Blog

‘ଆନନ୍ଦଭବନ’ର କଥା ଓ ଗାଥା

ଅସିତ ମହାନ୍ତି

କଟକର ଆନନ୍ଦ ଭବନ ଥିଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜନ୍ମ, ସ୍ୱପ୍ନ ଓ ସାଧନାର ସ୍ଥଳୀ।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମସ୍ଥାନ ‘ଆନନ୍ଦ ଭବନ’କୁ ଓଡ଼ିଶା ସରକାରଙ୍କ ଦ୍ୱାରା ଏକ ସ୍ମାରକୀ ଭବନ ତଥା ସଂଗ୍ରହାଳୟରେ ପରିବର୍ତ୍ତିର୍ତ କରାଯାଇଛି। ତେବେ ଏହା କେବଳ ବିଜୁବାବୁଙ୍କ ଜନ୍ମସ୍ଥାନ ରୂପେ ନୁହେଁ- ଓଡ଼ିଆ ଭାଷା-ସାହିତ୍ୟର ଏକ ଉଲ୍ଲେଖନୀୟ ଅଧ୍ୟାୟ ତଥା ବିଜୁବାବୁଙ୍କ ଜୀବନଗଠନର ଏକ ସ୍ମାରକୀ ରୂପେ ମଧ୍ୟ ସ୍ମରଣୀୟ।

ଏହାର ନିର୍ମାତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ। ବିଜୁ ପଟ୍ଟନାୟକ ତାଙ୍କର ଦ୍ୱିତୀୟ ପୁତ୍ରସନ୍ତାନ। ଲକ୍ଷ୍ମୀନାରାୟଣ ଓ ଆଶାଲତାଙ୍କର ଚାରି ସନ୍ତାନ-ସନ୍ତତିଙ୍କ ମଧ୍ୟରୁ ଜର୍ଜ ପଟ୍ଟନାୟକ ଜ୍ୟେଷ୍ଠ। ତାଙ୍କର ପ୍ରକୃତ ନାମ ‘ଶ୍ରଦ୍ଧାନନ୍ଦ’। ସେ ଓଡ଼ିଶାର ପ୍ରଥମ ଦନ୍ତ ଚିକିତ୍ସକ। ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ ଓ କଟକ ବାରବାଟୀ ଷ୍ଟାଡିୟମର ଅନ୍ୟତମ ପ୍ରାଣ-ପ୍ରତିଷ୍ଠାତା। ତାଙ୍କ ତଳକୁ ସୁକୃତି ପଟ୍ଟନାୟକ- ଏକମାତ୍ର ସନ୍ତତି।

ସେତେବେଳେ ସେ ଏମ.ଏ. ପାସ୍ କରି ନାରୀଶିକ୍ଷା କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିଥିଲେ। ବିବାହ ପରେ ସେ ହେଲେ ସୁକୃତି ମହାପାତ୍ର। ତାଙ୍କ ତଳକୁ ବିଜୁ ପଟ୍ଟନାୟକ ଭାବରେ ସୁଖ୍ୟାତ “ବିଜୟାନନ୍ଦ’। ତାଙ୍କ କଥା ଓ ଗାଥା ସର୍ବବିଦିତ। ଏ ଦୃଷ୍ଟିରୁ ବିଜୟାନନ୍ଦ ଲକ୍ଷ୍ମୀନାରାୟଣଙ୍କର ତୃତୀୟ ସନ୍ତାନ ତଥା ଦ୍ୱିତୀୟ ପୁତ୍ର। ସବା ତଳକୁ ‘ସୃଜୟାନନ୍ଦ’। ସେ ଥିଲେ ଇଣ୍ଡିଆନ୍ ଏଆରଫୋର୍ସରେ କ୍ୟାପଟେନ୍। ୧୯୩୬ ମସିହାରେ କଟକର ତତ୍କାଳୀନ ଆରକ୍ଷୀ ଅଧୀକ୍ଷକଙ୍କ ମୁଣ୍ଡକୁ କ୍ରିକେଟ୍ ବ୍ୟାଟ୍ରେ ପିଟି କ୍ଷତାକ୍ତ କରିବାର ଦୁଃସାହସ ସେ ଦେଖାଇଥିଲେ।

