Blog

ଓଡ଼ିଶାକୁ ହୃଦୟ ଦେଇ ଭଲ ପାଉଥିଲେ ବିଜୁ ପଟ୍ଟନାୟକ

ସୁବ୍ରତ ବାଗ୍‌ଚୀ

ରାଜନୀତିଠାରୁ ଅନେକ ଊର୍ଦ୍ଧ୍ୱରେ ଥିଲା ତାଙ୍କର ମହାନ ଜୀବନାଦର୍ଶ। ତାଙ୍କ ପରଲୋକରେ ବିଶ୍ୱର ଏକ ନମ୍ବର ଖବରକାଗଜ ‘ନ୍ୟୁୟର୍କ ଟାଇମ୍ସ’ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଥିଲା। ମାତ୍ର କମ୍ ଭାରତୀୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ‘ନ୍ୟୁୟର୍କ ଟାଇମ୍ସ’ ତାଙ୍କୁ ଓଡ଼ିଶାର ଦୁଇ ଥରର ମୁଖ୍ୟମନ୍ତ୍ରୀ କିମ୍ବା ଜଣେ କେନ୍ଦ୍ର ମନ୍ତ୍ରୀ ଭାବରେ ନୁହେଁ, ବରଂ ଜଣେ ଦୁର୍ଦ୍ଧର୍ଷ ପାଇଲଟ ଏବଂ ଜଣେ ଦେଶଭକ୍ତ ଭାବେ ଦର୍ଶାଇଥିଲା।

ଏହି ମହାନାୟକଙ୍କୁ ପୂର୍ଣ୍ଣ ପୃଷ୍ଠାରେ ଶ୍ରଦ୍ଧାଞ୍ଜଳି ଜଣାଇ ‘ଦି ଇକୋନୋମିଷ୍ଟ’ ଲେଖିଥିଲା, ବ୍ରିଟିସ୍ ଶାସିତ ଭାରତର ଇତିହାସକୁ ପଢ଼ିବାକୁ ବିଜୁ ପଟ୍ଟନାୟକଙ୍କ ଜୀବନକୁ ପଠନ କରାଯାଇପାରେ। ଭାରତର ରାଜନୀତିକୁ ସେ ଦେଇଥିଲେ ନୂଅ ରଂଗ।

ବାସ୍ତବିକ, ଦେଶର ଜରୁରୀ ପରିସ୍ଥିତି ହେଉ କିମ୍ବା ଯୁଦ୍ଧ, ସବୁଠି ଦେଶ ଭକ୍ତି ଆଉ ନିର୍ଭୀକତାର ପରିଚୟ ଦେଇଛନ୍ତି ବିଜୁ ପଟ୍ଟନାୟକ। ସ୍ୱାଧୀନତା ସଂଗ୍ରାମ ହେଉ ବା ସ୍ୱାଧୀନୋତର ଭାରତ, ତାଙ୍କ ଦେଶଭକ୍ତିର ପଟାନ୍ତର ନାହିଁ। ଦଶନ୍ଧି ଦଶନ୍ଧି ଧରି ସେ ଦେଶଭକ୍ତିର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। ଜଣେ ବାଳକର ଜୀବନ ରକ୍ଷା ପାଇଁ ଉଛୁଳା କାଠଯୋଡିକୁ ଡେଇଁ ପଡିବାଠାରୁ ଆରମ୍ଭକରି ଦୁର୍ଦ୍ଧର୍ଷ ବିମାନ ଳନା ପର୍ଯ୍ୟନ୍ତ, ସବୁ କିଛି ତାଙ୍କ ସହସିକ ଜୀବନର ଗୋଟିଏ ଗୋଟିଏ ଫର୍ଦ୍ଦ।

