Blog

ଓଡ଼ିଶାର ଆନନ୍ଦ ଭବନ

ଦାଶ ବେନହୁର

କଟକ ସହରର ତୁଳସୀପୁରସ୍ଥିତ ‘ଆନନ୍ଦ ଭବନ’। ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପିଲାଦିନର ଘର। ସେଇ ଅନୁସାରେ କାଳକ୍ରମେ ସନ୍ନିକଟ ଛକ ବି ପାଲଟିଯାଇଛି ‘ବିଜୁ ପଟ୍ଟନାୟକ ଛକ’।

ମଣିଷ ଭଳି ସମୟ ସ୍ରୋତରେ ଘରଟିଏ ବି ପ୍ରସିଦ୍ଧ ହୋଇ ଉଠେ।

ଆଜି ଅନେକ ବିଲାତି ଗଲେ ଇଂରେଜୀ ସାହିତ୍ୟର ଶୀର୍ଷ ପୁରୁଷ ସେକ୍ସପିଅରଙ୍କ ‘ଷ୍ଟ୍ରାର୍ଟଫୋର୍ଡ ଅପନ୍ ଆଭନ୍’ ଘରଟିକୁ ଦେଖିବାକୁ ଯାଆନ୍ତି। ସେମିତି କଲିକତାରେ ରବୀନ୍ଦ୍ରନାଥ ଠାକୁରଙ୍କ ‘ଜୋରାସାଙ୍କୋ’ ନିବାସ। ଆଲହାବାଦରେ ଜବାହାରଲାଲ୍ ନେହରୁଙ୍କର ‘ଆନନ୍ଦ ଭବନ’। ଋଷିଆରେ ଲିଓ ଟଲଷ୍ଟୟଙ୍କର ‘ନ୍ୟାସନାୟା ପୋଲ୍ୟାନା’। ଏମିତି କେତେ କେତେ।

ଭାରତବର୍ଷରୁ ସ୍ୱାଧୀନତା ପରେ କେତେ ନେତୃସ୍ଥାନୀୟ ବ୍ୟକ୍ତି ଇହକାଳ ତ୍ୟାଗ କରି ଆରପୁରକୁ ଚାଲିଗଲେଣି। ହେଲେ ଅନୁରୂପ ଭାବେ ସେମାନଙ୍କର ଶୈଶବ-ନିବାସଗୁଡ଼ିକ ସେପରି ମାନ୍ୟତା ସ୍ଥାପନ କରିପାରିନାହିଁ। ଓଡ଼ିଶା କଥା ଆଉ ଟିକେ ଅଲଗା। କାରଣ ଏ ମାଟିରେ କେହି ଜଣେ ଚାଲିଗଲେ ତା’ର ଚିହ୍ନବର୍ଣ୍ଣ ହଜେଇ ଦେବାର ବିଧି ଅତି ପ୍ରାଚୀନ। ଏପରି କି ସମାଧୀସ୍ଥଳ। ମହାନଦୀ ତଟରେ କଟକଠାରେ ଓଡ଼ିଶାର ଶେଷ ସମ୍ରାଟ୍ ପ୍ରତାପରୁଦ୍ରଙ୍କର ସମାଧି ଥିଲା। ସେଇପାଖରେ ରାୟ ରାମାନନ୍ଦଙ୍କର ବି। କାଳଗର୍ଭରେ ସବୁ କୁଆଡେ଼ ନିଶ୍ଚିହ୍ନ।

