Blog

ଆନନ୍ଦ ଭବନରେ ସ୍ୱପ୍ନ ଚୌଦ୍ୱାରରେ ରୂପାୟନ

କ୍ଷୀରୋଦ କୁମାର ଜେନା

କୁହାଯାଏ, ଯଦି ବିଜୁ ପଟ୍ଟନାୟକ ରାଜନୀତିକୁ ଆସିନଥାନ୍ତେ, କେବଳ ଶିଳ୍ପପତି ଭାବେ ମନୋନିବେଶ କରିଥାନ୍ତେ, ତା’ହେଲେ ଟାଟା, ବିରଳାଙ୍କ ଶିଳ୍ପ ସାମ୍ରାଜ୍ୟ ସହ ଟକ୍କର ଦେଇଥାନ୍ତା ତାଙ୍କର ଶିଳ୍ପସମୂହ। ଏଭଳି କୁହାଯିବାର ତାତ୍ପର୍ଯ୍ୟ ହେଉଛି, ଶିଳ୍ପ କ୍ଷେତ୍ରରେ ତାଙ୍କର ଥିବା ଦୂରଦୃଷ୍ଟି। ଶିଳ୍ପ ସଂକ୍ରାନ୍ତରେ କୌଣସି ପୃଷ୍ଠଭୂମି ନଥିଲେ ମଧ୍ୟ ଆଧୁନିକ ଜ୍ଞାନ କୌଶଳରେ ନୂଆ ନୂଆ ଶିଳ୍ପ ପ୍ରତିଷ୍ଠା ଓ ସ୍ୱକୀୟ ଢାଂଚାରେ ଏହାର ପରିଚାଳନା କରି ସଫଳତାର ଶିଖରରେ ପହଞ୍ଚାଇବାରେ ତାଙ୍କର ଥିଲା ଅସାଧାରଣ ଦକ୍ଷତା।

ସମୟଠାରୁ ବହୁତ ଆଗକୁ ଭାବିପାରିବାର ଅଦ୍ଭୁତ କ୍ଷମତା ରହିଥିଲା ତାଙ୍କର। ବିକଶିତ ଓଡ଼ିଶାର ଗଠନ ପାଇଁ, ଓଡ଼ିଶାକୁ ସମୃଦ୍ଧିଶାଳୀ କରି ଗଢି ତୋଲିବା ପାଇଁ ଅହରହ ଉଦ୍ୟମ କରୁଥିଲେ ବିଜୁ ପଟ୍ଟନାୟକ।

ଯେତେବେଳେ ଭାରତ ପରାଧୀନତା କବଳରୁ ମୁକ୍ତି ପାଇ ସ୍ୱାଧୀନତାର ସ୍ୱାଦ ଚାଖିବାର ଦ୍ୱାର ଦେଶରେ ପହଞ୍ଚିଥିଲା, ସେତେବେଳେ ଦାରିଦ୍ର୍ୟ, ବେକାରି ଓ ଅଭାବ ଅନଟନରେ ଘାଣ୍ଟି ହେଉଥିଲେ ଓଡ଼ିଶାବାସୀ। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଓଡ଼ିଶାକୁ ସମୃଦ୍ଧିଶାଳୀ କରି ସ୍ୱାଧୀନ ଭାରତରେ ଏହାକୁ ଏକ ଆଗଧାଡ଼ିର ରାଜ୍ୟ ଭାବେ ପ୍ରତିଷ୍ଠା କରିବା ପାଇଁ ସେ ସ୍ୱପ୍ନ ଦେଖୁଥିଲେ। ଗୋଟିଏ ପ୍ରଶ୍ନ ତାଙ୍କ ମନକୁ ଅଧିକ ଆନ୍ଦୋଳିତ କରୁଥିଲା – ପ୍ରାକୃତିକ ସଂପଦରେ ଭରପୂର ଏକ ରାଜ୍ୟର ଅଧିବାସୀ ଦରିଦ୍ର୍ୟ ହୋଇ କାହିଁକି ରହିବେ? ଏହି ପ୍ରଶ୍ନର ସମାଧାନ ପାଇଁ ରାଜ୍ୟରେ ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଜୀବନବ୍ୟାପୀ ଉଦ୍ୟମ କରିଥିଲେ ବିଜୁବାବୁ।

