Blog

ଆନନ୍ଦ ଭବନ: ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର

ପ୍ରଣତି ପରିଡ଼ା

କଟକର ତୁଳସୀପୁର ଅଞ୍ଚଳରେ ରହିଛି ଆନନ୍ଦ ଭବନ ଏହାକୁ ନିର୍ମାଣ କରିଥିଲେ ବିଜୁ ପଟ୍ଟନାୟକଙ୍କ ବାପା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ବିଜୁଙ୍କ ପରିବାର ସେହି ସ୍ଥାନରେ ପୂର୍ବରୁ ବେଶ୍ କିଛି ବର୍ଷ ଧରି ରହିଆସୁଥିଲେ ତେବେ ଆଜି ଆମେ ଯେଉଁ ଆନନ୍ଦ ଭବନ କୋଠା ଦେଖିବାକୁ ପାଉ, ତାହା ୧୯୩୧ ମସିହାରେ ନିର୍ମାଣ ହୋଇଥିଲା ଏହି ଆନନ୍ଦ ଭବନ ଆଗାମୀ ପିଢ଼ି ପାଇଁ ଏବେ ଏକ ଦର୍ଶନୀୟ ଏବଂ ସ୍ମୃତିପୀଠ ହୋ‍ଇଛି

ଆନନ୍ଦ ଭବନର ପ୍ରମୁଖ ଆକର୍ଷଣ

ବର୍ତ୍ତମାନ ଆନନ୍ଦ ଭବନର ଚାରୋଟି ବଖରାକୁ ସର୍ବସାଧାରଣଙ୍କ ପରିଦର୍ଶନ ଲାଗି ପ୍ରସ୍ତୁତ କରାଯାଇଛି। ପ୍ରବେଶ ପ୍ରକୋଷ୍ଠରେ ରହିଛି ବିଜୁବାବୁଙ୍କ ବ୍ୟକ୍ତିଗତ ବ୍ୟବହାର୍ଯ୍ୟ ସାମଗ୍ରୀ। ତା’ ମଧ୍ୟରେ ରହିଛି ଏୟାରଗନ୍, ଷ୍ଟାମ୍ପ ଷ୍ଟାଣ୍ଡ୍ ବା ହୋଲ୍ଡର ଏବଂ ୧୯୯୨ କଳିଙ୍ଗ ବାଲିଯାତ୍ରା ସମୟରେ ସେ ବ୍ୟବହାର କରୁଥିବା ବଡ଼ ଟୋପି ବା ହ୍ୟାଟ୍ ଇତ୍ୟାଦି।

ଏହି ପ୍ରଥମ ବଖରା ପ୍ରବେଶ କଲା ମାତ୍ରେ ଦର୍ଶକମାନଙ୍କ ଆଖିରେ ପଡ଼ିବ ବିଜୁବାବୁଙ୍କ ଓଡ଼ିଆ ଏବଂ ଇଂଲିସ୍ ଦସ୍ତଖତ। ଏହାକୁ ଏକ ଇଜେଲ୍ ଉପରେ ସଜାଇ ରଖାଯାଇଛି। ସେହିପରି ବିଜୁବାବୁ ବ୍ୟବହାର କରୁଥିବା ଆଲମାରୀ, ହ୍ୟାଟ୍ ଷ୍ଟାଣ୍ଡ୍ ଏବଂ ଲମ୍ବା ଆର୍ମ ଚେୟାର ଏହି କୋଠରୀରେ ସଜା ହୋଇ ରହିଛି।

ଆନନ୍ଦ ଭବନର ତା’ ପାଖ ରୁମ୍‌ରେ ସୁନ୍ଦର ଭାବେ ରଖାଯାଇଛି ବିଜୁବାବୁ ବ୍ୟବହାର କରୁଥିବା ଡାଇନିଂ ସେଟ୍ ଏବଂ କଟ୍‌ଲେରୀ ଷ୍ଟାଣ୍ଡ୍। ପୁଣି ଗୋଟିଏ କଡ଼ରେ ରହିଛି ଏକ ପୁରୁଣା ଆଲ୍‌ମାରୀ।

