Blog

ଦୁର୍ଦ୍ଧର୍ଷ ବିଜୁ ପଟ୍ଟନାୟକ

ବିଜୁ ପଟ୍ଟନାୟକଙ୍କ ଶାସନର ଓଡ଼ିଶାକୁ ସବୁଠାରୁ ବଡ଼ଦାନ ହେଉଛି ପାରାଦୀପ ବନ୍ଦର । ସେ ସମୟରେ ପାରାଦୀପ ଏକ ଅଗମ୍ୟ ଅଂଚଳ ଥିଲା । ସେଠାକୁ ଯିବା ନିମନ୍ତେ ମଟର ରାସ୍ତା କିମ୍ବା ରେଳଲାଇନ୍ ନ ଥିଲା । କିନ୍ତୁ ସେସବୁ ପ୍ରତିକୂଳ ପରିସ୍ଥିତିକୁ ଖାତିର ନ କରି ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏକ ଦୁଃସାହସିକ ପଦକ୍ଷେପ ନେଇଥିଲେ । ସେଥିପାଇଁ ସେ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ସମ୍ମତି ହାସଲ କରିବାରେ ସକ୍ଷମ ହୋଇଥିଲେ ।

ବସନ୍ତ ଦାସ

ବିଗତ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ କଟକ ସହରର ତୁଳସୀପୁର ଅଂଚଳରେ ଥିବା ‘ଆନନ୍ଦ ଭବନ’ରେ ଯେଉଁ ଶିଶୁଟି ଭୂମିଷ୍ଠ ହୋଇଥିଲା ସେ ଯେ ଦିନେ ଅନନ୍ୟ ବ୍ୟକ୍ତିତ୍ୱର ଅଧିକାରୀ ହେବ ପ୍ରାରମ୍ଭରୁ ତା’ର ସୂଚନା ମିଳିଥିଲା । ପିତା ଲକ୍ଷ୍ମୀ ନାରାୟଣ ଓ ମାତା ଆଶାଦେବୀ ପିଲାଟିର ନାଁ ଦେଇଥିଲେ ବିଜୟାନନ୍ଦ, ଯିଏକି ପରବର୍ତ୍ତୀ ସମୟରେ ଜଣାଶୁଣା ହେଲେ ବିଜୁ ପଟ୍ଟନାୟକ ନାଁରେ । ବିଜୁ ପଟ୍ଟନାୟକ ପିଲା ଦିନରୁ ଅତ୍ୟନ୍ତ ବିଚକ୍ଷଣ ଓ ଦୁଃସାହସୀ ଥିଲେ । ତାଙ୍କର ବାଲ୍ୟ ଶିକ୍ଷା ଆରମ୍ଭ ହୋଇଥିଲା ତତ୍‌କାଳୀନ ମିଶନ ହାଇସ୍କୁଲ (ବର୍ତ୍ତମାନର କ୍ରାଏଷ୍ଟ କଲେଜିଏଟ୍ ସ୍କୁଲ)ରେ । କିଛିଦିନ ପରେ ସେ ରେଭେନ୍ସା କଲେଜିଏଟ୍‌ରେ ଅଧ୍ୟୟନ କରିଥିଲେ ।

୧୯୨୬ ମସିହାର ଘଟଣା । ତାଙ୍କୁ ସେତେବେଳେ ମାତ୍ର ଦଶ ବର୍ଷ ବୟସ । କଲେଜିଏଟ୍ ସ୍କୁଲର ଛାତ୍ର । ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ ପୀଠ ‘ସ୍ୱରାଜ ଆଶ୍ରମ’ ସ୍କୁଲଠାରୁ ଅଳ୍ପବାଟ । ସ୍ୱାଧୀନତା  ସଂଗ୍ରାମର ମୁଖ୍ୟ ପୁରୋଧା ଜାତୀୟ ଜନକ ମହାତ୍ମା ଗାନ୍ଧୀ ସେହି ସ୍ୱରାଜ ଆଶ୍ରମରେ ବିଶ୍ରାମ କରୁଥିଲେ । ମହାତ୍ମାଙ୍କୁ ଦେଖିବା ପାଇଁ ସେଠାରେ ଖୁବ୍ ଭିଡ଼ ଜମିଥିଲା । କିଶୋର ବିଜୁ, ତାଙ୍କ ଭାଇଙ୍କ ସାଙ୍ଗରେ ମହାତ୍ମାଙ୍କୁ ଦେଖିବାକୁ ସ୍ୱରାଜ ଆଶ୍ରମକୁ ଯାଇଥିଲେ । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା । କିଶୋର ବିଜୁ ଅନ୍ୟମାନଙ୍କ ତୁଳନାରେ ଅପେକ୍ଷାକୃତ ଡେଙ୍ଗା ଥିଲେ । ପୁଲିସ ଲୋକଙ୍କୁ ଘଉଡ଼ାଇବା ପାଇଁ ଲାଠିରେ ପ୍ରହାର କରିଥିଲେ । ଡେଙ୍ଗାମୁଣ୍ଡରେ ଠେଙ୍ଗା ଭଳି ଗୋରା ପୁଲିସ ସାହେବ ହରିଗି୍ରଭଙ୍କ ପିତଳ ଗୋବ ଲାଗିଥିବା ଲାଠିର ପ୍ରହାର ବାଜିଥିଲା ବିଜୁଙ୍କ ମୁଣ୍ଡରେ । ମୁଣ୍ଡରୁ ଧାର ଧାର ଲହୁ ବୋହିଥିଲା । ସେ ଦୃଶ୍ୟରେ ଗାନ୍ଧିଜୀଙ୍କ ଆଖି ଛଳ ଛଳ ହୋଇଯାଇଥିଲା । ସେ ବିଜୁଙ୍କ ମୁଣ୍ଡ ଆଉଁସି ତାଙ୍କୁ ସାନ୍ତ୍ୱନା ଦେଇଥିଲେ । ଗୋରା ପୁଲିସଙ୍କ ଲାଠିମାଡ଼ କିଶୋର ବିଜୁଙ୍କ ମୁଣ୍ଡରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଜୀବନରେ ଗୋରାମାନଙ୍କ ବିରୁଦ୍ଧରେ ପ୍ରତିଶୋଧ ନେବାକୁ ସେ ପ୍ରତିଜ୍ଞାବଦ୍ଧ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ନିଜ ପ୍ରତିଜ୍ଞାକୁ କାର୍ଯ୍ୟରେ ପରିଣତ କରିଥିଲେ ।

