Blog

ବୁଲା ନିଶା

ବୁଲା ନିଶା

ବିଜୟାନନ୍ଦ ପଟ୍ଟନାୟକ

ଆମକୁ ଖରା ଛୁଟି ଭଳି ମାସ ମିଳେ। ବୁଲାବୁଲି କରିବା ପାଇଁ ଏହି ଛୁଟିଟା ଆମ ପକ୍ଷରେ ସବୁଠାରୁ ଉପଯୁକ୍ତ ସମୟ। ସୁତରାଂ କାଳ ବିଳମ୍ବ ନ କରି ଏହି ଛୁଟିରେ ଗୋଟାଏ ସାଇକେଲ୍‌ ଗସ୍ତ କରିବାକୁ ମନସ୍ଥ କଲୁ। ଅନେକଙ୍କୁ ଅନୁରୋଧ କରାଗଲା, କିନ୍ତୁ ମୋର ଜଣେ ସହପାଠୀ ଓ ଆଉ ଜଣେ ବନ୍ଧୁ ଛଡ଼ା ଅନ୍ୟ କେହି ରାଜି ହେଲେ ନାହିଁ। ଯଦିବା କେହି କେହି ମୁଣ୍ଡଟାକୁ ହଁ ଭାବରେ ଟୁଙ୍ଗାରିଲେ, ତା’ ପରଦିନ ଘରୁ ପଚାରିବା ପରେ ମୁଣ୍ଡଟା ଅନ୍ୟ ପ୍ରକାର ହଲିବାକୁ ଲାଗିଲା। କାରଣ ବୋଧହୁଏ ମୋର ବନ୍ଧୁବର୍ଗଙ୍କ ପିତାମାତା ବାଟଘାଟ ବାଘ, ଭାଲୁ ଓ ଡକାଏତଙ୍କର ଦୃଶ୍ୟ ମନଶ୍ଚକ୍ଷୁରେ ଦେଖିଥିବେ। ଏସବୁ ଉପରେ ଖରା ମାଡ଼ ତ ଅଛି।

ଏ ସମସ୍ତ ପ୍ରତି ହୃଦ୍‌ଘାତ ନ କରି ଆମେ ତିନି ଜଣ ସାଇକେଲରେ ପେଶାୱାର  ପର୍ଯ୍ୟନ୍ତ ଯିବାକୁ ସ୍ଥିର କଲୁ। ରାସ୍ତାଘାଟ କିଛି ଜଣାନଥାଏ, କେବଳ ସାମାନ୍ୟ ଟିକିଏ ଆଭାସ ପାଇଥିଲୁ। କନିକାର ଯୁବରାଜ ସାହେବ, ଅଧ୍ୟାପକ ପ୍ରାଣକୃଷ୍ଣ ପରିଜା ଓ ଅଧ୍ୟାପକ କୃପାନାଥ ମିଶ୍ର ଏ ବିଷୟରେ ଆମ୍ଭମାନଙ୍କୁ ଯଥେଷ୍ଟ ଉତ୍ସାହ ଦେଇଥିଲେ। ଆମ୍ଭେମାନେ କଟକ  ଆଥଲେଟିକ୍ ଆସୋସିଏସନକୁ କିଛି ଅର୍ଥ ସାହାଯ୍ୟ ମାଗିଥିଲୁ, କିନ୍ତୁ ସେମାନେ ବିଶେଷତଃ କେତେ ଜଣ ବିଶିଷ୍ଟ ସଭ୍ୟ ଏପରି ସାହାଯ୍ୟକୁ unnecessary expense ନାମରେ ଅଭିହିତ କରିବାରୁ ସେଠାରୁ କୌଣସି ସାହାଯ୍ୟ ପାଇଲୁ ନାହୁଁ।

