Blog

ବିଜୁ ପଟ୍ଟନାୟକ ଓ ଓଡ଼ିଶା ବାନ୍ଧ ଶାଢ଼ି

ବାଲିଲୋକ ଚୋର, ଏକଥା ବିଜୁବାବୁଙ୍କ ମୋଟେ ପସନ୍ଦ ହେଲାନି। ଅଫିସର ମହାଶୟ ହୁଏତ ସରକାରୀ ଦପ୍ତରର ଫାଇଲ୍‌ର ସଂକୋଚନ ଭିତରେ ବୁଡ଼ି ରହିଥିଲେ। ବିଜୁବାବୁଙ୍କ ଭଳି ଜଣେ ଉତ୍ତୁଙ୍ଗ ଓଡ଼ିଆର ସ୍ୱପ୍ନ-ସାକାର ମୁହୂର୍ତ୍ତର ଆନନ୍ଦ ଓ ଅଭିମାନକୁ କଳନା କରିପାରି ନ ଥିଲେ। ବିଜୁବାବୁ ସିଂହପରି ଗର୍ଜି ଉଠିଲେ, ‘yes wanted that’ ବାଲିର ଲୋକେ ମୋ ଓଡ଼ିଶା ବାନ୍ଧଶାଢ଼ିର ପ୍ରେମରେ ପଡ଼ି ଯଦି ଚୋରି କଲେ ତା’ଠାରୁ ବଳି ଗୌରବର କଥା କିଛି ହୋଇନପାରେ। ଯିଏ ଏସବୁ ଶାଢ଼ି ଆଣି ଏଠି ଡିସ୍‌ପ୍ଲେ କରିଥିଲା ତାକୁ ମୁଁ congratulate କରିବାକୁ ଚାହେଁ।

ଦିନନାଥ ପାଠୀ

ବାଲିଦ୍ୱୀପରେ ବିଜୁ ପଟ୍ଟନାୟକଙ୍କ ପରିକଳ୍ପିତ କଳିଙ୍ଗ ବାଲିଯାତ୍ରା ବେଳର କଥା। ଏବକୁ ବାଇଶି, ତେଇଶି ବର୍ଷ ତଳର ଘଟଣା ହେଲାଣି। ମୁଁ ଏହି ଆନ୍ତର୍ଜାତୀୟ କଳିଙ୍ଗ ବାଲିଯାତ୍ରାର ମୁଖ୍ୟ ବିନ୍ଧାଣୀ ଭିଜୁଆଲାଇଜର୍ ଥିଲି। ବାଲିର ବେନୁଆ ବନ୍ଦରରେ କଳିଙ୍ଗର ସାଧବପୁଅମାନଙ୍କୁ ଅଭ୍ୟର୍ଥନା ଜଣେଇବା ପାଇଁ ଭବ୍ୟ ଆୟୋଜନ କରାଯାଇଥାଏ। ପିପିଲି ଚାନ୍ଦୁଆ, ଛତି, ତରାସର ସଜାରେ ବନ୍ଦର ଉଛୁଳି ଉଠୁଥିଲା। ଓଡ଼ିଶୀ ନୃତ୍ୟାଙ୍ଗନାମାନେ ସାଧବପୁଅଙ୍କୁ ବନ୍ଦାପନା କରିସାରିଲା ପରେ ସେମାନେ ରାଜରାସ୍ତା ଦେଇ ଉତ୍ସବ ମଣ୍ଡପ ପାଖକୁ ପଟୁଆରରେ ଆସିବେ। ସେମାନଙ୍କ ଯାତ୍ରାକୁ ମଧୁମୟ କରିବା ପାଇଁ ବାଜାବାଲା, ଶଙ୍ଖୁଆ, ମହୁରିଆ, କାହାକଥା ସଙ୍ଗଦେବେ। ରାସ୍ତା ଦୁଇକଡ଼େ ମୁଁ ଓଡ଼ିଶୀ ବାନ୍ଧଶାଢ଼ି ଟଙ୍ଗେଇ ଦେଇଥିଲି। ସେହି ଶାଢ଼ିଗୁଡ଼ିକରେ ଓଡ଼ିଶାର ମନ୍ଦିର ଗାତ୍ରରେ ଶୋଭା ପାଉଥିବା ବିଭିନ୍ନ ଚିତ୍ର ସ୍ଥାନ ପାଇଥିଲା। ଏହି ଚିତ୍ରଗୁଡ଼ିକୁ ଭୁବନେଶ୍ୱର କଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମୋ ତତ୍ତ୍ୱାବଧାନରେ ଚିତ୍ରଣ କରିଥିଲେ।

