Blog

ଓଡ଼ିଶା ଇତିହାସର ଦ୍ୱିତୀୟ ଖାରବେଳ: ବିଜୁ ପଟ୍ଟନାୟକ

୧୯୫୧ର ବିଜାୟାନନ୍ଦ, ପରବର୍ତ୍ତୀ ସମୟରେ ବିଜୁ ପଟ୍ଟନାୟକ ନାମରେ ପରିଚିତ ହୋଇ ୧୯୫୧ରୁ ୧୯୯୭ ପର୍ଯ୍ୟନ୍ତ ଦୀର୍ଘ ୪୭ ବର୍ଷ ଧରି ରାଜନୈତିକ ଜୀବନର ସୁଦୀର୍ଘ ବନ୍ଧୁର ପଥ ଅତିକ୍ରମ କରିଥିଲେ। ସେ ଭିତରେ ସେ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ଏହା ତାଙ୍କର ଆତ୍ମସନ୍ତୋଷ ପାଇଁ ଯଥେଷ୍ଟ କାରଣ ହୋଇପାରି ନ ଥିଲା। ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ସେ ଓଡ଼ିଆବାସୀଙ୍କ ସୀମିତ ଆସ୍ପୃହାକୁ ଉଦ୍‌ଜୀବିତ କରାଇବା ଲକ୍ଷ୍ୟରେ ବହୁ ପ୍ରକାର ଯୋଜନାବଦ୍ଧ ଉଦ୍ୟମ ଜାରି ରଖିଥିଲେ।

ଶାନ୍ତନୁ କୁମାର ଆଚାର୍ଯ୍ୟ

ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଓ ତାଙ୍କ ପୁରୁଷାକାରକୁ ଆଧୁନିକ ଓଡ଼ିଶା ଇତିହାସର ପ୍ରସିଦ୍ଧ ନେତୃତ୍ୱବୃନ୍ଦଙ୍କ ମାନଦଣ୍ଡରେ ମାପିବାକୁ ବସିଲେ କୌଣସି ଜଣେ ହେଲେ ତାଙ୍କ ସମକକ୍ଷ ବୀର ଦୃଶ୍ୟମାନ ହୁଅନ୍ତି ନାହିଁ। କାରଣ ସେ ବୀର ପୁରୁଷଙ୍କ ସ୍ଥାନ ସାଂପ୍ରତିକ ଓଡ଼ିଶାର ରାଜନୈତିକ ମାନଚିତ୍ରରେ ନୁହେଁ ; ପ୍ରାଚୀନ ଐତିହାସିକ କଳିଙ୍ଗର ଆଗଙ୍ଗାଗୋଦାବରୀ ଚିହ୍ନିତ କଳିଙ୍ଗ ଦେଶର ମାନଚିତ୍ରରେ ହିଁ ତାଙ୍କ ସ୍ଥାନ ନିରୂପଣ କରାଯିବା ଉଚିତ!

ଓଡ଼ିଶା ପରିବର୍ତ୍ତେ କଳିଙ୍ଗ ନାମକରଣକୁ ସେ ଏଭଳି ବ୍ୟାପକ ଅର୍ଥରେ ପ୍ରଚାର ଓ ପ୍ରସାର କରିଯାଇଛନ୍ତି ଯାହା ତାଙ୍କର ନିଜସ୍ୱ ପରିଚୟକୁ ସ୍ଥାନ ଓ କାଳର ଏକ କ୍ଷୁଦ୍ର ପରିସୀମାରେ ଆବଦ୍ଧ କରି ପାରେନା; ତାହାର ପରିସୀମା ବହୁ ବ୍ୟାପକ ଏବଂ ବହୁ ଅର୍ଥପୂର୍ଣ୍ଣ ଭୂଗୋଳ ଓ ଇତିହାସର ଆଲୋଚନା ଦାବି କରେ।

୧୯୫୧ ରେ ବିଜୁ ପଟ୍ଟନାୟକ ପ୍ରଥମେ ଏଇ କଳିଙ୍ଗ ନାମକୁ ଆନ୍ତର୍ଜାତିକ ସ୍ତରରେ ପରିଚିତ କରାଇବାର ପ୍ରଚେଷ୍ଟା କରିଥିଲେ। ତାଙ୍କ ପୂର୍ବରୁ ଏଇ ନାମ କେବଳ ଏକ ସଂଗ୍ରହାଳୟର ନିର୍ଜୀବ ସାମଗ୍ରୀ ଭାବେ ଇତିହାସ ପୃଷ୍ଠା ମଣ୍ଡନ କରୁଥିଲା। କିନ୍ତୁ ୧୯୫୧ ପରେ ଏଥିରେ ଜୀବନୀ ଶକ୍ତି ସଞ୍ଚାର ହେଲା। ଏହା ସମ୍ଭବ ହୋଇ ପାରିଥିଲା କେବଳ ଜଣେ ବ୍ୟକ୍ତିର ଅନ୍ତର୍ନିହିତ ଭାବାବେଗ ବଳରେ। ଏହାର ପ୍ରମାଣ ଖୋଜିବାକୁ ଇଚ୍ଛୁକ ଯେକେହି ବ୍ୟକ୍ତି ତାଙ୍କ ହାତ ପାହାନ୍ତାରେ ଥିବା ସ୍ମାର୍ଟଫୋନକୁ “ଗୁଗୁଲ୍” ମାଧ୍ୟମରେ ପ୍ରଶ୍ନ କଲେ ଏହି ଉତ୍ତରଟି ତାଙ୍କୁ ତତ୍‌କ୍ଷଣାତ୍ ମିଳିଯିବ-

“The UNESCO Kalinga Prize for Popularization of Science is an International distinction created by UNESCO in 1951 following a donation from Mr Bijoyanand Patnaik Founder and President of Kalinga Foundation Trust in India”

ଏଇ ଗୋଟିଏ ମାତ୍ର ଉଲ୍ଲେଖ ଯଥେଷ୍ଟ– ଏହାର ପ୍ରତିଷ୍ଠାତାଙ୍କ ନିଜସ୍ୱ ବ୍ୟକ୍ତିତ୍ୱ ଓ ଏହାର ପୃଷ୍ଠଭୂମିରେ ଥିବା ତାଙ୍କର ଗଗନଶ୍ଚୁମ୍ଭୀ ଅଭୀପ୍ସାର ପରିସର ଆକଳନ କରିବାକୁ।

