ବିଜୁବାବୁଙ୍କ ବାପାଙ୍କ ବାବଦରେ ପଦେ ଦିପଦ
ଅଭିରାମ ବିଶ୍ୱାଳ
ପିତା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କର, କଟକ ସହରର ଓ ସେଇ କଟକର ଆନନ୍ଦ ଭବନର ବିଜୁବାବୁଙ୍କ ଜୀବନ ଉପରେ ପ୍ରଗାଢ଼ ପ୍ରଭାବ ପଡ଼ିଥିଲା। ଲକ୍ଷ୍ମୀ ନାରାୟଣ ବାବୁ କଟକର ତୁଳସୀପୁରରେ ଆନନ୍ଦ ଭବନ ତୋଳିଥିଲେ। ସେ ଭବନଟିରେ ଠାଏ ଲେଖାଯାଇଛି ୧୯୩୧। ପଟ୍ଟନାୟକ ବାବୁଙ୍କ ତିନିପୁଅଙ୍କ ପ୍ରଥମ ନାମ ସରୁଥିଲା ’ଆନନ୍ଦରେ’।
ବିଜୟାନନ୍ଦ ବା ବିଜୁବାବୁଙ୍କ ପିଲାଦିନ ଓ ପରବର୍ତ୍ତୀ ଜୀବନର ଅନେକ ସ୍ମୃତି ସହ ଯୋଡା ଆନନ୍ଦ ଭବନ। ପାଖ ବାରବାଟୀ ଦୁର୍ଗର ଉଚ୍ଚତା ଓ ମହାନଦୀର ବିଶାଳତାଠାରୁ ବିଜୁବାବୁ ବେଶ୍ କିଛି ଶିଖିଥିଲେ। ମିସନ୍ ପ୍ରାଇମେରୀ ସ୍କୁଲ୍, ମିସନ୍ ହାଇସ୍କୁଲ୍, ରେଭେନ୍ସା କଲେଜିଏଟ୍ ସ୍କୁଲ୍ (ଯେଉଁଠି ଦିନେ ପଢ଼ିଥିଲେ ସୁଭାଷ ବୋଷ୍) ଓ ରେଭେନ୍ସାରେ ପାଠପଢ଼ା-ବିଜୁବାବୁଙ୍କ ପାଇଁ ଏସବୁ ସମ୍ଭବ କରାଇଥିଲେ ତାଙ୍କ ବାପା।
ସେଇ ଆନନ୍ଦ ଭବନରୁ ସିଏ ଚାଲି ଚାଲି ଓ ସାଇକେଲ୍ ଚଲେଇ ଯାଉଥିଲେ ମହାନଦୀ କୂଳକୁ ବାଲିଯାତ୍ରା ପଡ଼ିଆକୁ। ବାଲିଯାତ୍ରା ପଡ଼ିଆରେ ଅବତରଣ କରିଥିବା ଛୋଟିଆ ବିମାନଟିକୁ ଛୁଇଁ ସିଏ ନିଜ ଭବିଷ୍ୟ ସ୍ୱପ୍ନର ମୂଳଦୁଆ ପକାଇଥିଲେ। ମହାନଦୀ କୂଳରୁ ଆରପଟର ଚୌଦ୍ୱାରର ଝାପ୍ସାଚିତ୍ର ଦେଖି ପାରୁଥିଲେ ଯାହା ପରେ ତାଙ୍କ ଅଭିକ୍ରମ ଯୋଗୁଁ ନବରୂପ ଗ୍ରହଣ କଲା। ପାଠ, ଖେଳ ଓ ସ୍ୱପ୍ନ ଦେଖା-କୌଣସିଟି ପାଇଁ ବିଜୁବାବୁଙ୍କୁ ବାରଣ କରୁନଥିଲେ ତାଙ୍କ ବାପା। ଆନନ୍ଦ ଭବନ ଥିଲା ବିଜୁବାବୁଙ୍କ ପାଇଁ ଆନନ୍ଦର ଭବନ ଓ ଅଭୟାଶ୍ରୟ। ଅନେକ କିଛି ଭୁଲ୍ ହୋଇଯିବା ସ୍ୱାଭାବିକ। ତା’ ସତ୍ତ୍ୱେ ଯାହା ମନେରହେ ତାହା ସ୍ମୃତି। ଆଉ ସ୍ମୃତିର ବିଧିବଦ୍ଧ, ଆନୁଷ୍ଠାନିକ ସଂରକ୍ଷଣର ଅନ୍ୟ ନାମ ଓ ଠିକଣା ହେଲା ସଂଗ୍ରହାଳୟ।