ସେ ସମୟର ଆଉ ଗୋଟିଏ ଘଟଣା ବିଜୁଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା । ସେ ସ୍କୁଲରେ ପଢ଼ୁଥିବା ସମୟରେ ତାଙ୍କ ଘରପାଖ କିଲ୍ଲା ପଡ଼ିଆରେ ଗୋଟିଏ ଛୋଟିଆ ଉଡ଼ାଜାହାଜ ଓହ୍ଲାଇଥିଲା । ସେ ଉଡ଼ାଜାହାଜକୁ ଦେଖିବାକୁ ବହୁ ଲୋକ ରୁଣ୍ଡ ହୋଇଥିଲେ । ଉଡ଼ାଜାହାଜଟିକୁ ଗୋରା ପୁଲିସ ଜଗି ରହିଥିଲେ । କାହାରିକୁ ପାଖକୁ ଛାଡ଼ି ଦେଉ ନ ଥିଲେ । କିଶୋର ବିଜୁଙ୍କ ଇଚ୍ଛା ହେଲା କିପରି ସେ ଉଡ଼ାଜାହାଜକୁ ଛୁଇଁବେ । ସେ ସାହସ ସଂଚୟ କରି ଲୋକଙ୍କ ଭିଡ଼ ପେଲି ପାଖକୁ ଗଲେ ଓ ଉଡ଼ାଜାହାଜଟିକୁ ଛୁଇଁ ଦେଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ଗୋରା ପୁଲିସ ତାଙ୍କୁ ଚାବୁକ୍‌ରେ ପିଟିବାକୁ ଲାଗିଲେ । ତାଙ୍କ ଦେହରେ ନୋଳା ଫାଟିଗଲା । କିଶୋର ବିଜୁ ଚାବୁକ ମାଡ଼ର ପ୍ରତିବାଦ କରି ନ ଥିଲେ ସତ, ମାତ୍ର ଜୀବନରେ ଦିନେ ବଡ଼ ପାଇଲଟ୍ ହେବାକୁ ସେ ସେଦିନ ମନେ ମନେ ଶପଥ ନେଇଥିଲେ । ଯୁବକ ବିଜୁ ପଟ୍ଟନାୟକଙ୍କର ପିଲାଦିନର ସେ ଶପଥ ମନେ ପଡ଼ିଯାଇଥିଲା ।  ସେ ଜଣେ ଦୁର୍ଦ୍ଧର୍ଷ ପାଇଲଟ୍ ହୋଇ ସୁନାମ ଅର୍ଜନ କରିଥିଲେ ।

ରେଭେନ୍ସା କଲେଜରେ ଅଧ୍ୟୟନ ସମୟରେ ଜଣେ ଦକ୍ଷ କ୍ରୀଡ଼ାବିତ୍ ଭାବରେ ସେ ଜଣାଶୁଣା ଥିଲେ । କ୍ରମାଗତ ଭାବରେ ସେ କଲେଜରେ ତିନିବର୍ଷ ପାଇଁ ଆଥ୍ଲେଟିକ୍ ଚାମ୍ପିଅନ୍ ହୋଇ ଏକ ବିରଳ ରେକର୍ଡ ପ୍ରତିଷ୍ଠା କରିଥିଲେ । ସେ ଜଣେ ଆଗଧାଡ଼ିର ଫୁଟବଲ୍ ଖେଳାଳି ଥିଲେ । ସେ ରେଭେନ୍ସା କଲେଜରେ ପଢୁଥିଲା ବେଳେ ତାଙ୍କ ବଡ଼ଭାଇ ଜର୍ଜ ପଟ୍ଟନାୟକ କଟକର ମେଡ଼ିକାଲ କଲେଜ (ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ)ରେ ପଢୁଥିଲେ । ଯୋଉଦିନ ଏ ଉଭୟ କଲେ ମଧ୍ୟରେ ଫୁଟବଲ ମ୍ୟାଚ ହେଉଥିଲା, ସେଦିନ ଜର୍ଜ ଓ ବିଜୁଙ୍କ ଖେଳ ଦେଖିବାକୁ ଅଧିକ ଦର୍ଶକ ଆସୁଥିଲେ । ଯୁବକ ବିଜୁଙ୍କ ଉଦ୍ୟମରେ ପ୍ରଥମ ଥର ପାଇଁ ପୋଲଭଲ୍ଟ କ୍ରୀଡ଼ା ଆରମ୍ଭ ହୋଇଥିଲା ଓ ସେଥିରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।

ଦୁଃସାହସିକ ଯୁବକ ବିଜୁ ପଟ୍ଟନାୟକଙ୍କ ମୁଣ୍ଡରେ ଅଦ୍ଭୁତ ଖିଆଲ ସବୁ ପଶୁଥିଲା । ସେସବୁକୁ କାର୍ଯ୍ୟକାରୀ କରିବାରେ ସେ ଆନନ୍ଦ ଅନୁଭବ କରୁଥିଲେ । ସାଇକେଲ୍‌ରେ ଭାରତବର୍ଷର କୌଣସି ଏକ ସ୍ଥାନକୁ ଯିବା ପାଇଁ ତାଙ୍କ ମୁଣ୍ଡରେ ଗୋଟିଏ ଭାବନା ପଶିଲା । ସେ ଛଟପଟ ହେବାକୁ ଲାଗିଲେ । ଭାବନାକୁ କାର୍ଯ୍ୟକାରୀ କରିବା ପାଇଁ ଯୋଜନା ତିଆରି ହେଲା । କଟକ ସହର ମଣି ସାହୁ ଛକର ଭ୍ରମର ସାହୁ ଏବଂ ତିନିକୋଣିଆ ବଗିଚାର ଅମର ଦେଙ୍କୁ ସେ ସାଙ୍ଗ କଲେ । ତିନି ସାଙ୍ଗଙ୍କ ଭିତରେ କଥାବାର୍ତ୍ତା ହୋଇ ପଞ୍ଜାବର ପେଶୱାର ଯିବାକୁ ସ୍ଥିର ହେଲା । ତିନୋଟି ସାଇକେଲ ଧରି ତିନି ଜଣ ଯୁବକ କଟକ ସହରରୁ ବାହାରିଲେ । ସେତେବେଳେ ସେ ଯାତ୍ରା ଅସମ୍ଭବ ମନେ ହେଉଥିଲେ ହେଁ ବିଜୁ ପଟ୍ଟନାୟକ ଓ ତାଙ୍କର ଦୁଇବନ୍ଧୁ ତାକୁ ସମ୍ଭବରେ ପରିଣତ କରିଥିଲେ । ସେମାନେ କଟକରୁ ଚକ୍ରଧରପୁର, ରାଞ୍ଚି, ସାସାରାମ, ବନାରସ, କାନପୁର, ଆଗ୍ରା, ଦିଲ୍ଲୀ ଓ ଅମୃତସର ବାଟ ଦେଇ ପେଶୱାରରେ ପହଞ୍ଚିଥିଲେ । ସେ ସମୟରେ ସେମାନଙ୍କର ସେ ଦୁଃସାହସିକ ଯାତ୍ରା ସର୍ବତ୍ର ଚର୍ଚ୍ଚାର ବିଷୟ ହୋଇଥିଲା ।

