Blog

ଗୋଟିଏ ଜାତି-ଗୋଟିଏ ରାଜ୍ୟର ପରିଚୟ ବିଜୁ ପଟ୍ଟନାୟକ

ବିଜୟାନନ୍ଦ ପଟ୍ଟନାୟକ ବନାମ ବିଜୁ ପଟ୍ଟନାୟକ । ଦୁଇଟି ଶବ୍ଦ । ଜଣେ ବ୍ୟକ୍ତିବିଶେଷର ନାମ ନଥିଲା । ଏ ଶବ୍ଦ ଦୁଇଟି ଥିଲା ଗୋଟିଏ ଜାତି ଓ ଗୋଟିଏ ରାଜ୍ୟର ପରିଚୟ। ବିଜୁ ପଟ୍ଟନାୟକ ଥିଲେ ଓଡ଼ିଶା ବାହାରେ ଓଡ଼ିଶାର ଆଉ ଓଡ଼ିଆଙ୍କର ପରିଚୟ ।ସାଧାରଣ ଭାବେ ଭାରତବର୍ଷରେ କାହିଁକି ପୃଥିବୀରେ ପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଶାର ମୁଖ୍ୟ । ବିଜୁ ପଟ୍ଟନାୟକ ସେଇ ପ୍ରଭୁଙ୍କ ଅନୁଗତ ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ ଓଡ଼ିଶା ବନାମ କଳିଙ୍ଗର ପ୍ରତିଭୂ ରୂପେ ।

ବରେନ୍ଦ୍ରକୃଷ୍ଣ ଧଳ

ବିଜୟାନନ୍ଦ ପଟ୍ଟନାୟକ ବନାମ ବିଜୁ ପଟ୍ଟନାୟକ । ଦୁଇଟି ଶବ୍ଦ । ଜଣେ ବ୍ୟକ୍ତିବିଶେଷର ନାମ ନଥିଲା । ଏ ଶବ୍ଦ ଦୁଇଟି ଥିଲା ଗୋଟିଏ ଜାତି ଓ ଗୋଟିଏ ରାଜ୍ୟର ପରିଚୟ। ବିଜୁ ପଟ୍ଟନାୟକ ଥିଲେ ଓଡ଼ିଶା ବାହାରେ ଓଡ଼ିଶାର ଆଉ ଓଡ଼ିଆଙ୍କର ପରିଚୟ ।

ସାଧାରଣ ଭାବେ ଭାରତବର୍ଷରେ କାହିଁକି ପୃଥିବୀରେ ପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଶାର ମୁଖ୍ୟ । ବିଜୁ ପଟ୍ଟନାୟକ ସେଇ ପ୍ରଭୁଙ୍କ ଅନୁଗତ ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ ଓଡ଼ିଶା ବନାମ କଳିଙ୍ଗର ପ୍ରତିଭୂ ରୂପେ ।

