Blog

ଆନନ୍ଦ ଭବନର ଯୋଗ୍ୟ ସନ୍ତାନ ବିଜୁ ପଟ୍ଟନାୟକ

ବସନ୍ତ ଦାସ

କଟକ ସହର ଥିଲା ବିଜୁ ପଟ୍ଟନାୟକଙ୍କର ଉଭୟ ଜନ୍ମଭୂମି ଓ କର୍ମଭୂମି। ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କ ଔରସରୁ ଏବଂ ମାତା ଆଶାଲତା ପଟ୍ଟନାୟକଙ୍କ ଗର୍ଭରୁ ୧୯୧୬ ମସିହା ମାର୍ଚ୍ଚ ମାସ ୫ ତାରିଖରେ କଟକ ସହରରେ ଆନନ୍ଦ ଭବନରେ ବିଜୁ ପଟ୍ଟନାୟକ ଜନ୍ମଲାଭ କରିଥିଲେ। ସେ ସମୟରେ ଭାରତବର୍ଷରେ ଦୁଇଟି ’ଆନନ୍ଦଭବନ’ ସୁଖ୍ୟାତି ଲାଭ କରିଥିଲା। ଗୋଟିଏ ହେଲା ଆହ୍ଲାବାଦ ସହରରେ ଥିବା ଭାରତ ବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ବାସଭବନ ଏବଂ ଅନ୍ୟଟି କଟକ ସହରରେ ଥିବା ବିଜୁ ପଟ୍ଟନାୟକଙ୍କ ଜନ୍ମସ୍ଥାନ।

ଗୋଟିଏ ଖାନଦାନ ପରିବାରରୁ ଜନ୍ମ ହୋଇଥିଲେ ହେଁ ପରିବେଶ ଓ ପରିସ୍ଥିତିରେ ସେ ହୋଇଯାଇଥିଲେ ଜଣେ ଖୋଦ୍ କଟିକିୟା। କଟକ ସହରରେ ପାଣିପାଗ ଜଳଜୀବନ ସହିତ ସେ ନିଜକୁ ସମ୍ପୂର୍ଣ୍ଣ ଭାବେ ମିଶାଇ ଦେଇଥିଲେ। କଟିକିଆମାନଙ୍କର ସେ ଥିଲେ ଘନିଷ୍ଠ ବନ୍ଧୁ। କଟକବାସୀମାନେ ତାଙ୍କୁ ଖୁବ୍ ଶ୍ରଦ୍ଧା କରୁଥିଲେ। ପିଲାଦିନେ ମହାନଦୀରେ ପହଁରିବାଠାରୁ ଆରମ୍ଭ କରି ମହାନଦୀ ପଠାରେ ଥିବା ଭୂଇଁ ବରକୋଳି ଖାଇବା ପର୍ଯ୍ୟନ୍ତ ସବୁ କାମରେ ସେ ଆଗୁଆ ଥିଲେ।

ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ବିଜୁ ପଟ୍ଟନାୟକ ଯେ ଭବିଷ୍ୟତରେ ଜଣେ ସାହସୀ, ଲଢ଼ୁଆ ବ୍ୟକ୍ତି ହେବେ ତାହାର ସୂଚନା ମିଳିଥିଲା। କଟକ ସହରରେ ଥିବା ମିସନ ସ୍କୁଲ୍ରେ ପ୍ରଥମେ ବିଜୁ ପଟ୍ଟନାୟକଙ୍କ ବାଲ୍ୟଶିକ୍ଷା ଆରମ୍ଭ ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ସେ ରେଭେନ୍ସା କଲିଜିଏଟ୍ (ରେଭେନ୍ସା କଲିଜିଏଟ୍ ସ୍କୁଲ)ରେ ଅଧ୍ୟୟନ କରିଥିଲେ। ପାଠ ପଢ଼ା ସହିତ ବିଜୁ ପଟ୍ଟନାୟକଙ୍କର ଫୁଟବଲ୍, ଭଲିବଲ୍, କୁସ୍ତିକସରତ, ଦୌଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରିଥିଲେ। ସ୍କୁଲରେ ପଢ଼ୁଥିଲା ସମୟରେ ସେ ଶିକ୍ଷକମାନଙ୍କର ପ୍ରିୟଭାଜନ ହୋଇଥିଲେ।

