Blog

ବିଜୁ ଆଜି ଯାହା ଚିନ୍ତା କରନ୍ତି, ଭାରତ ଚିନ୍ତା କରେ କେଇ ଦଶନ୍ଧି ପରେ

ବିଜୁ ପଟ୍ଟନାୟକ ତାଙ୍କ ଜୀବଦ୍ଦଶା କାଳରେ ଦେଶ ଓ ପ୍ରଦେଶର ବିକାଶ ପାଇଁ ଯେଉଁ ସବୁ ଅର୍ଥନୈତିକ ତତ୍ତ୍ୱ କଥା କହୁଥିଲେ ଓ ନିଜେ କେତେକାଂଶରେ କାର୍ଯ୍ୟକାରୀ କରୁଥିଲେ ସେତେବେଳେ ସେହି ତତ୍ତ୍ୱକୁ ଅଧିକାଂଶ ଗ୍ରହଣ ନ କରୁଥିବା ବେଳେ ପରବର୍ତ୍ତୀ ସମୟରେ ସେହିସବୁ ତତ୍ତ୍ୱର ମୂଳ ଭିତ୍ତିକୁ ଆଧାର କରି ଦେଶର ବିକାଶ ପାଇଁ ପଦକ୍ଷେପ ନିଆଯାଇଛି।

ନଟବର ଖୁଣ୍ଟିଆ

ପୂର୍ବେ ବଙ୍ଗବାସୀମାନେ କହୁଥିଲେ “What Bengal thinks today, India thinks tomorrow.” ଅର୍ଥାତ୍ ବଙ୍ଗବାସୀ ଆଜି ଯାହା ଚିନ୍ତା କରନ୍ତି, ଭାରତବାସୀ ତାହା ଚିନ୍ତା କରନ୍ତି ଆସନ୍ତା କାଲି। ଏହାର ତାତ୍ପର୍ଯ୍ୟ ହେଲା ବଙ୍ଗବାସୀମାନେ ବୌଦ୍ଧିକ ବିଚାର ଦୃଷ୍ଟିରୁ ଦେଶର ଅନ୍ୟ ରାଜ୍ୟର ଅଧିବାସୀଙ୍କଠାରୁ ଆଗୁଆ। ଅବଶ୍ୟ ସେହି ବୌଦ୍ଧିକ ବିଚାର ଦୃଷ୍ଟିରୁ ଆଜି ବି ବଙ୍ଗବାସୀମାନେ ଅନ୍ୟାନ୍ୟ ପ୍ରଦେଶବାସୀଙ୍କଠାରୁ ଆଗୁଆ କି ନାହିଁ ତାହା ଆଲୋଚନା ସାପେକ୍ଷ। କିନ୍ତୁ ବିଜୁ ପଟ୍ଟନାୟକଙ୍କ ଚିନ୍ତାଧାରା ଓ ଦୂରଦୃଷ୍ଟିକୁ ବିଚାର କଲେ ଆମେ କହି ପାରିବା “What Biju thinks today, India thinks decades after.” ଏହାର ଅର୍ଥ ବିଜୁ ପଟ୍ଟନାୟକ ତାଙ୍କ ଜୀବଦ୍ଦଶା କାଳରେ ଦେଶ ଓ ପ୍ରଦେଶର ବିକାଶ ପାଇଁ ଯେଉଁ ସବୁ ଅର୍ଥନୈତିକ ତତ୍ତ୍ୱ କଥା କହୁଥିଲେ ଓ ନିଜେ କେତେକାଂଶରେ କାର୍ଯ୍ୟକାରୀ କରୁଥିଲେ ସେତେବେଳେ ସେହି ତତ୍ତ୍ୱକୁ ଅଧିକାଂଶ ଗ୍ରହଣ ନ କରୁଥିବା ବେଳେ ପରବର୍ତ୍ତୀ ସମୟରେ ସେହିସବୁ ତତ୍ତ୍ୱର ମୂଳ ଭିତ୍ତିକୁ ଆଧାର କରି ଦେଶର ବିକାଶ ପାଇଁ ପଦକ୍ଷେପ ନିଆଯାଇଛି। ଏବେ ଆସନ୍ତୁ ବିଜୁ ତାଙ୍କ ଜୀବଦ୍ଦଶାରେ ଯେଉଁସବୁ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ଅବା ଯେଉଁସବୁ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ସେସବୁ କିପରି ସୁଦୂରପ୍ରସାରୀ ଥିଲା, ତାହାର ସମ୍ୟକ ଆଲୋଚନା କରିବା।

