Blog

ରାଷ୍ଟ୍ରରତ୍ନ: ବିଜୁବାବୁ

ଅନ୍ୟ ପକ୍ଷରେ, ବିଜୁ ପଟ୍ଟନାୟକଙ୍କ ନାଁ ସହ ଯେଉଁ ବିରଳ ଯଶକୀର୍ତ୍ତି ସବୁ ଯୋଡ଼ି ହୋଇରହିଛି, ସେସବୁ କ୍ୱଚିତ ଲୋକଙ୍କ ଭାଗ୍ୟରେ ଜୁଟିଥାଏ। ସେ ପ୍ରଧାନମନ୍ତ୍ରୀ କି ରାଷ୍ଟ୍ରପତି ନ ଥିଲେ। କିନ୍ତୁ ତାଙ୍କ ମୃତ୍ୟୁ ପରେ ଦଳମତ ନିର୍ବିଶେଷରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କଠାରୁ ଆରମ୍ଭକରି ଜାତୀୟସ୍ତରୀୟ ବିଶିଷ୍ଟ ନେତାମାନଙ୍କ ଶୋକବାର୍ତ୍ତା ଅନୁଧ୍ୟାନ କଲେ ବେଶ୍ ବୁଝି ହୁଏ ବିଜୁ ପଟ୍ଟନାୟକ ଜାତୀୟ ଜନଜୀବନକୁ କେତେ ପରିମାଣରେ ପ୍ରଭାବିତ କରିପାରିଥିଲେ। ତାଙ୍କ ଜୀବନର ବହୁ ଅଜ୍ଞାତ ଅଧ୍ୟାୟ ସମ୍ପର୍କରେ ପ୍ରାୟ ଆଲୋଚନା ହୁଏ ନାହିଁ ଓଡ଼ିଶାରେ। ଏଥିରୁ ବୁଝି ହୁଏ ଯେ ତାଙ୍କୁ ଖୁବ୍ ଭଲ ପାଉଥିବା ଓଡ଼ିଆମନେ ବି ତାଙ୍କ ବାବଦରେ ପ୍ରକୃତରେ ଆଜି ପର୍ଯ୍ୟନ୍ତ ଖୁବ୍ କମ୍ ଜାଣିଛନ୍ତି।

ଚନ୍ଦ୍ରଭାନୁ ପଟ୍ଟନାୟକ

ପାଟିରେ ବାଟୁଳି ବାଜୁ ନ ଥିଲା। ସେ ଡାକୁଥିଲେ, ମୁଁ ଲେଖି ଚାଲିଥିଲି। ପ୍ରାୟ ପଇଁଚାଳିଶ, ପଚାଶ ମିନିଟ୍ର ନନ୍‌ଷ୍ଟପ୍ ଡିକ୍ଟେସନ୍। ତା’ ପରେ କହିଲେ, ଥାଉ। ସେତିକି ଥାଉ। ମୁଁ ବି କହି ପକାଇଲି- ଆଜ୍ଞା, ଥାଉ। ଖାତା ସରିଗଲା।

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୁଁ ସେ ସମୟରେ କାମ କରୁଥିବା ଖବରକାଗଜର ଏକ ସପ୍ଲିମେଣ୍ଟ ବାହାରୁଥାଏ। ନିଷ୍ପତ୍ତି ହେଲା ମୁଖ୍ୟମନ୍ତ୍ରୀଙ୍କ ସମେତ ବିରୋଧୀ ଦଳ ନେତା, ବିଶିଷ୍ଟ ବୁଦ୍ଧିଜୀବୀ ଓ ବିଭିନ୍ନ କ୍ଷେତ୍ରରେ ସୁପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ସ୍ୱପ୍ନ ଓ ସମ୍ଭାବନାକୁ ନେଇ ଏକ ସ୍ୱତନ୍ତ୍ର ସଂଖ୍ୟା ପ୍ରକାଶ ପାଇବ। ମୋ ଉପରେ ଦାୟିତ୍ୱ ରହିଲା ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କ ମତାମତ ସଂଗ୍ରହ କରିବା। ସେତେବେଳେ ଜାନକୀ ବାବୁ ମୁଖ୍ୟମନ୍ତ୍ରୀ ଓ ବିଜୁ ପଟ୍ଟନାୟକ ବିରୋଧୀ ଦଳ ନେତା। ମୁଖ୍ୟମନ୍ତ୍ରୀ କହିଲେ ତାଙ୍କ ଲିଖିତ ମତାମତ ଯଥା ସମୟରେ ମିଳିଯିବ। ବିଜୁବାବୁଙ୍କ ପାଖକୁ ଗଲି। ମୋ ଯିବାର କାରଣ କହିଲି। ସାମାନ୍ୟ ଚିଡ୍‌‍ଚିଡା ସ୍ୱରରେ କହିଲେ- ଏଗୁଡ଼ା ସବୁ ବେକାର କଥା। ମୋ ପାଖରେ ସମୟ ନାହିଁ। ମୋ ସ୍ୱପ୍ନର କିଛି ମାନେ ନାହିଁ। ଏତେ ବର୍ଷର ସ୍ୱାଧୀନତା ଭିତରେ କ’ଣଟା ହୋଇଗଲା? ମୁଁ ଚୁପ୍ ହେଇ ଛିଡ଼ା ହେଇଥାଏ। କିଛି ସମୟ ପରେ କହିଲି, “ଓଡ଼ିଶାକୁ ନେଇ ଆପଣ ଅନେକ ସ୍ୱପ୍ନ ଦେଖିଥିବା ଶୁଣିଛୁ। ମୋ ବୟସର ଯୁବକମାନେ ଜାଣିବା ପାଇଁ ଆପଣ ନ କହିଲେ କେମିତି ହେବ?”