କଲେଜରେ ପଢ଼ୁଥିବା ସମୟରେ ପାଇଲଟ୍ ହେବା ପାଇଁ ପିଲା ଦିନର ଶପଥ ତାଙ୍କର ମନେ ପଡ଼ିଯାଇଥିଲା । ସେଥିପାଇଁ ସେ ପିତାଙ୍କ ଅନୁମତି ଲୋଡ଼ିଥିଲେ । ପ୍ରଥମେ ପାଇଲଟ୍ ଟ୍ରେନିଂ ଶେଷ ପରେ ରୟାଲ ଇଣ୍ଡିଆ ଏୟାର ଫୋର୍ସରେ ପାଇଲଟ୍ ଭାବରେ ଚାକିରି ଆରମ୍ଭ କରିଥିବା ଯୁବକ ବିଜୁ ପଟ୍ଟନାୟକ ଯେ ଭବିଷ୍ୟତରେ ଜଣେ ଦୁର୍ଦ୍ଧର୍ଷ ପାଇଲଟ୍ ହେବେ ସେ କଥା କଳନା କରାଯାଇ ନ ଥିଲା । ଅଳ୍ପଦିନ ଭିତରେ ତାଙ୍କର ଦୁଃସାହସିକତାର ପ୍ରମାଣ ମିଳିଥିଲା । ସେ ଜଣେ ଦକ୍ଷ ପାଇଲଟ୍ ଭାବରେ ଜଣାଶୁଣା ହୋଇଗଲେ । ମାତ୍ର ସେ ଚାକିରି ତାଙ୍କୁ ବେଶୀଦିନ ସନ୍ତୁଷ୍ଟ କରି ରଖି ପାରି ନ ଥିଲା । ପିଲାଦିନେ ସ୍ୱରାଜ ଆଶ୍ରମରେ ମହାତ୍ମା ଗାନ୍ଧୀଙ୍କୁ ଦେଖିବାକୁ ଯାଇଥିଲା ବେଳେ ଗୋରା ପୁଲିସର ଲାଠିମାଡ଼, କିଲ୍ଲା ପଡ଼ିଆରେ ଉଡ଼ାଜାହାଜକୁ ଛୁଇଁବା ଅପରାଧରେ ପୁଲିସ ଦ୍ୱାରା ଚାବୁକମାଡ଼ ଘଟଣାମାନ ମନେ ପଡ଼ିଯିବାରୁ ସେ ଅସ୍ଥିର ହୋଇଉଠିଲେ । ବ୍ରିଟିଶ ସରକାରଙ୍କ ଅଧୀନରେ ଅଧିକ ଦିନ ଚାକିରି ନ କରିବାକୁ ସେ ଏକ ପ୍ରକାର ମନ ସ୍ଥିର କରି ସାରିଥିଲେ । ହେଲେ ପରିସ୍ଥିତି ଚାପରେ ସେ ନିଷ୍ପତ୍ତି ବଦଳାଇଥିଲେ । ଘଟଣାଚକ୍ରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଜୟପ୍ରକାଶ ନାରାୟଣଙ୍କ ସହିତ ତାଙ୍କର ସାକ୍ଷାତ୍ ହୋଇଥିଲା । ଚାକିରି ନ ଛାଡ଼ି ମଧ୍ୟ ସ୍ୱାଧୀନତା ସଂଗ୍ରାମକୁ ସାହାଯ୍ୟ କରିହେବ ବୋଲି ଜୟପ୍ରକାଶ ତାଙ୍କୁ ବୁଝାଇ ଥିଲେ । ସେ ସମୟରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଗତିବିଧି ଉପରେ ବ୍ରିଟିଶ ପୁଲିସବାହିନୀ କଡ଼ା ନଜର ରଖୁଥିଲେ । ସ୍ଥଳ ପଥରେ ଯିବା ଆସିବା କରିବା ସେମାନଙ୍କ ପକ୍ଷରେ ସମ୍ଭବ ନ ଥିଲା । ସେମାନଙ୍କୁ ଆକାଶ ମାର୍ଗରେ ନେବା ଆଣିବାର ଗୁରୁ ଦାୟିତ୍ୱ ବହନ କଲେ ଯୁବ ପାଇଲଟ୍ ବିଜୁ ପଟ୍ଟନାୟକ । ଗୋରା ପୁଲିସ ଫଉଜ ଆଖିରେ ଧୂଳି ଦେଇ ସେ ତାଙ୍କ ବିମାନରେ ଜୟ ପ୍ରକାଶ ନାରାୟଣ, ଅରୁଣା ଆସଫ ଅଲ୍ଲୀ, ଅଶୋକ ମେହେଟ୍ଟା, ରାମ ମନୋହର ଲୋହିଆ, ଅଚ୍ୟୁତ ପଟ୍ଟବର୍ଦ୍ଧନଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ବିଭିନ୍ନ ସ୍ଥାନକୁ ନେବା ଆଣିବା କରୁଥିଲେ । କିନ୍ତୁ ତାଙ୍କର ସେହି ଗୋପନ କାର୍ଯ୍ୟ ବେଶୀ ଦିନ ଲୁଚି ପାରିଲା ନାହିଁ । ସେ ଦିନେ ବ୍ରିଟିଶ ପୁଲିସ ହାବୁଡ଼ରେ ଧରା ପଡ଼ି ଯାଇଥିଲେ । ତାଙ୍କୁ ଦିଲ୍ଲୀରେ ଗିରଫ କରାଯାଇଥିଲା । ନାନା ପ୍ରକାର ଶାରୀରିକ ନିର୍ଯାତନା ଦିଆଯାଇ ତାଙ୍କୁ ଲାଲକିଲ୍ଲା ଦୁର୍ଗରେ ବନ୍ଦୀ କରାଗଲା । ପରେ ତାଙ୍କୁ ଫିରୋଜପୁର ଓ ଅନ୍ୟାନ୍ୟ ଜେଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା । ସମସ୍ତ ଅତ୍ୟାଚାର ସତ୍ତ୍ୱେ ତାଙ୍କ ମନବଳ ଅତୁଟ ରହିଥିଲା । ଜେଲ୍ ଭିତରେ ଥାଇ ସେ ସହବନ୍ଦୀମାନଙ୍କ ସହିତ ସ୍ୱାଧୀନତା ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରୁଥିଲେ ।