ସେ ରାଜନେତା ନଥିଲେ। ଥିଲେ ରାଷ୍ଟ୍ରନେତା। ରାଜନୀତିଠାରୁ ଊର୍ଦ୍ଧ୍ୱରେ ରହି ଦେଶ ଆଉ ସମାଜକୁ ସେ ନେତୃତ୍ୱ ଦେଇଥିଲେ। ସେ ଥିଲେ ଦୂରଦ୍ରଷ୍ଟା। ସେ ବିକାଶର ସ୍ୱପ୍ନ ଦେଖୁଥିଲେ ଆଉ, ସ୍ୱପ୍ନକୁ ସାକାର କରିବା ପାଇଁ ତାଙ୍କ ପାଖରେ ଥିଲା ପ୍ରବଳ ଇଚ୍ଛାଶକ୍ତି। ପ୍ରତିକୂଳ ସ୍ରୋତରେ ପହଁରିବାର ସାମର୍ଥ୍ୟ ଏବଂ ସାହସ, ସବୁ କିଛିର ସେ ଅଧ#କାରୀ ଥିଲେ।

ଓଡ଼ିଶାକୁ ହୃଦୟ ଦେଇ ଭଲପାଉଥିଲେ ବିଜୁ ପଟ୍ଟନାୟକ। ଓଡ଼ିଶାର ବିକାଶ ପାଇଁ ତାଙ୍କ ଆଖିରେ ଥିଲା ଅଜସ୍ର ସ୍ୱପ୍ନ। ସେ ନିଜେ ସ୍ୱପ୍ନ ଦେଖୁଥିଲେ ଆଉ ଓଡ଼ିଶାବାସୀଙ୍କୁ ସ୍ୱପ୍ନ ଦେଖାଉଥିଲେ। ସ୍ୱପ୍ନ ହିଁ ଆଗକୁ ବଢିବାର ମାର୍ଗ- ଏହା ଥିଲା ତାଙ୍କର ବିଶ୍ୱାସ। ଆଉ ଗୋଟିଏ କଥା ଉପରେ ସେ ଜୋର ଦେଉଥିଲେ। ସେ କହୁଥିଲେ, କୌଣସି ଜାତି ତା’ର ଅତୀତକୁ ଛାଡି ଭବିଷ୍ୟତକୁ ଦେଖିପାରିବ ନାହିଁ। ସେଥିପାଇଁ ଓଡ଼ିଶାବାସୀଙ୍କୁ ଗୌରବୋଜ୍ୱଳ ଅତୀତର ସ୍ମରଣ କରାଇଥିଲେ ବିଜୁ ପଟ୍ଟନାୟକ।

ଏକ ବିକଶିତ ଭବିଷ୍ୟତକୁ ଦେଖି ପାରୁ ନଥିବା ଓଡ଼ିଆଙ୍କୁ ମନେପକାଇ ଦେଇଥିଲେ ଗଙ୍ଗାରୁ ଗୋଦାବରୀ ଏବଂ ଦରିଆପାରି ପର୍ଯ୍ୟନ୍ତ ବିସ୍ତୃତ କଳିଙ୍ଗ ସାମ୍ରାଜ୍ୟର କଥା। ପୂର୍ବଜଙ୍କ ବୀରତ୍ୱର ଗାଥା ଶୁଣାଇ ଓଡ଼ିଶାବାସୀଙ୍କୁ ଜାଗ୍ରତ କରିବାକୁ ଉଦ୍ୟମ କରିଥିଲେ। କଳିଙ୍ଗ ଶବ୍ଦ ସହ ଯୋଡ଼ି ହୋଇରହିଛି ପ୍ରାଚୀନ ଉତ୍କଳର ସମୃଦ୍ଧିର କାହାଣୀ। ସେଥିପାଇଁ ଏହି ଶବ୍ଦକୁ ସେ ବାଛି ନେଇଥିଲେ। ସେଥିପାଇଁ ରାଜ୍ୟରେ ଯାହା ପ୍ରତିଷ୍ଠ କଲେ, ସେ ସବୁ କଳିଙ୍ଗ ନାଁରେ ନାମିତ କରିଥିଲେ। ସେହି ସମୃଦ୍ଧ କଳିଙ୍ଗର ସ୍ୱପ୍ନ ଦେଖିଥିଲେ ବିଜୁ ପଟ୍ଟନାୟକ। ବିଜୁ ପଟ୍ଟନାୟକ ନଥିଲେ ବୋଧହୁଏ ଓଡ଼ିଶାର ଜନମାନସରୁ କଳିଙ୍ଗ ଶବ୍ଦ ହଜି ଯାଇଥାନ୍ତା।