୧୯୧୬ରୁ ୨୦୧୬ । ବିଜୁ ପଟ୍ଟନାୟକଙ୍କ ଶତବାର୍ଷିକୀ । ସେ କିନ୍ତୁ ରହିଥିଲେ ୧୯୧୬ରୁ ୧୯୯୭ । ୧୯୧୬ ମାର୍ଚ୍ଚ ୫ତାରିଖରୁ ୧୯୯୭ ଏପ୍ରିଲ୍ ୧୭ତାରିଖ । ୮୧ ବର୍ଷର ଜୀବନ । ଏହି ସମଗ୍ର ଜୀବନର ପ୍ରତିଟି ମୁହୂର୍ତ୍ତ ଥିଲା କର୍ମ-ତତ୍ପର । ପ୍ରତିଟି ମୁହୂର୍ତ୍ତ ଥିଲା ଆହ୍ୱାନକୁଚ ସମ୍ମୁଖୀନ ହେବାର ପ୍ରବଣତା । କାହାରିକୁ ଅପେକ୍ଷା କରୁନଥିଲେ। ୧୯୪୬ରେ ଇଣ୍ଡୋନେସିଆ ରାଷ୍ଟ୍ରପତି କର୍ଣ୍ଣେଲ୍ ହାଜା ଓ ପ୍ରଧାନମନ୍ତ୍ରୀ ମହମ୍ମଦ୍ ସାହାରିୟାରଙ୍କୁ ତାଙ୍କ ଡ଼ାକୋଟା ବିମାନରେ ଡଚ୍‍ମାନଙ୍କ କବଳରୁ ଦିଲ୍ଲୀ ନେଇ ଆସିବା ବା ୧୯୪୭ରେ ଶ୍ରୀନଗରରେ ଭାରତୀୟ ସୈନ୍ୟମାନଙ୍କୁ ଓହ୍ଲାଇବା ଭଳି ଏତେ ବଡ଼ ଘଟଣା ନୁହେଁ, ଯାହା ତାଙ୍କୁ ସମଗ୍ର ବିଶ୍ୱରେ ପରିଚୟ କରାଇଥିଲା । ଜଣେ ଦୁର୍ଦ୍ଧର୍ଷ ପାଇଲଟ ଏବଂ ଭାରତବର୍ଷର ଜଣେ ଦେଶଭକ୍ତ ସନ୍ତାନ ରୂପେ ।

ଯେ କୌଣସି ଛୋଟ ଛୋଟ ଘଟଣାରେ ମଧ୍ୟ ସେ ଦୁଃସାହସିକ ପଦକ୍ଷେପ ନେଉଥିଲେ । ଦେହ ପ୍ରତି ବିପଦ ହୋଇପାରେ ଜାଣି ମଧ୍ୟ ସେ ତାକୁ ଖାତିର କରୁନଥିଲେ । ଗୋଟିଏ ଘଟଣା-୧୯୯୪ ମେ ମାସ ୧୪ତାରିଖ ସମୟ ଦିନ ବାରଟା । ମୁଁ ପ୍ରେସ୍ ରୁମ୍‌ରୁ (ସଚିବାଳୟର ଚାରିତାଲାରେ) ତଳକୁ ଓହ୍ଲାଉଛି । ବିଜୁଳି ନଥିବାରୁ ଲିଫ୍ଟ୍‍ ବନ୍ଦ । ହଠାତ୍ ଦେଖିଲି ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତଳୁ ଶିଡିରେ ଉପରକୁ ଆସୁଛନ୍ତି । ମୁଁ ଆଶ୍ଚର୍ଯ୍ୟ ହେଲି । ତରତରରେ ତଳକୁ ଓହ୍ଲାଇ ବିଜୁବାବୁଙ୍କ ପାଖରେ ପହଂଚି କହିଲି, ସାର୍ ଆପଣ ଏ କ’ଣ କରୁଛନ୍ତି ସେ କହିଲେ ବ୍ଲଡ଼ି ଲିଫ୍ଟ ବନ୍ଦ । ଦେୟାର ଇଜ ଆନ୍ ଇମ୍ପୋଟାଣ୍ଟ ମିଟିଂ । ମୁଁ କହିଲି ସାର୍ ଏଇ ଫାଷ୍ଟ ଫ୍ଲୋରରେ କୌଣସି ମିନିଷ୍ଟରଙ୍କ ରୁମ୍‌ରେ ବସୁନାହାନ୍ତି । ବିଜୁ ବାବୁ ବିରକ୍ତ  ହୋଇଗଲେ । ବିରକ୍ତଭରା ସ୍ୱରରେ କହିଲେ ଡୋଣ୍ଟ ଟକ୍ । କମ୍ ଉଇଥ୍ ମି । ବିଜୁବାବୁ ଗୋଟିଏ ଶିଡ଼ି ଚଢ଼ି ଟିକେ ହାଲିଆ ମାରି ଶିଡ଼ିକୁ ଉଠିଥାନ୍ତି । ମେ ମାସ ପ୍ରବଳ ଖରା, ବିଜୁବାବୁ ଚାଲି ଚାଲି ଶିଡି ଚଢ଼ୁଥିବାରୁ ସଚିବାଳୟର ଅଧିକାଂଶ କର୍ମଚାରୀ କରିଡ଼ର ପାଖରେ ଛିଡ଼ାହୋଇ ଦେଖୁଥାନ୍ତି । ଅବଶ୍ୟ ପ୍ରତିଦିନ ବିଜୁବାବୁ ସଚିବାଳୟକୁ ଆସିବା ବେଳେ ଏବଂ ଫେରିବାବେଳେ ଶହଶହ କର୍ମଚାରୀ ରୁଣ୍ଡ ହୋଇ ତାଙ୍କୁ ଦେଖନ୍ତି । ଥରେ ମୁଁ ଜଣେ କର୍ମଚାରୀ ବନ୍ଧୁଙ୍କୁ ପଚାରିଲି ସବୁଦିନ ବିଜୁବାବୁ ଆସିଲାବେଳେ ଯିବାବେଳେ ଏତେ ଦେଖନ୍ତି କ’ଣ? ସେ ମୋତେ ଉତ୍ତର ଦେଲେ ଆପଣ ଠାକୁରଙ୍କୁ ଦର୍ଶନ କରିବା ପାଇଁ ବାରମ୍ବାର ମନ୍ଦିର କାହିଁକି ଯା’ନ୍ତି? ତାଙ୍କ ଉତ୍ତର ଶୁଣି ମୁଁ ହତଚକିତ ହୋଇଗଲି । ଏଇ ହେଉଛନ୍ତି ବିଜୁ ପଟ୍ଟନାୟକ ଯିଏ ଅତୁଳନୀୟ ।

