Blog

ସ୍ମୃତି ସନ୍ତକ

ମୋ ମତରେ, ବାପାଙ୍କୁ ବିଜୁବାବୁ କେବଳ ରାଜନୈତିକ ଜୀବନ୍ନ୍ୟାସ ନୁହେଁ, ବରଂ ଦ୍ୱିତୀୟ ଜୀବନ ଦାନ କରିବାରେ ପ୍ରଧାନ ମାଧ୍ୟମ ଥିଲେ ପ୍ରବାଦ ପୁରୁଷ ବିଜୁବାବୁ । ଏମିତି ଦୃଢ଼ ହୋଇ ରହିଥିଲା ବିଜୁବାବୁଙ୍କ ସହିତ ସମ୍ପର୍କର ସେତୁ । ବୟସ ବଢ଼ିବା ସହିତ କେତେ ଘଟଣାର ପ୍ରତ୍ୟକ୍ଷଦର୍ଶୀ ପାଲଟିଛି । ପ୍ରବାଦପୁରୁଷ ବିଜୁବାବୁଙ୍କ ମଣିଷ ପଣିଆର ତୁଂଗିମାକୁ ପରଖିଛି ।

ଅତନୁ ସବ୍ୟସାଚୀ ନାୟକ

ପ୍ରବାଦ ପୁରୁଷ ବିଜୁବାବୁଙ୍କ ମୋର ସମ୍ପର୍କର ଅୟମାରମ୍ଭ ବାପାଙ୍କ ମାଧ୍ୟମରେ । ମୋର ବାପା ସ୍ୱାଧୀନତା ସଂଗ୍ରାମୀ ରାଜକିଶୋର ନାୟକ ୧୯୬୭ ମସିହାରେ ବିଜୁବାବୁଙ୍କ ଡାକରାରେ ଶିକ୍ଷକତା ତ୍ୟାଗ କରି ରାଜନୀତିରେ ଯୋଗଦେଲେ । ରାଜନୈତିକ ଘନଘଟାରେ ୬୭ ମସିହାରେ ବିଜୁବାବୁ ଥିଲେ ପାଟକୁରାର ପ୍ରାର୍ଥୀ । ବାପା ଥିଲେ ବିଜୁବାବୁଙ୍କ ଆଗଧାଡ଼ିର ସୈନିକ । ରାଜନୀତିର ପଶାପାଲିରେ ଚଢ଼ାଉତୁରା ଭଳି ବିଜୁବାବୁ ପରାଜିତ ହେଲେ ନିର୍ବାଚନରେ । ତତ୍କାଳୀନ ସୋସାଲିଷ୍ଟ ପାର୍ଟିର ପ୍ରାର୍ଥୀ ଚକ୍ରଧର ଶତପଥୀଙ୍କ ଠାରୁ ବିଜୁବାବୁ ହାରିଥିଲେ । ୧୯୭୧ରେ ନିର୍ବାଚନରେ ବାପା ଥିଲେ ବିଜୁବାବୁଙ୍କ ମନୋନୀତ ପ୍ରାର୍ଥୀ, ଆଉ ସେହି ନିର୍ବାଚନରେ ଚକ୍ରଧର ଶତପଥୀଙ୍କୁ ହରାଇ ବାପା ବିଜୁବାବୁଙ୍କ ନିକଟତର ହେଲେ । ପାଲଟିଗଲେ ବିଜୁବାବୁଙ୍କ ଅନ୍ତରର ମଣିଷ । ବାପାଙ୍କୁ ବିଜୁବାବୁ ‘ମାଷ୍ଟ୍ରେ’ ବୋଲି ସମ୍ବୋଧନ କରୁଥିଲେ । ୧୯୭୧ ମସିହାରୁ ବିଜୁବାବୁଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଅନେକ କଥା ଘଟିଯାଇଛି । ରାଜନୈତିକ ଉତ୍‌ଥାନ-ପତନରେ ବାପା କେତେ ସୋପାନ ଉପରକୁ ଉଠିଲେ ସେ କଥା ନିଆରା, କିନ୍ତୁ ବିଜୁବାବୁଙ୍କ ଛାତି ଭିତରେ ସେ ରହିଯାଇଥିଲେ ଗୋଟିଏ ଚିହ୍ନ ହୋଇ । କର୍କଟ ରୋଗାକ୍ରାନ୍ତ ରାଜକିଶୋର ନାୟକଙ୍କୁ ଦିଲ୍ଲୀର ୱେଲିଙ୍ଗଟନ୍ ହାସପାତାଳ ନେଇ ଚିକିତ୍ସା କରାଇବାର ସମସ୍ତ ବନ୍ଦୋବସ୍ତ ସହ ଅପରେସନ୍ ଥିଏଟର୍‌ରେ ନୀଳ ପୋଷାକ ସହ ଛଅ ଘଣ୍ଟାରୁ ଅଧିକ ସମୟ ଛିଡ଼ା ହୋଇ ରହିଥିଲେ । ମୋ ମତରେ, ବାପାଙ୍କୁ ବିଜୁବାବୁ କେବଳ ରାଜନୈତିକ ଜୀବନ୍ନ୍ୟାସ ନୁହେଁ, ବରଂ ଦ୍ୱିତୀୟ ଜୀବନ ଦାନ କରିବାରେ ପ୍ରଧାନ ମାଧ୍ୟମ ଥିଲେ ପ୍ରବାଦ ପୁରୁଷ ବିଜୁବାବୁ । ଏମିତି ଦୃଢ଼ ହୋଇ ରହିଥିଲା ବିଜୁବାବୁଙ୍କ ସହିତ ସମ୍ପର୍କର ସେତୁ । ବୟସ ବଢ଼ିବା ସହିତ କେତେ ଘଟଣାର ପ୍ରତ୍ୟକ୍ଷଦର୍ଶୀ ପାଲଟିଛି । ପ୍ରବାଦପୁରୁଷ ବିଜୁବାବୁଙ୍କ ମଣିଷ ପଣିଆର ତୁଂଗିମାକୁ ପରଖିଛି । ଏକାଧିକ ବାର ଭେଟିଛି, ମିଶିଛି ।