ଆନନ୍ଦ ଭବନରେ ତୃତୀୟ ବଖରାକୁ ବିଜୁବାବୁଙ୍କ ଶୟନ କକ୍ଷ ହିସାବରେ ଉପସ୍ଥାପନ କରାଯାଇଛି। ଏଇଠି ରହିଛି ସେ ବ୍ୟବହାର କରୁଥିବା ଖଟ ଓ ଆଲ୍‌ମାରୀ। ବିଜୁ ପଟ୍ଟନାୟକ ଥିଲେ ଜଣେ ମନଯୋଗୀ ପାଠକ। ସେ ତାଙ୍କ ରୁଚିର ଅନେକ ବହି ପଢ଼ୁଥିଲେ। ଶୋଇବା ଆଗରୁ ପଢ଼ିବା ତାଙ୍କର ଥିଲା ଏକ ନିଶା। ଏଥିପାଇଁ ତାଙ୍କ ଖଟର ଦି ପାଖରେ ରହିଥିଲା ବୁକ୍ ଟ୍ରେ। ବିଜୁବାବୁ ମନହେଲେ ବୁକ୍ ଟ୍ରେରୁ ବହିଟିଏ ଉଠାଇ ଆଣି ପଢ଼ିବାକୁ ବସୁଥିଲେ।

ଏହି ରୁମ୍‌ରେ ମଧ୍ୟ ରଖାଯାଇଛି ବିଜୁବାବୁ ବ୍ୟବହାର କରୁଥିବା ଇନ୍‌ହେଲର୍। ସେହିପରି ତାଙ୍କ ପାଇଁ ଶେଷ ସମୟରେ ବ୍ୟବହାର ହେଉଥିବା ଅକ୍ସିଜେନ୍ ସିଲିଣ୍ଡର ମଧ୍ୟ ସଂରକ୍ଷିତ କରି ରଖାଯାଇଛି। ବିଜୁ ପଟ୍ଟନାୟକ ବ୍ୟବହାର କରୁଥିବା ପୋଷାକ ମଧ୍ୟରେ ଫତେଇ ଏବଂ ବ୍ଲେଜର ଏଠାରେ ଟଙ୍ଗା ହୋଇଛି। ସେହିପରି ତାଙ୍କ ପୋଷାକର ଦରଜି ରଖୁଥିବା ମାପ ମଧ୍ୟ ସ୍ଥାନ ପାଇଛି।

ଏବେ ଆସିବା ବିଜୁବାବୁଙ୍କୁ ଡ୍ରଇଁ ରୁମ୍‌କୁ। ଆନନ୍ଦ ଭବନରେ ବିଜୁ ସ୍ମାରକୀର ଏହା ଏକ ଅଂଶ। ଏଠାରେ ସଜା ହୋଇ ରହିଛି ସେ ବ୍ୟବହାର କରୁଥିବା ପେନ୍ ଷ୍ଟାଣ୍ଡ୍, ଚମଡ଼ା ବ୍ରିଫ୍‌କେସ୍ ଏବଂ ତାଙ୍କ ପରିବାରର ପୁରୁଣା ସୋଫା ସେଟ୍।

