Blog

ଆନ୍ତର୍ଜାତିକ ଦୃଶ୍ୟପଟ୍ଟରେ ବିଜୁ ପଟ୍ଟନାୟକ

ଏପର୍ଯ୍ୟନ୍ତ କୌଣସି ଓଡ଼ିଆ ବିଜୁ ପଟ୍ଟନାୟକଙ୍କ ଭଳି ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଅର୍ଜନ କରି ନାହାଁନ୍ତି ବା ନିକଟ ଭବିଷ୍ୟତରେ ମଧ୍ୟ କେହି ସେଭଳି ସ୍ତରକୁ ଯିବାର ଆଶା ମଧ୍ୟ ନାହିଁ । ଯୁଗ ଯୁଗ ପାଇଁ ସେ ଓଡ଼ିଆ ଜାତିର ପରିଚୟ ହୋଇ ଦେଶରେ ଓ ଦେଶ ବାହାରେ ରହିଯିବେ ।

ପ୍ରିୟଦର୍ଶୀ ମିଶ୍ର

ଇଂରାଜୀରେ ଏକ ଉକ୍ତି ଅଛି – Some one born great, Some achieve greatness, some have greatness thrust upon them. ଉପରୋକ୍ତ ଉକ୍ତିଟିକୁ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପରିପ୍ରେକ୍ଷୀରେ ବିଶ୍ଳେଷଣ କଲେ ଦେଖାଯିବ ଯେ, ଯଥାର୍ଥରେ ବିଜୁ ପଟ୍ଟନାୟକ ଦ୍ୱିତୀୟ ପଂକ୍ତିର ଶ୍ରେଣୀଭୁକ୍ତ ଥିଲେ।

ଓଡ଼ିଶାରେ ଜନ୍ମ ହୋଇଥିବା ଏହି କ୍ଷଣଜନ୍ମା ପୁରୁଷ ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ବାଲ୍ୟକାଳରୁ ହିଁ ତାଙ୍କ ସୁଗୁଣର ପରିଚୟ ପ୍ରଦାନ କରିଥିଲେ । ସମୟକ୍ରମେ କେବଳ ନିଜ ରାଜ୍ୟ ବା ଦେଶ ନୁହେଁ, ଆନ୍ତର୍ଜାତିକ ସ୍ତରରେ ମଧ୍ୟ ସେ ନିଜକୁ ଜଣେ ଦକ୍ଷ ପାଇଲଟ୍ ଓ ସାହସୀ ବ୍ୟକ୍ତି ଭାବରେ ପ୍ରତିଷ୍ଠିତ କରିପାରିଥିଲେ । ଏହା ଓଡ଼ିଆମାନଙ୍କ ପାଇଁ କମ୍ ଗର୍ବ ଓ ଗୌରବର କଥା ନୁହେଁ । ଏପର୍ଯ୍ୟନ୍ତ କୌଣସି ଓଡ଼ିଆ ବିଜୁ ପଟ୍ଟନାୟକଙ୍କ ଭଳି ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଅର୍ଜନ କରି ନାହାଁନ୍ତି ବା ନିକଟ ଭବିଷ୍ୟତରେ ମଧ୍ୟ କେହି ସେଭଳି ସ୍ତରକୁ ଯିବାର ଆଶା ମଧ୍ୟ ନାହିଁ । ଯୁଗ ଯୁଗ ପାଇଁ ସେ ଓଡ଼ିଆ ଜାତିର ପରିଚୟ ହୋଇ ଦେଶରେ ଓ ଦେଶ ବାହାରେ ରହିଯିବେ ।