କ’ଣ ଭାବିଲେ କେଜାଣି କହିଲେ- ବସ୍। ମୁଁ ଆଜ୍ଞାଧୀନ ଛାତ୍ର ଭଳି ବସି ପଡ଼ିଲି ଓ ସଙ୍ଗେ ସଙ୍ଗେ ସାଙ୍ଗରେ ନେଇଥିବା ନୋଟ୍‌ପ୍ୟାଡ୍ ଖଣ୍ଡକ କାଢ଼ି ପେନ୍ ଖୋଲି ଅପେକ୍ଷା କଲି। ବିଜୁବାବୁ ତାଙ୍କ ଘର ସାମ୍ନା ବିମାନଘାଟିର ଖୋଲାପଡ଼ିଆ ଆଡ଼କୁ ଅପଲକ ଦୃଷ୍ଟିରେ ଚାହିଁ ରହିଥିଲେ। ହଠାତ୍, ମୋ ପାଇଁ କପେ ଚା’ ଆସିଲା। ମୁଁ ନୀରବରେ ଚା’ କପ୍‌ଟା ରଖିବାକୁ ଇଙ୍ଗିତ କଲି। କାଳେ ସାମାନ୍ୟ ଶବ୍ଦ ହେଲେ ତାଙ୍କ ଏକାଗ୍ରତା ଭାଙ୍ଗିଯିବ। ନୀରବତା ଭଙ୍ଗକରି ବିଜୁବାବୁ କହିଲେ- ଲେଖ୍। ତା’ ପରେ ପ୍ରାୟ ପଇଁଚାଳିଶ ମିନିଟ୍ ଧରି ସେ ସତେ ଯେମିତି ତାଙ୍କ ସ୍ୱପ୍ନର ଓଡ଼ିଶାର ମୂର୍ତ୍ତି ଗଢ଼ି ଚାଲିଥିଲେ। କୌଣସି ଗୋଟେ ଶବ୍ଦକୁ ଦ୍ୱିତୀୟ ଥର ଦୋହରାଉ ନ ଥିଲେ କି ମୋ ମୁହଁକୁ ଥରକ ପାଇଁ ଚାହିଁ ନ ଥିଲେ। ଦୃଷ୍ଟି ସେମିତି ଦିଗନ୍ତ ବିସ୍ତାରୀ। ଆଖିରେ ଆଖିଏ ସ୍ୱପ୍ନ। ଏତେ ଜୋର୍‌ରେ ଡାକୁଥାଆନ୍ତି ଯେ ତାଙ୍କ ସହ ତାଳଦେଇ ଲଙ୍ଗହ୍ୟାଣ୍ଡରେ ଲେଖିବା ଅସମ୍ଭବ। ମୋ ଆଙ୍ଗୁଠି ଟିପ ଦରଜ ହୋଇଗଲାଣି। ମୁଁ ପ୍ରମାଦ ଗଣୁଥାଏ ନୋଟ୍‌ପ୍ୟାଡ୍‌ର ଶେଷ ପୃଷ୍ଠାରେ ପହଞ୍ଚିଗଲିଣି। ଅକ୍ଷରକୁ ଯଥାସମ୍ଭବ ମିଞ୍ଜିମିଞ୍ଜି କରିବା ସତ୍ତ୍ୱେ। ନୂଆ ସର୍ଟହ୍ୟାଣ୍ଡ ନୋଟ୍‌ପ୍ୟାଡ୍‌ଖଣ୍ଡକ ପୂରା ସରିଗଲା। ହଠାତ୍ ବିଜୁବାବୁ ଚୁପ୍ ହୋଇଗଲେ। କହିଲେ- “ଏତିକି ଥାଉ। ମୁଁ ଆଶ୍ୱସ୍ତ ହେଲି। ପଚାରିଲେ- ଏଥିରୁ ତୋ’ କାଗଜରେ କେତେ ବାହାରିବ? ମୁଁ କହିଲି, ଆପଣ ଦେଖିବେନି। ୨୬ ତାରିଖରେ ତ ବାହାରିବ। ତାଙ୍କ ପାଖରୁ ଫେରିଆସି କପି ପ୍ରସ୍ତୁତ କଲି। ସପ୍ଲିମେଣ୍ଟର ପ୍ରଥମ ପୃଷ୍ଠାରେ ମୁଖ୍ୟମନ୍ତ୍ରୀ ଜାନକୀବାବୁ ଓ ବିରୋଧୀ ଦଳ ନେତା ବିଜୁବାବୁଙ୍କ ବକ୍ତବ୍ୟର ସଂପାଦିତ ଅଂଶ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମତାମତ ଓ ଫଟୋ ସହ ପ୍ରକାଶ ପାଇଲା। ପଛ ପୃଷ୍ଠାରେ ‘ମୋ ସ୍ୱପ୍ନର ଓଡ଼ିଶା’ ଶୀର୍ଷକରେ ଅଧ ପୃଷ୍ଠାର ଏକ ସ୍ୱତନ୍ତ୍ର ଆଲେଖ୍ୟ ପ୍ରକାଶ ପାଇଲା। ସେ ଖୁସି ହେଲେ କି ନାହିଁ ଜାଣିନି। କିନ୍ତୁ, ମୁଁ ଖୁସି ହେଲି ଯେ, ଯାହାହେଉ ତାଙ୍କ ସ୍ୱପ୍ନକୁ ମୁଁ କାମ କରୁଥିବା ସମ୍ବାଦପତ୍ର ଉପଯୁକ୍ତ ଗୁରୁତ୍ୱ ଦେଇ ଛାପିଲା। ସେଦିନ ଜଣେ ନୂଆ ସାମ୍ବାଦିକ ଭାବେ ମୁଁ ବିଜୁବାବୁଙ୍କ ଚରିତ୍ରର ଏହି ବିଶେଷ ଦିଗଟି ସହ ପରିଚିତ ହେଲି। ଓଡ଼ିଶା ପ୍ରତି କି ଦୁର୍ବାର ଆକର୍ଷଣ! କି ଆତ୍ମୀୟତା! କେତେ ଭଲ ପାଇବା! ଏ ଭଲ ପାଇବା ପଛରେ କୌଣସି ହୀନ ରାଜନୈତିକ ଅଭିସନ୍ଧି ନ ଥିଲା କି ଛଳନା ନ ଥିଲା। ସିଧା ହୃଦୟରୁ ଆସୁଥିଲା ପ୍ରତିଟି ଶବ୍ଦ। ନ ହେଲେ କି ପଇଁଚାଳିଶି ମିନିଟ୍ ଧରି ଜଣେ ନନ୍‌ଷ୍ଟପ୍ ଏଭଳି ମୋହାବିଷ୍ଟ ହେଇ ଡିକ୍ଟେସନ୍ ଦେଇପାରିବ? ଆଜି ଓଡ଼ିଶା ରାଜନୀତିରେ କେତେ ଜଣ ନେତା ଅଛନ୍ତି ଯିଏ ଓଡ଼ିଶା ସମ୍ପର୍କରେ ୪୫ଟି ବାକ୍ୟ ଗଠନ କରିପାରିବେ ପଇଁଚାଳିଶ ମିନିଟ୍‌‍ରେ, ଯାହା ଜଣେ ସାଧାରଣ ଲୋକର ମନକୁ ଛୁଇଁ ପାରିବ।

ଇଏ ଥିଲେ ବିଜୁ ପଟ୍ଟନାୟକ, ଯାହାଙ୍କ ଉଚ୍ଚତା ଅନ୍ୟ ସମସ୍ତଙ୍କୁ ଖର୍ବକାୟ କରିଦେଉ ଥିଲା। ଆଉ ଯାହାଙ୍କ ଛାତିର ମାପ ୫୬ ଇଞ୍ଚରୁ ଢେର ଅଧିକା ଥିଲା। ଓଡ଼ିଶା ଓ ଭାରତକୁ ପ୍ରାଣଭରି ଭଲ ପାଉଥିବା ଏହି ମହାନ ଜନନାୟକ ତାଙ୍କ ଜୀବଦ୍ଦଶାରେ ଏକ କିମ୍ବଦନ୍ତୀ ପାଲଟି ଯାଇଥିଲେ। ତାଙ୍କୁ ନେଇ କଥା, କାହାଣୀ ଓ କିମ୍ବଦନ୍ତୀ। କଳ୍ପନାଜଳ୍ପନାର ଶେଷ ନାହିଁ। ଜୀବଦ୍ଦଶାରେ ଓ ମୃତ୍ୟୁର ଅଠର ବର୍ଷ ପରେ ବି ଏହି ‘ଲିଜେଣ୍ଡ’ର ସାମାନ୍ୟ ଅବକ୍ଷୟ ନାହିଁ। ତାଙ୍କ ମୃତ୍ୟୁପରେ ତାଙ୍କ ସ୍ମୃତି ଓ ନାଁକୁ ଧରି ଓଡ଼ିଶାରେ ଏକ ରାଜନୈତିକ ଦଳ ତିଆରି ହେଲା, ଏଇଥି ପାଇଁ ଯେ ତାଙ୍କ ସ୍ମୃତିରେ ବିଦଗ୍ଧ ଓଡ଼ିଶାବାସୀ ଅନ୍ତତଃ ଏହି ଆଞ୍ଚଳିକ ଦଳର ନେତାମାନଙ୍କୁ ଗୋଟିଏ ନିର୍ବାଚନ ପାରି କରାଇ ଦେବେ। ଅନ୍ତତଃ ନିଃଶ୍ୱାସ ମାରିବାକୁ ସମୟ ମିଳିଗଲେ, ତା’ପରେ ଯେ ଯାହା, ରାସ୍ତାରେ ଚାଲିଯିବାକୁ ସୁବିଧା ହେବ। କିଏ ଜାଣିଥିଲା ଯେ ଏତେ ସୀମିତ ଓ ସଂକୀର୍ଣ୍ଣ ଦୃଷ୍ଟିକୋଣ ନେଇ କିଛି କ୍ଷମତାଲିପ୍ସୁ ରାଜନୈତିକ ବ୍ୟକ୍ତି ଆରମ୍ଭ କରିଥିବା ଏହି ‘ଏକ୍ସପେରିମେଣ୍ଟ‘ ପରବର୍ତ୍ତୀ କାଳରେ ସମସ୍ତଙ୍କୁ ଝଟ୍‍କା ଦେଇ ରାଜ୍ୟର ସବୁଠାରୀ ଦୀର୍ଘସ୍ଥାୟୀ, ଶକ୍ତିଶାଳୀ ଓ ପ୍ରଭାବଶାଳୀ, ସଫଳତମ ରାଜନୈତିକ ଏକ୍ସପେରିମେଣ୍ଟରେ ପରିଣତ ହୋଇପାରିବ! ବିଜୁଙ୍କୁ ଦେଖିଥିବା ଲୋକମାନେ ଏବେ ବିଜୁ ନାଁର କମାଲ୍ ଦେଖିକି ଚମତ୍କୃତ ହେଉଛନ୍ତି। ଏସବୁ ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକଙ୍କର ଏକ ଅନାସକ୍ତ, ତଥ୍ୟନିଷ୍ଟ ଐତିହାସିକ ମୂଲ୍ୟାୟନ ହେଇପାରି ନାହିଁ। ସେଥିପାଇଁ ଏହି ଦୂର୍ବାର ନେତା ଜଣକ ଓଡ଼ିଶାର ‘ଜେମ୍ସବଣ୍ଡ୍’ ଭଳି ମନେ ହେଉଥିଲେ ହେଁ ସେ ଯେ ପ୍ରକୃତପକ୍ଷେ ବିଶ୍ୱ ପରିଚିତ ଥିବା ସମଗ୍ର ଭାରତର ଅନ୍ୟତମ ଅଦ୍ୱିତୀୟ ନେତା, ଏହା ହୁଏତ ଅନେକ ଜାଣି ନ ଥିବେ। ୨୦୦୦ ମସିହା ପରେ ଜନ୍ମ ହୋଇଥିବା ପିଲାମାନେ ବିଜୁ ପଟ୍ଟନାୟକ କହିଲେ କ’ଣ ବୁଝନ୍ତି? କ’ଣ ଜାଣନ୍ତି? ପଚାରିଲେ ହୁଏତ କହିବେ- ନା। ଅନେକ ସମୟରେ ଶୁଣିଛୁ। ହଁ, ତାଙ୍କ ନାଁରେ ଗୋଟେ ରାଜନୈତିକ ଦଳ ଓଡ଼ିଶାରେ ଅଛି। ଏହା ହିଁ କ’ଣ ବିଜୁ ପଟ୍ଟନାୟକଙ୍କ ଲିଗାସୀ?