୧୯୫୧ରେ ତାଙ୍କର ବୟସ ୩୫ବର୍ଷ ମାତ୍ର। ସେତେବେଳେ ସେ ଥିଲେ ଓଡ଼ିଶା ବିଧାନସଭାର ଜଣେ ସାଧାରଣ ସଭ୍ୟ। ସେତେବେଳେ ବିଧାନ ସଭାଗୃହ ସ୍ଥାନିତ ହୋଇଥିଲା କଟକର ରେଭେନ୍‌ସା କଲେଜର ଏକ ପାଶ୍ୱର୍ରେ ଅବସ୍ଥିତ ଗୋଟିଏ ବଡ ହଲ୍ ଭଳି କକ୍ଷରେ। ସେ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ଶ୍ରୀ ନବକୃଷ୍ଣ ଚୌଧୁରୀ। ଉଲ୍ଲେଖନୀୟ ଯେ ଏହି ସମୟକୁ ମୁଁ ଥିଲି ରେଭେନ୍‌ସା କଲେଜର ଛାତ୍ର, ତୃତୀୟ ବାର୍ଷିକ (ବିଜ୍ଞାନ) ଶ୍ରେଣୀର। ମୋର ସୌଭାଗ୍ୟ ଯେ ମୋର ଛାତ୍ରାବସ୍ଥା ତଥା ଶିକ୍ଷା ବିଭାଗରେ ଦୀର୍ଘ ବର୍ଷ ଧରି ଅଧ୍ୟାପନା ଓ ପ୍ରଶାସନିକ ସେବା କାଳରେ ମୁଁ ଏହି ଐତିହାସିକ ପରୁଷଙ୍କ ନିକଟ ସମ୍ପର୍କରେ ଆସିଥିଲି ଏବଂ ଏହାଙ୍କ ସହିତ ବାରମ୍ବାର ମତ ବିନିମୟର ସୁଯୋଗ ଲାଭ କରିଥିଲି।

୧୯୫୧, ଯେଉଁ ବର୍ଷ ୟୁନେସ୍କୋରେ କଳିଙ୍ଗ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା ସେଇ ସମୟରେ ଓଡ଼ିଶାର ରାଜନୈତିକ ବାତାବରଣ ଆଜିପରି ଏଭଳି କଳୁଷିତ ହୋଇନଥିଲା। ସେତେବେଳେ ଓଡ଼ିଶା ବିଧାନସଭାରେ ସଭ୍ୟପଦ ଥିଲା ବହୁ ସମ୍ମାନଜନକ। ଏଥିରେ ସଭ୍ୟ ହେବାକୁ ବହୁ ଉଚ୍ଚଶିକ୍ଷିତ ବ୍ୟକ୍ତି ଲାଳାୟିତ ହେଉଥିଲେ। ଏହାର ପ୍ରମାଣ ୧୯୫୨-୫୭ ବିଧାନ ସଭାର ସଭ୍ୟ ତାଲିକାରେ ଅନେକ ପ୍ରସିଦ୍ଧ ବ୍ୟକ୍ତିବିଶେଷଙ୍କ ନାମ ଦେଖିବାକୁ ମିଳେ। ସେମାନଙ୍କ ଭିତରେ ସର୍ବାଧିକ ଦୃଶ୍ୟମାନ ଥିଲେ- ଡକ୍ଟର ପ୍ରାଣକୃଷ୍ଣ ପରିଜା। ଜଣେ ବିଶିଷ୍ଟ ବୈଜ୍ଞାନିକ ଭାବେ ଡକ୍ଟର ପରିଜାଙ୍କ ଖ୍ୟାତି ବିଶ୍ୱସ୍ତରର। ଓଡିଶା ବିଧାନ ସଭାର ସଭ୍ୟଭାବେ ୧୯୫୨ରୁ ୧୯୫୭ ପର୍ଯ୍ୟନ୍ତ ସେ ଓଡ଼ିଶାବାସୀଙ୍କ ସେବା କରିଥିଲେ। ତାଙ୍କ ପରି ଆହୁରି ଅନେକ ଜ୍ଞାନୀଗୁଣି ଧନୀମାନୀ ବ୍ୟକ୍ତିବିଶେଷ ସେଇ ବିଧାନସଭା ଗୃହର ସଭ୍ୟ ଆସନ ମଣ୍ଡନ କରୁଥିଲେ। କିନ୍ତୁ କାହିଁ? ସେବେଳର ଅନ୍ୟ କେହି ଜଣେ ହେଲେ ଜ୍ଞାନୀଗୁଣିଧନୀମାନୀଙ୍କ ମୁଣ୍ଡରେ ତ ପଶିନଥିଲା, ତତ୍କାଳୀନ କଂଗ୍ରେସୀ ରାଜନୀତିରେ ଓଡ଼ିଶା ଭଳି ଏକ ଅବହେଳିତ ରାଜ୍ୟର ଯଥାର୍ଥ ପରିଚୟ ପାଇଁ ତା’ର ନାମ ଫଳକରେ ଓଡ଼ିଶା ନାମ ସାଙ୍ଗରେ “କଳିଙ୍ଗ” ଭଳି ଏକ ଇତିହାସ ପ୍ରସିଦ୍ଧ ନାମକୁ ଏପରି ସମ୍ମାନଜନକ ପଦବୀ ଭାବେ ଯୋଡିଦେବାକୁ, ଯାହାଫଳରେ ଏଇ ଅବହେଳିତ ରାଜ୍ୟର ଅଧିବାସୀଙ୍କ ପାଇଁ ଏକ ମର୍ଯ୍ୟଦାବନ୍ତ ବିଶ୍ୱପରିଚୟ ମିଳିପାରିଥାନ୍ତା ଆନ୍ତର୍ଜାତିକ ସ୍ତରରେ?

