କଳିଙ୍ଗ ମାଟିର ପ୍ରତିଭାଦୀପ୍ତ ମହାନାୟକ
ସେ ଥିଲେ ଜଣେ ଜନନାୟକ, ଉତ୍କଳ ମାଟିର ସ୍ୱାଭିମାନର ସନ୍ତକ । ପ୍ରବାଦପୁରୁଷ ବିଜୁବାବୁ ଓଡ଼ିଶାବାସୀଙ୍କର ଅତୀବ ପ୍ରିୟ । ସେ କ୍ଷମତା ପାଇଁ କେବେ ବଳି ପକାଇ ନାହାନ୍ତି ତାଙ୍କ ସ୍ୱାଭିମାନକୁ । ଚାଟୁକାରିତାକୁ ଘୃଣା କରୁଥିବା ଅତ୍ୟନ୍ତ ସ୍ପଷ୍ଟବାଦୀ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଜଣକ ପ୍ରଧାନମନ୍ତ୍ରୀ ପଦ ହାସଲର ଖୁବ୍ ନିକଟତର ଥାଇ ହାତଛଡ଼ା ବରଂ କରିଥିଲେ, କିନ୍ତୁ ଉଚିତ ମନେ କରି ନ ଥିଲେ କାହାକୁ ଖୋସାମତ କରିବାକୁ । ଦୃଢ଼, ଉଚ୍ଚମନା, ଶିଳ୍ପୋଦ୍ୟୋଗୀ ଜଣକ ଗୋଟିଏ ପରେ ଗୋଟିଏ ଶିଳ୍ପ ପ୍ରତିଷ୍ଠାନକୁ ବିକ୍ରି କରି ଦେଇଥିଲେ ମଧ୍ୟ ନିଜ ବିବେକ, ଆତ୍ମମର୍ଯ୍ୟାଦାକୁ ବିକ୍ରି କରି ଦେଇ ନ ଥିଲେ କସ୍ମିନ୍ କାଳେ ।
କର୍ଣ୍ଣେଲ ଶରତ ମହାପାତ୍ର
୧୯୬୯ ମସିହାରେ ମୁଁ ଅରୁଣାଚଳ ପ୍ରଦେଶର (ଅତୀତରେ ନର୍ଥ୍-ଇଷ୍ଟ ଫ୍ରଣ୍ଟିଅର ଏଜେନ୍ସି- ସଂକ୍ଷେପରେ ‘ନେଫା’) ଚୀନ୍ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନିୟୋଜିତ ଥାଏ । ସେହି ଅଞ୍ଚଳ ଥିଲା ଘନ ଜଙ୍ଗଲରେ ପରିପୂର୍ଣ୍ଣ, ପର୍ବତ ଓ ବରଫରେ ଆଚ୍ଛାଦିତ । ପ୍ରବଳ ଥଣ୍ଡା ଅନୁଭୂତ ହେଉଥାଏ । ମାକ୍ମୋହନ ଲାଇନ୍ସ୍ଥିତ ତାକ୍ସିଙ୍ଗ୍ ଅଞ୍ଚଳ ଥିଲା ଦୁର୍ଗମ, ଯେଉଁଠି ପହଂଚିବାକୁ ଆମକୁ ରୋଡ଼୍-ହେଡ୍ରୁ ପାଦରେ ଚାଲି ଦୀର୍ଘ ୧୮ଦିନ ସମୟ ଲାଗୁଥିଲା । କେତେକ ସ୍ଥାନ ବରଫାବୃତ୍ତ ଥିବାରୁ ଦିନରେ ମଧ୍ୟ ସୂର୍ଯ୍ୟର ଆଲୋକ ଦେଖିବା କଷ୍ଟକର ହଉଥାଏ । ସେହି ସ୍ଥାନକୁ ରାସ୍ତା ନଥିବା କାରଣରୁ ଖାଦ୍ୟ, ଇନ୍ଧନ, ଚିଠି, ଖବରକାଗଜ ଇତ୍ୟାଦି ଉଡ଼ାଜାହାଜରୁ ପାରାଚ୍ୟୁଟ୍ ସାହାଯ୍ୟରେ ଆକାଶ ମାର୍ଗରୁ କ୍ଷେପଣ କରାଯାଉଥିଲା । ମାତ୍ର ପାଗ ଖରାପ ହେଲେ କିଛିଦିନ ବ୍ୟବଧାନରେ ଉଡ଼ାଜାହାଜ ଆମେ ରହୁଥିବା ଅଞ୍ଚଳରୁ ଉଡ଼ାଣ କରି ମଧ୍ୟ ଖାଦ୍ୟ ପଦାର୍ଥ ଓ ଅନ୍ୟ ବ୍ୟବହୃତ ସାମଗ୍ରୀ ତ୍ରିପିଙ୍ଗ୍ ଜୋନ୍ରେ କ୍ଷେପଣ କରିନପାରି ପୁଣି ଏୟାରବେସ୍କୁ ଫେରିଯାଏ । ଘନ କୁହୁଡ଼ି, କ୍ରମାଗତ ବରଫପାତ, ପାଇଲଟ୍ ଆକାଶମାର୍ଗରୁ ଆମେ ରହୁଥିବା ଅଞ୍ଚଳକୁ ଦେଖି ନ ପାରିବା ଥିଲା ସ୍ୱାଭାବିକ । ଉଡୁଥିବା ଉଡ଼ାଜାହାଜର ଶବ୍ଦ ଆମ ନିକଟରେ ପହଂଚୁଥିଲେ ମଧ୍ୟ ଘନ କୁହୁଡ଼ିର ଆସ୍ତରଣ ଯୋଗୁ ଉଡ଼ାଜାହାଜକୁ ଦେଖି ନପାରି ଆମେ ହେଉଥିଲା ହତାଶ ।
ସେଠାରେ ନଥିଲା ବିଜୁଳି ଆଲୁଅ । ବରଫାବୃତ୍ତ ବଙ୍କର ଭିତରେ (ମାଟିତଳେ ନିର୍ମିତ ଯୁଦ୍ଧ ପାଇଁ ପ୍ରସ୍ତୁତି ସ୍ଥଳୀ) ପ୍ରବଳ ଥଣ୍ଡାରୁ ରକ୍ଷା ପାଇବା ପାଇଁ କିରାସିନି ପ୍ରଜ୍ୱଳନ ଦ୍ୱାରା ଉଷ୍ମତା ରକ୍ଷା କରିବା ଥିଲା ଜରୁରି। ବାହ୍ୟ ଜଗତର ଖବର ଜାଣିବା ପାଇଁ ରେଡ଼ିଓ ଓ ଖବରକାଗଜ ହିଁ ଥିଲା ମାଧ୍ୟମ । ନିକଟ ସମ୍ପର୍କୀୟଙ୍କ ଚିଠି ଓ ଖବରକାଗଜ ଆମ ନିକଟରେ ପହଂଚି ପାରୁଥିଲା କେବଳ ଉଡ଼ାଜାହାଜରୁ ପାରାଚ୍ୟୁଟ୍ ମାଧ୍ୟମରେ କ୍ଷେପଣ ଦ୍ୱାରା । ମୋର ଏହି ବର୍ଣ୍ଣନା କରିବାର କାରଣ- ସେହି ଦୁର୍ଗମ ଅଞ୍ଚଳରେ ଏକଦା ନିୟୋଜିତ ହୋଇଥିଲା ‘କଳିଙ୍ଗ ଏୟାରଲାଇନ୍ସ’ ପ୍ରାୟ ଷାଠିଏ ଦଶକ ପର୍ଯ୍ୟନ୍ତ । ଭାରତୀୟ ସୁରକ୍ଷା ବାହିନୀକୁ ଦୁର୍ଗମ ଅଞ୍ଚଳରେ ସେବା ପ୍ରଦାନ କରି ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଖୁବ୍ ଆଦୃତ ହୋଇଥିବା ‘କଳିଙ୍ଗ ଏୟାରଲାଇନ୍ସ’ ର ସୃଷ୍ଟିକର୍ତ୍ତା ଥିଲେ ଆମ କଳିଙ୍ଗ ମାଟିର ବରପୁତ୍ର-ବିଜୁ ପଟ୍ଟନାୟକ । ତାଙ୍କ ଦ୍ୱାରା ଗଠିତ ଏବଂ ପରିଚାଳିତ ଏହି ଏୟାରଲାଇନ୍ସ ୧୯୬୨ ମସିହାରେ ଭାରତ- ଚୀନ୍ ଯୁଦ୍ଧ ସମୟରେ ମଧ୍ୟ ନିଜର ପାରଦର୍ଶିତା ପ୍ରଦର୍ଶନ କରି ହୋଇଥିଲା ପ୍ରଶଂସିତ । ବିଜୁ ପଟ୍ଟନାୟକ ପଚାଶ ଦଶକରେ ଇଣ୍ଡୋନେସିଆରେ ପାଇଲଟ୍ ଭାବେ ନିଜ ଦକ୍ଷତା ପ୍ରଦର୍ଶନ କରି ସାରା ବିଶ୍ୱରେ ନିଜକୁ ପ୍ରତିଷ୍ଠିତ କରି ସାରିଥିଲେ । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ‘କଳିଙ୍ଗ ଏୟାରଲାଇନ୍ସ’କୁ ମଧ୍ୟ ସମସ୍ତେ ଭୂରିଭୂରି ପ୍ରଶଂସା କରିଥିଲେ ତାଙ୍କ ଦୁଃସାହସିକ ପଦକ୍ଷେପ ପାଇଁ ।
ସେହି ଦୁର୍ଦ୍ଧର୍ଷ ପାଇଲଟ୍ ବିଜୁ ୧୯୬୨ ମସିହା ଭାରତ ଚୀନ୍ ଯୁଦ୍ଧ ସମୟରେ ଭାରତର ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଭି.କେ.କୃଷ୍ଣମେନନ୍ଙ୍କ ସହ ଚୀନ୍ ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ଉଡ଼ାଣ କରି ଯୁଦ୍ଧରତ ଯୱାନ୍ଙ୍କୁ ଭେଟିଥିଲେ । ସେମାନଙ୍କ ମନୋବଳ ବଢ଼ାଇବାରେ ସେ ହୋଇଥିଲେ ସକ୍ଷମ । ୧୯୬୨ ମସିହାରେ ଯୁଦ୍ଧକାଳୀନ ପରିସ୍ଥିତିରେ ଅରୁଣାଚଳ ପ୍ରଦେଶର ‘ଦାପୋରିଜେ’ ନାମକ ସ୍ଥାନରେ ଥିବା ଏୟାରଷ୍ଟ୍ରିପ୍ରେ ସ୍ଥାପିତ ଏକ ଫଳରେ ବିଜୁବାବୁଙ୍କ ନାମ ରହିଛି ଯାହାକୁ ମୁଁ ସ୍ୱଚକ୍ଷୁରେ ଦେଖି ହୋଇଥିଲି ଅଭିଭୂତ । ନର୍ଥ-ଇଷ୍ଟ ସୀମାନ୍ତ ଅଞ୍ଚଳରେ ‘କଳିଙ୍ଗ ଏୟାରଲାଇନ୍ସ’ର ସ୍ରଷ୍ଟା ବିଜୁବାବୁଙ୍କ ସାହସିକତା ସମ୍ବନ୍ଧରେ ବହୁ ପୁରୁଖା ଲୋକ ମନେ ପକାଇ ଗର୍ବିତ ହୋଇଥିଲେ ମୁଁ ନିଜେ ମଧ୍ୟ ଅନୁଭବ କରିଛି ।
ଅରୁଣାଚଳ ପ୍ରଦେଶ ସୀମାବର୍ତ୍ତୀ ଅଞ୍ଚଳରେ ମୋର କାର୍ଯ୍ୟକାଳ ସମୟରେ ‘ସୁବର୍ଣ୍ଣଶିରୀ’ ଅଞ୍ଚଳରେ ଥିବା ପଲିଟିକାଲ୍ ଏରିଆ ଅର୍ଗାନାଇଜର ମିଷ୍ଟର ଦେଓରୀ ବିଜୁବାବୁଙ୍କ କାର୍ଯ୍ୟଶୈଳୀ ସମ୍ପର୍କରେ ବହୁ ଘଟଣା ବର୍ଣ୍ଣନା କରି ହେଉଥିଲେ ଆନନ୍ଦିତ । ରେଜିମେଣ୍ଟ ଅଫ୍ ଆର୍ଟିଲାରୀର କେତେଜଣ ଅଫିସରଙ୍କ ସହ ମୁଁ ମଧ୍ୟ ତାଙ୍କ ଆତିଥ୍ୟ ଗ୍ରହଣ କରିବାର