ଲକ୍ଷ୍ମୀନାରାୟଣ ନିଜର ବାସଭବନକୁ ‘ଆନନ୍ଦ ଭବନ’ ନାଆଁ ଦେବା, ତାଙ୍କ ଅପତ୍ୟ ସ୍ନେହର ପରିଚାୟକ। ଯେପରି ବିଜୁ ପଟ୍ଟନାୟକଙ୍କ ଭୁବନେଶ୍ୱର ବାସଭବନର ନାଆଁ ତାଙ୍କ କନିଷ୍ଠ ପୁତ୍ରଙ୍କ ନାଆଁ ଅନୁସାରେ ‘ନବୀନ ନିବାସ’, ସେମିତି ଲକ୍ଷ୍ମୀନାରାୟଣଙ୍କ କଟକ ବାସଭବନର ନାଆଁ ତାଙ୍କର ତିନିପୁତ୍ର ‘ଶ୍ରଦ୍ଧାନନ୍ଦ’, ‘ବିଜୟାନନ୍ଦ’ ଓ ‘ସୃଜୟାନନ୍ଦ’ଙ୍କ ନାଆଁ ଅନୁସାରେ ‘ଆନନ୍ଦ ଭବନ’।

“ଆନନ୍ଦ ଭବନ’ କେବଳ ଏଇ ଚାରି ଭାଇଭଉଣୀଙ୍କର ପିଲାଦିନର ଲୀଳାଖେଳାର ସ୍ଥଳୀ ନଥିଲା, ପିତାମାତାଙ୍କର ଗୁଣାଦର୍ଶ ମଧ୍ୟ ସେମାନଙ୍କ ଜୀବନକୁ ଅଳ୍ପେବହୁତେ ପ୍ରଭାବିତ କରିଥିଲା।

ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କର ଜନ୍ମ ୧୮୭୫ ମସିହାରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗରଠାରେ। ସେତେବେଳେ ତାହା ଥିଲା ମାନ୍ଦ୍ରାଜ ପ୍ରେସିଡେନ୍ସୀ ଅନ୍ତର୍ଗତ ରସୁଲକୋଣ୍ଡା। ସେହି ରସୁଲକୋଣ୍ଡା (ଭଞ୍ଜନଗର)ର ନୂଆଗାଁରେ ତାଙ୍କର ଜନ୍ମ।

୧୮୯୬ ମସିହାରେ ମାନ୍ଦ୍ରାଜର ଖ୍ରୀଷ୍ଟିଆନ୍ କଲେଜରୁ ବି.ଏ. ପାସ୍ କରିଥିଲେ। ସେତେବେଳେ ଗଞ୍ଜାମ ଅଞ୍ଚଳର ଓଡ଼ିଆ ଭାଷାଭାଷୀଙ୍କ ପ୍ରତି ତେଲଗୁ ଭାଷାଭାଷୀଙ୍କର ଅସୂୟା ଥିଲା ଚରମରେ। ଫଳରେ ଲକ୍ଷ୍ମୀନାରାୟଣ ସେଠାରୁ କଟକକୁ ଚାଲି ଆସିବାକୁ ଚାହିଁଥିଲେ। ମାତ୍ର ଘଟଣାଚକ୍ରରେ ସେ ଯାଇ ପହଞ୍ଚିଥିଲେ ବରଗଡ଼ରେ। ସେଠାରେ ଜଣେ କିରାଣି ଭାବରେ ସେ ଜୀବିକା ଆରମ୍ଭ କରିଥିଲେ। କିନ୍ତୁ ପରେ ନିଜର ଯୋଗ୍ୟତା ଓ ନିଷ୍ଠା ବଳରେ କଟକରେ ଜଣେ ମୁନସିଫ୍ ହୋଇ ପାରିଥିଲେ। ତାଙ୍କର ନ୍ୟାୟନିଷ୍ଠା, ନିରପେକ୍ଷତା ଓ ସାଧୁତା ତତ୍କାଳୀନ ଇଂରେଜ ସରକାରର ଦୃଷ୍ଟି ଆକର୍ଷଣ କରିପାରିଥିଲା।