ସେ ସ୍ୱାଧୀନ ଭାରତର କୌଣସି ଗୁରୁତ୍ୱପୂର୍ଣ୍ଣ ପଦପଦବୀ- ରାଷ୍ଟ୍ରପତି, ଉପରାଷ୍ଟ୍ରପତି କି ପ୍ରଧାନମନ୍ତ୍ରୀ ନ ଥିଲେ। ଦୀର୍ଘ ପଚାଶ ବର୍ଷର ରାଜନୈତିକ ଜୀବନରେ ଦୁଇ କିସ୍ତିରେ, ୨୮ ବର୍ଷର ବ୍ୟବସାଧାନରେ ଦି’ଥର ମୁଖ୍ୟମନ୍ତ୍ରୀ ଓ ଦି’ଥର କେନ୍ଦ୍ରମନ୍ତ୍ରୀ ଅଳ୍ପ ସମୟ ପାଇଁ ହୋଇଥିଲେ। କିନ୍ତୁ, ୧୯୬୭ରୁ ୧୯୭୧, ଚାରିବର୍ଷ ଛାଡ଼ି ଦେଲେ, ଅବଶିଷ୍ଟ ୪୬ ବର୍ଷ ସେ ବିଧାନସଭା ଓ ସଂସଦର ସଭ୍ୟ ରହିଛନ୍ତି। ୧୬ ଥର ନିର୍ବାଚନ ଜିତିଛନ୍ତି। ସାତ ଥର ହାରିଛନ୍ତି। ଯେତିକି ଫୁଲମାଳ ପାଇଛନ୍ତି, ତା’ ବୋଧହୁଏ କାହା ଭାଗ୍ୟରେ ଜୁଟିବ ନାହିଁ। ଢେଲାମାଡ଼ ସଂଖ୍ୟା ବି କମ୍ ନୁହେଁ। ଜୀବଦ୍ଦଶାରେ ପ୍ରଶଂସା ତୁଳନାତ୍ମକ ଭାବେ କମ୍। ସମାଲୋଚନା ବେଶି ଶୁଣିଲେ। ଦୁର୍ନୀତିର ଅପବାଦ ମୃତ୍ୟୁ ପର୍ଯ୍ୟନ୍ତ ପିଛା ଛାଡ଼ିଲା ନାହିଁ। ଯଦିଓ ଏ ଦେଶ ପାଇଁ ସେ କୋଟିପତିରୁ କାଙ୍ଗାଳ ହେଲେ। ସମସ୍ତଙ୍କୁ ସବୁ ଦେଇଦେଲେ। କାହାଠାରୁ କିଛି ନେଲେ ନାହିଁ। ଟଙ୍କାକର ଦୁର୍ନୀତି ବି ପ୍ରମାଣିତ ହେଲା ନାହିଁ। କେତେ ତଦନ୍ତ, କେତେ କମିଶନ, କେତେ ରିପୋର୍ଟ। କୌଣସି ଚାପ ଆଗରେ ସେ କେବେ ମୁଣ୍ଡ ନୁଆଁଇ ନ ଥିଲେ କି ସମାଲୋଚନାକୁ ଖାତିର କରି ନ ଥିଲେ। ତେବେ, ଶେଷ ଜୀବନରେ ତାଙ୍କ ବିରୁଦ୍ଧରେ ତତ୍କାଳୀନ କଂଗ୍ରେସ ସରକାର ତାଙ୍କର ସେ ସମୟର କିଛି ଚକ୍ରାନ୍ତକାରୀ ତଥାକଥିତ ଅନୁଗତଙ୍କୁ ଧରି ଆରମ୍ଭ କଲେ ଦୁର୍ନୀତିର ଅପବାଦ। କାଳେ ବିଜୁ ପଟ୍ଟନାୟକ କେନ୍ଦ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅଧିଷ୍ଠିତ ହୋଇଯିବେ, ସେଥିପାଇଁ ତାଙ୍କ ଗତିରୋଧ ପାଇଁ ଦାୟର ହେଲା ଚିଟାଗଡ଼ ପେପର ମିଲ୍, ସେବା ପେପର ମିଲ୍‌କୁ ବଲାରପୁରକୁ ଦେବା, ବାଲିଦ୍ୱୀପକୁ ଦୁଃସାହସିକ ଜଳଯାତ୍ରା ଖର୍ଚ୍ଚ ଅନିୟମିତତା ଓ ୧୮ କୋଟି ଟଙ୍କାର ଦଳୀୟ ପାଣ୍ଠି ଯୋଗାଡ଼ରେ ବ୍ୟାପକ ଦୁର୍ନୀତି ହୋଇଛି। ଅଭିଯୋଗ ଫର୍ଦ୍ଦର କୋର୍ଟ କାଗଜପତ୍ର ଜେରକ୍ସ କପି ନୂଆଦିଲ୍ଲୀରେ ବାଣ୍ଟିଲେ ସେ ସମୟରେ ଦିଲ୍ଲୀ ଦରବାରରେ ପ୍ରଭାବ ବିସ୍ତାର କରିଥିବା ଜଣେ ଚକ୍ରାନ୍ତକାରୀ ଜନତା ଦଳ ଏମ୍‌ପି ଯିଏ ନିଜେ ମନ୍ତ୍ରୀ ହେବାକୁ ଚାହୁଁଥିଲେ। ଏଥିପାଇଁ ସେ ତତ୍କାଳୀନ ଓଡ଼ିଶାର କଂଗ୍ରେସ ସରକାରର ହାତବାରିଶି ସାଜିଲେ। କାଳେ ବିଜୁଙ୍କ ଏକାନ୍ତ ଅନୁଗତ ଦିଲ୍ଲୀପ ରାୟ ମନ୍ତ୍ରୀ ହୋଇଯିବେ, ସେଥିପାଇଁ ତାଙ୍କ ଘର ବି ଚଢ଼ଉ ହେଲା। ସାରା ଦେଶରେ ବିଜୁବାବୁଙ୍କ ତଥାକଥିତ ଦୁର୍ନୀତି ନେଇ ମିଡ଼ିଆରେ ଚର୍ଚ୍ଚା ହେଲା। ଚକ୍ରାନ୍ତକାରୀମାନଙ୍କ ରଣନୀତି କାମ ଦେଲା। ନିଜ ଜୀବଦ୍ଦଶାରେ ବହୁ ଲୋକଙ୍କୁ ପ୍ରଧାନମନ୍ତ୍ରୀ କରିଥିବା ବିଜୁ ପଟ୍ଟନାୟକ ଏକ ‘କଳଙ୍କିତ ନାୟକ’ର ଅପବାଦ ମୁଣ୍ଡାଇ ନୀରବ ରହିବାକୁ ବାଧ୍ୟ ହେଲେ। ଯଦିଓ ତାଙ୍କ ସୁପାରିଶରେ ଦିଲ୍ଲୀପ ରାୟ ମନ୍ତ୍ରୀ ହେଲେ, ମୁଖ୍ୟ ଚକ୍ରାନ୍ତକାରୀ ମଧ୍ୟ ବଡ଼ ମନ୍ତ୍ରୀପଦ ପାଇଲେ। ଓଡ଼ିଶା କଂଗ୍ରେସ ସରକାର ଓ ସେ ସମୟର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଆଶ୍ୱସ୍ତ ହେଲେ। ସେ ସମୟର ରାଜନୈତିକ ଦୃଶ୍ୟପଟ୍ଟକୁ ନିଖୁଣ ଭାବେ ଅନୁଧ୍ୟାନ କରି ପ୍ରଖ୍ୟାତ ଆଇନଜୀବୀ ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧାର୍ଥ ଶଂକର ରାୟ କହିଥିଲେ ଯେ, “ଯଦି ଓଡ଼ିଶା ସରକାର ମକଦ୍ଦମା କରି ନ ଥାନ୍ତେ, ତେବେ ବିଜୁବାବୁ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ। ଓଡ଼ିଶାର ଇତିହାସ ଭିନ୍ନମୋଡ଼ ନେଇଥାନ୍ତା।” ଅତୀତରେ, ବିଜୁ ପଟ୍ଟନାୟକଙ୍କ ନାଁରେ ଅନେକ ଦୁର୍ନୀତି ଅଭିଯୋଗ ଆସିଛି। ସେ ସବୁର ତଦନ୍ତ ପାଇଁ ଖାନ୍ନା କମିଶନ ବସିଛି। ସବୁ ଦୁର୍ନୀତି ଅଭିଯୋଗ ଭିତ୍ତିହୀନ ବୋଲି ପ୍ରମାଣିତ ହୋଇଛି। ‘ପ୍ରଶାସନିକ ଅସଙ୍ଗତି’କୁ କମିଶନ ଇଙ୍ଗିତ କରିଛନ୍ତି ଯଦିଓ। ବିଜୁ ପଟ୍ଟନାୟକଙ୍କ ଚିରାଚରିତ ବେପରୱା ମନ୍ତବ୍ୟ ମୋ ରାଜ୍ୟର ଉନ୍ନତି ପାଇଁ, ମୋ ଲୋକଙ୍କ ଉନ୍ନତି ପାଇଁ ଥରେ ନୁହେଁ ହଜାରେ ଥର ପ୍ରଶାସନିକ ଅସଙ୍ଗତି କରିବାକୁ ମୁଁ ପ୍ରସ୍ତୁତ। କିନ୍ତୁ, ଶେଷ ଜୀବନରେ ଦୁର୍ନୀତିର ଅପବାଦ ତାଙ୍କୁ ଖୁବ୍ ବାଧିଥିଲା। ଜଣେ ସାମ୍ବାଦିକ ଭାବେ ମୁଁ ଏହା ଲକ୍ଷ୍ୟ କରିଛି। ଏଭଳି ମିଥ୍ୟା ଅପବାଦକୁ ସାମ୍ବାଦିକମାନେ କାହିଁକି ଗୁରୁତ୍ୱ ଦେଇ ଛାପୁଛନ୍ତି ବୋଲି ଅନେକ ସମୟରେ ପ୍ରଶ୍ନ କରିଛନ୍ତି, ଅସହାୟ ଭାବରେ। ଏଭଳି ଦୁର୍ନୀତି ଅଭିଯୋଗ କ’ଣ ପାଇଁ ଆସିଥିଲା, ଏହାର ଅନ୍ତରାଳରେ କେଉଁମାନଙ୍କର କ’ଣ ଭୂମିକା ଥିଲା, ତା’ କେବଳ ଏକ ଐତିହାସିକ ଅନୁଶୀଳନ ପରେ ହିଁ ବିସ୍ତୃତ ଭାବେ ଜାଣିପଡ଼ିବ।