କୌତୂହଳର ବିଷୟ ଯେ, ସେ କେବଳ ଜଣେ ବିଶାଳ ଚେହେରାର ଅଧିକାରୀ ନଥିଲେ, ଏକ ବିଶାଳ ହୃଦୟ, ଦୃଢ଼ ସାହସିକତା ଓ ଅତ୍ୟନ୍ତ ଦୂରଦୃଷ୍ଟି ସଂପନ୍ନ ବ୍ୟକ୍ତିତ୍ୱ ଥିଲେ । ସେ ଯେ ଦିନେ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ବ୍ୟକ୍ତିତ୍ୱରେ ପରିଣତ ହେବେ, ତାହାର ଆଭାସ ମିଳିଥିଲା ରେଭେନ୍ସା କଲେଜରେ ଆଇ.ଏସ୍.ସି. ପଢ଼ୁଥିବା ବେଳେ । ସାଙ୍ଗମାନଙ୍କ ସହିତ କଟକରୁ ପେସାୱାର ପର୍ଯ୍ୟନ୍ତ ସାଇକେଲ ଯୋଗେ ଦୁଃସାହସିକ ଯାତ୍ରା, କଟକ କିଲ୍ଲା ପଡିଆରେ ଓହ୍ଲେଇଥିବା ବିମାନଟିକୁ ଛୁଇଁବାକୁ ଯାଇ ବ୍ରିଟିଶ ପୋଲିସ୍ ହାତରୁ ମାଡ ଖାଇବା ଓ ଭବିଷ୍ୟତ ଜୀବନରେ ପାଇଲଟ୍ ହେବା ପାଇଁ ପ୍ରତିଜ୍ଞା କରିବା ଦ୍ୱାରା ତତ୍ ପରବର୍ତ୍ତୀ ଅବସ୍ଥାରେ ପାଇଲଟ୍ ଟ୍ରେନିଂରେ ଯୋଗଦାନ କରି ଦେଶ ବିଦେଶ ଉଡି ବୁଲିବାର ନିଶା ମଧ୍ୟ ତାଙ୍କର ଦେଶର ସୀମା ସରହଦ ଅତିକ୍ରମ କରିଥିବାର ସୂଚନା ମିଳେ ।

୧୯୪୮ ମସିହାରେ ନେହରୁଙ୍କ ପରାମର୍ଶ କ୍ରମେ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ସେଠାକାର ପ୍ରଧାନମନ୍ତ୍ରୀ ସାହାରିୟର ଓ ଉପରାଷ୍ଟ୍ରତି ମହମ୍ମଦ ହଟ୍ଟାଙ୍କୁ ଡଚ୍‌ମାନଙ୍କ କବଳରୁ ଏକ ଡାକୋଟା ପ୍ଲେନ୍‌ରେ ଉଠାଇ ଆଣି ଦିଲ୍ଲୀରେ ପହଞ୍ଚାଇବା ଦ୍ୱାରା ଏବଂ ତତ୍ ପରବର୍ତ୍ତୀ ସମୟରେ ଇଣ୍ଡୋନେସିଆ ସରକାରଙ୍କ ଦ୍ୱାରା ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ସହଯୋଗ ନିମିତ୍ତ ୧୯୭୩ରେ ଭୂମିପୁତ୍ର ଉପାଧିରେ ଭୂଷିତ ହେବା ତାଙ୍କୁ ଆନ୍ତର୍ଜାତିକ ଖ୍ୟାତି ପ୍ରଦାନ କରିଥିଲା । ଓଡ଼ିଶାର ପୁରାତନ ନାମ କଳିଙ୍ଗକୁ ଅତୀବ ଶ୍ରଦ୍ଧା କରୁଥିବା ବିଜୁ ପଟ୍ଟନାୟକ ୧୯୫୧ ମସିହାରେ ବିଜ୍ଞାନକୁ ଲୋକପ୍ରିୟ କରିବା ଲକ୍ଷ୍ୟରେ ୟୁନେସ୍କୋ ଜରିଆରେ କଳିଙ୍ଗ ପୁରସ୍କାର ପ୍ରଚଳନର ଶୁଭାରମ୍ଭ କେବଳ ତାଙ୍କୁ ନୁହେଁ, ଓଡ଼ିଶାକୁ ଆନ୍ତର୍ଜାତିକ ସ୍ତରରେ ପରିଚିତ କରାଇ ପାରିଥିଲେ ।

୧୯୬୨ ଭାରତ-ଚୀନ୍ ଯୁଦ୍ଧ ବେଳେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଯୁଦ୍ଧ ପରାମର୍ଶଦାତା ନିଯୁକ୍ତ ଏବଂ ସୈନ୍ୟବାହିନୀକୁ ଖାଦ୍ୟ ପୁଡିଆ ଯୋଗାଣ କଳିଙ୍ଗ ଏୟାର ଲାଇନ୍ସ ଉପରେ ନ୍ୟସ୍ତ କରାଯାଇଥିଲା । ୧୯୬୫ ମସିହା ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସପ୍ତମ ନୌସେନା ଦ୍ୱାରା ଆକ୍ରମଣକୁ ଉଡାଇବା ପାଇଁ ଶାସ୍ତ୍ରୀଙ୍କ ଅନୁରୋଧ କ୍ରମେ ବିଜୁ ପଟ୍ଟନାୟକଙ୍କ ଇଣ୍ଡୋନେସିଆ ଯାତ୍ରା ତାଙ୍କ ଆନ୍ତର୍ଜାତିକ କୂଟନୀତି ଓ ପରାକାଷ୍ଠାର ପରିଚୟ ପ୍ରଦାନ କରେ ।

