Blog

ବିଜୁବାବୁ ଥିଲେ ଅନେକ ରତ୍ନର ସମାହାର

ସେହି ଅବଦମିତ ମଣିଷଟି ଥିଲେ ଅତ୍ୟନ୍ତ ସ୍ପଷ୍ଟବାଦୀ । ମଣ୍ଡଳ କମିଶନଙ୍କ ରିପୋର୍ଟ ଏବଂ ରାଜ୍ୟମାନଙ୍କୁ ଅର୍ଥନୈତିକ ସ୍ୱତନ୍ତ୍ରତା ଉପରେ ତାଙ୍କର ସ୍ପଷ୍ଟ ମତ ଓ ସେ ସମୟରେ ଜାତୀୟ ରାଜନୀତିକୁ ଆନ୍ଦୋଳିତ କରି ଦେଇଥିଲା । ଭୋଟ ବ୍ୟାଙ୍କ ସୃଷ୍ଟି କରିବା ଅପେକ୍ଷା ଜାତିର ସ୍ୱାର୍ଥ ଓ ଓଡ଼ିଶାର ସ୍ୱାର୍ଥକୁ ସେ ସର୍ବାଗ୍ରେ ରଖିଥିଲେ । ତତ୍କାଳିନ ଲାଭକ୍ଷତିର ହିସାବ ସେ ରଖୁନଥିଲେ । ସେ ଜଣେ ରାଜନେତା କମ୍, ଜଣେ ରାଷ୍ଟ୍ରନୀତିଜ୍ଞ ଅଧିକ ଥିଲେ ।