ଓଟିଏମର କାହାଣୀ

ବିମାନରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଗୋପନରେ ନେବା ଆଣିବା ଏବଂ ମୁକ୍ତି ସଂଗ୍ରାମ ପାଇଁ ଲିଫ୍ଲେଟ୍ ବାଣ୍ଟିବା ଅଭିଯୋଗରେ ୧୯୪୩ ମସିହାରେ ବିଜୁବାବୁଙ୍କୁ ଗିରଫ କରିଥିଲା ବ୍ରିଟିସ୍ ସରକାର। ପାଇଲଟ ଚାକିରି ମଧ୍ୟ ହରାଇବାକୁ ପଡ଼ିଥିଲା ଏବଂ ଦୁଇ ବର୍ଷ ଜେଲ୍ରେ ବିତାଇଥିଲେ ବିଜୁ ପଟ୍ଟନାୟକ। ଜେଲ୍ର ଚାରିକାନ୍ଥ ଭିତରେ ନିଜ ଦେଶ ଓ ରାଜ୍ୟର ସମୃଦ୍ଧି ପାଇଁ ପ୍ରସ୍ତୁତ କରିଥିଲେ ବ୍ଲୁ-ପ୍ରିଂଟ୍। ବେଲ୍ ପାଇ ଜେଲ୍ରୁ ଖଲାସ ହେବା ପରେ ପରେ ହିଁ ସେ ଆଙ୍କିଥିଲେ ଶିଳ୍ପ ପ୍ରତିଷ୍ଠାର ରଂଗୀନ ଚିତ୍ର।

କଟକସ୍ଥିତ ପୈତୃକ ବାସଭବନ ଆନନ୍ଦ ଭବନରେ ପାରୋଲ୍ରେ ଥିବାବେଳେ ବିଜୁବାବୁ କରିଥିଲେ ଓଡ଼ିଶା ଟେକ୍ସଟାଇଲ୍ ମିଲ୍ ବା ଓଟିଏମ୍ର ପରିକଳ୍ପନା। ନିଜେ ସାଇକେଲରେ ଚୌଦ୍ୱାର ଯାଇ ସେ ସ୍ଥାନ ଚିହ୍ନଟ କରିଥିଲେ। ସେଠାରେ ରୂପାୟନ ହୋଇଥିଲା ତାଙ୍କର ପ୍ରଥମ ଶିଳ୍ପ। ଟେକ୍ସଟାଇଲ ମିଲ୍ କରିବା ପଛରେ ତାଙ୍କର ଦୁଇଟି ଉଦ୍ଦେଶ୍ୟ ରହିଥିଲା।

ପ୍ରଥମ ଉଦ୍ଦେଶ୍ୟ ହେଉଛି, ଉନ୍ନତମାନର କପଡ଼ା ସ୍ୱଳ୍ପ ମୂଲ୍ୟରେ ଯୋଗାଇଦେବା। ମାତ୍ର ୧୦ ଟଙ୍କାରେ ଶାଢୀ ଓ ଧୋତି ଯୋଗାଇବା ଥିଲା ଲକ୍ଷ୍ୟ। ଦ୍ୱିତୀୟ ଉଦ୍ଦେଶ୍ୟ ହେଉଛି, ଘରୋଇ ଉଦ୍ୟମରେ ଶିଳ୍ପ ପ୍ରତିଷ୍ଠା କରି ସଫଳତାର ମଡେଲ୍ ପ୍ରସ୍ତୁତ କରିବା ଅର୍ଥାତ୍ ଓଡ଼ିଆମାନଙ୍କ ମଧ୍ୟରେ ଔଦ୍ୟୋଗିକ ମନୋଭାବ ସୃଷ୍ଟି କରିବା। କାରଣ ସେତେବେଳେ ବିଜୁବାବୁଙ୍କର ହୃଦ୍ବୋଧ ହୋଇଥିଲା ଯେ ଘରୋଇ ଉଦ୍ୟୋଗୀଙ୍କ ବିନା ରାଜ୍ୟର ବିକାଶ ତ୍ୱରାନ୍ୱିତ ହୋଇପାରିବ ନାହିଁ ଏବଂ ବେକାରି ସମସ୍ୟା ହଟିବ ନାହିଁ।