ଦୀର୍ଘଦିନର ବନ୍ଦୀ ଜୀବନ ପରେ ସେ ଜେଲ୍‌ରୁ ଖଲାସ ହେଲେ । ଦେଶ ସ୍ୱାଧୀନ ହେଲା । ଓଡ଼ିଶାରୁ କିପରି ଅଧିକ ସଂଖ୍ୟକ ଯୁବକ ପାଇଲଟ୍ ହେବେ ସେ ନିଶା ଘାରିଥିଲା ଯୁବକ ବିଜୁ ପଟ୍ଟନାୟକଙ୍କୁ । ସେହି ଉଦ୍ଦେଶ୍ୟ ସାଧାନ ପାଇଁ ସେ ଭୁବନେଶ୍ୱରରେ ଗଠନ କରିଥିଲେ ‘ଓଡ଼ିଶା ଫ୍ଲାଇଂ କ୍ଲବ୍ ଲିମିଟେଡ୍’ । ସେଥି ସହିତ ତାଙ୍କ ପ୍ରଚେଷ୍ଟାରେ ଗଠିତ ହୋଇଥିଲା ଓୟାରଲେସ୍ ଟ୍ରେନିଂ ସ୍କୁଲ । ଏସବୁ ସତ୍ତ୍ୱେ ସେ ଦିଗରେ ଆଶାନୁରୂପ ସଫଳତା ମିଳି ନ ଥିଲା । ଦେଶ ସ୍ୱାଧୀନ ହେବା ପରେ ମଧ୍ୟ ବିଜୁ ପଟ୍ଟନାୟକଙ୍କ ମୁଣ୍ଡରୁ ବିମାନ ଚଳାଇବାର ନିଶା ଓହ୍ଲାଇ ନ ଥିଲା । ସେ ଗୋଟିଏ ପୁରୁଣା ଡାକୋଟା ବିମାନ କିଣି ତାଙ୍କ ମରାମତି କରି ଚଳାଉଥିଲେ ।

ଇଣ୍ଡୋନେସିଆରେ ସେତେବେଳେ ଡଚ୍ ଶାସନ ଥିଲା । ସେ ଦେଶବାସୀ ଦେଶକୁ ବିଦେଶୀ ଶାସନରୁ ମୁକ୍ତ କରିବା ପାଇଁ ଡଃ ସୁକର୍ଣ୍ଣଙ୍କ ନେତୃତ୍ୱରେ ସଂଗ୍ରାମ ଚଳାଉଥିଲେ । ସେ ସଂଗ୍ରାମକୁ ଦମନ କରିବା ଉଦ୍ଦେଶ୍ୟରେ ଡଚ୍ ସରକାର ସବୁ ପ୍ରକାର ପଦକ୍ଷେପ ନେଇଥିଲେ । ରାସ୍ତାଘାଟ, ବିମାନ ବନ୍ଦର, ଜଳପଥ, ସ୍ଥଳପଥ ସବୁ ଡଚ୍ ସେନା ଦ୍ୱାରା କବଳିତ ଥିଲା । ବିପ୍ଳବୀମାନେ ବାହାର ଦୁନିଆରୁ ବିଚ୍ଛିନ୍ନ ହୋଇ ଅଜଣା ଆଶଙ୍କାରେ କାଳାତିପାତ କରୁଥିଲେ ପଣ୍ଡିତ ଜବାହରଲାଲ ନେହରୁଙ୍କ ପରାମର୍ଶରେ ବିଜୁ ପଟ୍ଟନାୟକ ବାହାରିଲେ ଇଣ୍ଡୋନେସିଆର ବିପ୍ଳବୀ ନେତାମାନଙ୍କୁ ଉଦ୍ଧାର କରିବାକୁ । ସାଙ୍ଗରେ ଧର୍ମପତ୍ନୀ ଜ୍ଞାନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକଙ୍କ ଇଣ୍ଡୋନେସିଆ ଅଭିଯାନ ସମ୍ପର୍କରେ ଖବର ପାଇ ସାରିଥିଲେ ଡଚ୍ ସେନା । ସେଥିପାଇଁ ସେମାନେ ସତର୍କ ଥିଲେ । ବିଜୁ ପଟ୍ଟନାୟକ ଯେଭଳି ଇଣ୍ଡୋନେସିଆ ଭୂମି ସ୍ପର୍ଶ କରି ନ ପାରିବେ ସେଥିପାଇଁ ଡଚ୍ ସେନାଙ୍କ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏସବୁ ବ୍ୟବସ୍ଥାକୁ ଖାତିର ନ କରି ଦୁଃସାହସିକ ବିଜୁ ପଟ୍ଟନାୟକ ଇଣ୍ଡୋନେସିଆରେ ପହଞ୍ଚିଥିଲେ ଏବଂ ସେ ଦେଶର ଦେଶ ଡକ୍ଟର ହଟ୍ଟା ଏବଂ ଶାହରିଅରଙ୍କୁ ସାଙ୍ଗରେ ଆଣି ଦିଲ୍ଲୀ ଫେରି ଆସିବାକୁ ସକ୍ଷମ ହୋଇଥିଲେ । ବିଜୁ ପଟ୍ଟନାୟକଙ୍କର ସେ ଯାତ୍ରା ଅତ୍ୟନ୍ତ ବିପଦପୂର୍ଣ୍ଣ ଥିଲା ଏବଂ ପ୍ରତି ମୁହୂର୍ତ୍ତରେ ଜୀବନହାନୀର ଆଶଙ୍କା ଥିଲା । ଫେରିବା ସମୟରେ ତାଙ୍କ ଡାକୋଟା ବିମାନ ଉପରକୁ ଡଚ୍‌ବାହିନୀ ଗୁଳି ଚଳାଇଥିଲେ । ଚତୁର ବିଜୁ ପଟ୍ଟନାୟକ ସେମାନଙ୍କ ଆକ୍ରମଣରୁ ନିଜକୁ ରକ୍ଷା କରିବାରେ ସକ୍ଷମ ହୋଇଥିଲେ । ଇଣ୍ଡୋନେସିଆ ଅଭିଯାନ ବିଜୁ ପଟ୍ଟନାୟକଙ୍କୁ ଆନ୍ତର୍ଜାତିକ କ୍ଷେତ୍ରରେ ଜଣେ ଦକ୍ଷ ପାଇଲଟ୍‌ର ସୁଖ୍ୟାତି ଆଣି ଦେଇଥିଲା । ପରବର୍ତ୍ତୀ ସମୟରେ ଇଣ୍ଡୋନେସିଆ ସ୍ୱାଧୀନ ହେଲା । ସେ ଦେଶବାସୀ ବିଜୁ ପଟ୍ଟନାୟକଙ୍କ ତ୍ୟାଗକୁ ଭୁଲି ପାରି ନ ଥିଲେ । ଏକ ସ୍ୱତନ୍ତ୍ର ଉତ୍ସବରେ ତାଙ୍କୁ ଭୂମିପୁତ୍ର (Son of the soil)  ଉପାଧି ପ୍ରଦାନ ସହିତ ବହୁ ସମ୍ପତ୍ତି ପ୍ରଦାନ କରାଯାଇଥିଲା । ମାତ୍ର ଶ୍ରୀ ପଟ୍ଟନାୟକ ସେସବୁ ଇଣ୍ଡୋନେସିଆବାସୀଙ୍କ ଉଦ୍ଦେଶ୍ୟରେ ଫେରାଇ ଦେଇଥିଲେ ।