ରାଜରାସ୍ତାର ଦୁଇଧାରରେ ଶାଢ଼ିଗୁଡ଼ିକୁ ଝୁଲେଇ ଦେଲା ପରେ ଦାଣ୍ଡ ଝଲସି ଉଠିଲା। ବାଲିର ଶାଢ଼ି ଶୈଳ୍ପକତା ଦୃଷ୍ଟିରୁ ଓଡ଼ିଶାର ଶାଢ଼ି ଅପେକ୍ଷା କୌଣସି ଗୁଣରେ କମ୍ ନ ଥିଲେ ମଧ୍ୟ ଓଡ଼ିଶୀ ଶାଢ଼ିର ଉଜ୍ଜ୍ୱଳ ବର୍ଣ୍ଣର ମାଦକତା ଓ ସେଥିରେ ଅଙ୍କିତ ଚିତ୍ରଗୁଡ଼ିକର ସୌନ୍ଦର୍ଯ୍ୟରେ ବାଲି ଅଧିବାସୀ ଭେଳିକି ଯାଇଥିଲେ। ଆମେ ଉତ୍ସବର ଆଗଦିନ ସାରାରାତି ପରିଶ୍ରମ କରି ଚିତ୍ରିତ ଶାଢ଼ି ସବୁ ସଜେଇ ଦେଇଥିଲୁ। ତା’ ପରଦିନ ଉତ୍ସବ।

ବିଜୁ ପଟ୍ଟନାୟକ ବେନୁଆ ବନ୍ଦରରେ ସାଧବମାନଙ୍କୁ ସମ୍ବର୍ଦ୍ଧନା ଜଣାଇଲେ। ବିଶିଷ୍ଟ ନୃତ୍ୟଙ୍ଗନା କୁଙ୍କୁମ ମହାନ୍ତିଙ୍କ ପରିଚାଳନାରେ ସାଧବାଣୀମାନେ ବାଲି ରାସ୍ତାରେ ନାଚି ନାଚି ଚଲାପଥକୁ ପୁଷ୍ପିତ କରି ପଟୁଆରରେ ଆସୁଥିଲେ। କଳିଙ୍ଗ କାଣ୍ଡାରି ବିଜୁ ପଟ୍ଟନାୟକ ବୀର ଦର୍ପରେ ପଟୁଆରକୁ ନେତୃତ୍ୱ ଦେଉଥାନ୍ତି। ଆମେ ସବୁ ତାଙ୍କ ପଛେ ପଛେ ଚାଲୁଥାଉ। ସେଦିନର, ସେ ବେଳାର ଆନନ୍ଦମୟ ମୁହୂର୍ତ୍ତ ଅବର୍ଣ୍ଣନୀୟ। କେତେ ଶହ ବର୍ଷ ତଳର ଅଭିବ୍ୟକ୍ତିଟିଏ, ଐତିହାସିକ ଘଟଣାଟିଏ ରୂପାୟିତ ହେଇଯାଉଥାଏ।