ସେ ସମୟରେ ଓଡ଼ିଶାରେ କୌଣସି ବିଶ୍ୱବିଦ୍ୟାଳୟ ନଥିଲା। ବିହାର ରାଜ୍ୟର ପାଟଣା ବିଶ୍ୱବିଦ୍ୟାଳୟ ଅଧିନରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ନିୟନ୍ତ୍ରିତ ହେଉଥିଲା। ୧୯୩୨ ମସିହାରେ ବିଜୁ ପଟ୍ଟନାୟକ ପାଟଣା ବିଶ୍ୱବିଦ୍ୟାଳୟରେ ଅଧିନରେ ମାଟ୍ରିକ୍ ପରୀକ୍ଷା ଦେଇ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ବିଜ୍ଞାନ ପ୍ରତି ଅଧିକ ଆଗ୍ରହ ଥିବାରୁ ସେ ରେଭେନ୍ସା କଲେଜ୍ରେ ଆଇ.ଏସ୍. ସିରେ ନାମ ଲେଖାଇଥିଲେ। ସେହି ସମୟରେ ତାଙ୍କର ପ୍ରତିଭା ବିକଶିତ ହୋଇଥିଲା।

ରେଭେନ୍ସା କଲେଜରେ ଅଧ୍ୟୟନ ସମୟରେ ସେ କ୍ରମାଗତ ଭାବରେ ୩ ବର୍ଷ ଆଥେଲେଟିକ୍ ଚାମ୍ପିଆନ୍ ହୋଇ ରେକର୍ଡ ସୃଷ୍ଟି କରିଥିଲେ ଯାହାକି ଦୀର୍ଘ ଦିନ ଧରି ଅକ୍ଷୂର୍ଣ୍ଣ ରହିଥିଲା। କିନ୍ତୁ ବିଜୁ ପଟ୍ଟନାୟକ ରେଭେନ୍ସା କଲେଜରେ ପଢ଼ୁଥିବା ସମୟରେ ତାଙ୍କ ବଡ଼ ଭାଇ ଜର୍ଜ ପଟ୍ଟନାୟକ (ପ୍ରତିଷ୍ଠିତ ଦନ୍ତ ଚିକିତ୍ସକ) ମେଡିକାଲ କଲେଜରେ ଅଧ୍ୟୟନ କରୁଥିଲେ। ସେ ସମୟରେ କଟକ ସହରରେ ଫୁଟବଲ୍ ଖେଳର ଖୁବ୍ ଆଦର ଥିଲା ହେଲେ ସେଥିପାଇଁ ଭଲ ଖେଳପଡ଼ିଆ ନଥିଲା। ପୋଲିସ ଲାଇନରେ ଥିବା ପଡ଼ିଆରେ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହେଉଥିଲା। ଆନ୍ତଃ କଲେଜ ଫୁଟବଲ୍ ମ୍ୟାଚ୍ ଦେଖିବା ପାଇଁ ଲୋକେ ଆସୁଥିଲେ। ବିଶେଷ କରି ଯେଉଁଦିନ ରେଭେନ୍ସା କଲେଜ ଓ ମେଡିକାଲ୍ କଲେଜ୍ ମଧ୍ୟରେ ଫୁଟବଲ୍ ମ୍ୟାଚ୍ ହେଉଥିଲା ସେ ଦିନ ଦର୍ଶକଙ୍କ ସଂଖ୍ୟା ଅଧିକ ହେଉଥିଲା। କାରଣ ରେଭେନ୍ସା ଦଳରେ ବିଜୁ ପଟ୍ଟନାୟକ ଓ ମେଡିକାଲ୍ ଦଳରେ ଜର୍ଜ ପଟ୍ଟନାୟକଙ୍କ ଖେଳ ଅତ୍ୟନ୍ତ ଆକର୍ଷଣୀୟ ହେଉଥିଲା।