କିନ୍ତୁ ୩୫ ବର୍ଷର ଯୁବକ ବିଜୟାନନ୍ଦଙ୍କୁ ଘାରୁଥିଲା କିପରି ମଧୁବାବୁଙ୍କ ସମୟରେ କଲିକତା ରାଜରାସ୍ତାରେ ବିଚରା ଶ୍ରମଜୀବୀ ଓଡ଼ିଆ କୁଲିଙ୍କ ପ୍ରତି ସ୍ଥାନୀୟ ଅଧିବାସୀଙ୍କ ତୁଣ୍ଡରେ ଖେଳୁଥିବା ନିର୍ମମ ଗାଳି “ଭାରବାହୀ ପଶୁ” ଉପାଧିକୁ ଇତିହାସ ପୃଷ୍ଠାରୁ ଚିରକାଳ ପାଇଁ ପୋଛିଦେଇ ସେମାନଙ୍କୁ ସେମାନଙ୍କର ନାଯ୍ୟ ପରିଚୟ ସମ୍ମାନସୂଚକ ପଦ “କଳିଙ୍ଗାଃ ସାହସିକାଃ” ଦ୍ୱାରା ପୁନର୍ବାର ପରିଚିତ ଓ ପ୍ରତିଷ୍ଠିତ କରାଇବାକୁ। ସେଇ ଥିଲା କାରଣ ଯାହା ପାଇଁ ସ୍ୱୋପାର୍ଜିତ ଧନରେ ସେ ୟୁନେସ୍କୋ ଭଳି ଏକ ବିଶ୍ୱସ୍ତରୀୟ ସାଂସ୍କୃତିକ ମର୍ଯ୍ୟଦାବନ୍ତ ସଂସ୍ଥା ମାଧ୍ୟମରେ, ଓଡ଼ିଆଙ୍କ ମର୍ଯ୍ୟଦାର ପୁନଃପ୍ରତିଷ୍ଠା ପାଇଁ, ସେଭଳି ଏକ ଉଚ୍ଚାଭିଳିଷୀ ଉଦ୍ୟମ କରିଥିଲେ- କଳିଙ୍ଗ ପୁରସ୍କାର ପାଇଁ ଏକ ଫାଉଣ୍ଡେସନ ପ୍ରତିଷ୍ଠା ମାଧ୍ୟମରେ।

୧୯୫୧ର ବିଜାୟାନନ୍ଦ, ପରବର୍ତ୍ତୀ ସମୟରେ ବିଜୁ ପଟ୍ଟନାୟକ ନାମରେ ପରିଚିତ ହୋଇ ୧୯୫୧ରୁ ୧୯୯୭ ପର୍ଯ୍ୟନ୍ତ ଦୀର୍ଘ ୪୭ ବର୍ଷ ଧରି ରାଜନୈତିକ ଜୀବନର ସୁଦୀର୍ଘ ବନ୍ଧୁର ପଥ ଅତିକ୍ରମ କରିଥିଲେ। ସେ ଭିତରେ ସେ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ଏହା ତାଙ୍କର ଆତ୍ମସନ୍ତୋଷ ପାଇଁ ଯଥେଷ୍ଟ କାରଣ ହୋଇପାରି ନ ଥିଲା। ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ସେ ଓଡ଼ିଆବାସୀଙ୍କ ସୀମିତ ଆସ୍ପୃହାକୁ ଉଦ୍‌ଜୀବିତ କରାଇବା ଲକ୍ଷ୍ୟରେ ବହୁ ପ୍ରକାର ଯୋଜନାବଦ୍ଧ ଉଦ୍ୟମ ଜାରି ରଖିଥିଲେ।

ସେ ଭିତରୁ ପ୍ରମୁଖ ଉଦ୍ୟମଟି ଥିଲା ପାରାଦୀପରେ ଏକ ଆଧୁନିକ ବନ୍ଦର ସ୍ଥାପନ। ସେଥିପାଇଁ ତାଙ୍କୁ କମ୍ ହଟହଟା ହେବାକୁ ପଡି ନ ଥିଲା। ତେବେ ପାରାଦୀପରେ ବନ୍ଦର ସ୍ଥାପନା ପଛରେ ତାଙ୍କର ଯାହାକିଛି ଉଦେ୍ଦଶ୍ୟ ଥାଉ ପଛେ ଗୋଟିଏ ପ୍ରେରଣା କିନ୍ତୁ ସୁସ୍ପଷ୍ଟ ହୋଇପଡେ- ତାହା ହେଉଛି ବିଶ୍ୱଦୃଷ୍ଟିରେ ଓଡ଼ିଆ ଜାତିର ଯଥାର୍ଥ ଟେକର ପ୍ରମାଣ ପାଇଁ ଆଜୀବନ ବ୍ୟକୁଳତା। ପ୍ରାଚୀନ କଳିଙ୍ଗର ଗୌରବାବହ ଇତିହାସରେ ନୌବାଣିଜ୍ୟ ଯେ କଳିଙ୍ଗର ଅନ୍ୟତମ ସମ୍ମାନଜନକ ପରିଚୟ ପତ୍ର ଏହା ସେ ଅଙ୍ଗେଅଙ୍ଗେ ଅନୁଭବ କରିପାରୁଥିଲେ। ଏହି ବ୍ୟାକୁଳତା ବଶତଃ ସେ ଏକଦା ଏକ ବୋଇତ ବନ୍ଦାଣ ପର୍ବ ଉପଲେକ୍ଷ ଏକ ଅଭିନବ ଯୋଜନା କାର୍ଯ୍ୟକାରୀ କରାଇ ପ୍ରମାଣ କରିଥିଲେ ଯେ ଓଡ଼ିଆମାନେ ବାସ୍ତବରେ ଥିଲେ ଏକ ସାହସୀ ଜାତି ଯେଉଁମାନେ ସାମୁଦ୍ରିକ ଅଭିଯାନକୁ ଏକ ଲାଭକାରୀ ବ୍ୟବସାୟରେ ପରିଣତ କରି ହଜାରହଜାର ବର୍ଷ ପ୍ରାଚ୍ୟ ଏସିଆର ପ୍ରାୟ ସମସ୍ତ ଦେଶ ସହିତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଥିଲେ। ଆଉ, ଏ ଅଭିଯାନ ୧୪୯୨ରେ କଲମ୍ବସ ବା ୧୪୯୮ରେ ଭାସ୍କୋଡାଗାମାଙ୍କ ଭାରତକୁ ଜଳପଥ ଆବିଷ୍କାରର ବହୁବହୁ ଶତାବ୍ଦୀ ପୂର୍ବରୁ କଳିଙ୍ଗ ସାଧବମାନେ ସାଧ୍ୟ କରିସାରଥିଲେ। ଏହାର ପ୍ରମାଣ ସେ ଏକ ପ୍ରାକ୍ଟିକାଲ ଡିମନଷ୍ଟ୍ରେସନ ଦ୍ୱାରା ସାରା ବିଶ୍ୱକୁ ଦର୍ଶାଇ ପାରିଥିଲେ। ୧୯୯୦ରୁ ୧୯୯୫ ମଧ୍ୟରେ ତାଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ସେ ଥରେ ଏକ ବୋଇତ ବନ୍ଦାଣ ଉତ୍ସବ ମାଧ୍ୟମରେ ଏକ ଛୋଟ ପାଲଟଣା ବୋଇତକୁ ପାରାଦୀପ ବନ୍ଦରରରୁ ସିଧା ପଠେଇ ଦେଇଥଲେ ସୁଦୂର ଇଣ୍ଡୋନେସିଆର ବାଲିକୁ । ସେ ବୋଇତରେ ସବାର ହେଇଥିଲେ ଆଧୁନିକ ଓଡ଼ିଆ ନୌଚାଳକମାନେ। ସେମାନଙ୍କ ଭିତରେ ପ୍ରମୁଖ ନୌଚାଳକ ଥିଲେ ଜଣେ ଓଡ଼ିଆ ଝିଅ – ନିବେଦିତା ଆଚାର୍ଯ୍ୟ (ମୋ ନିଜ ଝିଆରି)।

