Blog

ଆଉ ଜଣେ ଖାରବେଳ

ସମୁଦ୍ର କୂଳରେ ଠିଆ ହୋଇ ସମୁଦ୍ରର ବିଶାଳତାକୁ ଯେମିତି ବର୍ଣ୍ଣନା କରିହୁଏନି, ସେମିତି ଅଶୀ ବର୍ଷରୁ ଊର୍ଦ୍ଧ୍ୱ ଏବଂ କର୍ମମୟ ଜୀବନର ଏକ କିମ୍ବଦନ୍ତୀ ପୁରୁଷଙ୍କ ବିଷୟରେ ବର୍ଣ୍ଣନା କରିବାରେ ମୋର ଅସହାୟତା ଏକ ସ୍ୱାଭାବିକ ଭାବନା ।

ପ୍ରଶାନ୍ତ ନନ୍ଦ

ସମୁଦ୍ର କୂଳରେ ଠିଆ ହୋଇ ସମୁଦ୍ରର ବିଶାଳତାକୁ ଯେମିତି ବର୍ଣ୍ଣନା କରିହୁଏନି, ସେମିତି ଅଶୀ ବର୍ଷରୁ ଊର୍ଦ୍ଧ୍ୱ ଏବଂ କର୍ମମୟ ଜୀବନର ଏକ କିମ୍ବଦନ୍ତୀ ପୁରୁଷଙ୍କ ବିଷୟରେ ବର୍ଣ୍ଣନା କରିବାରେ ମୋର ଅସହାୟତା ଏକ ସ୍ୱାଭାବିକ ଭାବନା ।

ମୁଁ ତାଙ୍କୁ ଭିନ୍ନ ଭିନ୍ନ ସମୟରେ ଦେଖିଚି ।

ଭିନ୍ନ ରୂପରେ ଦେଖିଚି ।

ଭିନ୍ନ ପରିସ୍ଥିତିରେ ବି ଦେଖିଚି ।

ହେଲେ ତାଙ୍କ ସଂସ୍ପର୍ଶରେ ଆସି ତାଙ୍କୁ ଭଲ ଭାବରେ ଦେଖିଲି ଯେତେବେଳେ ମୁଁ ଆରମ୍ଭ କରିବାକୁ ଗଲି ମୋର ଚିର ଇପ୍‌ସିତ, ଦୂରଦର୍ଶନ ପ୍ରାୟୋଜିତ ‘ସମ୍ରାଟ ଖାରବେଳ’।

ଦିଲ୍ଲୀ ଦୂରଦର୍ଶନ ତରଫରୁ ‘ସମ୍ରାଟ ଖାରବେଳ’ ହିନ୍ଦୀରେ ନିର୍ମାଣ କରିବାକୁ ସୁଯୋଗ ମିଳିଲା ପ୍ରାୟୋଜକ ସୁବାସ ରଥଙ୍କୁ । ସୁବାସ ରଥ ମତେ ନିର୍ଦ୍ଦେଶନାର ଦାୟିତ୍ୱ ଦେଲେ । ତା’ପରେ ଆରମ୍ଭ ହେଲା ପଢ଼ାପଢ଼ି । ଖାରବେଳଙ୍କ ଉପରେ ବହୁତ ବହି (ଯାହା ଓଡ଼ିଆ ଓ ଇଂରାଜୀ ଭାଷାରେ ଲେଖାଯାଇଥିଲା) ପଢ଼ି ରାଜନୀତିଜ୍ଞ ଓ ଐତିହାସିକ ଡକ୍ଟର କାର୍ତ୍ତିକେଶ୍ୱର ପାତ୍ରଙ୍କ ସାହାଯ୍ୟରେ ଯେତେବେଳେ ସ୍କ୍ରିପ୍ଟ କାମ ସରିଲା, ସେତେବେଳେ ମୁଁ ଆଉ ପ୍ରଯୋଜକ ଅନୁଭବ କଲୁ ଯେ ଆମର ସ୍ୱପ୍ନ ବିନା ରାଜ୍ୟର ସରକାରଙ୍କର ସହାୟତାରେ ପୂରା ହୋଇପାରିବନି ।