ପ୍ରସନ୍ନ କୁମାର ଆଚାର୍ଯ୍ୟ

୧୯୯୩ ମସିହା କଥା, ମୁଁ ଥିଲି ବିଜୁବାବୁଙ୍କ ମନ୍ତ୍ରିମଣ୍ଡଳରେ ଜଣେ କ୍ୟାବିନେଟ୍ ମନ୍ତ୍ରୀ । ହାଇଦ୍ରାବାଦ ଯାଇଥିଲି ଏକ ସରକାରୀ କାର୍ଯ୍ୟରେ । ସେତେବେଳେ ଅବିଭକ୍ତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ ଶ୍ରୀ ଜନାର୍ଦ୍ଦନ ରେଡ୍ଡି । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ତାଙ୍କ ସହିତ ସାକ୍ଷାତ ଆଲୋଚନା ହେଲା ଦୀର୍ଘ ସମୟ ଧରି । କଥା ପ୍ରସଙ୍ଗରେ ପଡ଼ିଲା ବିଜୁବାବୁଙ୍କ କଥା । ଜନାର୍ଦ୍ଦନ ରେଡ୍ଡି ମୋତେ ପଚାରିଲେ, ମିଷ୍ଟର ଆଚାର୍ଯ୍ୟ, ବିଜୁବାବୁଙ୍କୁ ବ୍ୟକ୍ତିଗତ ଭାବେ ଜାଣିଛି । ମୁଁ ତାଙ୍କୁ ଯଥେଷ୍ଟ ସମ୍ମାନ କରେ । ତେବେ ତୁମେ ମୋତେ ଗୋଟେ କଥା କୁହ, ବିଜୁବାବୁଙ୍କ ବ୍ୟକ୍ତିତ୍ୱର ଅନେକ ଦିଗ ମଧ୍ୟରୁ କେଉଁ ଗୋଟିଏ ଦିଗ ପାଇଁ ତାଙ୍କର ବ୍ୟକ୍ତିତ୍ୱ ଆହୁରି ମହନୀୟ ଓ ବିଶାଳ ହୋଇପାରିଛି? ମୁଁ କିଛି ସମୟ ଚୁପ୍ ହୋଇ ରହିଲି । ସମୁଦ୍ର ଭଳି ବିଶାଳ ବ୍ୟକ୍ତିତ୍ୱ ଭିତରୁ କେଉଁ ଗୋଟିଏ ଶାମୁକାଟିକୁ ଖୋଜି ଜନାର୍ଦ୍ଦନ ରେଡ୍ଡିଙ୍କୁ ଦେବି । ସେ କଥା ଭାବୁଥିବା ବେଳେ ଶ୍ରୀ ରେଡ୍ଡି ତତ୍‌କ୍ଷଣାତ୍‌ ଉତ୍ତର ଦେଲେ ବିଜୁଙ୍କ ବ୍ୟକ୍ତିତ୍ୱର ଏକ ବିଶେଷ ଦିଗ ହେଲା ସେ ତୁମଭଳି ଜଣେ କନିଷ୍ଠ ରାଜନେତାଙ୍କୁ ତାଙ୍କ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦେଇ ତୁମ ସହିତ କାମ କରୁଛନ୍ତି । ମୁଁ ଏକଥାର ତାତ୍ପର୍ଯ୍ୟକୁ ବୁଝିପାରିଲି ନାହିଁ । ମନେମନେ ଭାବିଲି ବିଜୁବାବୁଙ୍କ ବିଶାଳ ବ୍ୟକ୍ତିତ୍ୱର ଏହା ଏକ ଭୁଲ ଚିତ୍ରଣ । ମୋର ସନ୍ଦେହଯୁକ୍ତ ମୁଖଭଙ୍ଗୀକୁ ଅନାଇ ଜନାର୍ଦ୍ଦନ ରେଡ୍ଡି ମୋତେ ବୁଝାଇଦେଲେ, ଯେଉଁ ବିଜୁଙ୍କ ମନ୍ତ୍ରିମଣ୍ଡଳରେ ତୁମେ କାର୍ଯ୍ୟ କରିବାର ସୁଯୋଗ ପାଇଛ, ସେହି ବିଜୁପଟ୍ଟନାୟକ ଏକଦା ପଣ୍ଡିତ ଜବାହରଲାଲ ନେହରୁଙ୍କ ଭଳି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ନେତାଙ୍କର ନିକଟତମ ଓ ବିଶ୍ୱସ୍ତ ନେତା ଭାବରେ କାର୍ଯ୍ୟ କରିଥିଲେ । ପୁଣି ତାର ପରବର୍ତ୍ତୀ ପିଢିର ନେତାଙ୍କ ସହ କାର୍ଯ୍ୟକଲେ । ଏବେ ପୁଣି ତୁମ ଭଳି ତୃତୀୟ ପିଢ଼ିର ଯୁବ ନେତୃତ୍ୱ ସହିତ ସହଜ ଓ ସରଳ ଭାବରେ କାର୍ଯ୍ୟ କରୁଛନ୍ତି । ଅର୍ଥାତ୍ ଜଣେ ବ୍ୟକ୍ତି ତିନୋଟି ପିଢ଼ି ସହିତ ଅନାୟାସରେ କାର୍ଯ୍ୟ କଲେ, ଏହା ହିଁ ଜଣେ ଦକ୍ଷ ନେତାଙ୍କର ବିଶାଳ ବ୍ୟକ୍ତିତ୍ୱ ଓ ଅପରିସୀମ କାର୍ଯ୍ୟ ଦକ୍ଷତାର ପରିଚୟ । ଏହି ବିଶ୍ଳେଷଣ ଶୁଣି ମୁଁ ହତବାକ୍ ହୋଇଗଲି । ବିଜୁ ପଟ୍ଟନାୟକଙ୍କ ଭଳି ଇତିହାସର ଏହି ବିରଳ ଓ ବିଶାଳ ବ୍ୟକ୍ତିତ୍ୱ ଯୁଗେ ଯୁଗେ ସବୁ ପିଢି ପାଇଁ ସୃଷ୍ଟି କରିଦିଅନ୍ତି ଅନେକ ଉନ୍ମାଦନା ଓ ଦେଶକୁ ଗଢ଼ିବାର ସୁନ୍ଦର ସ୍ୱପ୍ନ।

