Blog

ଆନନ୍ଦ ଭବନର ସ୍ମୃତି

ଡକ୍ଟର ପାବକ କାନୁନଗୋ

“୧୯୪୫ରେ ଜେଲ୍ରୁ ଖଲାସ ହେଲା ପରେ କଟକରେ ଥିବା ବାପାଙ୍କ ଘରେ ରହିଲି। ସେତେବେଳେ ପିଲାଙ୍କ ପାଇଁ କ୍ଷୀର ଟିକିଏ ବି କିଣିବାକୁ ମୋ ପାଖରେ ଦୁଇଟଙ୍କା ମଧ୍ୟ ନଥିଲା। ସିଗାରେଟ୍ ଖାଇବା ବି ଛାଡ଼ିଦେଲି।”- ଏହାର ବହୁ ବର୍ଷ ପରେ କଟକ ସହରର ସ୍ମୃତିଚାରଣ କଲାବେଳେ ଏହା ଥିଲା ବିଜୟାନନ୍ଦ ପଟ୍ଟନାୟକଙ୍କର ଉକ୍ତି। ବାପାଙ୍କ ଘର’ କହିଲେ ଆନନ୍ଦ ଭବନକୁ ବୁଝାଉଥିଲା। ସେହିଠାରେ ହିଁ ୧୯୧୬ ମାର୍ଚ୍ଚ ୫ ତାରିଖ ଦିନ ସେ ଜନ୍ମ ହୋଇଥିଲେ। ଆନନ୍ଦ ଭବନ କେବଳ ତାଙ୍କର ଜନ୍ମସ୍ଥଳ ନଥିଲା- ଏହା ଭିତରେ ଯେପରି ଗୋଟିଏ ରୋମାଞ୍ଚଭରା ଇତିହାସ ବସା ବାନ୍ଧିଥିଲା।

ନିରୋଳା ଦେଶପ୍ରେମ ସହିତ ନିର୍ଭୀକତା ଓ ଦୁଃସାହସର ପାଗ ହୋଇ ଯେଉଁ ଉପାଦାନ ଗଢ଼ାଯାଏ ସେଗୁଡ଼ିକର ସୃଷ୍ଟି ଏହି ଭବନରେ ହିଁ ହୋଇଥିଲା। ବହୁ ଉତ୍ଥାନ ଓ ପତନ, ଜୟ ଓ ପରାଜୟ, ସୁଦିନ ଓ ଦୁର୍ଦ୍ଦିନ ମଧ୍ୟରେ ଜଣେ କିପରି ଅବଦମିତ ଓ ଅଦମ୍ୟ ରହିଆସିଛନ୍ତି ତାହାର ମୂକସାକ୍ଷୀ ହୋଇ ଠିଆ ହୋଇଛି ଏହି କୋଠାଟି। ଦେଶଗଠନ, ଜାତି ଗଠନ, ଭାଷାପ୍ରୀତି ଏବଂ ଓଡ଼ିଆ ଜାତିର ପୁନରୁତ୍ଥାନର ମନ୍ତ୍ର ବିଜୁ ପିତା ଲକ୍ଷ୍ମୀନାରାୟଣଙ୍କଠାରୁ ହିଁ ଏହି ଭବନରେ ଶିଖିଥିଲେ।

ସ୍ପିଙ୍କସ୍ ପରି ରହସ୍ୟମୟ

ସୁରେନ୍ଦ୍ର ମହାନ୍ତିଙ୍କ ଭାଷାରେ ବୋଧହୁଏ ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ ବିଜୁଙ୍କୁ ଗ୍ରୀକ୍ ଉପକଥାର ସ୍ପିଙ୍କସ୍ ସହିତ ତୁଳନା କରିଥିଲେ। ସ୍ପିଙ୍କ୍ସ ଯେପରି ଧ୍ୱଂସର ଭସ୍ମଶଯ୍ୟା ଭିତରୁ ଉଠି ପୁଣି ଲମ୍ଫ ଦେଇଥାଏ, ବିଜୁବାବୁ ସେହିପରି ବହୁ ପରାଜୟର ଧୂଳିଶଯ୍ୟାରୁ ଜନ୍ମଲାଭ କରି ପୁଣି ଉତ୍ଥାନର ଚୂଡ଼ା ଆଡେ଼ ଡେଣା ମେଲିଥାନ୍ତି।