ଗଞ୍ଜାମ ଜିଲ୍ଲାର ମୂଳ ନିବାସୀ ଲକ୍ଷ୍ମୀ ନାରାୟଣ ବାବୁ ବିଚାର ବିଭାଗରେ ବିଭିନ୍ ପଦ ଓ ଭୂମିକାରେ ସରକାରୀ ଚାକିରି କରିଥିଲେ। ମାନ୍ଦ୍ରାଜର ଖ୍ରୀଷ୍ଟିଆନ୍ କଲେଜରୁ ସେ ପାଠ ପଢ଼ି ହୋଇଥିଲେ ସ୍ନାତକ। ଦେଖିବାକୁ ଯେମିତି, କଥା ଓ କାମରେ ସେମିତି। ସ୍ମାର୍ଟ, ଗମ୍ଭୀର, କର୍ମଠ, ମହତମନା, ଭିତରେ କୋମଳ ଉଚ୍ଚାଭିଳାଷୀ, ବଦାନ୍ୟ, ଓଡ଼ିଶା-ଓଡ଼ିଆ ପ୍ରେମୀ, କ୍ଷମାଶୀଳ, ସ୍ୱାଭିମାନୀ ଓ ଜନହିତୈଷୀ।
ସେବେକାର ‘ସହକାର’ ପତ୍ରିକାର ସିଏ କେବଳ ନିୟମିତ ଗ୍ରାହକ ନଥିଲେ, ଥିଲେ ଶୁଭେଚ୍ଛୁ ଓ ପୃଷ୍ଠପୋଷକ। ସେମିତି ସିଏ ଗୋଟିଏ ପର୍ଯ୍ୟାନ୍ତରେ ‘ଆଶା’ କାଗଜ ପାଇଁ ନିଜର ସହାୟତାର ହାତ ବଢ଼ାଇଥିଲେ। ‘ଆଶା’ରେ ତାଙ୍କର ଅନେକ ଚିଠି ଓ ଉପାଦେୟ ଛୋଟ ଲେଖା ବାହାରିଥିଲା। ‘ସହକାର’ ପତ୍ରିକାର ୧୫ ବର୍ଷ ଅଷ୍ଟମ ସଂଖ୍ୟାରେ ଓଡ଼ିଶା ଦାବି ଓ ଦେଶ ମିଶ୍ରଣ ଆନ୍ଦୋଳନର ଇତିହାସ’ରେ ଲକ୍ଷ୍ମୀନାରାୟଣ ବାବୁଙ୍କ ନାଁ ସହ ଫଟୋ ମଧ୍ୟ ସ୍ଥାନ ପାଇଥିଲା।
ଅବସର ପରେ ପାରଳା ମହାରାଜଙ୍କ ଦେଓ୍ୱାନ୍ ଭାବେ କାମ କରିଥିବା ଲକ୍ଷ୍ମୀନାରାୟଣ ବାସ୍ତବରେ ଥିଲେ ମହାରାଜାଙ୍କ ଅନ୍ୟତମ ପରାମର୍ଶଦାତା। ସ୍ୱତନ୍ତ୍ର ଓଡ଼ିଶା ଗଠନ ଦାବି ଜଣାଇ ମହାରାଜା ଲଣ୍ଡନରେ ଯେଉଁ ସ୍ମାରକପତ୍ର ଉପସ୍ଥାପନ କରିଥିଲେ ସେଥିରେ ଗର୍ବିତ ହୋଇଥିବା ତଥ୍ୟ ଓ ଯୁକ୍ତି ପ୍ରସ୍ତୁତ କରିବା ପରେ ପଟ୍ଟନାୟକଙ୍କର ନିର୍ଣ୍ଣାୟକ ଅବଦାନ ଥିଲା।
ବ୍ରାହ୍ମୋ ସମାଜରେ ସାମିଲ୍ ହୋଇଥିବା ଲକ୍ଷ୍ମୀ ନାରାୟଣ ସଗୁଣ ଓ ନିର୍ଗୁଣ ଭିତରେ ଥିବା ସୂକ୍ଷ୍ମ ପାର୍ଥକ୍ୟ ବୁଝିଥିଲେ। ବ୍ରାହ୍ମୋ ପ୍ରାର୍ଥନା-ଉପାସନା କେବଳ ବଙ୍ଗଳାରେ ନ ହୋଇ ଓଡ଼ିଆରେ ମଧ୍ୟ ହେଉ ବୋଲି ସିଏ ଚାହୁଁଥିଲେ। ଯଦି କେହି ସର୍ବସାଧାରଣ କାମ-ଯଥା ଘରପୋଡି, ବଢ଼ି, ମରୁଡ଼ି ଓ ରିଲିଫ୍ ଆଦି-ପାଇଁ ଦାନ ଓ ପଇସା ଦେବାକୁ କହି ଧରାଛୁଆଁ ଦେଉନଥିଲେ ତେବେ ଲକ୍ଷ୍ମୀ ନାରାୟଣ ବାବୁ ସେମାନଙ୍କୁ ପ୍ରବର୍ତ୍ତେଇବା ପାଇଁ ନିଜେ ଯାଇ, ସେମାନଙ୍କ ପାଖରେ ପହଞ୍ଚି ଯାଉଥିଲେ। ଏକଥା ‘ଉତ୍କଳ ଦୀପିକା’ ଓ ‘ବାଲେଶ୍ୱର ସମ୍ବାଦ ବାହିକା’ରେ ବାହାରିଥିଲା ବୋଲି ବିଦ୍ୱାନ ଓ ପ୍ରାବନ୍ଧିକ ଦେବେନ୍ଦ୍ର କୁମାର ଦାଶ କହନ୍ତି।