୧୯୪୬ ମସିହାରେ ଚୌଦ୍ୱାରରେ ସେ ଆରମ୍ଭ କରିଥିଲେ ଓଡ଼ିଶା ଟେକ୍ସଟାଇଲ୍ ମିଲ୍ ବା ଓଟିଏମ୍। ଏତିକି କୁହାଯାଇପାରେ ବିଜୁବାବୁଙ୍କ ପରିକଳ୍ପିତ ଓଟିଏମ୍ ହେଉଛି ସ୍ୱାଧୀନତା ପରବର୍ତ୍ତୀ ଆଧୁନିକ ଓଡ଼ିଶାର ଶିଳ୍ପ ବିପ୍ଳବର ପ୍ରତୀକ। ଖୁବ କମ୍ ଦିନ ମଧ୍ୟରେ ଏହି ଟେକ୍ସଟାଇଲ ମିଲ୍ ଦେଶର ଏକ ଧାଡ଼ିର ଟେକ୍ସଟାଇଲ୍ ମିଲ୍ ଭାବେ ପରିଗଣିତ ହୋଇଥିଲା।

ଓଟିଏମରେ ଥିଲା ୮୬୪ଟି ତନ୍ତ ଏବଂ ୪୮,୦୦୦ ସ୍ପିଣ୍ଡଲ୍ସ। ବେଶ୍ ଆଦୃତ ହୋଇଥିଲା ଓଟିଏମ୍ ପ୍ରସ୍ତୁତ ଶାଢ଼ୀ, ଧୋତି, ବେଡ୍ସିଟ୍ ଓ କପଡ଼ା। ମାତ୍ର ୫ ବର୍ଷ ମଧ୍ୟରେ ୫ ହଜାର କର୍ମଚାରୀ ନିଯୁକ୍ତି ପାଇଥିଲେ। କର୍ମଚାରୀମାନଙ୍କ ପାଇଁ ବିଶେଷ ସୁବିଧା ସୁଯୋଗ ପ୍ରଦାନ କରାଯାଇଥିଲା। ସେମାନଙ୍କ ପାଇଁ ୧୨୦୦ କ୍ୱାଟର୍ ନିର୍ମାଣ କରାଯାଇଥିଲା। ଓଟିଏମର ନିଜସ୍ୱ ଡାକ୍ତରଖାନା ଥିଲା, କର୍ମଚାରୀ ଓ ତାଙ୍କ ପରିବାରକୁ ମାଗଣା ଚିକିତ୍ସା ଏବଂ ପିଲାମାନଙ୍କ ପାଇଁ ମାଗଣା ଶିକ୍ଷା ବ୍ୟବସ୍ଥା ହୋଇଥିଲା। ଏହା ଥିଲା ବିଜୁବାବୁଙ୍କ ମହାନୁଭବତାର ଆଉ ଏକ ଉଦାହରଣ।