ସୁଯୋଗ ପାଇଥିଲି । ଏରିଆ ଅର୍ଗାନାଇଜରଙ୍କ ସହଧର୍ମିଣୀ ଶ୍ରୀମତୀ ଓମେନ ଦେଓରୀ (ଯେ କି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରିୟ ଓ ନିକଟତର ଥିଲେ) ମୁଁ ଓଡ଼ିଶାର ଅଧିବାସୀ ବୋଲି ଜାଣିବା ପରେ ବିଜୁବାବୁଙ୍କ ସମ୍ବନ୍ଧରେ ଅନେକଗୁଡ଼ିଏ ପ୍ରଶ୍ନ ଏକ ସମୟରେ ପଚାରିଥିଲେ । ବିଜୁବାବୁ, ନେହେରୁ ଓ ଗାନ୍ଧୀ ପରିବାର ସହ କେତେ ସଂଶ୍ଳିଷ୍ଟ ଥିଲେ, ତାହା ତାଙ୍କ ବର୍ଣ୍ଣନାରୁ ଜଣା ପଡ଼ିଥିଲା । ମୋ ସୀମିତ ଜ୍ଞାନ ଓ ଅନୁଭୂତିରୁ ସାଧ୍ୟମତେ ବିଜୁବାବୁଙ୍କ ସମ୍ବନ୍ଧରେ ଜଣାଇଥିଲି, ମାତ୍ର କଥା ପ୍ରସଙ୍ଗରେ ବିଜୁବାବୁଙ୍କ ପ୍ରତି ତାଙ୍କର ଗଭୀର ସମ୍ମାନ ପ୍ରଦର୍ଶନ ମୋତେ ଅଶେଷ ଆନନ୍ଦ ଦେଇଥିଲା ।
ଛାତ୍ରାବସ୍ଥାରେ ଛାତ୍ର ରାଜନୀତି କାଳରେ ମୁଁ ବିଜୁବାବୁଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥିଲି । ଅନୁଭବ କରିଥିଲି ତାଙ୍କ ହୃଦୟର ବିଶାଳତା, ଦୂରଦୃଷ୍ଟିର ବ୍ୟାପ୍ତ ପରିସୀମା । ୧୯୬୪ ମସିହାରେ ଭଦ୍ରକ ମହାବିଦ୍ୟାଳୟ ଛାତ୍ର ସଂସଦ ଉତ୍ସବକୁ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଭି.କେ.କୃଷ୍ଣମେନନ୍ଙ୍କୁ ଆମନ୍ତ୍ରଣ କରାଯାଇଥିଲା । ୧୯୬୨ ମସିହା ଭାରତ-ଚୀନ୍ ଯୁଦ୍ଧରେ ଭାରତର ଶୋଚନୀୟ ପରାଜୟ ପାଇଁ ଭି.କେ. କୃଷ୍ଣମେନନ୍ଙ୍କୁ ରାଜନୈତିକ ଦଳଗୁଡ଼ିକ ଦାୟୀ କରିଥିଲେ ଓ ଦେଶରକ୍ଷା ମନ୍ତ୍ରୀ ପଦରୁ ସେ ଓହରି ଯିବାକୁ ଏକ ପ୍ରକାର ବାଧ୍ୟ ହୋଇଥିଲେ । ୧୯୬୪ ମସିହାରେ ଓଡ଼ିଶା ଆଗମନ ସମୟରେ ସେ ରାଜନୈତିକ ଦଳଗୁଡ଼ିକର କଟାକ୍ଷର ଶିକାର ହୋଇଥିଲେ, ମାତ୍ର ତାଙ୍କ ଓଡ଼ିଶା ଆଗମନ କାଳରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ବିଜୁବାବୁ ସମସ୍ତ ପଦକ୍ଷେପ ନେଇଥିଲେ । ଏହା ତାଙ୍କ ମହନୀୟତାର ପରିଚୟ ଦିଏ ।