ଅନ୍ୟ ପକ୍ଷରେ, ବିଜୁ ପଟ୍ଟନାୟକଙ୍କ ନାଁ ସହ ଯେଉଁ ବିରଳ ଯଶକୀର୍ତ୍ତି ସବୁ ଯୋଡ଼ି ହୋଇରହିଛି, ସେସବୁ କ୍ୱଚିତ ଲୋକଙ୍କ ଭାଗ୍ୟରେ ଜୁଟିଥାଏ। ସେ ପ୍ରଧାନମନ୍ତ୍ରୀ କି ରାଷ୍ଟ୍ରପତି ନ ଥିଲେ। କିନ୍ତୁ ତାଙ୍କ ମୃତ୍ୟୁ ପରେ ଦଳମତ ନିର୍ବିଶେଷରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କଠାରୁ ଆରମ୍ଭକରି ଜାତୀୟସ୍ତରୀୟ ବିଶିଷ୍ଟ ନେତାମାନଙ୍କ ଶୋକବାର୍ତ୍ତା ଅନୁଧ୍ୟାନ କଲେ ବେଶ୍ ବୁଝି ହୁଏ ବିଜୁ ପଟ୍ଟନାୟକ ଜାତୀୟ ଜନଜୀବନକୁ କେତେ ପରିମାଣରେ ପ୍ରଭାବିତ କରିପାରିଥିଲେ। ତାଙ୍କ ଜୀବନର ବହୁ ଅଜ୍ଞାତ ଅଧ୍ୟାୟ ସମ୍ପର୍କରେ ପ୍ରାୟ ଆଲୋଚନା ହୁଏ ନାହିଁ ଓଡ଼ିଶାରେ। ଏଥିରୁ ବୁଝି ହୁଏ ଯେ ତାଙ୍କୁ ଖୁବ୍ ଭଲ ପାଉଥିବା ଓଡ଼ିଆମନେ ବି ତାଙ୍କ ବାବଦରେ ପ୍ରକୃତରେ ଆଜି ପର୍ଯ୍ୟନ୍ତ ଖୁବ୍ କମ୍ ଜାଣିଛନ୍ତି। ବିଜୁଙ୍କ ଦୁଃସାହସିକତାର ସର୍ବଶ୍ରେଷ୍ଠ ଉଦାହରଣ ଭାବେ ପଣ୍ଡିତ ନେହରୁଙ୍କ ନିର୍ଦ୍ଦେଶନାରେ ଇଣ୍ଡୋନେସିଆ ମୁକ୍ତି ସଂଗ୍ରାମରେ ବିଜୁଙ୍କ ବୀରତ୍ୱପୂର୍ଣ୍ଣ ଅଂଶଗ୍ରହଣ କଥା ଉଣା ଅଧିକେ ସମସ୍ତେ ଜାଣନ୍ତି। ଯଦିଓ ଏହା କେତେ ବିପଦପୂର୍ଣ୍ଣ ଥିଲା ଓ ବିଜୁବାବୁ ସେ ସମୟରେ ଏସବୁକୁ କିଭଳି ସାମ୍ନା କରିଥିଲେ ତା’ର କୌଣସି ବିଧିବଦ୍ଧ ବିବରଣୀ ନାହିଁ, ତଥାପି ସମସ୍ତେ ଜାଣନ୍ତି ଯେ ସେ ଡଚ୍‌ ସେନାବାହିନୀ ଆଖିରେ ଧୂଳିଦେଇ ଡକ୍ଟର ସାହରିୟର ଓ ଡକ୍ଟର ହଟ୍ଟାଙ୍କ ଭଳି ଇଣ୍ଡୋନେସିଆ ମୁକ୍ତି ସଂଗ୍ରାମର ନେତାମାନଙ୍କୁ ନୂଆଦିଲ୍ଲୀରେ ଆଣି ପହଞ୍ଚାଇଥିଲେ। ଏହି ଅସାଧାରଣ କୃତିତ୍ୱ ଓ ବୀରତ୍ୱ ପାଇଁ ଇଣ୍ଡୋନେସିଆ ସରକାର ତାଙ୍କୁ ସେ ଦେଶର ସର୍ବୋଚ୍ଚ ସମ୍ମାନ ପ୍ରଦର୍ଶନ ପୂର୍ବକ ‘ଭୂମିପୁତ୍ର’ ଉପାଧି ପ୍ରଦାନ କରିଥିଲେ। ଅନେକ ଧନସମ୍ପତ୍ତି ସେ ଦେଶରେ ଯାଚି ଥିଲେ। ପ୍ରଚଣ୍ଡ ଆତ୍ମାଭିମାନୀ ବିଜୁ ପଟ୍ଟନାୟକ ସେସବୁକୁ ଫେରାଇ ଦେଇ କହିଥିଲେ ଠିକଣା ସମୟରେ ମାଗିନେବି। ସେ ଠିକଣା ସମୟ ଆସିଲା ୧୯୬୫ ମସିହା ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ। ଇଣ୍ଡୋନେସିଆ ସରକାର ପାକିସ୍ତାନ ସରକାରଙ୍କ ଅନୁରୋଧକ୍ରମେ ସେ ଦେଶକୁ ଏକ ବୁଡ଼ାଜାହାଜ ବାହିନୀ ପଠାଇଥିଲେ। ଏହା ଜାଣିପାରି ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀ ଜରୁରୀ ବୈଠକ ଡକାଇ ସରକାର ଓ ସେନାବାହିନୀର ଉଚ୍ଚ ପଦାଧିକାରୀମାନଙ୍କ ସହ ଆଲୋଚନା କଲେ। ସମସ୍ତେ କହିଲେ କେବଳ ବିଜୁ ପଟ୍ଟନାୟକ ହିଁ ଚାହିଁଲେ ଏହା ସମ୍ଭବ ହେବ। ଶାସ୍ତ୍ରୀ କିନ୍ତୁ କୁଣ୍ଠିତ ଥିଲେ। କାରଣ କିଛିଦିନ ଆଗରୁ ସେ ହିଁ ବିଜୁ ପଟ୍ଟନାୟକଙ୍କ ବିରୁଦ୍ଧରେ ହୋଇଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଖାନ୍ନା କମିଶନ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ, ଶାସ୍ତ୍ରୀ ବିଜୁଙ୍କୁ ଡାକି ଦେଶର ଏ ସଂକଟ ସମୟରେ ଇଣ୍ଡୋନେସିଆ ସରକାରଙ୍କୁ ପାକିସ୍ତାନକୁ ସାହାଯ୍ୟ ନ କରିବାକୁ ବିଜୁଙ୍କୁ ଅନୁରୋଧ କଲେ। ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ବିଜୁ ଇଣ୍ଡୋନେସିଆ ଗଲେ ଓ ସେଠିକା ରାଷ୍ଟ୍ରପତି ସୁକର୍ଣ୍ଣଙ୍କୁ ତାଙ୍କ ସାହାଯ୍ୟର ପ୍ରତିଦାନ ସ୍ୱରୂପ ବୁଡ଼ାଜାହାଜ ବାହିନୀ ନ ପଠାଇବାକୁ ଅନୁରୋଧ କଲେ। ସୁକର୍ଣ୍ଣ କିନ୍ତୁ ନାଚାର। କାରଣ ବୁଡ଼ାଜାହାଜ ବାହିନୀ କରାଚି ଅଭିମୁଖେ ଗସ୍ତ କରି ସାରିଥିଲା ଓ ବନ୍ଦର ଠାରୁ ମାତ୍ର ଅଳ୍ପ ଦୂରରେ ଥିଲା। ବିଜୁ କିନ୍ତୁ ନଛୋଡ଼ବନ୍ଧା। ଶେଷକୁ ସୁକର୍ଣ୍ଣ ବିଜୁ ପଟ୍ଟନାୟକଙ୍କ କଥାକୁ ସମ୍ମାନ ଦେଇ ବୁଡ଼ାଜାହାଜବାହିନୀକୁ ଅଧାବାଟରୁ ଫେରି ଆସିବାକୁ ନିର୍ଦ୍ଦେଶ ଦେଲେ। ଦେଶ ଏକ ମହାବିପଦରୁ ରକ୍ଷା ପାଇଲା। ଖୁବ୍ କମ୍ ଲୋକ ଏ କଥା ଜାଣନ୍ତି। ହୁଏତ ଲାଲବାହାଦୂର ତାସ୍‌‍କେଣ୍ଟରୁ ଫେରିଥିଲେ ବିଜୁଙ୍କ ଅବଦାନ ନେଇ ଦେଶ ତରଫରୁ ପ୍ରଶଂସା କରିଥାନ୍ତେ କି ପୁରସ୍କୃତ କରିଥାନ୍ତେ। କିନ୍ତୁ ଫେରିଲା ଶାସ୍ତ୍ରୀଜୀଙ୍କ ମୃତଦେହ।