କଳିଙ୍ଗ ଟ୍ୟୁବ୍ସ ପଛର କାହାଣୀ

ଓଟିଏମ୍ର ସଫଳତା ବିଜୁବାବୁଙ୍କ ଉତ୍ସାହକୁ ଆହୁରି ବଢାଇ ଦେଇଥିଲା। ସେହି ଚୌଦ୍ୱାରରେ କଳିଙ୍ଗ ଟ୍ୟୁବ୍ସ ନାମରେ ଏକ ଟ୍ୟୁବ ମିଲ୍ ବା ପାଇପ୍ ତିଆରି କାରଖାନା ନିର୍ମାଣ କରିଥିଲେ। ଏହା ପଛରେ ଥିଲା ଏକ ବିରାଟ ପରିକଳ୍ପନା। ଯାହାକୁ ଆଜି ପର୍ଯ୍ୟନ୍ତ ମଧ୍ୟ ସାକାର କରାଯାଇପାରିନାହିଁ। ଓଡ଼ିଶା ମାଟିରେ ବିପୁଳ ପରିମାଣର କୋଇଲା ସଂପଦ ଗଚ୍ଛିତ ହୋଇଥିବାରୁ ଶକ୍ତି କ୍ଷେତ୍ରରେ ଥିବା ଅଭାବକୁ ଦୂର କରିବା ଲକ୍ଷ୍ୟ ଥିଲା ବିଜୁବାବୁଙ୍କର। ଆଧୁନିକ ଜ୍ଞାନକୌଶଳରେ କୋଇଲାରୁ ଇନ୍ଧନ ଗ୍ୟାସ ଓ ପେଟ୍ରୋଲ ତିଆରି କରିବା ଯୋଜନା ଥିଲା ତାଙ୍କର।

ଆଜି ପାଇପ୍ ଯୋଗେ ଘରକୁ ରନ୍ଧନ ଗ୍ୟାସ ପହଞ୍ଚାଇବା କାର୍ଯ୍ୟକ୍ରମ କେନ୍ଦ୍ର ସରକାର ହାତକୁ ନେଇଛନ୍ତି। ୭ ଦଶନ୍ଧି ପୂର୍ବରୁ ପାଇପ୍ ଯୋଗେ ଘରେ ଘରେ ରନ୍ଧନ ଗ୍ୟାସ ପହଞ୍ଚାଇବା ଉଦ୍ଦେଶ୍ୟରେ କଳିଙ୍ଗ ଟ୍ୟୁବ୍ସ କାରଖାନା ନିର୍ମାଣ କରିଥିଲେ ବିଜୁବାବୁ। କାରଣ ସେତେବେଳେ ଭାରତରେ ପାଇପ୍ ତିଆରି କାରଖାନା ନଥିଲା। ଦେଶର ପ୍ରଥମ ଟ୍ୟୁବ୍ ନିର୍ମାଣ କାରଖାନା ଭାବେ ସ୍ଥାପନ ହେଲା କଳିଙ୍ଗ ଟ୍ୟୁବ୍ସ। ଏହାର ଦୁଇ ବର୍ଷ ପରେ ଟାଟା କଂପାନୀ ଟ୍ୟୁବ୍ ନିର୍ମାଣ କ୍ଷେତ୍ରରେ ପ୍ରବେଶ କରିଥିଲା। ଦକ୍ଷିଣ ଭାରତର ତାରାପୋର ଗ୍ରୁପ ସହ ପାର୍ଟନର୍ସିପ୍ରେ କଳିଙ୍ଗ ଟ୍ୟୁବ୍ସ ସରକାରଙ୍କ ବିନା ଆର୍ଥିକ ସହାୟତାରେ ସ୍ଥାପନ ହୋଇଥିଲା। କଂଚାମାଲର ଘୋର ଅଭାବ ଥିବା ସତେ୍ୱ ୧୯୫୦ ଦଶକ ଆରମ୍ଭରେ ଏହା ବେଶ୍ ସଫଳତା ପାଇଥିଲା। ତେବେ ବିଦେଶୀ କଂପାନୀ ସହଯୋଗରେ ବିଜୁବାବୁଙ୍କ କୋଇଲାରୁ ଇନ୍ଧନ ଗ୍ୟାସ ଓ ପେଟ୍ରୋଲ ତିଆରି କରିବା ଯୋଜନା ସାକାର ନହେବାରୁ ଅନେକ ପ୍ରତିବନ୍ଧକ ଦେଇ ଗତି କରିଥିଲା କଳିଙ୍ଗ ଟ୍ୟୁବ୍ସ।