ଲକ୍ଷ୍ମୀନାରାୟଣ ଥିଲେ ଜଣେ ସମାଜସେବୀ ଓ ଜାତୀୟତାବାଦୀ। ସଫଳତାର ସହିତ ସରକାରୀ କର୍ତ୍ତବ୍ୟ ଓ ଦାୟିତ୍ୱ ନିର୍ବାହ କରିବା ସାଙ୍ଗକୁ ସେ ଅନେକ ସମାଜସେବା-ମୂଳକ କାର୍ଯ୍ୟ କରୁଥିଲେ। ଯାଜପୁରରେ ବାର୍ ଲାଇବ୍ରେରୀ ପ୍ରତିଷ୍ଠା ଏବଂ ପୁରୀରେ କୁଷ୍ଠାଶ୍ରମ ସ୍ଥାପନ ସହିତ ରାମଚଣ୍ଡୀ ସାହିରେ ନିମ୍ନପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ସେ ସବୁର ଅନ୍ତର୍ଭୁକ୍ତ। କିନ୍ତୁ ସରକାରୀ ଚାକିରିରେ ଥାଇ ସେ ଯେପରି କାୟ-ମନ-ବାକ୍ୟରେ ଉତ୍କଳ-ସମ୍ମିଳନୀ ସହିତ ଜଡ଼ିତ ଥିଲେ, ତାହା ତାଙ୍କର ଜାତିପ୍ରାଣତାର ପରିଚୟ ଦିଏ।

ବିଶିଷ୍ଟ କବି ବ୍ରଜନାଥ ରଥ ତାଙ୍କ ସଂପର୍କିତ ଏକ ଲେଖାରେ ଏ ସଂପର୍କରେ ଗୋଟିଏ ତାତ୍ପର୍ଯ୍ୟପୂର୍ଣ୍ଣ ଆଖ୍ୟାନିର୍ବିକାର ଅବତାରଣା କରିଛନ୍ତି। ସେଥିରେ ସେ କହିଛନ୍ତି, କୁଳବୃଦ୍ଧ ମଧୁସୂଦନ ଶେଷଜୀବନରେ ଋଣଗ୍ରସ୍ତ ହୋଇ ଘୋର ଆର୍ଥିକ ଅନଟନ ଭିତରେ କାଳାତିପାତ କରୁଥିବାବେଳେ ତାଙ୍କୁ ସେଦିନ ଆର୍ଥିକ ସହାୟତାର ହାତ ବଢ଼ାଇଥିଲେ ଲକ୍ଷ୍ମୀନାରାୟଣ। ବିନା ଲେଖାପଢ଼ାରେ ତାଙ୍କୁ ସେହି ଅର୍ଥ ଦେଉଥିବାରୁ, ତାହା ସେ ଆଉ ଫେରିପାଇବେ ନାହିଁ ବୋଲି ଜଣେ ବନ୍ଧୁ ଚେତାଇ ଦେବାରୁ ଲକ୍ଷ୍ମୀନାରାୟଣ ସେହି ବନ୍ଧୁଙ୍କୁ କହିଥିଲେ, ଯେଉଁ ଲୋକ ଓଡ଼ିଆ ଜାତି ଓଡ଼ିଆ ଜାତି କହି, ନିଜେ ଆଜି ବୁଡ଼ିଯିବାକୁ ବସିଛି, ତା’ ପାଇଁ ଏ କେଇଟା ଟଙ୍କା ଚାଲିଯିବ ବୋଲି ମୁଁ ଚିନ୍ତା କରିବି? ଏହା ମୋ’ ଜାତି ପ୍ରତି ବିଶ୍ୱାସଘାତକତା ହେବ। ଏ ଉତ୍କଳ ମୋ’ ମା’। ମା’ର ସମ୍ମାନ ପାଇଁ ଯିଏ ସର୍ବସ୍ୱାନ୍ତ ହୋଇଛି, ତା’ପାଇଁ କିଛି କରିବାକୁ ମୁଁ ମୋର ନୈତିକ ଦାୟିତ୍ୱ ବୋଲି ମନେକରେ।

ମନେହୁଏ, ତାଙ୍କର ଏହି ମନୋଭାବ ତାଙ୍କର ଦ୍ୱିତୀୟପୁତ୍ର ବିଜୁବାବୁଙ୍କୁ ପ୍ରଭାବିତ କରିଥିଲା। ଓଡ଼ିଶା-ପ୍ରୀତିରେ ଉଦ୍ବୁଦ୍ଧ କରିଥିଲା।