୧୯୯୭ ମସିହାରେ ବାରିପଦାରେ ଗୋଟିଏ ଧାର୍ମିକ ସମାବେଶ ଚାଲିଥିବା ବେଳେ ଭୟାବହ ଅଗ୍ନିକାଣ୍ଡ ଘଟିଲା । ଦାରୁଣ ଦୁର୍ଘଟଣାରେ ଦଗ୍ଧ ହୋଇଥିଲେ ଶତାଧିକ । ପ୍ରଧାନମନ୍ତ୍ରୀଙ୍କୁ ଧରି ବିଜୁବାବୁ ସେଠାରେ ଓହ୍ଲାଇଥିଲେ । ଏସ୍‌ପିଜି କର୍ଡନ ଭିତରକୁ ଭିଡ଼ି ନେଇଥିଲେ ମୋତେ । ଏପରି ଭୟାବହ ଘଟଣାରେ ମୁଁ ଏକରକମ ନିଷ୍ପ୍ରଭ ହୋଇଯାଇଥାଏ । ପ୍ରଧାନମନ୍ତ୍ରୀ କିଛି କହିବା ପୂର୍ବରୁ ରାଜ୍ୟ ସରକାର ଯେଉଁ ମାତ୍ରାରେ ସାହାଯ୍ୟ ଦେବେ, ଦିଲ୍ଲୀ ତା’ର ଦୁଇଗୁଣ ଦେବ ବୋଲି ସାମ୍ବାଦିକମାନଙ୍କ ଆଗରେ ଉତ୍ତର ରଖିଥିଲେ ବିଜୁବାବୁ । ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀ ଦେବଗୌଡ଼ା କହିଥିଲେ- ବିଜୁବାବୁ ଯାହା କହିଛନ୍ତି ତାହା ହିଁ କରାଯିବ । ପରବର୍ତ୍ତୀ ସମୟରେ ଏହି ସହାୟତା ଅର୍ଥ ମିଳିବାରେ ବିଳମ୍ବ ହେବା ଯୋଗୁଁ ଧାର୍ମିକ ଅନୁଷ୍ଠାନ ତରଫରୁ ମୁଁ ଦିଲ୍ଲୀରେ ପହଞ୍ଚି ବିଜୁବାବୁଙ୍କୁ ଭେଟିଥିଲି । ମୋତେ ଦେଖି ଗର୍ଜି ଉଠିଥିଲେ । “ପଇସା ବେଶୀ ହୋଇଗଲାଣି ନା? କ’ଣ କାମ ଅଛି?” ମୁଁ ଉତ୍ତର ଦେଲି- “ଆପଣ ଓଡ଼ିଶାରେ କହି ଆସିଥିଲେ । ମୃତାହତ ପରିବାରଗୁଡ଼ିକୁ ସହାୟତା ବାବଦରେ । ରାଜ୍ୟ ସରକାର ଦେଇ ସାରିଲେଣି । ଦିଲ୍ଲୀରୁ ଏ ପର୍ଯ୍ୟନ୍ତ କିଛି ମିଳି ନାହିଁ । ଆପଣ କ’ଣ ହେଲେ କରନ୍ତୁ ।”

ପୁଣି ଖୁବ୍ ଜୋର୍‌ରେ ମୋତେ କହିଲେ- “ଗୋ, ଏଣ୍ଡ୍ ଟେଲ୍ ଇୟୋର ପିଏମ୍ ।”

ମୁଁ ସେମିତି ତଳକୁ ମୁହଁ ପୋତି ଛିଡ଼ା ହେଲି, ସାମାନ୍ୟ ହସି ।

ବିଜୁବାବୁ କହିଲେ- What? you are young. Young boy and afraid of meeting your P.M.?