କଳିଙ୍ଗ ଏୟାରଲାଇନ୍ସ

ବିଜୁବାବୁଙ୍କ ସଂପର୍କରେ ବାରମ୍ବାର ଗୋଟିଏ କଥା ଦୋହରାଇବାକୁ ପଡିଥାଏ, ତାହା ହେଉଛି ନିଜ ସମୟଠାରୁ ବହୁ ଆଗକୁ ଚିନ୍ତା କରୁଥିବା ଜନନାୟକ ଥିଲେ ସେ।

ବିଜୁବାବୁ ଜେଲରେ ରହିଥିବା ବେଳେ ତାଙ୍କର ପାଇଲଟ୍ ଲାଇସେନ୍ସକୁ ମଧ୍ୟ ରଦ୍ଦ କରିଦିଆଯାଇଥିଲା। ତେବେ ଜେଲ୍ ଭିତରେ ବିଭିନ୍ନ ଶିଳ୍ପର ଯୋଜନା କରିବା ସହ କିପରି ପୁଣି ଥରେ ଆକାଶରେ ବିମାନ ଉଡାଇବେ ସେହି ସ୍ୱପ୍ନ ସେ ସବୁବେଳେ ଦେଖୁଥିଲେ। କିନ୍ତୁ ଏଥର କେଉଁଠି ଚାକିରି କରି ନୁହେଁ, ନିଜେ ଏକ ଏୟାରଲାଇନ୍ସ ଗଢିବା ପାଇଁ ସଂକଳ୍ପ ନେଇଥିଲେ। ଜେଲରୁ ମୁକୁଳିବା ପରେ କମର୍ସିଆଲ୍ ପାଇଲଟ୍ ଲାଇସେନ୍ସକୁ ନବୀକରଣ କରି କଳିଙ୍ଗ ଏୟାରଲାଇନ୍ସ ଗଢିବାକୁ ପ୍ରୟାସ ଆରମ୍ଭ କରିଦେଲେ। ନିଜେ ଏକ ଡାକୋଟା ବିମାନ କିଣି ସେ ଏହାର ଅୟମାରମ୍ଭ କରିଥିଲେ। ୧୯୪୬ ମସିହାରେ କଳିଙ୍ଗ ଏୟାରଲାଇନ୍ସ ବିମାନ ସେବା ଆରମ୍ଭ କଲା। ୧୯୩୦ ମସିହା ପ୍ରାରମ୍ଭରେ ଭାରତରେ ବିମାନ ସେବା ଯୋଗାଇ ଦେଉଥିଲେ ଟାଟା ଗ୍ରୁପ୍ ଏବଂ ବ୍ରିଟିସ୍ ଶିଳ୍ପପତି ଗ୍ରାଣ୍ଟ୍ ଗୋଭନଙ୍କ ଦ୍ୱାରା ପ୍ରତିଷ୍ଠିତ ଇଣ୍ଡିଆନ୍ ନାସ୍ନାଲ୍ ଏୟାରେଓ୍ୱଜ୍। ଡାଲମିଆ-ଜୈନ୍ ଗ୍ରୁପ ମଧ୍ୟ ସେହି ୧୯୪୬ ମସିହାରେ ଏୟାରଲାଇନ୍ସ ପ୍ରତିଷ୍ଠା କରିଥିଲେ। ଏହା ପରକୁ