ବିଜୁ ଯେ ଦିନେ ଦୁର୍ବାର ଦୁଃସାହସକୁ ପୁଞ୍ଜି କରି ଅମଡ଼ା ବାଟରେ ଚାଲିବା ପାଇଁ ଆଗଭର ହେଲେ ତାହାର ପ୍ରାଥମିକ ପ୍ରସ୍ତୁତି ପର୍ବ କଟକରୁ ହିଁ ଆରମ୍ଭ ହୋଇଥିଲା। ଏହାର ମୁଖ୍ୟ ସ୍ଥପତି ଥିଲେ ପିତା ଲକ୍ଷ୍ମୀନାରାୟଣ। ନୈରାଶ୍ୟଜନକ ପରିସ୍ଥିତିରେ ଆଶାର ଆଲୋକବର୍ତ୍ତିକା ସହ ସମଗ୍ର ଓଡ଼ିଶାକୁ ଆଲୋକିତ କରିବାର କଳ୍ପନା ସେ ପିତାଙ୍କଠାରୁ ପାଇଥିଲେ। ଦେଶ ମିଶ୍ରଣ ଆନ୍ଦୋଳନକୁ ସମର୍ଥନ କରି ଉତ୍କଳ ଗୌରବ ମଧୁସୂଦନଙ୍କର ଜଣେ ଘନିଷ୍ଠ ସହଯୋଗୀ ପାଲଟିଯାଇଥିଲେ ଲକ୍ଷ୍ମୀନାରାୟଣ ପଟ୍ଟନାୟକ। ଏହି ଦେଶପ୍ରେମୀଙ୍କର ମହନୀୟ ଚରିତ୍ରର ପ୍ରଭାବ ବିଜୁଙ୍କ ଉପରେ ପଡ଼ିଥିଲା। ସେ ନିଜ ପୁତ୍ରଙ୍କ ଭିତରେ କେବଳ ଦେଶପ୍ରୀତି, ଭାଷାପ୍ରୀତି ବା ଜାତୀୟତାବାଦର ଭାବ ଉଦ୍ରେକ କରିନଥିଲେ, ଜଣେ ବଡ଼ ମଣିଷ ସହିତ ଭଲ ମଣିଷ ହେବା ପାଇଁ ଯେଉଁ ଗୁଣକୁ ସାଉଣ୍ଟିବା ଦରକାର ସେ ସବୁ ତାଙ୍କ ଭିତରେ ପ୍ରଚୁର ମାତ୍ରାରେ ଭରିଦେଇଥିଲେ।

ଅଠର ବର୍ଷର କଟକ ଜୀବନ

୧୯୧୬ରେ ଜନ୍ମ ହେବା ପରେ ବିଜୟାନନ୍ଦ ନିରବଚ୍ଛିନ୍ନ ଭାବରେ ଅଠର ବର୍ଷ କାଳ ପିତାଙ୍କ ତତ୍ତ୍ୱାବଧାନରେ ଆନନ୍ଦ ଭବନରେ ରହିବା ଭିତରେ ତାଙ୍କ ବ୍ୟକ୍ତିତ୍ୱର ବହୁ ଦିଗ ବିକଶିତ ହେଲା। ପ୍ରାଥମିକ ଶିକ୍ଷାଠାରୁ କଲେଜ ଶିକ୍ଷା ପର୍ଯ୍ୟନ୍ତ ସେ ଏହି ସହରରେ ରହିଥିଲେ। ଖେଳକୁଦରେ ପାରଦର୍ଶିତା ଲାଭ କରି ତିନି ତିନି ଥର ରେଭେନ୍ସା କଲେଜ୍ରେ ଚାମ୍ପିଅନ୍ ହେବାର ଗୌରବ ଅର୍ଜନ କରିଥିଲେ। ପିତାଙ୍କ ଆଶୀର୍ବାଦ ଓ ଦେଶପ୍ରୀତି ଏବଂ ମାତା ଆଶାଦେବୀଙ୍କ ଧର୍ମପରାୟଣତା, ସତ୍ୟବାଦିତା ଓ ବାତ୍ସଲ୍ୟ ମମତାରେ ପ୍ରଭାବିତ ହୋଇଥିଲେ। ମାମୁଘରର ସମ୍ପର୍କୀୟମାନେ ଯେପରି ବିପ୍ଳବର ପଥ ଆବୋରି ନେଇଥିଲେ ତାହାର କାହାଣୀ ମାତାଙ୍କଠାରୁ ଶୁଣି ଉଦ୍ବେଳିତ ହୋଇଥିଲେ।