ଏଭଳି ଏକ ଉତ୍‌ଫୁଲ୍ଲିତ ବେଳାକୁ ଚିତ୍ରିତ ଓଡ଼ିଶା ବାନ୍ଧଶାଢ଼ିଗୁଡ଼ିକ ଉଚ୍ଚାଟିତ କରୁଥାନ୍ତି। ଶାଗଖିଆକୁ ପେଜଖିଆ ସହ୍ୟ ନ କରି ପାରିଲା ଭଳି ଜଣେ ଉଚ୍ଚ ପଦସ୍ଥ ଅଫିସର୍ ମୋତେ ଅହନ୍ତା କରି ବିଜୁବାବୁଙ୍କ ମନରେ ବିଷ ଭରି ଦେବା ପାଇଁ ଅଭିଯୋଗ କଲେ। କହିଲେ ଦିନନାଥ ପାଠୀ ସରକାରଙ୍କ ଲକ୍ଷାଧିକ ଟଙ୍କାର ଶାଢ଼ିକୁ ଏଭଳି ବଜାର ରାସ୍ତାରେ ଟଙ୍ଗାଇବା ଫଳରେ ବାଲିର କିଛି ଲୋକ ସେଥିରୁ ଅଧିକାଂଶ ରାତାରାତି ଚୋରି କରି ନେଇଯାଇଛନ୍ତି। ବାଲିଲୋକ ଚୋର, ଏକଥା ବିଜୁବାବୁଙ୍କ ମୋଟେ ପସନ୍ଦ ହେଲାନି। ଅଫିସର ମହାଶୟ ହୁଏତ ସରକାରୀ ଦପ୍ତରର ଫାଇଲ୍‌ର ସଂକୋଚନ ଭିତରେ ବୁଡ଼ି ରହିଥିଲେ। ବିଜୁବାବୁଙ୍କ ଭଳି ଜଣେ ଉତ୍ତୁଙ୍ଗ ଓଡ଼ିଆର ସ୍ୱପ୍ନ-ସାକାର ମୁହୂର୍ତ୍ତର ଆନନ୍ଦ ଓ ଅଭିମାନକୁ କଳନା କରିପାରି ନ ଥିଲେ। ବିଜୁବାବୁ ସିଂହପରି ଗର୍ଜି ଉଠିଲେ, ‘yes wanted that’ ବାଲିର ଲୋକେ ମୋ ଓଡ଼ିଶା ବାନ୍ଧଶାଢ଼ିର ପ୍ରେମରେ ପଡ଼ି ଯଦି ଚୋରି କଲେ ତା’ଠାରୁ ବଳି ଗୌରବର କଥା କିଛି ହୋଇନପାରେ। ଯିଏ ଏସବୁ ଶାଢ଼ି ଆଣି ଏଠି ଡିସ୍‌ପ୍ଲେ କରିଥିଲା ତାକୁ ମୁଁ congratulate କରିବାକୁ ଚାହେଁ। ବିଜୁବାବୁଙ୍କ ରସିକାତ୍ମକ ଦମ୍ଭୋକ୍ତି ଶୁଣି ସମ୍ପୃକ୍ତ ଅଫିସରଙ୍କ ପିଳେହି ପାଣି ହୋଇଗଲା।

ଅଫିସରଙ୍କ ସହ ମୋର ମତାନ୍ତରର କାରଣ ହେଲା ସେଠାରେ ଅନୁଷ୍ଠିତ ଓଡ଼ିଶା ପ୍ରଦର୍ଶନୀର ସାଜସଜ୍ଜା ଓ ବ୍ୟବସ୍ଥାକୁ ନେଇ। ମୁଁ ଯେହେତୁ ସମଗ୍ର ଉତ୍ସବର ଭିଜୁଆଲାଇଜର୍ ଥିଲି। ଫାଇଲ୍‌ରେ ଅନ୍ୟ କାହାର ଅନୁମତି ନେବା ମୋର ଆବଶ୍ୟକତା ନ ଥିଲା ଏବଂ ଶିଳ୍ପ ସଜ୍ଜିକରଣ ମାମଲାରେ ମୋର ନିଷ୍ପତ୍ତି ହିଁ ଥିଲା ଶେଷ କଥା। ଅଫିସର ଜଣକ ଚାହିଁଥିଲେ ଯେ ଓଡ଼ିଶା ହସ୍ତଶିଳ୍ପ ଓ ହସ୍ତତନ୍ତ ଶାଢ଼ିର ବିପଣି ପ୍ରଦର୍ଶନୀର ପ୍ରବେଶ ଦ୍ୱାରରେ ରହିବ। ମୁଁ ବ୍ୟବସ୍ଥା କରିଥିଲି ଯେ ପ୍ରଦର୍ଶନୀର ଆରମ୍ଭରେ ଦର୍ଶକ ଓଡ଼ିଶାର ପ୍ରାକୃତିକ ଓ ସାଂସ୍କୃତିକ ବୈଭବର ସାମଗ୍ରିକ ରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କଲା ପରେ ପ୍ରଦର୍ଶନୀ ଗୃହରୁ ଫେରିଲା ବାଟରେ ହସ୍ତଶିଳ୍ପ ସାମଗ୍ରୀ କିଣି ଘରକୁ ଯିବେ। ସଚରାଚର ଏଭଳି ହିଁ ବ୍ୟବସ୍ଥା ହୋଇଥାଏ। ହସ୍ତଶିଳ୍ପ ଓ ଶାଢ଼ିର ଗଣ୍ଠିଲି ନେଇ ପ୍ରଦର୍ଶନୀ ପରିକ୍ରମା ସୁବିଧାଜନକ ନୁହେଁ।