୧୯୫୩ ମସିହାରେ ଏୟାରଲାଇନ୍ସ ଜାତୀୟକରଣ ହେବା ପରେ ଇଣ୍ଡିଆନ୍ ଏୟାରଲାଇନ୍ସରେ କଳିଙ୍ଗ ଏୟାରଲାଇନ୍ସର ମିଶ୍ରଣ ଘଟିଥିଲା। ତେବେ କଳିଙ୍ଗ ଏୟାର୍ଲାଇନ୍ସର ଡାକୋଟା ବିମାନରେ ତାଙ୍କର ଇଣ୍ଡୋନେସିଆ ଅଭିଯାନ ବିଶ୍ୱର ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ହୋଇରହିଛି। ବିଜୁବାବୁଙ୍କର ଆଉ ଏକ ସ୍ୱପ୍ନ ଥିଲା ଓଡ଼ିଶାରୁ ବହୁ ସଂଖ୍ୟାରେ ପାଇଲଟ୍ ସୃଷ୍ଟି କରିବା। ତେଣୁ ୧୯୪୬ ମସିହାରେ ଦିଲ୍ଲୀ ଫାଇଙ୍ଗ୍ କ୍ଳବ ଭଳି ସେ ଓଡ଼ିଶାରେ ଗଠନ କରିଥିଲେ ଓଡ଼ିଶା ଫ୍ଲାଇଙ୍ଗ୍ କ୍ଳବ। ପରେ ଏହା ଗଭର୍ନମେଣ୍ଟ୍ ଏଭିଏସନ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ନାମରେ ପରିଚିତ ହୋଇଥିଲା।

ବିଜୁବାବୁଙ୍କ ଶିଳ୍ପସମୂହ

ବିଜୁବାବୁ ଯେଉଁ ଶିଳ୍ପ ପ୍ରତିଷ୍ଠା କରୁଥିଲେ ତାହାର ନାଁ ପୂର୍ବରୁ କଳିଙ୍ଗ ଯୋଡୁଥିଲେ। କାରଣ ଓଡ଼ିଶା ପ୍ରତି ଥିଲା ତାଙ୍କର ଅଗାଧ ଭଲପାଇବା, ଆଉ କଳିଙ୍ଗ ନାଁ ପ୍ରତି ଥିଲା ପ୍ରବଳ ଦୁର୍ବଳତା। ଏହାଛଡ଼ା ବିଶ୍ୱ ଦରବାରରେ ସେ ଆଙ୍କିବାକୁ ଚାହୁଁଥିଲେ ଶିଳ୍ପୋନ୍ନତ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଛବି। କଳିଙ୍ଗ ଏୟାରଲାଇନ୍ସ, କଳିଙ୍ଗ ଟ୍ୟୁବ୍ସ, କଳିଙ୍ଗ ଆଇରନ୍ ଓ୍ୱାର୍କ୍ସ, କଳିଙ୍ଗ ସୋଉନକ୍ସା (ରେଫ୍ରିଜେରେଟର କଂପାନୀ), କଳିଙ୍ଗ ରିଫ୍ରାକ୍ଟୋରିଜ୍, କଳିଙ୍ଗ ଇଣ୍ଡଷ୍ଟ୍ରିଜ୍ (ଫାବ୍ରିକେସନ୍ୟୁନିଟ୍), କଳିଙ୍ଗ (ଦୈନିକ ଖବରକାଗଜ) ନିଜ ଉଦ୍ୟମରେ ଗଢ଼ିଥିଲେ ବିଜୁ ପଟ୍ଟନାୟକ।