କଟକରୁ ଭୁବନେଶ୍ୱର ଗଲା ପରେ ମଧ୍ୟ ଦେଶ ବିଦେଶରେ ଧାରଣା ଥିଲା ଯେ କଟକର ଆନନ୍ଦ ଭବନ ହିଁ ବିଜୁବାବୁଙ୍କର କର୍ମକ୍ଷେତ୍ର। ୧୯୬୩ରେ କେନେଡ଼ି ଶାସନକୁ ପ୍ରଭାବିତ କରି ଭାରତକୁ ସାମରିକ ସାହାଯ୍ୟ ଆଣିବାକୁ ପଣ୍ଡିତ ନେହରୁ ବିଜୁଙ୍କୁ ଆମେରିକା ପଠାଇଥିଲେ। ସେତେବେଳେ ଆମେରିକାର ଗୋଟିଏ ଧାରଣା ସୃଷ୍ଟି ହୋଇଥାଏ ଯେ ଭି.କେ କୃଷ୍ଣମେନନଙ୍କ ପରେ ବିଜୁ ହିଁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ହେବେ। ଏହାକୁ ଲକ୍ଷ୍ୟ କରି “ଓ୍ୱାଶିଂଟନ୍ ପୋଷ୍ଟ ଲେଖିଥିଲା- ‘କଟକରୁ ଦିଲ୍ଲୀ ଆଉ ବେଶୀ ଦୂର ନୁହେଁ’।

ଶୃଙ୍ଖଳାବୋଧ ମଧ୍ୟ ଶିଖିଲେ

କୌଣସି କ୍ଷେତ୍ରରେ ବିଶୃଙ୍ଖଳାକୁ ପ୍ରଶୟ ଦେଉନଥିବା ବିଜୁଙ୍କୁ ଆନନ୍ଦ ଭବନ ହିଁ ଶିଖାଇଥିଲା ଶୃଙ୍ଖଳାବୋଧ, ମାନବିକତା, ସମୟାନୁବର୍ତ୍ତିତା, ଶ୍ରମର ମର୍ଯ୍ୟାଦା ଓ ଗରିବଙ୍କ ପ୍ରତି ଦରଦ। ପିତାଙ୍କ କଠୋର ଅନୁଶାସନ ତାଙ୍କୁ ଠିକ୍ ବାଟରେ ଚଳାଇବା ପାଇଁ ସାହାଯ୍ୟ କଲା। ଆନନ୍ଦଭବନ ହତାରେ ଗୋଟିଏ ବାମ୍ଫି ଥାଏ। ପ୍ରତିଦିନ ସେଥିରୁ ବାଲ୍ଟିରେ ପାଣି କାଢ଼ି ଗଛରେ ଦିଅନ୍ତି।