ମଇ ପହିଲା। ଯଥା ସମୟରେ ମାଜିଷ୍ଟ୍ରେଟଙ୍କଠାରୁ ସାର୍ଟିଫିକେଟ୍ ପ୍ରଭୃତି ଘେନି ଓ ଅନ୍ୟାନ୍ୟ ସମସ୍ତ ପ୍ରକାର ଆୟୋଜନ କରି ମେ ପହିଲା ଦିନ ସକାଳେ ଜୋବ୍ରାଘାଟଠାରେ ଉପସ୍ଥିତ ହେଲୁ। ବିଦାୟ ଦେବା ପାଇଁ କେତୋଟି ବନ୍ଧୁ ଆସିଥିଲେ। ସେମାନଙ୍କ ସଙ୍ଗେ କିଛି କ୍ଷଣ କଥାବାର୍ତ୍ତା କରି ଚିଠିପତ୍ର ଲେଖିବାକୁ ପ୍ରତିଶ୍ରୁତି ଦେଇ ପଥରବନ୍ଧ ଉପରେ ସାଇକେଲ୍ ଧରି ଚାଲିବାକୁ ଲାଗିଲୁ। ବୋଝ ଲଦା ହୋଇଥିବାରୁ ସାଇକେଲ୍‌ଗୁଡ଼ିକ ବହୁତ ଭାରି ହୋଇଯାଇଥାଏ। କିଛି କ୍ଷଣ ଚାଲିବା ପରେ ନଈ ଆରପାଖରେ ପହଞ୍ଚିଲୁ। ସେଠାରୁ ଥରେ କଟକ ପ୍ରତି ସତୃଷ୍ଣ ନୟନରେ ଅନାଇ ଡୋଲିପୁର (ଯାଜପୁର ରୋଡ୍) ଅଭିମୁଖେ ଯାତ୍ରା କଲୁ।

କଟକରୁ ଡୋଲିପୁର ମଧ୍ୟରେ ଚାରୋଟି ନଈ ପଡେ। ଯଥା ମହାନଦୀ, ବିରୁପା, ବ୍ରାହ୍ମଣୀ ଏବଂ ଖରସୁଆ।

ମହାନଦୀ ପାର୍ ହୋଇ ତିନି ମାଇଲ୍ ଯିବା ପରେ ଡଙ୍ଗାରେ ବିରୁପା ନଦୀକୁ ସାଇକେଲ୍ ସହ ପାର୍ ହେଲୁ। ସେଠି ଜଗନ୍ନାଥ ସଡ଼କ ଧରି ୩୦ ମାଇଲ୍ ଯିବା ପରେ ଧର୍ମଶାଳା ନାମକ ଗୋଟିଏ ଗାଁ ପଡ଼ିଲା। ଏହି ଗାଁଟି ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ। ନଦୀକୂଳରେ ପହଞ୍ଚି ଦେଖିଲା ବେଳକୁ ବିନ୍ଦୁ ମାତ୍ର ପାଣି ନାହିଁ, ଖାଲି ବାଲି ପଡ଼ିଛି। ଅନନ୍ୟୋ ଉପାୟ ହୋଇ—-

(କ୍ରମଶଃ)