ଉପରକୁ କଠୋର ଜଣାପଡ଼ୁଥିବା ଏହି ଅବଦମିତ ବ୍ୟକ୍ତିତ୍ୱର ହୃଦୟ ଯେ କେତେ ନିର୍ମଳ ଓ କୋମଳ ଥିଲା, ତାଙ୍କର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ହିଁ ତାହା ଜଣା । ଦିନକର ଘଟଣା, ସେତେବେଳେ ସେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହୋଇନଥାନ୍ତି, ରାଜ୍ୟ  ଜନତା ଦଳର ଥା’ନ୍ତି ସଭାପତି । ମୋତେ ସେ କରିଥାନ୍ତି ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଦଳର ସଭାପତି । ଖରା, ବର୍ଷା ଓ ଶୀତରେ ସମଗ୍ର ରାଜ୍ୟ ଗସ୍ତ କରୁଥାନ୍ତି । ଗାଁ କୁ ଗାଁ ବୁଲୁଥାନ୍ତି । ପଶ୍ଚିମ ଓଡ଼ିଶାରେ ପଦ ଯାତ୍ରା କରି ଲୋକଙ୍କୁ ଭେଟୁଥାନ୍ତି । ତାଙ୍କର ସମ୍ବଲପୁର ଜିଲ୍ଲା କାର୍ଯ୍ୟକ୍ରମ ହେଲା । ଦିନ ତମାମ କାର୍ଯ୍ୟକ୍ରମ ସାରି ସମ୍ବଲପୁର ରାତ୍ରି ରହଣି ପରେ ପରଦିନ ଭୋର୍‌ରୁ ଯିବାକଥା ଝାରସୁଗୁଡ଼ା । ମୋତେ ରାତିରେ କହିଲେ ତୁ ଆଉ ବରଗଡ଼ ଯାଆନା । ଆମେ ଏହି ରାତ୍ରିରେ ଯାଇ ଝାରସୁଗୁଡ଼ାରେ ରହିବା । ସକାଳୁ ବାହାରୁ ବାହାରୁ ବିଳମ୍ବ ହୋଇଯାଇପାରେ । ପ୍ରଚଣ୍ଡ ଶୀତ । ମୋ ପାଖରେ କିଛି ଥଣ୍ଡା ବସ୍ତ୍ର ନଥିଲା । କିନ୍ତୁ ରାତିରେ ବିଜୁବାବୁଙ୍କ ସହ ଝାରସୁଗୁଡ଼ା ଗଲି । ପୂର୍ତ୍ତ ବିଭାଗ ବଙ୍ଗଳାରେ ରହିଲୁ । ରାତି ବାରଟାରେ ମୋ ରୁମ୍ କବାଟରେ ଖଟ୍ ଖଟ୍ ଆୱାଜ୍ ହେଲା । କବାଟ ଖୋଲି ଦେଖିଲି ସେହି ଡ଼େଙ୍ଗା ମଣିଷଟି ମୋର ଦୁଆର ବାହାରେ ଛିଡ଼ା ହୋଇଛନ୍ତି । ମୁଁ ଆଶ୍ଚର୍ଯ୍ୟ ଓ ଚକିତ ହୋଇ ପଚାରିଲି, ସାର୍ କିଛି ଅସୁବିଧା ହେଲାକି? ସେ ମୋତେ କହିଲେ ଆରେ ତୁ ହଠାତ୍ ଚାଲିଆସିଲୁ । ତୋ ପାଖରେ ଭଲ ଚାଦର ନଥିବ, ଭୀଷଣ ଥଣ୍ଡା ହେଉଛି । ଏହା କହି ସେ ନିଜେ ଘୋଡ଼ାଇ ହୋଇଥିବା ଚାଦରଟିକୁ ଆଣି ମୋ କାନ୍ଧରେ ପକାଇଦେଲେ । ମୁଁ ଭାବବିହ୍ୱଳ ହୋଇ ପଡ଼ିଲି । ଏମିତି ଥିଲେ ବିଜୁବାବୁ, ସେ ନିଜ କର୍ମୀଙ୍କୁ ପୁତ୍ର ଭଳି ସ୍ନେହ କରୁଥିଲେ ଓ ସେମାନଙ୍କର ବ୍ୟକ୍ତିଗତ ଜୀବନର ସୁଖଦୁଃଖକୁ ବୁଝୁଥିଲେ । ସେଥିପାଇଁ ତ ଆଜି ତାଙ୍କୁ ସମସ୍ତେ ଝୁରି ହୁଅନ୍ତି । ଦୀର୍ଘତମ ରାଜନୈତିକ ଜୀବନରେ ଅଧିକ ସମୟ ରହି ନଥିଲେ କ୍ଷମତାରେ । ପ୍ରତିଟି କ୍ଷେତ୍ରରେ ତାଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା । ଏପରି ଉଦ୍ଦାମ ମଣିଷଟି କର୍ତ୍ତବ୍ୟ ପଥର ସବୁ ଆହ୍ୱାନର ସମ୍ମୁଖୀନ ହୋଇଥିଲେ, କିନ୍ତୁ କେବେ ନଇଁ ପଡ଼ିନଥିଲେ । ଅକାରଣରେ କେତେ ନିନ୍ଦା ଅପନିନ୍ଦା ସହିଛନ୍ତି । କିନ୍ତୁ କେବେ ଭାଙ୍ଗି ପଡ଼ିନଥିଲେ । ରାଜ୍ୟକୁ ଓ ଦେଶକୁ ରାଜନୀତିଠାରୁ ଉଦ୍ଧ୍ୱର୍ରେ ରଖିଥିଲେ ।

