Blog

ଅନନ୍ୟ ବିସ୍ମୟ ପୁରୁଷ – ବିଜୁ ପଟ୍ଟନାୟକ

ଦେଶର ସ୍ୱାଧୀନତା ପରେ ନିଜ କାନ୍ଧରେ ଓଡିଆ ଜାତିକୁ ଉଠାଇବାର ସମଗ୍ର ଓଜନ ବହନ କରି ସେ ସାରା ପୃଥିବୀ ଘୂରିବୁଲୁଥିଲେ । ସେ ସବୁଆଡ଼େ କହି ବୁଲୁଥିଲେ, “ମୋ ଓଡ଼ିଶା, ପ୍ରତ୍ୟେକ ଓଡ଼ିଆ ମୋ ଭାଇ, ଆମେ ସବୁ ଏକ ଦୁର୍ଦ୍ଧର୍ଷ ଓ ବୀର ଜାତିର ସନ୍ତାନ, ଆମ ସଂସ୍କୃତି ଶ୍ରେଷ୍ଠ ଓ ସ୍ୱତନ୍ତ୍ର, ଆମ ଐତିହ୍ୟ ବିଶ୍ୱରେ ବିରଳ ।” ସେ କେବଳ ବାକ୍ୟବୀର ନ ଥିଲେ, ସେ ଥିଲେ ଜଣେ କର୍ମବୀର ।

ଡକ୍ଟର ବିମଳେନ୍ଦୁ ମହାନ୍ତି

ବିଜୁ ପଟ୍ଟନାୟକ ଜନ୍ମଗ୍ରହଣ କରିଥିଲେ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ କଟକ ସହରର ତୁଳସୀପୁର ସ୍ଥିତ “ଆନନ୍ଦ ଭବନ’ରେ । ତାଙ୍କ ପିତାଙ୍କ ନାମ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ମାତାଙ୍କ ନାମ ଆଶାଦେବୀ । ୧୯୯୭ ମସିହା ଏପ୍ରିଲ ୧୭ ତାରିଖରେ ଦିଲ୍ଲୀର ଏସ୍କର୍ଟ ଡାକ୍ତରଖାନାରେ ସେ ଇହଲୀଳା ସମ୍ବରଣ କରିଥିଲେ ।

ପିଲାଦିନେ ବଙ୍କିମଚନ୍ଦ୍ର ଚାଟାର୍ଜୀଙ୍କ “ଆନନ୍ଦ ମଠ’ ପଢ଼ି ତାଙ୍କ ଶରୀର ପୁଲକିତ ହୋଇଥିଲା । ମହାପରାକ୍ରମୀ ଦୁର୍ଦ୍ଧର୍ଷ ସମ୍ରାଟ ମହାମେଘବାହନ ଐରଖାରବେଳ ଥିଲେ ତାଙ୍କ ଜୀବନର ଆଦର୍ଶ । କିଶୋର ଅବସ୍ଥାରେ ମଧୁସୂଦନ ଦାସ ଓଡ଼ିଆମାନଙ୍କୁ ଏକତ୍ରିତ କରି ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ଗଠନ କରିବାକୁ ନିଜର ସମସ୍ତ ଧନସମ୍ପତ୍ତି ଓ ଜୀବନକୁ ସମର୍ପଣ କରିଥିଲେ । ତାହା ବିଜୁ ପଟ୍ଟନାୟକଙ୍କ ମନରେ ଗଭୀର ରେଖାପାତ କରିଥିଲା । ଭାରତର ସ୍ୱାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ବିଭିନ୍ନ କାର୍ଯ୍ୟାବଳୀ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଅଛି । ତାଙ୍କ ଝିଅ ଗୀତା ମେହେଟ୍ଟା ନିଜ ଲିଖିତ ଇଂରାଜୀ ପୁସ୍ତକ “Snake and Ladder” (ସାପ ଓ ସିଡି)ରେ ବାପାଙ୍କ ଦୁଃସାହସିକ କାର୍ଯ୍ୟ ସମ୍ବନ୍ଧରେ ଉଲ୍ଲେଖ କରିଛନ୍ତି ।