ଜଣେ ଇଞ୍ଜିନିୟରଙ୍କ ସଙ୍ଗେ କଥାବାର୍ତ୍ତା କରି ଜାଣିପାରିଲୁ ଯେ, ଏହି ପୋଲ ନିର୍ମାଣରେ ସାଢ଼େ ଚାରି କୋଟି ଟଙ୍କା ଲାଗିଥିଲା। ସେଠାରୁ ଗଙ୍ଗା, ଯମୁନା, ସଙ୍ଗମ ଦେଖିବାକୁ ବାହାରିଲୁ। ସଙ୍ଗମ ସ୍ଥାନଟି ବେଶ୍ ସ୍ପଷ୍ଟ ଭାବରେ ଜଣାଗଲା। କାରଣ ଗଙ୍ଗାର ସ୍ୱଚ୍ଛ ନୀଳ ଜଳ ଓ ଯମୁନାର ଅପେକ୍ଷାକୃତ କୃଷ୍ଣବର୍ଣ୍ଣ ଜଳ ଏକାଠି ମିଶି ଗୋଟିଏ ରେଖାର ଉତ୍ପତ୍ତି ହୋଇଛି। ପାପରୁ ତରିବାକୁ ଇଚ୍ଛୁକ ବହୁ ନରନାରୀ ଏହି ସଙ୍ଗମଠାରେ ସ୍ନାନ କରୁଥିଲେ। ସେମାନଙ୍କର ଓଁ ଙ୍କାର ଧ୍ୱନୀରେ ଚାରିଦିଗ ମୁଖରିତ ହୋଇଉଠୁଥିଲା। ଏହିପରି ଆହୁରି କେତେକ ସୁନ୍ଦର ଦୃଶ୍ୟ ଦେଖି ଫେରିଆସିଲୁ। ସେଠୁ ଖସୁରୁବାଗ୍‌ ଦେଖିବାକୁ ବାହାରିଲୁ। ଏହି ବାଗ୍‌ଟିରେ ସମ୍ରାଟ ଖସୁରୁଙ୍କର କବର ଅଛି। ଗୋଟିଏ ବିସ୍ତୃତ ବଗିଚା ମଝିରେ ଏହି କବରଟି ଅବସ୍ଥିତ। ଚାରିଆଡେ ଅତ୍ୟୁଚ୍ଚ ପାଚେରିରେ ଘୋରା ହୋଇଛି। ଗୋଟିକରେ ଖସୁରୁଙ୍କର ମାତା, ଅନ୍ୟଟିରେ ତାଙ୍କର ସ୍ତ୍ରୀ ଓ ଶେଷଟିରେ ନିଜର ଓ ଦୁଇ ପୁଅଙ୍କର କବର ଥିବାର ଦେଖାଗଲା। ଖସୁରୁଙ୍କ କବରଟିରେ ଗୋଟିଏ ସୁଡ଼ଙ୍ଗ ଦେଖିଲୁ। ସ୍ଥାନୀୟ ଗୋଟିଏ ଅତି ବୃଦ୍ଧ ପଥପ୍ରଦର୍ଶକ କହିଲା ଯେ, ଏହି ସୁଡଙ୍ଗଟି ଲକ୍ଷ୍ନୌ, ଆଗ୍ରା, ଦିଲ୍ଲୀ, ଲାହୋର ଓ କାଶ୍ମୀର ପର୍ଯ୍ୟନ୍ତ ବିସ୍ତୃତ। ସେ ଆହୁରି ମଧ୍ୟ କହିଲା ଯେ, ଏହି ସୁଡଙ୍ଗ ଭିତରେ ଚାରୋଟି ଅଶ୍ୱାରୋହିଙ୍କର ଏକାଠି ଯିବା ଭଳି ପ୍ରଶସ୍ତ ରାସ୍ତା ଅଛି। କିନ୍ତୁ ରାସ୍ତା ଅତ୍ୟନ୍ତ ଗୋଳମାଳିଆ। ତାହାର ସୂତ୍ର ଜାଣି ନଥିବା ଲୋକ ଏହା ଭିତରେ ଥରେ ପଶିଲେ ବାହାରି ଆସିବା ଅସମ୍ଭବ। ଏହି କିମ୍ବଦନ୍ତୀର ସତ୍ୟତା ପ୍ରମାଣ କରିବାକୁ କେତେ ଜଣ ୟୁରୋପିଆନ୍ ଖାଦ୍ୟ ପାନୀୟ ନେଇ ସୁଡଙ୍ଗ ଭିତରେ ପ୍ରବେଶ କରିଥିଲେ। କିନ୍ତୁ ଆଉ ବାହାରି ଆସିପାରିଲେ ନାହିଁ।  ତାଙ୍କୁ ଖୋଜିବା ପାଇଁ ଆଉ ଦଳେ ଗଲେ। ସେମାନେ ମଧ୍ୟ ତା’ ଭିତରେ ରହିଗଲେ। ତା’ ପରେ ଗଭର୍ଣ୍ଣମେଣ୍ଟ୍ ଏହି ସୁଡ଼ଙ୍ଗ ସମ୍ମୁଖରେ ଗୋଟିଏ ପାଚେରି ତୋଳାଇ ଦେଇଅଛନ୍ତି ଓ ଯିବାର ରାସ୍ତା ବନ୍ଦ ବୋଲି ଲେଖି ଗୋଟିଏ ପ୍ଲାକାର୍ଡ ଲଗାଇ ଦେଇଛନ୍ତି। ଏହିପରି ସୁଡ଼ଙ୍ଗ ଯେତେ ସ୍ଥାନରେ ଥିଲା, ସବୁ ଗଭର୍ଣ୍ଣମେଣ୍ଟଙ୍କ ଦ୍ୱାରା ବନ୍ଦ ହୋଇଯାଇଅଛି।

ଏତେ କଥା ଶୁଣିବା ପରେ କେହି ସାହସୀ ଓଡ଼ିଆ ଏହି ସୁଡ଼ଙ୍ଗ ସମୂହ ଆବିଷ୍କାର କରିବାକୁ ଚେଷ୍ଟା କରିବେ କି?