ମୂଳ କଥାକୁ ଆସିବା । ବିଜୁବାବୁ ସେଇମିତି ବିଶ୍ରାମ ନେଇ ନେଇ ଚାରିତାଲାରେ ଥିବା ମୁଖ୍ୟମନ୍ତ୍ରୀ କୋଠରୀକୁ ଆସିଲେ । ଚେୟାରରେ ଲଥ୍ କରି ବସି ପଡ଼ିଲେ । ଟେବୁଲ୍‌ରେ ଥିବା କାଗଜ ରୁମାଲ ଆଣି ଚାରିପାଞ୍ଚ ଥର କଫ କାଢ଼ି ବାସ୍କେଟ୍‌ରେ ପକାଇଲେ । ତା’ପରେ ପାଣି ଗ୍ଲାସରୁ କିଛି ପିଇଲେ । ହାଲିଆ ହୋଇ ଚେୟାରରେ ଆଉଜି ବସିଲେ । କିଛି ସମୟ ପରେ ସାମାନ୍ୟ ସୁସ୍ଥତା ଅନୁଭବ କଲେ । ସେତେବେଳେ ମୁଖ୍ୟମନ୍ତ୍ରୀ କୋଠରୀରେ ଦୁଇଟି ଫ୍ୟାନ୍ ଓ ଲାଇଟ୍ ଜେନେରେଟରରେ ଚାଲିବାର ବ୍ୟବସ୍ଥା ଥିଲା । ମୁଁ ଚିଫ୍ ମିନିଷ୍ଟରଙ୍କ ସହ ଅଛି ବୋଲି ଖବର ପାଇ ପ୍ରେସ୍‌ରୁମ୍‌ରେ ଥିବା ୪/୫ଜଣ ସାମ୍ବାଦିକ ଚାଲିଆସିଲେ । ସମସ୍ତେ ମୋ ପାଖରୁ ଶୁଣିଲେ । ଇତି ମଧ୍ୟରେ ଲାଇନ୍ ଆସିଯାଇଥିଲା । ପରଦିନ ଏ ଖବର ସବୁ ଖବରକାଗଜରେ ବଡ଼ ବଡ଼ ଅକ୍ଷରରେ ପ୍ରକାଶ ପାଇଲା।