ମାତ୍ର ଏବେ ଆଧୁନିକ ସମୟରେ କୀର୍ତ୍ତିମାନ ବ୍ୟକ୍ତିତ୍ୱଙ୍କର ବାସଘରଗୁଡ଼ିକ ପ୍ରତି ଗୁରୁତ୍ୱ ଆରୋପ କରିବା ଏକ ସ୍ପୃହଣୀୟ ତଥା ଗ୍ରହଣୀୟ କର୍ତ୍ତ୍ୟବରେ ପରିଣତ ହୋଇଛି। ଏଇଠି କୁଳବୃଦ୍ଧ ମଧୁସୂଦନ ଜନ୍ମ ହୋଇଥିଲେ। ଏଇଠି ଜଳିଥିଲା ‘ଗଙ୍ଗାଧର ମେହେରଙ୍କର ଏନ୍ତୁଡ଼ି’। ଏଇ ଘର ଥିଲା ଗୋପବନ୍ଧୁଙ୍କର ‘ପୈତୃକ ଭବନ’। ଅତଏବ ସେସବୁ ଆସନ୍ତା ପିଢ଼ି ଲାଗି ପ୍ରେରଣାର ଉତ୍ସ। ଅମୂଲ୍ୟ ସମ୍ପଦ। ସେ ସମସ୍ତର ସଂରକ୍ଷଣ ଏକ ଜାତୀୟ କର୍ତ୍ତବ୍ୟ।

ବିଂଶ ଶତାବ୍ଦୀର ପ୍ରଥମ ଦଶନ୍ଧିରେ କଟକ ସହରର ଉତ୍ତର-ପଶ୍ଚିମ ପଟେ ଭଞ୍ଜନଗର ମୂଳ ଅଧିବାସୀ ବରିଷ୍ଠ ଆଇନ-ଅଧିକାରୀ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଘରଟିଏ ତୋଳେଇ ନାଁ ଦେଇଥିଲେ ‘ଆନନ୍ଦ ଭବନ’। ଯେମିତି ପ୍ରସିଦ୍ଧ ଓକିଲ ମୋତିଲାଲ୍ ନେହରୁ ସେଇ ମାତ୍ର କେତେବର୍ଷ ଆଗରୁ ଆଲହାବାଦରେ ଭବ୍ୟ ପ୍ରସାଦଟିଏ ତୋଳେଇ ତା’ର ନାମକରଣ କରିଥିଲେ ‘ଆନନ୍ଦ ଭବନ’। ଅପୂର୍ବ ସଂଯୋଗ। ଉତ୍ତରପ୍ରଦେଶର ସେ ଆନନ୍ଦ ଭବନରେ ବଢ଼ିଥିଲେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍ ନେହରୁ। ଏଣେ ଓଡ଼ିଶାର ଏ ଆନନ୍ଦ ଭବନରେ କୁଆଁରଡ଼ିରୁ ଆରମ୍ଭକରି କଲେଜ ଜୀବନ ଶେଷ କରି ପୁଣି ପାଇଲଟ୍ ବୃତ୍ତିରୁ ଫେରି ବ୍ୟବସାୟ ଓ ରାଜନୀତିରେ ପ୍ରବେଶ କରିବାଯାଏଁ ସମଗ୍ର ସମୟକାଳ କାଟିଥିଲେ ଓଡ଼ିଶାର ଅନନ୍ୟ ରାଜନେତା ବିଜୁ ପଟ୍ଟନାୟକ।

ଓଡ଼ିଶାର ଆନନ୍ଦ ଭବନ’