ଦେଶର ସ୍ୱାଧୀନତା ପରେ ନିଜ କାନ୍ଧରେ ଓଡିଆ ଜାତିକୁ ଉଠାଇବାର ସମଗ୍ର ଓଜନ ବହନ କରି ସେ ସାରା ପୃଥିବୀ ଘୂରିବୁଲୁଥିଲେ । ସେ ସବୁଆଡ଼େ କହି ବୁଲୁଥିଲେ, “ମୋ ଓଡ଼ିଶା, ପ୍ରତ୍ୟେକ ଓଡ଼ିଆ ମୋ ଭାଇ, ଆମେ ସବୁ ଏକ ଦୁର୍ଦ୍ଧର୍ଷ ଓ ବୀର ଜାତିର ସନ୍ତାନ, ଆମ ସଂସ୍କୃତି ଶ୍ରେଷ୍ଠ ଓ ସ୍ୱତନ୍ତ୍ର, ଆମ ଐତିହ୍ୟ ବିଶ୍ୱରେ ବିରଳ ।” ସେ କେବଳ ବାକ୍ୟବୀର ନ ଥିଲେ, ସେ ଥିଲେ ଜଣେ କର୍ମବୀର ।

୧୯୫୨ ମସିହାରେ ହୋଇଥିବା ପ୍ରଥମ ସାଧାରଣ ନିର୍ବାଚନରେ ବିଜୁ ପଟ୍ଟନାୟକ କଂଗ୍ରେସ ପ୍ରାର୍ଥୀ ଭାବରେ ଗଂଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ନିର୍ବାଚନମଣ୍ଡଳୀରୁ ପ୍ରତିଯୋଗିତା କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେହିଭଳି ୧୯୫୭ ମସିହାରେ ହୋଇଥିବା ଦ୍ୱିତୀୟ ସାଧାରଣ ନିର୍ବାଚନରେ ବିଜୁବାବୁ ଗଂଜାମ ଜିଲ୍ଲାର ସୋରଡା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ସଦସ୍ୟ ଭାବରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୧ ମସିହାରେ ଓଡ଼ିଶାରେ ତୃତୀୟ ସାଧାରଣ ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ କଂଗ୍ରେସ ୮୨ଟି ସ୍ଥାନରେ ବିଜୟୀ ହୋଇଥିଲା ଏବଂ ବିଜୁ ପଟ୍ଟନାୟକ ହୋଇଥିଲେ ମୁଖ୍ୟମନ୍ତ୍ରୀ । ୧୯୬୧ରୁ ୧୯୬୩ ମସିହା ପର୍ଯ୍ୟନ୍ତ ମାତ୍ର ଦୁଇ ବର୍ଷ ମୁଖ୍ୟମନ୍ତ୍ରିତ୍ୱ କାଳରେ ସେ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ । କେନ୍ଦ୍ର ସରକାରଙ୍କର ବିନା ଅନୁମତିରେ ଓ ସାହାଯ୍ୟରେ ପାରାଦୀପ ଠାରେ ସେ ଏକ ବନ୍ଦର ପ୍ରତିଷ୍ଠା କରିଥିଲେ । ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ୩ ଜାନୁଆରୀ ୧୯୬୨ରେ ଏହି ବନ୍ଦରର ଶିଳାନ୍ୟାସ କରିଥିଲେ । ଏହି ବନ୍ଦର ଓଡ଼ିଶାର ଅର୍ଥନୈତିକ ପ୍ରଗତିର ଏକ ମୂଳଦୁଆ ସୃଷ୍ଟି କରିବ ବୋଲି ଭଲଭାବରେ ଜାଣି ସେ ଓଡ଼ିଶା ରାଜକୋଷରୁ ସେତେବେଳେ ୧୯ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ସେଥିପାଇଁ ତାଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଦୈତାରୀ ଠାରୁ ପାରାଦୀପ ପର୍ଯ୍ୟନ୍ତ ୯୧ କି.ମି. ଦୂରତ୍ୱର ଏକ୍ସପ୍ରେସ୍ ହାଇୱେ ନିର୍ମାଣ କରି ସେ ଭାରତରେ ସମସ୍ତଙ୍କୁ ଚକିତ କରାଇଦେଇଥିଲେ । ସେହି ଦୁଇ ବର୍ଷ ଭିତରେ ରାଜ୍ୟର ଶିଳ୍ପ, ବିଶେଷକରି କୁଟୀରଶିଳ୍ପ, କୃଷି ଓ ଶିକ୍ଷା ଆଦି ପ୍ରତ୍ୟେକ କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି କରାଇଥିଲେ । ବାଲିମେଳା ନଦୀବନ୍ଧ ଯୋଜନା, ତାଳଚେର ଥର୍ମାଲ ପ୍ରକଳ୍ପ, ସୁନାବେଡ଼ା ମିଗ୍ କାରଖାନା, ବଡ଼ବିଲ ଲୁହା କାରଖାନା, ନାଲକୋ ଆଲୁମିନିୟମ ପ୍ରକଳ୍ପ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଆଦି ଶିଳ୍ପକାରଖାନା ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ବୁର୍ଲା ଇଂଜିନିୟରିଂ କଲେଜ, ରିଜିଓନାଲ ରିସର୍ଚ୍ଚ ଲାବୋରେଟୋରୀ, ସୈନିକ ସ୍କୁଲ, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଓ ବହୁ ବିଜ୍ଞାନ କଲେଜ ପ୍ରଭୃତି ଅନୁଷ୍ଠାନର ସେ ଥିଲେ ପ୍ରତିଷ୍ଠାତା । ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ବୋର୍ଡ, ଓଡ଼ିଶା ଶିଳ୍ପ ବିକାଶ ନିଗମ, ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମ ଆଦି ବହୁ ନିଗମ ଓ ବୋର୍ଡ ସ୍ଥାପନ ସେହି ସମୟରେ କରାଯାଇଥିଲା ।

