Blog

ଇନ୍ଦିରାଙ୍କୁ ‘ଇନ୍ଦୁ’ ଡାକୁଥିଲେ

ତାଙ୍କର ସବୁକଥା ଓ କାର୍ଯ୍ୟରେ ସ୍ପଷ୍ଟବାଦିତା ଓ ଦୁଃସାହସିକତା ବାରି ହୋଇଯାଉଥିଲା । ୧୯୭୭ରୁ ୮୦ ଭିତରେ ସେ ଓଡ଼ିଶା ସରକାରଙ୍କ ପ୍ରତିନିଧି ଭାବରେ ରାଜ୍ୟ ମୁଖ୍ୟମନ୍ତ୍ରୀ ସମ୍ମିଳନୀଗୁଡ଼ିକରେ ଯୋଗ ଦେଇଥିଲେ । ସେତେବେଳେ ମୁଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲି । ସେହି ସମ୍ମିଳନୀରେ ମୁଁ ଦେଖିଛି ସେ ଦୃପ୍ତ ଭଙ୍ଗୀରେ ତାଙ୍କର ଭାଷଣ ରଖୁଥିଲେ ଏବଂ ପ୍ରୟୋଜନ ମନେ କଲେ ମଝିରେ ମଝିରେ ନିଜର ମନ୍ତବ୍ୟ ଦେଉଥିଲେ । ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରୁଥିବା ମୋରାରଜୀ ଦେଶାଇଙ୍କ ଭଳି ଜଣେ କଠୋର ପ୍ରଧାନମନ୍ତ୍ରୀ ସୁଦ୍ଧା ବିଜୁଦାଙ୍କୁ ତାଙ୍କ ରୋକଠୋକ କଥା ଶୈଳୀରୁ ନିବୃତ୍ତ କରିପାରୁନଥିଲେ ।

ଶରଦ ପାୱାର

ମୋ ଠାରୁ ବୟସରେ ପାଖାପାଖି ୨୪ ବର୍ଷ ବଡ଼ ଥିଲେ ମଧ୍ୟ ଆମ ଭିତରେ ଥିବା ଆନ୍ତରିକତା ସେ ବ୍ୟବଧାନକୁ ଦୂର କରିଦେଇଥିଲା । ଆମେ ତାଙ୍କୁ ବିଜୁଦା ବୋଲି ଡାକୁଥିଲୁ । ତାଙ୍କ ବଡ଼ ପୁଅ ପ୍ରେମ ପଟ୍ଟନାୟକ (ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ) ଓ ମୋର ଉଭୟଙ୍କର ବନ୍ଧୁ ଥିଲେ ଲଳିତ ମୋହନ ଥାପର । ନୂଆଦିଲ୍ଲୀରେ ଥିବା ଲଳିତଙ୍କ ଘରେ ଆମ ତିନିଜଣଙ୍କର ନିୟମିତ ଭେଟ ହେଉଥିଲା । ‘ଲଳିତ ଥାପର ଗ୍ରୁପ୍ ଅଫ୍ କମ୍ପାନିଜ୍‌’ର ମୁଖ୍ୟ ଭାବେ ଲଳିତ ବେଶ୍ ଜଣାଶୁଣା ଥିଲେ ଏବଂ ତାଙ୍କ ଗ୍ରୁପ୍‍ କମ୍ପାନୀଗୁଡ଼ିକ ଥିଲେ ଅନେକ ଶିଳ୍ପର ଅଧିକାରୀ; ତା’ ଭିତରେ କ୍ରମ୍ପଟନ୍ ଗ୍ରିଭ୍ସ୍, ଜେସିଟି ମିଲ୍ସ ଏବଂ ବାଲାରପୁର ପେପର୍ ମିଲ୍ ଅନ୍ତର୍ଭୁକ୍ତ । ଏହି ପ୍ରେମ, ଯାହାଙ୍କ ଡାକ ନାମ ଗୁଡ୍ଡୁ, ତାଙ୍କ ମାଧ୍ୟମରେ ମୁଁ ବିଜୁଦାଙ୍କ ସଂସ୍ପର୍ଶରେ ଆସିଥିଲି । ସେ ମୋତେ ଭଲ ପାଉଥିଲେ ଏବଂ ମୋତେ ପୁଅ ପରି ଦେଖୁଥିଲେ ।