ଦିନେ ଏହା ଦେଖି ପିତାଙ୍କର ଜଣେ ବନ୍ଧୁ ଲକ୍ଷ୍ମୀ ନାରାୟଣଙ୍କୁ କହିଲେ, ପିଲାଟାକୁ କାହିଁକି ଏପରି କଷ୍ଟ ଦେଉଛନ୍ତି? ତାଙ୍କର ଉତ୍ତର ଥିଲା-କାମ ନ କଲେ ଖାଇବ କ’ଣ? ପରିଶ୍ରମ କରି ନ ଜାଣିଲେ ଜୀବନରେ ସେ କିଛି କରିପାରିବ ନାହିଁ। ସାଧାରଣ ଲୋକଙ୍କୁ ଭଲ ପାଉ, ସେମାନଙ୍କର ସୁଖଦୁଃଖରେ ଭାଗୀ ହେଉ। ଯେଉଁ ଦିନ କାମରେ ଖିଲାପ କରୁଥିଲେ ସେଦିନ ଖାଇବା ବନ୍ଦ କରିଦିଆଯାଉଥିଲା।

ଦୁଃସାହସର ଝଲକ

ବିଜୁ ସେତେବେଳେ ସ୍କୁଲର ଛାତ୍ର। ଆନନ୍ଦ ଭବନର ଅତି ନିକଟରେ କିଲା ପଡ଼ିଆ। ଦିନେ ସେଠାରେ ଗୋଟିଏ ଉଡାଜାହାଜ ଆସି ଓହ୍ଲାଇଲା। ଲୋକଙ୍କ ଭିତରେ ବିଶେଷତଃ ଛାତ୍ରଙ୍କ ଭିତରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା। କିନ୍ତୁ ପୋଲିସ ଘେରରେ ରହିଥିବା ସେହି ‘ଅଦ୍ଭୁତ ଜିନିଷ’ ପାଖକୁ ଯିବ କିଏ? କିନ୍ତୁ ହଠାତ୍ ଦେଖାଗଲା, ଗୋଟିଏ ପିଲା ଅସୀମ ସାହସ ଦେଖାଇ ପୋଲିସ୍ ଘେରକୁ ଡେଇଁ ବିମାନକୁ ଛୁଇଁଦେଲା। ପୋଲିସଙ୍କ ଭିତରେ ଚାଞ୍ଚଲ୍ୟ ଖେଳିଗଲା। ସାମାନ୍ୟ ପିଲାଟିର ଏତେ ସାହସ! ତାକୁ ସେଠାରୁ ଟଣାଓଟରା କରି ବାହାର କରି ଦିଆଗଲା।

ସେହିଦିନ କୁଆଡେ ବିଜୁ ଶପଥ ନେଇଥିଲେ ଯେ ଦିନେ ସେ ପାଇଲଟ୍ ହୋଇ ନିଜ ବିମାନକୁ ଆଣି କିଲା ପଡ଼ିଆରେ ଓହ୍ଲାଇବେ। ପରବର୍ତ୍ତୀ ଜୀବନରେ ବିମାନ ସହିତ ତାଙ୍କର ଯେଉଁ ଅତୁଟ ବନ୍ଧନ ଗଢ଼ିଉଠିଲା ସେଥିପାଇଁ ଏହି ଘଟଣାଟିକୁ ଦାୟୀ କରାଯାଏ।