ଅଧ ଏକର ଭୂମି ପରିବ୍ୟାପ୍ତ ଅଞ୍ଚଳରେ ପାଞ୍ଚହଜାର ବର୍ଗଫୁଟ ପରିମିତ ବାସଘର। ଆଗରେ ବଗିଚା ପଛପଟେ ପନିପରିବା କ୍ଷେତ। କେବଳ ପାଠପଢ଼ା, ଶୃଙ୍ଖଳିତ ଜୀବନଧାରା ନୁହେଁ ମାଟି କୋଡ଼ିବା, ଗଛ ଲଗେଇବା, ପାଣିଦେବା ଭଳି ଶାରୀରିକ କାର୍ଯ୍ୟରେ ଏଇଠି ପିତା ଲକ୍ଷ୍ମୀନାରାୟଣ ଦୋରସ୍ତ କରିିଥିଲେ ତିନିପୁଅ ଜର୍ଜ, ବିଜୁ, ସିଜୁ ଓ ଏକମାତ୍ର କନ୍ୟା ସୁକୃତିଙ୍କୁ। ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଥିଲେ ଆକାଶ ପରି ବ୍ୟାପକ ପୁଣି ଗୁରୁଗମ୍ଭୀର। ମାଆ ଆଶାଲତା ମାଟି ପରି ସର୍ବଂସହା, ସ୍ନେହଶୀଳା ତଥା ଅତୁଟ କଲ୍ୟାଣକାମିନୀ। ଉଭୟ ଲକ୍ଷ୍ମୀନାରାୟଣ ଓ ଆଶାଲତାଙ୍କ ସ୍ୱପ୍ନନୀଡ଼ପାଲଟି ଥିଲା ‘ଆନନ୍ଦ ଭବନ’। ସେଇ ‘ଆନନ୍ଦ ଭବନ’ ଦିନ ଦିନ, ରାତି ରାତି ଟିକେ ଟିକେ କରି ଗଢ଼ିଥିଲା ବିଜୟାନନ୍ଦ ଓରଫ୍ ବିଜୁଙ୍କୁ ଆଶୈଶବ ଯୌବନ ପର୍ଯ୍ୟନ୍ତ।

ବିଜୁବାବୁ ଯେ ଅଦମ୍ୟ ସାହସୀ ବନିଥିଲେ, ସ୍ୱପ୍ନଭୁକ୍-ଶିଳ୍ପସମ୍ରାଟର ବାଟ ଚାଲିବାକୁ ଆରମ୍ଭ କରିଥିଲେ, ଜାତୀୟତାର ବହ୍ନିରେ ନିଜକୁ ଝାସ ଦେଇଥିଲେ ବା ବେସାଲିସ୍ ଦରଦୀ ମଣିଷର ରୂପ ଆପଣେଇଥିଲେ ସେ ସମସ୍ତ ଆରମ୍ଭ ହୋଇଥିଲା ଏଇ ଆନନ୍ଦ ଭବନରୁ। ବାପାଙ୍କର କଠୋର କର୍ମଠ ଜୀବନ ସାଙ୍ଗକୁ ମାଆଙ୍କର ସ୍ରୋତସ୍ୱିନୀ ଦୟାଶୀଳ-ଭାବ କୁମ୍ଭାର ଚକରେ ଗଢ଼ିବା ପରି ପିଲାଦିନୁ ସ୍ତର ସ୍ତର କରି ଗଢ଼ିଥିଲା ତାଙ୍କୁ।

ସେଇଠି ମାର୍ଚ୍ଚ ୫,୧୯୧୬ରେ ଜନ୍ମ। ସାତବର୍ଷରେ ଆପେଣ୍ଡିସାଇଟିସ୍ ଫାଟିଯାଇ ସଙ୍କଟାପନ୍ନ ଜୀବନରୁ ଉଦ୍ଧାର, କଟକର ସ୍ୱରାଜ ଆଶ୍ରମ ନିକଟରେ ଗୋରା ପୋଲିସ୍ଠାରୁ ଲାଠିମାଡ଼ ଓ ସେହି କାରଣରୁ ଦେଶର ସ୍ୱାଧୀନତା ସଂଗ୍ରାମ ପ୍ରତି ବିଯୋଡ଼ ମମତା, ମିଶନ ସ୍କୁଲରେ ପାଠପଢ଼ା, ରେଭେନ୍ସା କଲେଜିଏଟ୍ ସ୍କୁଲରେ ହାଇସ୍କୁଲ୍ ପାଠ ଶେଷ, ରେଭେନ୍ସା କଲେଜ୍ରେ ଆଇ.ଏସ୍.ସି ପଢ଼ୁଥିବା ବେଳେ କଟକରୁ ପେଶଓ୍ୱାର ଦୁଃସାହସିକ ସାଇକେଲ୍ ଯାତ୍ରା, ପୁଣି ବି.ଏସ୍.ସି ପଢ଼ୁ ପଢ଼ୁ ପାଇଲଟ୍ ଟ୍ରେନିଂରେ ଯୋଗଦାନ। ସେଇ ‘ଆନନ୍ଦ ଭବନ’ ସବୁ କଥାର ମୂକ ସାକ୍ଷୀ ପୁଣି ନିୟାମକ। ଅଠର ବର୍ଷ ସେଠାରେ କଟେଇ ସେ ଯାଇଥିଲେ ପାଇଲଟ୍ ହେବା ପାଇଁ।