ଇଏ ଗଲା ଗୋଟିଏ ଘଟଣା । ଏବେ ଆସନ୍ତୁ ବିଜୁ ପଟ୍ଟନାୟକଙ୍କର ଚରିତ୍ରର ଆଉ ଏକ ଦିଗକୁ ।

୧୯୭୭ ନିର୍ବାଚନରେ ନବଗଠିତ ଜନତା ପାର୍ଟି ଓଡ଼ିଶା ବିଧାନସଭାକୁ ବିପୁଳ ସଂଖ୍ୟା ଗରିଷ୍ଠତାରେ ବିଜୟୀ ହୋଇଥିଲେ । ନିର୍ବାଚନ ପୂର୍ବରୁ ଏକଥା ପ୍ରାୟ ଜଣାପଡ଼ିଥିଲା । ୧୯୭୭ ବିଧାନସଭା ନର୍ବାଚନ ପୂର୍ବରୁ ମୋତେ ଥରେ ବିଜୁବାବୁଙ୍କ ସହ ବାଙ୍କୀ ଯିବାକୁ ପଡ଼ିଥିଲା । ୧୯୭୭ ମେ ମାସ ୨ ତାରିଖରେ ନିର୍ବାଚନ ଘୋଷଣା ହେଲା । ବିଜୁବାବୁ ଏପ୍ରିଲ୍ ୮ ତାରିଖରେ ବାଙ୍କୀ ଯିବା ପାଇଁ ସ୍ଥିର ହୋଇଥିଲା। ସେତେବେଳେ ବିଜୁବାବୁ ନିର୍ବାଚନ ପାଇଁ ତାଙ୍କ ଲମ୍ବା ପଞ୍ଜାବୀର କାନିକୁ ଦେଖାଇ କହୁଥିଲେ ଭୋଟଟିଏ – ନୋଟ୍ ଟିଏ । ଲୋକେ ଅତି ଆଗ୍ରହର ସହ ଟଙ୍କା ଦେଉଥିଲେ । ୧୮୭୭ ଜୁନ୍ ୧୦ ତାରିଖରେ ଓଡ଼ିଶା ବିଧାନସଭା ପାଇଁ ନିର୍ବାଚନ ହେଲା । ମୋତେ ବିଜୁବାବୁ ୭ତାରିଖରେ ଡକାଇ ତାଙ୍କ ସହ ମେ ୮ ତାରିଖ ଦିନ ବାଙ୍କୀ ଯିବାକୁ କହିଥିଲେ । ମୁଁ ସକାଳୁ ସକାଳୁ ନବୀନ ନିବାସରେ ପହଂଚିଲି । ବିଜବାବୁଙ୍କ ସହ ତାଙ୍କ କଳିଙ୍ଗ ରଥରେ ଆମେ ସକାଳ ସାଢ଼େ ୯ଟାରେ ବାରଙ୍ଗ ଦେଇ ବାଙ୍କୀ ଗଲୁ । ବିଜୁବାବୁ କଳିଙ୍ଗ ରଥରେ ଆଗ ସିଟ୍ (ଏରୋପ୍ଲେନ୍ ସିଟ୍)ରେ ବସିଥାନ୍ତି । ଗାଡ଼ି ଚାଲିବା ସାଂଗେ ସାଂଗେ ଗାଡ଼ି ସାମ୍ନାରେ ଥିବା ଏକ ବହି ଆଣି ପଢ଼ିବାକୁ ଆରମ୍ଭ କଲେ । ମୁଁ ଟିକେ ଉହୁଙ୍କି ଦେଖିଲି ବହିଟି ଇଂରାଜୀ କ୍ଲାସିକ ’ଗନ ଉଇଥ ଦି ଉଇଣ୍ଡ୍‍’ । ବିଜୁବାବୁଙ୍କ ଏକ ଭଲ ଗୁଣ ସେ ବହୁତ ଇଂରାଜୀ କ୍ଲାସିକ ପଢ଼ନ୍ତି । ଗାଡ଼ି ଚାଲିବା ସଂଗେ ସଂଗେ ବହିଟିକୁ ବେଶ ମନଯୋଗ ସହକାରେ ପଢ଼ୁଥାନ୍ତି । ଆମେ ବାରଙ୍ଗ ତ୍ରିଶୁଳିଆ ଦେଇ ମହାନଦୀ କୂଳେ କୂଳେ ବାଙ୍କୀ ଯାଉଥିଲୁ । କାରଣ ପ୍ରଥମ ସଭା ଡମପଡ଼ା ଗଡ଼ରେ ହେବା ସ୍ଥିର ହୋଇଥିଲା । ଆମେ ବାରଙ୍ଗ ପାରି ହୋଇ ତ୍ରିଶୁଳିଆ ବାଙ୍କ ବୁଲିବା ପରେ ହଠାତ୍ ବିଜୁବାବୁ ତାଙ୍କ ଡ଼୍ରାଇଭର ପାଣି ପିଠିରେ ଗୋଟେ ଚଟକଣା ଦେଇ କହିଲେ ଆବେ ମୋଟରଗାଡ଼ି ଚଳାଉଛୁ ନା ଶଗଡ଼ ଚଳାଉଛୁ? ପାଣି ବିଜୁବାବୁଙ୍କର ବହୁ ଦିନର ଡ୍ରାଇଭର ସେ କହିଲା ରାସ୍ତା ଦେଖୁନାହାନ୍ତି? ବିଜୁବାବୁ କହିଲେ ଛାଡ଼ ବେ ଷ୍ଟିୟରିଂ । ପାଣି ବାବୁଙ୍କ ରାଗ ଦେଖି ସ୍ପିଡ଼ ବଢ଼ାଇ ଦେଲା । ବିଜୁବାବୁ ସ୍ପିଡ଼ର ମଣିଷ ଥିଲେ । ସେ ଥିଲେ ବେଗବାନ । ବିମାନ ଥିଲା ତାଙ୍କ ପ୍ରତୀକ। ସେଇ ବିମାନର ଗତି ଭଳି ସେ ଚାହୁଁଥିଲେ ସବୁ କାମ କରିବା ପାଇଁ । ତାର ଏକ ଉଦାହରଣ ହେଉଛି ପାରାଦ୍ୱୀପ ବନ୍ଦର । ବର୍ଷକରୁ କମ୍ ସମୟରେ ଉଦ୍‌ଘାଟିତ ହେଲା ।