ସେତେବେଳେ ବିଜୁ ପଟ୍ଟନାୟକଙ୍କର ଐତିହାସିକ ବିଜୟ ହେଇଥାଏ । ଦୀର୍ଘ ସତେଇଶି ବର୍ଷ ପରେ ସେ ହେଇଥାଆନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ।

ମୁଁ ତାଙ୍କ ପାଖକୁ ଗଲି । ତାଙ୍କ ପାଖେ ପହଂଚିବାରେ କୋଣସି ବାଧା ନଥାଏ ।

ତାଙ୍କ ପାଖରେ ପହଂଚି ମୁଁ ସରକାରଙ୍କର ସାହାଯ୍ୟ ଭିକ୍ଷା କଲି । ହଠାତ୍ ଚମକି ପଡ଼ିଲେ ସେ । କହିଲେ ‘କ’ଣ ଖାରବେଳ ତୁ ନିର୍ଦ୍ଦେଶନା ଦବୁ? କ’ଣ ଜାଣିଚୁ ତୁ?’

ଏମିତି ଏକ ପ୍ରଶ୍ନ ଆଶା କରୁନଥିଲି ତାଙ୍କଠାରୁ । ନମ୍ର ଭାବରେ କହିଲି- “ଓଡ଼ିଶାରେ ଯଦି କେହି ‘ଖାରବେଳ’ କରିପାରିବ ସେ ହଉଚି ମୁଁ ।”

ମୋର ଦୃଢ଼ତା ଦେଖି ସେ ବହୁତ ଆଚମ୍ବିତ ହେଲେ । କହିଲେ- “କାଲି ସକାଳ ସାତଟାରେ ତୁ ନବୀନ ନିବାସରେ ପହଂଚି ‘ଖାରବେଳ’ରେ ତୁ କ’ଣ ପ୍ରୋଜେକ୍ଟ କରିବାକୁ ଚାହୁଁ ମତେ କହିବୁ ।  ମୁଁ ତୋଠୁଁ ସେତେକ ଶୁଣିଲା ପରେ ମୋ ମତାମତ ଦେବି ।” “ସେ ରାତି ମୁଁ ଶୋଇନି । କ’ଣ କହିବି ତାଙ୍କୁ । ସବୁ ଶୁଣିବା ପରେ ଯଦି ସେ ମନା କରିଦିଅନ୍ତି? ଏମିତି ଅନେକ ପ୍ରଶ୍ନ ମତେ ବ୍ୟଥିତ କରୁଥାଏ ।

ସକାଳ ହେଲା । ସୂର୍ଯ୍ୟ ଆସିଲେ । ମତେ ଲାଗୁଥାଏ ସୂର୍ଯ୍ୟ ଯେମିତି ମୁଚୁକି ହସି ମତେ କହୁଛନ୍ତି, “ସାରା ଜୀବନ ଯେତେ ଚଳଚ୍ଚିତ୍ର କରିଚୁ ସେସବୁର ଅନୁଭୁତି ନେଇ ଆଜି ତତେ ପରୀକ୍ଷା ଦେବାକୁ ପଡ଼ିବ । ସେ ବିଜୁବାବୁ। ଓଡ଼ିଆମାନଙ୍କର ହୃଦୟର ସମ୍ରାଟ ବିଜୁବାବୁ । ଥରେ ସମ୍ରାଟଙ୍କ ହୃଦୟ ଜିତିଲା ପରେ ଦେଖିବୁ, ସ୍ୱର୍ଗ ଆଉ ମାତ୍ର ଦି ଆଙ୍ଗୁଳି ବାକି ଅଛି ।”