ଅନ୍ୟାୟକୁ ବରଦାସ୍ତ କରିବି ନାହିଁ

୧୯୩୨ ମସିହା କଥା। ରେଭେନ୍ସା କଲିଜିଏଟ୍ ସ୍କୁଲ୍ର ଛାତ୍ର। ଓଡ଼ିଶାରେ ମୁକ୍ତି ସଂଗ୍ରାମର କେନ୍ଦ୍ର ସ୍ୱରାଜ୍ୟ ଆଶ୍ରମରେ ସରକାର ତାଲା ପକାଇ ଦେଇଥାନ୍ତି। କଂଗ୍ରେସ ଅନୁଷ୍ଠାନକୁ ବେଆଇନ ଘୋଷଣା କରାଯାଇଥାଏ। କଂଗ୍ରେସ୍ ସ୍ଥିର କଲା ଆଶ୍ରମକୁ ଉଦ୍ଧାର କରାଯିବ। କେବଳ ଜଣେ ସାହସୀ ସଂଗ୍ରାମୀ ଆଶ୍ରମ ହତା ଭିତରକୁ ଧସାଇ ପଶିଲେ। ସେମାନଙ୍କ ଉପରେ ପୋଲିସ୍ ନିର୍ମମ ଅତ୍ୟାଚାର କଲା। କେତେ ଜଣଙ୍କୁ ତ ଆଶ୍ରମର ଦୁଇ ମହଲା ଉପରୁ ତଳକୁ ଫିଙ୍ଗି ଦିଆଗଲା। ଛାତ୍ର ବିଜୁ ହତା ବାହାରେ ରହି ଦେଖୁଥାନ୍ତି। ତାଙ୍କ ମନ ବିଦ୍ରୋହ କରି ଉଠିଲା। ସାହେବ ଏସ୍ପିଙ୍କ ଆଡକୁ ଦଉଡ଼ିଲେ ତାଙ୍କୁ ଆକ୍ରମଣ କରିବାକୁ। ପୋଲିସ୍ ମାଡ଼ରେ ଲହୁଲୁହାଣ ହେଲେ ମଧ୍ୟ ‘ମହାତ୍ମା ଗାନ୍ଧୀକି ଜୟ’ ଧ୍ୱନି ଦେଉଥାନ୍ତି। ପୋଲିସ୍ ତାଙ୍କୁ ଜବରଦସ୍ତ ଆଶ୍ରମ ସାମ୍ନା ନାଳରେ ପକାଇ ଦେଲେ। ଏ ଦୃଶ୍ୟ ଦେଖି ଅନେକ ଲୋକ କାନ୍ଦି ପକାଇଲେ।

ଆହୁରି ସାହସୀ ହୁଅ

ବିଜୁ ପଟ୍ଟନାୟକ କେବେ ପ୍ରତ୍ୟକ୍ଷ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇନଥିଲେ, କିନ୍ତୁ ଦେଶପ୍ରୀତି ଓ ଜାତପ୍ରୀତି ତାଙ୍କ ଭିତରେ ଭରପୂର ହୋଇ ରହିଥିଲା। ମହାତ୍ମା ଗାନ୍ଧୀ ୧୯୩୪ରେ ପୁରୀରୁ ଭଦ୍ରକ ପର୍ଯ୍ୟନ୍ତ ‘ହରିଜନ ପଦଯାତ୍ରା’ରେ ଯାଉଥାନ୍ତି। ହଜାର ହଜାର ଲୋକ ତାଙ୍କ ବାଣୀ ଶୁଣୁଥାନ୍ତି। ଅସ୍ପୃଶ୍ୟତା କଳଙ୍କ ଦୂର କରିବାକୁ ସେ ଆବେଗମୟ ଆହ୍ୱାନ ଦେଉଥାନ୍ତି। ବିଜୁଙ୍କର ଇଚ୍ଛା ହେଲା, ଗାନ୍ଧୀଙ୍କୁ ଟିକିଏ ଦର୍ଶନ କରନ୍ତେ! ବାଲ୍ୟ ବନ୍ଧୁ ବିନୋଦ କାନୁନ୍ଗୋ ‘ସମାଜର’ ସ୍ୱତନ୍ତ୍ର ସମ୍ବାଦଦାତା ଭାବରେ ପଦଯାତ୍ରାରେ ଗାନ୍ଧିଜୀଙ୍କ ପାଖେ ପାଖେ ଯାଉଥାନ୍ତି। ସେ ବିଜୁଙ୍କୁ ନେଇ ବାପୁଜୀଙ୍କ ସହିତ ସାକ୍ଷାତ କରାଇଦେଲେ। ସେ ଜଣେ ସାହସୀ ପିଲା କହି ସ୍ୱରାଜ୍ୟ ଆଶ୍ରମ ଘଟଣା ତାକୁ କହିଲେ। ଗାନ୍ଧିଜୀ ଟିକିଏ ହସି ଦେଇ ବିଜୁଙ୍କୁ କହିଲେ, “”ସ୍ୱାଧୀନ ଦେଶରେ ଆହୁରି ସାହସ ଦରକାର। ତୁମର ତାହା ରହିବ ବୋଲି ମୋର ଆଶା”।