ବାସ୍ତବରେ ସେ ଜଣେ ଆଶ୍ଚର୍ଯ୍ୟ ଧରଣର ମଣିଷ ଥିଲେ । ଉଭୟ ମନ ଓ ହୃଦୟରେ ସେ ଥିଲେ ବିଶାଳ ବ୍ୟକ୍ତିତ୍ୱର ଅଧିକାରୀ । ବ୍ରିଟିଶ୍ ଶାସନ କାଳରେ ସେ ରିଆଲ୍ ଇଣ୍ଡିଆନ୍ ଏୟାର ଫୋର୍ସରେ କାର୍ଯ୍ୟାରମ୍ଭ କରିଥିଲେ ମଧ୍ୟ ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ଏବଂ ଜଣେ ବେଶ୍ ପାରଙ୍ଗମ ଓ ନିର୍ଭୀକ ପାଇଲଟ୍ ହୋଇଥିବାରୁ ପଣ୍ଡିତ ନେହରୁଙ୍କ ନିର୍ଦ୍ଦେଶରେ ଅନେକ ବିପଦପୂର୍ଣ୍ଣ କାର୍ଯ୍ୟର ସୁପରିଚାଳନା କରିଥିଲେ । ସେ କଳିଙ୍ଗ ଷ୍ଟିଲ୍ କମ୍ପାନୀ ଓ ଏକ ବିମାନ ଉଡ଼ାଣ କମ୍ପାନୀ ପ୍ରତିଷ୍ଠା କରିଥିଲେ । ଦୁଇଟିଯାକ କମ୍ପାନୀକୁ ବିକ୍ରି କରି ଟଙ୍କା ସଂଗ୍ରହ କରିଥିଲେ ଏବଂସେ ନିଷ୍ପତ୍ତି ନେଇଥିଲେ ଯେ ଜାତୀୟ ରାଜନୀତିରେ ପ୍ରବେଶ କରିବେ ।

ବିଜୁଦା ଇନ୍ଦିରା ଗାନ୍ଧୀଙ୍କର ଖୁବ୍ ଅନ୍ତରଙ୍ଗ ଥିଲେ । ତାଙ୍କୁ ସେ ଶ୍ରଦ୍ଧାରେ ‘ଇନ୍ଦୁ’ ଡାକୁଥିଲେ । ୧୯୬୯ର ରାଷ୍ଟ୍ରପତି ନିର୍ବାଚନରେ ଇନ୍ଦିରାଜୀଙ୍କ ନିର୍ଦ୍ଦିଷ୍ଟ ଦୃଷ୍ଟିଭଙ୍ଗୀକୁ ଚାହିଁ ଦୁହେଁ ରାସ୍ତା ଅଲଗା କରିନେଇଥିଲେ । ୧୯୭୫ରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେଲା, ବିଜୁଦା ଗିରଫ ହୋଇ ଜେଲ୍‌ରେ ଭର୍ତ୍ତିହେଲେ । ସେତେବେଳେ ମୁଁ ମହାରାଷ୍ଟ୍ର ସରକାରରେ କଂଗ୍ରେସ ଦଳର ମନ୍ତ୍ରୀ ଥିଲି ଏବଂ ଯେତେ ଶୀଘ୍ର ସମ୍ଭବ ବିଜୁଦା ଜେଲ୍‌ରୁ ଖଲାସ ହେବା ଦରକାର ବୋଲି ଇନ୍ଦିରାଜୀଙ୍କୁ କହିଥିଲି ।

୧୯୭୭ରେ ଜେଲରୁ ବାହାରିବା ପରେ, ସେ କିଛି ଦିନ ରାଜନୀତିରୁ ଦୂରେଇ ରହିଥିଲେ । ସେତିକି ବେଳେ ତାଙ୍କ ସାଙ୍ଗରେ କାଶ୍ମୀର ଯିବା ପାଇଁ ସେ ମୋତେ ଡାକିଥିଲେ । ଯେଉଁଠି ଆମେ ଦୁଇଜଣ ବେଶ୍ ଖୋଲାମେଲାରେ ଦଶ ଦିନ ବିତାଇଥିଲୁ । ତାଙ୍କୁ ଶୁଣିବା ଅର୍ଥ ହେଉଛି ନିଜର ଅଭିଜ୍ଞତା ବଢ଼ାଇବା । ୧୯୪୭ରେ ସେ ସଂପାଦିତ କରିଥିବା ଦୁଇଟି ବିସ୍ମୟକର ଅଭିଯାନ ସମ୍ପର୍କରେ ମୋତେ ଜଣାଇଥିଲେ । ଭାରତ ଏବଂ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମ ସେତେବେଳେ ଶୀର୍ଷ ସୋପାନରେ ପହଂଚିଥିଲା । ସେତେବେଳେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଏକ ସମ୍ମିଳନୀରେ ଇଣ୍ଡୋନେସିଆର ରାଷ୍ଟ୍ରପତି ସୁକର୍ଣ୍ଣୋ ତାଙ୍କର ସହଯୋଗୀ ସୂତନ ସାହାରିୟାର୍‍ ଯୋଗଦେବାର ଥିଲା । କିନ୍ତୁ ତାହା ଅସମ୍ଭବ ଥିଲା । କାରଣ ଇଣ୍ଡୋନେସିଆର ଆକାଶପଥ ଡଚ୍ ଅଧିକାରରେ ରହିଥିଲା । ବିଜୁଦାଙ୍କ ସାହସ ଓ ସ୍ପର୍ଦ୍ଧା ବିଷୟରେ ଅବଗତ ଥିବା ନେହରୁ ତାଙ୍କୁ ଏଥିରେ ନିୟୋଜିତ କରାଇଥିଲେ । ବିଜୁଦା ଓ ତାଙ୍କ ପତ୍ନୀ ଗୋଟିଏ ଡାକୋଟା ବିମାନରେ ଜାଭା ଉଡ଼ିଯାଇ, ସାହାରିୟାର୍‍ଙ୍କୁ ସିଙ୍ଗାପୁର ଦେଇ ଭାରତରେ ଆଣି ପହଂଚାଇଥିଲେ । ଇଣ୍ଡୋନେସିଆ ସରକାର ତାଙ୍କ ଅବଦାନକୁ ସ୍ମରଣ କରି ପରବର୍ତ୍ତୀ ସମୟରେ ତାଙ୍କୁ ସମ୍ମାନଜନକ ନାଗରିକ ଭାବେ ଗ୍ରହଣ କରିଥିଲେ ଏବଂ ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ପ୍ରଦାନ କରିଥିଲେ ।