ବିଜୁ ପଟ୍ଟନାୟକ ସ୍ଥାପନ କଲେ କଳିଙ୍ଗ ଫାଉଣ୍ଡେସନ୍ ଟ୍ରଷ୍ଟ ୧୯୫୧ ମସିହାରେ। ସେତେବେଳେ ତାଙ୍କୁ ମାତ୍ର ୩୫ ବର୍ଷ। ଆଜିକାଲି ତ ସରକାରୀ ଚାକିରିରେ ପ୍ରଥମେ ପଶିବାକୁ ସର୍ବୋଚ୍ଚ ବୟସସୀମା ୩୫ ବର୍ଷକୁ ବୃଦ୍ଧି କରାଗଲାଣି। ଏତେ ଛୋଟ ବୟସରେ ବିଜୁ ପଟ୍ଟନାୟକ ବଡ଼ ବଡ଼ କଥା ଚିନ୍ତା କରି ନିଶ୍ଚିତ ଭାବରେ ଏକ ବ୍ୟତିକ୍ରମ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଟ୍ରଷ୍ଟ ଜରିଆରେ ସେ ସ୍ଥାପନ କଲେ ଆନ୍ତର୍ଜାତୀୟ କଳିଙ୍ଗ ପୁରସ୍କାର। ମିଳିତ ଜାତିସଂଘର ପ୍ରମୁଖ ଶାଖା “United Nations Education, Scientific and Cultural Organisation (UNESCO)ଏହି ପୁରସ୍କାରର ପରିଚାଳନା କଲା ଆଉ UNESCOମାଧ୍ୟମରେ କଳିଙ୍ଗ ପୁରସ୍କାର ୧୯୫୨ ମସିହାରୁ ଦିଆଯିବା ଆରମ୍ଭ ହେଲା। ଏହି ପୁରସ୍କାର ଦିଆଯାଏ ଏପରି ଜ୍ଞାନୀଗୁଣୀ ବ୍ୟକ୍ତିଙ୍କୁ ଯେ ଲେଖକ ହୋଇଥିବେ, ଅଧ୍ୟାପକ ହୋଇଥିବେ, ଗବେଷକ ହୋଇଥିବେ। ଗଣମାଧ୍ୟମର ସମ୍ପାଦକ ହୋଇଥିବେ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଅବା ନିର୍ମାତା ହୋଇଥିବେ, ବେତାର ଅବା ଟେଲିଭିଜନ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଅବା ଉପସ୍ଥାପକ ହୋଇ ସାଧାରଣ ଲୋକଙ୍କ ମାଧ୍ୟମରେ ବିଜ୍ଞାନକୁ ଲୋକପ୍ରିୟ କରାଇ ପାରିଥିବେ। ସେମାନେ ବୈଜ୍ଞାନିକ ଚିନ୍ତାଧାରାକୁ ଲୋକଙ୍କ ପାଖରେ ଏପରି ଭାବରେ ପହଞ୍ଚାଇ ଥିବେ ଯେ, ତାହା ସମାଜର ମଙ୍ଗଳ ସାଧନ କରିବା ପାଇଁ ପ୍ରଚୋଦିତ କରୁଥିବ ଅବା ମଣିଷର ଦୈନନ୍ଦିନ ସମସ୍ୟାର ବିଜ୍ଞାନ ଭିତ୍ତିକ ସମାଧାନ ପାଇଁ ପଥପ୍ରଦର୍ଶକ ହୋଇଥିବ। ଏହା ଫଳରେ ଗୋଟିଏ ଜାତିର ସାଂସ୍କୃତିକ ଓ ପରମ୍ପରା ସମୃଦ୍ଧ ହେବ। କଞ୍ଚା ବୟସରୁ ସେ ଅନୁଭବ କରି ପାରିଥିଲେ ଯେ, ବିଜ୍ଞାନ ସମ୍ମତ ପଦ୍ଧତି ପ୍ରୟୋଗ ବିନା ମଣିଷ ସମାଜର ବିକାଶ ସମ୍ଭବ ନୁହେଁ ନା ଆଗକୁ ମଣିଷ ସମାଜ ପାଇଁ ମାଡ଼ି ଆସୁଥିବା ସମସ୍ୟାର ସମାଧାନର ଅନ୍ୟପନ୍ଥା ନାହିଁ। ତେଣୁ ମଣିଷ ସମାଜ ମଧ୍ୟରେ ବିଜ୍ଞାନ ସମ୍ମତ ମନୋଭାବ ସୃଷ୍ଟି କରିବା ପାଇଁ କଳିଙ୍ଗ ପୁରସ୍କାର ସ୍ଥାପନର ଚିନ୍ତା କଲେ ସେ।

୧୯୫୨ ମସିହାରୁ ୨୦୧୫ ମସିହା ପର୍ଯ୍ୟନ୍ତ ୨୩ଟି ଦେଶର ୬୭ ଜଣ ଏହି ପୁରସ୍କାର ପାଇ ସାରିଲେଣି। ସେହି ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରେ ବରଟାଣ୍ଡ ରସେଲଙ୍କ ଠାରୁ ଆରମ୍ଭ କରି କେତେ ଜଣ ନୋବେଲ ପୁରସ୍କାରପ୍ରାପ୍ତ ବ୍ୟକ୍ତି ଅଛନ୍ତି। ଭାରତବର୍ଷରୁ କଳିଙ୍ଗ ପୁରସ୍କାର ଏ ପର୍ଯ୍ୟନ୍ତ ୮ ଜଣ ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଓଡ଼ିଶାର ଅଛନ୍ତି ତିନି ଜଣ। ସେମାନେ ହେଲେ ଗୋକୁଳାନନ୍ଦ ମହାପାତ୍ର, ବସନ୍ତ କୁମାର ବେହୁରିଆ ଓ ତ୍ରିଲୋଚନ ପ୍ରଧାନ। ଏମାନେ ବିଜ୍ଞାନ ଲେଖକ।