ସ୍ୱାମୀ ବିଜୟାନନ୍ଦ

କିଶୋର ବିଜୁଙ୍କୁ ଆନନ୍ଦ ଭବନ ଶିକ୍ଷା ଦେଇଥିଲା ସ୍ପଷ୍ଟବାଦୀ, ସ୍ୱାଧୀନଚେତା ଓ ଉଦାର ହୃଦୟର ଅଧିକାରୀ ହେବା ପାଇଁ। ପିତାଙ୍କ ପ୍ରଭାବରେ (ଯଦିଓ ସେ ବ୍ରାହ୍ମ ହୋଇଥିଲେ) ଓଡ଼ିଆ ଜାତିର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ସହିତ ତାଙ୍କର ଆବେଗମୟ ସମ୍ପର୍କ ସ୍ଥାପିତ ହୋଇଥିଲା। ଅନେକ ସମୟରେ ସେ କାଳିଆ ସହିତ ସିଧା କଥା ହେଉଥିଲେ। ୧୯୯୪ରେ ଯେତେବେଳେ ଶ୍ରୀମନ୍ଦିରରୁ ବଡ଼ ପଥରଟିଏ ଖସିପଡ଼ିଲା ଏହାର ସ୍ଥାୟିତ୍ୱ ସମ୍ପର୍କରେ ପ୍ରଶ୍ନବାଚୀ ସୃଷ୍ଟି ହେଲା। ବିଜୁ ଏଥିରେ ଘୋର ବ୍ୟଥିତ ହେଲେ। ବିଧାନସଭାରେ କହିଲେ ଦରକାର ହେଲେ ମୁଖ୍ୟମନ୍ତ୍ରୀ ଦାୟିତ୍ୱରୁ ଅବ୍ୟାହତି ନେଇ ମୁଁ ଘର ଘର ବୁଲି ଭିକ୍ଷା ମାଗିବି ଓ ନିଜକୁ ‘ସ୍ୱାମୀ ବିଜୟାନନ୍ଦ’ ବୋଲି କହିବି।

ଓଡ଼ିଶାରେ କଂଗ୍ରେସର ପୁନର୍ଜନ୍ମ କରାଇ ଯେତେବେଳେ ବିଜୁବାବୁ ନିର୍ବାଚନରେ ଅଭୂତପୂର୍ବ ସଫଳତା ହାସଲ କଲେ ସେତେବେଳେ ଆନନ୍ଦ ଭବନ ହିଁ ତାଙ୍କର ‘ଓ୍ୱାର୍ ରୁମ୍’ରେ ପରିଣତ ହୋଇଥିଲା। ଏହି ଭବନରେ ଚୌଦ୍ୱାରରେ ଶିଳ୍ପ ସାମ୍ରାଜ୍ୟ ପ୍ରତିଷ୍ଠାର ମୂଳଦୁଆ ପଡ଼ିଲା। ଜାତୀୟସ୍ତରର ବହୁ ନେତା ଏଠାକୁ ଆସୁଥିଲେ ବିଜୁଙ୍କୁ ସାକ୍ଷାତ କରିବା ପାଇଁ। ଦୈନିକ କଳିଙ୍ଗ ଖବରକାଗଜ ପ୍ରକାଶନ ପାଇଁ ଏହିଠାରେ ହିଁ ଯୋଜନା ପ୍ରସ୍ତୁତ ହୋଇଥିଲା। ବିଂଶ ଶତାବ୍ଦୀର ଓଡ଼ିଶା ଇତିହାସରେ ଗୋଟିଏ ଉଲ୍ଲେଖନୀୟ ସ୍ଥାନ ଗ୍ରହଣ କରିଥିବା ଆନନ୍ଦ ଭବନ ଆଜି ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇପାରିଲେ ତାହାହିଁ ହେବ ଏହି ମହାନ୍ ଦେଶ ସ୍ଥପତିଙ୍କ ସ୍ମୃତି ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

Leave a Reply

*