ଲକ୍ଷ୍ମୀନାରାୟଣଙ୍କର କେବଳ ଯେ ଓଡ଼ିଆ-ପ୍ରୀତି ଥିଲା, ତାହା ନୁହେଁ, ସେ ଆଧୁନିକତାର ପୂଜାରୀ ଥିଲେ ହେଁ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ପ୍ରତି ତାଙ୍କର ଥିଲା ଗଭୀର ଅନୁରାଗ। ପରମ୍ପରା ଓ ପୁରୋଦୃଷ୍ଟିର ସୂକ୍ଷ୍ମୁ ସମନ୍ୱୟ ହିଁ ଅଗ୍ରଗତିର ମୂଳମନ୍ତ୍ର ବୋଲି ସେ ବିଶ୍ୱାସ କରୁଥିଲେ। ନିଜର ପିଲାମାନଙ୍କୁ ମଧ୍ୟ ସେହି ଚେତନାରେ ଉଦବୁଦ୍ଧ କରିବାକୁ ଉଦ୍ୟମ କରିଥିଲେ। ପରବର୍ତ୍ତୀ କାଳରେ ବିଜୁ ପଟ୍ଟନାୟକ ଯେ ନିଜକୁ ଓଡ଼ିଆ-ପ୍ରେମୀ ଓ କଳିଙ୍ଗ-ପୁତ୍ର ରୂପେ ପରିଚିତ କରିପାରିଥିଲେ, ତାହା ପଛରେ ସମ୍ଭବତଃ କେବଳ ଥିଲା ପିତା ଲକ୍ଷ୍ମୀନାରାୟଣଙ୍କର ପ୍ରେରଣା।

ବିଜୁ ପଟ୍ଟନାୟକଙ୍କୁ କେହି କେବେ ବିଶେଷ ଧାର୍ମିକ ଆଚାର ମଧ୍ୟରେ ଦେଖିନାହିଁ। ଲକ୍ଷ୍ୟ କଲେ ହୃଦ୍ବୋଧ ହୁଏ, ତାଙ୍କର ଏତାଦୃଶ ଆଚରଣ ମଧ୍ୟରେ ବି ରହିଛି ପିତା ଲକ୍ଷ୍ମୀନାରାୟଣଙ୍କର ପ୍ରେରଣା। ନିଜର ଯୌବନ କାଳରେ ଲକ୍ଷ୍ମୀନାରାୟଣ ‘ଉତ୍କଳ ସାହିତ୍ୟ’ର ସୁଯୋଗ୍ୟ ସଂପାଦକ ବାଗ୍ମୀ ବିଶ୍ୱନାଥ କରଙ୍କ ସଂସ୍ପର୍ଶରେ ଆସିଥିଲେ। ତାହା ଥିଲା ଓଡ଼ିଶାରେ (ବିଶେଷତଃ କଟକରେ) ବ୍ରାହ୍ମଧର୍ମର ପ୍ରସାରର ସମୟ। ବାଗ୍ମୀ ବିଶ୍ୱନାଥ କର, ଭକ୍ତକବି ମଧୁସୂଦନ ରାଓ, ବ୍ୟାସକବି ଫକୀରମୋହନ ସେନାପତି ପ୍ରମୁଖ ସେହି ‘ଏକେଶ୍ୱରବାଦ’ (ଇଶ୍ୱର ଏକ ଏବଂ ଅଦ୍ୱିତୀୟ) ଭାବଧାରା ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ତାହା ଥିଲା ପୌତ୍ତଳିକତାବାଦ- ବିରୋଧୀ ଏକ ଧର୍ମଧାରା। ତାହାର ପ୍ରଭାବ ବିଜୁବାବୁଙ୍କ ପରବର୍ତ୍ତୀ ଜୀବନରେ ମଧ୍ୟ ଲକ୍ଷ୍ୟ କରାଯାଇଥିଲା।