ସେହିଭଳି, ୧୯୪୭ରେ କାଶ୍ମିର ଦଖଲ ପାଇଁ ପାକ୍‌ସେନା ବାହିନୀର ଅତର୍କିତ ସାମରିକ ଅଭିଯାନ, ସେ ସମୟରେ ପ୍ରଧାନମନ୍ତ୍ରୀ ନେହରୁଙ୍କ ସମେତ କେନ୍ଦ୍ର ସରକାରକୁ ଦୋହଲାଇ ଦେଇଥିଲା। ପାକ୍‌‍ସେନା ଅଭିଯାନ ଏତେ ସୁଚିନ୍ତିତ ଓ କ୍ଷୀପ୍ର ଥିଲା ଯେ ଭାରତ ପକ୍ଷେ ପାଲ୍‌‍ଟା ଆକ୍ରମଣ ପାଇଁ ସେନାବାହିନୀକୁ ମୁତୟନ କରିବା ଅସମ୍ଭବ ମନେ ହେଲା। ତେଣେ, କାଶ୍ମିରର ସେ ସମୟର ମହାରାଜା ହରି ସିଂହ ଚାହିଁ ରହିଛନ୍ତି ଭାରତୀୟ ସେନାର ସାହାଯ୍ୟକୁ। ପ୍ରଧାନମନ୍ତ୍ରୀ ନେହରୁ ଡକାଇ ପଠାଇଲେ ବିଜୁ ପଟ୍ଟନାୟକଙ୍କୁ। କେମିତି ପାକ୍‌‍ସେନାକୁ ଉଚିତ ଜବାବ ଦେଇହେବ। ଦେଶର ଘଡ଼ିସନ୍ଧି ମୁହୂର୍ତ୍ତରେ କେବେ କୌଣସି ଲାଭକ୍ଷତି କି ବିପଦଆପଦ କଥା ଚିନ୍ତା ନ କରି ସାମ୍ନାକୁ ଡେଇଁ ପଡ଼ିବା ଥିଲା ବିଜୁ ପଟ୍ଟନାୟକଙ୍କ ସହଜାତ ପ୍ରବୃତ୍ତି। ତାଙ୍କ ଦ୍ୱାରା ସେ ସମୟରେ ପ୍ରତିଷ୍ଠିତ ‘କଳିଙ୍ଗ ଏୟାର ଲାଇନ୍ସ’ର ଅବଦାନ ଏ କ୍ଷେତ୍ରରେ ଅତୁଳନୀୟ। କେବଳ କଳିଙ୍ଗ ଏୟାରଲାଇନ୍ସ ଓ ଏହାର ପାରଙ୍ଗମ ପାଇଲଟ୍‌ମାନଙ୍କ ଉତ୍ସର୍ଗୀକୃତ ସେବା ଯୋଗୁଁ କାଶ୍ମିର ଓ ଆସାମକୁ ଦଖଲ କରିବା ପାଇଁ ପାକିସ୍ତାନର ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା। କାଶ୍ମୀର ମହାରାଜା ହରି ସିଂହ ଭାରତ ସହ ଚୁକ୍ତି ସ୍ୱାକ୍ଷର କଲାବେଳକୁ ପାକ୍‌‍ସେନା ଶ୍ରୀନଗରଠାରୁ ମାତ୍ର ଅଳ୍ପ କେତେ ଘଣ୍ଟା ଦୂରରେ। ବିଜୁବାବୁ ପଣ୍ଡିତଜୀଙ୍କୁ କହିଲେ ସେନାବାହିନୀ ସହ ଶ୍ରୀନଗର ବିମାନଘାଟିରେ ଯେ କୌଣସି ମତେ ଓହ୍ଲାଇ ସେ କଣ୍ଟ୍ରୋଲ ଟାୱାରକୁ ଦଖଲ କରିନେବେ। ତା’ପର କାମ ସେନାବାହିନୀର। ଅନେକ ହୁଏ ତ ଜାଣି ନ ଥିଲେ ବିଜୁବାବୁ ଶ୍ରୀନଗର ଅଭିଯାନର ନେତୃତ୍ୱ ନେଲାବେଳକୁ ପାଇଲଟ୍ ନ ଥିଲେ। ୧୯୪୬ରେ ସେ ଓଡ଼ିଶା ବିଧାନସଭାରେ ଜଣେ ସଭ୍ୟ ଥିଲେ। ସେତେବେଳେ ଭାରତ ସହ ଶ୍ରୀନଗର କି ଜାମ୍ମୁର ସଡ଼କ ସଂଯୋଗ ନ ଥିଲା। ଯାହା ଥିଲା ତା’ ରାୱଲପିଣ୍ଡି ଓ ସିଆଲ୍କୋଟ ବାଟେ। ସୁତରାଂ ପାକିସ୍ତାନ ବେଫିକର ଥିଲା ଯେ ଭାରତ ସରକାର ଯେତେ ଚାହିଁଲେ ବି ସେନାବାହିନୀ ପଠାଇପାରିବ ନାହିଁ। ଆକାଶ ପଥରେ କେତେ ସୈନ୍ୟ ଅବା କାଶ୍ମୀର ବଞ୍ଚାଇବା ପାଇଁ ଆସି ପାରିବେ? ଏତେ ସଂଖ୍ୟକ ପରିବହନ ବିମାନ ତ ଭାରତୀୟ ବିମାନ ବାହିନୀର ନାହିଁ। କିନ୍ତୁ, ଏହି ସମୟରେ ଦେଶର ଆବଶ୍ୟକତା ପୂରଣ ପାଇଁ ଛିଡ଼ା ହେଲେ ବିଜୁ ପଟ୍ଟନାୟକ ଓ ତାଙ୍କ କଳିଙ୍ଗ ଏୟାରଲାଇନ୍ସ। ପ୍ରଥମ ଶିଖ୍ ରେଜିମେଣ୍ଟ ଧରି ବିଜୁ ଲ୍ୟାଣ୍ଡ କଲେ ଶ୍ରୀନଗର ବିମାନଘାଟିରେ। ଘମାଘୋଟ ଲଢ଼େଇରେ ଅନେକ ମୃତାହତ ହେଲେ। ଶେଷରେ, ପ୍ରବଳ ଆକ୍ରମଣକୁ ସାମ୍ନା କରି ନ ପାରି ପାକ୍ ସେନାବାହିନୀ ଛତ୍ରଭଙ୍ଗ ଦେଲେ। କାଶ୍ମୀର ଭାରତରେ ରହିଗଲା।