(କ୍ରମଶଃ)

ବୁଲା ନିଶା

ମେ ୧୪ ତାରିଖ। ରାତି ବାରଟା ବେଳେ ଏଲାହାବାଦରୁ କାନପୁର ଉଦ୍ଦେଶ୍ୟରେ ଯାତ୍ରା କଲୁ। ଦିନର ଭୀଷଣ ଗରମ ସକାଶେ ଆମକୁ ବାଧ୍ୟ ହୋଇ ରାତିରେ ସାଇକେଲ୍ ଚଳାଇବାକୁ ପଡ଼ିଲା। ଅନ୍ଧାରରେ କିଛି ଦିଶୁନଥାଏ। ମୋର ବନ୍ଧୁଙ୍କର ସାଇକେଲ ହଠାତ୍ ଗୋଟାଏ ପଥର ଉପରେ ଗଡି ଯିବାରୁ ଚକଟି ଫାଟିଗଲା। ସେତେବେଳକୁ ରାତି ୨ଟା। ଚାରିଆଡ ନିର୍ଜନ। ଟର୍ଚ୍ଚ କାଢ଼ି ସାଇକେଲ ମରାମତି କରି ପୁଣି ବାହାରିଲୁ। ଅବଶେଷରେ ସକାଳ ହୋଇଗଲା। କିଛିକ୍ଷଣ ପରେ ଫତେପୁର ନାମକ ଗୋଟିଏ ସ୍ଥାନରେ ପହଞ୍ଚିଲୁ ଓ ସେଠାରେ ଡିଷ୍ଟ୍ରିକ୍ଟବୋର୍ଡ ଡାକବଙ୍ଗଳାରେ ଆଶ୍ରୟ ନେଲୁ।

ମେ ୧୫ ତାରିଖ। ରାତିରୁ ବାହାରି ନିର୍ବିଘ୍ନରେ ସକାଳ ୯ଟା ବେଳେ କାନପୁରରେ ପହଞ୍ଚିଲୁ। କାନପୁର ସହରଟା କେବଳ ମିଲ୍, ଫ୍ୟାକ୍ଟ୍ରି ପ୍ରଭୃତିରେ ପୂର୍ଣ୍ଣ। ଏଠାରେ Agricultural Collageଟି ଅତ୍ୟନ୍ତ ସୁନ୍ଦର। ଏଠି ଗୋଟିଏ ବଗିଚା ଦେଖିଲୁ। ଏହି ବଗିଚାରେ ସିପାହୀ-ବିଦ୍ରୋହ ସମୟରେ ବିଦ୍ରୋହୀମାନଙ୍କୁ ଗଛରେ ଲଟ୍‌କାଇ ଫାଶି ଦିଆହେଉଥିଲା। ଏଠି ଗୋଟିଏ କୂଅ ଅଛି। ବିଦ୍ରୋହୀ ଦଳର ନେତା ନାନାସାହେବ ୟୁରୋପୀୟ ବନ୍ଦୀମାନଙ୍କୁ ହତ୍ୟା କରି ମୃତ ଦେହଗୁଡ଼ିକ ଏହି କୂଅରେ ପକାଇଥିଲେ। ଏହି ବଗିଚାରେ ପ୍ରବେଶ କରିବାକୁ ହେଲେ ଜଣେ ସାହେବ ଅଫିସରଙ୍କ ଅନୁମତି ନେବାକୁ ହୁଏ।