ବିଜୁ ପଟ୍ଟନାୟକ ପ୍ରତିଷ୍ଠା କରିଥିଲେ ‘କଳିଙ୍ଗ’ ଖବରକାଗଜ। ୧୯୬୦ ମସିହା ଅକ୍ଟୋବର ୨ ତାରିଖରେ ଜନ୍ମ ନେଇଥିବା ଏହି ସମ୍ବାଦପତ୍ର ୧୯୭୧ ମସିହା ପର୍ଯ୍ୟନ୍ତ ପ୍ରକାଶ ପାଉଥିଲା। ଆନନ୍ଦ ଭବନ ଥିଲା କଳିଙ୍ଗ ଖବରକାଗଜର ସମ୍ପାଦକୀୟ କାର୍ଯ୍ୟାଳୟ। ବିଶିଷ୍ଟ କବି ଓ ସ୍ୱାଧୀନତା ସଂଗ୍ରାମୀ ମନମୋହନ ମିଶ୍ର ଥିଲେ ଏହାର ପ୍ରଥମ ସମ୍ପାଦକ। ପରେ ବିଶିଷ୍ଟ ଲେଖକ ସୁରେନ୍ଦ୍ର ମହାନ୍ତି ଦୀର୍ଘଦିନ ଧରି ଏହି ଦାୟିତ୍ୱ ତୁଲାଇଥିଲେ। ତେଣୁ ବିଜୁଙ୍କ ଏହି ମାନସସନ୍ତାନ କଳିଙ୍ଗ ସମ୍ବାଦପତ୍ରକୁ ତାଙ୍କ ଶୟନ କକ୍ଷରେ ରଖାଯାଇଛି । ବିଜୁବାବୁଙ୍କ ଜୀବନ ଉପରେ ଆଧାରିତ ସଚ୍ଚିତ୍ର ଇଂଲିସ୍ ପୁସ୍ତକ ‘ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’ର ବିଭିନ୍ନ ପୃଷ୍ଠାକୁ ଏଠାରେ ପ୍ରଦର୍ଶନ କରାଯାଇଛି। ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନର ବହୁ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟକୁ ଏହି ପୁସ୍ତକ ମାଧ୍ୟମରେ ଉପସ୍ଥାପନ କରାଯାଇଛି। କିଛି ଦିନ ତଳେ ଭୁବନେଶ୍ୱରଠାରେ ଏହାର ଉନ୍ମୋଚନ ଉତ୍ସବ ହୋଇଥିଲା।

ସେହିପରି ଆନନ୍ଦ ଭବନ ପ୍ରବେଶ ଦ୍ୱାରର ବାମ ପାଖ ବାରଣ୍ଡା କଳିଙ୍ଗ ଫାଉଣ୍ଡେସନ୍ ଟ୍ରଷ୍ଟ୍ ପାଇଁ ସଂରକ୍ଷିତ ରଖାଯାଇଛି। ଏଠାରେ ବିଜୁବାବୁ କରିଥିବା ୟୁନେସ୍କୋ କଳିଙ୍ଗ ପୁରସ୍କାର ସମ୍ପର୍କିତ ବିଭିନ୍ନ ବିଷୟ ଓ ଫଟୋଚିତ୍ର ସ୍ଥାନ ପାଇଛି। ତା’ ମଧ୍ୟରେ ରହିଛି ବିଜ୍ଞାନ ପାଇଁ ବିଶ୍ୱରେ ପରିଚିତ, କଳିଙ୍ଗ ପୁରସ୍କାର ପାଇଥିବା ବିଜେତାମାନଙ୍କ ଫଟୋ ଓ ପ୍ରୋଫାଇଲ୍ ଏବଂ ଟ୍ରଷ୍ଟ୍ ପକ୍ଷରୁ ପ୍ରକାଶିତ ବିଭିନ୍ନ ପୁସ୍ତକ। ସେହିପରି କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟର ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ମଧ୍ୟ ଏଠାରେ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ ହୋଇଛି।

୨୦୧୮ ମସିହା ମାର୍ଚ୍ଚ ୧୭ ତାରିଖର ଶୁଭ ଉଦ୍‌ଘାଟନ ଅବସରରେ ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରର ଆଉ ଏକ ଆକର୍ଷଣ ହୋଇଥିଲା ବରିଷ୍ଠ ଚିତ୍ରଶିଳ୍ପୀ ରବି ରଥଙ୍କ ପ୍ରସ୍ତୁତ କୋଲାଜ୍। ବିଜୁବାବୁଙ୍କ ବିଭିନ୍ନ ମୁଡ୍‌କୁ ଆଧାରକରି ଶିଳ୍ପୀ ଶ୍ରୀଯୁକ୍ତ ରଥ ଏହି ବିଶେଷ ଚିତ୍ରକଳା ପ୍ରସ୍ତୁତ କରିଛନ୍ତି।