୧୯୩୪ରେ ପାଇଲଟ୍ ହେବାକୁ ମନ କରିବା ଓଡ଼ିଶା ଭୂଇଁରେ ସେତେବେଳେ ଅଲୌକିକ କଥା। ପଛରେ ପ୍ରେରଣା ଥିଲା ପିତାଙ୍କର। ଦୁଇବର୍ଷ ପରେ ସେ ପାଇଲଟ୍ ହୋଇ ନ୍ୟାସନାଲ୍ ଏୟାର୍େଓ୍ୱଜରେ ଯୋଗ ଦେଇଥିଲେ। ଅଥଚ ସେଇ ପାଇଲଟ୍ ଜୀବନ ଭିତରେ ହିଁ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଝଡ଼ ଭିତରକୁ ସେ ପଶିଯାଇଥିଲେ ଇଗଲର ଡେଣା ନେଇ। ସେଥିପାଇଁ ଜେଲ୍ ଦଣ୍ଡ ବି ଭୋଗିଥିଲେ। ପୁଣି ଫେରିଥିଲେ ‘ଆନନ୍ଦ ଭବନ’। ସ୍ୱପ୍ନ ବୁଣା ଚାଲିଲା ସେଇ ଘରେ। ସାଇକେଲ୍ ଗଡ଼ିଲା କଟକରୁ ଚୌଦ୍ୱାର। ନିତି ପ୍ରତି। ଏପଟେ ବେକାର ଜୀବନ, ସେପଟେ ଶିଳ୍ପ ସାମ୍ରାଜ୍ୟର ପରିକଳ୍ପନା। ବିଜୁ ପଟ୍ଟନାୟକ ଏଣ୍ଡ କମ୍ପାନି ବ୍ୟବସାୟ ପ୍ରତିଷ୍ଠାନର ନୀଳ ନକ୍ସା ତିଆରି ହୁଏ ସେଇଠି ୧୯୪୪ରେ। ମାତ୍ର ତା’ ଆଗରୁ ୧୯୪୧ ଓ ୧୯୪୨ରେ ଡକାଡକି ହୋଇ ଆଗପଛ ଯିବା ପରି ଆରପାରିକୁ ଚାଲି ଯାଇଥିଲେ ପିତା ଲକ୍ଷ୍ମୀନାରାୟଣ ଓ ମାଆ ଆଶାଲତା।

ଯିଏ ପରଲାଗି ଜନ୍ମ ସେ ନିଜ ସକାଶେ ସ୍ୱପ୍ନ ସଉଧ ଗଢ଼ିବ କେମିତି? ୧୯୪୫ରେ ସ୍ୱଦେଶୀ ସଂଗ୍ରାମରେ ଯୋଗଦେଇ ବିଜୁବାବୁ ପୁଣି ଗିରଫ ହୋଇ ପାରୋଲ୍ରେ ଆସନ୍ତି। ତେଣିକି ଆରମ୍ଭ ହୁଏ ରାଜନୈତିକ ଜୀବନ। ବିଜୁ ପଟ୍ଟନାୟକଙ୍କ ରାଜନୈତିକ ଜୀବନର ବିଚାର ଫର୍ଦ୍ଦ ବି ପ୍ରସ୍ତୁତ ହୋଇଥିଲା ସେଇ ‘ଆନନ୍ଦ ଭବନ’ରେ।