କିନ୍ତୁ ଲକ୍ଷ୍ମୀନାରାୟଣଙ୍କ ସ୍ୱଭାବ-ଚରିତ୍ରର ଆଉ ଯେଉଁ ବିଶେଷତ୍ୱଟି ଗୁରୁତ୍ୱପୂର୍ଣ୍ଣ- ତାହା ହେଉଛି, ସେ ଥିଲେ କର୍ମଯୋଗୀ, ଶିଳ୍ପୋଦ୍ୟୋଗୀ। ୧୯୦୪ରେ ବଙ୍ଗ ସରକାର ଅଧୀନରେ ସେ ସହକାରୀ ରେଜିଷ୍ଟ୍ରାର ଭାବେ ଯୋଗ ଦେଇଥିଲେ। ଚାକିରି ଆରମ୍ଭ କରିବାର ୨୬ବର୍ଷ ପରେ, ସେ ସେହି କର୍ମପ୍ରବଣତା ବଳରେ ସବ୍ଜଜ୍ ପଦକୁ ଉନ୍ନୀତ ହୋଇପାରିଥିଲେ ଏବଂ ସେହି ପଦରୁ ହିଁ ଅବସର ଗ୍ରହଣ କରିଥିଲେ। ସେହି ପଦରେ ଅଧିଷ୍ଠିତ ହେବାରେ ସେ ଥିଲେ ଦ୍ୱିତୀୟ ଓଡ଼ିଆ। ଏ କ୍ଷେତ୍ରରେ ପ୍ରଥମ ଓଡ଼ିଆ ଥିଲେ ଫକୀରମୋହନ ସେନାପତିଙ୍କ ଦ୍ୱିତୀୟ ପନ୍ଥୀ କୃଷ୍ଣାକୁମାରୀଙ୍କ କନ୍ୟା ସରୋଜିନୀଙ୍କ ସ୍ୱାମୀ ଗଗନବିହାରୀ ଚୌଧୁରୀ। ଏହି ‘କର୍ମଯୋଗ’ ତାଙ୍କୁ ବ୍ରିଟିଶ୍ ସରକାରଙ୍କ ଦ୍ୱାରା ଏମ.ବି.ଇ. ଉପାଧିରେ ମଧ୍ୟ ଭୂଷିତ କରିଥିଲା। ବିଜୁ ପଟ୍ଟନାୟକ ମଧ୍ୟ ଏହି ‘କର୍ମଯୋଗ’ ଯୋଗୁଁ ଇଣ୍ଡୋନେସିଆର ଭୂମିପୁତ୍ର ହୋଇପାରିଥିବା କଥା ସର୍ବବିଦିତ।

ଲକ୍ଷ୍ମୀନାରାୟଣ କିପରି ଉଦ୍ଯୋଗୀ ଥିଲେ ଏବଂ ତାହା ତାଙ୍କ ଦ୍ୱିତୀୟ ପୁତ୍ର ବିଜୁ ପଟ୍ଟନାୟକଙ୍କୁ ଅନୁପ୍ରାଣିତ କରିଥିଲା, ତାହାର ତୁଳନାତ୍ମକ ଚିତ୍ର ମଧ୍ୟ ସୁଲଭ। ଓଡ଼ିଶାର ଶିଳ୍ପ ପ୍ରସାର କ୍ଷେତ୍ରରେ ମଧୁବାବୁଙ୍କ ପରେ ଲକ୍ଷ୍ମୀନାରାୟଣଙ୍କ ନାମ ନିଆଯାଇପାରେ। ସେତେବେଳେ ବଙ୍ଗ ଦେଶରେ ପ୍ରଫୁଲ୍ଲ ଚନ୍ଦ୍ର ରାୟ ପ୍ରତିଷ୍ଠା କରିଥିଲେ ‘ବେଙ୍ଗଲ କେମିକାଲ୍ସ’ ଏବଂ ତାହା ସମଗ୍ର ଦେଶରେ ସୁଖ୍ୟାତି ଲାଭ କରିଥିଲା। ତତ୍ତୁଲ୍ୟ ଏକ ଉଦ୍ୟୋଗ ଓଡ଼ିଶାରେ ପ୍ରତିଷ୍ଠା କରିବାକୁ ଚାହିଁଥିଲେ ଲକ୍ଷ୍ମୀନାରାୟଣ ଏବଂ ଓଡ଼ିଆ ଯୁବକଙ୍କୁ ସେଠାରେ ପ୍ରଶିକ୍ଷଣ ଦେବାପାଇଁ ଶ୍ରୀ ରାୟଙ୍କୁ ଅନୁରୋଧ କରିଥିଲେ।