ତାଙ୍କ ଦୃଷ୍ଟି ଥିଲା ସୁଦୂର ପ୍ରସାରୀ। ଯେଉଁଠି ଶଗଡ଼ର ଗୁଳା ପଡ଼ିଥିଲା, ସେଠି ସେ ଚାରିଥାକିଆ ରାଜପଥର ସ୍ୱପ୍ନ ଦେଖିଥିଲେ। ସେ ହିଁ ଓଡ଼ିଶାରେ ଆରମ୍ଭ କରିଥିଲେ ଶିଳ୍ପ ବିପ୍ଳବ। ଗୋଟିଏ ପରେ ଗୋଟିଏ ଶିଳ୍ପ ପ୍ରତିଷ୍ଠା କରିଥିଲେ। କେବଳ ରାଜ୍ୟର ଆଥିର୍କ ବିକାଶ ଉପରେ ତାଙ୍କର ଦୃଷ୍ଟି ନଥିଲା, ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି, ସ୍ଥାପତ୍ୟ ଏବଂ ବିଜ୍ଞାନର ପ୍ରଚାର ପ୍ରସାର ପାଇଁ ସେ ଆଦୌ ଭୁଲିଯାଇନଥିଲେ।

ସେ ସାହସର ସହ କହନ୍ତି, ଓଡ଼ିଶା ଛୋଟ ହୋଇଯାଇଛି। ଆମେ ନାରୀ ପୁରୁଷମାନେ ସଂକୁଚିତ ହୋଇ ଯାଇଛୁ। ଆମର ବଡ଼ ସ୍ୱପ୍ନ ନାହିଁ। ଆମର ଛୋଟିଆ ସମସ୍ୟା, ଛୋଟିଆ ଷଡ଼ଯନ୍ତ୍ର, ଛୋଟିଆ ପସନ୍ଦ, ଅପସନ୍ଦ, ଛୋଟିଆ କ୍ଷତି ଆଉ ଛୋଟିଆ ଲାଭ। ଦୂରଦୃଷ୍ଟିସଂପନ୍ନ ଆଉ ପ୍ରଚଣ୍ଡ ସ୍ୱାଭିମାନୀ ବିଜୁବାବୁ ଆମକୁ ହୀନମନ୍ୟତାରୁ ଊର୍ଦ୍ଧ୍ୱକୁ ଉଠିବାକୁ ଜାଗ୍ରତ କରୁଥିଲେ। ଏହା କେବଳ ଥିଲା ଓଡ଼ିଶା ପାଇଁ ତାଙ୍କ ସ୍ୱପ୍ନ ଓ ଭଲ ପାଇବା। ସେଥିପାଇଁ ସେ ସବୁବେଳେ କହନ୍ତି “ମୋ ସ୍ୱପ୍ନର ଓଡ଼ିଶା’।