ବିଜୁ ପଟ୍ଟନାୟକଙ୍କ ରାଜନୈତିକ ଜୀବନ ଥିଲା ଉତ୍‌ଥାନ ପତନର ଏକ ସମାହାର । ରାଜନୈତିକ ଜୀବନର ସଫଳତାରେ ସେ ଉତ୍‌ଫୁଲ୍ଲିତ ହେଉ ନ ଥିଲେ କିମ୍ବା ପରାଜୟରେ ଭାଙ୍ଗି ପଡୁ ନ ଥିଲେ । ଜୟ, ପରାଜୟ ତାଙ୍କ ଜୀବନକୁ ପ୍ରଭାବିତ କରି ପାରୁ ନ ଥିଲା । ତାଙ୍କର ରାଜନୈତିକ ଜୀବନ ଦୀର୍ଘ ଚାରିଦଶନ୍ଧି ଧରି ବ୍ୟାପ୍ତ ଥିଲା । ୧୯୪୬ ମସିହାରେ ମାତ୍ର ୩୦ ବର୍ଷ ବୟସରେ ଆରମ୍ଭ ହୋଇଥିବା ତାଙ୍କ ରାଜନୈତିକ ଜୀବନ ୧୯୯୭ ମସିହାରେ ତାଙ୍କ ମହାପ୍ରୟାଣରେ ସମାପ୍ତ ହୋଇଥିଲା । ଓଡ଼ିଶା ରାଜନୀତିରେ ଧୂରୀଣ ରାଜନୀତିଜ୍ଞ ଡକ୍ଟର ହରେକୃଷ୍ଣ ମହତାବ ତାଙ୍କର ଗୁରୁ ଥିଲେ । ଉଭୟଙ୍କ ମଧ୍ୟରେ ସେ ସମ୍ପର୍କ ଦୀର୍ଘ ପନ୍ଦରବର୍ଷ ଧରି ଚାଲିଥିଲା । ୧୯୫୬ ମସିହାରେ ଡକ୍ଟର ମହତାବଙ୍କୁ ବମ୍ବେ ରାଜ୍ୟପାଳ ପଦରୁ ଫେରାଇ ଆଣି ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ବସାଇବାରେ ବିଜୁ ପଟ୍ଟନାୟକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କୁ ସହାୟତା ପ୍ରଦାନ କରିଥିଲେ ଦୁଇଜଣ ବନ୍ଧୁ, ବୀରେନ୍ ମିତ୍ର ଓ ନୀଳମଣି ରାଉତରାୟ ସେତେବେଳେ ସେମାନଙ୍କୁ ଓଡ଼ିଶା ରାଜନୀତିରେ ‘ତ୍ରିଶକ୍ତି’ ବୋଲି କୁହାଯାଉଥିଲା ।

୧୯୫୯ ମସିହାରେ ଓଡ଼ିଶା ରାଜନୀତିର ପାଣିପାଗ ବଦଳି ଗଲା । ୧୯୫୭ ମସିହାରେ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଦଳକୁ ବହୁମତ ମିଳି ନ ଥିଲା । ଏକ ରାଜନୈତିକ ଆବଶ୍ୟକତା ପୂରଣ କରିବା ପାଇଁ ରାଜ୍ୟରେ କଂଗ୍ରେସ ଓ ରାଜ୍ୟ ରାଜୁଡ଼ାଙ୍କ ଦ୍ୱାରା ଗଠିତ ଗଣତନ୍ତ୍ର ପରିଷଦ ମଧ୍ୟରେ ଏକ ମିଳିତ ମନ୍ତ୍ରିମଣ୍ଡଳ ଗଠିତ ହେଲା । ଦୁଇ ଦଳ ମଧ୍ୟରେ ରାଜନୈତିକ ଆଦର୍ଶଗତ ବିଭେଦ ଥିଲା । ଉଭୟ ଦଳ ରାଜ୍ୟର ସାମୂହିକ ବିକାଶ ପରିବର୍ତ୍ତେ ନିଜ ନିଜର ସ୍ୱାର୍ଥରେ ମାତିଲେ । ଏପରି ଏକ ସ୍ଥିତିକୁ ବିଜୁ ପଟ୍ଟନାୟକ ସହଜରେ ଗ୍ରହଣ କରି ପାରି ନ ଥିଲେ । ଓଡ଼ିଶାରେ କଂଗ୍ରେସ ଦଳ ନିର୍ବାଚନ ଲଢ଼ି ଏକାକୀ ସଂଖ୍ୟାଗରିଷ୍ଠତା ଲାଭ କରି ମନ୍ତ୍ରିମଣ୍ଡଳ ଗଠନ କରିପାରିବ ବୋଲି ସେ ଯୁକ୍ତି ବାଢ଼ିଥିଲେ । । ମାତ୍ର ଡକ୍ଟର ମହତାବଙ୍କର ଯୁକ୍ତି ଥିଲା ଭିନ୍ନ । ସେ ଦର୍ଶାଇଥିଲେ ଯେ, ଓଡ଼ିଶାରେ ମିଳିତ ମନ୍ତ୍ରିମଣ୍ଡଳ ଗଠନ ହେଉଛି ଏକମାତ୍ର ପନ୍ଥା । ଏହି ପ୍ରଶ୍ନ ଉପରେ ଉଭୟଙ୍କ ମଧ୍ୟରେ ସୃଷ୍ଟି ହେଲା ମତପାର୍ଥକ୍ୟ । ବିଜୁ ପଟ୍ଟନାୟକ ଏହି ପ୍ରଶ୍ନକୁ ଏକ ଚାଲେଞ୍ଜ ଭାବରେ ଗ୍ରହଣ କଲେ । ପ୍ରଥମେ ସେ ଡକ୍ଟର ମହତାବଙ୍କର ଅନୁଗତ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ସଭାପତି ବନମାଳୀ ପଟ୍ଟନାୟକଙ୍କୁ କ୍ଷମତାରୁ ହଟାଇ ନିଜେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ହୋଇଥିଲେ । ଦଳର ପରାମର୍ଶକ୍ରମେ ରାଜ୍ୟରେ ଚାଲୁଥିବା କଂଗ୍ରେସ ଗଣତନ୍ତ୍ର ପରିଷଦ ମନ୍ତ୍ରିମଣ୍ଡଳକୁ ଭାଙ୍ଗି ଦିଆଯାଇଥିଲା । ରାଜ୍ୟରେ କିନ୍ତୁ ଦିନ ପାଇଁ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା । ୧୯୬୧ ମସିହା ମଧ୍ୟ ଭାଗରେ ରାଜ୍ୟ ବିଧାନସଭା ପାଇଁ ଅନୁଷ୍ଠିତ ହୋଇଥିଲା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ । ସେ ନିର୍ବାଚନରେ ବିଜୁ ପଟ୍ଟନାୟକ ନିଜ ଦୁଃସାହସିକତାର ପ୍ରମାଣ ଦେଇଥିଲେ । ସେଥିରେ ରାଜ୍ୟ ବିଧାନସଭାର ୧୪୦ ଆସନ ମଧ୍ୟରୁ କଂଗ୍ରେସ ଦଳ ୮୨ଟି ଆସନ ଦଖଲ କରି ଏକ ନୂତନ ଇତିହାସ ସୃଷ୍ଟି କରିଥିଲା । ଏହାପରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ପ୍ରଗତିର ନୂତନ ଯୁଗ । ଶ୍ରୀ ପଟ୍ଟନାୟକ ମାତ୍ର ଅଢ଼େଇ ବର୍ଷ ଶାସନ କ୍ଷମତାରେ ଥିଲେ । ସେହି ସ୍ୱଳ୍ପ ସମୟ ମଧ୍ୟରେ ରାଜ୍ୟରେ ଶିଳ୍ପର ବିକାଶ ନିମନ୍ତେ ଗଠନ କରାଯାଇଥିଲା ଜଂଗଲ ନିଗମ, ଖଣି ନିଗମ, ଶିଳ୍ପ ବିକାଶ ନିଗମ ସମେତ ଅନେକ ନିଗମ । ସେନାବାହିନୀରେ ଅଧିକ ଯୁବକଙ୍କ ଯୋଗ ଦେବା ପାଇଁ ସୁଯୋଗ ସୃଷ୍ଟି ଉଦ୍ଦେଶ୍ୟରେ ରାଜଧାନୀ ଭୁବନେଶ୍ୱରଠାରେ ପ୍ରତିଷ୍ଠା କରାଯାଇଥିଲା ସୈନିକ ସ୍କୁଲ । କୋରାପୁଟ ଜିଲ୍ଲାର ସୁନାବେଡାଠାରେ ମିଗ୍-୨୧ ବିମାନର ଇଞ୍ଜିନ୍ ତିଆରି ପାଇଁ କାରଖାନା ସ୍ଥାପିତ ହୋଇଥିଲା । ରାଜ୍ୟରେ କୃଷିର ଉନ୍ନତି ପାଇଁ ଅଧ୍ୟୟନ ଓ ଗବେଷଣା କ୍ଷେତ୍ରରେ ଅଧିକ ସୁବିଧା ଓ ସୁଯୋଗ ଯୋଗାଇବା ଉଦ୍ଦେଶ୍ୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା ।