ବଡ଼ ଆନନ୍ଦ ଓ ଗର୍ବର କଥା କଳିଙ୍ଗ ପୁରସ୍କାର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ UNESCO ୨୦୦୧ ମସିହାରେ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନେଇ ଏକ ଅଣୁତାରାପୁଞ୍ଜର ନାମକରଣ କରିଛନ୍ତି ‘କଳିଙ୍ଗ’ ନାମରେ। ଏହାଠାରୁ ବଳି କଳିଙ୍ଗବାସୀଙ୍କ ପାଇଁ ଗୌରବର କଥା କ’ଣ ଥାଇପାରେ। ଚନ୍ଦ୍ରାଲୋକ ଥିବା ପର୍ଯ୍ୟନ୍ତ କଳିଙ୍ଗର ନାମ ରୋଷଣ ହେଉଥିବ। ଏହା ବିଜୁ ପଟ୍ଟନାୟକଙ୍କର ଅବଦାନ। ଏହା ଓଡ଼ିଶା ପାଇଁ କେବଳ ଗର୍ବର କଥା ନୁହେଁ ସାରା ଭାରତବର୍ଷ ପାଇଁ ଗର୍ବର କଥା।

କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଯେଉଁ ସବୁ ସମସ୍ୟା – ଖାଦ୍ୟ, ବାସଗୃହ, ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ ଦିନକୁ ଦିନ ବୃଦ୍ଧି ପାଉଛି ସେସବୁ ସମସ୍ୟାର ସମାଧାନ ବିଜ୍ଞାନ ସମ୍ମତ ପଦ୍ଧତିରେ ନ ହେଲେ ମଣିଷ ସମାଜ ଦାରିଦ୍ର୍ୟ ମଧ୍ୟରେ ଡୁବିଯିବ। ଆଜି କାରିଗରୀ କୌଶଳ ପ୍ରୟୋଗରେ ସେସବୁ ସମସ୍ୟାର ସମାଧାନ ପାଇଁ ଅନବରତ ଗବେଷଣା ଚାଲିଛି। ସୁତରାଂ ବିଜ୍ଞାନର ଆବଶ୍ୟକତା ଆଜି କେତେ ଜରୁରୀ ତାହା ସହଜରେ ଅନୁମାନ କରାଯାଇପାରେ। ଭାରତରେ ଯେଉଁ ଦାରିଦ୍ର୍ୟ ଓ ବେକାରୀ ଦେଖାଯାଇଛି ତାହାକୁ ବିଜ୍ଞାନର ଜ୍ଞାନ କୌଶଳ ହିଁ ସମାଧାନ କରି ପାରିବ ବୋଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ଫେବୃଆରୀ ୭ ତାରିଖରେ ଭୁବନେଶ୍ୱର ନିକଟସ୍ଥ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର୍)ର ନୂତନ ପରିସର ଉଦ୍‍ଘାଟନ ଉତ୍ସବରେ କହିଲେ। ସେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ, “ଆମ ଯୁବ ବିଜ୍ଞାନୀମାନେ ନୂଆ ଗବେଷଣାରେ ମନଧ୍ୟାନ ଦିଅନ୍ତୁ, ନୂଆ ଉଦ୍ଭାବନ କରନ୍ତୁ। ସମସ୍ତ ବିଜ୍ଞାନୀଙ୍କ ଭାଗ୍ୟରେ ନୋବେଲ ପୁରସ୍କାର ନ ଥାଏ, ମାତ୍ର ଯଦି ଗୋଟିଏ ନୂଆ ଉଦ୍ଭାବନ ସାଧାରଣ ଗରିବ ଲୋକର ଜୀବନରେ ପରିବର୍ତ୍ତନ ଆଣିଲା ତାହା ନୋବେଲ ପୁରସ୍କାରଠାରୁ ଢେର ଗୁଣରେ ବଡ଼ ପୁରସ୍କାର। ଆମ ଛାତ୍ରଛାତ୍ରୀମାନେ ନିଷ୍ଠା ଓ ଇଚ୍ଛାଶକ୍ତି ବଳରେ ଏମିତି ନୂଆ ଉଦ୍ଭାବନ ଓ ଆବିଷ୍କାର କରନ୍ତୁ, ଯାହା ଫଳରେ କୋଟି କୋଟି ଗରିବଙ୍କ ଭାଗ୍ୟ ବଦଳାଇବାରେ ସହାୟକ ହେବ।”