ଏହା ପରେ ‘ଆନନ୍ଦ ଭବନ’ ଆଉ ସ୍ଥାୟୀ ନିବାସ ହୋଇ ରହିନାହିଁ ତାଙ୍କ ପାଇଁ। ହେଲେ ୧୯୧୬ରୁ ୧୯୪୭ ଦୀର୍ଘ ଏକତିରିଶ ବର୍ଷର ଆବାଲ୍ୟ-କୈଶୋର-ଯୌବନ ବିଜୁବାବୁ ପ୍ରାୟତଃ କଟେଇଥିଲେ ଏଇଠି। ଆଜିର ଆନନ୍ଦ ଭବନ କୋଠା ହୁଏତ ୧୯୩୧ ମସିହାରେ ତିଆରି ହୋଇଥିଲା। କିନ୍ତୁ ତା’ ପୂର୍ବରୁ ସେହି ସ୍ଥାନରେ ବାସ କରୁଥିଲେ ଲକ୍ଷ୍ମୀନାରାୟଣଙ୍କ ପରିବାର।

ବିଜୁ-ବାସସ୍ଥଳୀ ‘ଆନନ୍ଦ ଭବନ’ ଆଜି ଏକ ଐତିହାସିକ ଇମାରତ୍। ଦୀର୍ଘ ଦିନ ଧରି ସେଇ ଅବୟବରେ ଏବେ ସୁଦ୍ଧା ଠିଆ ହୋଇଛି ସେମିତି। ଏବଂ ସବୁଠାରୁ ବଡ଼ କଥା ହେଲା ଓଡ଼ିଶା ରାଜନୀତିର ଅସାମାନ୍ୟ ତୁଙ୍ଗପୁରୁଷ ତଥା ଭାରତୀୟ ରାଜନୀତିର ଏକଦା ସମସ୍ୟା-ସମାଧାନକାରୀ-ପ୍ରବନ୍ଧକର ସୁନାମ ଅର୍ଜନ କରିଥିବା ବିଜୁ ପଟ୍ଟନାୟକଙ୍କର ତାହା ହେଉଛି ବାସଭୂମି। ଐତିହାସିକ ହେବା ସକାଶେ ଯେଉଁ ତିନିଗୋଟି ମୌଳିକ ଆବଶ୍ୟକତା ଦରକାର ତାହା ଅଛି ଏ ସୁଦୃଶ୍ୟ ଭବନଟିରେ।

ପ୍ରସିଦ୍ଧ ଭବନ କହିଲେ ସାରା ବିଶ୍ୱରେ ସାଧାରଣ ଲୋକେ ଅଣ୍ଡାଳି ବସନ୍ତି ଚଳଚ୍ଚିତ୍ର ମାଧ୍ୟମରେ ଅମିତ ଐଶ୍ୱର୍ଯ୍ୟଶାଳୀ ପାଲଟିଥିବା ଅଭିନେତା ବା ଅଭିନେତ୍ରୀଙ୍କ କୁଢ଼ କୁଢ଼ ଅନାୟାସ ଆୟରେ ଗଢ଼ା ବିଶାଳ-ପ୍ରସାଦଗୁଡ଼ିକୁ। ହେଲେ ସେ ସବୁ କ’ଣ ଐତିହାସିକ? ମଣିଷର ଚିତ୍ତକୁ ସେଇ ଗୃହ ଆନ୍ଦୋଳିତ କରେ ଯାହା ଦିନେ ତା’ କୋଳରେ ବଢେ଼ଇଥିଲା ଏକ ଅବୋଧ ଶିଶୁକୁ ଯିଏ ଦିନେ ବିଶ୍ୱ ଦରବାରରେ ନିଜର ପରିଚୟ ସୃଷ୍ଟି କରିବାକୁ ସକ୍ଷମ ହେଲା। କୋଟି କୋଟି ଜନତାଙ୍କ ମେଳରେ ଗୋଟିଏ ହୋଇ ବାରି ହୋଇ ପଡ଼ିଲା। ଅଗଣିତ ହୃତ୍ସ୍ପନ୍ଦନକୁ ମୁଠେଇ ଧରିପାରିଲା ଆପଣା ହୃଦୟରେ ନିଜକୁ ବିଶାଳ କରି, ବିସ୍ତାରିତ କରି।