ବିଜୁ ପଟ୍ଟନାୟକଙ୍କ ଶାସନର ଓଡ଼ିଶାକୁ ସବୁଠାରୁ ବଡ଼ଦାନ ହେଉଛି ପାରାଦୀପ ବନ୍ଦର । ସେ ସମୟରେ ପାରାଦୀପ ଏକ ଅଗମ୍ୟ ଅଂଚଳ ଥିଲା । ସେଠାକୁ ଯିବା ନିମନ୍ତେ ମଟର ରାସ୍ତା କିମ୍ବା ରେଳଲାଇନ୍ ନ ଥିଲା । କିନ୍ତୁ ସେସବୁ ପ୍ରତିକୂଳ ପରିସ୍ଥିତିକୁ ଖାତିର ନ କରି ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏକ ଦୁଃସାହସିକ ପଦକ୍ଷେପ ନେଇଥିଲେ । ସେଥିପାଇଁ ସେ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ସମ୍ମତି ହାସଲ କରିବାରେ ସକ୍ଷମ ହୋଇଥିଲେ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପଣ୍ଡିତ ନେହରୁ ୧୯୬୨ ମସିହା ଜାନୁଆରୀ ୩ ତାରିଖରେ ଭୁବନେଶ୍ୱରରୁ ଯାଇ ପାରାଦୀପରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ ଯିବା ପାଇଁ ଅସ୍ଥାୟୀ ରାସ୍ତା ତିଆରି ହୋଇଥିଲା । ପଣ୍ଡିତ ନେହରୁଙ୍କ ବିଶ୍ରାମ ପାଇଁ ଗୋଟିଏ ବଙ୍ଗଳା ମଧ୍ୟ ନିର୍ମାଣ କରାଯାଇଥିଲା, ଯାହାକି ନେହରୁ ବଙ୍ଗଳା ନାଁରେ ଜଣାଶୁଣା । ପ୍ରକୃତିର ପୂଜାରୀ ପଣ୍ଡିତ ନେହରୁ ବଙ୍ଗଳାରେ ଅବସ୍ଥାନ କାଳରେ ବଙ୍ଗୋପସାଗରର ଉତ୍ତଙ୍ଗ ତରଙ୍ଗକୁ ଉପଭୋଗ କରୁଥିବା ସମୟରେ ଦୁଃସାହସୀ ବିଜୁ ପଟ୍ଟନାୟକ ସ୍ଥାନ, କାଳପାତ୍ର କଥା ନ ବିଚାର ପୂର୍ବରୁ ପ୍ରସ୍ତୁତ ହୋଇଥିବା ପ୍ରସ୍ତାବିତ ପାରାଦୀପ ବନ୍ଦରର ନକ୍ସା ଓ କିଛି କାଗଜପତ୍ର ତାଙ୍କୁ ଦେଖାଇବା ପାଇଁ ଉଦ୍ୟମ କରିଥିଲେ । ସେଥିରେ ଭୀଷଣ ଭାବରେ ରାଗିଯାଇ ପଣ୍ଡିତଜୀ ଚିତ୍କାର କରିଥିଲେ, ‘ନିର୍ବୋଧ । ତମର ସମୟ ଜ୍ଞାନ ନାହିଁ? ମୁଁ ଯେତେବେଳେ ସାମାନ୍ୟ ବିଶ୍ରାମ କରୁଛି, ତମେ ସେତିକିବେଳେ ସେଥିରେ ବାଧା ସୃଷ୍ଟି କରିବାକୁ ପସନ୍ଦ କରୁଛ? “ଆଉ କିଏ ହୋଇଥିଲେ ପଣ୍ଡିତଜୀଙ୍କ ପାଟିରେ ନିଶ୍ଚିତ ଭାବରେ ଛାନିଆ ହୋଇଯାଇଥାନ୍ତେ । କିନ୍ତୁ ଶ୍ରୀ ପଟ୍ଟନାୟକ ଥିଲେ ଅଦମ୍ୟ ସାହସୀ ଓ ଦୁର୍ଦ୍ଦାନ୍ତ ବ୍ୟକ୍ତି । ନେହରୁଙ୍କ ଚିତ୍କାରରେ ଦବି ନ ଯାଇ ସେ ମଧ୍ୟ ଉଚ୍ଚ ସ୍ୱରରେ କରିଥିଲେ “ଏହି କାଗଜପତ୍ର ପ୍ରତି ପ୍ରଧାନମନ୍ତ୍ରୀଙ୍କର ସାମାନ୍ୟ ଦୃଷ୍ଟିପାତି ଓଡ଼ିଶା ପରି ଏକ ଅନଗ୍ରସର ରାଜ୍ୟର ଭାଗ୍ୟ ବଦଳାଇ ଦେଇ ପାରିବ ଏବଂ ଆପଣ ସେଥିପାଇଁ କୁଣ୍ଠା ପ୍ରକାଶ କରୁଛନ୍ତି? ନେହରୁଙ୍କ ପରେ ଭାରତବର୍ଷ କ’ଣ ଆଉ ଜଣେ ଏପରି ପ୍ରଧାନମନ୍ତ୍ରୀଙ୍କୁ ପାଇବ ଯିଏ କି ନିଜ ରାଜ୍ୟ ସ୍ୱାର୍ଥର ଊର୍ଦ୍ଧ୍ୱକୁ ଉଠି ଓଡ଼ିଶା ପରି ଏକ ଦରିଦ୍ର୍ୟ ରାଜ୍ୟର ସ୍ୱାର୍ଥ ପ୍ରତି ଦୃଷ୍ଟି ଦେବ?” ବାସ! ଏହି କଥା ପଦକରେ ନେହରୁଙ୍କ ହୃଦୟ ତରଳି ଯାଇଥିଲା । ସେ କେବଳ ପାରାଦୀପ ବନ୍ଦର ସମ୍ପର୍କୀୟ ମାନଚିତ୍ର ଓ କାଗଜପତ୍ରକୁ ଅନୁଧ୍ୟାନ କରି ନ ଥିଲେ, ପାରାଦୀପ ବନ୍ଦର ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ଅର୍ଥର ବରାଦ କରିବା ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ଦେବା ପାଇଁ ସମ୍ମତି ପ୍ରଦାନ କରିଥିଲେ ।