ବିଜ୍ଞାନର ଆବଶ୍ୟକତା କେତେ ଆଜି ଅନୁଭବ ହେଉଥିବା ବେଳେ ୧୯୫୧ ମସିହାରେ ବିଜୁ ପଟ୍ଟନାୟକ ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ ଯେଉଁ ଆନ୍ତର୍ଜାତିକ କଳିଙ୍ଗ ପୁରସ୍କାର ସ୍ଥାପନ କରିଛନ୍ତି ତାହା ତାଙ୍କର ଦୂରଦୃଷ୍ଟିର ବଳିଷ୍ଠ ପ୍ରମାଣ।

ଦେଶ ବା ରାଜ୍ୟରୁ ଦାରିଦ୍ର୍ୟ, ବେକାରୀ ଦୂର କରିବାକୁ ହେଲେ ତୃଣମୂଳ ସ୍ତରରୁ ଯୋଜନା ହୋଇ ଗ୍ରାମ ଓ କୃଷି ଭିତ୍ତିକ ଶିଳ୍ପର ପ୍ରସାର ନ ହେଲେ ଦେଶ ବା ରାଜ୍ୟରୁ ବେକାରୀ ଓ ଦାରିଦ୍ର୍ୟ ହଟିବ ନାହିଁ ବୋଲି ବିଜୁ ୧୯୬୧ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପରେ ଅନୁଭବ କରି ପଞ୍ଚାୟତ ଶିଳ୍ପ ପ୍ରତିଷ୍ଠା ମାଧ୍ୟମରେ ରାଜ୍ୟରୁ ବେକାରୀ ଓ ଦାରିଦ୍ର୍ୟ ଦୂର କରିବାକୁ ଉଦ୍ୟମ କରିଥିଲେ। ତାଙ୍କରି ନେତୃତ୍ୱରେ ପଞ୍ଚାୟତ ଶିଳ୍ପ ଯୋଜନା ଅଭିନବ ଉପାୟରେ କାର୍ଯ୍ୟକାରୀ ହୋଇଥିଲା। ପଞ୍ଚାୟତ ଶିଳ୍ପ ପାଇଁ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ପାଇଁ ଅନେକ ପୁରସ୍କାର ଘୋଷଣା କରାଯାଇଥିଲା। ପରସ୍ପର ମଧ୍ୟରେ ପ୍ରତିଯୋଗିତା କରାଇ ପଞ୍ଚାୟତ ଶିଳ୍ପ ଯୋଜନାକୁ ସଫଳ କରିବା ପାଇଁ ଉଦ୍ୟମ ହୋଇଥିଲା। ଯେଉଁ ପଞ୍ଚାୟତ ଓ ପଞ୍ଚାୟତ ସମିତିଗୁଡ଼ିକ ଉନ୍ନୟନ କାମରେ ଉତ୍କୃଷ୍ଟ ବିବେଚିତ ହେଉଥିଲେ ସେମାନେ ପୁରସ୍କୃତ ହୋଇ ସେହି ପୁରସ୍କାର ଅର୍ଥରେ ସମ୍ପୃକ୍ତ ପଞ୍ଚାୟତରେ ନୂତନ ଶିଳ୍ପ ପ୍ରତିଷ୍ଠା ହେଉଥିଲା। ଏହି ପୁରସ୍କାର ରାଶି ୨୫ ହଜାର ଟଙ୍କାରୁ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିଲା। ସେତେବେଳେକାର ବଜାରରେ ଏକ ଲକ୍ଷ ଟଙ୍କା କ୍ଷୁଦ୍ର ଶିଳ୍ପ ସ୍ଥାପନ ପାଇଁ କିଛି କମ୍ ନ ଥିଲା। ଅଗ୍ନି ନିରୋଧକ ଗୃହ ନିର୍ମାଣ ପାଇଁ ଟାଇଲ ଛପର ଘର କରିବାକୁ ଲୋକମାନଙ୍କୁ ପ୍ରବର୍ତ୍ତା ଯାଉଥିଲା ଓ ଅନେକ ପଞ୍ଚାୟତରେ ଟାଇଲ ଶିଳ୍ପ ପ୍ରତିଷ୍ଠା କରାଯାଇଥିଲା। ଆଜିର ଇନ୍ଦିରା ଆବାସ ପକ୍କା ଘର ଯୋଜନାର ବହୁ ପୂର୍ବରୁ ଟାଇଲ ଛପର ଘର ପାଇଁ ବିଜୁବାବୁ ଆହ୍ୱାନ ଦେଇଥିଲେ। ଏହି କ୍ଷୁଦ୍ର ଓ କୂଟୀର ଶିଳ୍ପ କଥା ବିଜୁ ପଟ୍ଟନାୟକ ୧୯୬୦ ଦଶକ ଆରମ୍ଭରେ କହୁଥିବା ବେଳେ ୧୯୭୭ ନିର୍ବାଚନ ପରେ ଯେତେବେଳେ ଜନତା ପାର୍ଟି କ୍ଷମତାକୁ ଆସିଲା ସେତେବେଳେ ଯାଇ ଜର୍ଜ ଫର୍ଣ୍ଣାଣ୍ଡିଜ୍ ଶିଳ୍ପ ମନ୍ତ୍ରୀ ହେବା ପରେ କ୍ଷୁଦ୍ର ଓ କୂଟୀର ଶିଳ୍ପ ପ୍ରତି ଅଗ୍ରାଧିକାର ଦେଇଥିଲେ। ଯୋଜନା ତଳସ୍ତରର ଆରମ୍ଭ କଥା ବିଜୁ ପଟ୍ଟନାୟକ ୧୯୬୦ ଦଶକରେ କହୁଥିଲେ। ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଯୋଜନା ଆୟୋଗକୁ ଭାଙ୍ଗି ଯେଉଁ ନୀତି ଆୟୋଗ ଆଜି କରିଛନ୍ତି, ଯୋଜନା ସବୁ ପଞ୍ଚାୟତ ସ୍ତରରୁ ହୋଇ ଉପର ତଳକୁ ଲଦି ଦିଆ ନଯାଉ। ଏହି କଥା ବିଜୁ ପଟ୍ଟନାୟକ ବହୁ ପୂର୍ବରୁ କହୁଥିଲେ। ଆଜି କ୍ଷୁଦ୍ର ଶିଳ୍ପ ପାଇଁ ଭାରତ ସରକାର ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଦେଇଛନ୍ତି, ମୁଦ୍ରା ବ୍ୟାଙ୍କ ଜରିଆରେ କ୍ଷୁଦ୍ର ଶିଳ୍ପ ପାଇଁ ସାହାଯ୍ୟର ହାତ ବଢ଼ା ଯାଉଛି। ୧୯୬୦ ଦଶକରେ ବିଜୁ ପଟ୍ଟନାୟକ ପଞ୍ଚାୟତ ଶିକ୍ଷା ଜରିଆରେ ଏହାର ପରୀକ୍ଷା କରି ସାରିଥିଲେ। ଏହା ପ୍ରମାଣ କରୁଛି ବିଜୁ ପଟ୍ଟନାୟକଙ୍କର ଦୂରଦୃଷ୍ଟି କଥା।