ଭାରତର ପ୍ରଥମ ବିଶ୍ୱସ୍ତରୀୟ ରେଫ୍ରିଜେରେଟର କଂପାନି

୭୦ ବର୍ଷ ତଳେ ଅର୍ଥାତ୍ ଭାରତରେ ପ୍ରଥମ ଉନ୍ନତମାନର ରେଫ୍ରିଜେରେଟର ତିଆରି କାରଖାନା କରିଥିଲେ ବିଜୁବାବୁ। ସେତେବେଳର ନାଁ’କରା ବ୍ରାଣ୍ଡ ସ୍ୱିଡେନ୍ର ଇଲେକ୍ଟ୍ରୋଲକ୍ସ କଂପାନୀ ସହ ଏଥିଲାଗି ବୁଝାମଣା କରାଯାଇଥିଲା। ସରକାରୀ ଓ ଘରୋଇ ସହଭାଗିତାରେ ଆରମ୍ଭ ହୋଇଥିଲା କଳିଙ୍ଗ ସୋଉନକ୍ସା। ଓଡ଼ିଶାର କାରଖାନାରେ ଓଡ଼ିଶାର କର୍ମଚାରୀ ବିଶ୍ୱସ୍ତରୀୟ ରେଫ୍ରିଜେରେଟର ତିଆରି କରିଥିଲେ। ତେବେ ଏଭଳି ଅଭିନବ ସାମଗ୍ରୀର ସେତେବେଳେ ବିଶେଷ ଚାହିଦା ନଥିବାରୁ ପ୍ରବଳ କ୍ଷତି ଘଟିଲା। ସେପଟେ ଏପରି ପ୍ରକଳ୍ପ ପାଇଁ ଆରବିଆଇ କିମ୍ବା ଅନ୍ୟ ବ୍ୟାଙ୍କିଙ୍ଗ୍ ସେକ୍ଟର ସହାୟତା ମଧ୍ୟ ଦେଇନଥିଲେ।

ଆଧୁନିକ ଓଡ଼ିଶାର ନିର୍ମାତା

ନିଜର ବ୍ୟକ୍ତିଗତ ଉଦ୍ୟମରେ ଅନେକ ଶିଳ୍ପ ସଂସ୍ଥା ଗଢ଼ି ଓଡ଼ିଆଙ୍କ ମନରେ ଉଦ୍ୟୋଗୀ ହେବାର ଆତ୍ମବିଶ୍ୱାସ ଭରିଦେଇଥିଲେ ବିଜୁବାବୁ। ଯୁବ ଉଦ୍ୟୋଗୀଙ୍କ ପାଇଁ ନୂଆ ସ୍ୱପ୍ନ ଓ ପ୍ରେରଣା ଯୋଗାଇଦେଇଥିଲେ ସେ। ତେବେ ରାଜନୀତିରେ ସକ୍ରିୟ ହେବା ଯୋଗୁଁ ନିଜ ଶିଳ୍ପ ସଂସ୍ଥା ପ୍ରତି ଉଦାସୀନ ରହିଥିଲେ। କାରଣ ଓଡ଼ିଶା ମାଟିର ସାମଗ୍ରିକ ବିକାଶ ପାଇଁ ରାଜନୀତିକୁ ପ୍ରାଥମିକତା ଦେଇଥିଲେ। ଓଡ଼ିଶାବାସୀଙ୍କର ତାଙ୍କ ଉପରେ ପ୍ରବଳ ଆସ୍ଥା ଥିଲା।

ମୁଖ୍ୟମନ୍ତ୍ରୀ ଭାବେ ଦୁଇଟି ପର୍ଯ୍ୟାୟରେ ମାତ୍ର ସାଢେ଼ ୭ ବର୍ଷ, କେନ୍ଦ୍ରମନ୍ତ୍ରୀ ଭାବେ ମାତ୍ର ୨ ବର୍ଷ କ୍ଷମତା ବଳୟରେ ଥିଲେ ବିଜୁ ପଟ୍ଟନାୟକ। ହେଲେ ଓଡ଼ିଶା ବିକାଶ ପାଇଁ ଥିଲା ତାଙ୍କର ସର୍ବାଧିକ ଅବଦାନ। ପାରାଦ୍ୱୀପ ବନ୍ଦର, ଓଡ଼ିଶା ଆଭିଏସନ୍ ସେଣ୍ଟର, ଭୁବନେ୍ୱର ଏୟାରପୋର୍ଟ, ରାଉରକେଲାରେ ରିଜିଓନାଲ୍ ଇଂଜିନିୟରିଂ କଲେଜ୍, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍, ଭୁବନେଶ୍ୱରରେ ସୈନିକ ସ୍କୁଲ, ଓୟୁଏଟି, ନାଲ୍କୋ, ତାଲଚେର ଥର୍ମାଲ ପାଓ୍ୱାର ଷ୍ଟେସନ୍, ହୀରାକୁଦ ନଦୀବନ୍ଧ ଯୋଜନା, ବାଲିମେଳା ହାଇଡେଲ୍ ପ୍ରୋଜେକଫ, ସୁନାବେଡ଼ାରେ ହିନ୍ଦୁସ୍ତାନ ଏରୋନଟିକ୍ ଲିମିଟେଡ୍, ଚୌଦ୍ୱାର ଶିଳ୍ପାଂଚଳ ଆଦି ଅନେକ ବଡ଼ ବଡ଼ ପ୍ରକଳ୍ପ ନିର୍ମାଣରେ ଥିଲା ତାଙ୍କର ବଳିଷ୍ଠ ଅବଦାନ। ଏହି ଯୁଗପୁରୁଷଙ୍କ ଦୂରଦୃଷ୍ଟି ବଳରେ ଆଧୁନିକ ଓଡ଼ିଶାର ନିର୍ମାଣ ସମ୍ଭବ ହୋଇପାରିଥିଲା।