ଓଡ଼ିଶାବାସୀଙ୍କ ଭିତରେ ସେ ନିଜର ସ୍ୱପ୍ନ ବାଣ୍ଟୁଥିଲେ। ଏକବିଂଶ ଶତାବ୍ଦୀର ଓଡ଼ିଶା ପାଇଁ ସେ ସ୍ୱପ୍ନ ଦେଖୁଥିଲେ। ସେ କହୁଥିଲେ, “ଏକବିଂଶ ଶତାବ୍ଦୀରେ ମୁଁ ସେହି ଯୁବକ ଯୁବତୀମାନଙ୍କୁ ଦେଖ#ବାକୁ ଚାହୁଁଛି, ଯାହାଙ୍କ ପାଖରେ ରାଜ୍ୟ ପାଇଁ ଭଲପାଇବା ଥିବ। ସେମାନେ ଓଡ଼ିଶାକୁ ନେଇ ନିଜ ଭିତରେ ଗୌରବ ଅନୁଭବ କରୁଥିବେ। ତାଙ୍କ ଭିତରେ ଥିବ ପ୍ରଚଣ୍ଡ ଆତ୍ମବିଶ୍ୱାସ। ସେମାନେ କାହାର ଦୟାର ପାତ୍ର ହୋଇ ବଞ୍ଚିବେନି। ସେମାନଙ୍କ ବୌଦ୍ଧିକତା, ଚିନ୍ତନ ଏବଂ ଦକ୍ଷତାବଳରେ ସେମାନେ ଇତିହାସକୁ ଦେହରାଇବେ। ପୁଣି ଥରେ ନିର୍ମାଣ କରିବେ ସେହି ସମୃଦ୍ଧ କଳିଙ୍ଗ।”

ତାଙ୍କ ଭଳି ନେତୃତ୍ୱଙ୍କୁ ଆକଳନ କରିବା ସହଜ ନୁହେଁ। ସମୟର ଚୋରାବାଲିରେ ଏମିତି ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱଙ୍କ ପଦଚିହ୍ନ ଖୋଜିବା ଏକ ଅଜ୍ଞତା ମାତ୍ର। ସେ ଜଣେ ବିସ୍ମୟ। ଇତିହାସ ତାଙ୍କ ପାଖରେ ଅଟକି ଯାଇଛି। ସେ ପାଲଟି ଯାଇଛନ୍ତି ପ୍ରବାଦ।

ଏ ପୃଥିବୀରେ ଦୁଇ ପ୍ରକାର ବ୍ୟକ୍ତି ଦେଖିବାକୁ ମିଳନ୍ତି। ପ୍ରଥମ ପ୍ରକାର ହେଉଛନ୍ତି ‘ପଥ ପ୍ରଦର୍ଶକ’, ଯିଏ ସବୁ ବେଳେ ନୂଆନୂଆ ରାସ୍ତା ତିଆରି କରନ୍ତି। ଦ୍ୱିତୀୟ ପ୍ରକାର ହେଉଛନ୍ତି ‘ଅନୁଗାମୀ’। ସେମାନଙ୍କ ସଂଖ୍ୟା ଅ୍ଧିକ ଏବଂ ଗୋଟିଏ ଗତିଶୀଳ ପାଇଁ ଉଭୟଙ୍କର ଆବଶ୍ୟକତା ରହିଛି। କିନ୍ତୁ ରାସ୍ତା ର୍ନିମାଣ ଏକ କଠିନ କାର୍ଯ୍ୟ। ଏହା ହିଁ ନେତୃତ୍ୱ। ଆଉ ଏହା ହିଁ ଥିଲେ ବିଜୟାନନ୍ଦ ପଟ୍ଟନାୟକ। ଉତ୍ତର ପିଢ଼ି ପାଇଁ ସେ ଛାଡ଼ି ଯାଇଛନ୍ତି ଅନେକ ସ୍ୱପ୍ନ, ଆଉ ସ୍ୱପ୍ନକୁ ସାକାର କରିବାର ଉତ୍ତରଦାୟିତ୍ୱ।

(ମୁମ୍ବାଇରେ ‘ଦି ଟଲ୍ ମ୍ୟାନ, ବିଜୁ ପଟ୍ଟନାୟକ’ ପୁସ୍ତକର ଉପସ୍ଥାପନ ଉତ୍ସବ ଅବସରରେ ଲେଖକ ରଖିଥିବା ଭାଷଣର ମର୍ମାନୁବାଦ। ଶ୍ରୀଯୁକ୍ତ ବାଗ୍‌ଚୀ ବର୍ତ୍ତମାନ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଅଛନ୍ତି।)

Leave a Reply

*