ଅଧ୍ୟୟନ କେନ୍ଦ୍ର

ଆନନ୍ଦ ଭବନର ଆଉ ଏକ ଆକର୍ଷଣ ହେଉଛି ଏହାର ଅଧ୍ୟୟନ କେନ୍ଦ୍ର ବା ପାଠାଗାର। ଆନନ୍ଦ ଭବନର ଉପର ମହଲାରେ ଏଥିପାଇଁ ଦୁଇଟି ପ୍ରକୋଷ୍ଠ ପ୍ରସ୍ତୁତ କରାଯାଇଛି। ଏଠାରେ ବିଜୁବାବୁଙ୍କ ଜୀବନୀ ସମ୍ପର୍କିତ ବିଭିନ୍ନ ପୁସ୍ତକ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ରହିଛି। ସେହିପରି ଅନ୍ୟ ବିଷୟ ଉପରେ ମଧ୍ୟ ପୁସ୍ତକ ଏହି ପାଠାଗାରର ଆକର୍ଷଣ ହେବ।

ବିଜୁବାବୁ ନିୟମିତ ପଢ଼ୁଥିଲେ। ତାଙ୍କ ପଢ଼ିବା କୌଣସି ନିର୍ଦ୍ଦିଷ୍ଟ ବିଷୟ ଉପରେ ସୀମିତ ହୋଇରହିନଥିଲା। ସାହିତ୍ୟଠାରୁ ଆରମ୍ଭକରି ବୈଜ୍ଞାନିକ ଗବେଷଣାର ଉପଲବ୍ଧି, ହାତ ପାଆନ୍ତାରେ ତାଙ୍କୁ ଯେତେବେଳେ ଲୋଭନୀୟ ବହିଟିଏ ମିଳୁଯାଉଥିଲା ସେ ତା’କୁ ଶେଷ କରିଦେଉଥିଲେ। ବିଜୁବାବୁଙ୍କ ଏହି ପଠନ ଅଭ୍ୟାସକୁ ଆଧାରକରି ଆନନ୍ଦ ଭବନ ପାଠାଗାରର ପରିକଳ୍ପନା କରାଯାଇଛି। ତେଣୁ ଆଗାମୀ ଦିନରେ ଏହା ସାଧାରଣ ପାଠକମାନଙ୍କ ପାଇଁ ଏକ ଆକର୍ଷଣ ହେବ। ଏଠାରେ ଥିବା ଇ-ଲାଇବ୍ରେରି ମଧ୍ୟ ପାଠକମାନଙ୍କ ପାଇଁ ବିଶେଷ ଉପଯୋଗୀ ହୋଇପାରିବ।

ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର ସର୍ବସାଧାରଣଙ୍କ ପାଇଁ ମଙ୍ଗଳବାରରୁ ରବିବାର ପର୍ଯ୍ୟନ୍ତ ଖୋଲା ରହିବ। ସୋମବାରକୁ ସାପ୍ତାହିକ ଛୁଟି ହିସାବରେ ଗ୍ରହଣ କରାଯାଇଛି। ସେହିପରି ସରକାରୀ ଛୁଟି ଦିନଗୁଡ଼ିକରେ ସଂଗ୍ରହାଳୟ ବନ୍ଦ ରହିବ।