ସେମିତି ଜଣେ ଥିଲେ ବିଜୁ ପଟ୍ଟନାୟକ। ତଦନୁରୂପ ପ୍ରସିଦ୍ଧିର ହକ୍ଦାର କଟକର ଏଇ “ଆନନ୍ଦ ଭବନ’।

ବିଜୁ ପଟ୍ଟନାୟକଙ୍କ ପରେ ତାଙ୍କର ସନ୍ତାନମାନେ ‘ଆନନ୍ଦ ଭବନ’କୁ ଟେକି ଦେଇଛନ୍ତି ଓଡ଼ିଶାର ଜନସାଧାରଣଙ୍କ ହାତରେ। କଟକ ସବ୍-ରେଜିଷ୍ଟ୍ରାରଙ୍କ ଇଜ୍ଲାସ୍ରେ ଯେଉଁ ଉପହାର-ଦଲିଲ୍ ମାଧ୍ୟମରେ ଏହା କରାଯାଇଛି ସେଥିରେ ଉଲ୍ଲେଖ ଅଛି ଯେ “ଆନନ୍ଦ ଭବନ’ ଓଡ଼ିଶାର ବରପୁତ୍ର ବିଜୁବାବୁଙ୍କର କର୍ମଭୂମି ଓ ଜନ୍ମଭୂମି। ଏହାର ଗଳିକନ୍ଦିରେ ଭରି ରହିଛି

ଓଡ଼ିଶାର ଜନସାଧାରଣଙ୍କ ପ୍ରତି ତାଙ୍କର ନିଃସ୍ୱାର୍ଥ ତଥା ସମର୍ପିତ ସେବା। ବିଜୁବାବୁଙ୍କର ଆଧୁନିକ ଓଡ଼ିଶା ଗଢ଼ିବାର ସ୍ୱପ୍ନକୁ ସାକାର କରିବା ଲାଗି ଜନସାଧାରଣଙ୍କର ଗଭୀର ଶ୍ରଦ୍ଧା ଓ ପ୍ରେମକୁ ଆଖିରେ ରଖି ସାରା ରାଜ୍ୟର ସମ୍ପତ୍ତି ଭାବେ ଏ ଭବନ ଦାନକାରୀଙ୍କ ଦ୍ୱାରା ଉତ୍ସର୍ଗୀକୃତ ହେଲା।

ଏକ ଜାତୀୟ ସଂଗ୍ରହାଳୟରେ ପରିଣତ ହେବାକୁ ଯାଉଛି ଏ ଭବନ, ବିଜୁବାବୁଙ୍କ ଦୈନନ୍ଦିନ ଜୀବନରେ ବ୍ୟବହୃତ ସାମଗ୍ରୀ ସାଙ୍ଗକୁ ଆସବାବପତ୍ର, ବହି, ସାଇକେଲ୍, ଲୁଗାପଟା।

୨୦୧୫ରେ ଉପହାର ଦଲିଲ୍ ଦସ୍ତଖତ କଲାବେଳେ ତାଙ୍କର କନିଷ୍ଠ ସନ୍ତାନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ “ଏ ଘର ହେବ ସଂଗ୍ରହାଳୟ, ଶିକ୍ଷା ତଥା ଗବେଷଣାକେନ୍ଦ୍ର ଓ ବିଶାଳ ପାଠାଗାରର ଏକ ଅପୂର୍ବ ସମନ୍ୱୟ।”

ଏହି ‘ଆନନ୍ଦ ଭବନ’ରେ ବି ଜନ୍ମ ହୋଇଥିଲେ ଶ୍ରୀ ନବୀନ ପଟ୍ଟନାୟକ।

Leave a Reply

*