କେବଳ ସରକାରୀ ଅର୍ଥ ବିନିଯୋଗ କରିଲେ ବିକାଶ ସମ୍ଭବ ହେବ ନାହିଁ। ସରକାରୀ ଆଦବକାଇଦାର ନାଲିଫିତା ମଧ୍ୟରେ ବିକାଶ ତ୍ୱରାନ୍ୱିତ ହେବ ନାହିଁ ବୋଲି ବିଜୁବାବୁ ମୁଖ୍ୟମନ୍ତ୍ରୀ ହେବା ଦିନଠାରୁ ଚିନ୍ତା କରିଥିଲେ। ସରକାରୀ ସାହାଯ୍ୟ ବାହାରୁ ଅର୍ଥ ସଂଗ୍ରହ କରି ଶିଳ୍ପ ବାଣିଜ୍ୟର ପ୍ରସାର ପାଇଁ ବିଜୁବାବୁ ୧୯୬୧ରେ ମୁଖ୍ୟମନ୍ତ୍ରୀ ହେବା ପରେ ବିଭିନ୍ନ ପଦକ୍ଷେପ ନେଇଥିଲେ। ଆଜି ସରକାରୀ ଓ ଘରୋଇ ସହଭାଗିତାରେ ଶିଳ୍ପ ବାଣିଜ୍ୟ ପ୍ରସାର ପାଇଁ ଗୁରୁତ୍ୱ ଦିଆଯାଉଛି। ବିଜୁବାବୁ ମୁଖ୍ୟମନ୍ତ୍ରୀ ହେବା ପରେ ଅଣଟିକସ ସୂତ୍ରରୁ ସମ୍ବଳ ସଂଗ୍ରହ କରି ଶିଳ୍ପ ବାଣିଜ୍ୟକୁ ବ୍ୟବସାୟିକ ଭିତ୍ତିରେ ଚଳାଇବାକୁ ନିଷ୍ପତ୍ତି ନେଇ ସ୍ଥାପନ କଲେ ଶିଳ୍ପ ଉନ୍ନୟନ ନିଗମ, ଜଙ୍ଗଲ ନିଗମ, ଖଣି ନିଗମ, ନିର୍ମାଣ ନିଗମ ଆଦି ବହୁ ନିଗମ। ଏହି ନିଗମ ଗଠନ କରି ବ୍ୟବସାୟ ଭିତ୍ତିରେ ଶିଳ୍ପ ବାଣିଜ୍ୟ ଚଳାଇବା ନିଷ୍ପତ୍ତି ନେବା ପରେ ଓଡ଼ିଶାର କେତେକ ରାଜନେତା ଅଭିଯୋଗ କରି ସମାଲୋଚନା କଲେ ଯେ, ବିଜୁ ପଟ୍ଟନାୟକଙ୍କ ପରି ଶିଳ୍ପପତି ଓ ବ୍ୟବସାୟୀ ମୁଖ୍ୟମନ୍ତ୍ରୀ ହେବା ପରେ ସରକାରୀ ନିଗମ ମାଧ୍ୟମରେ ବେପାର ଆରମ୍ଭ କଲେଣି। କିନ୍ତୁ ଏହି ନିଗମ ବ୍ୟବସ୍ଥା ଆଜି ସର୍ବତ୍ର ଦେଶରେ ଆଦୃତି ହୋଇ ପ୍ରଚଳନ ହେଉଛି।