ଅନ୍ୟ ଦିନର ଘଟଣା।

ବିଜୁ ପଟ୍ଟନାୟକ ଓବରାଇ ବାଲି ହୋଟେଲରେ ରହୁଥାନ୍ତି। କିଛି ଶିଳ୍ପୀଙ୍କ ପାଇଁ ମଧ୍ୟ ଏହି ହୋଟେଲରେ ରହିବା ବନ୍ଦୋବସ୍ତ ହୋଇଥାଏ। ପ୍ରତ୍ନତତ୍ତ୍ୱ ବିଭାଗର କ୍ୟୁରେଟର ଡକ୍ଟର ବିଜୟ କୁମାର ରଥ ଓ ମୁଁ ଏଇ ହୋଟେଲରେ ରହିଥାଉ। ଏଠାକାର ବଗିଚାରେ ଥିବା ମଣ୍ଡପରେ ବାଲିର ରାଜ୍ୟପାଳଙ୍କୁ ବିଜୁ ପଟ୍ଟନାୟକ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ଥାଏ। ସକାଳୁ ସକାଳୁ ବିଜୟ ରଥଙ୍କୁ ସାଙ୍ଗରେ ନେଇ ମୁଁ ଏହି ମଣ୍ଡପକୁ ସଜେଇବା କାମରେ ଲାଗିଥାଏ। ସନ୍ଧ୍ୟାବେଳେ ବିଜୁବାବୁ ଯେଉଁ ପୋଡ଼ିୟମରୁ ଭାଷଣ ଦେବେ, ସେଇଟିକୁ ଆମେ ବମକେଇ ବାନ୍ଧ ଶାଢ଼ି ଦ୍ୱାରା ମଣ୍ଡଣି କରୁଥାଉ। ବିଜୁବାବୁ ସକାଳ ପହରୁ ମଣ୍ଡପ ସାମ୍ନା ରାସ୍ତାଦେଇ ପ୍ରାତଃ ଭ୍ରମଣରେ ବାହାରିଥାନ୍ତି। ବମକେଇ ଶାଢ଼ିର ଉଜ୍ଜ୍ୱଳ ବର୍ଣ୍ଣ ତାଙ୍କୁ ଆକର୍ଷିତ କଲା। ସେ ହାତଠାରି ଆମ ଦୁହିଁଙ୍କୁ ଡାକିଲେ, ପ୍ରଶ୍ନ କଲେ- “ତମେ ଦି’ଜଣ କିଏ, ଏଠି କ’ଣ କରୁଛ, ଏହି ଶାଢ଼ି କେଉଁଠୁ ଆଣିଛ?”