ବିଜୁବାବୁଙ୍କ ଏସବୁ କାର୍ଯ୍ୟକଳାପ ଅନ୍ୟକୌଣସି ଓଡିଆ ମୁଖ୍ୟମନ୍ତ୍ରୀଙ୍କ ସମୟରେ ସମ୍ଭବ ହୋଇନଥାନ୍ତା ନିଶ୍ଚୟ। କାରଣ ସେମାନେ ଥିଲେ ଓଡ଼ିଶା ରାଜନୀତିର ନିର୍ଦ୍ଦିଷ୍ଟ ପରିସର ଭିତରେ ଆବଦ୍ଧ ରାଜନୈତିକ ବ୍ୟକ୍ତି ବିଶେଷ। କିନ୍ତୁ କଳିଙ୍ଗ ପୁରସ୍କାର ସମ୍ପର୍କରେ ୟୁନେସ୍କୋ ଘୋଷଣା ପତ୍ରରେ ପ୍ରକାଶିତ ବିଜୟାନନ୍ଦ ପଟ୍ଟନାୟକ କେବଳ ଜଣେ ଓଡିଆ ରାଜନୀତିଜ୍ଞ ନୁହନ୍ତି; ସେ ଥିଲେ କଳିଙ୍ଗ ବୀର ବିଜୁ ପଟ୍ଟନାୟକ!

ବିଜୁଙ୍କ ଏଭଳି ଅଜବ କଳିଙ୍ଗପ୍ରୀତିର ମର୍ମକଥାଟି ତେବେ କ’ଣ? ଏଇ ପ୍ରଶ୍ନ ମୁଁ ଅନେକବାର ମତେ ପଚାରେ। ସେଥିରୁ ଯେଉଁ ଉତ୍ତର ମତେ ମିଳିଛି ତାର ସଂକ୍ଷିପ୍ତ ସୂଚନା ଏହିପରି-

ବିଜୁଙ୍କ ଜନ୍ମ ୧୯୧୬ ବେଳକୁ ବ୍ରିଟିଶ ଅଧୀକୃତ ଭାରତବର୍ଷରେ ଗୋଟାଏ ଭୌଗୋଳିକ ଅଞ୍ଚଳରେ ଯାହା ଓଡ଼ିଶାରେ ଭିତରେ ଥାଇ ମଧ୍ୟ ରାଜନୈତିକ ଦୃଷ୍ଟିରୁ ଚିହ୍ନିତ ହୁଏ ତତ୍କାଳୀନ ବେଙ୍ଗଲ ପ୍ରେସିଡେନ୍ସିର ମାନଚିତ୍ରରେ। ଓଡ଼ିଶା ମାନଚିତ୍ର ପ୍ରଥମ ଥର ପାଇଁ ଅଙ୍କିତ ହେଲା ୧୯୩୬ ଏପ୍ରିଲ ପହିଲାରେ। ସେତେବେଳେ ଓଡ଼ିଶା କହିଲେ ମୁଖ୍ୟତଃ ଉପକୂଳ ଅଞ୍ଚଳର କେତୋଟି ଓଡ଼ିଆ ଭାଷାଭାଷୀ ଅଞ୍ଚଳ ସମେତ ଗଞ୍ଜାମ କୋରାପୁଟ ଓ ସମ୍ବଲପୁରକୁ ମିଶାଇ ମାତ୍ର ଛ’ଟି ଜିଲାକୁ ବୁଝାଉଥିଲା। ପରବର୍ତୀ ସମୟରେ ୧୩ଟି ଜିଲା ଓ ସଂପ୍ରତି ୩୦ ଜିଲା ସମ୍ବଳିତ ଆଜିର ବିଶାଳ ଓଡ଼ିଶା ପ୍ରଦେଶ ଗଠିତ ହେବା ପାଇଁ ସୁଯୋଗ ଆସିଥିଲା ବହୁତ ପଛରେ, ୧୯୪୮ରେ ଗଡଜାତ ମିଶ୍ରଣ ପରେ। ତେଣୁ ତାଙ୍କ ଜନ୍ମ ବେଳକୁ ବିଜୁ ପଟ୍ଟାନୟକଙ୍କ ପାଇଁ ଓଡ଼ିଶାର ପରିଚୟ ତତ୍‌କାଳିକ ଭାରତ ମାନଚିତ୍ରରେ ନଥିଲା; ଥିଲା ଇତିହାସ ପୃଷ୍ଠାରେ। ସେଇ ଇତିହାସକୁ କୁହାଯାଉଥିଲା କଳିଙ୍ଗର ଇତିହାସ। କଳିଙ୍ଗ ଶବ୍ଦର ତାତ୍ପର୍ଯ୍ୟ ଆଜିର ଓଡ଼ିଶା ଭୂଖଣ୍ଡର ତାତ୍ପର୍ଯ୍ୟଠାରୁ ଢେରଢେର ଉଚ୍ଚରେ ଯାହାକୁ ନେଇ ବିଜୁବାବୁଙ୍କ ଭଳି ଜଣେ ସ୍ୱାଭିମାନୀ ବ୍ୟକ୍ତି ଯଥାର୍ଥରେ ଗର୍ବିତ ହେବା ପାଇଁ ଯଥେଷ୍ଟ କାରଣ ଥିଲା। କିନ୍ତୁ ସେଇ କଳିଙ୍ଗର ସ୍ମୃତିକୁ କଳିଙ୍ଗବାସୀ ଓଡିଆଙ୍କ ମନରୁ ସମ୍ପୂର୍ଣ୍ଣ ଭାବେ ପୋଛି ଦେବା ପାଇଁ ୧୮୦୩ରେ ଓଡ଼ିଶାକୁ ବଳପୂର୍ବକ ପ୍ରବେଶ କରି ନିଜ ଆସନକୁ ସୁଦୃଢ କରିବାକୁ ଚେଷ୍ଟିତ ଉପନିବେଶବାଦୀ ବ୍ରିଟିଶ ଶାସକମାନେ କଳିଙ୍ଗ ସାମ୍ରାଜ୍ୟର ଅବଶିଷ୍ଟାଂଶଟିକୁ ଖଣ୍ଡଖଣ୍ଡ କରି ଅନୁରକ୍ତ ପଡୋଶୀରାଜ୍ୟମାନଙ୍କ ଭିତରେ ବଧ୍ୟ ପଶୁର ମାଂସକୁ ଶାଗୁଆତି ଭଳି ବାଣ୍ଟିବା ପରି ବାଣ୍ଟି ଦେଇଥିଲେ।