ବିଜୁଙ୍କ ବିରଳ ଫଟୋଗ୍ରାଫ୍

କଟକ ଆନନ୍ଦ ଭବନର ଆଉ ଏକ ଆକର୍ଷଣ ହେଉଛି ବିଜୁବାବୁଙ୍କ ବିରଳ ଫଟୋଚିତ୍ର। ଏଠାରେ ପ୍ରାୟ ୪୦ରୁ ୫୦ଟି ଫଟୋ ସ୍ଥାନ ପାଇଛି। ସଂସ୍କୃତି ବିଭାଗ ଏହି ମର୍ମରେ ଫଟୋଗୁଡ଼ିକୁ ସଜାଇଲା ବେଳେ ଚାରି ଭାଗରେ ବିଭକ୍ତ କରିଛନ୍ତି। ତାହା ହେଉଛି ବ୍ୟକ୍ତିଗତ, ଶିଳ୍ପଭିତ୍ତିକ, ରାଜନୈତିକ ଏବଂ ସାମାଜିକ-ସାଂସ୍କୃତିକ। ଏହି ଫଟୋଗୁଡ଼ିକ ଆନନ୍ଦ ଭବନର ବିଭିନ୍ନ କୋଠରୀରେ ସ୍ଥାନ ପାଇଛି। ଆରମ୍ଭରୁ କିଛି ଫଟୋକୁ ଇଜେଲ୍ ଉପରେ ସଜାଇ ରଖାଯାଇଛି। ଏହାକୁ ନିର୍ଦ୍ଦିଷ୍ଟ ଗ୍ୟାଲେରୀରେ ପ୍ରଦର୍ଶନ କରାଯାଇଛି।

ଏହି ଫଟୋଗୁଡ଼ିକ ମଧ୍ୟରେ ରହିଛି ବିଜୁବାବୁଙ୍କ କର୍ମମୟ ଜୀବନ ସମ୍ପର୍କିତ ଫଟୋ, ତାଙ୍କର ପାରିବାରିକ ଫଟୋ ଏବଂ ଆନନ୍ଦ ଭବନରେ ମୂଳରୁ ରହିଥିବା ଅନ୍ୟ ଫଟୋ। ଆନନ୍ଦ ଭବନ ବୁଲି ଆସୁଥିବା ଦର୍ଶକମାନେ ଏହି ଫଟୋଗୁଡ଼ିକ ଭିତରେ ଦେଖିବାକୁ ପାଇବେ ବିଜୁଙ୍କ ପିଲାଦିନ, କଲେଜ ଜୀବନ, ପେସଓ୍ୱାରକୁ ସାଇକେଲ୍ ଯାତ୍ରା, ଦୁଃସାହସିକ ପାଇଲଟ୍ ଜୀବନ, ସ୍ୱାଧୀନତା ସଂଗ୍ରାମ, ଜାତୀୟ ରାଜନୀତିରେ ନେତୃତ୍ୱ, ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ, ଓଡ଼ିଶାରେ ଶିଳ୍ପ ଓ ବିକାଶର ନବପର୍ବ ଏବଂ ସାଧାରଣ ଜୀବନ ସହିତ ବିଜୁଙ୍କ ଅସାଧାରଣ ସଂଯୋଗ।

ବିଜୁଙ୍କ ଉପରେ ଭିଡିଓ

ଓଡ଼ିଶା, ସଂସ୍କୃତି ବିଭାଗ ପକ୍ଷରୁ ବିଜୁବାବୁଙ୍କ ଭିଡିଓକୁ ନେଇ ଏକ କ୍ଷୁଦ୍ର ଉପସ୍ଥାପନ ପ୍ରସ୍ତୁତ କରାଯାଇଛି। ଏଥିରେ ଅନ୍ୟତମ ଆକର୍ଷଣ ହେଉଛି ବିଜୁଙ୍କ ସାକ୍ଷାତକାର। ଏହି ଭିଡିଓକୁ ଆନନ୍ଦ ଭବନ ସଂଗ୍ରହାଳୟ ପରିସରରେ ଚାଲିବା ଫଳରେ ଯେଉଁ ଦର୍ଶକମାନେ ବିଜୁ ପଟ୍ଟନାୟକଙ୍କ ସ୍ମୃତିକୁ ଅନୁଭବ କରିବା ପାଇଁ ଆନନ୍ଦ ଭବନ ବୁଲି ଆସିବେ ଏହି ଭିଡିଓ ସେମାନଙ୍କ ଅନୁଭୂତିକୁ ଅଧିକ ଆତ୍ମୀୟ କରିପାରିବ।