ତେବେ, ଖାଲି କାଶ୍ମୀର ନୁହେଁ, ଆସାମ ସମେତ ସମୁଦାୟ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ସମୂହକୁ ଅକ୍ତିଆର କରିବା ପାଇଁ ସ୍ୱାଧୀନତାର ଠିକ୍ ପରେ ପରେ ପାକିସ୍ତାନ ଓ ଚୀନ୍‌ର ଉଦ୍ୟମ ଯଦି ସଫଳ ହୋଇପାରି ନ ଥିଲା, ତା’ର ସବୁଠାରୁ ବଡ଼ ଶ୍ରେୟ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ କଳିଙ୍ଗ ଏୟାରଲାଇନ୍ସର ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ଏହି ଏୟାରଲାଇନ୍ସ ନ ଥିଲେ ଓ ଜୀବନକୁ ପାଣି ଛଡ଼େଇ ସବୁ ସମୟରେ ବିପଦସଂକୁଳ କାମ ପାଇଁ ପ୍ରସ୍ତୁତ ରହୁଥିବା ବିଚକ୍ଷଣ ପାଇଲଟ୍‌ମାନେ ନ ଥିଲେ, ଏ ଅଞ୍ଚଳ ଆଜି ପର୍ଯ୍ୟନ୍ତ ଭାରତର ହେଇ ରହି ନ ଥାଆନ୍ତା। ବିଶେଷ କରି ଆସାମ ପୂର୍ବ ପାକିସ୍ତାନରେ ଓ ଅରୁଣାଚଳ ପ୍ରଦେଶ ଚୀନର ଅନ୍ତର୍ଭୁକ୍ତ ହୋଇସାରନ୍ତାଣି। ଭାରତର ସୁରକ୍ଷା ଦୃଷ୍ଟିରୁ ସେତେବେଳକୁ ଏସବୁ ଅଗମ୍ୟ ଅଞ୍ଚଳକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଇଥିଲା। ଭାରତ ସରକାର ନିଷ୍ପତ୍ତି କଲେ ଏ ସବୁ ଅଞ୍ଚଳକୁ ସେନାବାହିନୀ ସହ ଅନ୍ୟାନ୍ୟ ସରକାରୀ କର୍ମଚାରୀ ଯାଇ ସରକାରଙ୍କ ଉପସ୍ଥିତି ଜାହିର ନ କଲେ, ଏ ସବୁ ଅଞ୍ଚଳ ହାତରୁ ଖସିଯିବ। ସେ ଅନୁଯାୟୀ ଅଫିସର୍‌ମାନେ ପାଦରେ ଚାଲି ଚାଲି ଦୁର୍ଗମ ଇଲାକାମାନଙ୍କୁ ଗଲେ। ଆସାମ ରାଇଫଲ୍ସ ପକ୍ଷରୁ ବିଭିନ୍ନ ସୀମାନ୍ତବର୍ତ୍ତୀ ଅଞ୍ଚଳମାନଙ୍କରେ ପୋଷ୍ଟ ପ୍ରତିଷ୍ଠା କରାଗଲା। ହେଲେ ସମସ୍ୟା ହେଲା ଏତେ ସଂଖ୍ୟକ ସେନା ଓ କର୍ମଚାରୀଙ୍କ ପାଇଁ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ପଠାଯିବ କେମିତି? କାରଣ ଏସବୁ ଅଞ୍ଚଳକୁ ଭାରତପଟୁ କୌଣସି ସଡ଼କ ପଥ ନ ଥିଲା। ସବୁ ରାସ୍ତା ଥିଲା ପୂର୍ବ ପାକିସ୍ତାନ ଆଡୁ। ସୁତରାଂ ଅତ୍ୟାବଶ୍ୟକୀୟ ଜିନିଷପତ୍ରଠାରୁ ଗୁଳିଗୁଳା ପର୍ଯ୍ୟନ୍ତ ସବୁକିଛି ପଠାଇବାର ଏକମାତ୍ର ବାଟ ଥିଲା ଆକାଶମାର୍ଗ। ପାହାଡ଼ ଓ ଘଞ୍ଚ ଜଂଗଲ ପରିପୂର୍ଣ୍ଣ ଏହିସବୁ ଅତ୍ୟନ୍ତ ବିପଦସଂକୁଳ ସୀମାନ୍ତବର୍ତ୍ତୀ ଇଲାକାମାନଙ୍କରେ ଖଣ୍ଡେ ଲେଖାଏଁ ଜଂଗଲ ପରିଷ୍କାର କରାଯାଇ ‘ଡ୍ରପିଂ ଜୋନ୍’ ପ୍ରତିଷ୍ଠା କରାଗଲା। କଳିଙ୍ଗ ଏୟାରଲାଇନ୍ସର ଡାକୋଟା ବିମାନ ଜରିଆରେ ଏହିସବୁ ଅଞ୍ଚଳକୁ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ପଠାଗଲା, ଏୟାର ଡ୍ରପିଂ ଦ୍ୱାରା। ଏପରିକି ସେନାବାହିନୀ ପାଇଁ ଜିଅନ୍ତା ଛେଳି ବି କୁଆଡ଼େ ଏୟାର ଡ୍ରପିଂ କରାଯାଇଥିଲା।