ଅକ୍ଟୋବର ୧୯୪୭ରେ ବିଜୁଦା ତାଙ୍କର ଦ୍ୱିତୀୟ ମିସନ୍‌ଟିକୁ ସଫଳ କରିଥିଲେ । ସେତେବେଳେ ପାକିସ୍ତାନ ସେନା ଆମର ଅନେକ କ୍ଷୟକ୍ଷତି କରୁଥିଲା । ନେହେରୁଙ୍କ କଥାନୁସାରେ ବିଜୁଦା ଭାରତୀୟ ସୈନ୍ୟମାନଙ୍କୁ କାଶ୍ମୀରରେ ପହଂଚାଇଥିଲେ । ଆଖପାଖରେ ଆକ୍ରମଣକାରୀମାନେ ଥିଲେ । ଶ୍ରୀନଗରରେ ବିମାନ ଅବତରଣ ନ କରାଇବାକୁ ପ୍ରଧାନମନ୍ତ୍ରୀ ଅଫିସ୍ ତାଙ୍କୁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଦେଇଥିଲା । ତେବେ ବିପଜ୍ଜନକ ଅବସ୍ଥାରେ ବିମାନକୁ ନିମ୍ନାଭିମୁଖୀ କରାଇ ଆକ୍ରମଣକାରୀମାନେ ଅଛନ୍ତି କି ନାହାନ୍ତି ସେ କଥା ନିଜେ ବିଜୁଦା ଜାଣିବା ପରେ ବିମାନବନ୍ଦରରେ ବିମାନ ଅବତରଣ କରାଇଥିଲେ । ଅସାଧାରଣ ସାହସ ତାଙ୍କ ବ୍ୟକ୍ତିତ୍ୱ ସହ ଯୋଡ଼ି ହୋଇ ଏମିତି ଅନେକ ଉପକଥାରେ ପରିଣତ ହୋଇଥିଲା । ସେସବୁ ତାଙ୍କ ମୁହଁରୁ ଶୁଣି ମୁଁ ଚକିତ ନ ହୋଇ ରହିପାରିନଥିଲି ।

ତାଙ୍କର ସବୁକଥା ଓ କାର୍ଯ୍ୟରେ ସ୍ପଷ୍ଟବାଦିତା ଓ ଦୁଃସାହସିକତା ବାରି ହୋଇଯାଉଥିଲା । ୧୯୭୭ରୁ ୮୦ ଭିତରେ ସେ ଓଡ଼ିଶା ସରକାରଙ୍କ ପ୍ରତିନିଧି ଭାବରେ ରାଜ୍ୟ ମୁଖ୍ୟମନ୍ତ୍ରୀ ସମ୍ମିଳନୀଗୁଡ଼ିକରେ ଯୋଗ ଦେଇଥିଲେ । ସେତେବେଳେ ମୁଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲି । ସେହି ସମ୍ମିଳନୀରେ ମୁଁ ଦେଖିଛି ସେ ଦୃପ୍ତ ଭଙ୍ଗୀରେ ତାଙ୍କର ଭାଷଣ ରଖୁଥିଲେ ଏବଂ ପ୍ରୟୋଜନ ମନେ କଲେ ମଝିରେ ମଝିରେ ନିଜର ମନ୍ତବ୍ୟ ଦେଉଥିଲେ । ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରୁଥିବା ମୋରାରଜୀ ଦେଶାଇଙ୍କ ଭଳି ଜଣେ କଠୋର ପ୍ରଧାନମନ୍ତ୍ରୀ ସୁଦ୍ଧା ବିଜୁଦାଙ୍କୁ ତାଙ୍କ ରୋକଠୋକ କଥା ଶୈଳୀରୁ ନିବୃତ୍ତ କରିପାରୁନଥିଲେ ।

(ଲେଖକ ଭାରତୀୟ ରାଜନୀତିରେ ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ୱ, ଏହି ଲେଖାଟି ତାଙ୍କ ଆତ୍ମଜୀବନୀରୁ ସଂଗୃହିତ)

 

Leave a Reply

*