ଗ୍ରାମ୍ୟ ଶିଳ୍ପକରଣ ପାଇଁ ପଂଚାୟତିରାଜ ବ୍ୟବସ୍ଥାକୁ ଦୃଢ କରିଥିଲେ ସେ। ତାଙ୍କର ଲକ୍ଷ୍ୟ ଥିଲା ପ୍ରତି ପଂଚାୟତ ସମିତିରେ ଗୋଟିଏ ଗୋଟିଏ ଶିଳ୍ପ ପ୍ରତିଷ୍ଠା କରିବା। ଜୀବନର ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ କୁଟୀର ଶିଳ୍ପ ସହ ବଡ଼ ବଡ଼ ଶିଳ୍ପ ନିର୍ମାଣ କରି ଓଡ଼ିଶାକୁ ସମୃଦ୍ଧଶାଳୀ କରି ଗଢ଼ିତୋଳିବାକୁ ଅହରହ ପ୍ରୟାସ କରିଆସିଥିଲେ ବିଜୁ ପଟ୍ଟନାୟକ। ଆଜି ଆମେ ଯେଉଁ ଓଡ଼ିଶା ଦେଖୁଛେ, ପ୍ରାୟ ସବୁଥିରେ ରହିଛି ଏହି ଜନନେତାଙ୍କ ଅଭୁଲା ସ୍ୱାକ୍ଷର।

ଶିଳ୍ପ ପରି ସାମାଜିକ, ସାଂସ୍କୃତିକ ଓ ରାଜନୈତିକ-ସମାଜର ସବୁ କ୍ଷେତ୍ରକୁ ଏକ ଟାଣୁଆ ଦିଶା ଓ ନେତୃତ୍ୱ ଦେଇଥିଲେ ବିଜୁ ପଟ୍ଟନାୟକ। ପୈତୃକ ସ୍ଥାନ କଟକର ଆନନ୍ଦ ଭବନର ମମତା, କଟକ ସହରର ଶିକ୍ଷା ଓ ସାଂସ୍କୃତିକ ଚେତନା, ଓଡ଼ିଶାର ପାଣିପବନ, କଳିଙ୍ଗର ଇତିହାସ ଏବଂ ଏ ଦେଶର ମୁକ୍ତ ଆକାଶ ବିଜୟାନନ୍ଦଙ୍କ ସ୍ୱପ୍ନ ଓ ସଂକଳ୍ପକୁ ଯେଉଁ ଦେଇଥିଲା ଏକ ଉଚ୍ଚ ଉଡ଼ାଣ। ବିଶେଷକରି ତାରୁଣ୍ୟରେ ବିଜୁ ଦିନାକେତେ ଆନନ୍ଦ ଭବନରେ ଯେଉଁ ସ୍ୱପ୍ନ ବୁଣିଥ#ଲେ ତାକୁ ଶିଳ୍ପ ସମୃଦ୍ଧି ଓ ରାଜନୈତିକ ଚେତନା ମାଧ୍ୟମରେ ସାରା ଦେଶକୁ ପ୍ରସାରିତ କରିପାରିଥିଲେ।

Leave a Reply

*