ଶ୍ରୀ ରାୟ ତାଙ୍କୁ ତାଚ୍ଛଲ୍ୟ କରି କହିଥିଲେ- ଓଡ଼ିଆ ଯୁବକଙ୍କ ମଥାରେ ସେ ସବୁ ଗଭୀର ଜ୍ଞାନ ପ୍ରବେଶ କରିପାରିବନି। ତାହା ଲକ୍ଷ୍ମୀନାରାୟଣଙ୍କୁ ଏପରି ଅପମାନିତ କରିଥିଲା ଯେ ଶେଷ ଜୀବନରେ ସେ ନିଜର ସମସ୍ତ ସଞ୍ଚିତ ଅର୍ଥ ବିନିଯୋଗରେ ଓଡ଼ିଶାରେ ‘ଓଡ଼ିଶା କେମିକାଲ୍ସ’ ପ୍ରତିଷ୍ଠା କରିଥିଲେ। କିନ୍ତୁ ମଧୁବାବୁଙ୍କ ‘ଉତ୍କଳ ଟ୍ୟାନେରୀ’ ପରି, ଶେଷରେ ତାହା ମଧ୍ୟ ଦେବାଳିଆ ହୋଇ ଯାଇଥିଲା। ସେହିପରି ଓଡ଼ିଶାରେ ଓଡ଼ିଆଙ୍କ ଦ୍ୱାରା ସ୍ଥାପିତ ପ୍ରଥମ ବ୍ୟାଙ୍କ୍ (ଓଡ଼ିଶା ବ୍ୟାଙ୍କ୍) ମଧ୍ୟ ସେ ସ୍ଥାପନ କରିଥିଲେ। କିନ୍ତୁ ତାହା ଅଳ୍ପଦିନ ପରେ ବନ୍ଦ ହୋଇଗଲା। ବିଜୁବାବୁ ନିଜ ଜୀବନ କାଳରେ ପ୍ରତିଷ୍ଠା କରିଥିବା “କଳିଙ୍ଗ ଟ୍ୟୁବ୍ସ’ ପରି ଶିଳ୍ପୋଦ୍ୟୋଗକୁ ଏହା ସହିତ ତୁଳନା କରାଯାଇପାରେ।

ଲକ୍ଷ୍ମୀନାରାୟଣ କିପରି ଅତି କୋମଳ ବୟସରୁ ନିଜର ପିଲାମାନଙ୍କୁ ଏହି ‘କର୍ମଯୋଗ’ ବା ‘ଶିଳ୍ପୋଦ୍ୟୋଗ’ର ପ୍ରେରଣା ଦ୍ୱାରା ଦୀକ୍ଷିତ କରିଥିଲେ, ତାହାର ଗୋଟିଏ ଦୃଷ୍ଟାନ୍ତ ମିଳେ ଓଡ଼ିଶାର ବିଶିଷ୍ଟ ସାହିତି୍ୟକ ଓ ସାମ୍ବାଦିକ ଉଦୟନାଥ ଷଡ଼ଙ୍ଗୀଙ୍କର ଏକ ସ୍ମୃତିଚାରଣ ସମ୍ବଳିତ ଆଲେଖ୍ୟରୁ।