ବିଜୁବାବୁଙ୍କ ବାପା ଚାହୁଁଥିଲେ ଶିକ୍ଷାର ପ୍ରସାର ଘଟୁ, ଛୁଆଁ ଅଛୁଆଁ ହଟୁ, ସାମ୍ପ୍ରଦାୟିକ ଏକତା ଓ ସଦ୍ଭାବ ପ୍ରତିଷ୍ଠିତ ହେଉ, ଧର୍ମାନୁଷ୍ଠାନମାନଙ୍କୁ ପ୍ରବେଶର ଅଧିକାର ରହୁ ଓ ଗାଁଗଣ୍ଡାର କଳହ ବିବାଦର ମୀମାଂସା ଅଦାଲତ ଯାଏ ନଯାଇ ପଞ୍ଚାୟତ ସ୍ତରରେ ହୋଇଯାଉ। ଏଭଳି ଉଦାରବାଦୀ ପରିବର୍ତ୍ତନକାମୀ, ସଂସ୍କାରଧର୍ମୀ, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଜାଗରଣ ଓ ସଚେତନତା ସୃଷ୍ଟି କରିବାରେ ସହାୟକ ଶୁଦ୍ଧ-ସୁଖପାଠ୍ୟ ସାହିତ୍ୟ ପ୍ରକାଶନର ଆବଶ୍ୟକତା ଅନୁଭବ କରି ସିଏ ୧୯୨୫ରେ ପ୍ରତିଷ୍ଠା କଲେ ‘ଓଡ଼ିଆ ସାହିତ୍ୟ ପ୍ରଚାର ସଂଘ’ ଓଡ଼ିଆ “ବିଶ୍ୱକୋଷ’ ସଂକଳନ ପ୍ରସ୍ତୁତି କାମ ଥିଲା ସେ ସଂଘର ଅନ୍ୟତମ ମୁଖ୍ୟ କାମ।
ବିଶିଷ୍ଟ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା ଥିଲେ ତା’ର ସଭାପତି। ପ୍ରଚାର ସଂଘ ମଧ୍ୟ ଓଡ଼ିଆରେ ଜୀବନୀମାଳା ଓ ଉପନ୍ୟାସମାଳା ରଚନା କାମ ହାତକୁ ନେଇ ସଫଳ ହୋଇଥିଲା। ପାଠାଗାର ସହ ଭାଗବତ ଗାଦିର ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରିଥିଲେ। ତାଳପତ୍ର ପୋଥିର ସନ୍ଧାନ ବା ଲକ୍ଷ୍ମୀନାରାୟଣ ବାବୁ ୧୯୩୧-୩୨ ବେଳକୁ ‘ଉତ୍କଳ ସାହିତ୍ୟ ସମାଜ’ର ଉପସଭାପତି ଥିଲ ଯେଉଁ ସମୟରେ କି ସଭାପତି ଥିଲେ ଗୋପାଳ ପ୍ରହରାଜ।
୬୬ ବର୍ଷ ବୟସରେ ୧୯୪୧ ମସିହା ଫେବୃଆରୀ ୧୭ ତାରିଖରେ ପରଲୋକ ଗମନ କରିଥିଲେ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ। ପୁତ୍ର ବିଜୟାନନ୍ଦଙ୍କ ଅସାଧାରଣ ଦୁଃସାହସ ଓ ଅପ୍ରତିଦ୍ୱନ୍ଦିତାର ସଫଳ କାହାଣୀ ଶୁଣିବାକୁ ଓ ଦୃଷ୍ଟାନ୍ତ ଦେଖିବାକୁ ସିଏ ଆଉ ଏ ଇହଧାମରେ ନଥିଲେ। କିନ୍ତୁ ଯିବା ଆଗରୁ ଆଗାମୀର ବିଜୁ ପଟ୍ଟନାୟକଙ୍କୁ ଗଢ଼ିବା କାମ ସିଏ ସାରିଦେଇଥିଲେ।