କଳିଙ୍ଗ ରଥ ସ୍ପିଡ୍‌ରେ ଚାଲିଲା । ବିଜୁବାବୁଙ୍କ ସିଟ୍ ହେଉଛି ଏରୋପ୍ଲେନ୍ ସିଟ୍ । ତେଣୁ ଗାଡ଼ି ଯେତେ ଧକଡ଼ ଚକଡ଼ ହେଲେ ମଧ୍ୟ ସେଥିରେ ବିଜୁବାବୁ ନିର୍ବିକାର ହୋଇ ପଡ଼ୁଥାନ୍ତି । ମାତ୍ର ମୁଁ ପଛରେ ବସି ତଳ ଉପର ହେଉଥାଏ । କିଛିବାଟ ଗଲାପରେ ବିଜୁବାବୁ ଗାଡ଼ି ରଖିବାକୁ କହିଲେ । ମୁଁ ଦେଖିଲି କାଳିକା ପ୍ରସାଦ ଚକୁଳେଶ୍ୱର ରାସ୍ତା ପାଖର ବଡ଼ ଆମ୍ବତୋଟା । ବିଚାରିଲି ବିଜୁବାବୁ ବୋଧେ ପରିସ୍ରା ଯିବେ । ବିଜୁବାବୁ ଗାଡ଼ିରୁ ଓହ୍ଲାଇଲେ । ହାତ ଉପରକୁ ଟେକି ଭିଡ଼ି ମୋଡ଼ି ହେଲେ । ମୁଁ ମଧ୍ୟ ଓହ୍ଲାଇଲି । ମୋତେ ବିଜୁବାବୁ କହିଲେ ଧଳ ସେ ବୁଢ଼ାକୁ ଡାକ। ମୁଁ ଆମ୍ବତୋଟାକୁ ଚାହିଁଲି । ଦେଖିଲି ଜଣେ ଜୀର୍ଣ୍ଣଶୀର୍ଣ୍ଣ ବୁଢ଼ା ତଳେ ପଡ଼ିଥିବା ଆମ୍ବକାଠ ଗୋଟାଉଛି । ମୁଁ ବଡ଼ପାଟିରେ ଡାକିଲି- ହେ ମଉସା, ଇଆଡ଼େ ଆସ । ବୁଢ଼ା ମୋ ଡାକ ଶୁଣି ମୁଣ୍ଡ ଟେକି ଚାହିଁଲା । ମୁଁ ହାତ ଠାରି ଡାକିଲି । ସେ ଧୀରେ ଧୀରେ ଆସିଲା । କହିଲା କ’ଣ କହୁଛ? ବିଜୁବାବୁ ପଚାରିଲେ ତୁମର ବୟସ ଏବେ କେତେ ହେଲା? ମୁଁ ଆଉ ଥରେ ବୁଢ଼ାକୁ ବଡ଼ ପାଟିରେ ପଚାରିଲି । ସେ କହିଲା-କେଜାଣି ଚାରିକୋଡ଼ିରୁ ବେଶୀ ହେବ । ବିଜୁବାବୁଙ୍କୁ କହିଲି ତା ବୟସ ୮୦ ବର୍ଷରୁ ବେଶୀ । ବିଜୁବାବୁ ପଚାରିଲେ ଏ ଖରାବେଳଟାରେ କାଠ କାହିଁକି ଗୋଟାଉଛ । ବୁଢ଼ା କହିଲା କାଠ ନ ନେଲେ ବୋହୂ ଖାଇବାକୁ ଦେବନାହିଁ । ତୋର କେତେ ପୁଅ? ବୁଢ଼ା କହିଲା ଦି’ଟା । ଗୋଟେ କଟକରେ ଅଛି । ସାନ ପୁଅ ବାଙ୍କୀ କଲଟରୀରେ ପିଅନ ଅଛି । ସେତେବେଳକୁ ବିଜୁବାବୁଙ୍କୁ ଦେଖି ରାସ୍ତାପାଖରେ ଶହେ ଦେଢ଼ଶହ ଲୋକ ଜମି ଗଲେଣି । ବିଜୁବାବୁ କହିଲେ ତୋ ପୁଅ କୋଉଠି ଅଛି? ବୁଢ଼ା କହିଲା ଆଉ କେଉଁଠି ତା ମାଇକିନିଆ ପାଖରେ ଥିବ । ସେଦିନ କୌଣସି ଛୁଟି ଦିନ ଥିଲା । ବିଜୁବାବୁ ପାଖରେ ଥିବା ଲୋକଙ୍କୁ କହିଲେ ଆରେ ୟା ପୁଅକୁ ଡାକିଲ । ଦି’ଜଣ ଟୋକା ମଟରସାଇକେଲ ଗାଁ ଭିତରକୁ ଛୁଟାଇ ଦେଲେ। ଅଳ୍ପ ସମୟ ପରେ ଜଣେ ମଧ୍ୟ ବୟସ୍କ ଲୋକ ସଫା ପ୍ୟାଣ୍ଟ ସାର୍ଟ ପିନ୍ଧି ପହଂଚିଲା । ସେ ଟୋକା ଦି’ଜଣ ତାକୁ ଚିହ୍ନାଇଦେଲେ ସାର୍ ଏଇ ହେଉଛି ବୁଢ଼ା ପୁଅ । ସେ ମୁଣ୍ଡ ନୁଆଁଇ ନମସ୍କାର କଲା । ବିଜୁବାବୁ ତାକୁ ଚାହିଁଲେ । କହିଲେ ୟେ ତୋ ବାପା ? ସେ ହଁ କଲା । ବିଜୁବାବୁ କେହି କିଛି ବୁଝିବା ପୂର୍ବରୁ ତାକୁ ଠୋ କରି ଏକ ବ୍ରହ୍ମଚାପୁଡ଼ା ଦେଲେ । ସେ ବୁଲିପଡ଼ିଲା । ବିଜୁବାବୁ ପଚାରିଲେ ତା’ ବୟସ କେତେ? ୮୨ ବର୍ଷ । ସେହିଭଳି ରାଗିଲା ଗଳାରେ କହିଲେ ବ୍ଲଡ଼ି ଇଡ଼ିଅଟ୍ । ୮୨ ବର୍ଷ ବାପକୁ ଆମ୍ବକାଠ ଗୋଟେଇବାକୁ ପଠାଉଛୁ । ବୁଢ଼ାକୁ ଡାକି ପକେଟରୁ କୋଡ଼ିଏ ଟଙ୍କା ନୋଟର ଏକ ବଣ୍ଡଲ୍ ଧରାଇଦେଲେ । ବୁଢ଼ା କହିଲା ୟାକୁ ମୁଁ କ’ଣ କରିବି? ବିଜୁବାବୁ ବୁଢ଼ାର ସରଳତାରେ ତାକୁ ଚାହିଁ କହିଲେ ଏ ଟଙ୍କାରୁ ଦଶଖଣ୍ଡ ପୋଷ୍ଟକାର୍ଡ଼ କିଣିବୁ । ଯେଉଁଦିନ ତୋ ପୁଅ-ବୋହୂ ତତେ ଖାଇବାକୁ ନଦେବେ ସେଇ ପୋଷ୍ଟକାର୍ଡ଼ରେ ଲେଖି ମୋ ପାଖକୁ ପଠାଇବୁ । ମୁଁ ତୋ ପୁଅର ଚାକିରି ନେଇଯିବି । ବାକି ପଇସାରେ ତୋର ଯାହା ଇଚ୍ଛା ଖାଇବୁ । ବିଜୁବାବୁଙ୍କ କଥା ଶୁଣି ସେତେବେଳକୁ ସେଠାରେ ଉପସ୍ଥିତ ବହୁ ଲୋକେ ବିଜୁ ପଟ୍ଟନାୟକ କି ଜୟ ଧ୍ୱନିରେ ଆକାଶ କମ୍ପାଇଲେ । ହଠାତ୍ ଏକ ନୂଆ ଦୃଶ୍ୟ ଅଭିନୀତ ହେଲା । ବୁଢ଼ା ପୁଅ ବିଜୁବାବୁଙ୍କ ଗୋଡ଼ତଳେ ଲମ୍ବ ହୋଇ ପଡ଼ିଯାଇ କହିଲା-ସାର୍ ମୋତେ କ୍ଷମା କରନ୍ତୁ। ବାପା ବଂଚିଥିବା ପର୍ଯ୍ୟନ୍ତ ତାଙ୍କୁ ମୁଁ ଭଲରେ ରଖିବି । ବିଜୁବାବୁ କହିଲେ ପୁଅର କର୍ତ୍ତବ୍ୟ କର । ବୁଢ଼ାକୁ ଧରି ତା ପୁଅ ଠିଆହେଲା । ଆମେ ଗାଡ଼ିରେ ବସି ଡମପଡ଼ା ଗଲୁ । କାରଣ ସେଠାରେ ପ୍ରଥମ ସଭା ଥିଲା ।