୧୯୩୦ ମସିହା ପରର କଥା। ଉଚ୍ଚ ସରକାରୀ ପଦବୀରୁ ଅବସର ଗ୍ରହଣ କରି ଲକ୍ଷ୍ମୀନାରାୟଣ ସେତେବେଳକୁ କଟକର ‘ଆନନ୍ଦ ଭବନ’ଠାରେ ଅବସ୍ଥାନ କରୁଥାଆନ୍ତି। ଭଞ୍ଜଭୂମିରେ ତାଙ୍କର ଜନ୍ମ। ତା’ ସାଙ୍ଗକୁ ସେ ଥିଲେ ‘ଉତ୍କଳ ସମ୍ମିଳନୀ’ର ଜଣେ ପ୍ରବକ୍ତା ଓ ଦେଶମିଶ୍ରଣ ଆନ୍ଦୋଳନର ଅନ୍ୟତମ ନେତା। ତେଣୁ ତାଙ୍କର ଓଡ଼ିଆ ଭାଷା-ସାହିତ୍ୟ ପ୍ରୀତି ଥାଏ। ନିରଳସ ସ୍ୱଭାବ ହେତୁ, ନିଜକୁ କର୍ମପ୍ରବଣ ରଖିବାକୁ ବାଗ୍ମୀ ବିଶ୍ୱନାଥ କରଙ୍କ ପରାମର୍ଶରେ ସେ ଗଢ଼ିଥାଆନ୍ତି ‘ଓଡ଼ିଆ ସାହିତ୍ୟ ପ୍ରଚାର ସଂଘ’ ନାମରେ ଏକ ଅନୁଷ୍ଠାନ। ତାହାର ଉଦ୍ଦେଶ୍ୟ ଥାଏ ଓଡ଼ିଆ ସାହିତ୍ୟର ପୁଷ୍ଟିସାଧନ ଏବଂ ନବଯୁଗର ଲେଖକମାନଙ୍କୁ ପ୍ରୋତ୍ସାହନ। ସେ ନିଜେ ଥାଆନ୍ତି ତାହାର ସଂପାଦକ। ବିଶ୍ୱନାଥ କରଙ୍କ ପରାମର୍ଶରେ ପ୍ରକାଶ ପାଉଥିବା ପୁସ୍ତକଗୁଡ଼ିକର ପ୍ରୁଫ୍ ସଂଶୋଧନ ଦାୟିତ୍ୱ ଉଦୟନାଥଙ୍କ ଉପରେ ନ୍ୟସ୍ତ ଥାଏ।

ସେତେବେଳେ ଉଦୟନାଥ ଥାଆନ୍ତି ଆଉ ଗୋଟିଏ ପ୍ରେସ୍ର କର୍ମଚାରୀ। ତେଣୁ ସ୍ଥିର ହୋଇଥାଏ, ରବିବାର କିମ୍ବା ଅନ୍ୟ ଛୁଟିଦିନମାନଙ୍କରେ ତୁଳସୀପୁରସ୍ଥିତ ଲକ୍ଷ୍ମୀନାରାୟଣବାବୁଙ୍କ ବାସଭବନ (ଆନନ୍ଦ ଭବନ)କୁ ଯାଇ ତାଙ୍କୁ କାର୍ଯ୍ୟ କରିବାକୁ ହେବ। ବହୁତଗୁଡ଼ିଏ ପ୍ରୁଫ୍ ଆସିଗଲେ ଅପରାହ୍ଣ ପାଞ୍ଚଟା ପରେ ଯାଇ କିଛିକିଛି ସମୟ କାମ ଚାଲିବ।

ଉଦୟନାଥ ଷଡ଼ଙ୍ଗୀ “ସେଦିନର ସ୍ମୃତି’ରେ ଲେଖିଛନ୍ତି, ମୁଁ ଯେଉଁ ସମୟରେ ଯାଏ, ଅଧିକାଂଶ ସମୟରେ ଦେଖେ, ଦୁଇଜଣ ସୌମ୍ୟଦର୍ଶନ କିଶୋର ହତା ଭିତରେ ଥିବା ବଡ଼ ବାମ୍ଫୀରୁ ପାଣି ଉଠାଇ ବଗିଚାରେ ଢାଳୁଛନ୍ତି। ଘରକୁ ଲାଗି ପ୍ରଶସ୍ତ ବଗିଚା। ନାନାପ୍ରକାର ଫୁଲ ଓ ଫଳଗଛରେ ପରିପୂର୍ଣ୍ଣ। ପିଲା ଦୁହେଁ ବଡ଼ ବାଲ୍ଟିରେ ପାଣି ଉଠାଇବାରେ ବ୍ୟସ୍ତ। ଚାରି-ପାଞ୍ଚ ଘଣ୍ଟା ଧରି ଅନବରତ କାର୍ଯ୍ୟ ଲାଗି ରହିଥାଏ। ଗ୍ରୀଷ୍ମ ଋତୁରେ କଟକରେ ପ୍ରବଳ ତାତି। ଖଣ୍ଡିଏ ଖଣ୍ଡିଏ ହାଫ୍ପ୍ୟା ଓ ଗଞ୍ଜି ପିନ୍ଧିଥିବା ପିଲା ଦୁଇଟିଙ୍କର ଅବିଶ୍ରାମ କଠିନ ପରିଶ୍ରମ। ଝାଳ ବୋହି ପିଠିପାଖ ଗଞ୍ଜି ଦେହରେ ମିଶି ଯାଇଥାଏ। ପିଲା ଦୁଇଟି ଯେ ଘରର ଚାକର ନୁହନ୍ତି, ତା’ ଅନୁମାନ କରିବା ଖୁବ୍ ସହଜ।