ଆମେ ଖୁବ୍ ଉତ୍ସାହିତ ହେଇ ବିଜୁବାବୁଙ୍କୁ ଗଡ଼ଗଡ଼ ସବୁକଥା କହିଗଲୁ। ଅଲଗା କରି ଗୋଟିଏ ଶାଢ଼ି ତାଙ୍କ ପାଇଁ ରଖିବାକୁ ସେ ପରାମର୍ଶ ଦେଲେ। ତା’ପରେ କିଛି ଗୋଟିଏ ଲେଖିବା ପାଇଁ ସେ ଆମକୁ କାଗଜ ଖଣ୍ଡିଏ ମାଗିଲେ। ତାଙ୍କୁ ଦେଲାଭଳି ଆମ ପାଖରେ କାଗଜ ନ ଥିଲା। ଡିଜାଇନ୍ କରାଯାଇଥିବା କାଗଜରୁ ଖଣ୍ଡେ ତାଙ୍କ ହାତକୁ ବଢ଼େଇ ଦେଲୁ। ସେଥିରେ ସେ ଆମ ଦୁଇ ଜଣଙ୍କ ନାଁ ଲିପିବଦ୍ଧ କରି ସୁପାରିଶ କଲାଭଳି” ଦୁଇଧାଡ଼ି ଲେଖି ନିଜ ସନ୍ତକ କରିଦେଲେ। ସେଥିରେ ଲେଖାଥିଲା, “ଏହି ଦୁଇଜଣ ଓଡ଼ିଶା ସରକାରଙ୍କ ଅଫିସର ଚମତ୍କାର କାମ କରୁଛନ୍ତି। ତା’ର ନଜିର ମୁଁ ଆଜି ଦେଖିବାକୁ ପାଇଲି। ସେମାନଙ୍କୁ ଉଚ୍ଚ ପାହ୍ୟାକୁ ପ୍ରମୋସନ୍ ଦିଆଯାଉ। ଆମ ହତାକୁ ଲେଖା କାଗଜ ଖଣ୍ଡିକ ଫେରସ୍ତ ଆସିଲା ପରେ ଆମେ ଉଲ୍ଲସିତ ହୋଇଗଲୁ।

ଆମର ସ୍ୱପ୍ନ ଦେଖା ଆରମ୍ଭ ହୋଇଗଲା। ଆମ ଭାଗ୍ୟର ଉଦୟ ହେଲା ବୋଲି ଆମେ ଧରି ନେଲୁ। ଆମେ ବେଶୀ ବେଶୀ ପ୍ରଶଂସା କଲୁ ବମକେଇ ଶାଢ଼ିର ଉଜ୍ଜ୍ୱଳ ବର୍ଣ୍ଣ ଓ ଚମତ୍କାର ଡିଜାଇନ୍‌କୁ। ଆମେ ଏତେ କରି ପାଷାଣ ଯେ ବାଲିରୁ ଫେରି ସେହି ଲେଖା ଖଣ୍ଡିକ ଆମ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କ ହାତକୁ ବଢ଼େଇ ଦେଇ ତାଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କଲୁ। ନିର୍ଦ୍ଦେଶକ ମହୋଦୟ ଆମକୁ ପ୍ରତିଶ୍ରୁତି ଦେଇ କହିଲେ ଆମର ପ୍ରମୋସନ୍ ହୋଇଯିବ। କିନ୍ତୁ ତାଙ୍କ ପ୍ରତିଶ୍ରୁତି କଥାରେ ହିଁ ରହିଲା। ଆମେ ଉଭୟେ ଏବେ ରାଜ୍ୟ ସରକାରଙ୍କ ଚାକିରିରୁ ଅବସର ନେଇ ସାରିଲୁଣି। ସବୁଠାରୁ ବିଡ଼ମ୍ବିତ ବିଷୟ ଯେ ଆମେ ସେହି କାଗଜର ନକଲ ଆମ ପାଖରେ ରଖିବା ଭୁଲିଯାଇଛୁ। ପାଠକଙ୍କ ଧାରଣା ହେବ ମୁଁ ଗୋଟିଏ ମନଗଢ଼ା ଗପର ଅବତାରଣା କରୁଛି। ଆମେ ଶୁଣିବାକୁ ପାଇଲୁ ଆମଠାରୁ ନେଇଥିବା ବମକେଇ ଶାଢ଼ିଟିକୁ ବିଜୁବାବୁ ଜାକର୍ତ୍ତାଠାରେ ଇଣ୍ଡୋନେସିଆର ପ୍ରେସିଡେଣ୍ଟଙ୍କ ପତ୍ନୀଙ୍କୁ ଉପହାର ଦେଇଥିଲେ।

Leave a Reply

*