୧୯୭୪ ମସିହାରେ ବଙ୍ଗଳାଦେଶ ପ୍ରେସିଡେଣ୍ଟ ଶେଖ୍ ମୁଜିବୁର ରହମନଙ୍କୁ ହତ୍ୟା ଷଡଯନ୍ତ୍ରର ଦୁଃସମ୍ବାଦ ପାଇ ତାଙ୍କୁ ଉଦ୍ଧାର କରିବାକୁ ବିଜୁ ପଟ୍ଟନାୟକ ଏକ ଉଡାଜାହାଜ ଧରି ଢ଼ାକାରେ ପହଞ୍ଚିବା ଓ ଦୁର୍ଭାଗ୍ୟକ୍ରମେ ସେତେବେଳକୁ ଆତତାୟୀମାନେ ତାଙ୍କୁ ହତ୍ୟା କରିଦେବା ଭଳି ଘଟଣାବଳୀ ତାଙ୍କୁ ଯଥାର୍ଥରେ ଏକ ଆନ୍ତର୍ଜାତିକ ପରିଚୟ ପ୍ରଦାନ କରେ ।

ବ୍ରିଟିଶ ବିମାନ ବାହିନୀର ଜଣେ ପାଇଲଟ୍ ଭାବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମସ୍କୋ ଠାରୁ ଅନ୍ୟାନ୍ୟ ପ୍ରମୁଖ ଯୁଦ୍ଧକ୍ଷେତ୍ର ଗୁଡିକୁ ଏକାଧିକ ବାର ଦୁଃସାହସିକ ଅଭିଯାନରେ ବିଜୁବାବୁ ଯାତ୍ରା କରିଥିଲେ ଓ ରୁଷୀୟମାନଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ । ଚୀନ୍ ଦ୍ୱାରା ମଧ୍ୟ ସମ୍ମାନିତ ହୋଇଥିଲେ । ଜୟ ପ୍ରକାଶଙ୍କ ସ୍ୱତନ୍ତ୍ର ବାର୍ତ୍ତାବହ ଭାବେ ସୁଭାଷ ବୋଷଙ୍କ ସହିତ ସଂପର୍କ ପ୍ରତିଷ୍ଠା ପାଇଁ ବର୍ମା ଅଭିମୁଖେ ଉଡିଯିବା ପୂର୍ବରୁ ସେ ଗିରଫ ହୋଇଥିଲେ ।

ତତ୍କାଳୀନ କେନ୍ଦ୍ରମନ୍ତ୍ରୀ କିଦ୍ୱାଇଙ୍କ ଜରୁରୀ ଫୋନ୍ ବାର୍ତ୍ତା ପାଇ ଉଡାଜାହାଜମାନଙ୍କରେ ରାଇଫଲ ଭର୍ତ୍ତିକରି ତୁରନ୍ତ ନେପାଳ ନେଇ ସେଗୁଡିକୁ ବି.ପି. କୋଇରାଲାଙ୍କୁ ପ୍ରଦାନ କରି ସେଠାରେ ରାଣା ସୈନ୍ୟଙ୍କ ସହିତ ଯୁଦ୍ଧକରି ଗୃହଯୁଦ୍ଧର ଅବସାନ ପରେ ରାଇଫଲଗୁଡିକୁ ଫେରାଇ ଆଣିବା ଉପାଖ୍ୟାନ ଆନ୍ତର୍ଜାତିକ କଟକଣା ଯୋଗୁଁ ଲୋକଲୋଚନକୁ ଆସିପାରି ନଥିଲେ ମଧ୍ୟ ଏହା ବିଜୁ ପଟ୍ଟନାୟକଙ୍କ ଦ୍ୱାରା ହିଁ ସମ୍ଭବ ହୋଇପାରିଥିଲା ।

କାଶ୍ମୀରରେ ପାକିସ୍ତାନୀ ଅନୁପ୍ରବେଶ ବେଳେ ଯେତେବେଳେ କାଶ୍ମୀରର ପ୍ରଧାନମନ୍ତ୍ରୀ ଶେଖ୍‍ ଅବଦ୍ଦୁଲା ଭାରତର ସାହାଯ୍ୟ ଲୋଡିଲେ ସେତେବେଳେ ଭାରତ ଯେଉଁ କେତୋଟି ବିମାନ କାଶ୍ମୀରକୁ ତୁରନ୍ତ ପଠାଇଥିଲେ, ସେଥି ଭିତରୁ ବିଜୁ ପଟ୍ଟନାୟକ ହେଉଛନ୍ତି ପ୍ରଥମ, ଯେକି କାଶ୍ମୀର ମାଟିରେ ଅବତରଣ କରିଥିଲେ ।

