ୍ତ୍ରୀ ଥା’ନ୍ତି ଗୁଲାମ ମହମ୍ମଦ । ବିଜୁବାବୁ, ଜ୍ଞାନଦେବୀ ଓ ମୁଁ କାଶ୍ମୀରର ଚସ୍ମାସା ଗେଷ୍ଟ୍ ହାଉସ୍‌ରେ ପ୍ରାୟ ଆଠ ଦିନ ଅବସ୍ଥାନ କଲୁ । ଏଠାରେ ସେ ବିଶ୍ରାମ କରିବା ପାଇଁ ଯାଇଥିଲେ ମଧ୍ୟ ଉଦ୍ଦେଶ୍ୟ ଥିଲା ଓଡିଶାର ରାଜନୈତିକ ଭିତ୍ତିଭୂମି ଓ ଅବସ୍ଥା ବିଷୟରେ ମୋ ସହିତ ଏକାନ୍ତରେ ଆଲୋଚନା କରିବେ । ଏହି ଆଲୋଚନା ସମୟରେ ସେ ତାଙ୍କର ଯେଉଁ ବିକଶିତ ଓଡ଼ିଶାର ସ୍ୱପ୍ନ ମୋ ଆଗରେ ଉପସ୍ଥାପନ କରିଥିଲେ ତାହା ଥିଲା ଅନନ୍ୟ । ଦୀର୍ଘ ୨୦ ଦିନର ବନବାସ ପରେ ଆମେ ଓଡିଶା ପ୍ରତ୍ୟାବର୍ତ୍ତନ କଲୁ ।

ବିଜୁବାବୁ ଥିଲେ ଜଣେ ଦୂରଦର୍ଶୀ, ବିଜ୍ଞାନ ଓ କାରିଗରୀ ବିଦ୍ୟାର ମହାନ ପ୍ରବକ୍ତା । ଓଡିଶାରେ ବିଜ୍ଞାନର ପ୍ରସାର ହେଲେ ଏବଂ ବିଜ୍ଞାନକୁ ଲୋକପ୍ରିୟ କରିପାରିଲେ ରାଜ୍ୟର ଉତ୍କର୍ଷ ସାଧିତ ହୋଇପାରିବ । ଓଡ଼ିଶାର ଯୁବକ, ବିଜ୍ଞାନ ଓ କାରିଗରୀ ବିଦ୍ୟାରେ ଉତ୍କର୍ଷତା ପାଇଁ ବିଶ୍ୱ ଦରବାରରେ ପରିଚିତ ହେବ । ଏହି ସ୍ୱପ୍ନରେ ବିଭୋର ବିଜୁବାବୁ ୧୯୫୨ ମସିହାରେ ସ୍ଥାପନ କଲେ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ । ଲକ୍ଷ୍ୟ ହେଲା ବିଜ୍ଞାନକୁ ଲୋକପ୍ରିୟ କରାଇବା ଏବଂ ଓଡ଼ିଶାର ପ୍ରତି ଯୁବପ୍ରାଣରେ ଭରିଦେବା ବିଜ୍ଞାନର ଉତ୍‌ପ୍ରେରଣା । ତତ୍‌‍ସହିତ ୟୁନେସ୍କୋ ସହିତ ମିଶି ପୃଥିବୀର ଜଣେ ବିଶିଷ୍ଟ ବୈଜ୍ଞାନିକଙ୍କୁ କଳିଙ୍ଗ- ୟୁନେସ୍କୋ ପୁରସ୍କାର ପ୍ରଦାନ କରିବା । ଏହି ପୁରସ୍କାର ପ୍ରଦାନ କରିବାର ଉଦ୍ଦେଶ୍ୟ ହେଲା ବୈଜ୍ଞାନିକମାନଙ୍କୁ ବିଜ୍ଞାନ କ୍ଷେତ୍ରରେ ଅଧିକ ଗବେଷଣା ପାଇଁ ଉତ୍ସାହିତ କରିବା ଓ ଭାରତ ତଥା ଓଡ଼ିଶାର ଯୁବ ବୈଜ୍ଞାନିକମାନଙ୍କୁ ବିଜ୍ଞାନ ଗବେଷଣା କ୍ଷେତ୍ରରେ ପ୍ରୋତ୍ସାହିତ କରିବା । କେବଳ ସେତିକି ନୁହେଁ, ଏହି ପୁରସ୍କାର ପ୍ରଦାନ ମାଧ୍ୟମରେ ଓଡିଶାକୁ ବିଶ୍ୱ ଦରବାରରେ ପରିଚିତ କରାଇବା ମଧ୍ୟ ତାଙ୍କର ଅନ୍ୟ ଏକ ଉଦ୍ଦେଶ୍ୟ ଥିଲା । କଳିଙ୍ଗ ପୁରସ୍କାର ୟୁନେସ୍କୋ ଠାରେ ୧୯୫୨ ମସିହା ଠାରୁ ନିରବଛିନ୍ନ ଭାବେ (କେବଳ ୧୯୭୩ ମସିହାକୁ ଛାଡି) ପ୍ରଦାନ କରାଯାଇ ଆସୁଛି । ଏହି ପୁରସ୍କାର ୧୯୫୨ ମସିହାରେ ପ୍ରଥମେ ଫ୍ରାନ୍‌ସର ବୈଜ୍ଞାନିକ ଲାଉସଡି ବ୍ରୋଜିଲଙ୍କ ଭଳି ଜଣେ ନୋବେଲ ପୁରସ୍କାର ବିଜେତାଙ୍କୁ ପ୍ରଦାନ କରାଯାଇଥିଲା । କଳିଙ୍ଗ ପୁରସ୍କାର ଲ୍ୟୁରେଟ୍ସ୍‌ ମାନଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ପ୍ରାୟ ୭ ଜଣଙ୍କୁ ପ୍ରସିଦ୍ଧ ନୋବେଲ୍ ପୁରସ୍କାର ପ୍ରାପ୍ତ ହୋଇଛି। ଏହି ପୁରସ୍କାର ଭାରତର ଏକ ମାତ୍ର ଆନ୍ତର୍ଜାତିକ ପୁରସ୍କାର ଭାବେ ବିଜ୍ଞାନର ପ୍ରସାର ପାଇଁ ପ୍ରତିଷ୍ଠା ଲାଭ କରିଛି ।

ସ୍ୱର୍ଗତ ବିଜୁପଟ୍ଟନାୟକଙ୍କ ଜୀବନ କାହାଣୀ ଥିଲା ଉତ୍କଳର ଅର୍ଦ୍ଧଶତାବ୍ଦୀର ଇତିହାସ । ତାଙ୍କୁ ବାଦ ଦେଇ ଓଡ଼ିଶାର ଇତିହାସ ରଚନା କେବେହେଲେ ସମ୍ଭବ ହେବ ନାହିଁ  । ସେ ଥିଲେ ନବ ଉତ୍କଳର ନିର୍ମାତା, ତଥା ସମୃଦ୍ଧ  ଓଡ଼ିଶାର ପ୍ରାଣ ପ୍ରତିଷ୍ଠାତା । ବିଶ୍ୱକର୍ମା ସାଜି ସେ ଯେଉଁଭଳି ଭାବେ ଓଡ଼ିଶା ଭଳି ଏକ ଦରିଦ୍ର ଅନୁନ୍ନତ ରାଜ୍ୟକୁ ଏକ ଶିଳ୍ପ ସମୃଦ୍ଧ ତଥା ବିକାଶଶୀଳ ରାଜ୍ୟରେ ପରିଣତ କରିବାକୁ ଅନେକ ବାତାୟନ ଖୋଲି ଯାଇଥିଲେ ସେଭଳି ଭାବେ ରାଜ୍ୟ ତଥା ଦେଶ ବାହାରେ ମଧ୍ୟ ଅସୀମ ସାହସିକତା ତଥା ବିଜ୍ଞତାର ପରିଚୟ ଦେଇ ସେ ଓଡ଼ିଶା ପାଇଁ ଅଶେଷ ଗୌରବର ଗାଥା ରଚନା କରିଥିଲେ । ବୋଧହୁଏ ବିଜୁ ପଟ୍ଟନାୟକ ହେଉଛନ୍ତି ଭାରତର ପ୍ରଥମ ବ୍ୟକ୍ତି, ଯାହାର ମରଶରୀର ଉପରେ  ଭାରତ, ଇଣ୍ଡୋନେସିଆ ଓ ଋଷ୍‍ ଭଳି ତିନିଗୋଟି ଦେଶର ଜାତୀୟ ପତାକା  ଘୋଡ଼ାଯାଇ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ମରି ମଧ୍ୟ ସେ ଅମର ହୋଇ ରହିଗଲେ ଏହି ତିନୋଟି ଦେଶର ଜନ ମାନସରେ। ବିଜୁବାବୁ ଥିଲେ ସେଭଳି ଜଣେ ବ୍ୟକ୍ତିତ୍ୱ ଯାହାକୁ ନେଇ ପ୍ରତିଟି ଓଡ଼ିଆ ଦେଶବାହାରେ ମଧ୍ୟ ଗର୍ବ କରିପାରୁଥିଲେ। ସେ ଓଡ଼ିଶାରୁ ନୁହେଁ, ସେ ବିଜୁ ପଟ୍ଟନାୟକଙ୍କ ଦେଶରୁ ଆସିଛି ବୋଲି ନିଜର ପରିଚୟ ପ୍ରଦାନ କରୁଥିଲେ । ଆଜି ବି ଓଡ଼ିଆ ମା’ମାନେ ବିଜୁ ପଟ୍ଟନାୟକ ଭଳି ସାହସୀ ହେବା ପାଇଁ ତାଙ୍କ ପିଲାମାନଙ୍କୁ ପ୍ରେରଣା ଦେଇଥାନ୍ତି ।

(ଲେଖକ ଜଣେ ବୟୋଜ୍ୟୋଷ୍ଠ ସ୍ୱାଧୀନତା ସଂଗ୍ରାମୀ ତଥା ରାଜ୍ୟସଭାର ପୂର୍ବତନ ସାଂସଦ)

୩୪, ଅଶୋକ ନଗର, ଭୁବନେଶ୍ୱର

 

Leave a Reply

*