ଅଧଘଣ୍ଟାଏ ପରେ ଡମପଡ଼ା ଗଡ଼ରେ ପହଂଚିଲୁ । ପ୍ରଚଣ୍ଡ ଖରା ସତ୍ତ୍ୱେ ସେ ସଭାରେ ପାଖାପାଖି ଦଶହଜାର ଲୋକ ଉପସ୍ଥିତ ଥିଲେ । ବିଜୁବାବୁ ଭାଷଣ ଦେବା ପୂର୍ବରୁ ତାଙ୍କୁ ଲମ୍ବା ପଞ୍ଜାବୀର ସାମନାକାନି ଦେଖାଇ ଭୋଟଟିଏ-ନୋଟ୍‌ଟିଏ ବୋଲି ମାଇକ୍‌ରେ ପ୍ରଚାର ହେଲା । ଅଧଘଣ୍ଟାଏ ଚାଳିଶ ମିନିଟ୍ ମଧ୍ୟରେ ଦି’ଟା ବସ୍ତା ନୋଟ୍‌ରେ ଭର୍ତ୍ତି ହୋଇଗଲା । ସଭା ଶେଷ ହେଲା । ଆମେ ମଞ୍ଚରୁ ଓହ୍ଲାଇବା ବେଳକୁ ସେଠାରେ ଆଉ ଏକ ଦୃଶ୍ୟ । ମଞ୍ଚ ତଳେ ଦଶ/ବାର ଜଣ ବୁଢ଼ାଲୋକ । ବିଜୁବାବୁ ଓହ୍ଲାଇବା ମାତ୍ରେ କହିଲେ ହଜୁର ଆମକୁ ରକ୍ଷା କରନ୍ତୁ । ଆମ ପୁଅବୋହୂ ଆମକୁ ଖାଇବାକୁ ନଦେଇ ମାଡ଼ ଗାଳି ଦେଉଛନ୍ତି । ବିଜୁବାବୁ ସେମାନଙ୍କୁ ଦେଖିଲେ । ସେଠାକାର ସରପଞ୍ଚଙ୍କୁ ଡାକି ସେମାନଙ୍କ ସମସ୍ୟା ସମାଧାନ କରିବା ପାଇଁ କହିଲେ । ଆଦାୟ ହୋଇଥିବା ଅର୍ଥରୁ ସମସ୍ତଙ୍କୁ ପୁଳେ ପୁଳେ ଦେଇ ଗାଡ଼ିରେ ଚଢ଼ିଲେ ।