ବାସ୍, ଏତିକି କହି ବିଜୁବାବୁ ଟେଲିଫୋନ୍ ଲଗାଇଲେ ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ । ମୋ’ ହାତରେ କିଛି ଟଙ୍କା ଧରାଇ ଦେଇ କହିଲେ- ଯା’, ଭୁବନେଶ୍ୱର ଫେରିଯା’ ।

ଟ୍ରେନ୍‌ରେ ଫେରି ଓଡ଼ିଶାରେ ତିନିଦିନ ପରେ ପହଞ୍ଚିଲା ବେଳକୁ ହିଁ ଖବର ପାଇଲି ସବୁ ମୃତାହତଙ୍କ ପାଇଁ ଦିଲ୍ଲୀରୁ ସହାୟତା ଆସିଯାଇଛି ।

ଏମିତି ଥିଲେ ବିଜୁବାବୁ ।

ଆଉ ଦିନକର କଥା । ନବୀନ ନିବାସରୁ ଶାରଦା ବାବୁ ଟେଲିଫୋନ୍ କଲେ । ‘ବିଜୁବାବୁ ଚାହୁଁଛନ୍ତି ଆପଣଙ୍କ ପୁତୁରା ଗୁଡୁକୁ ଧରି ନବୀନ ନିବାସରେ ପହଞ୍ଚନ୍ତୁ । ଗୁଡୁ ଥିଲା କେଉଁଝରରେ ରହୁଥିବା ମୋର ଜଣେ ମାଉସୀଙ୍କ ପୁଅ । ଅଷ୍ଟମ ଶ୍ରେଣୀରେ ପଢୁଥିଲା । କିନ୍ତୁ ସେ ଥିଲା ବିଜୁବାବୁଙ୍କର ଫୋନ୍-ଫ୍ରେଣ୍ଡ । ସେହିପରି ବର୍ତ୍ତମାନ ପ୍ରତିରକ୍ଷା ବିଭାଗରେ ଜଣେ ବରିଷ୍ଠ ଅଧିକାରୀ ଭାବରେ କାର୍ଯ୍ୟରତ ଶୀଳବ । ସେତେବେଳେ ୬ଷ୍ଠ ଶ୍ରେଣୀର ଛାତ୍ର । ମୁଁ ଉଭୟ ଗୁଡୁ ଓ ଶୀଳବଙ୍କୁ ଧରି ନବୀନ ନିବାସରେ ପହଞ୍ଚିଲି । ଉପର ମହଲାରେ ବିଜୁବାବୁଙ୍କ ସହିତ ଏହି ଦୁଇଜଣ ଯେମିତି ଭାବରେ କଥାଭାଷା ଆଲୋଚନା କଲେ ମୁଁ ବିଶ୍ୱାସ କରିପାରିଲିନି । ଏ ସେହି ବିଜୁବାବୁ! ନେହରୁଙ୍କ ପରାମର୍ଶଦାତା, ଦୁର୍ଦ୍ଧର୍ଷ ସଂଗ୍ରାମୀ!! ଓଡ଼ିଶାର କୋଟି ମାନସର ପ୍ରତୀକ । ସେମାନଙ୍କର ଆଲୋଚନାର ବିଷୟ ଥିଲା ରାଜନୀତିଠୁଁ ଆରମ୍ଭ କରି ପାଠପଢ଼ା ପର୍ଯ୍ୟନ୍ତ । ଆଲୋଚନା ମଝିରେ ଟେଲିଫୋନ୍ ବାଜିଉଠିଲା । ଦିଲ୍ଲୀରୁ ପ୍ରଧାନମନ୍ତ୍ରୀଙ୍କ ଦପ୍ତରରୁ ଫୋନ୍ । ବାର୍ତ୍ତାଳାପରୁ ଏତିକି ବୁଝିପାରିଲି ଦୁଇଜଣ ବିଦ୍ୱାନ ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ବସାଇବା ନିମନ୍ତେ ବିଜୁବାବୁଙ୍କର ସୁପାରିଶ ଦରକାର । ମୋତେ ଦେଖି  କହିଲେ- “ତୁମ ଇଲାକାର, ସେହି ଯେଉଁ ଲୋକ ଜଣକ ବଡ଼ ଅଫିସର୍ । ଭଲ ଲେଖାଲେଖି କରେ, ତା’ର ନାଁ କ’ଣ?”