କଳିଙ୍ଗ ନାମଟିକୁ ପୁନଃପ୍ରତିଷ୍ଠା କରିବା ପାଇଁ ତାଙ୍କ ଉଦ୍ୟମ ଅସାମାନ୍ୟ ଥିଲା । ତାହାର କାରଣ ପୂର୍ବକାଳରେ ଭାରତର ବହୁ ଜାତି ସମୁଦ୍ରରେ ବାଣିଜ୍ୟ କରୁଥିଲେ ମଧ୍ୟ କଳିଙ୍ଗ ଲୋକମାନଙ୍କର ସାହସ ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହେଉଥିଲା । ସମସ୍ତେ କହୁଥିଲେ, “କଳିଙ୍ଗାଃ ସାହସିକାଃ’ । ତାଙ୍କ ଜୀବନରେ ସ୍ୱଅର୍ଜିତ ଧନରୁ ସେ ଯେଉଁସବୁ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ, ତାହା ପୂର୍ବରୁ କଳିଙ୍ଗ ଶବ୍ଦଟିକୁ ଯୋଡ଼ିଦେଇ ଗର୍ବ ଅନୁଭବ କରୁଥିଲେ । ସେ ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକଙ୍କ ପାଇଁ ୧୯୫୧ ମସିହାରେ ଜାତିସଂଘର ୟୁନେସ୍କୋ ଜରିଆରେ ‘କଳିଙ୍ଗ ପୁରସ୍କାର’ ପ୍ରଚଳନର ଶୁଭାରମ୍ଭ କରିଥିଲେ । ଗରିବ ମେଧାବୀ ଛାତ୍ରମାନଙ୍କୁ ଆର୍ଥିକ ସାହାଯ୍ୟ ଦେବାକୁ ଯେଉଁ ଟ୍ରଷ୍ଟ ପ୍ରତିଷ୍ଠା କଲେ ତା’ ନାଁ ଦେଇଥିଲେ “କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ’ । ନିଜେ ପ୍ରତିଷ୍ଠା କରିଥିବା ଏୟାରଲାଇନ୍ସର ନାମକରଣ କଲେ “କଳିଙ୍ଗ ଏୟାରଲାଇନ୍ସ’ । ସେହିଭଳି ଅନ୍ୟାନ୍ୟ ପ୍ରତିଷ୍ଠାନର ନାଁ ଗୁଡ଼ିକ ହେଲା କଳିଙ୍ଗ ଆଇରନ୍ ୱାର୍କସ, କଳିଙ୍ଗ ଟ୍ୟୁବ୍ସ ଇତ୍ୟାଦି । ତେଣୁ କଳିଙ୍ଗର ପୂର୍ବ ଗୌରବ ଫେରାଇ ଆଣିବା ପାଇଁ ତାଙ୍କର ଅବିରତ ଉଦ୍ୟମ ଓ କାର୍ଯ୍ୟାବଳୀକୁ ଲକ୍ଷ୍ୟକରି ଓଡ଼ିଶାର ଲୋକେ ତାଙ୍କୁ “କଳିଙ୍ଗ ସମ୍ରାଟ’ ବୋଲି ସମ୍ବୋଧନ କରୁଥିଲେ ।