ନବୀନ ନିବାସରେ ପହଂଚୁ ପହଂଚୁ ଜଣେ ଆସି ମତେ ଉପରକୁ ନେଇଗଲା । ନିତ୍ୟକର୍ମ ସାରି ଜଳଖିଆ ଖାଇ ସେ ଅପେକ୍ଷା କରିଛନ୍ତି ମତେ ତାଙ୍କ ବାରଣ୍ଡାରେ । ତାଙ୍କର ଅତି ପ୍ରିୟ ଆରାମ୍ ଚଉକିରେ । ସାମ୍ନାରେ ଗୋଟିଏ ମାତ୍ର ଚୌକି । ମତେ ବସିବାକୁ ଆଦେଶ ଦେଲେ । ତାଙ୍କ ବ୍ୟକ୍ତିତ୍ୱ ଆଗରେ ଚଉକିରେ କେମିତି ବସିବାକୁ ହୁଏ ତା’ ବି ଭୁଲିଗଲି । ତାଙ୍କ ଗୁରୁ ଗମ୍ଭୀର କଣ୍ଠରେ ସେ ପଚାରିଲେ “କହ ମତେ, କ’ଣ ଜାଣିଚୁ ତୁ ଖାରବେଳ ବିଷୟରେ ।”

ମୁଁ ଏଇ ପ୍ରଶ୍ନକୁ ଅପେକ୍ଷା କରିଥିଲି ।

ମୁଁ କହିଲି, “ସମ୍ରାଟ ଅଶୋକଙ୍କର ନିଷ୍ଠୁର କଳିଙ୍ଗ ଆକ୍ରମଣ କଳିଙ୍ଗକୁ ଧ୍ୱସ୍ତ କରି ଦେଇଥିଲେ ବି କଳିଙ୍ଗବାସୀ ତାଙ୍କର ସ୍ୱାଭିମାନକୁ ବଜାୟ ରଖି ଆତ୍ମସମର୍ପଣ କରିନଥିଲେ । ଦୀର୍ଘ ଦିନର ଯୁଦ୍ଧପରେ ବ୍ୟସ୍ତ ଓ ବିବ୍ରତ ହେଇ ସେ କଳିଙ୍ଗ ଯୁଦ୍ଧ ଜିତିଛନ୍ତି ବୋଲି ଘୋଷଣାକରି ମଗଧ ଫେରିଥିଲେ । ସାଂଗରେ ନେଇଗଲେ ଦେଢ଼ଲକ୍ଷ କଳିଙ୍ଗକୁ ବନ୍ଦୀକରି। ତେଣୁ ତା’ପରେ ସମଗ୍ର କଳିଙ୍ଗରେ ଖାଲି ଗୋଟାଏ ଶବ୍ଦ ପ୍ରତିଧ୍ୱନିତ ହେଲା ପ୍ରତିଶୋଧ, ପ୍ରତିଶୋଧ । ଆଉ କଳିଙ୍ଗବାସୀଙ୍କ ଆତ୍ମାଭିମାନକୁ ସମ୍ମାନ ଜଣେଇ ଯିଏ ପ୍ରତିଶୋଧ ନେଇ ପାରିଥିଲେ, ମଗଧକୁ କଳିଙ୍ଗ ମାତା ଆଗରେ ଆତ୍ମସମର୍ପଣ କରେଇଥିଲେ, ସେଇ ହଉଛନ୍ତି ଖାରବେଳ ।”

ଏତକ ଶୁଣି ବିଜୁବାବୁଙ୍କ ଆଖିରୁ ଧାର ଧାର ହେଇ ଲୁହ ଗଡ଼ି ପଡ଼ିଲା । ବାଷ୍ପରୁଦ୍ଧ ସ୍ୱରରେ ଗୋଟିଏ ମାତ୍ର ଶବ୍ଦ ସେ ଉଚ୍ଚାରଣ କରି ପାରିଲେ “ଚମତ୍କାର” ।

ମୁଁ ଆଶ୍ୱସ୍ତ ହେଲି ।

ତା’ପରେ କହିଲେ, “ମୋ ସରକାର ତତେ ସବୁ ପ୍ରକାର ସାହାଯ୍ୟ କରିବ ।”

ବାସ୍-ସେତିକି ମୋ ପାଇଁ ଯଥେଷ୍ଟ ଥିଲା ।

ଖାରବେଳର ମହୁରତ ହେଲା ରାଣୀଗୁମ୍ଫାରେ । ପ୍ରାୟ ପାଞ୍ଚହଜାର କଳାକାରଙ୍କୁ ନେଇ କରିଥିଲି ସେ ମହୁରତ ଉତ୍ସବ ।

ମିଳିନ୍ଦ୍ ଗୁଣାଜୀଙ୍କୁ ଖାରବେଳ ପୋଷାକରେ ସଜେଇ ତାଙ୍କ ପାଖକୁ ଆଣିବା ପରେ ସେ ଦେଖି କହିଲେ, “ଖାରବେଳ ପାଇଁ ଏ ପିଲା ଏକଦମ୍ ଫିଟ୍ । କୋଉଠୁ ଖୋଜି ପାଇଲୁ ୟାକୁ?”