ମୁଁ ତତ୍‍କ୍ଷଣାତ ନାଁଟି କହିଲି । ବିଜୁବାବୁ ମଧ୍ୟ ତାଙ୍କର ନାଁଟି ସୁପାରିଶ କରି ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ ପଠାଇଦେଲେ। ତିନି ଚାରିଦିନ ପରେ ଖବରକାଗଜରେ ପ୍ରକାଶ ପାଇଲା ସେହି ବ୍ୟକ୍ତିଙ୍କୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଧିଷ୍ଠିତ କରାଯାଇଛି ।

ବିଜୁବାବୁଙ୍କ ମୃତ୍ୟୁର କିଛି ଦିନ ପରେ ସେହି ବ୍ୟକ୍ତିଙ୍କୁ ମୁଁ ଘଟଣାଟି ସମ୍ପର୍କରେ ସମ୍ପୂର୍ଣ୍ଣ ବର୍ଣ୍ଣନା କଲି । ସେ ଆଶ୍ଚର୍ଯ୍ୟ ପ୍ରକଟ କରି କହିଲେ- ମୁଁ ଖୋଜି ହେଉଥିଲି, କିଏ ମୋ ନାଁ ସୁପାରିଶ କଲେ ଆପଣ ଯଦି ମୋତେ ଆଗରୁ ଏ କଥା କହିଥାନ୍ତେ, ତେବେ ମୁଁ ଅନ୍ତତଃ ବ୍ୟକ୍ତିଗତ ଭାବରେ ବିଜୁବାବୁଙ୍କୁ କୃତଜ୍ଞତା ଜଣାଇଥାଆନ୍ତି ।

ଏମିତି ଥିଲେ ବିଜୁବାବୁ ।

ସୁମନି ଝୋଡ଼ିଆଠୁଁ ଆରମ୍ଭ କରି କାହିଁ କେତେ ଲୋକଙ୍କୁ କେଉଁଠି ନା କେଉଁଠି ଅବସ୍ଥାପିତ କରିଛନ୍ତି । ସବୁର ଊର୍ଦ୍ଧ୍ୱରେ ଥିଲେ ସେ । ରାଜନୀତି କରୁଥିଲେ କିନ୍ତୁ ରାଜନୀତିର ପଙ୍କ ତାଙ୍କ ଶୁଦ୍ଧତାକୁ ସ୍ପର୍ଶ କରି ପାରି ନ ଥିଲା । କ୍ଷମତାରେ ଥିଲେ ସତ କିନ୍ତୁ କ୍ଷମତାରେ ଅନ୍ଧ ହୋଇ ନ ଥିଲେ । ସଂଭ୍ରାନ୍ତପଣର ଶୀର୍ଷରେ ଥିଲେ କିନ୍ତୁ ସର୍ବାଧିକ ସରଳ ଥିଲା ତାଙ୍କର ମନ । ସେଥିପାଇଁ କୋଟି କୋଟି ସାଧାରଣ ମଣିଷ ତାଙ୍କୁ ନିଜର ପରି ଭଲ ପାଉଥିଲେ ।

ସେଦିନ ବିଜୁବାବୁ ସେହି କିଶୋର ଦି’ଜଣ ଓ ମୋ ସହ ଫଟୋ ଉଠାଇବାର ପୋଜ୍ ଦେଇଥିଲେ । ସେହି ଫଟୋଟି ଏବେ ବିଜୁବାବୁଙ୍କ ଅବର୍ତ୍ତମାନରେ ମୋର ଶେଷ ସନ୍ତକ । ସତେ ଯେପରି ସେହି ଫଟୋଟିକୁ ଚାହିଁ ମୁଁ ସବୁବେଳେ ସଚେତନ ଯେ ବିଜୁବାବୁଙ୍କ ଚେହେରା ଚିର ଅମ୍ଳାନ ଓ ତାଙ୍କର ସ୍ମୃତି ଭାସ୍ୱର । ସେ ଚିରଦିନ ଅମର ।

 

(ଲେଖକ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗର ମନ୍ତ୍ରୀ)

ସତ୍ୟନଗର, ଭୁବନେଶ୍ୱର

 

Leave a Reply

*