୧୯୧୬ ଅପ୍ରେଲ ୫ ତାରିଖରେ ବିଜୁ ପଟ୍ଟନାୟକ କଟକ ମାଟିରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କ ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ମାତା ଆଶାଲତା ନିଜକୁ ମୋଗଲବନ୍ଦିଆ କଟକୀ ଲୋକ ଭାବେ ବିଚାର କରୁ ନ ଥିଲେ। କାରଣ ତାଙ୍କ ପୈତୃକ ଜନ୍ମସ୍ଥାନ ହେଉଛି ଜି. ନୂଆଗାଁ, ଭଞ୍ଜନଗର ସନ୍ନିକଟ, ଗଞ୍ଜାମ ଜିଲାରେ; ଖୋଦ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମସ୍ଥାନ କୁଲାଡ ଆଖପାଖରେ। ତେଣୁ ସେମାନଙ୍କ ରକ୍ତରେ ବା ଜିନ୍‌ରେ ଭଞ୍ଜୀୟ ସ୍ୱାଭିମାନ ଯେ ଭରପୂର ଥିଲା -ଏହା କହିବା ବାହୁଲ୍ୟମାତ୍ର। ଐତିହାସିକ କାରଣରୁ ପ୍ରାଚୀନ କଳିଙ୍ଗ ସାମ୍ରାଜ୍ୟ ବିଂଶ ଶତାବ୍ଦୀ ସୁଦ୍ଧା ଖଣ୍ଡବିଖଣ୍ଡିତ ହୋଇ ଉତ୍କଳ, କୋଶଳ, ତୋଷଳ, କଂଗୋଦ ପ୍ରଭୃତି ବହୁ ନାମରେ ପରିଚିତ ହୋଇ ସାରିଥିଲେ ସୁଦ୍ଧା ରୁଷିକୂଲ୍ୟା ନଦୀର ଦକ୍ଷିଣାଂଶର ଓଡ଼ିଶା ଏବଂ ଆନ୍ଧ୍ରର ବିଶାଖାପାଟଣା ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳକୁ ପ୍ରାଚୀନ କଳିଙ୍ଗର ଅଂଶ ବିଶେଷ ରୂପେ ଆଜି ମଧ୍ୟ ଚିହ୍ନିତ କରାଯାଏ। ତେବେ ଇତିହାସର କଳିଙ୍ଗର ସୀମା ଯେ ଆହୁରି ବିସ୍ତୃତ ଏହା ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ରାଜସଭାର ବିଖ୍ୟାତ ଗ୍ରୀକ୍ ଐତିହାସିକ ମେଘାସ୍ଥିନିସ୍‌ଙ୍କ ଇତିହାସ ପୁସ୍ତକରୁ ମିଳେ “ଗଙ୍ଗା ରିଡେସ୍ ଗୋଦାବରୀ” ଅର୍ଥାତ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ଏକ ବିସ୍ତୀର୍ଣ୍ଣ ସାମ୍ରାଜ୍ୟ ସମ୍ପର୍କରେ ଥିବା ଉଲ୍ଲେଖରୁ। ସେହି ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସମୟରେ କଳିଙ୍ଗକୁ ଏକ ଅପରାଜେୟ ସାମ୍ରାଜ୍ୟ ଭାବେ ମଧ୍ୟ ବିଚାର କରାଯିବାର ନଜିର ରହିଚି। ସେହି କାରଣରୁ, ଏ ରାଜ୍ୟର ଅତୁଳନୀୟ ଐଶ୍ୱର୍ଯ୍ୟ ପ୍ରତିବେଶୀ ରାଜ୍ୟମାନଙ୍କ ପକ୍ଷରେ ଥିଲା ଦୁର୍ବିସହ୍ୟ। ଏହାହିଁ କାରଣ, ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ, ମଗଧ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଦୁର୍ଦ୍ଦାନ୍ତ ନାତି ଅଶୋକ ଏହି ଅପରାଜେୟ ପ୍ରତିବେଶୀ ସାମ୍ରାଜ୍ୟ କଳିଙ୍ଗ ପ୍ରତି ଈର୍ଷାନ୍ୱିତ ହୋଇ ଏହାର ସର୍ବନାଶ ବିଧାନର ପଣନେଇ ଏକ ଚରମ ବିନାଶକାରୀ କଳିଙ୍ଗ ଯୁଦ୍ଧ ଭିଆଇ ବସିଲେ ଯେଉଁଥିରେ କେବଳ କଳିଙ୍ଗ ନୁହେଁ ତାଙ୍କ ନିଜ ପକ୍ଷର ମଧ୍ୟ ସର୍ବନାଶ ଘଟିଥିଲା,ଯେଉଁ କାରଣରୁ ସେ ନିଜ ହାତର ରକ୍ତାକ୍ତ ତରବାରିକୁ ଧଉଳି ପାହାଡ ପାଦଦେଶରେ ପ୍ରବାହିତ ଦୟାନଦୀ ବକ୍ଷକୁ ନିକ୍ଷେପ କରିଥିଲେ। ଶେଷରେ ଅସହାୟ ଅବସ୍ଥାରେ ସେ ଉପଗୁପ୍ତ ନାମକ ଜଣେ ସ୍ଥାନୀୟ ବୌଦ୍ଧ ଭିକ୍ଷୁଙ୍କ ଶରଣାପନ୍ନ ହୋଇଥିଲେ ଏବଂ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରି ସାରା ପୃଥିବୀରେ ବୌଦ୍ଧଧର୍ମ ପ୍ରବର୍ତ୍ତନ ଲକ୍ଷ୍ୟରେ ଜୀବନର ବାକିତକ ସମୟ ବିନିଯୋଗ କରିଥିଲେ।