ସାଧାରଣତଃ କୌଣସି ସଂଗ୍ରହାଳୟ ପ୍ରସ୍ତୁତି ବେଳେ ଆବଶ୍ୟକତା ଅନୁଯାୟୀ ନିର୍ମାଣ କାର୍ଯ୍ୟ କରାଯାଇଥାଏ। କୌଣସି ପୁରୁଣା କୋଠା ହୋଇଥିଲେ ତାହାର ନବୀକରଣ ବେଳେ ମଧ୍ୟ ଆବଶ୍ୟକ ଅଦଳବଦଳ କରାଯାଇଥାଏ। ତେବେ ଆନନ୍ଦ ଭବନ ଏକ ହେରିଟେଜ୍ ବିଲ୍ଡିଂ ହୋଇଥିବାରୁ ଏହାର ମୂଳ ଢାଞ୍ଚାରେ କୌଣସି ପରିବର୍ତ୍ତନ ନ କରି ଏହାକୁ ଏକ ସଂଗ୍ରହାଳୟର ରୂପରେଖ ଦେବା ପାଇଁ ବେଶ୍ ସଫଳ ଉଦ୍ୟମ କରିପାରିଛନ୍ତି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ।

ଆନନ୍ଦ ଭବନ ସଂଗ୍ରହାଳୟରେ ରଖାଯାଇଥିବା ବିଜୁବାବୁ ଓ ତାଙ୍କ ପରିବାରର ବ୍ୟବହୃତ ବିଭିନ୍ନ ଜିନିଷ ବିଭିନ୍ନ ସ୍ଥାନ ଓ ସୂତ୍ରରୁ ଅଣାଯାଇଛି। ଆଗାମୀ ଦିନରେ ବିଜୁ ସ୍ମୃତିକୁ ନେଇ ଆଉ ଯାହା ଯାହା ଜିନିଷ ମିଳିବ ତା’କୁ ବାଛି ଏଠାରେ ସ୍ଥାନ ଦେବାକୁ ବିଭାଗ ଚିନ୍ତା କରୁଛି। ତେଣୁ ବିଜୁ ପଟ୍ଟନାୟକଙ୍କ ନିଜ ପରିବାର ବାହାରେ ଯେକୌଣସି ବିଜୁପ୍ରେମୀ ଏ ଦିଗରେ ସହଯୋଗ ଦେବାକୁ ଆଗେଇ ଆସିବେ ବୋଲି ବିଭାଗ ଆଶା ରଖିଛି।

ବିଜୁଙ୍କ ଆଦ୍ୟ ଜୀବନର ସ୍ମାରକୀ

ବିଜୁ ପଟ୍ଟନାୟକ ୧୯୧୬ ମସିହାରେ କଟକର ଏହି ସ୍ଥାନରେ ଜନ୍ମଗ୍ରହଣ କରିଥିଲେ। ବାପା ଲକ୍ଷ୍ମୀନାରାୟଣ ଓ ମାଆ ଆଶାଲତା ଦେବୀ ତାଙ୍କର ଅନ୍ୟ ପିଲାମାନଙ୍କ ପରି ବିଜୟାନନ୍ଦଙ୍କୁ ପିଲାବେଳୁ ସ୍ୱାଧୀନଚେତା ଭାବେ ଗଢ଼ି ତୋଳିଥିଲେ। ତେବେ ବିଜୁ ପରିବାରର ଆଦର୍ଶ ସହ ନିଜର ସ୍ୱକୀୟ ଗୁଣକୁ ଆଧାରକରି ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ବିଜୟାନନ୍ଦରୁ ସେ ପାଲଟିଥିଲେ ବିଜୁ ପଟ୍ଟନାୟକ।