ଆମେ ଏ ବିଷୟ ଅବତାରଣା କଲୁ ଏଇଥିପାଇଁ ଯେ ଜଣେ ନେତାର ଚରିତ୍ରର ବିଭିନ୍ନ ଦିଗ ରହିଛି । ଚକୁଳେଶ୍ୱର ଆମ୍ବତୋଟାରେ ଜଣେ ବୁଢ଼ା ଖରାରେ ଶୁଖିଲା କାଠ ଗୋଟେଇବାର ଦୃଶ୍ୟ ହଠାତ୍ ତାଙ୍କ ଆଖି ପଡ଼ିଛି। ତାଙ୍କ ମନ ଭିତରର ମାନବିକତା ଚେଇଁ ଉଠିଛି । ସେ ଗାଡ଼ି ଅଟକାଇ ତଳକୁ ଆସିଛନ୍ତି । ମୁଁ ସେ କଥା ଦେଖି ନଥିଲି ତା’ ନୁହେଁ । ଏହା ଏକ ସାଧାରଣ ଘଟଣା ଭାବି ନେଇଥିଲି । ମାତ୍ର ବିଜୁବାବୁ ଏ ଦୃଶ୍ୟରେ ବିଚଳିତ ହୋଇ ଅଟକି ଗଲେ ଏବଂ ଘଟଣା ସ୍ଥଳରେ ହିଁ ବୁଢ଼ାର ସମସ୍ୟା ସମାଧାନ କରି ଦେଇଥିଲେ । ସବୁ ନେତାଙ୍କର ଏ ଚରିତ୍ର ନଥାଏ। ମାତ୍ର ବିଜୁବାବୁ ଅନ୍ୟମାନଙ୍କ ତୁଳନାରେ ଭିନ୍ନ । ସେଇଥିପାଇଁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଭାଷାରେ ସେ ଥିଲେ “ଝଡ଼ର ଇଗଲ୍ ଓ ମାଟିର କୃଷ୍ଣସାର” । ବିଜୁବାବୁ ଜୀବନ ଅସଂଖ୍ୟ ଘଟଣାରେ ପରିପୂର୍ଣ୍ଣ । ସେ ଥିଲେ ଭାରତବର୍ଷର ଏକ ଅନନ୍ୟ କର୍ମକାର ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର)

ୟୁନିଟ୍‍-୨, ଭୁବନେଶ୍ୱର

 

Leave a Reply

*