ଭାରତର ଗୌରବ ଓ ସ୍ୱାଭିମାନକୁ ଆନ୍ତର୍ଜାତିକ କ୍ଷେତ୍ରରେ ପ୍ରତିଷ୍ଠା ପାଇଁ ସେ ପ୍ରୟାସ କରିଥିଲେ । ଯେଉଁଦିନ ବ୍ରିଟିଶ ବ୍ରିଗେଡିୟରଙ୍କୁ କ୍ୱେଟା (ବର୍ତ୍ତମାନ ଆଫଗାନିସ୍ତାନରେ)କୁ ପ୍ଲେନ୍‌ରେ ଉଡାଇ ନେବା ବେଳେ ସେ ବ୍ଲଡି ଇଣ୍ଡିଆନ୍ ପାଇଲଟ୍ କହିଥିବାରୁ ତାଙ୍କୁ ପ୍ଲେନ୍‌ରେ ବିଜୁ ପଟ୍ଟନାୟକ ଠିଆ କରାଇ ଶାସ୍ତି ବିଧାନ କରାଇଥିଲେ । ଯଦିଓ ସେଠାରୁ ଫେରି ସେ ଦିଲ୍ଲୀରେ ଗିରଫ ହୋଇଥିଲେ, ଏଥିରୁ ଆନ୍ତର୍ଜାତିକ ସ୍ତରରେ ଭାରତର ମର୍ଯ୍ୟାଦା ପାଇଁ ତାଙ୍କର ଗଭୀର ଦେଶପ୍ରେମର ସୂଚନା ମିଳେ ।

ସେହି ବିଶ୍ୱ ବିସ୍ତୃତ ବ୍ୟକ୍ତିର ମହାପ୍ରୟାଣରେ ତାଙ୍କ ମର ଶରୀର ଉପରେ ଥିବା ରୁଷିଆ, ଇଣ୍ଡୋନେସିଆ ଓ ଭାରତର ଜାତୀୟ ପତାକା କେବଳ ଜଣେ ଓଡ଼ିଆ କାହିଁକି, କୌଣସି ଭାରତୀୟଙ୍କ ଭାଗ୍ୟରେ ମଧ୍ୟ ଜୁଟିନାହିଁ । ବିଜୁ ପଟ୍ଟନାୟକ ଓଡ଼ିଶାକୁ, ଉତ୍କଳକୁ, କଳିଙ୍ଗକୁ ଖାଲି ଭଲ ପାଉନଥିଲେ, ସେ ଭାରତ ଓ ସମଗ୍ର ବିଶ୍ୱକୁ ଭଲ ପାଉଥିଲେ।

କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହି ଯେ, ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ, ଆନ୍ତର୍ଜାତୀୟ ବ୍ୟକ୍ତିତ୍ୱ ତଥା ଲୋକପ୍ରିୟ ଜନନାୟକ ବିଜୁ ବାବୁଙ୍କୁ ‘ଭାରତ ରତ୍ନ’ ପ୍ରଦାନ କରିବାକୁ ବର୍ଷ ବର୍ଷ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ଭାରତ ସରକାର ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ଦେବାକୁ କୁଣ୍ଠାବୋଧ କରିଆସୁଛନ୍ତି । ସ୍ୱର୍ଗତଃ ଦୀନଦୟାଲ ଉପାଧ୍ୟାୟ ଓ ଗୁରୁଗୋବିନ୍ଦ ସିଂଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ କେନ୍ଦ୍ର ସରକାର ଶହେ କୋଟି ଟଙ୍କା ଲେଖାଏଁ ପାଣ୍ଠି ବ୍ୟବସ୍ଥା କରିଥିବା ସମୟରେ ବିଜୁ ବାବୁଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଗୋଟିଏ ବି ଟଙ୍କାର ପାଣ୍ଠି ବ୍ୟବସ୍ଥା କରାଯାଇନାହିଁ । ଏଭଳି ପାତର ଅନ୍ତର କ’ଣ ପାଇଁ?

(ଲେଖକ ଜଣେ ଜଣାଶୁଣା ଛାତ୍ରନେତା ତଥା ରାଜନୀତିଜ୍ଞ)

ବିଧାୟକ, ଭୁବନେଶ୍ୱର

 

Leave a Reply

*