ଆଶୋକଙ୍କ ଦ୍ୱାରା କଳିଙ୍ଗ ବିଜୟର ଏହି ଐତିହାସିକ ବାସ୍ତବତାକୁ ବିଜୁ ପଟ୍ଟନାୟକ ଆଦୌ ହଜମ କରିପାରୁ ନ ଥିଲେ। କୁହାଯାଏ ଏକାଧିକ ଥର ସେ ଏ ସମ୍ପର୍କରେ ଆମ ସମୟର ପ୍ରବୀଣ ଐତିହାସିକମାନଙ୍କ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ସେମାନଙ୍କଠାରୁ ମିଳୁଥିବା ମତାମତକୁ ପ୍ରକାଶ୍ୟରେ ଉପେକ୍ଷା କରି ପଚାରୁଥିଲେ- “ତମେମାନେ ଏ ସବୁ ତଥ୍ୟ କୋଉଠୁ ପାଇଲ? ନିଜେ ଅଶୋକ ନିଜ କୀର୍ତି ସମ୍ପର୍କରେ ଯାହା କିଛି ଲେଖିଦେଇ ଯାଇଚି ପଥରରେ – ତାକୁ ପରା ତମେ କହୁଚ Inscription? ସେ ଲେଖାଟା ଯଦି ସତ ତେବେ ଅଶୋକ କାହିଁକି ସ୍ୱୀକାର ନକଲା ସେତେବେଳେ କଳିଙ୍ଗର କୋଉ ରାଜା ସାଙ୍ଗରେ ତାର ଯୁଦ୍ଧ ହୋଇଥିଲା? ଶତ୍ରୁର ନାଁ ଟାକୁ ଭୁଲିଗଲା କେମିତି? ପୁଣି ଲେଖିଚି କୁଆଡେ କଳିଙ୍ଗର ପାଞ୍ଚଲକ୍ଷ ଲୋକଙ୍କୁ ମାରିଚି, ହାଣିଚି, ଲାପତ୍ତା କରେଇ ଦେଇଚି ତେବେ ତା ନିଜ ପକ୍ଷର କେତେ ଲକ୍ଷ ମଗଧ ସୈନ୍ୟ ମଲେ, ଗଲେ, ଘାଇଲା ହେଲେ କାହିଁକି ସେକଥା ତ କୋଉ ଶିଳାଲିପିରେ ସେ ଲେଖିଲା ନାହିଁ! ତମେ ଐତିହାସିକମାନେ ଏ ବିଷୟରେ ନିଜକୁ ଥରେ ପଚାରିଚ? ଗବେଷଣା କରିଚ ନା ଖାଲି ଶୁଆଭଳି ସେଇ ବିଦେଶୀ ଗୋରା ଲୋକଙ୍କ କଥାରେ ମାତିଚ? ଆରେ! ତମେମାନେ ଯଦି ନିଜର କମନସେନ୍ସ ବ୍ୟବହାର କରିଥାନ୍ତ ତେବେ ନିଶ୍ଚୟ ଏ ପ୍ରଶ୍ନର ଉଚିତ ଜବାବ ସେଇ ଇତିହାସ ଭିତରୁ ହାସଲ କରିଥାନ୍ତ। ତା’ ନ କରି ଖାଲି ଗୁଡାଏ ପଣ୍ଡିତିଆ କଥାରେ ମାତି ନଥାନ୍ତ। ମୁଁ ପଚାରୁଚି ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ କଳିଙ୍ଗର ଲୋକସଂଖ୍ୟା କେତେ ଥିବ ଯେ ପାଞ୍ଚଲକ୍ଷ ସୈନ୍ୟଙ୍କୁ ମାରିପକେଇଲା ଅଶୋକ? କେତେ ବର୍ଷ ଲାଗିଥିଲା ପାଞ୍ଚ ଲକ୍ଷଲୋକଙ୍କୁ ଯୁଦ୍ଧରେ ମାରିବାକୁ। ସେତେବେଳେ କୋଉ ଅସ୍ତ୍ରଶସ୍ତ୍ର ବ୍ୟବହାର ହଉଥିଲା ଯୁଦ୍ଧରେ? ଧନୁଶର, ଖଣ୍ଡା ତଲବାର ନା ଆଟମ ବମ୍? Weapons of mass destruction ଥିଲା ସେ ସମୟରେ ? ପାଞ୍ଚଲକ୍ଷ ଲୋକଙ୍କୁ ଧନୁତୀର ଓ ଖଣ୍ଡାରେ ହାଣି ମାରିବାକୁ କେତେ ବର୍ଷ ଲାଗିଥିଲା? ତା’ର ପ୍ରମାଣ ପାଇଚ ଇତିହାସରୁ? ସେଥିପାଇଁ ଦରକାର ଅଟୋମାଟିକ ରାଇଫଲ୍, ବମ୍ବ୍, ଗ୍ରେନେଡ, ଆର୍ଟିଲେରି ଗନ୍.. ତମେ ଇତିହାସ ବାଲା ଯଦି Science ପଢିଥାନ୍ତ ତାହେଲେ ସିନା ଜାଣନ୍ତି? ଯଦି ଜାଣନା ତେବେ ଇତିହାସର ମିଛକୁ ସତ ନାଁରେ ଅପପ୍ରଚାର ବନ୍ଦ କର!”