ବିଜୁ ପଟ୍ଟନାୟକ ହିଁ ପ୍ରଥମ ଲୋକ ଯିଏ ଓଡ଼ିଶାରେ ବିମାନ ସଚେତନତା ସୃଷ୍ଟି କଲେ। ବିଶ୍ୱଯୁଦ୍ଧ ସମୟରେ ଭୁବନେଶ୍ୱରରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ ରନ୍ୱେ ଓ କିଛି ପରିତ୍ୟକ୍ତ ଘର ନେଇ ସେ ଆରମ୍ଭ କଲେ ଓଡ଼ିଶା ଫ୍ଲାଇଂ କ୍ଲବ୍। ଦୁଇଟି ଟାଇଗର ମଥ୍ ବିମାନ ଥିଲା ଏହି ଫ୍ଲାଇଂ କ୍ଲବର। ଏଥିରେ ପାଇଲଟ୍‌ମାନଙ୍କୁ ଟ୍ରେନିଂ ଦିଆଗଲା। ବହୁ ପାଇଲଟ୍ ଏହି ଫ୍ଲାଇଂ ଶିଖି ନାମକରା ପାଇଲଟ୍ ହେଇଥିଲେ। କଳିଙ୍ଗ ଏୟାରଲାଇନ୍ସରେ ସେ ସମୟରେ କାର୍ଯ୍ୟରତ କ୍ୟାପ୍‌ଟେନ୍ ତ୍ରିପାଠୀ, କ୍ୟାପ୍‌ଟେନ୍ ଉଇଲକିସ୍, କ୍ୟାପ୍‌ଟ୍ରେନ୍ ଚ୍ୟାନ ଓ କ୍ୟାପ୍‌ଟେନ୍ ନମ୍ବୁଦ୍ରୀ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଜଣେ ଜଣେ କିମ୍ବଦନ୍ତୀ ବୋଲି ବିବେଚିତ ହେଇଥିଲେ ଓ ବିଜୁଙ୍କ ନିର୍ଦ୍ଦେଶରେ ଜୀବନକୁ ପାଣି ଛଡ଼େଇ କାମ କରୁଥିଲେ। କୁହାଯାଏ ଯଦି ଟାଟା ଦେଶର ପ୍ରଥମ ଯାତ୍ରୀବାହୀ ବିମାନ କମ୍ପାନୀ ପ୍ରତିଷ୍ଠା କରିଥିଲେ, ତେବେ ବିଜୁ ପଟ୍ଟନାୟକ ଦେଶର ପ୍ରଥମ ପଣ୍ୟବାହୀ ବେସାମରିକ ବିମାନ କମ୍ପାନୀ ପ୍ରତିଷ୍ଠା କରିଥିଲେ। ଯଦିଓ ଏହି ବିମାନ ପରିବହନ ଦୃଷ୍ଟିରୁ ଏକ ଲାଭଜନକ ସଂସ୍ଥାରେ ପରିଣତ ହେଇଥିଲା, ତଥାପି ଦେଶର ଆବଶ୍ୟକତା ବେଳେ ଲାଭକ୍ଷତି ହିସାବ ନ କରି କମ୍ପାନୀ ଦେଶ ପାଇଁ ତା’ର ଦାୟିତ୍ୱ ନିର୍ବାହ କରୁଥିଲା ସ୍ୱାର୍ଥହୀନ ଭାବରେ।

ଭାରତ-ଚୀନ ଯୁଦ୍ଧବେଳେ ବିଜୁ ପଟ୍ଟନାୟକ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁଙ୍କ ସାମରିକ ପରାମର୍ଶଦାତା ଭାବେ କାମ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଯଦିଓ ଚୀନର ବେଇମାନ ନୀତି ଓ ଛଳ ଯୋଜନା ଯୋଗୁ ଭାରତ ଯୁଦ୍ଧରେ ହାରିଲା, ତଥାପି ବିଜୁ ପଟ୍ଟନାୟକ ଓ ତାଙ୍କ ପ୍ରତିଷ୍ଠିତ କଳିଙ୍ଗ ଏୟାରଲାଇନ୍ସର ଦୁଃସାହସିକ ଅଭିଯାନକୁ ସମସ୍ତେ ପ୍ରଶଂସା କଲେ। ଦୁର୍ଗମ ବରଫାବୃତ ପାହାଡ଼ି ଇଲାକାମାନଙ୍କରେ ସଂଘର୍ଷରତ ଭାରତୀୟ ଯବାନମାନଙ୍କ ନିକଟରେ ଗୁଳିଗୁଳା ଓ ଅସ୍ତ୍ରଶସ୍ତ୍ର ପହଞ୍ଚାଇବାର ଦାୟିତ୍ୱ ପଡ଼ିଲା ତାଙ୍କ ଉପରେ। ଦକ୍ଷତାର ସହ ବିଜୁ କେବଳ ଏହି ଦାୟିତ୍ୱ ତୁଲାଇଥିଲେ ତା’ ନୁହେଁ, ପ୍ରଧାନମନ୍ତ୍ରୀ ନେହରୁ, ପ୍ରତିରକ୍ଷା ମନ୍ତ୍ରୀ କୃଷ୍ଣ ମେନନ୍ ଓ ସେନାବାହିନୀର ତୁଙ୍ଗ ସେନାପତିମାନଙ୍କ ସହ ରଣନୀତି, ଯୁଦ୍ଧ କୌଶଳ ନିର୍ଦ୍ଧାରଣ ପାଇଁ ଯାହା ଆବଶ୍ୟକ ପଡୁଥିଲା, ସବୁଥିରେ ପ୍ରଧାନମନ୍ତ୍ରୀଙ୍କୁ ସାହାଯ୍ୟ କରୁଥିଲେ। ଯୁଦ୍ଧରେ ପରାଜୟଜନିତ ଗ୍ଲାନି ଓ ନିଜ ଦଳ ଭିତରୁ ତୀବ୍ର ସମାଲୋଚନା ନେହରୁଙ୍କୁ ଦୁର୍ବଳ କରି ଦେଇଥିଲା।

କଂଗ୍ରେସ ଦଳ ଭିତରୁ ପ୍ରବଳ ଚାପ ପଡ଼ିଲା ପ୍ରତିରକ୍ଷା ମନ୍ତ୍ରୀ କୃଷ୍ଣ ମେନନଙ୍କ ଇସ୍ତଫା ପାଇଁ। ନେହରୁ ଏଥିରେ ଆଦୌ ରାଜି ହେଲେ ନାହିଁ। ଓଲଟା କହିଲେ ଯଦି କୃଷ୍ଣ ମେନନ ଇସ୍ତଫା ଦେବେ, ତେବେ ମୋ ଇସ୍ତଫା ବି ନିଅ। କଂଗ୍ରେସ ଦଳରେ ତୀବ୍ର ବାଦାନୁବାଦ ଲାଗିଲା ଏଥିନେଇ। ଶେଷରେ କଂଗ୍ରେସ ନେତାମାନେ ନେହରୁଙ୍କୁ ବୁଝାଇବାକୁ ଦାୟିତ୍ୱ ଦେଲେ ବିଜୁଙ୍କୁ। ଯଦିଓ ବିଜୁ କୃଷ୍ଣ ମେନନଙ୍କ ଅତି ପ୍ରିୟ ବନ୍ଧୁ ଥିଲେ। ତଥାପି, ତାଙ୍କ ଇସ୍ତଫା ନେବାକୁ ନେହରୁଙ୍କୁ ବୁଝାଇଲେ। ନେହରୁ ଭୀଷଣ ରାଗିଲେ। ଶେଷରେ ବିଜୁଙ୍କ ଯୁକ୍ତିକୁ ଗ୍ରହଣ କରି କୃଷ୍ଣ ମେନନଙ୍କ ଇସ୍ତଫା ଗ୍ରହଣ କଲେ। ଏହି ଘଟଣା ପରେ ପରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଦୂତ ଭାବେ ବିଜୁଙ୍କୁ ଆମେରିକା ଗସ୍ତରେ ଯାଇ ଆମେରିକା ସରକାରଙ୍କୁ ଚୀନ୍ ଆକ୍ରମଣ ପ୍ରସଙ୍ଗ ଓ ଭାରତକୁ ମାର୍କନ ସାହାଯ୍ୟର ଆବଶ୍ୟକତା ସମ୍ପର୍କରେ ବୁଝାଇବାକୁ ହେଇଥିଲା। ବିଜୁଙ୍କ ଏହି ଗସ୍ତକୁ ସେ ସମୟରେ ଆମେରିକୀୟ ମିଡ଼ିଆ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଥିଲେ। ଆମେରିକା ପ୍ରଶାସନକୁ ଭାରତର ଦୃଷ୍ଟିକୋଣ ବୁଝାଇବାରେ ବିଜୁ ବହୁ ପରିମାଣରେ ସଫଳ ହୋଇଥିଲେ। ସେ ଅନୁଯାୟୀ ସାହାଯ୍ୟ ବି ଆସିଲା। ଆମେରିକାର ସମ୍ବାଦପତ୍ରଗୁଡ଼ିକ ବିଜୁଙ୍କୁ ଭାରତର ପରବର୍ତ୍ତୀ ପ୍ରତିରକ୍ଷା ମନ୍ତ୍ରୀ ବୋଲି ମଧ୍ୟ ଚିତ୍ରଣ କଲେ। ସେ ସମୟରେ ତାଙ୍କ କ୍ରମବର୍ଦ୍ଧିଷ୍ଣୁ ଗୁରୁତ୍ୱକୁ ଦେଖି ନେହରୁଙ୍କ ପରେ କିଏ ଆଲୋଚନାରେ ଲେଖକ ଶାସ୍ତ୍ରୀ, ଇନ୍ଦିରା ଗାନ୍ଧୀଙ୍କ ସହ ବିଜୁଙ୍କ ନାଁ ମଧ୍ୟ ଯୋଡ଼ିଥିଲେ।