ସେହିପରି ଖଣି ଅଞ୍ଚଳ ଦଇତାରୀ ଓ ପାରାଦୀପ ମଧ୍ୟରେ ରାସ୍ତାଟିଏ ତିଆରି କରିବା ପାଇଁ ଚିନ୍ତା ବିଜୁ ପଟ୍ଟନାୟକଙ୍କ ମୁଣ୍ଡରେ ପଶିଥିଲା । ହେଲେ ସେତେବେଳେ ତାହା ସ୍ୱପ୍ନ ଭଳି ଲାଗୁଥିଲା । କାରଣ ସେ ଅଞ୍ଚଳଟି ନଈନାଳରେ ଭରା ଥିଲା ତା’ ଛଡ଼ା କେତେକ ଅଞ୍ଚଳ ଘନ ଜନବସତି ପୂର୍ଣ୍ଣ ଥିଲା । ଆଉ କେତେକ ଅଞ୍ଚଳ ଜଳମଗ୍ନ ଥିଲା  ମୁଖ୍ୟମନ୍ତ୍ରୀ ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଦିନେ ରାଜ୍ୟର ବଡ଼ବଡ଼ ଇଞ୍ଜିନିଅରମାନଙ୍କୁ ଡକାଇ ତାଙ୍କ ମନ କଥା କହିଲେ । ଦି’ଥର ବୈଠକ ବସିଲା, ହେଲେ କିଛି ଫଇସଲା ହୋଇ ପାରିଲା ନାହିଁ । ଏପରି ଏକ କାମ ହାତକୁ ନେବାକୁ କେହି ସାହସ କଲେ ନାହିଁ । ଏଥିରେ ଦୁଃସାହସୀ ବିଜୁ ପଟ୍ଟନାୟକ ଦବି ଗଲେ ନାହିଁ । ସେ ଇଞ୍ଜିନିୟରମାନଙ୍କୁ ଡକାଇଲେ । ସେଦିନର ସେ ବୈଠକରେ ଯୋଗ ଦେଇଥିବା ଜଣେ ନିର୍ବାହୀ ଯନ୍ତ୍ରୀଙ୍କ କହିବା ଅନୁଯାୟୀ ମୁଖ୍ୟମନ୍ତ୍ରୀ ସେ ଅଞ୍ଚଳର ନକ୍ସା ଖୋଲି ଦଇତାରୀ ଓ ପାରାଦୀପ କେଉଁଠି ବୋଲି ଜାଣିବାକୁ ଚାହିଁଥିଲେ । ତା’ପରେ ନକ୍ସା ଉପରେ ଗୋଟିଏ ସ୍କେଲ ପକାଇ ନାଲି ପେନ୍‌ସିଲ୍‌ରେ ଦଇତାରୀରୁ ପାରାଦୀପକୁ ଗାରଟିଏ ଟାଣିଦେଲେ । ଉପସ୍ଥିତ ଇଞ୍ଜିନିୟରମାନଙ୍କୁ କହିଲେ, “ମୁଁ ଏହି ରାସ୍ତା ଚାହେଁ । ଏଥିପାଇଁ କେତେକ ଟଙ୍କା ଲାଗିବ ଓ ଏହା କେବେ ସରିବ ଶୀଘ୍ର କୁହ । ଶ୍ରୀ ପଟ୍ଟନାୟକ ଦୃଢ଼ତା ଓ ଆତ୍ମ ବିଶ୍ୱାସ ଆଗରେ କେହି ପାଟି ଫିଟାଇବାକୁ ସାହସ କଲେନାହିଁ । ଯେଉଁମାନେ ଏପରି କାମକୁ ଅସମ୍ଭବ ବୋଲି ପ୍ରଥମରୁ ମନେ କରୁଥିଲେ ସେହିମାନଙ୍କ ମନରେ ମୁଖ୍ୟମନ୍ତ୍ରୀ ନୂତନ ସାହସ ଓ ଶକ୍ତି ସଂଚାର ସୃଷ୍ଟି କରିଥିଲେ । ଶେଷରେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଏକ୍ସପ୍ରେସ୍ ହାଇୱେର ନିର୍ମାଣ କାମ ଶେଷ ହୋଇଥିଲେ ।