ଏହା ପରେପରେ ବିଜୁ ପଟ୍ଟନାୟକ ଆରମ୍ଭ କଲେ ଓଡ଼ିଶା ଇତିହାସରୁ ତଥ୍ୟ ନେଇ କଳିଙ୍ଗର ପରମ ଶତ୍ରୁ ଅଶୋକଙ୍କ ସମକକ୍ଷ ଜଣେ କଳିଙ୍ଗର ବୀର ପୁରୁଷଙ୍କ ସନ୍ଧାନରେ। ଅବିଳମ୍ବେ ତାଙ୍କ ଦୃଷ୍ଟିକୁ ଆସିଲେ ସମ୍ରାଟ ଖାରବେଳ ଯାହାଙ୍କ ଉପାଧି “କଳିଙ୍ଗାଧିପତି” ବୋଲି ଖଣ୍ଡଗିରି ହାତୀଗୁମ୍ଫା ଶିଳାଲିପିରେ ଉତ୍କୀର୍ଣ୍ଣ ହୋଇଛି ଜାଣିବା ମାତ୍ରେ ସେ ସତେକି ତାଙ୍କର ସ୍ୱପ୍ନର ସତ୍ୟତାକୁ ପାଇଗଲେ ନିଜ ହାତପାହାନ୍ତିରେ। ପୁଣି ସେଇ ଶିଳାଲିପିରେ ଉଲ୍ଲେଖ ଅଛି ୧ମ ଶତାବ୍ଦୀରେ କଳିଙ୍ଗାଧିପତି ସମ୍ରାଟ ଖାରବେଳ ମଗଧ ବିଜୟ କରିଥିଲେ! ପୁଣି, ମଗଧ ବିଜୟ ଅଭିଯାନ ଲକ୍ଷ୍ୟ ସମ୍ପୂର୍ଣ୍ଣ କରିବା ପୂର୍ବରୁ ସେ ଶୁଣିବାକୁ ପାଇଲେ ଯେ ବର୍ହିଶତ୍ରୁ ଯବନମାନେ ପୁନର୍ବାର ଶକ୍ତିଶାଳୀ ହୋଇ ଉଠିଛନ୍ତି ଏବଂ ସେମାନେ ଭାରତର ଅନ୍ତବର୍ତୀ ବହୁ ଅଞ୍ଚଳ ଦଖଲ କରିସାରି ଶେଷରେ ମଥୁରା ମଧ୍ୟ ଅଧିକାର କରିଲେଲେଣି। ତେଣୁ ସେ ମଗଧର ରାଜଧାନୀ ପାଟଳିପୁତ୍ରର ଅନତିଦୂର ଗୋରଥ ଗିରିଠାରୁ ତାଙ୍କ ବିଶାଳ କଳିଙ୍ଗ ସେନାବାହିନୀକୁ ମଥୁରା ଅଭିମୁଖେ ପରିଚାଳନା କରାଇଲେ। ସେଠାରୁ ଯବନମାନଙ୍କୁ ଘଉଡେଇ ନେଇ ଆଗେଇ ଚାଲିଲେ ତତ୍‌କାଳୀନ ଭାରତର ସୀମାନ୍ତ ତକ୍ଷଶୀଳା (ବର୍ତମାନ ମାନଚିତ୍ରରେ ପାକିସ୍ଥାନରେ ପେଶାବାର ସହର ନିକଟବର୍ତୀ Taxila ନାମରେ ପରିଚିତ ସ୍ଥାନ) ସେଇ ପେଶାବାର ବା ତକ୍ଷଶୀଳା ଆରପାରିକୁ!

ଏଇଠି ବିଜୁବାବୁଙ୍କ ପିଲାଦିନର କେତୋଟି ଦୁଃସାହସିକ କାର୍ଯ୍ୟ ସମ୍ପର୍କରେ ଅବଗତ ପାଠକ ନିଶ୍ଚୟ ଚମତ୍କୃତ ହେବ ଏଇ ଐତିହାସିକ ତଥ୍ୟଟି ଆବିଷ୍କାର କରିବା ପରେ। ଥରେ ରେଭେନ୍‌ସା କଲେଜର ଛାତ୍ର ଥିବା ସମୟରେ ଗୋଟାଏ ଦିନ ଏକ ଝୁଙ୍କରେ ସେ ତାଙ୍କର ଜଣେ ତରୁଣ ବନ୍ଧୁକୁ ସାଙ୍ଗରେ ନେଇ ସାଇକେଲରେ ଏକାବେଳକେ କଟକରୁ ପ୍ରାୟ ତିନିହଜାର ମାଇଲ ଦୂର ପେଶାବାର (ଅବିଭକ୍ତ ଭାରତବର୍ଷର ତତକାଳୀନ ସୀମାନ୍ତ ସହର) ଯାତ୍ରାକରିଥିଲେ! ପରିଣତ ବୟସରେ, ଖାରବେଳଙ୍କ ଇତିହାସରେ ତକ୍ଷଶୀଳା ଶବ୍ଦରେ ଚମତ୍କୃତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ କଲେଜ ଛାତ୍ର ବିଜୁ ପଟ୍ଟନାୟକଙ୍କ ସାଇକେଲରେ ପେଶାବାର ଯାତ୍ରାର ପୃଷ୍ଠପଟରେ ଥିବା ସ୍ୱପ୍ନର ସାମଞ୍ଜସ୍ୟକୁ ଗୁରୁତ୍ୱର ସହିତ ବିଚାର କଲେ ବୁଝିହୁଏ ଓଡ଼ିଶାର ଏଇ ଇତିହାସ ପୁରୁଷଙ୍କ ଆତ୍ମାପୁରୁଷର ସଂବେଦନର ଅନ୍ତର୍ନିହିତ ରହସ୍ୟ। ସେ ଯେ କାହିଁକି ବିଶ୍ୱସ୍ତରରେ ଓଡ଼ିଶା ଓ ଓଡ଼ିଆଙ୍କ ଆତ୍ମସମ୍ମାନର ପ୍ରତିଷ୍ଠା ଲାଗି ଜୀବନ ତମାମ ସେପରି ଛଟପଟ ହେଉଥିଲେ ତାହାର ଯଥାର୍ଥ ପ୍ରମାଣ ରହିଚି ତାଙ୍କ ଅନ୍ତର୍ନିହିତ ପ୍ରକୃତି ଓ ପ୍ରବୃତ୍ତିରେ।