ରାଜ୍ୟର ସମସ୍ତ ପ୍ରାକୃତିକ ସମ୍ବଳ ସଦ୍‌ବ୍ୟବହାର କରିବା ଉଦ୍ଦେଶ୍ୟରେ ଯୋଜନା ପ୍ରସ୍ତୁତ କରିବାକୁ ଭାରତର ପ୍ରଖ୍ୟାତ ଇଂଜିନିୟର ଡକ୍ଟର ଅଯୋଧ୍ୟାନାଥ ଖୋସଲାଙ୍କୁ ୧୬ ସେପ୍ଟେମ୍ବର ୧୯୬୨ରେ ବିଜୁବାବୁ ଓଡ଼ିଶାର ରାଜ୍ୟପାଳ କରି ଆଣିଥିଲେ । ଡକ୍ଟର ଖୋସଲା ଓଡ଼ିଶାର ସମସ୍ତ ପ୍ରକାର ସମ୍ପଦ ଓ ସମ୍ବଳର ସର୍ଭେ କରାଇ ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରିଥିଲେ, ଯାହା ତାଙ୍କ ପ୍ରଣୀତ “Decade of Destiny” ପୁସ୍ତକରେ ଲିପିବଦ୍ଧ ହୋଇ ରହିଛି ।

୧୯୯୦ ମସିହା ମାର୍ଚ୍ଚ ମାସ ୫ ତାରିଖରୁ ୧୯୯୫ ମସିହା ମାର୍ଚ୍ଚ ମାସ ୧୫ ତାରିଖ ପର୍ଯ୍ୟନ୍ତ ପୂର୍ଣ୍ଣ ପାଞ୍ଚ ବର୍ଷ ବିଜୁବାବୁ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଥିବାବେଳେ ରାଜ୍ୟରେ ବେକାରୀ ଓ ଦାରିଦ୍ର୍ୟ ଦୂରୀକରଣ ପାଇଁ ବହୁ ବୈପ୍ଳବିକ ପଦକ୍ଷେପ ଗ୍ରହଣ କରିଥିଲେ । ଗରିବ ଲୋକମାନଙ୍କ ଦୈନ୍ୟ ଅବସ୍ଥା ତାଙ୍କ ମନରେ ବହୁତ କଷ୍ଟ ଦେଇଥିଲା । ତେଣୁ ସେ ଶ୍ରମିକମାନଙ୍କର ଦୈନିକ ମଜୁରୀ ୧୧ ଟଙ୍କାରୁ ୨୫ ଟଙ୍କାକୁ ବଢ଼ାଇ ଦେଇଥିଲେ । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସାହାଯ୍ୟ ଯୋଜନା, ଗ୍ରାମାଞ୍ଚଳରେ ରହୁଥିବା ଦରିଦ୍ର ଲୋକଙ୍କ ବାସଗୃହ ନିର୍ମାଣ ପାଇଁ “କଳିଙ୍ଗ କୁଟୀର ଯୋଜନା’ ପ୍ରବର୍ତ୍ତନ କରାଇଥିଲେ । ଦୀର୍ଘ ୧୩ ବର୍ଷ ପରେ ଶାସନ ବିକେନ୍ଦ୍ରୀକରଣ ପାଇଁ ପଞ୍ଚାୟତ ଓ ମ୍ୟୁନିସପାଲିଟି ନିର୍ବାଚନ ଅନୁଷ୍ଠିତ କରିବା ସହିତ ଏଥିରେ ମହିଳାମାନଙ୍କ ପାଇଁ ଶତକଡ଼ା ୩୩ ଭାଗ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରିଥିଲେ । ସରକାରୀ ଚାକିରିରେ ମଧ୍ୟ ମହିଳାଙ୍କ ପାଇଁ ୩୦ ପ୍ରତିଶତ ସ୍ଥାନ ସଂରକ୍ଷଣ ହୋଇଥିଲା । ମହିଳାଙ୍କ ନିଯୁକ୍ତି କ୍ଷେତ୍ରରେ ବୟସ ସୀମା କୋହଳ କରାଯାଇଥିଲା । ବିଧବା ପେନସନରମାନଙ୍କ ବୟସ ସୀମା ଉଚ୍ଛେଦ ହୋଇଥିଲା ଏବଂ ବୃଦ୍ଧ, ଅକ୍ଷମ ଓ ବିଧବା ଭତ୍ତା ୧୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ରାଜ୍ୟରେ ମହିଳା ବିକାଶ ନିଗମ, ମହିଳା ବ୍ୟାଙ୍କ ଓ ରାଜ୍ୟ ମହିଳା କମିଶନ ପ୍ରତିଷ୍ଠା କରାଯାଇଥିଲା । ଯୌତୁକ ପ୍ରଥାର ନିରାକରଣ ପାଇଁ ଯୌତୁକ ନିରୋଧ ଆଇନର ପ୍ରୟୋଗ ଉପରେ ଗୁରୁତ୍ୱ ଦେଇ “ଶାଶୁକୁ ହାତକଡ଼ି ନଣନ୍ଦକୁ ବେଡ଼ି’ ଭଳି ସ୍ଲୋଗାନ ଦେଇ ଯୌତୁକ ଲୋଭୀମାନଙ୍କ ମନରେ ଭୟ ସଞ୍ଚାର କରାଇଥିଲେ ।