ପିଲା ଦୁଇଟିଙ୍କର ଅବସ୍ଥା ଦେଖି ମନରେ ଦୁଃଖ ହେଉଥାଏ। ଦିନେ ଆଉ ସମ୍ଭାଳି ପାରିଲି ନାହିଁ। ଡରି ଡରି ପଚାରିଦେଲି, “ଏ କୋମଳ ପିଲା ଦୁଇଟିଙ୍କୁ ଏତେ କଷ୍ଟ ଦିଆଯାଉଛି କାହିଁକି?”

ସଙ୍ଗେ ସଙ୍ଗେ ତୀକ୍ଷ୍ଣ ସ୍ୱରରେ ଉତ୍ତର ମିଳିଲା, “କାମ କରିବେ ନାହିଁ ତ, ଖାଇବେ କାହିଁକି? ରଜାରାଜୁଡ଼ା ଘରର ପିଲା ନୁହନ୍ତି ଯେ ଏଇଦିନୁ ଅଏସରେ ବଢ଼ି, କୁସଙ୍ଗରେ ପଡ଼ି, ମଦ ମାଇକିନିଆରେ ବୁଡ଼ି ଜୀବନ କଟାଇବେ? ତାଗଦା କରିଦେଇଛି, କାମ ବନ୍ଦ ତ ଖାଇବା ବନ୍ଦ।

ଏ ସଂପର୍କରେ ଅଧିକ ବିବରଣୀ ଦେଇ ଉଦୟନାଥ ଷଡ଼ଙ୍ଗୀ ସେଥିରେ ଲେଖିଛନ୍ତି, ଚୁପ୍ ହୋଇ ମୁହଁ ତଳକୁ କରି ବସି ରହିଲି। ଭାବୁଥାଏ, କି ନିଷ୍ଠୁର ହୃଦୟ!”

ଅପେକ୍ଷାକୃତ ନରମଗଳାରେ ସେ ପୁଣି କହିଲେ- “ଜାଣିଶୁଣି ତାଙ୍କୁ ଏ କାମ ଦେଇଚି ମୁଁ। କାମ କଲେ ଖାଇବେ। ଏଠାରେ ବସି ଗତିବିଧି ନିରୀକ୍ଷଣ କରୁଛି। ଏହି ସମୟରୁ ଶୃଙ୍ଖଳା ନଶିଖିଲେ, ଶାରୀରିକ ଶ୍ରମ ନକଲେ, ଭବିଷ୍ୟତ ଜୀବନ ମାଟି ହୋଇଯିବ ସିନା! ସେ କ’ଣ ଆଉ ମଣିଷ ହେବେ?

ଲକ୍ଷ୍ମୀନାରାୟଣଙ୍କର ସେଦିନର ସେଇ ଦୁଇ ବାଧ୍ୟ-ପୁତ୍ରଙ୍କ ମଧ୍ୟରୁ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ। ‘ଆନନ୍ଦ ଭବନ’ ସହିତ ଜଡ଼ିତ ରହିଛି ସେହି ପିତା-ପୁତ୍ରଙ୍କର ସେଦିନର ଅନେକ କଥା। ବିଜୟାନନ୍ଦ “ବିଜୁ’ ହୋଇ ଗଢ଼ିଉଠିବାର ଅନେକ ଗାଥା। ଏ ଦୃଷ୍ଟିରୁ ଆଜି ସେଇଠି ବିଜୁ ପଟ୍ଟନାୟକଙ୍କ ସ୍ମୃତି-ସଂଗ୍ରହାଳୟ ପ୍ରତିଷ୍ଠା ହେବା ନିଶ୍ଚିତ ଭାବରେ ତାତ୍ପର୍ଯ୍ୟପୂର୍ଣ୍ଣ।

Leave a Reply

*