ବିଜୁ ପଟ୍ଟନାୟକ ତାଙ୍କ କୈଶୋର ଓ ଛାତ୍ର ଜୀବନ କଟକରେ କାଟିବା ବେଳେ ଏହି ଆନନ୍ଦ ଭବନ ଥିଲା ତାଙ୍କ ଜୀବନର ବଡ଼ ସାଥୀ। ସେହି ଆନନ୍ଦ ଭବନରେ ଆଜି ସ୍ଥାନ ପାଇଛି ବିଜୁବାବୁ ଓ ତାଙ୍କ ପରିବାର ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ, ବିଶେଷକରି ବିଜୁଙ୍କ ବ୍ୟକ୍ତିଗତ ଜିନିଷ। ଏଠାରେ ପ୍ରଦର୍ଶିତ ବିଭିନ୍ନ ଜିନିଷ ଏବଂ ସୂଚନା ମାଧ୍ୟମରେ ଜଣେ ଦର୍ଶକ ବା ପର୍ଯ୍ୟଟକ ବିଜୁବାବୁଙ୍କ ସମ୍ପର୍କରେ ଜାଣିବା ପାଇଁ ସୁଯୋଗ ପାଇବ। ତା’ ସାଙ୍ଗକୁ ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରରେ ଥିବା ନିୟମିତ ପାଠାଗାର ଅନ୍ୟାନ୍ୟ ବିଷୟ ସହିତ ବିଜୁବାବୁଙ୍କ ଜୀବନୀ ଅଧ୍ୟୟନ ପାଇଁ ଅଧିକ ଖୋରାକ ଯୋଗାଇବ। ଏହି ଆନନ୍ଦ ଭବନରେ ବିଜୁବାବୁଙ୍କ ତିନି ସନ୍ତାନ ପ୍ରେମ୍, ଗୀତା ଏବଂ ନବୀନ ଜନ୍ମଗ୍ରହଣ କରିଥିଲେ।

ବିଜୁବାବୁଙ୍କ ଏହି ସ୍ମୃତିସ୍ଥଳକୁ ଏକ ଜାତୀୟ ସ୍ମାରକୀରେ ପରିଣତ କରିବା ପାଇଁ ଚିନ୍ତା କରି ୨୦୦୬ ମସିହାରେ ସଂସ୍କୃତି ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରାଯାଇଥିଲା। ତାଙ୍କର ଏହି ପୈତୃକ ସମ୍ପତ୍ତିକୁ ସରକାରଙ୍କୁ ହସ୍ତାନ୍ତର କଲେ ସେହି ସ୍ଥାନରେ ବିଜୁବାବୁଙ୍କ ନାଁରେ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ କଳ୍ପନା କରାଯାଇଥିଲା। ସେହି କଳ୍ପନା ଏବେ ବାସ୍ତବ ରୂପ ନେଇଛି। ସଂସ୍କୃତି ବିଭାଗର ଅନୁରୋଧ ରକ୍ଷା କରି ନବୀନ ବାବୁ ଓ ତାଙ୍କ ପରିବାର ୨୦୧୫ ମସିହାରେ ଆନନ୍ଦ ଭବନକୁ ରାଜ୍ୟ ସରକାରଙ୍କୁ ଟେକି ଦେଇଥିଲେ। ପୂର୍ତ୍ତ ବିଭାଗ ପକ୍ଷରୁ ଏହାର ଆବଶ୍ୟକ ମରାମତି ଓ ନବୀକରଣ ପରେ ପରେ ପ୍ରାୟ ଏକ ବର୍ଷ ଧରି କାମ କରି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ଦର୍ଶନୀୟ ସ୍ମାରକୀକୁ ପ୍ରସ୍ତୁତ କରାଯାଇଛି।

ବିଜୁଙ୍କ କର୍ମମୟ ଜୀବନର ସ୍ମାରକୀ

କେବଳ ବିଜୁବାବୁଙ୍କ ପିଲାଦିନ ନୁହେଁ କଟକର ଆନନ୍ଦ ଭବନ ଥିଲା ତାଙ୍କ ସ୍ୱପ୍ନ, ସଂକଳ୍ପ ଏବଂ କର୍ମମୟ ଜୀବନର ସାଥୀ। ବିଜୁ ପଟ୍ଟନାୟକ ବ୍ରିଟିଶ୍ ସରକାରଙ୍କ ଏୟାରଫୋର୍ସରେ ପାଇଲଟ୍ ଥିବା ବେଳେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସାହାଯ୍ୟ କରିବା ଅଭିଯୋଗରେ ଜେଲ୍ ଯାଇଥିଲେ।