ଯୁବକ ଅବସ୍ଥାରେ ବିଜୁ ପଟ୍ଟନାୟକ ଅତ୍ୟନ୍ତ ଦୁଃସାହସିକ ଥିଲେ। ରେଭେନ୍ସା କଲେଜରେ ପଢ଼ୁଥିବା ସମୟରେ ସେ ତାଙ୍କର ଦୁଇ ଜଣ ସାଥୀ କଟକ ସହର ମଣିଷଉ ଛକର ବାସିନ୍ଦା ଭ୍ରମରବର ସାହୁ ଓ ତିନିକୋଣିଆ ବଗିଚାର ଅଧିବାସୀ ଅମର ଦେଙ୍କୁ ସାଙ୍ଗରେ ନେଇ ସାଇକଲ୍ ଯୋଗେ କଟକ ସହରରୁ ସୁଦୂର ପେସ୍ଓ୍ୱାର ଯାତ୍ରା ୧୯୩୨ରେ କରିଥିଲେ। ତାଙ୍କର ଏହି ଦୁର୍ଗ ଯାତ୍ରାକୁ ମାତା ଆଶାଲତା ଦେବୀ ନାପସନ୍ଦ କରୁଥିଲେ ସେଥିରୁ ନିଭୃତ କରିବା ପାଇଁ ଚେଷ୍ଟା କରୁଥିଲା ବେଳେ ପିତା ଲକ୍ଷ୍ମୀନାରାୟଣ ଆନନ୍ଦରେ ତାଙ୍କୁ ସ୍ୱୀକୃତି ଦେଉଥିଲେ। ସେମାନଙ୍କର ଏହି ଯାତ୍ରା ଅତ୍ୟନ୍ତ ବିପଦପୂର୍ଣ୍ଣ ଥିଲା। ମାତ୍ର ସେଥିପାଇଁ ବିଜୁ ପଟ୍ଟନାୟକଙ୍କର ଖାତିର ନଥିଲା। କିନ୍ତୁ ନଦୀନାଳ ଓ ବନ୍ଧୁର ପଥ ଅତିକ୍ରମ କରି ଶେଷରେ ସେ ପେସ୍ଓ୍ୱାରରେ ପହଞ୍ଚି ଏକ କୀର୍ତ୍ତି ସ୍ଥାପନ କରିଥିଲେ।

ଯୁବକ ଅବସ୍ଥାରୁ ବିଜୁ ପଟ୍ଟନାୟକଙ୍କର ରାଜନୀତି ପ୍ରତି ଆଗ୍ରହ ଥିଲା। ସେ ୩୦ ବର୍ଷ ବୟସରେ ଉତ୍ତର- କଟକ ଆସନରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଯୁବ ବିଧାୟକ ଭାବରେ ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ସେ ଅଂଶଗ୍ରହଣ କରିଥିଲେ। ସେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରୁଥିଲେ। ରାଜନୀତି ତାଙ୍କର ପେଶା ନଥିଲା କିମ୍ବା ରାଜନୀତିକୁ ଆୟୁଧ କରି ଅର୍ଥ ରୋଜଗାର କରିବା ତାଙ୍କର ଲକ୍ଷ୍ୟ ନଥିଲା ବରଂ ଅପରପକ୍ଷରେ ରାଜନୀତି କରି ସେ ତାଙ୍କର ଅନେକ ସମ୍ପତ୍ତି ହରାଇଥିଲେ। ରାଜନୀତିରେ ସଫଳତାରେ ସେ କେବେ ବିମୋହିତ ହେଉନଥିଲେ କିମ୍ବା ପରାଜୟରେ ସେ କେବେ ଭାଙ୍ଗି ପଡ଼ିନଥିଲେ।