ଦେଶ ସ୍ୱାଧୀନ ହେବା ପରେ ଗଣତାନ୍ତ୍ରିକ ସମାଜବାଦ ନୀତିକୁ ଆପଣେଇଲା। ଏହି ନୀତିର ମୂଳମନ୍ତ୍ର ହେଲା ସରକାରୀ କ୍ଷେତ୍ର ପ୍ରତି ପ୍ରୋତ୍ସାହନ ଦେବା ଆଉ ଘରୋଇ କ୍ଷେତ୍ରରେ ପୁଞ୍ଜି ନିବେଶକୁ ଅଗ୍ରାଧିକାର ନ ଦେବା। ଦେଶର ଅଧିକାଂଶ ଶିଳ୍ପ ବାଣିଜ୍ୟ ସରକାରୀ କ୍ଷେତ୍ରରେ ପ୍ରତିଷ୍ଠିତ ହେବ ଘରୋଇ କ୍ଷେତ୍ରରେ ଖୁବ୍ ସୀମିତ ଶିଳ୍ପ ବାଣିଜ୍ୟ ପ୍ରତିଷ୍ଠା କରାଯିବା କିନ୍ତୁ ସରକାରଙ୍କ ଟିକସ ଓ ଅଣ ଟିକସ ଆୟ ସୀମିତ ଥିବାରୁ ଦେଶରେ ଥିବା ବିଭିନ୍ନ ପ୍ରକାର ସମ୍ପଦର ପୂର୍ଣ୍ଣ ଉପଯୋଗ ହୋଇପାରିଲା ନାହିଁ। ଯେଉଁ ସୀମିତ ସମ୍ବଳ ସରକାରଙ୍କ ପାଖରେ ଥାଏ ତାହା ମୁଖ୍ୟତଃ ବଡ଼ ବଡ଼ ରାଜ୍ୟରେ ବ୍ୟୟ ହେବା ପରେ ଛୋଟ ଛୋଟ ରାଜ୍ୟର ଭାଗ୍ୟରେ ଅତି ସ୍ୱଳ୍ପ ଭାଗ ପଡ଼େ। ଓଡ଼ିଶା ପରି ଏକ କ୍ଷୁଦ୍ର ରାଜ୍ୟରେ କେନ୍ଦ୍ର ସରକାର ଅଧିକ ପୁଞ୍ଜି ବିନିଯୋଗ କରି ପାରନ୍ତି ନାହିଁ, ତେଣୁ ଓଡ଼ିଶାର ପ୍ରାକୃତିକ ସମ୍ପଦର ଉପଯୋଗ ନ ହେବାରୁ ରାଜ୍ୟରୁ ବେକାରୀ ଓ ଦାରିଦ୍ର୍ୟ ହଟିଲା ନାହିଁ। ଏହି ସ୍ଥିତିରେ ବିଜୁ ପଟ୍ଟନାୟକ ବରାବର କହି ଆସୁଥିଲେ ତାଙ୍କୁ ଅନୁମତି ଦିଆଯାଉ ବିଦେଶରୁ ପୁଞ୍ଜି ସଂଗ୍ରହ କରି ଓଡ଼ିଶାରେ ଥିବା ଅପର୍ଯ୍ୟାପ୍ତ ପ୍ରାକୃତିକ ସମ୍ପଦର ବିନିଯୋଗରେ ଶିଳ୍ପ ପ୍ରତିଷ୍ଠା କରି ଓଡ଼ିଶାକୁ ବେକାରୀ ଓ ଦାରିଦ୍ର୍ୟରୁ ମୁକ୍ତ କରିବେ। ସେତେବେଳେ ତାଙ୍କ କଥାକୁ କେହି କର୍ଣ୍ଣପାତ କରୁ ନ ଥିଲେ ଏବଂ କେହି କେହି ହସରେ ଉଡ଼ାଇ ଦେଉଥିଲେ। ୧୯୮୦ ଦଶକ ମଧ୍ୟ ଭାଗରୁ ପୁଞ୍ଜିବାଦକୁ ଆପଣେଇଥିବା ଦେଶ କଥା ଛାଡ଼ନ୍ତୁ ସମାଜବାଦ ଓ ସାମ୍ୟବାଦ ଅର୍ଥନୀତିକୁ ଆପଣେଇ ଥିବା ବିଶ୍ୱର ଅଧିକାଂଶ ଦେଶ ବଜାର ଅର୍ଥନୀତିକୁ କୋଳେଇଲେ। ଦେଶ ବିଦେଶରୁ ଘରୋଇ ପୁଞ୍ଜି ବିନିଯୋଗରେ ଶିଳ୍ପ ବାଣିଜ୍ୟର ସଂପ୍ରସାରଣ ପାଇଁ ଅର୍ଥନୀତିର ଆବଶ୍ୟକ ପରିବର୍ତ୍ତନ ଆଣିଲେ। ଚୀନ ପରି ଏକ କଠୋରପନ୍ଥୀ ସାମ୍ୟବାଦୀ ରାଷ୍ଟ୍ର ତା’ର ସାମ୍ୟବାଦୀ ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଆଣି ସାମ୍ୟବାଦୀ ବଜାର ଅର୍ଥନୀତି