ଦୀର୍ଘ ସତେଇଶ ବର୍ଷର ବ୍ୟବଧାନ ପରେ ବିଜୁ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ପାଞ୍ଚବର୍ଷ କ୍ଷମତାରେ ଥିଲେ । ଏହି ସମୟରେ ମଧ୍ୟ ସେ ସାହସ ପ୍ରଦର୍ଶନ କରି କେତେକ ପଦକ୍ଷେପ ଗ୍ରହଣ କରିଥିଲେ । ସେତେବେଳେ ଦିନ ମଜୁରିଆମାନଙ୍କ ପାଇଁ ସର୍ବନିମ୍ନ ମଜୁରି ଏଗାର ଟଙ୍କା ଥିଲା କେତେକ ସ୍ଥଳରେ ସେ ମଜୁରି ମଧ୍ୟ ସେମାନଙ୍କୁ ମିଳୁ ନ ଥିଲା । ଏପରି ଏକ ସ୍ଥିତିରେ ବ୍ୟୟିତ ହୋଇ ରାଜ୍ୟରେ ପ୍ରଚଳିତ ସର୍ବନିମ୍ନ ମଜୁରିକୁ ବୃଦ୍ଧି କରିବା ପାଇଁ ସେ ସ୍ଥିର କଲେ । ଏଥିପାଇଁ ସରକାରୀ କିମ୍ବା ବିରୋଧୀ ଦଳ ପକ୍ଷରୁ କୌଣସି ଦାବି କରାଯାଇ ନ ଥିଲା ବେଳେ ବିଧାନସଭା ଅଧିବେଶନ ସମୟରେ ଦିନେ ରାଜ୍ୟରେ ସର୍ବନିମ୍ନ ମଜୁରି ଏଗାର ଟଙ୍କାରୁ ପଚିଶ ଟଙ୍କାକୁ ବୃଦ୍ଧି କରାଗଲା ବୋଲି ସେ ଘୋଷଣା କରିଦେଲେ । ଏଥିରେ ଅନ୍ୟ ମନ୍ତ୍ରୀମାନଙ୍କ ସହିତ ବିଧାୟକମାନେ ହତବାକ ହୋଇଯାଇଥିଲେ । ମାତ୍ର ମୁଖ୍ୟମନ୍ତ୍ରୀଙ୍କୁ ସେ ସମ୍ପର୍କରେ ପଚାରିବା ପାଇଁ କାହାର ସାହସ ନ ଥିଲା ।

ଜିଲ୍ଲାଗୁଡ଼ିକର ପୁନର୍ଗଠନ କରିବା ପାଇଁ ନିଷ୍ପତ୍ତି ଦେଇ ଶ୍ରୀ ପଟ୍ଟନାୟକ ତାଙ୍କ ସାହସିକତାର ପରିଚୟ ଦେଇଥିଲେ । ଶାସନର ବିକେନ୍ଦ୍ରୀକରଣ କରି ଶାସନ କଳକୁ ଲୋକଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଓଡ଼ିଶାରେ ଜିଲ୍ଲା ପୁନର୍ଗଠନ ପାଇଁ ଏକାଧିକ ଥର ଉଦ୍ୟମ ହୋଇଥିଲା । ଏଥିପାଇଁ ଅବସରପ୍ରାପ୍ତ ବିଚାରପତି ରାଜକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ତିନିଜଣିଆ କମିଶନ ଗଠନ କରାଯାଇଥିଲା । କମିଶନ ସମସ୍ତ ବିଷୟ ଅନୁଧ୍ୟାନ କରି ପୁରୀ, କଟକ, ଗଞ୍ଜାମ ଓ କୋରାପୁଟ ଜିଲ୍ଲାକୁ ବିଭାଜିତ କରି ଆଉ ଚାରୋଟି ନୂତନ ଜିଲ୍ଲା ସୃଷ୍ଟି ପାଇଁ ସୁପାରିଶ କରିଥିଲେ । ମାତ୍ର ସେପରି ଏକ ସ୍ପର୍ଶକାତର ପ୍ରଶ୍ନ ଉପରେ କୌଣସି ସରକାର କିଛି ନିଷ୍ପତ୍ତି ନେବାକୁ ଚାହିଁ ନ ଥିଲେ । ଶେଷରେ ୧୯୯୭ ମସିହାରେ ବିଜୁ ପଟ୍ଟନାୟକ ଜିଲ୍ଲାଗୁଡ଼ିକର ପୁନର୍ଗଠନ କରି ତେର ଜିଲ୍ଲାକୁ ତିରିଶ ଜିଲ୍ଲାରେ ପରିଣତ କରିଦେଲେ ।

ବିଜୁ ପଟ୍ଟନାୟକଙ୍କ ଦ୍ୱିତୀୟ ଥର ମନ୍ତ୍ରିମଣ୍ଡଳର ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରବର୍ତ୍ତନ ଓ ସେଥିରେ ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ । ଏପରିକି ଏଥିପାଇଁ ଜାତୀୟସ୍ତରରେ ସଂବିଧାନ ସଂଶୋଧନ ହେବାର ବହୁ ପୂର୍ବରୁ ଶ୍ରୀ ପଟ୍ଟନାୟକ ଏକ ନୋଟିଫିକେସନ ବଳରେ ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ନିମିତ୍ତ ନିଷ୍ପତ୍ତି ଦେଇଥିଲେ ।

‘କଳିଙ୍ଗ’ ଥିଲା ବିଜୁ ପଟ୍ଟନାୟକଙ୍କର ମାନସପୁତ୍ର । ସେଥିପାଇଁ ସେ ପ୍ରତିଷ୍ଠା କରିଥିଲେ କଳିଙ୍ଗ ଇଣ୍ଡଷ୍ଟ୍ରିଜ୍, କଳିଙ୍ଗ ଟ୍ୟୁବସ୍ସ, କଳିଙ୍ଗ ଏୟାର ଲାଇନ୍ସ ଏବଂ କଳିଙ୍ଗ ସମ୍ବାଦପତ୍ର । ତାଙ୍କର ସର୍ବଶ୍ରେଷ୍ଠ ଅବଦାନ ହେଉଛି “କଳିଙ୍ଗ ୟୁନୋସ୍କୋ ପୁରସ୍କାର” । ବିଜ୍ଞାନର ପ୍ରସାର ଓ ପ୍ରଚାର ନିମନ୍ତେ ୧୯୫୨ ମସିହାରେ ସେ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଚଳନ କରିଥିଲେ ।

ସମ୍ପାଦକ, ମିଡିଆ ଏକାଡ଼େମୀ, ଓଡ଼ିଶା

 

Leave a Reply

*