ଦେଶ ସ୍ୱାଧୀନ ହେବା ପରଠାରୁ ଦୀର୍ଘ ଦିନ ଧରି ସେ ଓଡ଼ିଶାରେ ରାଜନୀତି କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହୋଇଥିଲା। ୧୯୬୧ ମସିହାରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଦଳ ପ୍ରଥମ ଥର ପାଇଁ ବିଧାନସଭାର ୧୪୦ଟି ଆସନ ମଧ୍ୟରୁ ୮୨ଟି ଆସନ ଦଖଲ କରି ନୂତନ ରେକର୍ଡ ସୃଷ୍ଟି କରିଥିଲେ। ସେହିପରି ୧୯୯୦ ମସିହାରେ ଦ୍ୱିତୀୟ ଥର ପାଇଁ ଜନତା ଦଳର ଜଣେ ଭାବରେ ସେ ୧୨୩ ଜଣ ପ୍ରାର୍ଥୀଙ୍କୁ ନିର୍ବାଚିତ କରି ପୁନର୍ବାର ଆଉ ଏକ ରେକର୍ଡ ସ୍ଥାପନ କରିଥିଲେ, ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଛି।

ଜୀବନରେ କେନ୍ଦ୍ରମନ୍ତ୍ରୀ ଓ ଦୁଇ ଥର ମୁଖ୍ୟମନ୍ତ୍ରୀ ହେବା ସହିତ ଜାତୀୟ ସ୍ତରରେ ଅଣକଂଗ୍ରେସ ରାଜନୀତି କ୍ଷେତ୍ରରେ ସେ ଅଦ୍ୱିତୀୟ ନେତା ଥିଲେ। ୧୯୭୭ ମସିହାରେ ଜନତା ପାର୍ଟି ଗଠନରେ ବିଜୁ ପଟ୍ଟନାୟକଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ। ସେହିପରି ଦେବଗୌଡ଼ାଙ୍କୁ ପ୍ରଧାନମନ୍ତ୍ରୀ ଆସନରେ ଅଧିଷ୍ଠିତ କରାଇବାରେ ସେ ଥିଲେ ମୁଖ୍ୟ କାର୍ଯ୍ୟକର୍ତ୍ତା। ତାଙ୍କ ଅବର୍ତ୍ତମାନରେ ତାଙ୍କର ନାଁରେ ଗଠିତ ବିଜୁ ଜନତା ଦଳର ରାଜନୈତିକ ସଫଳତାରୁ ବିଜୁ ପଟ୍ଟନାୟକଙ୍କର ଲୋକପ୍ରିୟତାର ପ୍ରମାଣ ମିଳେ। ଜୀବନର ଶୀର୍ଷ ସ୍ଥାନରେ ପହଞ୍ଚିଥିଲେ ମଧ୍ୟ ସେ ନିଜର ପ୍ରିୟ ଜନ୍ମସ୍ଥାନ ଆନନ୍ଦ ଭବନକୁ କେବେହେଲେ ଭୁଲିନଥିଲେ। ତାଙ୍କର ଯୋଗ୍ୟପୁତ୍ର, ଓଡ଼ିଶା ରାଜନୀତିର ଅପାରପେୟନାୟକ, ଏକାଧିକ୍ରମେ ଦୀର୍ଘ ୧୮ ବର୍ଷ କାଳ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଥିବା ନବୀନ ପଟ୍ଟନାୟକଙ୍କୁ ତାଙ୍କର ପୌତୃକ ସମ୍ପତ୍ତି ଆନନ୍ଦଭବନକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରି ଯେଉଁ ମହାନ ପରମ୍ପରା ସୃଷ୍ଟି କରିଛନ୍ତି ସେଥିପାଇଁ ଓଡ଼ିଆ ଜାତି ତାଙ୍କ ପ୍ରତି କୃତଜ୍ଞ ରହିବ। ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଶ୍ରାଦ୍ଧସଭାରେ ଜାନକୀ ବଲ୍ଲଭ ପଟ୍ଟନାୟକ ତାଙ୍କୁ ‘ଝଡ଼ର ଇଗଲ’ ଓ ମାଟିର ମୂର୍ତ୍ତିକାର’ ବୋଲି ଯାହା ବର୍ଣ୍ଣନା କରିଥିଲେ। ସେଇଟା ଥିଲା ସ୍ୱଗର୍ତ ଆତ୍ମା ପ୍ରତି ଯଥୋଚିତ ସମ୍ମାନ।

Leave a Reply

*