ଏମର୍ଜେନ୍ସି ପରେ କଂଗ୍ରେସ ମନ୍ତ୍ରିମଣ୍ଡଳ ପତନର ପରବର୍ତ୍ତୀ ସମୟରେ ବିଜୁବାବୁ ଭାରତୀୟ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରି ଓଡ଼ିଶାର ଟେକ ରଖିବାରେ ସମର୍ଥ ହୋଇଥିଲେ । ସେ କେନ୍ଦ୍ରରେ ଇସ୍ପାତ ବିଭାଗର ମନ୍ତ୍ରୀ ଥିବାବେଳେ ମୋର ତାଙ୍କ ସହ ସାକ୍ଷାତ ହେବାର ସୁଯୋଗ ଜୁଟିଥିଲା ତତ୍କାଳୀନ ଜନତାପାର୍ଟର ସାଂସଦ ବୈରାଗୀ ଜେନା( ପରେ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଅଧୁନା ପରପାରିରେ) ସେତେବେଳେ ଦିଲ୍ଲୀର ଏୟାର୍ ହେଡ୍କ୍ୱାଟର୍ସ୍ ସନ୍ନିକଟ ମୀନାବାଗ୍ ଏମ୍ପି କ୍ୱାର୍ଟର୍ସ୍ରେ ଅବସ୍ଥାନ କରୁଥିଲେ। ମୁଁ ମିରଟ କ୍ୟାଣ୍ଟନ୍ମେଣ୍ଟରୁ ଦିଲ୍ଲୀ ଆସି ମୋର ରହଣି କାଳରେ ବୈରାଗୀବାବୁଙ୍କ ସହ ସାକ୍ଷାତ ହେଲା । ସେତେବେଳେ ସେ କୌଣସି କାର୍ଯ୍ୟ ପାଇଁ ବିଜୁବାବୁଙ୍କ ପାଖକୁ ସାକ୍ଷାତ କରିବାକୁ ଯାଉଥିଲେ । ମୋତେ ତାଙ୍କ ସହ ଯିବାକୁ କହିଲେ । ମୋର କାମ ନଥିଲେ ସୁଦ୍ଧା ବୈରାଗୀ ବାବୁ ତାଙ୍କ ସ୍ୱଭାବସୁଲଭ ଭଙ୍ଗୀରେ ପ୍ରବର୍ତ୍ତାଇବା କାରଣରୁ ତାଙ୍କ କଥାକୁ ଏଡ଼ି ନପାରି ତାଙ୍କ ସହ ବିଜୁବାବୁଙ୍କ ଔରଙ୍ଗଜେବ୍ ରୋଡ଼ସ୍ଥିତ ବାସଭବନକୁ ଗଲି । ସେଠାରେ ଲୋକ ଗହଳି ଲାଗିଥାଏ । ବୈରାଗୀ ବାବୁ ଭିତର ରୁମ୍କୁ ବିଜୁବାବୁଙ୍କ ସଂଗେ ସାକ୍ଷାତ କରିବାକୁ ଗଲେ ଓ ମୁଁ ଅନ୍ୟ ଆଗନ୍ତୁକଙ୍କ ସହ ବାହାର କକ୍ଷରେ ବସି ରହିଥିବା ବେଳେ ମୋତେ ବିଜୁବାବୁ ହଠାତ୍ ଡକାଇ ପଠାଇଲେ । ସେନାବାହିନୀରେ ଥିବା ଓଡ଼ିଆମାନଙ୍କ ସମ୍ପର୍କରେ ଗୁଡ଼ାଏ ପ୍ରଶ୍ନ ବିଜୁବାବୁ ମୋତେ ପଚାରିଲେ । ମୋର ଜ୍ଞାନର ପରିସୀମା ମଧ୍ୟରେ ଯାହା ଜାଣିଥିଲି, ଉତ୍ତର ଦେଲି । ସେ ମୋ ଉତ୍ତରରେ ସନ୍ତୁଷ୍ଟ ହୋଇଥିଲେ କି ନା, ତାହା ତାଙ୍କ ଭାବଭଙ୍ଗୀରୁ ମୁଁ ଜାଣିପାରି ନ ଥିଲି, ମାତ୍ର ଦେଶରକ୍ଷା ବିଭାଗ ସମ୍ବନ୍ଧରେ ଏବଂ ଏହା ସହ ଜଡ଼ିତ ଅନେକ ବିଷୟ ଉପରେ ତାଙ୍କର ଜ୍ଞାନର ପରିସୀମା କେତେ ବ୍ୟାପ୍ତ ଥିଲା, ତାହା ମୋତେ ସତରେ ଚକିତ କରିଥିଲା । ମୋର ପିତା ଭୈରବ ଚନ୍ଦ୍ର ମହାପାତ୍ର ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ବିଜୁବାବୁ ତାଙ୍କୁ ଭୁଲି ନ ଥିଲେ । ମୋ ପିତା ବୟସରେ ବିଜୁବାବୁଙ୍କଠାରୁ ଯଥେଷ୍ଟ ବଡ଼ ଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ବନ୍ଧରେ ବିଜୁବାବୁ ମୋ’ ଠାରୁ ଅବଗତ ହୋଇ ଆଶ୍ୱସ୍ତି ପ୍ରକାଶ କରିବା ସହ ଶ୍ରଦ୍ଧା, ସମ୍ମାନ ପ୍ରଦର୍ଶନ କରିଥିଲେ । ପୁରୁଖା ସଂଗ୍ରାମୀଙ୍କୁ ଭୁଲି ନ ଯିବା ତାଙ୍କ ମହାନତାର ପରିଚୟ ଦିଏ, ଏହା ମୁଁ ଅନୁଭବ କରିଥିଲି ମର୍ମେମର୍ମେ ।
ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତତ୍କାଳୀନ ପର୍ସନାଲ ସେକ୍ରେଟାରୀ ତଥା ପରବର୍ତ୍ତୀ ସମୟରେ ତାମିଲନାଡୁ ଏବଂ ମହାରାଷ୍ଟ୍ରର ରାଜ୍ୟପାଳ ଆସନ ଅଳଙ୍କୃତ କରିଥିବା ପି.ସି. ଆଲେକ୍ଜାଣ୍ଡର ନିଜ ଅନୁଭୂତି ତାଙ୍କ ଲିଖିତ ପୁସ୍ତକ ‘ଥ୍ରୁ ଦ କରିଡର୍ସ ଅଫ୍ ପାୱାର- ଅନ୍ ଇନ୍ସାଇଡ୍ ଷ୍ଟୋରି’ରେ ବିଜୁବାବୁଙ୍କୁ ସ୍ୱତନ୍ତ୍ର ସ୍ଥାନ ଦେଇଛନ୍ତି ଏବଂ ବିଭିନ୍ନ ପ୍ରସଙ୍ଗରେ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବର୍ଣ୍ଣନା କରିଛନ୍ତି । ବିଜୁବାବୁ ଥିଲେ ପ୍ରକୃତରେ କ୍ରାଇସିସ୍ ମ୍ୟାନେଜର । କେନ୍ଦ୍ରରେ ଜନତା ସରକାରଙ୍କ ଶାସନ କାଳରେ ବିଜୁବାବୁ ବହୁବାର ଭିନ୍ନ ଭିନ୍ନ ପଦକ୍ଷେପ ନେଇ ସରକାରଙ୍କୁ ବଞ୍ଚାଇବାରେ ସଫଳ ହୋଇପାରିଥିଲେ । ସେ ଥିଲେ ଜଣେ ଜନନାୟକ, ଉତ୍କଳ ମାଟିର ସ୍ୱାଭିମାନର ସନ୍ତକ । ପ୍ରବାଦପୁରୁଷ ବିଜୁବାବୁ ଓଡ଼ିଶାବାସୀଙ୍କର ଅତୀବ ପ୍ରିୟ । ସେ କ୍ଷମତା ପାଇଁ କେବେ ବଳି ପକାଇ ନାହାନ୍ତି ତାଙ୍କ ସ୍ୱାଭିମାନକୁ । ଚାଟୁକାରିତାକୁ ଘୃଣା କରୁଥିବା ଅତ୍ୟନ୍ତ ସ୍ପଷ୍ଟବାଦୀ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଜଣକ ପ୍ରଧାନମନ୍ତ୍ରୀ ପଦ ହାସଲର ଖୁବ୍ ନିକଟତର ଥାଇ ହାତଛଡ଼ା ବରଂ କରିଥିଲେ, କିନ୍ତୁ ଉଚିତ ମନେ କରି ନ ଥିଲେ କାହାକୁ ଖୋସାମତ କରିବାକୁ । ଦୃଢ଼, ଉଚ୍ଚମନା, ଶିଳ୍ପୋଦ୍ୟୋଗୀ ଜଣକ ଗୋଟିଏ ପରେ ଗୋଟିଏ ଶିଳ୍ପ ପ୍ରତିଷ୍ଠାନକୁ ବିକ୍ରି କରି ଦେଇଥିଲେ ମଧ୍ୟ ନିଜ ବିବେକ, ଆତ୍ମମର୍ଯ୍ୟାଦାକୁ ବିକ୍ରି କରି ଦେଇ ନ ଥିଲେ କସ୍ମିନ୍ କାଳେ । ସେଥିପାଇଁ ସେଦିନ ତାଙ୍କ ମୃତ୍ୟୁ ଖବର ଶୁଣି ଲକ୍ଷ ଲକ୍ଷ ଜନତା ସ୍ୱତଃ ଛୁଟି ଚାଲିଥିଲେ ତାଙ୍କ ଶେଷକୃତ୍ୟରେ ସାମିଲ ହେବାକୁ । ସେହି ମହାନାୟକଙ୍କ ମହାଯାତ୍ରା ଥିଲା ଅବର୍ଣ୍ଣନୀୟ । ତାଙ୍କ ଶେଷକୃତ୍ୟ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ତଥା ରାଜ୍ୟର ମନ୍ତ୍ରୀ, ବହୁ ରାଜନେତା ଯୋଗ ଦେଇଥିଲେ ଅଗଣିତ ଶୋକାକୁଳ ଜନତାଙ୍କ ସହ। ସେହି ଦୃଶ୍ୟ ଭୁଲିବାର ନୁହେଁ । ମୁଁ ଏବଂ ମୋ ପତ୍ନୀ ଧାଇଁ ଯାଇଥିଲୁ ସ୍ୱର୍ଗଦ୍ୱାର ନିକଟକୁ ନିଜର ପ୍ରିୟ ନେତାଙ୍କର ଶେଷ ଦର୍ଶନ ପାଇଁ, ଜଣାଇଥିଲୁ ଶେଷ ପ୍ରଣତି ଅନ୍ତରର ଗଭୀରତମ ପ୍ରଦେଶରୁ ।
(ଲେଖକ ଜଣେ ଅବସରପ୍ରାପ୍ତ ବରିଷ୍ଠ ସେନାଧିକାରୀ ତଥା ସ୍ତମ୍ଭକାର)
ଆଇଆର୍ସି ଭିଲେଜ, ଭୁବନେଶ୍ୱର
ମୋ: ୯୪୩୭୪୩୮୩୦୩
[2] thoughts on “କଳିଙ୍ଗ ମାଟିର ପ୍ରତିଭାଦୀପ୍ତ ମହାନାୟକ”
Extmerely helpful article, please write more.
Colonel Sarat Mahapatra not only writes well but also writes frankly and fearlessly.