ବ୍ରିଟିଶ ଭାରତର ବେଙ୍ଗଲ ପ୍ରେସିଡେନ୍ସି ଅନ୍ତର୍ଗତ ଓଡ଼ିଶାର ପ୍ରମୁଖ ସହର କଟକରେ ଭୂମିଷ୍ଠ ହୋଇ ସୁଦ୍ଧା ଦକ୍ଷିଣ ଓଡ଼ିଶା ସହିତ ବିଜଡିତ ପ୍ରାଚୀନ କଳିଙ୍ଗର ଐତିହାସିକ ଆଭିଜାତ୍ୟ ତାଙ୍କର ଜନ୍ମଗତ ସଂସ୍କାର ପାଲଟି ଥିଲା ଓ ଏହି ସଂସ୍କାର ତାଙ୍କୁ ଆଜୀବନ ଆଚ୍ଛନ୍ନ କରିରଖିଥିଲା। ଏଇ ହେଉଚି ସୂତ୍ର ବିଜୁ ପଟ୍ଟନାୟକଙ୍କ କଳିଙ୍ଗ ପ୍ରୀତିର ଏବଂ ସେଇ ସୂତ୍ରରେ ତାଙ୍କର ଜୀବନବ୍ୟାପୀ ସମସ୍ତ ରାଜନୈତିକ କାର୍ଯ୍ୟକଳାପ ତଥା ଆଚରଣ ଓ ଉଚ୍ଚାରଣରେ ଜଣେ ପଦେପଦେ ଦେଖିବାକୁ ମିଳେ ସେଇ ମଧ୍ୟଯୁଗୀୟ ବୀରପୁରୁଷର (Gallantry) ବୀରୋଚିତ ବ୍ୟବହାରର। ଏହି ବ୍ୟକ୍ତିତ୍ୱ ତାଙ୍କୁ ସମସ୍ତ ପ୍ରକାର ଦୁଃସାହସୀ ପଦକ୍ଷେପ ଦିଗରେ ପ୍ରବୃତ୍ତ କରାଇଥିଲା ଜୀବନସାରା। ଏଇ ବ୍ୟକ୍ତିତ୍ୱର ଆହ୍ୱାନରେ ସେ କଲେଜରେ ସାଧାରଣ ବିଷୟରେ ପାଠପଢା ଛାଡି ଚାଲିଯାଇଥିଲେ ବାଙ୍ଗାଲୋର- ଏରୋନଟିକ ଇଂଜିନିୟରିଂ ପଢି ଉଡଜାହାଜର ପାଇଲଟ ହେବାକୁ, ଏଇ ବ୍ୟକ୍ତିତ୍ୱ ତାଙ୍କୁ ପ୍ରଚୋଦିତ କରିଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ରୟାଲ ଇଣ୍ଡିଆନ ଏୟାରଫୋର୍ସରେ ଯୋଗ ଦେବାକୁ, ପୁଣି ଏଇ ବ୍ୟକ୍ତିତ୍ୱ ତାଙ୍କୁ ଉସ୍‌କେଇଥିଲା ଜଣେ ବ୍ରିଟିଶ ଏୟାରଫୋର୍ସର ପାଇଲଟ ଚାକିରି କାଳ ଭିତରେ ଗୁପ୍ତରେ ତତ୍କାଳୀନ ସ୍ୱାଧୀନତା ସଂଗ୍ରାମୀ ନେତାମାନଙ୍କୁ ନିଜ ମିଲିଟାରି ପ୍ଲେନ୍‌ରେ ବସାଇ ଦୂରଦୂରାନ୍ତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଯେଉଁ ଅପରାଧରେ ସେ ଦୁଇବର୍ଷ କାରାଦଣ୍ଡ ଭୋଗିଥିଲେ ବ୍ରିଟିଶ ଜେଲ୍‌ରେ। ଏହିପରି ଅନେକ ଅନେକ ବ୍ୟାପାର- ଯାହାର ଚୂଡାନ୍ତ ଉଦାହରଣ ହେଲା ୧୯୪୭ରେ ଭାରତ ସ୍ୱାଧୀନତା ପ୍ରାପ୍ତି ପରେ ତାଙ୍କର ସେଇ ଅତିମାନବୀୟ ( ସୁପରହ୍ୟୁମାନ) ଦୁଃସାହସିକ କୀର୍ତ୍ତିର, ଯେଉଁଥିପାଇଁ କୃତଜ୍ଞ ଇଣ୍ଡୋନସିଆ ସରକାର ତାଙ୍କୁ ପ୍ରଦାନ କରିଥିଲେ “ଭୂମିପୁତ୍ର ସମ୍ମାନ” ଯାହା ସେ ଦେଶର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ!

ଜୀବନର ଶେଷଦ୍ଦଶାରେ ବିଜୁବାବୁଙ୍କୁ ଓଡ଼ିଶାବାସୀ ତାଙ୍କ ତ୍ୟାଗପୂତ ଓ ବୀରତ୍ୱପୂର୍ଣ୍ଣ ଦୀର୍ଘ ଜୀବନ ପ୍ରତି କୃତଜ୍ଞତାଭରା ପ୍ରତିଦାନ ଦେବାକୁ ନଭୁଲିବା ହିଁ ଓଡିଆଜାତିର ମହାନତା ପ୍ରମାଣ କରେ। କୃତଜ୍ଞ ଓଡ଼ିଶାବାସୀଙ୍କ ପକ୍ଷରୁ ସେଦିନ ଏକ ବିଶାଳ ଜନସଭାରେ ତାଙ୍କୁ ସଂବର୍ଦ୍ଧିତ କରାଯାଇଥିଲା ଏବଂ ତାଙ୍କର ଉନ୍ନତ ଶିର ଉପରେ ଏକ ସୁବର୍ଣ୍ଣ ମୁକୁଟ ସ୍ଥାପନା କରାଯାଇ ତାଙ୍କୁ କଳିଙ୍ଗାଧିପତି ଦ୍ୱିତୀୟ ଖାରବେଳ ଉପାଧିରେ ଭୂଷିତ କରାଯାଇଥିଲା।

ଓଡ଼ିଶାର ଦ୍ୱିତୀୟ ଖାରବେଳ ବିଜୁ ପଟ୍ଟନାୟକଙ୍କ ଶତାବ୍ଦୀ ପୂର୍ତ୍ତି ଜୟନ୍ତୀ ଉତ୍ସବ ଉପଲକ୍ଷେ ଏହି ଲେଖାଟି ଉତ୍ସର୍ଗୀକୃତ।

 

Leave a Reply

*