ଜେଲ୍‌ରୁ ପାରୋଲରେ ଆସିବା ପରେ ବିଜୁ ତାଙ୍କ କଟକସ୍ଥିତ ଆନନ୍ଦ ଭବନରେ ରହୁଥିଲେ। ହେଲେ ବ୍ରିଟିଶ୍ ପୋଲିସ ତାଙ୍କୁ ଏକ ପ୍ରକାର ନଜର ବନ୍ଦୀ ଅବସ୍ଥାରେ ରଖିଥିଲେ। କଟକରୁ ବାହାରକୁ ଯିବା ଉପରେ ଥିଲା କଡ଼ା କଟକଣା। ଯୁବକ ବିଜୟାନନ୍ଦ ନିଜ ଭିତରର ସ୍ୱପ୍ନ ଓ ଶକ୍ତିକୁ ଚାପି ପାରୁନଥିଲେ। ଏହି ପୈତୃକ ବାସଭବନରେ ଦିନ ଦିନ କାଟି ସେ କରିଥିଲେ ଆଧୁନିକ ଓଡ଼ିଶାର ପରିକଳ୍ପନା। ସେହିଠୁ ସୃଷ୍ଟି ହୋଇଥିଲା ଚୌଦ୍ୱାର ଶିଳ୍ପ ସମୂହ ପାଇଁ ବିଜୁଙ୍କ ମାନସିକ ସ୍କେଚ୍। କେବଳ ଓଡ଼ିଶା ନୁହେଁ ଆଧୁନିକ ଭାରତର ଆଦ୍ୟ ନିର୍ମାଣର ଯେଉଁ ପର୍ବ ଜବାହାରଲାଲ ନେହରୁଙ୍କ ନେତୃତ୍ୱରେ ହୋଇଥିଲା ସେଥିରେ ବିଜୁଙ୍କର ଥିଲା ବଡ଼ ଅବଦାନ। ବିଜୁ ପଟ୍ଟନାୟକ କଟକ ଆନନ୍ଦ ଭବନର ଶାନ୍ତିପୂର୍ଣ୍ଣ ବାତାବରଣ ଭିତରେ ଯେଉଁ କଥା ଚିନ୍ତା କରୁଥିଲେ ତାହାକୁ କାର୍ଯ୍ୟରେ ପରିଣତ କରିବାକୁ ପରବର୍ତ୍ତୀ ସମୟରେ ଉଦ୍ୟମ କରି ସଫଳ ହୋଇଥିଲେ।

ବିଜୁବାବୁ ପରବର୍ତ୍ତୀ ସମୟରେ ଭୁବନେଶ୍ୱରରେ ନବୀନ ନିବାସ ନିର୍ମାଣ କରି ସେଠାରେ ରହୁଥିଲେ ମଧ୍ୟ କଟକର ଆନନ୍ଦ ଭବନକୁ ବରାବର ଆସୁଥିଲେ। ବିଶେଷକରି ଅବିଭକ୍ତ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ସେ ଗସ୍ତ କଲା କରି ଫେରିବା ବେଳେ ବିଳମ୍ବ ହେଲେ ଆନନ୍ଦ ଭବନରେ ରାତ୍ରିଯାପନ କରୁଥିଲେ। ପରଦିନ ସକାଳେ ଏଇଠି ଜଳଖିଆ କରି ସ୍ଥାନୀୟ ଲୋକ ଓ କର୍ମୀଙ୍କୁ ଭେଟିବା ପାଇଁ ସମୟ ରଖୁଥିଲେ। ସେହିପରି ୧୯୮୫ରୁ ୯୦ ପର୍ଯ୍ୟନ୍ତ ଆନନ୍ଦ ଭବନ ଜନତା ପାର୍ଟିର କଟକ ଅଫିସ୍ ଭଳି ବ୍ୟବହାର ହେଉଥିଲା।

(ଲେଖିକା ଓଡ଼ିଶାଲାଇଭ୍‌ର ନିର୍ଦ୍ଦେଶିକା)

Leave a Reply

*