ମୁଁ କହିଲି, “ବମ୍ବେରୁ”

ପରିହାସରେ ମତେ କହିଲେ, “ଏଇଠି ତୋ ସାମ୍ନାରେ ପରା ଗୋଟାଏ ଖାରବେଳ ଠିଆ ହେଇଚି । ତତେ ଦେଖାଗଲାନି ଯେ ତୁ ବମ୍ବେରୁ ୟାକୁ ନେଇକରି ଆସିଲୁ?”

ମୁଁ କାଳବିଳମ୍ବ ନ କରି ଆଉ ଗୋଟାଏ ପଗଡ଼ି ଆଉ ତରବାରି ରଖିଥିଲି । ପଗଡ଼ି ତାଙ୍କୁ ପିନ୍ଧେଇ ଦେଲି ଆଉ ତରବାରୀ ତାଙ୍କ ଅଣ୍ଟାରେ ବାନ୍ଧିଦେଲି । ଉପସ୍ଥିତ ହଜାର ହଜାର ଦର୍ଶକ ତାଳିରେ କମ୍ପେଇଦେଲେ ରାଣୀଗୁମ୍ଫା।

ମତେ ଡାକି ପଦେ କଥା କହିଲେ ଯାହା ମୁଁ କେବେ ବି ଭୁଲି ପାରିବି ନାହିଁ ।

“ମୁଁ ଯେବେଠୁ ଖାରବେଳ ପଢ଼ିଚି ସେବେଠୁଁ ମୁଁ ନିଜକୁ ଖାରବେଳ ରୂପରେ ତିଆରି କରିବାକୁ ଚେଷ୍ଟା କରିଚି। ଜାଣିନି ମୁଁ କେତେ ସଫଳ ହେଇଚି । ତୁ ଖାରବେଳଙ୍କର ପଗଡ଼ି ଆଉ ତରବାରୀ ମତେ ଦେଇ ମୋର ଶୋଇପଡ଼ିଥିବା ସ୍ୱପ୍ନକୁ ଜାଗ୍ରତ କରେଇ ଦେଲୁ ।”

ଏଇ କଥା ପଦିକରେ ତାଙ୍କ ବ୍ୟକ୍ତିତ୍ୱ ଝଲସି ଉଠିଲା । ଯୋଉଦିନ ତାଙ୍କ ମରଶରୀର ପୁରୀର ସ୍ୱର୍ଗଦ୍ୱାର ପାଖେ ପହଂଚିଲା, ସେତେବେଳେ ଲକ୍ଷ ଲକ୍ଷ ଲୋକ ବିନା ନିମନ୍ତ୍ରଣରେ ବିନା ଖବରରେ ଜମା ହେଇଗଲେ ମହୋଦଧି କୂଳରେ । ସମସ୍ତଙ୍କ ଆଖିରେ ଥିଲା ଲୁହ ।

ସମସ୍ତଙ୍କ ହୃଦୟ ଭିତରେ ଥିଲା ଗୋଟିଏ କଥା- “ଆଉ ଏମିତି ଖାରବେଳ ଓଡ଼ିଶା ମାଟିରେ ପୁଣି କେବେ ଉଭା ହେବ?”

(ଲେଖକ ଜଣେ ବିଶିଷ୍ଟ ସିନେ ନିର୍ମାତା ତଥା ସ୍ତମ୍ଭକାର)

ରୁବି

ନ୍ୟୁ ଫରେଷ୍ଟ ପାର୍କ, ଭୁବନେଶ୍ୱର

 

Leave a Reply

*