ଅନେକ ସମୟରେ ଜାତୀୟ ଓ ପ୍ରାଦେଶିକ ଅନେକ ଇସ୍ୟୁରେ ତାଙ୍କର ମତ ଓ ମନ୍ତବ୍ୟ ଭୋଟ ରାଜନୀତିରେ ବିଜୁବାବୁଙ୍କୁ ଅନେକ ଅସୁବିଧାରେ ପକାଇଛି । କିନ୍ତୁ ସେହି ଅବଦମିତ ମଣିଷଟି ଥିଲେ ଅତ୍ୟନ୍ତ ସ୍ପଷ୍ଟବାଦୀ । ମଣ୍ଡଳ କମିଶନଙ୍କ ରିପୋର୍ଟ ଏବଂ ରାଜ୍ୟମାନଙ୍କୁ ଅର୍ଥନୈତିକ ସ୍ୱତନ୍ତ୍ରତା ଉପରେ ତାଙ୍କର ସ୍ପଷ୍ଟ ମତ ଓ ସେ ସମୟରେ ଜାତୀୟ ରାଜନୀତିକୁ ଆନ୍ଦୋଳିତ କରି ଦେଇଥିଲା । ଭୋଟ ବ୍ୟାଙ୍କ ସୃଷ୍ଟି କରିବା ଅପେକ୍ଷା ଜାତିର ସ୍ୱାର୍ଥ ଓ ଓଡ଼ିଶାର ସ୍ୱାର୍ଥକୁ ସେ ସର୍ବାଗ୍ରେ ରଖିଥିଲେ । ତତ୍କାଳିନ ଲାଭକ୍ଷତିର ହିସାବ ସେ ରଖୁନଥିଲେ । ସେ ଜଣେ ରାଜନେତା କମ୍, ଜଣେ ରାଷ୍ଟ୍ରନୀତିଜ୍ଞ ଅଧିକ ଥିଲେ । ତାଙ୍କର ବ୍ୟକ୍ତିତ୍ୱର ଏହି ମହାନ୍ ଗୁଣ ଯୋଗୁଁ ଅଳ୍ପ କାଳ କ୍ଷମତାରେ ଥାଇ ସୁଦ୍ଧା ସେ ଯେତେ ଦୀର୍ଘ ସମୟ ଜାତିର ସ୍ମୃତିରେ ରହିବେ, ସର୍ବାଧିକ କାଳ କ୍ଷମତାରେ ଥାଇ ସୁଦ୍ଧା ବହୁ ରାଜନେତା କ୍ଷମତାରୁ ଯିବାପରେ ଲୋକମାନସରୁ ଉଭେଇ ଯାଇଛନ୍ତି, ଇତିହାସ ହିଁ ତାର ସାକ୍ଷୀ ।

ବିଜୁବାବୁଙ୍କୁ ଭାତରରତ୍ନ ଉପାଧି ଦେବାପାଇଁ ଆଜି ଦାବି ହେଉଛି । ସେ ତ ଅନେକ ରତ୍ନର ସମାହାର, ତାଙ୍କୁ ଭାରତରତ୍ନଟିଏ ନ ଦେଲେ ତାଙ୍କର ବ୍ୟକ୍ତିତ୍ୱର ମହନୀୟତା ଏବଂ ଜାତି ପ୍ରତି ତାଙ୍କର ଅବିସ୍ମରଣୀୟ ଅବଦାନ ଯେ ନ୍ୟୁନ ହୋଇଯିବ, ଏହା ଭାବିବା ଭୁଲ୍ । ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କୁ ଭାରତରତ୍ନ ନଦେଲେ ତାଙ୍କୁ କ’ଣ ନେତାଜୀ ବୋଲି ଏ ଦେଶ ଜାଣିବ ନାହିଁ?

ବିଜୁ ପଟ୍ଟନାୟକଙ୍କର ବ୍ୟକ୍ତିତ୍ୱ ଥିଲା ଆକାଶ ଭଳି ସୀମାହୀନ ସମୁଦ୍ର ଭଳି ଗଭୀର । ତାଙ୍କ ଜୀବନଦ୍ଦଶାରେ ଏ ଜାତି ହୁଏତ ତାଙ୍କର ଠିକ୍ କଳନା କରିପାରିଲା ନାହିଁ । ତାଙ୍କ ଅବର୍ତ୍ତମାନରେ ସେଥିପାଇଁ ବୋଧେ ତାଙ୍କର ସ୍ମୃତି ଆମ ମଧ୍ୟରେ ଅଧିକ ଆବେଗ ଓ ଉତ୍ସାହ ସୃଷ୍ଟି କରୁଛି । ଏପରି କ୍ଷଣଜନ୍ମା ମଣିଷ ଜାତିର ଇତିହାସରେ ବେଳେବେଳେ ଆସନ୍ତି ଓ ଇତିହାସରେ ସ୍ୱତନ୍ତ୍ର ଅଧ୍ୟାୟ ସୃଷ୍ଟି କରି ଚାଲି ଯାଆନ୍ତି ।

Leave a Reply

*