ଦକ୍ଷ ପ୍ରଶାସନ ପାଇଁ ଜିଲ୍ଲା ପୁନର୍ଗଠନ କରାଇ ସେ ରାଜ୍ୟରେ ଜିଲ୍ଲା ସଂଖ୍ୟା ୧୩ରୁ ୩୦କୁ ବୃଦ୍ଧି କରିଥିଲେ। ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରାଇ ପ୍ରୌଢ଼ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ରାଜ୍ୟରେ ଦୁର୍ନୀତିମୁକ୍ତ ଶାସନ ପ୍ରଚଳନ କରିବା ଉଦ୍ଦେଶ୍ୟରେ କଳାଧନ ଠୁଳ କରିଥିବା ଅନେକ ରାଜନେତା ଓ ସରକାରୀ କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ କରାଇ ସେମାନଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଜବତ କରାଇଥିଲେ ଏବଂ ସେମାନଙ୍କ ବିରୋଧରେ ମକଦ୍ଦମା ଦାୟର କରାଇଥିଲେ । ଉଚ୍ଚସ୍ତରରେ ଦୁର୍ନୀତି ନିରୋଧ ପାଇଁ ତାଙ୍କ ସମୟରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟମାନ ପ୍ରତିଷ୍ଠା କରାଯାଇଥିଲା । ମୁଖ୍ୟମନ୍ତ୍ରୀ ପଦବୀରେ ଥାଇ ଲୋକଙ୍କ ସ୍ୱାର୍ଥ ବିରୋଧୀ ଓ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ମାଡ଼ଦେବାକୁ କହି ନିଜେ ବିବାଦମାନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ମଧ୍ୟ ସାଧାରଣ ଲୋକମାନଙ୍କ ମନରେ ଉତ୍ସାହ ସୃଷ୍ଟି କରିଥିଲେ । ବିଜୁବାବୁଙ୍କ ବିରୋଧରେ ବହୁ ଅଭିଯୋଗ ହୋଇଥିଲେ ମଧ୍ୟ ସେ କେବେ ଦୁର୍ନୀତି କରିଥିବା ପ୍ରମାଣିତ ହୋଇନାହିଁ । ଖାନ୍ନା କମିଶନ ତାଙ୍କୁ ଦୁର୍ନୀତିମୁକ୍ତ ବୋଲି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ ।

ବିଜୁବାବୁ ନିଜେ ଜଣେ ଅସାଧାରଣ କ୍ରୀଡ଼ାବିତ୍ ଥିଲେ । ଯୁବ ସମାଜକୁ ଖେଳକୁଦରେ ଭାଗ ନେବାକୁ ସେ ସବୁବେଳେ ଆହ୍ୱାନ ଦେଉଥିଲେ ଏବଂ ରାଜ୍ୟରେ କ୍ରୀଡ଼ାର ଭିତ୍ତିଭୂମି ସୁଦୃଢ଼ କରାଇଥିଲେ । ତାଙ୍କ ସମୟରେ ସେ ଭୁବନେଶ୍ୱରରେ କଳିଙ୍ଗ ଷ୍ଟାଡିୟମ ଓ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାମାନଙ୍କରେ ୧୧ଟି ଷ୍ଟାଡିୟମ, ବହୁ ଜିମ୍ନାସିୟମ ଓ କ୍ରୀଡ଼ା ଛାତ୍ରାବାସ ପ୍ରତିଷ୍ଠା କରାଇଥିଲେ । କଳିଙ୍ଗ କପ୍ ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟର ପୁର୍ନପ୍ରଚଳନ କରାଇଥିଲେ ।

ଦେଶ ପାଇଁ ସେ ନିଜର ସବୁକିଛି ଦାନ କରିଯାଇଛନ୍ତି । ନିଜସ୍ୱ ବିଚାରବୋଧରେ ସେ ଥିଲେ ଅଟଳ । ସେ ଅନ୍ୟର କଥାରେ ପ୍ରଭାବିତ ହେବା ଲୋକ ନ ଥିଲେ । ଅନ୍ୟାୟ ଅନୀତିର ସେ କଠୋର ସମାଲୋଚନା କରୁଥିଲେ। ପ୍ରଶାସନ କ୍ଷେତ୍ରରେ ସଂସ୍କାର ଓ ଦକ୍ଷତା ବୃଦ୍ଧି ପାଇଁ ସତତ ଉଦ୍ୟମ କରୁଥିଲେ । ବାହାରକୁ ଯେତେ କଠୋର ଜଣାପଡ଼ିଲେ ମଧ୍ୟ ତାଙ୍କର ହୃଦୟଟା ଥିଲା ଅତି କୋମଳ, ସମ୍ବେଦନଶୀଳ ।

ଏକ ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଦୁଃସାହସିକ ବୈମାନିକ, ଦକ୍ଷ ରାଷ୍ଟ୍ରନାୟକ, ଦୀନଦୁଃଖୀର ଆଶା ଭରସା, ବିପ୍ଳବୀ ଚିନ୍ତାଧାରାର ରାଜନୀତିଜ୍ଞ, ଲୋକପ୍ରିୟ ଜନନାୟକ, ବିରଳ ସମାଜସେବୀ ଆଦି ବିଭିନ୍ନ ଭୂମିକାରେ ତାଙ୍କ କର୍ମମୟ ଜୀବନରେ ସେ ଅବତୀର୍ଣ୍ଣ ହୋଇଥିଲେ । ଓଡ଼ିଶା ମାଟିର ଅଭ୍ୟୁତ୍‌ଥାନରେ ଆଜୀବନ ବ୍ରତୀ ବ୍ୟକ୍ତି ଆଉ ଦ୍ୱିତୀୟ କେହି ଆଖି ଆଗରେ ପଡ଼ନ୍ତି ନାହିଁ । ବାସ୍ତବରେ ସେ ଥିଲେ ମୁକୁଟ ବିହୀନ ବାଦଶାହା । ୱିଲିୟମ ହଙ୍ଗେନ୍ ତାଙ୍କ ରଚିତ “After Nehru Who” ପୁସ୍ତକରେ ବିଜୁ ପଟ୍ଟନାୟକଙ୍କୁ ନେହେରୁଙ୍କ ପରେ ଭାରତର ପ୍ରଧାନମନ୍ତ୍ରୀ ପଦ ପାଇଁ ଅନ୍ୟତମ ଯୋଗ୍ୟ ବ୍ୟକ୍ତି ରୂପେ ବର୍ଣ୍ଣନା କରିଥିଲେ । ଯଦି ବିଜୁବାବୁ ଓଡିଶାରେ ଜନ୍ମ ହୋଇନଥା’ନ୍ତେ, ତେବେ ସେ ଭାରତର ପ୍ରଧାନମନ୍ତ୍ରୀ ଆସନ ନିଶ୍ଚିତ ଅଳଙ୍କୃତ କରିପାରିଥାନ୍ତେ ।

ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଉଦ୍‌ବୁଦ୍ଧ ହୋଇ ଯଦି ହଜାର ହଜାର ସ୍ୱାଭିମାନୀ, ଦେଶପ୍ରେମୀ ଓଡ଼ିଆ ପିଲା ବାହାରନ୍ତି, ସେହିମାନେ ହିଁ ଓଡ଼ିଶାବାସୀଙ୍କୁ ଦାରିଦ୍ର୍ୟରୁ ମୁକ୍ତି ଦେବେ ଓ ଓଡ଼ିଶାକୁ ଦୁର୍ନୀତିମୁକ୍ତ କରି ସମୃଦ୍ଧି ପଥରେ ଆଗେଇନେବେ । ଫଳରେ ଓଡ଼ିଶା ତା’ର ପୂର୍ବ ବିଭବ ଓ ପୂର୍ବ ଗୌରବ ଫେରିପାଇବ ।

(ଲେଖକ ଜଣେ ବିଶିଷ୍ଟ ଚିନ୍ତକ, ସମାଜସେବୀ ଏବଂ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି)

ଏନ୍-୩/୩୧୪, ଆଇଆରସି ଭିଲେଜ

ଭୁବନେଶ୍ୱର-୭୫୧୦୧୫

ମୋବାଇଲ୍ ନମ୍ବର-୯୨୩୮୩୦୦୨୬୫

 

Leave a Reply

*