ତେବେ, କେବଳ ନେହରୁଙ୍କ ଅମଳରେ ନୁହେଁ ବା କାହା ଅନୁଗ୍ରହରେ ନୁହେଁ, ନିଜର ବ୍ୟକ୍ତିତ୍ୱ, ଦାୟିତ୍ୱବୋଧ, ଦେଶପ୍ରୀତି ଓ ଦୁଃସାହସିକତା, ସର୍ବୋପରି ଦୂରଦର୍ଶୀ ଦୃଷ୍ଟିକୋଣ ଯୋଗୁଁ ସଂକୀର୍ଣ୍ଣ ଦଳୀୟ ରାଜନୀତିର ଊଦ୍ଧ୍ୱର୍କୁ ଉଠି ବିଜୁ ସବୁବେଳେ ରାଜ୍ୟ ଓ ରାଷ୍ଟ୍ରସ୍ୱାର୍ଥ ପାଇଁ ଲାଗି ପଡୁଥିଲେ। ସ୍ୱାଧୀନତା ସଂଗ୍ରାମବେଳେ ସଂଗ୍ରାମୀ ଓ ବିପ୍ଳବୀମାନଙ୍କୁ ଗୋପନରେ ସାହାଯ୍ୟ କରି ବାରମ୍ବାର ଜେଲ୍ ଯିବା, ଜରୁରୀକାଳୀନ ପରିସ୍ଥିତି ବେଳେ ଜୟପ୍ରକାଶ ଓ ଅନ୍ୟମାନଙ୍କ ସହ ମିଶି ଏହାର ଦୃଢ଼ ବିରୋଧ କରିବା, ଦେଶ ଗଠନ ଓ ସମାଜର ସବୁ ବର୍ଗର ଉନ୍ନତି ପାଇଁ ତାଙ୍କର ଚିନ୍ତା ଯେକୌଣସି ଦୃଷ୍ଟିରୁ ବିଚାର କଲେ ଅନନ୍ୟ ଓ ଅସାଧାରଣ ମନେ ହୁଏ। ନିଜ ସମୟଠାରୁ ସବୁବେଳେ ଢେର ଆଗରେ ଥିବା ବିଜୁବାବୁ ରାଉରକେଲା ଇସ୍ପାତ କାରଖାନା ସ୍ଥାପନର ଅନେକ ପୂର୍ବରୁ ୧୯୫୦ ମସିହାରେ ସମ୍ବଲପୁରଠାରେ ଏକ ଇସ୍ପାତ କାରଖାନା (’ବ୍ରାହ୍ମଣୀ ଷ୍ଟିଲ୍ କମ୍ପାନୀ’ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ। ଫ୍ରାନ୍ସର ବୈଷୟିକ ଜ୍ଞାନ କୌଶଳରେ ୩୦୦ କୋଟି ଟଙ୍କାରେ ତାଙ୍କ କମ୍ପାନୀ ତରଫରୁ ଏହି କାରଖାନା ପାଇଁ ଅନୁମତି ଦେବାକୁ ବିଜୁ ପ୍ରୋଜେକ୍ଟ ରିପୋର୍ଟ ସହ କେନ୍ଦ୍ରକୁ ଚିଠି ଲେଖିଥିଲେ। ନେହରୁଙ୍କୁ ମଧ୍ୟ ଚିଠି ଲେଖିଥିଲେ। ନୂଆଦିଲ୍ଲୀ ତିନିମୂର୍ତ୍ତି ଭବନ ସ୍ମାରକୀ ଲାଇବ୍ରେରୀରେ ଏ ସଂକ୍ରାନ୍ତୀୟ ସମସ୍ତ କାଗଜପତ୍ର ଗଚ୍ଛିତ ଥିବା ନିକଟରେ ଜଣେ ଓଡ଼ିଆ ଗବେଷକଙ୍କ ଦୃଷ୍ଟିରେ ପଡ଼ିଲା।

ତାଙ୍କ ବାବଦରେ ଲେଖି ବସିଲେ, ସେ ଏକ ବିରାଟ ଗ୍ରନ୍ଥ ହେବ। ବିଜୁଙ୍କ ଦ୍ୱାଦଶାହ ସ୍ମୃତିଚାରଣ ସମାରୋହରେ ଉପସ୍ଥିତ ଜାତୀୟ ନେତାମାନଙ୍କ ସହ ରାଜ୍ୟର ସବୁ ଦଳର ନେତାମାନେ ତାଙ୍କର ଉଜ୍ଜ୍ୱଳ କୀର୍ତ୍ତିର ସ୍ମାରକୀ ସ୍ୱରୂପ ଅନେକ ପ୍ରସ୍ତାବ ରଖିଥିଲେ। ଦିଲ୍ଲୀର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସାହେବ ସିଂ ବର୍ମା ରାଜନୀତି ଦିଲ୍ଲୀର ଏକ ମୁଖ୍ୟରାସ୍ତା ବିଜୁବାବୁଙ୍କ ନାଁରେ ନାମିତ କରାଯିବ ବୋଲି କହିଥିଲେ ଭୁବନେଶ୍ୱର ସଭାରେ। ଭାରତମାତାର ଏହି ସୁଯୋଗ୍ୟ ଦାୟାଦଙ୍କୁ ‘ଭାରତ ରତ୍ନ’ରେ ସମ୍ମାନିତ କରିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓ ଅନ୍ୟନେତାମାନେ ସେତେବେଳେ ପ୍ରାୟତଃ ସମ୍ମତ ହୋଇଥିଲେ। କିନ୍ତୁ, ତାଙ୍କ ମୃତ୍ୟୁର ଅଠରବର୍ଷ ପରେ ବି ଜାତୀୟ ସ୍ତରରେ ତାଙ୍କ ଭଳି ଜଣେ ଅଦ୍ୱିତୀୟ ନେତାଙ୍କ ସ୍ମୃତି ପ୍ରତି ଯଥୋଚିତ ସମ୍ମାନ ପ୍ରଦର୍ଶନ କରା ନ ଯିବା ଆଶ୍ଚର୍ଯ୍ୟଜନକ ମନେ ହୁଏ। କାରଣ ବିଜୁବାବୁଙ୍କ ଅବଦାନର କାଣିଚାଏ ସ୍ପର୍ଶ କରି ନ ଥିବା ଅନେକ ନେତା ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପାଇସାରିଲେଣି। ଏହା ମଧ୍ୟ ଓଡ଼ିଶାର ରାଜନୈତିକ ନେତୃତ୍ୱର ଦୟନୀୟତାକୁ ପ୍ରତିପାଦିତ କରୁଛି। ବିଜୁଙ୍କ ମୃତ୍ୟୁପରେ ଦଳମତ ନିର୍ବିଶେଷରେ ଯେଉଁ ସର୍ବସମ୍ମତ ମନୋଭାବ ଦେଖିବାକୁ ମିଳିଥିଲା, ଏବେ ତା’ କେଉଁଠି?

ତେବେ, ବର୍ତ୍ତମାନର ଏନ୍.ଡି.ଏ. ସରକାର ବିଜୁ ପଟ୍ଟନାୟକଙ୍କୁ ‘ନ୍ୟାସନାଲ୍ ଆଇକନ୍’ ଘୋଷଣା କରି ଶତବାର୍ଷିକୀ ପାଳନ କରିବାକୁ ଯୋଜନା କରୁଥିବା ଖୁସିର କଥା ନିଶ୍ଚୟ। କିନ୍ତୁ ନିଃସନ୍ଦେହ ଯେ ‘ଭାରତ ରତ୍ନ’ ପାଇଁ ବିଜୁ ପଟ୍ଟନାୟକ ଅନ୍ୟତମ ଯୋଗ୍ୟତମ ବ୍ୟକ୍ତି।

One thought on “[ରାଷ୍ଟ୍ରରତ୍ନ: ବିଜୁବାବୁ]”

Leave a Reply

*