ମଇ ୧୬ ତାରିଖ। କାନପୁରରୁ ଲକ୍ଷ୍ନୌ ଅଳ୍ପ ଦୂର- ୪୭ମାଇଲ୍। ସକାଳୁ ବାହାରି ପ୍ରାୟ ୧୦ଟା ବେଳକୁ ଲକ୍ଷ୍ନୌରେ ପହଞ୍ଚିଲୁ ଓ ସେଠି ଆମର ଜଣେ ବନ୍ଧୁଙ୍କ ଘରେ ରହିଲୁ। ଲକ୍ଷ୍ନୌ ସହରଟି ଅତ୍ୟନ୍ତ ସୁନ୍ଦର। ସବୁଠି କେବଳ ବଗିଚା। ଏଠାରେ ସ୍ଥାନଗୁଡ଼ିକ କିଛି ଗୋଟାଏ ବାଗ୍, ଅର୍ଥାତ୍ ବଗିଚା। ଲକ୍ଷ୍ନୌ  ପୁରାତନ ନବାବମାନଙ୍କର ଗୋଟିଏ ପ୍ରସିଦ୍ଧ ରାଜଧାନୀ ଥିଲା। ସେମାନଙ୍କର ନବାବୀର ଚିହ୍ନ ଆଜି ପର୍ଯ୍ୟନ୍ତ ଅକ୍ଷୂର୍ଣ୍ଣ ରହିଛି ଓ ତାହାର ପରିଚୟ ଏହିଠାରୁ ଆରମ୍ଭ ହେଲା। ନବାବ ଅସଫ୍ ଉଦ୍ଦୌଲ୍ଲାଙ୍କର ବିରାଟ ପ୍ରାସାଦ ଗୋମତି ନଦୀ କୂଳରେ ଅବସ୍ଥିତ। ଆଜିକାଲି ତାହା ସୌଖିନ୍ ସାହାବମାନଙ୍କର କ୍ଲବ୍‌ରେ ପରିଣତ ହୋଇଛି। ନବାବ୍ ଓ ବେଗମ୍ମହଲ ବୁଲି ବୁଲି ଦେଖିଲୁ। ଜଣେ ନବାବକୁ ୬୦୦ ବେଗମ୍। ସୁତରାଂ ନବାବୀଟା ଯେ କିପରି ମାତ୍ରାରେ ଚାଲୁଥିଲା ତାହା ସାଧାରଣତଃ ପକ୍ଷରେ ବୁଝିବା ସହଜ ନୁହେଁ। ଲକ୍ଷ୍ନୌ ୟୁନିଭର୍ସିଟିର ଅଧିକାଂଶ ଏହି ନବାବମାନଙ୍କ ନିର୍ମିତ ଅଟ୍ଟାଳିକା ନେଇ ଗଠିତ। ଏହି ୟୁନିଭର୍ସିଟି ମଧ୍ୟରେ ଗୋଟିଏ ପ୍ରକାଣ୍ଡ ଗାଧୋଇବା ସ୍ଥାନ ଅଛି। ନବାବମାନେ ଏହାକୁ ନିର୍ମାଣ କରିଥିଲେ। ଏହି କୁଣ୍ଡଟି ଦୈର୍ଘ୍ୟରେ ୧୫୦ ଫୁଟ୍, ପ୍ରସ୍ଥରେ ୩୦ ଫୁଟ୍ ଓ ଗଭୀରତା ୫ ଫୁଟ୍‌। ସ୍ଥାନେ ସ୍ଥାନେ ପ୍ରସ୍ରବଣର ମୁଖ ଦେଖିଲୁ। କଥିତ ଅଛି ଯେ ଏହି ମୁଖ ବାଟେ ଗୋଲାପ ପାଣି ବାହାରି କୁଣ୍ଡଟି ଭର୍ତ୍ତି ହୋଇଗଲେ ୬୦୦ ବେଗମ୍‌…

(କ୍ରମଶଃ)

ଜୁନ୍  ୪ ତାରିଖ। ନିର୍ବିଘ୍ନରେ ରାତିଟା କଟିକଲା ଓ ଦିନ ପ୍ରାୟ ୧୦ଟା ବେଳକୁ ପେଶାୱାର ସହରରେ ପହଞ୍ଚିଲୁ। ଗୋଟିଏ ପୋଷ୍ଟ ଅଫିସକୁ ଚିଠି ପକାଇବାକୁ ଯାଇ ସେଠାର ପୋଷ୍ଟ ମାଷ୍ଟରଙ୍କ ସାଙ୍ଗେ ପରିଚିତ ହେଲୁ ଓ ଆମ୍ଭମାନଙ୍କୁ ତାଙ୍କ ସାଙ୍ଗରେ ରହିବାକୁ ସେ କହିଲେ। ଆମେ ରାତିରେ ଆସିଛୁ ଶୁଣି ସେ ଅତ୍ୟନ୍ତ ଆଶ୍ଚର୍ଯ୍ୟବୋଧ କଲେ, କହିଲେ ଆମର କପାଳ ଭଲ ବୋଲି ପ୍ରାଣରେ ବଞ୍ଚିଆସିଛୁ। ପାଖରେ ଆଫ୍ରିଦିମାନେ ଚଳନ୍ତା ଟ୍ରେନ୍ ଅଟକାଇ ଲୁଟ୍ କରନ୍ତି। ଆମେ ଏଠି ଖାଇବର ପାସ୍‌ ଦେଖିବାକୁ ଇଛା କରିଥିଲୁ, କିନ୍ତୁ ପୁଲିସଙ୍କ କୃପାରୁ ହୋଇପାରିଲା ନାହିଁ। ସୁତରାଂ ପେଶାୱାର କ୍ୟାଣ୍ଟନମେଣ୍ଟକୁ ଯାଇ ସେଠାର ସୈନ୍ୟ ଦଳର ରହିବା ସ୍ଥାନପ୍ରଭୃତି ଦେଖିଲୁ ଓ ତା’ ପରଦିନ ସକାଳେ ଟ୍ରେନ୍‌ରେ ଚଢ଼ି ଗୃହ ଆଡକୁ ପ୍ରତ୍ୟାବର୍ତ୍ତନ କଲୁ। ଟ୍ରେନ୍‌ରେ ପେଶାୱାରରୁ କଟକ ତିନି ଦିନର ରାସ୍ତା।

Leave a Reply

*