ନାମରେ ବସ୍ତୁତଃ ବଜାର ଅର୍ଥନୀତିକୁ ଗ୍ରହଣ କରି ନିଜ ରାଷ୍ଟ୍ରର ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କଲା। ଶେଷରେ ଭାରତ ମଧ୍ୟ ଏଥିରୁ ବାଦ୍ ପଡ଼ିଲା ନାହିଁ। ଭାରତ ମଧ୍ୟ ତା’ର ସରକାରୀ କ୍ଷେତ୍ର ଅର୍ଥନୀତି ପ୍ରତି ପୂର୍ବଭଳି ଗୁରୁତ୍ୱ ନ ଦେଇ ଘରୋଇ ପୁଞ୍ଜି ବିନିଯୋଗରେ ଶିଳ୍ପ ବାଣିଜ୍ୟ ପ୍ରତିଷ୍ଠା ପାଇଁ ଅର୍ଥନୈତିକ ସଂସ୍କାର ନାମରେ ବଜାର ଅର୍ଥନୀତିକୁ ଗ୍ରହଣ କଲା। ଏହି ନୂତନ ନୀତି ଫଳରେ ଦେଶ ମଧ୍ୟରୁ ଓ ଦେଶ ବାହାରୁ ପୁଞ୍ଜିପତିମାନେ ଭାରତର ପୁଞ୍ଜି ନିବେଶ କରିବାକୁ ଆଗଭର ହେଲା। ଏହି ସଂସ୍କାର ଅଣାଗଲା ୧୯୯୧ ମସିହାରେ ଯେତେବେଳେ ପି.ଭି. ନରସିଂହରାଓ ଭାରତର ପ୍ରଧାନମନ୍ତ୍ରୀ ହେଲେ ଆଉ ଏହି ସଂସ୍କାରକୁ ତ୍ୱରାନ୍ୱିତ କରିବା ପାଇଁ ବିଶିଷ୍ଟ ଅର୍ଥନୀତି ବିଶାରଦ ଡକ୍ଟର ମନମୋହନ ସିଂହଙ୍କୁ ଅର୍ଥମନ୍ତ୍ରୀ କଲେ। ଅବଶ୍ୟ ପ୍ରଥମେ ପ୍ରଥମେ ବଜାର ଅର୍ଥନୀତିକୁ କେତେକ ରାଜନୈତିକ ଦଳ, ଅର୍ଥନୀତିଜ୍ଞ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, କର୍ମଚାରୀ ଓ ଶ୍ରମିକ ସଂଘ ବିରୋଧ କଲେ। ସଂସ୍କାର ପ୍ରକ୍ରିୟା ଧିମେଇ ଧିମେଇ ଚାଲିଲା। କିନ୍ତୁ ଧୀରେ ଧୀରେ ଏହି ପ୍ରତିବାଦ ପ୍ରଶମିତ ହେଲା ଏକବିଂଶ ଶତାବ୍ଦୀ ଆରମ୍ଭ ବେଳକୁ ବଜାର ଅର୍ଥନୀତି ତା’ର ଚେର ମଜଭୁତ କରିଲା ଦେଶରେ। ଦେଶ ଭିତରୁ ଓ ଦେଶ ବାହାରୁ ଘରୋଇ ପୁଞ୍ଜିପତିମାନେ ପୁଞ୍ଜି ନିବେଶ କରି ଭାରତର ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କରିବାକୁ ଆଗଭର ହେଲେ। ୨୦୧୪ ମସିହାରେ ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ଏହି ପ୍ରକ୍ରିୟାକୁ ବହୁଗୁଣିତ କରି ବିଦେଶୀ ପୁଞ୍ଜି ନିବେଶକକୁ ତ୍ୱରାନ୍ୱିତ କରିବାକୁ ବିଶ୍ୱସାରା ଭ୍ରମଣ କରି ବିଭିନ୍ନ ଦେଶର ପ୍ରତିପତିମାନଙ୍କୁ ଭାରତରେ ନିବେଶ କରିବାକୁ ଆହ୍ୱାନ କରୁଛନ୍ତି। ସେ ମେକ୍-ଇନ୍-ଇଣ୍ଡିଆ ସ୍ଲୋଗାନକୁ ଲୋକପ୍ରିୟ କରାଇ ଭାରତରେ କୃଷି, ଶିଳ୍ପ, ବାଣିଜ୍ୟ, ବ୍ୟବସାୟର ପ୍ରସାର ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଓଡ଼ିଶାର ପୁଞ୍ଜି ନିବେଶ ପାଇଁ ମଧ୍ୟ ବହୁ ଘରୋଇ ଓ ବିଦେଶ କମ୍ପାନୀ ଆଗଭର ହୋଇଆସିଛନ୍ତି। ଏହିପରି ଏକ ଅନୁକୂଳ ପୁଞ୍ଜି ନିବେଶ ବାତାବରଣ ଦେଶରେ ସୃଷ୍ଟି ହୋଇଥିବା ବେଳେ ଆମ ଓଡ଼ିଶାର ଦୁର୍ଭାଗ୍ୟ ଯେ ବିଜୁ ପଟ୍ଟନାୟକ ଆଜି ନାହାନ୍ତି। ସେ ଯଦି ଆଜି ବଂଚି ଥାଆନ୍ତେ ଓ ଆମ ଓଡ଼ିଶାର ଶାସନ ମୁଖ୍ୟ ହୋଇଥାଆନ୍ତେ ତାଙ୍କ ସ୍ୱପ୍ନକୁ ସାର୍ଥକ କରିବାକୁ ଯାଇ ଘରୋଇ ପୁଞ୍ଜି ନିବେଶରେ ଓଡ଼ିଶାର କୃଷି, ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ସମର୍ଥ ହୋଇଥାଆନ୍ତେ। ତାଙ୍କର କାର୍ଯ୍ୟଶୈଳୀ ଥିଲା ନିଆରା। ସେ ପାରମ୍ପରିକ ନାଲିଫିତାର ଶାସନକୁ ଘୃଣା କରୁଥିଲେ। ପୁଞ୍ଜି ନିବେଶ କ୍ଷେତ୍ରରେ ସୃଷ୍ଟି ହେଉଥିବା ସମସ୍ୟାକୁ ସେ ଅତି ଚତୁରତାର ଓ ଦକ୍ଷତାର ସହ ସମାଧାନ କରି ପୁଞ୍ଜିପତିମାନଙ୍କୁ ଆକୃଷ୍ଟ କରିପାରିଥାଆନ୍ତେ। ଜନସାଧାରଣଙ୍କର ତାଙ୍କ ଉପରେ ଥିଲା ଅଖଣ୍ଡ ବିଶ୍ୱାସ। ସେ ସାଧାରଣ ଜନତାଙ୍କ ପାଖକୁ ଯାଇ ଶିଳ୍ପାୟନ ଯୋଗୁଁ ସେମାନଙ୍କ ପାଇଁ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନର ବାଟ ଫିଟାଇଥାଆନ୍ତେ। ଓଡ଼ିଶା ପୁଞ୍ଜି ନିବେଶ କ୍ଷେତ୍ରରେ ସବୁଠାରୁ ଅଗ୍ରଣୀ ରାଜ୍ୟ ହୋଇପାରିଥାନ୍ତା ଆଉ ଏକବିଂଶ ଶତାବ୍ଦୀ ହୋଇପାରିଥାଆନ୍ତା ଓଡ଼ିଶାର ଶତାବ୍ଦୀ। ଓଡ଼ିଶାରୁ ଦାରିଦ୍ର୍ୟ ହଟି ଥାଆନ୍ତା।

ଉପରୋକ୍ତ ଆଲୋଚନାରୁ ଏହା ଦିବାଲୋକ ପରି ସୁସ୍ପଷ୍ଟ ଯେ, ବିଜୁ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଥିଲା ସୁଦୂରପ୍ରସାରୀ। ସେ ସେତେବେଳେ ଯାହା ଚିନ୍ତା କରୁଥିଲେ ତାକୁ ଅନ୍ୟମାନେ ବୁଝି ପାରୁ ନ ଥିବା ବେଳେ ଆଜି କେତେ ଦଶନ୍ଧି ପରେ ତାହା ବୁଝି ବିଜୁଙ୍କ ଚିନ୍ତାଧାରାକୁ କାର୍ଯ୍ୟକାରୀ କରି ଦେଶର ପ୍ରଗତିକୁ ତ୍ୱରାନ୍ୱିତ କରିବାକୁ ଉଦ୍ୟମ କରୁଛନ୍ତି।

ଏ-୫୦୨, ତୋଷାଳୀ ଆପାର୍ଟମେଣ୍ଟ, ସତ୍ୟନଗର, ଭୁବନେଶ୍ୱର-୭

ମୋ: ୯୯୩୭୯୫୧୨୬୨

Leave a Reply

*